Unknown

ଅବସର ବାସରେ

 

ଫକୀର ମୋହନ ସେନାପତି

 

 

 

 

 

ପ୍ରଥମ ସଂସ୍କରଣ ୧୯୦୮, ଦ୍ୱିତୀୟ ସଂସ୍କରଣ ୧୯୧୪

 

ପ୍ରଥମ ସଂସ୍କରଣର ଭୂମିକା

ଚାରି ପାଞ୍ଚ ବର୍ଷ ପୂର୍ବେ ଥରେ ପ୍ରାୟ ଆଠ ଦଶ ମାସ ପର୍ଯ୍ୟନ୍ତ ମୁଁ ନିତାନ୍ତ ପୀଡ଼ିତ ଓ ଶଯ୍ୟାଗତ ହୋଇ ପଡ଼ିଥିଲି, ଉତ୍‌ଥାନଶକ୍ତି ପ୍ରାୟ ନ ଥିଲା । ଅନ୍ୟାନ୍ୟପ୍ରକାର ବିପଦଜାଲ ମଧ୍ୟ ମୋତେ ଅବସନ୍ନ କରି ପକାଇଥିଲା । ସେହି ଦାରୁଣ ଦୁର୍ଯୋଗ ସମୟରେ ଦୟାମୟ ପ୍ରଭୁ ମୋ କ୍ଷୀଣ ଜୀବନ ରକ୍ଷା ନିମନ୍ତେ କୃପା କରି ଦୁଇଗୋଟି ଉପାୟ ବିଧାନ କରି ଦେଇଥିଲେ । ଗୋଟିଏ-ବାଲେଶ୍ୱରର ଅନ୍ୟତମ ପ୍ରସିଦ୍ଧ ଜମିଦାର ବାବୁ ଭଗବାନଚନ୍ଦ୍ର ଦାସଙ୍କ ଯୁବକ ପୁତ୍ର ଶ୍ରୀମାନ୍ ପୂର୍ଣ୍ଣଚନ୍ଦ୍ରର ସେବା ଶୁଶ୍ରୂଷା, ଦ୍ୱିତୀୟ-କବିତା ଲେଖିବାର ପ୍ରବୃତ୍ତି ।

 

ପୀଡ଼ାଜନିତ ଯନ୍ତ୍ରଣା ବା ଅନ୍ୟପ୍ରକାର ବିପତ୍‌ପାତ ହେତୁରୁ ଚିତ୍ତ ଅବସନ୍ନ ହୋଇ ପଡ଼ିଲେ ଶାନ୍ତି ଓ ଧୈର୍ଯ୍ୟ ଲାଭ ନିମନ୍ତେ କବିତା ରଚନା ବା ଗ୍ରନ୍ଥପାଠରେ ମନୋନିବେଶ କରେ- ଯାହା କିଛି ଦୃଷ୍ଟି-ଗୋଚରରେ ଆସ ବା ଯେଉଁ ଭାବ ମନରେ ଉଦୟ ହୁଏ କବିତା- କାରରେ ଚିତ୍ର କରିପକାଏ । ତାଦୃଶ ଦୁର୍ଯ୍ୟୋଗ ବା ବିଶ୍ରାମ କାଳରେ କବିତା ଆଲୋଚନା ଚିତ୍ତର ପ୍ରସନ୍ନତାଲାଭର ଗୋଟିଏ ସୁମହତ୍ ଉପାୟ ବୋଲି ସମ୍ପୂର୍ଣ୍ଣରୂପେ ଅନୁଭବ କରିଥିଲି । ପୁସ୍ତକଗତ ଅଧିକାଂଶ କବିତା ସେହି ଦୁର୍ଯୋଗ ସମୟରେ ଲିଖିତ । ଏଥିମଧ୍ୟରୁ କେତେଗୁଡ଼ିଏ କବିତା ନାନା ସାମୟିକ ପତ୍ରିକାରେ ଏଥିପୂର୍ବେ ପ୍ରକାଶିତ ହୋଇଥିଲା ।

 

ଏଥିରେ ଦାର୍ଶନିକ, ଐତିହାସିକ, ପୌରାଣିକ, ଜୀବନଚରିତ, ମନସ୍ତତ୍ତ୍ୱସମ୍ବନ୍ଧୀୟ ଏବଂ ସାମାଜିକ ପ୍ରସଙ୍ଗର କେତେଗୁଡ଼ିଏ କବିତା ସଂଗୃହୀତ ଅଛି । ଅଳ୍ପବୟସ୍କ ବାଳକ ବାଳିକାମାନଙ୍କ ଚିତ୍ତବିନୋଦକ ଅଥଚ ଉପଦେଶପୂର୍ଣ୍ଣ କେତେଗୁଡ଼ିଏ କବିତା ମଧ୍ୟ ସନ୍ନିବେଶ କରିବାକୁ ତ୍ରୁଟି କରି ନାହିଁ । ଏଥକୁ କି ଧର୍ମପିପାସୁ ପରିଣତବୟସ୍କ ଲୋକ, କି କାବ୍ୟାମୋଦୀ ଶିକ୍ଷିତ ଯୁବକ, କି କୋମଳମତି ଆମୋଦପ୍ରିୟ ବାଳକ ବାଳିକା, ସର୍ବଶ୍ରେଣୀ ଲୋକ ସ୍ୱୀୟ ସ୍ୱୀୟ ପାଠୋପଯୋଗୀ କିଛି କିଛି କବିତା ଏଥିରୁ ପ୍ରାପ୍ତ ହେବେ ବୋଲି ମୁଁ ଆଶା କରେ । ଏଥିରେ ଧର୍ମନୀତିସମ୍ବନ୍ଧୀୟ କେତେଗୁଡ଼ିଏ କବିତା ଥିଲେ ମଧ୍ୟ ସେ ସମସ୍ତ ସର୍ବବାଦିସମ୍ମତ ଅଟେ । ଏଥକୁ କି ହିନ୍ଦୁ, କି ମୁସଲମାନ, କି ଖ୍ରୀଷ୍ଟାନ, କାହାରି ପକ୍ଷରେ ପାଠ ବିଷୟରେ ଆପତ୍ତି ଥିବା କାରଣାଭାବ ।

 

ଶରୀର ଓ ମନର ଦୌର୍ବଲ୍ୟ ସମୟରେ ପ୍ରସିଦ୍ଧ ଗ୍ରନ୍ଥପାଠ ସକାଶେ ସାଧାରଣ ଲୋକର ବିଶେଷ ପ୍ରବୃତ୍ତି ଜାତ ହୁଏ ନାହିଁ । ସୁତରାଂ ସମୟୋପଯୋଗୀ ସୁକୁମାର ସାହିତ୍ୟର ପ୍ରୟୋଜନ । ଉନ୍ନତ ଭାଷାମାନଙ୍କରେ ତାଦୃଶ ଗ୍ରନ୍ଥ ବହୁଳ ପରିମାଣରେ ପ୍ରଚାରିତ ଥିବାର ଦେଖା ଯାଏ । ମାତ୍ର ଉତ୍କଳ ଭାଷାରେ ନିତାନ୍ତ ବିରଳ । ମାନବ ଆଶାର ଦାସ । ମୋହର ସୁହୃଦୟ ଭ୍ରାତା ଭଗିନୀଗଣ ଏହି ସାମାନ୍ୟ ପୁସ୍ତକ ଖଣ୍ଡିକୁ ଉକ୍ତ ଶ୍ରେଣୀ ପୁସ୍ତକ ମଧ୍ୟରେ ଗଣନା କରିବେ, ମାଦୃଶ ଦୁର୍ବଳ ମନା ଲୋକ ପକ୍ଷରେ ଏପରି ଆଶା କରିବା ସ୍ୱାଭାବିକ ।

 

ଧିରାକୋଟ ଅଧୀଶ୍ୱର ଶ୍ରୀଯୁକ୍ତ ମଦନମୋହନ ସିଂହ ମହୋଦୟ ସ୍ୱେଚ୍ଛାପ୍ରବୃତ୍ତ ହୋଇ ଏହି ପୁସ୍ତକର ମୁଦ୍ରଣ ସକାଶେ ଏକ ଶତ ଟଙ୍କା ଦାନ କରିଥିବାରୁ ଚିରଜୀବନ କୃତଜ୍ଞତାପାଶରେ ତାହାଙ୍କ ନିକଟରେ ଆବଦ୍ଧ ରହିଲି ।

 

୧।୨।୧୯୦୮

ଶ୍ରୀ ଫକୀରମୋହନ ସେନାପତି

ବାଲେଶ୍ୱର

 

 

 

ଦ୍ୱିତୀୟ ସଂସ୍କରଣ

ଠିକ୍ ୬ ବର୍ଷ ପରେ ‘‘ଅବସର ବାସରେ’’ର ଦ୍ୱିତୀୟ ସଂସ୍କରଣ ହେଲା । ଏହି ସଂସ୍କରଣରେ କେତୋଟି ନୂତନ କବିତା ସନ୍ନିବେଶିତ ହୋଇଅଛି । ଏବଂ ଅନ୍ୟାନ୍ୟ କେତେକ ପରିବର୍ତ୍ତନ ମଧ୍ୟ କରା ଯାଇଅଛି ।

 

୧୫।୩।୧୯୧୪।

ଶ୍ରୀ ଫକୀରମୋହନ ସେନାପତି

 

 

ସୂଚୀପତ୍ର

ବିଷୟ

ମାତୃସ୍ତବ

ଶରଣ

ଗୋଟିଏ ପ୍ରାର୍ଥନା

କଟକ

ମୌନୀ

ବଞ୍ଚି ମୁଁ ରହିବି ଆଉ କେଉଁ ସୁଖ ଆଶେ?

କପୋତ କପୋତୀ

ବୃକ୍ଷବାଟିକା

ଜାପାନ ରୁଷ

୧୦

ମୋ –ମୋହନବଂଶୀ

୧୧

ଯୁଗ୍ମ କୁସୁମ

୧୨

ମୁଁ

୧୩

କ୍ଷଣିକ

୧୪

ମନ ଉଚ୍ଚାଟନ

୧୫

ଭଣ୍ଡ ସନ୍ୟାସୀ

୧୬

ସୁଖ ଦୁଃଖର ପରିଣାମ

୧୭

ମେଲାଣି

୧୮

କବିର ସାନ୍ତ୍ୱନା

୧୯

ସ୍ୱପ୍ନଦେବୀ

୨୦

ଶାନ୍ତିଃ ଶାନ୍ତିଃ ଶାନ୍ତିଃ

୨୧

ପିତୃ ତର୍ପଣ

୨୨

ସନ୍ୟାସୀ

୨୩

ସପ୍ତର୍ଷି

୨୪

ପାନ୍ଥ

୨୫

ଗଲା

୨୬

ପ୍ରାଣେଶ

୨୭

ସର୍ବବାଦୀ ସମ୍ମତ ନାମ

୨୮

ସାବଧାନ

୨୯

ପରୋପକାର

୩୦

କ୍ରନ୍ଦନ

୩୧

ଆଦିମ ନରଦମ୍ପତୀର ଧର୍ମଜ୍ଞାନ

୩୨

ସନ୍ନ୍ୟାସିନୀ

୩୩

କୃତଘ୍ନ

୩୪

କବି ଏବଂ ଚିତ୍ରକର

୩୫

କଣ କଲି

୩୬

କ୍ଳିଓପେଟ୍ରା

୩୭

ଶ୍ରୀଯୁକ୍ତ ରାଜା ବୈକୁଣ୍ଠନାଥ ଦେ ବାହାଦୂର

୩୮

ନୈରାଶ୍ୟ

୩୯

ଆଶାର ମେଲାଣି

୪୦

ମୃତ ଶିଶୁପୁତ୍ର ମନୋମୋହନ

୪୧

ନିଦାଘ ସନ୍ଧ୍ୟା କାଠଯୋଡ଼ି କୂଳ- ପଥରବନ୍ଧ

୪୨

ଅନନ୍ତ ମିଳନ

୪୩

ଅନନ୍ତ ସାଗର

୪୪

ପଶାଖେଳ

୪୫

ବୁଢ଼ା ପଳାଶ

୪୬

ଅନନ୍ତ ବିଶ୍ରାମ

୪୭

ଅବସାଦ

୪୮

ମୃତ୍ୟୁ ଶଯ୍ୟାରେ

୪୯

ମୁଁ ବୈରାଗୀ

୫୦

କବିର ସମ୍ପତ୍ତି

୫୧

ସ୍ମୃତିର ଛାୟା

୫୨

ମୁଷ୍ଟି

୫୩

ହିନ୍ଦୁବିଧବା

୫୪

ମୋ କ୍ଷୁଦ୍ର ଶକ୍ତି

୫୫

ଘରବାହୁଡା ବାଟୋଇ

୫୬

ହତାଶ ପାନ୍ଥ ଓ ଋଷିପୁତ୍ରୀ

୫୭

ଦୟାବତୀ

୫୮

ମୃତ୍ୟୁର ନିମନ୍ତ୍ରଣ

୫୯

ନିର୍ଜନେ

୬୦

ଭବିଷ୍ୟତ୍

୬୧

ଗୋଲାପସୁନ୍ଦରୀ

୬୨

ଚାଲିଗଲା

୬୩

କପୋତ ସଙ୍ଗୀତ

୬୪

ପ୍ରଣତା ବଧୂ

୬୫

ମୋ ଗ୍ରାମ ମଲ୍ଲିକାଶପୁର

୬୬

ରାଜା ତ ଫକୀର

୬୭

ଗଙ୍ଗଶିମଳୀ

୬୮

ଗୋଟିଏ ପ୍ରାର୍ଥନା

୬୯

ମାନବ ଅବସ୍ଥା

୭୦

ଗିରିନଦୀ

୭୧

ବିରହୀ ହଳଦୀବସନ୍ତ

୭୨

ରଜନୀଗନ୍ଧା

୭୩

ହରି ସର୍ବସ୍ୱ

୭୪

କର୍ତ୍ତବ୍ୟପାଳନ

୭୫

ଅଭାବ

୭୬

ନବଜୀବନ

୭୭

ପିତାମହୀ

୭୮

ଭୁବନେଶ୍ୱର

୭୯

ବିଦାୟ ପ୍ରାର୍ଥନା

୮୦

ଶେଷ ପ୍ରାର୍ଥନା

୮୧

ଦୁଃଖ ସମୟ

୮୨

ମହାଦେବଙ୍କ ତାଣ୍ଡବନୃତ୍ୟ

୮୩

ଦିଗ୍‌ବିଜୟୀ ବୀର

୮୪

କଳାପାହାଡ଼

୮୫

ବିପନ୍ନ ନାବିକ

୮୬

ତୁମ୍ଭେ- ଆମ୍ଭେ

୮୭

ଯିଶୁ-କ୍ରୁଶ

୮୮

ଜଗାଇ ମାଧାଇ

୮୯

ଭକ୍ତ ବର୍ଣ୍ଣନା

୯୦

କାହିଁ ଯିବି?

୯୧

ସୁଖ କାହିଁ?

୯୨

ଦୂରେ

୯୩

କୃଷ୍ଣ ଏବଂ ଖ୍ରୀଷ୍ଟ

୯୪

ତାହାଙ୍କ ଆଦେଶ

୯୫

ସାଧୁସୁନ୍ଦର ଦାସଙ୍କ ଅଦ୍ୱୈତବାଦ ଚୌପଦୀଛାନ୍ଦ

୯୬

ପ୍ରେମ

୯୭

ସଙ୍ଗଦୋଷ

୯୮

ଶେଷମିଳନ

୯୯

ଜୀବନତରୀ

୧୦୦

ଜୀବନର ଗତି

୧୦୧

ନିୟତି

୧୦୨

ଚରମ ଚିନ୍ତା

୧୦୩

ମହା ନିମନ୍ତ୍ରଣ

୧୦୪

ଧ୍ରୁବ ବିଶ୍ୱାସ

୧୦୫

କାହାନ୍ତି?

୧୦୬

ସେ ସଙ୍ଗୀତ

୧୦୭

ମହାରାଜା କୃଷ୍ଣସିଂହ

୧୦୮

ଯୁବକ ଶରଚ୍ଚନ୍ଦ୍ର

୧୦୯

ଜୀବନ-ତରୀ

୧୧୦

ଦିଅ ଦରଶନ

୧୧୧

ନିତ୍ୟଧାମ ଆଗେ

୧୧୨

ମଧୁସୂଦନ ରାଓ

୧୧୩

ଉତ୍କଳ ଭୂମି

୧୧୪

କରନ୍ତୁ କଲ୍ୟାଣ

୧୧୫

କୃପାନିଧାନ

୧୧୬

ମୃତ୍ୟୁର କରାଳ ମୂର୍ତ୍ତି

୧୧୭

ମାତଃ ବୋଲନ୍ତୁ

୧୧୮

ସଞ୍ଜୀବନୀ ସୁଧା

୧୧୯

ଜ୍ୟୋତିଃ ସ୍ୱରୂପ

୧୨୦

କାହାକୁ ଭରସା

୧୨୧

ସାଧୁ ସଂସର୍ଗ

୧୨୨

ପଦ୍ମନାଭ ନାରାୟଣ

୧୨୩

ମଧୁସୂଦନ ଦାସ ସି. ଆଇ. ଇ.

୧୨୪

ଆତ୍ମ ସମର୍ପଣ

୧୨୫

ତୁଚ୍ଛ କଣ?

୧୨୬

ସ୍ନେହମୟୀ ମାତା

୧୨୭

ଯୋଗୀ ନାଥ

୧୨୮

କାଳ

୧୨୯

ତୁକାରାମ

୧୩୦

ଆଶା

୧୩୧

କକ୍ଷଭ୍ରଷ୍ଟ ତାରକା

୧୩୨

ଲୋକଚିହ୍ନା

୧୩୩

ଜୀବବ୍ରହ୍ମ

୧୩୪

ପୁନର୍ମିଳନ

୧୩୫

ଜୀବନେ ବିଡ଼ମ୍ବନା

୧୩୬

ବିହଗ ଯୁଗଳ

୧୩୭

ମାନବର ମନ

୧୩୮

ଜଗତ ମଙ୍ଗଳମୟ

୧୩୯

ଆତ୍ମା ଅବିନାଶୀ

୧୪୦

ସ୍ନେହ ନିମନ୍ତ୍ରଣ

୧୪୧

ଜୀବନର ପରିଣାମ

୧୪୨

ଉତ୍କଳ କୃଷକ

୧୪୩

ଶ୍ରୀ ଦାମୋଦର ପଟ୍ଟନାୟକ

୧୪୪

ତୁମ୍ଭଙ୍କୁ ଅନାଇ

୧୪୫

ମିଷ୍ଟକଥା

୧୪୬

ସୋଽହଂ

୧୪୭

ହଜିଲା ଧନ

୧୪୮

ଅନନ୍ତ

୧୪୯

ପାତୁଆ-ପାତୁଈ

୧୫୦

ଜନ୍ମଭୂମି

୧୫୧

ଗର୍ଦ୍ଦଭର ସୂକ୍ଷ୍ମବୁଦ୍ଧି

୧୫୨

ଚାନ୍ଦମଣିର ଅଙ୍ଗୀ

୧୫୩

କର୍ମଫଳ

୧୫୪

ନଭୋ

୧୫୫

ଧର୍ମ ଚତୁଷ୍ପଦ

୧୫୬

ଶ୍ରୀ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ

୧୫୭

ଶଙ୍ଖୀ ବିରାଡ଼ୀ- ବଣୀ ପକ୍ଷିଣୀ

୧୫୮

ଦୁଃଖୀ ମାନବ

୧୫୯

ଅଜ୍ଞେୟ ଜୀବନ ଗତି

୧୬୦

ଭୂଆ ବିରାଡ଼ୀ ଓ କାଳିଆ କୁକୁର

୧୬୧

ଅଚିନ୍ତ୍ୟ ଶକ୍ତି

୧୬୨

କାହିଁ ସେ?

୧୬୩

ପାଷାଣ ପ୍ରତିମା

୧୬୪

କେଉଁ ଜାତି ବର୍ବର?

୧୬୫

ଜନନୀ ଉତ୍କଳ-ଭାଷା

୧୬୬

ଭଗ୍ନ ଶିବମନ୍ଦିର

୧୬୭

‘‘ମନ୍ଦ କବିଯଶଃପ୍ରାର୍ଥୀ’’

୧୬୮

କବି ଅନ୍ନପୂର୍ଣ୍ଣା

୧୬୯

ଦେବୀପ୍ରତିମା ବିସର୍ଜନ

୧୭୦

ଲାଗ ଲାଗ

୧୭୧

ମୁଁ ହାଟବାହୁଡ଼ା

୧୭୨

ପ୍ରେମ-ସଙ୍ଗୀତ

୧୭୩

ମୋହର ଶତ୍ରୁ

୧୭୪

ସତୀତୀର୍ଥ

୧୭୫

ଜାପାନ

୧୭୬

ଶ୍ରୀମତୀ ମାଧବୀ ଦେବୀ

୧୭୭

ସେହି ନାମ

୧୭୮

ଅନୁଭୂତି

୧୭୯

ଉତ୍କଳ ଯୁବକ

୧୮୦

ଉତ୍ଥାନ ସଙ୍ଗୀତ

୧୮୧

ନବବଧୂ ଆହ୍ୱାନ

୧୮୨

କବିତା ବିହଗୀ

୧୮୩

ନୀଳମଣି ବିଦ୍ୟାରତ୍ନ

୧୮୪

ରାମରଥ କଥା

୧୮୫

ଚନ୍ଦ୍ରପ୍ରଭାର ନିର୍ଜଳା ଏକାଦଶୀ

୧୮୬

କର୍ତ୍ତବ୍ୟ ପାଳନ

୧୮୭

ଶାନ୍ତିର ଗୌରବ

୧୮୮

ସତୀ ଲୁକ୍ରେସିଆ

୧୮୯

ଚନ୍ଦ୍ର ବର୍ଣ୍ଣନା

୧୯୦

ବାରବିଳାସିନୀ

୧୯୧

କବିର କଳିହୁଡ଼ୀ ସ୍ତ୍ରୀ

୧୯୨

ଶ୍ମଶାନ

୧୯୩

ଉପେନ୍ଦ୍ରଭଞ୍ଜଙ୍କ ସ୍ୱପ୍ନ ଦର୍ଶନ

୧୯୪

ଆଶା

୧୯୫

ମୋ ଗୀତର ଭଣିତ

 

 

ମାତୃସ୍ତବ

ରାଗ - ମଙ୍ଗଳ

କୈବଲ୍ୟଦାୟିନୀ ମାତଃ! ତ୍ରିଭୁବନେଶ୍ୱରୀ!

ମୋ ହୃଦୟେ ବିରାଜିତା ହୁଅ କୃପା କରି ।୧।

ସୁଖଦେ! ବରଦେ! ସର୍ବେଶ୍ୱରୀ! ଭଗବତୀ!

ରଚିବି କବିତା, କୃପା କର ମୋହ ପ୍ରତି ।୨।

ତବ କୃପା ବିନା ମାତଃ! କେ ଅଛି ଏମନ୍ତ?

ମାନବଦୁର୍ଲ୍ଲଭ, ଲାଭ କରିବ କହତ? ।୩।

ତସ୍କର ବାଲ୍ମୀକି କବି ମାତଃ! ତବ ବରେ,

ଆଦି ଶ୍ରେଷ୍ଠ କବି ନାମେ ଖ୍ୟାତ ଭୁବନରେ ।୪।

 

ଦେଉନ୍ତୁ ପ୍ରତିଭା ମାତଃ! କଳୁଷିତ ଜ୍ଞାନେ,

ରଚିବି କବିତାମାଳା, ବଡ଼ ଇଚ୍ଛା ପ୍ରାଣେ ।୫।

ମହାଶକ୍ତି ମହାପ୍ରାଣ କର ମା! ଏ ଦାସେ,

ସରଳ ଭାଷାରେ ଗୀତ ଗାଏଁ ଅନାୟାସେ ।୬।

ସତ୍ୟ ମାତଃ! ନାହିଁ ବିଦ୍ୟା ତପସ୍ୟା ସଞ୍ଚୟ,

ଯାହା ବଳେ ଦେବି କବି ନାମେ ପରିଚୟ ।୭।

ଦେଇଛ ତ ମାତଃ! ମୋର ହୃଦେ ଉତ୍ତେଜନା,

ତେଣୁ ଇଚ୍ଛା କରିବାକୁ କବିତା ରଚନା ।୮।

 

ଜ୍ଞାନାବଧି ନିରବଧି କରୁଛି ସାଧନା,

କୃପାମୟୀ! କର କୃପା, ନ କର ବଞ୍ଚନା ।୯।

ବିଶ୍ୱମ୍ଭରୀ! ବିଶ୍ୱେଶ୍ୱରୀ! ତୁମ୍ଭରି ଆଜ୍ଞାରେ

ଅକିଞ୍ଚନ ଅଜ୍ଞ ଦେଲି ଚିତ୍ତ ରଚନାରେ ।୧୦।

ବସି ମୋ ହୃଦୟେ ଦେଉଅଛ ଜ୍ଞାନେ ବଳ,

ରଚନା ସକାଶେ ଚିତ୍ତ ନିୟତ ଚଞ୍ଚଳ ।୧୧।

ଭୟ ବା ଉତ୍ସାହ ନାହିଁ ନିନ୍ଦା ସ୍ତୁତି ପ୍ରତି,

ରଚିବି କବିତା, ମାତଃ! ଦିଅ ଅନୁମତି ।୧୨।

 

ନବ ନବ ଭାବରାଶି କରିବି ପ୍ରକାଶ,

ଏଡ଼େ ଉଚ୍ଚ ଆଶା ମଧ୍ୟ କରେ ନାହିଁ ଦାସ ।୧୩।

ଗାଇବି ମହିମା ତବ, ନିତାନ୍ତ ପ୍ରତ୍ୟାଶା,

କୃପାମୟୀ! କୃପା କର, ପୂର୍ଣ୍ଣ ହେଉ ଆଶା ।୧୪।

ଗାଇବି ପାଇବି ଶାନ୍ତି ଆକୁଳ ଜୀବନେ,

ଦୂରାଶା ମନରେ ପୋଷି ଭରସା ଚରଣେ ।୧୫।

ଯେ କବିତା ରଚିବି ମୁଁ ତବ ପ୍ରସାଦରେ,

ଗାଇବେ ଉତ୍କଳବାସୀ ସର୍ବେ ନାରୀ ନରେ ।୧୬।

 

କଣା ମାତ୍ର କରୁଣାରେ ସନ୍ତୋଷ ମନ,

ମଣ୍ଡୂକ ଗଣ୍ଡୂଷଜଳେ କରେ ବିଚରଣ ।୧୭।

କାହା କରୁଣାରେ ମୋର ଏତେ ଅହଙ୍କାର?

ସର୍ବ ବିଷୟରେ ସର୍ବମୟୀ ମୂଳାଧାର ।୧୮।

ନାହିଁ ମା, ଯିବାର ଆଶା କୀର୍ତ୍ତିକ ମନ୍ଦିର,

ସେବିବି ମୋ ମାତୃଭାଷା କରିଅଛି ସ୍ଥିର ।୧୯।

ଜନନୀ ଗୋ! ତୁମ୍ଭ ପଦେ କରୁଛି ମୁଁ ଅଳି,

କୁପୁତ୍ର ଜଞ୍ଜାଳ ଶୁଣି ହୁଅ ନାହିଁ ଚଳି! ।୨୦।

ରୁଦ୍ର ତାଳ ରୁଦ୍ର ରସ ମୋର ସାଧ୍ୟାତୀତ,

ଗାଇବି ପବିତ୍ର ଶାନ୍ତି କରୁଣା ସଙ୍ଗୀତ ।୨୧।

ଦାରିଦ୍ର୍ୟଭଞ୍ଜିନୀ ସର୍ବ ଦୁଃଖନିବାରିଣୀ!

ଜ୍ଞାନାଧାରେ ବିଶ୍ୱାଧାରେ କାରଣକାରିଣୀ ।୨୨।

 

କ୍ଷୀଣ ପ୍ରାଣେ ଦିଅ ମାତଃ! ମନ୍ତ୍ର ସଞ୍ଜୀବନୀ,

କଳୁଷ କଣ୍ଠରେ କରେଁ ବେଦବ୍ୟାଖ୍ୟା ଧ୍ୱନି ।୨୩।

ଆଦି କବି ମହାଦେବୀ! ତୁମ୍ଭର ରଚନା

ଏ ବିଶ୍ୱ ବ୍ରହ୍ମାଣ୍ଡ ନିତ୍ୟ କରୁଛି ଘୋଷଣା ।୨୪।

ପଙ୍ଗୁ ପାରେ ଲଙ୍ଘି ଗିରି, ମୂକ ଗାଏ ଗୀତ,

ପାଏ ଯେବେ ମାତଃ! ତବ କରୁଣା କିଞ୍ଚିତ ।୨୫।

ପୃଥିବୀ, ଆକାଶେ, କିମ୍ବା ଶୟନେ, ସ୍ୱପନେ,

ପ୍ରାଣମୟୀ! ପ୍ରାଣରୂପେ ଦେଖୁଛି ନୟନେ ।୨୬।

 

ତୁମ୍ଭବିନା ତିଳ ମାତ୍ର ଦେଖୁ ନାହିଁ ସ୍ଥାନ,

ତୁମ୍ଭେ, ତୁମ୍ଭେ! ସର୍ବସ୍ଥାନେ ତୁମ୍ଭେ ବିଦ୍ୟମାନ ।୨୭।

କଳା କାଷ୍ଠା ରୂପେ ପରିଣାମପ୍ରଦାୟିନୀ,

ଶାନ୍ତି ପ୍ରୀତି ଭକ୍ତି ମୁକ୍ତି ଗତି ବିଧାୟିନୀ ।୨୮।

ଜନନୀ ସ୍ୱରୂପେ କର ସନ୍ତାନ ପାଳନ,

କନ୍ୟାରୂପେ କର ଲୋକ ଆନନ୍ଦ ବର୍ଦ୍ଧନ ।୨୯।

ଶିକ୍ଷୟିତ୍ରୀରୂପେ ଲୋକେ ଦିଅ ବିଦ୍ୟାଶିକ୍ଷା,

ଗୁରୁସ୍ୱରୁପିଣୀ ମାତଃ! ଦିଅ ଧର୍ମ ଦୀକ୍ଷା ।୩୦।

 

ବିଦ୍ୟାରୂପା! ବିରାଜିତା ମାନବ ହୃଦୟେ,

ନମସ୍ତେ ନମସ୍ତେ ସର୍ବେଶ୍ୱରୀ ସର୍ବମୟେ ।୩୧।

ସର୍ବଭୂତେ ବିରାଜିତା ଛାୟା ସ୍ୱରୂପରେ,

ଜ୍ଞାନରୂପେ ବିରାଜିତା ମାନବ ଅନ୍ତରେ ।୩୨।

ଚୈତନ୍ୟରୁପିଣୀ ମାତଃ! ଚେତନାଦାୟିନୀ !

ପ୍ରାଣରୂପେ ଅବସ୍ଥିତା, ପ୍ରାଣସ୍ୱରୂପିଣୀ! ।୩୩।

ପ୍ରତି ଅଣୁ ପରମାଣୁ ମଧ୍ୟେ ଅବସ୍ଥିତେ!

ସର୍ବମୟୀ ସର୍ବେଶ୍ୱରୀ ଜଗତପୂଜିତେ! ।୩୪।

ପ୍ରାଣ, ମନ ସମର୍ପଣ କରୁଅଛି ତୋତେ,

ନମସ୍ତେ ନମସ୍ତେ ମାତଃ! ନମସ୍ତେ ନମସ୍ତେ ।୩୫।

 

ଶରଣ

ରାଗ - ଆହାରୀ

ପଠାଇଛ ମୋତେ            ହେ ପ୍ରଭୁ ଜଗତେ

ଏ କଥା ଥାଉ ମୋ ମନରେ,

ତୁମ୍ଭର ଆଦେଶ            ପାଳିବି ବିଶେଷ,

ତୁମ୍ଭ ଦତ୍ତ ବୁଦ୍ଧି ବଳରେ,

ପ୍ରଭୁ ହେ!

ଏତିକି ମୋହର ପ୍ରାର୍ଥନା,

ଘଟ ବା ଅନିଷ୍ଟ            ପାଏଁ ନାନା କଷ୍ଟ,

କର୍ତ୍ତବୁଁ ନ ହେବି ବିମନା ।

ମାୟା ଆକର୍ଷଣ            ନିତାନ୍ତ ଭୀଷଣ,

ଧନ ମାନେ ଚିତ୍ତ ଚଞ୍ଚଳ,

 

ଜଗତ ସଂସାର            ସକଳ ଅସାର,

ମୂଳାଧାର ତୁମ୍ଭେ କେବଳ

ପ୍ରଭୁ ହେ!

କୃପା କରି ଦିଅ ସୁମତି,

ନ ଲଭୁ ମୋ ମନ,            ଜୀବର ଜୀବନ!

ଲୋଭ ଜଗତର ସମ୍ପତ୍ତି ।

ଗତ ଧନ ମାନେ            ବୃଥା ଅଭିମାନେ

ଚିତ୍ତ ମୋ ସନ୍ତତ ଚଞ୍ଚଳ,

ନ ଜାଣିଲି ପ୍ରଭୋ!            ଏ ପଦାର୍ଥ ସବୁ

କ୍ଷଣିକ ମାତ୍ରକ କେବଳ,

ପ୍ରଭୁ ହେ!

ଏତିକି ମୋହର ପ୍ରାର୍ଥନା,

ଯାଇଛି ଯା ଯାଉ,            ତାହା ପାଇଁ ଆଉ

ନ କରେଁ ଯେମନ୍ତ ଶୋଚନା ।

ରୋଗେ, ଭୋଗେ, ଯୋଗେ,      ରାଗେ ବା ସୋହାଗେ,

ସାଗରେ, ପ୍ରାନ୍ତରେ, କାନ୍ତାରେ,

 

ପ୍ରଣୟ ଆସରେ,            ଦଣ୍ଡ କରାଗାରେ,

ସକଳ ସମୟେ ସରାଗେ,

ପ୍ରଭୁ ହେ!

ତୁମ୍ଭଙ୍କୁ କରିବି ସ୍ମରଣ;

ରଖିବି ମନରେ            ସର୍ବ ସମୟରେ

ତୁମ୍ଭେ ଏକ ମାତ୍ର ଶରଣ!

ଥାଉଁ ମୋ ଚେତନା            ଏତିକି ପ୍ରାର୍ଥନା,

ପ୍ରଭୁ ହେ ତୁମ୍ଭ ଶ୍ରୀ ଚରଣେ,

ହେବେ ନାଡ଼ି କ୍ଷୀଣ            ଜ୍ଞାନ ଶକ୍ତିହୀନ

ହେବ ସେ କାଳରେ ଆପଣ,

ପ୍ରଭୁ ହେ!

ଦେବ କୃପା କରି ଦର୍ଶନ,

ତୁମ୍ଭ କୃପା ଦେଖି            ଶରୀର ଉପେକ୍ଷି

ପ୍ରୟାଣ କରିବ ଜୀବନ ।

 

ସୁଖେ, ଦୁଃଖେ, ଶୋକେ,      ଅନ୍ଧାରେ, ଆଲୋକେ,

ଉତ୍ସବେ ଅଥବା ବିପଦେ,

ସ୍ୱଦେଶେ, ବିଦେଶେ,      ନିରାଶେ, ଉଲ୍ଲାସେ,

ବିଷାଦେ ଅଥବା ସମ୍ପଦେ,

ପ୍ରଭୁ ହେ!

ଏତିକି ମୋର ନିବେଦନ,

ଜୀବନ ବିକଳେ            ତୁମ୍ଭ ପଦତଳେ

ପଶିବି ଯେମନ୍ତ ଶରଣ ।

 

ଗୋଟିଏ ପ୍ରାର୍ଥନା

ମଙ୍ଗଳ

ମହାପ୍ରଭୋ! କେବଳ ମାତ୍ର ଦେଉନ୍ତୁ ଦର୍ଶନ,

ଅନ୍ଧକାରେ ହେଉଛି ତ ବ୍ୟାକୁଳ ମୋ ମନ ।

 

ଯେ ରୂପ ଦେଖିଲେ ପ୍ରଭୋ! ଲଭିବି ସାନ୍ତ୍ୱନା,

ଦେଖାଅ ଅଭୟ ରୂପ, ନ କର ବଞ୍ଚନା

 

ନ ପାଇ ତୁମ୍ଭଙ୍କୁ ଚିତ୍ତ ହେଉଛି ଚଞ୍ଚଳ,

ଜାଣ ତ ହେ ପ୍ରଭୋ! ମନ ନିତାନ୍ତ ଦୁର୍ବଳ ।

 

ତୁମ୍ଭର ମହିମା ଛାୟା ପଡ଼ୁ ମୋ ହୃଦୟେ,

ସୁଖେ ଦୁଃଖେ ନିରଖିବି ସକଳ ସମୟେ ।

 

ଦର୍ଶନ କରିବି ସୁଖେ ହେ ଜଗତସାଇଁ ।

ଦ୍ୱିତୀୟ ପ୍ରାର୍ଥନା ମୋର ଆଉ କିଛି ନାହିଁ ।

 

ଲଭେଁ ସ୍ୱର୍ଗବାସ ଅବା ଭୀଷଣ ଦୁର୍ଗତି,

ଯାହା ଇଚ୍ଛା ଦିଅ ପ୍ରଭୋ ! ନାହିଁ ମୋ ଆପତ୍ତି,

 

ଏତିକି ପ୍ରାର୍ଥନା ମୋର ଆହେ ଭଗବାନ!

ଆପଣା ସାକ୍ଷାତେ ତାହା କରିବେ ବିଧାନ ।

 

କଟକ

ମଙ୍ଗଳ

ଉତ୍କଳର ରାଜଧାନୀ କଟକ ସହର,

ବିରାଜିତ, ପ୍ରକାଶିତ ଯୁଗ ଯୁଗାନ୍ତର ।

ମହାନଦୀ କାଠଯୋଡ଼ୀ ଛନ୍ତି ଦୁଇ ପାଶେ

କଟକନିବାସିଗଣେ ଜଳ ଦେବା ଆଶେ ।

ସ୍ପଟିକନିର୍ମଳ ଜଳ ରୋଗନିବାରକ,

ସ୍ନାନ ପାନେ ସୁସ୍ଥଦେହେ ରହିଛନ୍ତି ଲୋକ ।

ମର୍କତକେଶରୀ ଧନ୍ୟ! କୌଶଳ ପ୍ରକାଶି

ବାନ୍ଧିଛ ପଥରବନ୍ଧ କୀର୍ତ୍ତି ଅବିନାଶୀ ।

ପ୍ରାବୃଟ କାଳରେ ନଦୀ ହୋଇ ଭୟଙ୍କରୀ

ନ ପାରନ୍ତି ନଗରୀକୁ ଅତିକ୍ରମ କରି ।

 

ମହାତ୍ମା ପୁରୁଷୋତ୍ତମ ପୂତମନା ଜ୍ଞାନୀ,

କଟକ ସହର ଥିଲା ତାଙ୍କ ରାଜଧାନୀ ।

ଧନ ଆଶେ, ବିଦ୍ୟାଭ୍ୟାସେ, କୀର୍ତ୍ତି କାମନାରେ

କେତେ ଦେଶୁଁ ରୁଣ୍ଡ ଲୋକ ଏ କଟକଠାରେ ।

 

ନଦୀକୂଳ ଅଟ୍ଟାଳିକା ବିଚିତ୍ର ଗଠନ,

ରାଜକର୍ମଚାରୀଙ୍କର ବିଚାରଭବନ।

ସର୍ବ ରୂପ ବିଦ୍ୟା ଉପାର୍ଜନର ଏ ସ୍ଥଳ,

ନାନା ଦେଶୁଁ ସମାଗତ ବିଦ୍ୟାର୍ଥୀ ସକଳ ।

 

ଧନ, ବିଦ୍ୟା ଉପାର୍ଜନେ ପ୍ରଶସ୍ତ ଏ କ୍ଷେତ୍ର,

ସଜ୍ଜିତ ବିପଣିମାଳା ତୃପ୍ତ କରେ ନେତ୍ର ।

ପୁରାକାଳେ ଥିଲେ ଏଥି କେତେ ବିଦ୍ୟାବନ୍ତ,

କେତେ ଧନୀ, କେତେ ମାନୀ, ସନ୍ନ୍ୟାସୀ ମହନ୍ତ,

 

କେତେ ରାଜା, ମହାରାଜ, ମଧ୍ୟବିତ୍ତ ଲୋକ,

କେତେ ରାଜ-କର୍ମଚାରୀ, ଧର୍ମପ୍ରଚାରକ,

ଚାଲି ଯାଇଛନ୍ତି ସର୍ବେ ତେଜି ଭବଲୀଳା,

ତଥାପି ରହିଛି ପୂର୍ଣ୍ଣ ଏହି ପାନ୍ଥଶାଳା ।

ଗତାୟାତ ପ୍ରାଣିସ୍ରୋତ ଜଗତର ରୀତି,

କେବଳ ତ ଯାଏ ରହି କୀର୍ତ୍ତି ଅପକୀର୍ତ୍ତି ।

ଦୁରାଚାରୀ ମରହଟ୍ଟା ଯାଇଛନ୍ତି କାହିଁ,

ଅଛି ବାରବାଟୀ କିଲ୍ଲା ସାକ୍ଷ ଦେବାପାଇଁ ।

ଏତିକି ବିଚିତ୍ର ମୁହିଁ ଦେଖେଁ ଜଗତରେ,

ନ ବିଚାରେ କେହି ନିଜ ପରିଣାମ ଥରେ ।

 

ମୌନୀ

ମଙ୍ଗଳ

ହେ ବିଶ୍ୱବିଧାତଃ! ମୋତେ ବୋଲ, କି କାରଣେ

ଦେଇଛ ବିବିଧ ଅସ୍ତ୍ର ଯାଚି ପ୍ରାଣିଗଣେ?

ସୁତୀକ୍ଷ୍ଣ ନଖରରାଜି ଭଲ୍ଲୁକ ଶାର୍ଦୂଳେ,

ଭୀଷଣ ଦଶନାବଳୀ ଭୁଜଙ୍ଗ ନକୁଳେ,

ଗଣ୍ଡାରେ ଦେଇଛ ଖଡ଼୍ଗ, ମହିଷେ ବିଷାଣ,

ଆତ୍ମରକ୍ଷା ପୁଣି ନାଶିବାକୁ ଶତ୍ରୁ ପ୍ରାଣ ।

 

ହେ ପ୍ରଭୋ ! ଦେଇଛ ମୋତେ କୋମଳ ରସନା,

ଭୟଙ୍କରରୂପେ ଏବେ ଯାଏ ମୋତେ ଜଣା ।

 

ନ କଲି ତ ପ୍ରଭୋ ! ତୁମ୍ଭ ମହିମା ଗାୟନ,

ସୁମଧୁର ବାକ୍ୟେ ଜନ ଚିତ୍ତ ବିନୋଦନ!

 

କରିଥାନ୍ତି ସିନା ପର ସୁଯଶ ଘୋଷଣା,

ପର ନିନ୍ଦା ପର ଗ୍ଳାନି କରିଛି ରଟନା ।

 

ନିଷ୍ଠୁର ନିର୍ମମ ଭାବେ କେତେ ଲୋକ ପ୍ରାଣେ

ଦେଇଛ ଯନ୍ତ୍ରଣା, ବିଦ୍ଧ କରି ବାକ୍ୟବାଣେ ।

 

ଅସାର ଅଳୀକ କେତେ ବଚନ ପ୍ରକାଶି,

ଲୋକସମାଜର ଶାନ୍ତି ପକାଇଛି ନାଶି ।

 

ବିକଟ ବିଦ୍ରୂପ ବହୁ ବିଷାକ୍ତ ବଚନେ

ଦେଇଛ ଅତ୍ୟନ୍ତ କଷ୍ଟ ଲୋକପଣ ମନେ ।

 

କୃପା କର ଏବେ ହେଲେ ହୋଇ ରହେଁ ତୁନି,

ଅସାଧୁ କଥାରେ ହୋଇ ରହିବି ମୁଁ ମୌନୀ ।

 

ବଞ୍ଚି ମୁଁ ରହିବି ଆଉ କେଉଁ ସୁଖ ଆଶେ ?

ନଳନୀ ଗୌଡ଼ା

ଯାହା ମୁଖ ଚାହିଁ ରହିଥିଲ ଧୈର୍ଯ୍ୟ ଧରି,

ସମ୍ପଦେ ବିପଦେ ପାଶେ ଥିଲା ଛାୟା ପରି,

ସଙ୍କଟ କାଳରେ ଦେଉଥିଲା ଯେ ସାନ୍ତ୍ୱନା,

ଯା ସେବାରେ ଭୁଲୁଥିଲି ରୋଗର ଯନ୍ତ୍ରଣା,

କାଟି ଦେଇ ମାୟା ଚାଲି ଗଲା ସ୍ୱର୍ଗବାସେ,

ବଞ୍ଚି ମୁଁ ରହିବି ଆଉ କେଉଁ ସୁଖ ଆଶେ?

 

ଉପସ୍ଥିତ ଜରା, ନାହିଁ ଦେହରେ ସାମର୍ଥ୍ୟ,

ସରି ଯାଇଅଛି ପ୍ରାୟ ଅରଜିଲା ଅର୍ଥ,

କରି ତ ପାରିବି ନାହିଁ ଲୋକ ଉପକାର,

କେ ଆଉ କରିବ କିପାଁ ମୋତେ ସମାଦର,

କିପାଇଁ ଆସିବେ ଆଉ ଲୋକ ମୋହ ପାଶେ

ବଞ୍ଚି ମୁଁ ରହିବି ଆଉ କେଉଁ ସୁଖ ଆଶେ?

 

ଯାହାକୁ ଭରସା କରିଥିଲା ଏ ଜୀବନ,

ଯାହାପାଇଁ ପ୍ରାଣପଣେ କରିଛି ଯତନ,

କରିଥିଲି ଏକମାତ୍ର ଯାହାକୁ ଭରସା,

ନ କରେ କରୁଣା ଦେଖି ମୋହର ଦୁର୍ଦ୍ଦଶା,

କିଛି ମାତ୍ର ଆସ୍ଥା ନାହିଁ ମୋହର ଜୀବନେ,

ପ୍ରତ୍ୟୁତ ଯାତନା ଦିଏ କର୍କଶ ବଚନେ,

ଥାଏ ଦୂରେ ଦୂରେ ସଦା ନ ଆସେ ସେ ପାଶେ,

ବଞ୍ଚି ମୁଁ ରହିବି ଆଉ କେଉଁ ସୁଖ ଆଶେ?

 

ଅଥବା ମୁଁ କିଏ? ଏହା ନ ଆସେ ବୁଦ୍ଧିରେ,

ଆପଣା ଆୟତ୍ତେ ରହିଛି କି ପୃଥିବୀରେ?

ଦେଇଛନ୍ତି ଯେବା ଏହି ଶରୀର, ଜୀବନ,

ସେ ଜାଣନ୍ତି ମୁହିଁ ବଞ୍ଚି ରହିବି କିପାଇଁ,

ରହିଥିବି ଧୈର୍ଯ୍ୟ ଧରି ତାହାଙ୍କୁ ଅନାଇ।

 

ବାସନା ପାଳିବି ଦେଶ ଉପକାର ବ୍ରତ,

ସଁପିବି ସେଥିକି ଶକ୍ତି ସାମର୍ଥ୍ୟ ସମସ୍ତ,

ସେତୁବନ୍ଧେ ସାହା ମୂଷା, ଏହା ଅଛି ଜାଣି,

ଲୁହେ ତ ମୁଁ ତାହାଠାରୁ କିଛି କ୍ଷୁଦ୍ର, ପ୍ରାଣୀ?

ପର ଉପକାରେ ଯେବେ ପାଇବି ସୁଯୋଗେ,

କରିବି ନିଶ୍ଚୟ ଶକ୍ତି ସାମର୍ଥ୍ୟ ସଂଯୋଗ ।

ସୁଖ ଭୋଗପାଇଁ ନୁହେଁ ମାନବ ଜୀବନ,

ଅଛି ତ ତାହାର କିଛି କର୍ତ୍ତବ୍ୟ ସାଧନ ।

 

କେପାତ କେପାତୀ

ମଙ୍ଗଳ

ନିବିଡ଼ ପଲ୍ଲବଯୁକ୍ତ ଚୂତବୃକ୍ଷ ଡାଳେ

କପୋତ କପୋତୀ ବସିଛନ୍ତି ଅନ୍ତରାଳେ ।

କୁହୁଉ କୁହୁଉ ରାବୁଛନ୍ତି ବାରେ ବାରେ,

ପାଳି କରି ଦୁହେଁ ଗୋଟି ଗୋଟିକ ଉତ୍ତାରେ ।

 

ନିରୀହ ଯୁଗଳ କ୍ଷୁଦ୍ର, ପ୍ରାଣୀ ପରସ୍ପରେ

ସାହା ହୋଇ ଦିନ କାଟୁଛନ୍ତି ଆନନ୍ଦରେ ।

ନାହିଁ ଦ୍ୱେଷ ହିଂସା କ୍ରୋଧ ଭାବ ଆନ ପ୍ରତି,

ଆତ୍ମକାର୍ଯ୍ୟେ ରତ ସଦା ନିରୀହ ଦମ୍ପତି ।

 

କ୍ଷଣେ କାହାଠାରୁ କେହି ନୁହନ୍ତି ଅନ୍ତର,

ଆହାର ବିହାରେ ସଦା ସାହା ପରସ୍ପର।

ପ୍ରକୃତି ପୁରୁଷ ଦୁହିଙ୍କର ଏହି ରୀତି,

ଦେଖାଉଛି ନିଦର୍ଶନ ବିହଗଦମ୍ପତି ।

 

ଦିବା ଅବସାନ ପ୍ରାୟ ସୂର୍ଯ୍ୟ ଯାନ୍ତି ବୁଡ଼ି,

ବିଶ୍ରାମ ନିମନ୍ତେ ନୀଡ଼େ ଯାଉଛନ୍ତି ଉଡ଼ି ।

ଅସ୍ତଗତ ଦିନମଣି ସୁବର୍ଣ୍ଣ କିରଣେ,

ବିଚିତ୍ର ବିବିଧ ବର୍ଣ୍ଣ ବାରିଦ ଗଗନେ ।

 

ତରଳ ଆଲୋକ ବିସ୍ତାରିଛି ଶୋଭାରାଶି,

ଦୁଇଗୋଟି ପ୍ରାଣୀ ଯାଉଛନ୍ତି ଭାସି ଭାସି ।

ନାହିଁ ଚିନ୍ତା, ନାହିଁ ଦୁଃଖ, ବିଷାଦ, ଭାବନା,

କି ସୁଖରେ ଛନ୍ତି, କରି ନ ପାରେ କଳ୍ପନା ।

ସାୟାହ୍ନ ସଜଳାନଳ ଶୈତ୍ୟ ଗୁଣ ଢାଳେ,

ଉଡ଼ୁଛନ୍ତି ପକ୍ଷୀ ଡେଣା ବିଞ୍ଚି ତାଳେ ତାଳେ;

ଭିଡ଼ା ଭିଡ଼ି ଦୁହେଁ ପକ୍ଷ କରି ଲଗା ଲଗି,

ଚାହୁଁଛନ୍ତି ପରସ୍ପରେ କର ଗ୍ରୀବାଭଙ୍ଗି।

 

ବୃକ୍ଷବାଟିକା

ନଳିନୀଗୌଡ଼ା l

ଅଟ୍ଟାଳିକା ପାଶେ ବୃକ୍ଷବାଟିକା ସୁନ୍ଦର,

ନିବିଡ଼ ନିକୁଞ୍ଜବନ ନେତ୍ରତୃପ୍ତିକର ।

 

ନାନାଜାତି ବୃକ୍ଷ ଲତା ଶାଖା ଛନ୍ଦାଛନ୍ଦି,

ପଡ଼େ ସୂର୍ଯ୍ୟତେଜ ସ୍ଥାନେ ସ୍ଥାନେ ଭେଦି ସନ୍ଧି ।

 

କେ ବୃକ୍ଷ ବିସ୍ତୃତଶାଖା କେହି ବା ଉନ୍ନତ,

ଫଳଶୂନ୍ୟ କେହି ଫଳଭାରେ ଅବନତ ।

 

ପବନରେ ଆନ୍ଦୋଳିତ ହୋଇ ବାରେ ବାରେ,

ନାନା ଜାତି ପୁଷ୍ପବୃକ୍ଷ ସୁଗନ୍ଧ ବିସ୍ତାରେ ।

 

ବୃକ୍ଷ ମୂଳେ ପଡ଼ି ନାହିଁ ସୂର୍ଯ୍ୟଙ୍କ କିରଣ,

ଧୀରେ ଧୀରେ ବହୁଅଛି ଶୀତଳ ପବନ ।

 

ସୁମଧୁର ପୁଷ୍ଟିକର ଫଳ ନାନା ଜାତି,

ସ୍ୱଦେଶୀୟ ବିଦେଶୀୟ ନାନାବର୍ଣ୍ଣ ଭାତି ।

 

ଆହେ ବୃକ୍ଷ, ତୁମ୍ଭ ପରି ଦାତା କେବା ଜଣେ?

ଯାଚି ଦେଉଅଛ ଫଳ ପୁଷ୍ପ ଅନୁକ୍ଷଣେ ।

 

ଆପଣାଇ କିଛିମାତ୍ର ନାହିଁ ପ୍ରୟୋଜନ,

ପରଉପକାରେ ଭାର କରୁଛ ବହନ ।

 

ଶିଖାଉଛ ନିତି ମୋତେ ଆହେ ବୃକ୍ଷଗଣ,

ପର ଉପକାରପାଇଁ ସାଧୁଙ୍କ ଜୀବନ ।

ଯେତେବେଳେ ଆଣେ ପକ୍ୱଫଳ ବୃକ୍ଷୁଁତୋଳି,

କି ଆନନ୍ଦ ହୁଏ ଜାତ ପାରେ ନାହିଁ କଳି ।

 

ବନ୍ଧୁ ବାନ୍ଧବଙ୍କୁ ତାହା ଦେଲେ ଉପହାର,

ତହୁଁ ଜାତ ହୁଏ ପୁଣି ଆନନ୍ଦ ଆପାର ।

 

ତୁମ୍ଭ ଫଳ ପୁଷ୍ପମାନ ନାନା ଗୁଣଧାରୀ,

ସୁନ୍ଦର, ସୁଗନ୍ଧ, ତୃପ୍ତିକର, ପୁଷ୍ଟିକାରୀ ।

 

ପ୍ରଭୁଙ୍କର ଆଜ୍ଞା ପାଳିବାକୁ ତୁମ୍ଭେ ଅବା

ଶୀତାତପ ବୃଷ୍ଟି ସହି ହୋଇଅଛି ଉଭା ।

ଉଡ଼ି ଆସି ବସୁଛନ୍ତି ବିହଙ୍ଗ ସକଳ

ଭକ୍ଷଣ କରିବାପାଇଁ ତୁମ୍ଭ ମିଷ୍ଟ ଫଳ ।

 

କରୁଅଛି କଳରବ ବସି କେହି ଡାଳେ,

କେହି ବା କରୁଛି ଜଳ ପାନ ଆଳବାଳେ ।

ରାତ୍ରିକାଳେ ଆକାଶରୁ ଆସି ଉଡ଼ି ଉଡ଼ି

ବୃକ୍ଷ ଡାଳେ ଡାଳେ ଝୁଲିପଡ଼ନ୍ତି ବାଦୁଡ଼ି ।

 

ଶିଖାଇ କି ଦେବ ମୋତେ ହେ ବୃକ୍ଷ ସମସ୍ତ,

କାହୁଁ ଶିକ୍ଷା କଲ ପରଉପକାର ବ୍ରତ?

ପ୍ରାତଃକାଳେ ଦୁଇଗୋଟି ହଳଦିବସନ୍ତ

ଆସନ୍ତି ପ୍ରତ୍ୟହ କଣ୍ଟି ସମୟ ଯେମନ୍ତ ।

 

ଡାଳେ ଡାଳେ ଭ୍ରମୁ ଥାନ୍ତି କରି କଳରବ;

ଲଗାଇ ଦିଅନ୍ତି କ୍ଷଣେ ଆନନ୍ଦ-ଉତ୍ସବ ।

କିବା ମନୋହର ଦୁଇଗୋଟି କ୍ଷୁଦ୍ର ପ୍ରାଣୀ,

କ୍ଷୁଦ୍ର ପକ୍ଷିମଣ୍ଡଳୀରେ କି ବା ରାଜା ରାଣୀ?

ରୋପିଥିଲି ବୃକ୍ଷବାଟୀ କେତେ ସଯତନେ,

ଆଜି ତା ଆନନ୍ଦ ଭୋଗ କରୁଛି ତ ମନେ ।

 

କଦାଚିତ ବିଚଳିତ ହେଲେ ମୋର ମନ,

କରେଁ ଆସି ଏହି ବୃକ୍ଷବାଟୀରେ ଭ୍ରମଣ ।

ଆହେ ବୃକ୍ଷ! ତୁମ୍ଭ ମୂଳେ ଦିଅ ମୋତେ ସ୍ଥାନ,

ସ୍ଥିରଚିତ୍ତେ ବସି କରେଁ ପ୍ରଭୁପଦ ଧ୍ୟାନ ।

 

ଜାପାନ ଋଷ

 

ଅହିଂସା ପରମ ଧର୍ମ ସର୍ବଧର୍ମସାର,

ଏହି ତତ୍ତ୍ୱ କରିଥିଲେ ଗୌତମ ପ୍ରଚାର ।

ବିଶେଷ କରିବ ଦୟା ସର୍ବ ପ୍ରାଣୀ ପ୍ରତି,

ପ୍ରଭୁ ଶାକ୍ୟସିଂହଙ୍କର ଏହି ଅନୁମତି ।

 

ଆତ୍ମପ୍ରାଣ ଦେଇ ରକ୍ଷା କର ପରପ୍ରାଣ,

ବୌଦ୍ଧ ଧର୍ମଶାସ୍ତ୍ର ଦୟାରତ୍ନର ବିଧାନ ।

 

ମେରୀପୁତ୍ର ଯିଶୁଖ୍ରୀଷ୍ଟ ବୋଇଲେ ଶିଷ୍ୟଙ୍କୁ

ପ୍ରେମ କର, ପ୍ରେମ କର ମନୁଷ୍ୟପୁତ୍ରଙ୍କୁ ।

 

ବାମ ଗଣ୍ଡେ କେହି ଯେବେ ଚାପୁଡ଼ାଏ ମାରେ,

ଦେଖାଅ ଦକ୍ଷିଣ ଗଣ୍ଡ ତାକୁ ପୁନର୍ବାରେ ।

 

ଖ୍ରୀଷ୍ଟ ପୁଣି ବୁଦ୍ଧ-ଶିଷ୍ୟ ଋଷ ଓ ଜାପାନ,

ଭଲା ଦେଖାଇଲ ଧର୍ମଶାସ୍ତ୍ରର ପ୍ରମାଣ!

ଦୁଇ ଦେଶ ନରପତି ସାମାନ୍ୟ କାରଣେ

ମତ୍ତଭାବେ ମାତିଛନ୍ତି ଭୟଙ୍କର ରଣେ ।

 

ନିର୍ଦୟ ଭାବରେ ସେନା କସାକ ଜାପାନୀ,

ଏକକୁ ଆରେକ ବଧୁଛନ୍ତି ମହାପ୍ରାଣୀ ।

ହେ ଋଷ! ଜାପାନ! ଭୁଲିଯାଇ ଧର୍ମଶାସ୍ତ୍ର

ଧାବିତ କ୍ରୋଧରେ ହସ୍ତେ ଧରି ଅସ୍ତ୍ର ଶସ୍ତ୍ର ।

 

ଅର୍ଜନ କରିବାପାଇଁ ତୁଚ୍ଛ ଧନ ମାନ

ଭୁଲିଗଲ ଏକାବେଳେ ସ୍ୱର୍ଗୀୟ ବିଧାନ?

ଦେଉଛ ପ୍ରମାଣ ଦୁହେଁ- ପାର୍ଥିବ ବିଷୟ

ସହଜରେ କରେ ଧର୍ମବିଧି ପରାଜୟ ।

ଋଷ ତୁମ୍ଭେ ସମ୍ପୂର୍ଣ୍ଣରେ ଏଥିପାଇଁ ଦାୟୀ!

ସମର ସୂଚନା କଲ କୋରିୟାକୁ ଯାଇ

 

କେତେ ଯେ ରମଣୀ ହେଉଅଛନ୍ତି ଅନାଥ!

ହରାଡ଼ଅଛନ୍ତି କେତେ ପୁତ୍ର ପିତା ମାତା!

କେତେ ପୁତ୍ର କନ୍ୟା ହେଉଛନ୍ତି ଛେଉଣ୍ଡ!

ବିମଳ ମନରେ କାନ୍ଦୁଛନ୍ତି ମେଲି ତୁଣ୍ଡ!

 

ବୋଇଲେ କି ହେବ ଏହି ବୃତ୍ତାନ୍ତ ସକଳ,

ମହାପ୍ରଭୁ ଇଚ୍ଛା ହେବ ଅବଶ୍ୟ ସଫଳ।

 

ମୋ- ମୋହନ ବଂଶୀ

ରାଗ ବଙ୍ଗଳାଶ୍ରୀ l

ଅବସାନ ସର୍ବ            ଜୀବନ ଉତ୍ସବ

ଛାଡ଼ିଯାଇଛି ପ୍ରେୟସୀ,

 

ସମ୍ପଦେ ବିପଦେ            ମନର ଆନନ୍ଦେ

ବଜାଏ ମୋହନ ବଂଶୀ।

 

ପଡ଼ିଲେ ପ୍ରମାଦେ            ମନର ବିଷାଦେ

ନିରୋଳେ ଏକାନ୍ତେ ବସି

ଗାଏଁ ହରିନାମ,            ସ୍ମରେ ଗୁଣଗ୍ରାମ,

ବଜାଏ ମୋହନ ବଂଶୀ।

 

ଜନମି ସଂସାରେ            କି କଲି ମୁଁ ବାରେ

ନ ଭାଳି ଆପଣା ମନେ,

ଥିଲି ଉନମତ୍ତ            ଭ୍ରମି ଇତସ୍ତତ

ଚିତ୍ତ ବିତ୍ତ ଉପାର୍ଜନେ।

 

ଯାଇଛି ସମସ୍ତ,            ସୁଧାକର ଅସ୍ତ,

ଏବେ ନିଶା ଅବସାନ,

 

ଯାଏ ଏବେ ଜଣା,            ସର୍ବ ବିଡ଼ମ୍ବନା,

ସୁଖ ସ୍ୱପନ ସମାନ।

 

ଦେଖେଁ ମୁଁ ବିଚିତ୍ର            ଥିଲେ ଯେତେ ମିତ୍ର,

ସେଥିମଧୁଁ କେହି ଜଣେ

 

 

ନାହାନ୍ତି ଜଗତେ,            କେଉଁ ଦୂର ପଥେ

ଚାଲିଗଲେ କି କାରଣେ!

 

ନ ଦେଖେଁ ମୁଁ ଜଣେ      ମୋହର ଜୀବନେ

ସାନ୍ତ୍ୱନା ଦେବାର ପାଇଁ,

 

ପ୍ରାଣରୁ ଅଧିକ            ଥିଲେ ଯେ ପ୍ରେମିକ,

ସେମାନେ ଅଛନ୍ତି କାହିଁ?

 

ସର୍ବେ ସ୍ୱାର୍ଥପର,            ମୁଁ ତ ସ୍ୱତନ୍ତର

ନୁହେ ମାନବମଣ୍ଡଳେ;

 

ସ୍ୱାର୍ଥ ସାଧିବାକୁ            ଆସିଛୁଁ ଧରାକୁ,

ପାଳୁଁ ନିୟମ ସକଳେ।

 

ନିର୍ଜନେ ଏକାନ୍ତେ            ନିଶି ବା ପ୍ରଭାତେ

ହେଲେ ଚିତ୍ତ ଉଚ୍ଚାଟନ,

 

ବଂଶୀ ହସ୍ତେ ଧରି            ପ୍ରଭୁ ନାମ ସ୍ମରି

କରେଁ ସଙ୍ଗୀତ ଗାୟନ।

 

ଜୀବନମାର୍ଗରେ            ଶେଷ ମୁହୂର୍ତ୍ତରେ

କିଛିହିଁ କାମନା ନାହିଁ,

 

ହୋଇ କାର୍ଯ୍ୟଚ୍ୟୁତ            ହେଉଛି ପ୍ରସ୍ତୁତ

ପରଲୋକେ ଯିବାପାଇଁ ।

 

ସ୍ଥିର କରି ଚିତ୍ତ            ଗାଏ କେତେ ଗୀତ

କରି ଶବ୍ଦ ଗୁଣୁ ଗୁଣୁ,

 

ବଜାଏ ମୁଁ ବଂଶୀ            ଏକାନ୍ତରେ ବସି,

ଇଚ୍ଛା ନୁହେ କେହି ଶୁଣୁ।

 

ବୋଲୁଛି ଭରସି,            ଏକା ତୁହି ବଂଶୀ

ଅଟୁ ମୋ ଜୀବନସଖା,

 

ନ କରୁ ଅନିଷ୍ଟ,            ପୂରାଉ ଅଭୀଷ୍ଟ,

ନାହିଁ ତୋହଠାରୁ ଦକା!

 

ଆରେ ମୋର ବଂଶୀ !      ପରାଣ ପ୍ରେୟସୀ !

ଏତେ ମାଗୁଣି ତୋଠାରେ,

 

ଯେ କାଳେ ମୋ ପ୍ରାଣ      କରିବ ପ୍ରୟାଣ,

ପଡ଼ିଥିବୁ ମୋ ଶଯ୍ୟାରେ।

 

ଯୁଗ୍ମ କୁସୁମ

ମଙ୍ଗଳ

ଏ ସଂସାର ମହାରଣ୍ୟେ ନିକୁଞ୍ଜେ ନିଭୃତେ

ଫୁଟିଥିଲେ ଦୁଇଗୋଟି ପୁଷ୍ପ ଏକବୃନ୍ତେ ।

 

ବିଧି ବିଡ଼ମ୍ବନା କିମ୍ବା ଦୁର୍ଭାଗ୍ୟର ଫଳେ

ଗୋଟିଏ କୁସୁମ ଖସି ପଡ଼ିଗଲା ତଳେ।

 

ରହିଛି ଗୋଟିଏ ପୁଷ୍ପ ବିଶୀର୍ଣ୍ଣ ମଳିନ,

ହେଉଛି ସେ ଦିନୁଁ ଦିନୁଁ ଶୁଷ୍କ ଶୋଭାହୀନ।

 

ଦୁଇଟି କୁସୁମ ଯେବେ ଝୁଲୁଥିଲେ ଡାଳେ,

କେତେ ବା ସୌଭାଗ୍ୟ ଥିଲା ତାହାଙ୍କ କପାଳେ।

 

ନ ଥିଲା କଦାଚ ହୃଦେ କାଳିମା ବିଷାଦ,

ସଦା ପ୍ରଫୁଲ୍ଲିତ ମନ ସର୍ବଦା ଆହ୍ଲାଦ ।

 

ଧୀରେ ଧୀରେ ବହେ ଯେବେ ଶୀତଳ ପବନ,

ଦୋହଲି ଦୋହଲି ନାଚୁଥାନ୍ତି ବେନି ଜନ ।

 

ପବନ ପ୍ରତାପ କେତେ ନିଦାଘ ଉତ୍ତାପ

ଜନମାଇ ପାରେ ନାହିଁ ମନରେ ସନ୍ତାପ ।

 

ସୁଖେ ଦୁଃଖେ ସାହା ଦୁହେଁ ହୋଇ ପରସ୍ପରେ

ଜୀବନ ଯାପନ କରୁଥିଲେ ଆନନ୍ଦରେ ।

 

 

ସୁଶୀତଳ ପ୍ରାତଃକାଳ ମଳୟ ସମୀରେ

ଦୁହେଁ ତାଳେ ତାଳେ ନାଚୁଥିଲେ ଧୀରେ ଧୀରେ ।

 

ଅଇଲା ଦୂରନ୍ତ କାଳକୀଟ ବୃନ୍ତ ଭେଦି,

ଗୋଟିଏ କୁସୁମ ତହୁଁ ପକାଇଲା ଛେଦି ।

 

ଗୋଟିଏ ପଡ଼ିଲା ତଳେ ଆନଗୋଟି ଡାଳେ,

କଲେ କି ବିଧାତା! ତାଙ୍କ ବିଧାନ କପାଳେ !

 

ପୃଥିବୀ ତ ନୁହେ ସ୍ୱର୍ଗ, ସୁଖମୟ ସ୍ଥାନ !

ସୁଖ ଦୁଃଖ ବିମିଶ୍ରିତ ବିଧିର ବିଧାନ !

 

ରହିଲା ଯେ ପୁଷ୍ପଗୋଟି-ଯାବତ ଜୀବନ

ଭୂପତିତ ପୁଷ୍ପପାଇଁ କରିବି ରୋଦନ !

 

ଯେ କାଳେ ସେ ପୁଷ୍ପ ହେବ ଭୂତଳେ ପତିତ,

ଦୁଇଟି କୁସୁମ ପୁଣି ହେବେ ସମ୍ମିଳିତ ।

 

ମୁଁ

ବଙ୍ଗଳାଶ୍ରୀ

ପଦ୍ମପତ୍ର ଜଳ            ସମ ଢଳଢଳ

ମୋ ଜୀବନ ନିରନ୍ତରେ,

 

ଅମର ଭବନ            ମୋର ନିକେତନ

ଜାଣିଛି ତ ମୁଁ ମନରେ ।

 

ତେବେହେଁ ସନ୍ତତ            ଅସ୍ଥିର ଜଗତ

ମାୟାରେ ମୋହିତ ମତି,

 

ସକଳ ଅନର୍ଥ            ମୂଳୀଭୂତ ଅର୍ଥ

ଲୋଡ଼େ ଜଗତ ସମ୍ମତି।

 

କଲେହେଁ ଯତନ            ସ୍ଥିର ନୁହେ ମନ

ସର୍ବଦା ଚଞ୍ଚଳ ଚିତ୍ତ,

ତୁଚ୍ଛ ଧନପାଇଁ            ମନ ଅଛି ଧାଇଁ

ପାର୍ଥିବ ସୁଖେ ମୋହିତ ।

 

ଜନମିଛି ଜ୍ଞାନ,            ପାଇଛି ପ୍ରମାଣ,

ମୁଁ କାହାର କେ ବା ମୋର,

 

ଯାଇଛି ଯେ ଉଡ଼ି,             ନ ଆସେ ବାହୁଡ଼ି,

କିପାଁ ବିରହେ କାତର !

 

ସଂସାରପଥିକ            ମୋ ବୁଦ୍ଧିକୁ ଧିକ !

ବସି ମୁଁ ପାନ୍ଥଶାଳାରେ

 

ନିଜ ନିକେତନ            ନ କରେଁ ସ୍ମରଣ

ଭ୍ରମେ ହେଲେ ମୁଁ ତ ବାରେ ।

 

ବନ୍ଧୁ ପରିଜନ            କ୍ଷଣିକ ମିଳନ

ଯୁଗଳ କାଷ୍ଠ ସାଗରେ,

 

ନିକଟକୁ ଆସି            ଯାଏ ପୁଣି ଭାସି

ମିଳନ ନ ହୁଏ ଥରେ ।

 

ମିଳନ କାଳରେ            ଭାଳିଲି ମନରେ,

ନ ହେବ ଆଉ ବିଚ୍ଛେଦ,

 

ରହିଅଛୁ ଚାହିଁ,            ଗଲା ଚାଲି କାହିଁ

ଜନମାଇ ଚିତ୍ତେ ଖେଦ ।

 

ପରହିତ ବ୍ରତ            କିପାଇଁ ସନ୍ତତ

ପାଳିଲୁ ନାହିଁ ଯତନେ,

 

ସେଥିରୁ କେବଳ            ସୁଖ ନିରମଳ

ଭୁଞ୍ଜିଥାନ୍ତୁ ଏ ଜୀବନେ ।

 

‘କୁଟୁମ୍ବ ଗଞ୍ଜଣା            ବିଷମ ଯନ୍ତ୍ରଣା

ସହି ତୁହି ବାର ବାର,

 

ଧର୍ମକୁ ଅନାଇ             ସେଥିକି ନ ଚାହିଁ

କର ତାଙ୍କ ଉପକାର ।

 

ପ୍ରାଣପାଇଁ ଚିନ୍ତା            କିପାଁ କରେଁ ବୃଥା,

ନ ଭାଳିଲି ମୁହିଁ ବାରେ,

 

କାହା ଦତ୍ତ ଅନ୍ନ            ଭୁଞ୍ଜି ମୁଁ ଜୀବନ

ଧରି ରହିଛି ଧରାରେ ।

 

କେତେ ନିନ୍ଦାବାଦ,            କେତେ ଅବସାଦ,

କଳଙ୍କର ବୋଝ ଶିରେ,

 

କେତେରୂପ ପାପ,            କେତେ ମନସ୍ତାପ

ଭୁଞ୍ଜିଲି ଆସି ପୃଥ୍ୱୀରେ ।

 

ପାଇବାକୁ ସୁଖ            ସହିଲି ମୁଁ ଦୁଃଖ,

ସବୁ ହେଲା ବିଡ଼ମ୍ବନା,

 

ପ୍ରଭୁଙ୍କ ଚରଣ            ନେଲେ ମୁଁ ଶରଣ

ଲଭିବି ସୁଧା ସାନ୍ତ୍ୱନା ।

 

କ୍ଷଣିକ

ହର୍ଷ, ଆଶା, କ୍ଷଣିକର ପାଇଁ

ଆସି ଚିତ୍ତେ, ଚାଲିଯାଏ କାହିଁ;

 

ପ୍ରେମ ଆଣେ ମାଧୁରୀ ଜୀବନେ

ଚାଲିଯାଏ ମଧ୍ୟ ପରକ୍ଷଣେ ।

 

ଶିଥିଳ ତ ମାନବର ଜ୍ଞାନ,

ଚିରଦିନ ନ ଥାଏ ସମାନ ।

 

ହାସ୍ୟ ପଛେ ରହିଛି କ୍ରନ୍ଦନ,

ଆସି ଚାଲିଯାନ୍ତି ବନ୍ଧୁଗଣ !

 

ଉଚ୍ଚେ ହାସ୍ୟ ଲୋକ ଦେଖାପାଇଁ,

ପ୍ରକୃତ ଆନନ୍ଦ ତହିଁ କାହିଁ ?

 

ଦ୍ୱେଷ, ହିଂସା, ପର୍ବ, ଅହଙ୍କାର,

ଶ୍ମଶାନର ଚିତାଭସ୍ମସାର ।

 

ନିଶାର ସ୍ୱପନ ପରି ସର୍ବ,

ସୁଖ, ଦୁଃଖ, ଆନନ୍ଦ, ଉତ୍ସବ !

 

ସ୍ୱର୍ଗର ଦେବତା ନୁହେ ଲୋକ

ପୃଥ୍ୱୀରେ ଭୁଞ୍ଜନ୍ତି ସୁଖ ଦୁଃଖ ।

 

ମନ ଉଚ୍ଚାଟନ

ଭୈରବ-ଝୁଲା

କିପାଇଁ ହେଉଛି ମନ ଉଚ୍ଚାଟନ ଅତିଶୟ?

କିବା ନାହିଁ? କି ଯାଇଛି? ଶୂନ୍ୟ କରି ଏ ହୃଦୟ?

 

ଦେଖୁଛି ମୁଁ ଚାହିଁ ଏବେ ହୃଦୟର ଅନ୍ତଃସ୍ଥଳ,

ଅବସାଦ, ନିରାଶ୍ୱାସ ଢାଙ୍କି ରହିଛି କେବଳ !

 

ଶାନ୍ତି, ସୁଖ, ସ୍ନେହ, ପ୍ରୀତି ବିଗତ ହୋଇଛି ମନୁ,

କୁହୁଳି ହେଉଛି ମନ, ଶୁଷ୍କ ଲୋତକ ନୟନୁ ।

 

ଆହା ବୋଲିବାକୁ ସାହା କେହି ତ ମୋହର ନାହିଁ,

ଧୈର୍ଯ୍ୟ ଧରି ରହିବି ମୁଁ ଆଉ କାହା ମୁଖ ଚାହିଁ ?

 

କଠିନୁ କଠିନ ଏବେ ହେଉଛି ମୋହର ପ୍ରାଣ !

ହେଉଛି ତ ଦିନୁ ଦିନୁ ମୋହ ହୃଦୟ ପାଷାଣ !

 

ନିର୍ଦ୍ଦୟ ନିର୍ମମ ଭାବେ ଢାଙ୍କିଦେଇ ଦୁଃଖରାଶି

ଅନନ୍ତସାଗରେ କିବା ଯାଇଅଛି ଭାସି ଭାସି ।

 

ବିଷାଦ-ବିଳାପ-ଗୀତି ଗାଇବି ବିରଳେ ବସି,

ବିଗତ ଜୀବନ ଲୀଳା ହେଉଥିବ ନିତ୍ୟ ଘୋଷି ।

ସାନ୍ତ୍ୱନା, ସୌଭାଗ୍ୟ ସୁଖ ନ ଲୋଡ଼େଁ ତ ଏହା କିଛି

ଯାଉ ଚିରକାଳପାଇଁ, ଯାଉ ଯାହା ତ ଯାଇଛି !

 

ଭଣ୍ଡ ସନ୍ୟାସୀ

ଧିକ! ଧିକ! ଜଗତରେ ବହୁଳ ଜଞ୍ଜାଳ,

ଦିନେ ତ ପାରିଲି ନାହିଁ ସୁଖେ କାଟି କାଳ ।

 

ଆଉ ତ ପାରିବି ନାହିଁ ଏତେ କୋଡ଼ି ହାଣି,

ପେଟ ତ ଶୁଣିଲା ନାହିଁ ଦୁଃଖର କାହାଣୀ ।

 

କି ଉପାୟେ ସହଜରେ ପାଇବି ଆହାର?

ପରକାଳ ମାର୍ଗ ମଧ୍ୟ ହେବ ପରିଷ୍କାର?

 

ପାଇଛି ଏଥିର ତତ୍ତ୍ୱ ଶୁଣ ଗୃହବାସୀ !

କାଟିଲି ସଂସାର ମାୟା, ହେଲି ମୁଁ ସନ୍ନ୍ୟାସୀ ।

 

କରିବି ଗଞ୍ଜାଇ ସେବା- ଚୁମୁଟା ଧାରଣ,

ମୃଗଚର୍ମ ଖଣ୍ଡି ବକ୍ଷେ, ବିଭୂତି ଭୂଷଣ;

 

ଲମ୍ବାଇ ମସ୍ତକେ ଜଟା, ପିନ୍ଧିବି କୌପୀନ,

ଏ ସର୍ବ ଭୂଷଣ ଅଟେ ସନ୍ନ୍ୟାସୀର ଚିହ୍ନ ।

 

ହସ୍ତେ ଥିବ କମଣ୍ଡଳୁ କନ୍ଧେ ଦୀର୍ଘ ଝୁଲି,

ମାଗିବି ସୁଖରେ ଭିକ୍ଷା ଦ୍ୱାରେ ଦ୍ୱାରେ ବୁଲି ।

 

ବର୍ତ୍ତମାନ କେହି ଜଣେ ନ ପଚାରେ ମୋତେ,

ସାଧୁ ଦେଖି ଦଣ୍ଡବତ କରିବେ ସମସ୍ତେ ।

 

ସହିବାକୁ ହେବ ନାହିଁ ସାହୁର ଗଞ୍ଜଣା,

ଜମିଦାର ଗୋମାସ୍ତା କି ମାଗିବ ଖଜଣା?

 

ବୃକ୍ଷମୂଳେ ଧୂନି ଥାପି ଥିବି ମୁହିଁ ବସି,

ଦର୍ଶନ କରିବେ ଲୋକମାନେ ମୋତେ ଆସି ।

 

କେହି ଭକ୍ତ ଆସି ଯେବେଦେଇ ଦୁଇ ଅଣା

ଭକ୍ତିଭରେ କରିବ ମୋ ଚରଣ ବନ୍ଦନା,

ଦେବି ତାକୁ ଆଖି ବୁଜି ଦେହୁଁ ଧୂଳି ଝାଡ଼ି;

ତା ଦେହରୁ ବ୍ୟାଧି ପାପ ପଳାଇବ ଛାଡ଼ି ।

 

ସହଜେ ସରିବ ଦିନ କଲେ ଏହିରୂପ,

ମାତ୍ର ପ୍ରଭୁ ଠକ ବୋଲି କରିବେ କି କୋପ ?

 

ଲୋକେ ଭଣ୍ଡାଇବି ସତ- ପ୍ରଭୁଙ୍କୁ ଭଣ୍ଡାଇ

ବସିବି କି ଇହ ପର ବେନି କୁଳ ଖାଇ ?

 

ଯାଉ ସବୁ ସେ କଥାରେ ଦେବି ନାହିଁ ମନ,

ପ୍ରାଣ ଦେଇଛନ୍ତି ଦେବେ ନାହିଁ କି ସେ ଅନ୍ନ?

 

ସୁଖ ଦୁଃଖର ପରିଣାମ

ମଙ୍ଗଳ

ଉପରକୁ ଦୃଷ୍ଟି ଯାଏ ଦୁଃଖ ସମୟରେ

ସୁଖ ସମୟରେ ଦୃଷ୍ଟି ପଡ଼ଇ ନିମ୍ନରେ ।

 

ସୁଖିମନ ବ୍ୟାପ୍ତ ଥାଏ ଜଗତ ସଂସାରେ,

ଦୁଃଖିଚିତ୍ତ ନିରନ୍ତରେ ଥାଏ ପ୍ରଭୁଠାରେ ।

 

ଐଶ୍ୱର୍ଯ୍ୟ ବିଳାସେ ଯେବେ ଥାଉଁ ଉନମତ୍ତ,

ଗର୍ବ, ଅଭିମାନେ ଥାଏ ମସ୍ତକ ଉନ୍ନତ ।

 

ଜରାଜୀର୍ଣ୍ଣ ଅନ୍ନାଭାବେ ଶୀର୍ଣ୍ଣ କଳେବର,

ସେ କାଳରେ ଭାଳୁଁ କାହିଁ ଅଛନ୍ତି ଈଶ୍ୱର ।

 

ସବୁ ତ ଯାଉଛି ଘୂରି ସମୟ-ଚକ୍ରରେ,

ନିରନ୍ତରେ ଶୁକ୍ଳ, କୃଷ୍ଣ ପକ୍ଷ ସମାନରେ ।

 

ଉତ୍ତେଜନା ପରବର୍ତ୍ତୀ ସ୍ଥିର ଅବସାଦ,

ସେହିପରି ଅଟେ ମଧ୍ୟ ପ୍ରଣୟ, ବିବାଦ ।

 

ନିତାନ୍ତ ମାନବଗଣ ଭାଗ୍ୟର ଅଧୀନ,

ଧନ, ମାନ, ପଦ ତାଙ୍କ ଥୋକେ ଦିନ ।

 

ଏମନ୍ତ ଆସଇ ଦିନ ଯାଏ ସବୁ ସରି,

ଜଣାଯାଏ ଛାୟାଲୀଳା ଅବା ସ୍ୱପ୍ନ ପରି ।

 

ଜଗତ ଯନ୍ତ୍ରଣା ହେତୁ ଜନମିଲେ କ୍ଳାନ୍ତି,

ହେ ପ୍ରଭୁ ବୋଇଲେ ଯେହ୍ନେ ଲାଭ ହୁଏ ଶାନ୍ତି !

 

ହୃଦୟରେ ଭକ୍ତି ଜନ୍ମେ କଷ୍ଟ ସମୟରେ,

ବିତ୍ତ ତେଜି ଚିତ୍ତ ରଖୁଁ ପ୍ରଭୁଙ୍କ ପୟରେ ।

 

ନୁହେ କି ହେ ସୁଖଠାରୁ ଦୁଃଖ ହିତକର?

ଯେଉଁ ଦୁଃଖ ଲାଗି ଲାଭ ହୁଅନ୍ତି ଈଶ୍ୱର?

 

ମେଲାଣି

ମଙ୍ଗଳ

ଦେବୀ ! ପ୍ରିୟେ ! ଯାଅ ଯାଅ ଦେଉଛି ମେଲାଣି !

ମନ୍ତ୍ରର ସାଧନା ମୋର ଗୃହଠାକୁରାଣୀ ।

 

ଅନିତ୍ୟ ଭଙ୍ଗୁର ଦେହ ଅଟେ ଦୁହିଙ୍କର,

ମାତ୍ର ଦୁହିଙ୍କର ଆତ୍ମା ଅକ୍ଷୟ, ଅମର ।

 

ଅନିତ୍ୟ ପାର୍ଥିବ ମାୟା କରିଛ ମୋଚନ,

ଶିଥିଳ ହେବାର ନୁହେ ଆତ୍ମାର ବନ୍ଧନ ।

 

ତେଜିଛ ପାର୍ଥିବ ଦେହ, ଅଛି ମୁଁ ପୃଥ୍ୱୀରେ,

ପୁନଶ୍ଚ ମିଳନ ହେବି ଚିରେ ବା ଅଚିରେ ।

 

ଇହ, ପର ଦୁଇକାଳେ ଅଛୁଁ ବେନି ଜନେ,

ମାତ୍ର ତୁମ୍ଭ ପ୍ରତିରୂପ ଭାସୁଛି ନୟନେ ।

 

ତୁମ୍ଭେ ନିତ୍ୟ, ମୁହିଁ ନିତ୍ୟ, ସତ୍ୟ, ଅବିନାଶୀ,

ଅନନ୍ତ ସ୍ରୋତରେ ଯାଉଅଛୁଁ ଭାସି ଭାସି ।

ଜ୍ୟୋତିର୍ମୟରୂପୀ ଆତ୍ମା ମହାନ ମିଳନ,

କେ ଭାଙ୍ଗିବ କେ କରିବ ଅଚ୍ଛେଦ୍ୟ ଛେଦନ?

 

କଳ୍ପନା ଅତୀତ କାଳ ଗଗନ ପ୍ରାଙ୍ଗଣେ,

ଉଜ୍ଜ୍ୱଳ ନକ୍ଷତ୍ରରୂପେ ଥିବୁଁ ଦୁଇ ଜଣେ ।

 

କେବେ ଦୂରେ, କେବେ ପାଖେ, ବିଚ୍ଛିନ୍ନ ମିଳିତ,

ବେନି କକ୍ଷେ ବେନି ଗ୍ରହ ଯଥା ବିଘୂର୍ଣ୍ଣିତ ।

 

ଅନନ୍ତ ଅନନ୍ତ କାଳ ଯାଇଅଛି ବହି,

କାଳାତୀତ କାଳଯାଏଁ ଥିବୁଁ ପୁଣି ରହି ।

 

ଆତ୍ମାରେ ଜଡ଼ିତ ଆତ୍ମା, ମନେ ଲଗ୍ନ ମନ,

ହୃଦୟେ ହୃଦୟେ ମେଳ ଦୁଶ୍ଛେଦ୍ୟ ବନ୍ଧନ ।

 

ବିନଷ୍ଟ ତ ହୋଇ ନାହିଁ, ଯାଇଛ ଆଗରେ,

ମହାକାଳସ୍ରୋତ ଭେଦି ତିମିର ମାର୍ଗରେ ।

 

ଯାଉଛି ପଛରେ ପ୍ରିୟେ! କରନ୍ତୁ ଅପେକ୍ଷା,

ସେ ଅମୃତମୟ ଧାମେ ପୁଣି ହେବ ଦେଖା l

 

ଦିବା ନିଶି ବ୍ୟାକୁଳିତ ହୁଏ ତୁମ୍ଭ ପାଇଁ,

ତୁମ୍ଭେ କି ରହିଛ ପ୍ରିୟେ, ମୋତେ ବାଟ ଚାହିଁ ?

 

କବିର ସାନ୍ତ୍ୱନା

ଅଂଶାବରୀ

ସତ୍ୟକଥା, ଘରେ ମୋର ଧନ ପୂର୍ଣ୍ଣ ନାହିଁ,

ଅଶକ୍ତ ମୁଁ ପ୍ରୟୋଜନ ସାଧିବାର ପାଇଁ ।

 

ଲୋକେ ମଧ୍ୟ ନ କରନ୍ତି ସେପରି ସମ୍ମାନ,

କେ କରେ ବିଦ୍ରୂପ କେ ବା କରେ ଅପମାନ ।

 

ନ ଥାଉ ମୋହର କିଛି ପାର୍ଥିବ ସମ୍ପତ୍ତି,

ସ୍ୱର୍ଗୀୟ ପଦାର୍ଥ ଦେଇଛନ୍ତି ବିଶ୍ୱପତି ।

 

କଳ୍ପନା ରାଜ୍ୟରେ କରେଁ ଯେବେ ମୁଁ ଭ୍ରମଣ,

ଅନୁଭବେଁ ଜଗତର ସର୍ବ ତୁଚ୍ଛ ଧନ ।

 

ଯେତକ ପ୍ରକାର ଅଛି ଜଗତ ଯନ୍ତ୍ରଣା,

ତୁଚ୍ଛ ବସ୍ତୁ ପରି ସବୁ ଯାଏ ମୋତେ ଜଣା

 

ଭାସି ଭାସି ଯାଉଥାଏଁ ଆନନ୍ଦ-ସ୍ରୋତରେ,

ପାର୍ଥିବ ସମ୍ପତ୍ତି ସୁଖ ଚାହେଁ ନାହିଁ ଥରେ ।

 

ସେବା କରୁଅଛି ବସି ମୁହିଁ ମାତୃଭାଷା,

ସାନ୍ତ୍ୱନା ଲଭଇଁ ମନେ ପୋଷି ଏହି ଆଶା।

 

ନ ହେବି କୃତଘ୍ନ ମୁହିଁ ଆହେ ବିଶ୍ୱପତି,

ଦେଇଛ ତ ମୋତେ ଅତୁଳ ସମ୍ପତ୍ତି।

 

ଜନ୍ମି କେ ବା ଛନ୍ତି କୋଟି ଭ୍ରାତା ମଧ୍ୟେ ଜଣେ,

କେବେହେଲେ କେହି ମୋତେ ପକାଇବେ ମନେ ।

 

ରଚିତ କବିତାଗୁଡ଼ି କନ୍ୟାସ୍ୱରୂପିଣୀ,

ଅନୁସରିଥାନ୍ତି ପଛେ ଚିତ୍ତବିନୋଦିନୀ ।

 

ଉତ୍କଳ ଜଗତେ ମୁହିଁ ତେଜିବି ଜୀବନ,

କରିବେ ଏ କନ୍ୟାଗୁଡ଼ି ପିତୃତରପଣ ।

 

ସ୍ୱପ୍ନଦେବୀ

ଭୂପାଳ

 

ଦିବସର କାର୍ଯ୍ୟ

କରି ସମାପତ ।

 

ବିଶ୍ରାମ ନିମନ୍ତେ

ହେଲି ଶଯ୍ୟାଗତ ।

 

ନିଦ୍ରାଦେବୀ ସର୍ବ-

ସନ୍ତାପନାଶିନୀ,

 

 

କୃପା କଲେ ମୋତେ

ବିରାମଦାୟିନୀ ।

 

ଶାନ୍ତିମୟ ଅଙ୍କେ

ହୁଅନ୍ତେ ଶୟାନ ।

 

ବିଷାଦ ଯନ୍ତ୍ରଣା

ହେଲା ଅବସାନ ।

 

ବ୍ୟାଧି ଉପସର୍ଗ

ମାନସିକ କଷ୍ଟ,

 

ନିଦ୍ରାଦେବୀ ବରେ

ହୁଏ ସବୁ ନଷ୍ଟ ।

 

ନ ଶୁଭେ ଜଗତ-

ଭୀଷଣ-ଗର୍ଜନ,

 

ତିରୋହିତ ଦେବୀ

ହୁଅନ୍ତେ ପ୍ରସନ୍ନ ।

 

ସୁଖ, ଦୁଃଖ ସର୍ବ

ମାନ, ଅପମାନ,

 

ଦେବୀଙ୍କ ପ୍ରସାଦେ

ସକଳ ସମାନ

 

ଏହି ସାମନ୍ୟନୀତି

ପାଇବାର ପାଇଁ,

 

ରହିଥାଏଁ ଦେବୀ

କୃପାକୁ ଅନାଇଁ ।

 

କଲେ କୃପା ଦେବୀ,

ହେଲି ଅଚେତନ,

 

ଏମନ୍ତ ସମୟେ

ଆସିଲେ ସ୍ୱପନ ।

 

ନ ଜାଣେ କିରୂପ

ଅବସର ପାଇ

 

ସ୍ୱପ୍ନଦେବୀ ସ୍ୱର୍ଗୁଁ

ଅଇଲେ ଓହ୍ଲାଇ ।

 

ନିବିଡ଼ ତିମିର ଭେଦି

ଧୀରେ ଧୀରେ

 

ବିଶ୍ରାମ କଲେକ

ଆସି ମୋହ ଶିରେ ।

 

ପେଟିକା ଫିଟାଇ

ସେହି ସ୍ୱପ୍ନଦେବୀ

 

ଦେଖାଇଲେ ମୋତେ

କେତେରୂପ ଛବି ।

 

ଚିତ୍ରପଟ ନେଇ

ଦେଖାଇଲେ ମୋତେ,

 

ହେଲା ତାହା ସତ୍ୟ

ସମାନ ପରତେ ।

 

କେତେ ପରିଚିତ

ଥିଲା ମୋତେ ଜଣା,

 

ଅପାର୍ଥିବ କେତେ

ଜ୍ଞାନ କରେ ବଣା ।

 

ଜୀବନ ଉଲ୍ଲାସୀ

କେତେ ମନୋହର,

 

କେତେ ବା ଦିଶଇ

ମହାଭୟଙ୍କର ।

 

କେତେ ଚିତ୍ର ଦେଖି

ଜାତ କୁତୂହଳ,

 

କେତେ ଚା ଦିଶିଲା

ତହିଁ ବିଶୃଙ୍ଖଳ ।

 

ଏ କି ଚମତ୍କାର

ଦେଖୁଛ ନୟନେ,

 

ପାସୋରି ଯାଇଛ

ଯାହାକୁ ଜୀବନେ,

 

ସେତ ସାକ୍ଷାତରେ

ଆସି ଉପସ୍ଥିତ,

 

ଧରିବାକୁ ତାକୁ

ହେଲି ମୁଁ ଧାବିତ ।

 

ଉଠି ବସିବାରୁ

ମୁହିଁ ଚେତା ପାଇ,

 

ଦେବୀ ଚିତ୍ରପଟ

ନେଲେକ ଗୋଟାଇ ।

 

ମୁହୂର୍ତ୍ତକ ମଧ୍ୟେ

କଲି ମନେ ଧାର୍ଯ୍ୟ,

 

ସ୍ୱପ୍ନଦେବୀଙ୍କର

ଏହି ସର୍ବ କାର୍ଯ୍ୟ ।

 

କୁହୁକୁନି! ସ୍ୱପ୍ନ-

ଦେବି! ବୋଲ ମୋତେ,

 

ଲଗାଇଛ ଲୀଳା

କିପାଇଁ ଜଗତେ?

 

ନିଦ୍ରା ଅବସ୍ଥାରେ

ଥିଲେ ଅଚେତନେ,

 

ତସ୍କରୀ ସମାନେ

ଆସ ଗୋ ଗୋପନେ ।

 

ଚେତା ପାଇଲେ ମୁଁ

ଯାଉଛ ପଳାଇ,

 

ତସ୍କରୀମାନଙ୍କ

ସ୍ୱଭାବଟି ଏହି ।

 

ଏଥକୁ ବିଚାର

କରେଁ ମୁଁ ଏମନ୍ତ,

 

ତୁମ୍ଭର ଉଦ୍ଦେଶ୍ୟ

ନିଶ୍ଚୟ ଅସତ ।

 

ମାତ୍ରକ ଗୋ ଦେବୀ !

ବାରେକ ସକାଶେ

 

ଉପକାର କଲ

ଆସି ମୋହ ପାଶେ ।

 

ବହୁକାଳ ଯାକୁ

ଯାଇଛି ପାସୋରି,

 

ଦେଖାଇଲ ଆଣି

ତା ରୂପ-ମାଧୁରୀ ।

 

ମୁହୂର୍ତ୍ତକ ପାଇଁ

ହେଲା ଗୋ ପରତେ,

 

ହଜିଥିଲା ନିଧି

ପାଇଲି କି ସତେ?

 

ଦେଖାଇ ପାରନ୍ତ

ଯେବେ ବାର ବାର,

 

ମାନନ୍ତି ତୁମ୍ଭର

ବଡ଼ ଉପକାର ।

 

ଯାହାହେଉ ଥରେ

ଦେଖାଇଛ ଆଣି,

 

ମେଲାଣି ଦେଉଛି,

ଯାଅ ଠାକୁରାଣୀ !

 

ହତଭାଗ୍ୟ ମୁହିଁ

ପ୍ରାଣ ବିଡ଼ମ୍ବିତ,

 

ସୁସୁପ୍ତିର କୋଳୁଁ

ନ କର ବଞ୍ଚିତ ।

 

ନିଦ୍ରାଦେବୀ କନ୍ୟା

ନିଶା-ସହଚରୀ !

 

ନ ଆସେ ମୋ ପାଶେ

କର ଯୋଡ଼ିକରି

 

ବୋଲୁଛି, ଏତେକ

କୃପା କର ମୋତେ,

 

ନିଦ୍ରାଦେବୀ କୋଳେ

ରହେଁ ମୁଁ ନିଶ୍ଚିନ୍ତେ ।

 

ଶାନ୍ତିଃ ଶାନ୍ତିଃ ଶାନ୍ତିଃ

ଆଶାବରୀ

ପ୍ରାଣେଶ୍ୱର ! ଜଗଦୀଶ! ପ୍ରଭୋ ! ଭଗବାନ !

ହୋଇଛି ମୋ ଜୀବନର ଦିବା ଅବସାନ ।

 

ମୋ ଜୀବନ ସୁଖ-ସୂର୍ଯ୍ୟ ଯାଉଛି ତ ବୁଡ଼ି,

ଚତୁଦିଗୁଁ ଘୋଟି ଆସେ ତିମିର କୁହୁଡ଼ି ।

 

ନିଭିଅଛି, ନିଭି ଯାଉ, ସୁଖର ଆଲୋକ,

ଜଳି ଉଠୁ ହୃଦେ ଦିନ-ଚୈତନ୍ୟ-ପାବକ ।

 

ସଂସାର ସୌଭାଗ୍ୟ ସୁଖ ହୋଇଛି ଅତୀତ,

ଗାଏଁ କେତେଦିନ ବସି ବିଷାଦର ଗୀତ ।

 

ମହାପ୍ରଭୋ! ମହାପ୍ରଭୋ! ଆସ ମୋ ହୃଦୟେ,

ଆସକ୍ତ ନ ହେଉ ମନ ସଂସାର ବିଷୟେ ।

 

ଛିଡ଼ିଯାଉ ହୃଦୟରୁ ମାୟାର ବନ୍ଧନ,

ରହନ୍ତୁ ଦୂରରେ ଜ୍ଞାତି ପରିଜନ ।

 

ପ୍ରଭୋ! ମୋର ଭକ୍ତି ଥିଲେ ତୁମ୍ଭ ଶ୍ରୀଚରଣେ,

ରଖନ୍ତୁ କୁଶଳେ ସେହି ପ୍ରିୟ ପରିଜନେ ।

 

ମହାପ୍ରଭୋ! ତୁମ୍ଭ ପାଦେ ଥାଉ ତାଙ୍କ ମତି,

ହେଉନ୍ତୁ ଧାର୍ମିକ ସାଧୁ, ଭୁଞ୍ଜନ୍ତୁ ସମ୍ପତ୍ତି ।

 

ଅକୃତଜ୍ଞ, ହୀନବୁଦ୍ଧି ମୁହଁଟି ନିଶ୍ଚୟ,

କେବେ କେବେ କରେଁ ତୁମ୍ଭ ସ୍ୱତ୍ତାରେ ସଂଶୟ।

 

ଦେଖିଛ ଜୀବନେ ବହୁ ଥର ତୁମ୍ଭ ହସ୍ତ,

ନିର୍ବୋଧ! ନିର୍ବୋଧ! ଭୁଲିଯାଏଁ ସେ ସମସ୍ତ।

 

ରଖିଛ ଜୀବନ, ରକ୍ଷା କରିବ ନିଶ୍ଚୟ,

ବିଶ୍ୱପତି ରକ୍ଷାକାରୀ, କାହାକୁ ମୋ ଭୟ।

 

 

ରଖିଛନ୍ତି ପିତା ମୋତେ ଜଗତ ସଂସାରେ,

ପରକାଳେ ମିଳିବି ମୁଁ ଯାଇଁ ତାଙ୍କଠାରେ।

 

ଅଛି ଦୂରେ, ଯିବି ପାଶେ, ସୌଭାଗ୍ୟ ମହାନ,

ଯିବି ଯେତେବେଳେ ପିତା କରିବେ ଆହ୍ୱାନ।

 

ରହିବାକୁ କ୍ଷଣେ ମୋର ନ ଥିବ ଆୟତ୍ତ,

ରହିବାକୁ ବା ଯିବାକୁ କିପାଁ ହେବି ବ୍ୟସ୍ତ?

 

ପାପ-ପଙ୍କେ କଳଙ୍କିତ ମୋହର ଜୀବନ,

ଅନୁତାପନଳେ ହେଉ ତାହା ସଂଶୋଧନ।

 

ଦାରିଦ୍ର୍ୟ ଯନ୍ତ୍ରଣା ଦୁଃଖ ଆସୁ, ଚିନ୍ତା ନାହିଁ,

ପ୍ରସ୍ତୁତ ରହିଛି ସର୍ବ ସହିବାର ପାଇଁ।

 

ସୁଖ ଆଶେ ବା ଉଲ୍ଲାସେ ଭୁଲୁ ନାହିଁ ମନ,

ନିରନ୍ତରେ ଦେଖୁଛି ତ ସ୍ୱର୍ଗର ସ୍ୱପନ।

 

ସେହି ସ୍ୱର୍ଗରାଜ୍ୟ ମୋର ଶାନ୍ତିନିକେତନ,

ଯାଇଛନ୍ତି, ତହିଁ ଛନ୍ତି, ମୋର ପ୍ରିୟଜନ।

 

ସ୍ୱର୍ଗ! ସ୍ୱର୍ଗ! ସେ ଯେ ଅଟେ ଦେବତାନିବାସ,

କି ସାହାସେ ଲୋଡ଼େ ତହିଁ କରିବାକୁ ବାସ?

 

ସତ୍ୟ, କରି ନାହିଁ ପୁଣ୍ୟ ଅର୍ଜନ ସେପରି,

ଅବଶ୍ୟ ଅବଶ୍ୟ ଯିବି ପ୍ରଭୁ ନାମ ଧରି।

 

ଯେତେ ଦିନୁ କରିଅଛି ପ୍ରଭୁଙ୍କୁ ଭରସା,

ଘୁଞ୍ଚି ଯେ ଯାଉଛି ମୋର ସମସ୍ତ ଦୁର୍ଦଶା।

 

ହତାଶ ଯନ୍ତ୍ରଣା ଜାଳା ସହି ନିରନ୍ତରେ

ଶରଣ ନେଇଛି ମହାପ୍ରଭୁଙ୍କ ପୟରେ।

 

ସ୍ୱର୍ଗର ସ୍ୱପନେ ଅଛି ସଦା ଉନମତ୍ତ,

ପରକାଳ ପରିଣାମ ଜାଣୁଛି ସନ୍ତତ ।

 

ହେ ପ୍ରଭୋ! ମୋହର କେହି ନାହିଁ ଜଗତରେ,

ତୁମ୍ଭେ ମୋର ମୁଁ ତୁମ୍ଭର ସମ୍ପୂର୍ଣ୍ଣ ରୂପରେ ।

 

ଆସୁ ଯେତେ ଦୁଃଖ କଷ୍ଟ ବିଷାଦ ବିଷୟ,

ବିଚଳିତ ହେବି ନାହିଁ ନିଶ୍ଚୟ ନିଶ୍ଚୟ ।

 

ଦୂର ହେଉ ମନୁ ମାୟା ମୋହ ଚିତ୍ତଭ୍ରାନ୍ତି,

ମହାପ୍ରଭୋ! ମହାପ୍ରଭୋ! ଶାନ୍ତିଃ ଶାନ୍ତିଃ ଶାନ୍ତିଃ।

 

Unknown

ପିତୃ-ତର୍ପଣ

ମଙ୍ଗଳ

‘‘ଆଗନ୍ତୁକ ମହାଭାଗା ବିଶ୍ୱେଦେବା ବରପ୍ରଦାଃ।’’

ଆଗଚ୍ଛ! ଆଗଚ୍ଛ! ମୋର ପିତୃଦେବଗଣ !

ଆପଣମାନଙ୍କ ପାଇଁ କରିବି ତର୍ପଣ।

 

ଯବାଙ୍କୁର, ତିଳପୁଷ୍ପ, ଆତପତଣ୍ଡୁଳେ

କରିବି ଭକ୍ତିରେ ପୂଜା ପିତୃଦେବକୁଳେ।

 

ଘେନିବେ କି ପୂଜା ମୋର ପିତୃଦେବଗଣ?

ମାତ୍ର ମୁଁ କରିବି ତାଙ୍କୁ ଭକ୍ତିରେ ସ୍ମରଣ।

 

ସେମାନଙ୍କ ଯୋଗେ ମୁହିଁ ପାଇଛି ଜୀବନ,

କେତେ କଷ୍ଟ ସହି କରିଅଛନ୍ତି ପାଳନ।

 

ସେ ମହାପୁରୁଷ ମୋର ପିତୃଦେବଗଣ,

ଦେଇଯାଇଛନ୍ତି ତାଙ୍କ ଉପାର୍ଜିତ ଧନ ।

 

ତାଙ୍କ ଧନମାନେ ମୁହିଁ ଉତ୍ତରାଧିକାରୀ,

ତାହାଙ୍କ ଯତ୍ନରେ ହୋଇଅଛି ଗୁଣଧାରୀ।

 

ରୋମାଞ୍ଚିତ ହେଉଛି ତ ସ୍ମରି ତାଙ୍କ ଗୁଣ,

ଶୁଝଟ ହେବାର ନୁହେ ସେହି ପିତୃଋଣ ।

 

ସ୍ନେହ, ମାୟା, ଦୟା ଦେଇ ପିତୃହୃଦୟରେ

ପାଳନ କରନ୍ତି ପ୍ରଭୁ ଶିଶୁ ଜଗତରେ ।

 

ଜନକ, ଜନନୀ ପଦେ ନାହିଁ ଯାର ଭକ୍ତି,

ନିର୍ବୋଧ, ପାଷଣ୍ଡ ସେହି ବର୍ବର ଦୁର୍ମତି।।

 

ଯେ ପାମର ଦିଏ ପିତା ମାତାଙ୍କୁ ଯନ୍ତ୍ରଣା,

କି କରି ନ ପାରେ ସେହି ପାପୀ ନୀଚମନା!

 

ସ୍ୱର୍ଗେ ଛନ୍ତି ପିତା ମାତା ଏବେ ଭକ୍ତିଭରେ

ନମସ୍କାର କରୁଛି ମୁଁ ତାହାଙ୍କ ପୟରେ ।

 

କେ ସୁହୃଦ ଅଛି ମାତା ପିତାଙ୍କ ସମାନ?

ସହଜେ ଦେବାକୁ ପାରେ ପୁତ୍ରପାଇଁ ପ୍ରାଣ?

 

ଘେନିଛ ଯେ ଯବାଙ୍କୁର କୁଶାକୁଶି ପାତ୍ର,

ଏ କେବଳ ବାହ୍ୟପୂଜା ଆୟୋଜନ ମାତ୍ର ।

 

ଭକ୍ତିରେ କରିବି ପିତୃଲୋକଙ୍କୁ ସ୍ମରଣ,

ଏହି ତ ମୋହର ହେଲା ପିତୃତରପଣ।

 

ପ୍ରଣତି ପ୍ରଣତି ପିତୃଦେବ ମହାଭାଗ!

ନଶ୍ୱର ପାର୍ଥିବ ଦେହ କରିଛନ୍ତି ତ୍ୟାଗ।

 

ଅମରାତ୍ମା ବିଶ୍ୱରାଜ୍ୟେ କରେ ସଞ୍ଚରଣ,

ଉଭୟ ମଧ୍ୟରେ ଅଛି ଅଲକ୍ଷ୍ୟ ବନ୍ଧନ।

 

ପିତୃଦେବଙ୍କର ମୁହିଁ ଥିଲି ଆତ୍ମାରୂପୀ,

ସମ୍ପର୍କ ଉଭୟ ମଧ୍ୟେ ଅଛି ଅବିଲୋପୀ।

 

ପବିତ୍ର ପ୍ରାର୍ଥନା ମୋର ଅଧ୍ୟାତ୍ମ୍ୟ ସୂତ୍ରରେ;

ଅବଶ୍ୟ ମିଳିବ ପିତୃଦେବ ଚରଣରେ ।

ଆତ୍ମାଦେଶବାସୀ ମୋର ପିତୃଦେବଗଣେ

ବିରାଜିତ ଦେଖୁଛି ତ ମାନସ-ନୟନେ ।

ଜଡ଼ିତ ତାଡ଼ିତ ଶକ୍ତି ଜଡ଼ ଜଗତରେ,

ଆତ୍ମାର ସମ୍ବନ୍ଧ ତେହ୍ନେ ଅଧ୍ୟାତ୍ମ ରାଜ୍ୟରେ ।

ପରଲୋକଗତ ଆତ୍ମା ମଙ୍ଗଳ କାମନା

କରିବି ଏ ମାତ୍ର ଆତ୍ମା ଉନ୍ନତି ସୂଚନା ।

 

ସନ୍ନ୍ୟାସୀ

କଳହଂସ କେଦାର

ସଂସାର ସୁଖେ ନୁହେ ଯେ ଅଭିଳାଷୀ

ସେ ବ୍ରହ୍ମ ଉପାସକ ସେହି ସନ୍ନ୍ୟାସୀ,

ଜଗତେ ତାର କିଛି ନାହିଁ କାମନା,

କେବଳ ପରବ୍ରହ୍ମେ ନିତ୍ୟ ଭାବନା।

 

ତାହାର କେହି ନାହିଁ ବିଶ୍ୱ ସଂସାରେ,

ସର୍ବ ସମ୍ପତ୍ତି ସୁଖ ତୁଚ୍ଛ ତାଠାରେ,

କ୍ଷୁଦ୍ରେ କ୍ଷୁଧିତ ନୁହେ ତାହାର ପ୍ରାଣ,

ବିଶ୍ୱ ବ୍ରହ୍ମାଣ୍ଡ କରେ ଆପଣା ଜ୍ଞାନ ।

 

ନାହିଁ ବାସନା ବାସ ଦିବ୍ୟ ଭବନ,

ସୁଖରେ କରେ ପୃଥ୍ୱୀ ମଧ୍ୟେ ଭ୍ରମଣ,

ବିଶେଷ ନାହିଁ ତାର ବନ୍ଧୁ ବାନ୍ଧବ,

ଜ୍ଞାତି, କୁଟୁମ୍ବ, ବନ୍ଧୁ ସର୍ବ ମାନବ ।

 

ତାହାର ନାହିଁ ଧର୍ମ ଅଧର୍ମ ଜ୍ଞାନ,

ସମ୍ପଦ ବିପଦକୁ ମଣେ ସମାନ,

ତା ପ୍ରତି ଯାହା କିଛି ହୁଏ ଘଟଣା,

ପ୍ରଭୁଙ୍କ ଦତ୍ତ ବୋଲି କରେ କଳ୍ପଣା।

 

ନ ଲୋଡ଼େ ସେହି ମୃତ୍ୟୁ ଅବା ଜୀବନ,

କେବଳ ବିଭୁ ଆଜ୍ଞା କରେ ପାଳନ,

ଉଦର ଭରଣାରେ ନାହିଁ ଭାବନା,

ପ୍ରଭୁଙ୍କ ଆଦେଶକୁ କରେ କାମନା ।

 

ସେ ଜାଣେ ତା ଜନକ ଜଗତପତି,

ନିୟତ ରଖେ ତାଙ୍କ ଚରଣେ ମତି,

ଯା ଅନ୍ନଦାତା ବିଶ୍ୱ ବ୍ରହ୍ମାଣ୍ଡେଶ୍ୱର,

ଚିନ୍ତା କି ତାର ପୋଷିବାକୁ ଉଦର ।

 

ବିଶ୍ୱାସ ବିଭୁ ବିଶ୍ୱ ବ୍ରହ୍ମାଣ୍ଡମୟ,

କିପାଁ କରିବ ଭବେ କାହାକୁ ଭୟ?

ବିଶେଷେ ବୁଝିଅଛି ଆପଣା ଜ୍ଞାନେ,

ତା ବିଭୁ ବର୍ତ୍ତମାନ ସକଳ ସ୍ଥାନେ ।

 

ଜଗତେ ସର୍ବ ଦ୍ରବ୍ୟ ତୁଚ୍ଛ ତାଠାରେ,

ସଁପିଛି ମନ ପ୍ରାଣ ପ୍ରଭୁସେବାରେ,

ହୃଦୟେ ବୁଝିଅଛି ତତ୍ତ୍ୱ ଯଥାର୍ଥ,

ବିଶ୍ୱ ବ୍ରହ୍ମାଣ୍ଡେ ସାର ବ୍ରହ୍ମ ପଦାର୍ଥ।

 

ସରିତେ ସଲିଳ ତ ଅଛି ସଞ୍ଚିତ,

କେ କରିପାରେ ତାକୁ ତହୁଁ ବଞ୍ଚିତ?

ଶୀତଳ ଅନିଳ ଯେ ତାହା ସକାଶେ,

ଦିଅନ୍ତି ଜ୍ୟୋତି ଚନ୍ଦ୍ର ସୂର୍ଯ୍ୟ ଆକାଶେ।

 

୧୦

ଅନନ୍ତ କୋଟି ପ୍ରାଣୀ ଲଭନ୍ତି ଅନ୍ନ,

ରକ୍ଷା କି ନ ପାଇବ ତାହା ଜୀବନ?

କରନ୍ତି ନାହିଁ ପଶୁ ପକ୍ଷୀଏ ଚାଷ,

କାହିଁକି ରହିଅଛି କେ ଉପବାସ?

 

୧୧

ଶରୀର ରକ୍ଷାପାଇଁ ନାହିଁ ଯତନ,

ଯା ପାଏ ଆନନ୍ଦରେ କରେ ଭୋଜନ,

ଆପଣା ମନ ମଧ୍ୟେ କରିଛ ସ୍ଥିର,

ପ୍ରଭୁଙ୍କ ଦତ୍ତ ଅଟେ ଏହି ଶରୀର।

 

୧୨

ନ ଜାଣେ କ୍ଷଣସ୍ଥାୟୀ ପ୍ରୀତି ମାଧୁରୀ,

ବିଶ୍ୱ ପ୍ରେମରେ ଅଛି ତା ପ୍ରାଣ ପୂରି ।

ବନ୍ଧୁବିଚ୍ଛେଦ କଷ୍ଟ ସେ ତ ନ ଜାଣେ,

ମଣେ ହୃଦୟବନ୍ଧୁ ସେ ଭଗବାନେ ।

 

ସପ୍ତର୍ଷି

ମଙ୍ଗଳ

ଧନ୍ୟ ଧନ୍ୟ ମହାଋଷି ମହାତ୍ମା ଗୌତମ!

ଶିଖାଇ ଯାଇଛ ଜଗତକୁ ଦୟା ଧର୍ମ ।

ରାଜ, ମହାରାଜ, ପାଇ ଅତୁଳ ସମ୍ପତ୍ତି,

କଲ ତ୍ୟାଗ- ଭାଳି ଜୀବ ପରିଣାମ ଗତି ।

କିପରି ନିର୍ବାଣ ମୁକ୍ତି ପାଇବେ ମାନବେ,

ଭିକ୍ଷୁରୂପ ଧରି ତାହା ଶିଖାଇଲ ଭବେ ।

 

ପ୍ରଚାର କରିବା ପାଇଁ ଧର୍ମ ଜଗତରେ,

ଜନ୍ମିଥିଲେ ମହମ୍ମଦ ଆରବ ଦେଶରେ ।

କରିଥିଲେ ମହାଋଷି ଜଗତେ ପ୍ରଚାର-

ଏକମାତ୍ର ଅଦ୍ୱିତୀୟଈଶ ନିରାକାର।

 

ଧର୍ମ ନାମେ ନାନାରୂପ ମନ୍ଦ ଆଚରଣ

କରୁଥିଲେ ପୂର୍ବେ ଇୟୁରୋପ ବାସୀଗଣ।

ମହାଋଷି ଯିଶୁଖ୍ରୀଷ୍ଟ କଲେକ ପ୍ରକାଶ-

ଉଦ୍ଧାର ପାଇବ କର ପ୍ରଭୁଙ୍କୁ ବିଶ୍ୱାସ।

ଆମ୍ଭ ପିତା ଏକମାତ୍ର ଜଗତର ପତି,

ତାଙ୍କ ବିନା ମାନବର ନାହିଁ ଅନ୍ୟ ଗତି।

 

ସାମାନ୍ୟ ବଣିକପୁତ୍ର ମହାତ୍ମା ନାନକ!

ପଶ୍ଚମ ଭାରତେ ଥିଲ ଧର୍ମପ୍ରଚାରକ।

ଦେଖାଇ ଯାଇଛ ନିଜ ଜୀବନେ ପ୍ରମାଣ,

ଜୀବଙ୍କର ତ୍ରାଣକାରୀ ପ୍ରଭୁ ଭଗବାନ।

 

ପ୍ରଣତି ତୁମ୍ଭର ପଦେ ହେ ଶଙ୍କରାଚାର୍ଯ୍ୟ!

ଅଦ୍ୱିତୀୟ ଜଗତରେ ଅଟେ ତୁମ୍ଭ କାର୍ଯ୍ୟ ।

ଏ ଭାରତ ଥିଲା ବୌଦ୍ଧ ଧର୍ମରେ ପ୍ଳାବିତ,

ଆର୍ଯ୍ୟ ଧର୍ମ ପୁନର୍ବାର କଲ ସଂସ୍ଥାପିତ ।

 

ସମସ୍ତ ଜଗତ ବ୍ୟାପ୍ତ ମହାନ ଈଶ୍ୱରେ,

ଆବଦ୍ଧ ନୁହନ୍ତି କ୍ଷୁଦ୍ର ବସ୍ତୁ ବା ସ୍ଥାନରେ,

ହୃଦୟର ଅନ୍ତସ୍ଥଳେ ଛନ୍ତି ବିରାଜିତ,

ଏ ମହାବଚନ ଉପନିଷଦେ କଥିତ ।

ଏ ବୈଦିକ ମହାମନ୍ତ୍ର ଭାରତବର୍ଷରେ

ଶୁଣାଇଲେ ରାଜା ରାମମୋହନ ଉଚ୍ଚରେ

 

ନବଦ୍ୱୀପଚନ୍ଦ୍ର ପ୍ରଭୁ ଶଚୀଙ୍କ ନନ୍ଦନ,

ଧର୍ମପାଇଁ କରିଥିଲେ ସର୍ବ ବିସର୍ଜନ ।

କରିବାକୁ ଜଗତରେ ପାଷଣ୍ଡ ଉଦ୍ଧାର

ଆବିର୍ଭାବ ଭବ ମଧ୍ୟେ ଗୌରାଙ୍ଗବତାର ।

 

ପାନ୍ଥ

ଚକ୍ରକେଳି

ଉଠ ଉଠ ପାନ୍ଥ!

ଯାହିଛି ରାତି,

 

ପୂର୍ବେ ପ୍ରକାଶିଛି

ଅରୁଣ କାନ୍ତି ।

 

ନିଦ୍ରା ଯିବା ଆଉ

ନାହିଁ ସମୟ,

 

ଉଜ୍ଜ୍ୱଳ ବରଣେ

ଅରୁଣୋଦୟ ।

 

ଅସଂଖ୍ୟ ଅସଂଖ୍ୟ

ପଥିକ ନରେ,

 

ଚାଲି ଯାଉଛନ୍ତି

ଦେଖ ମାର୍ଗରେ ।

 

ହେ ପଥିକ ହୋଇ

ନିଦ୍ରାରେ ରତ,

 

ଶୋଇ ରହିବାକୁ

ନାହିଁ ଆୟତ୍ତ।

 

ବୋଲି ନ ପାରିବ

ହୋଇଛି କ୍ଳାନ୍ତ,

 

ଉଠି ଚାଲିବାକୁ

ହେବ ହେ ପାନ୍ଥ ।

 

ଉଠ ଉଠ ଭାଇ,

ପଥିକ ବେଶେ

 

ହେବଟି ଯିବାକୁ

ଅଜଣା ଦେଶେ ।

 

ଅତି ଦୀର୍ଘ ମାର୍ଗ

ହେବ ଯିବାକୁ,

 

ନେଇ ନ ପାରିବ

ସଙ୍ଗେ କାହାକୁ ।

 

ଚାଲିବାକୁ ହେବ

ଏକା କେବଳ,

 

ବାନ୍ଧି ରଖିଛ ତ

ମାର୍ଗ ସମ୍ବଳ?

 

ଯେ ଗୃହେ ରହିଛ

ସୁଖେ ଶୟାନ,

 

ପଡ଼ିଥିବ ତୁମ୍ଭେ

କଲେ ପ୍ରୟାଣ।

 

ଅଛ ତ ଏ ଗୃହେ

ରାତିକପାଇଁ,

 

ଏ କଥା କି ତୁମ୍ଭ

ମନରେ ନାହିଁ?

 

ନୁହେ ତ ତୁମ୍ଭର

ଆପଣା ଦେଶ,

 

ଅଛ ସିନା ଧରି

ପଥିକ ବେଶ ।

 

ଯିବ କେଉଁ ଦେଶେ

ନାହିଁ ତ ଜଣା,

 

ନ ପାରୁଛ କରି

ମନେ କରୁଣା ।

 

ମାତ୍ରକ ଯିବାକୁ

ହେବ ନିଶ୍ଚୟ,

 

ନ ଭୁଲ ନ ଭୁଲ

ଏହି ବିଷୟ ।

 

ଯେତେ ଆସୁଛନ୍ତି

ଏ ପାନ୍ଥଶାଳେ,

 

ଯାଉଛନ୍ତି ଚାଲି

ଉଠି ସଖାଳେ ।

 

ଆସିଅଛ କାହୁଁ,

ଯିବଟି କାହିଁ,

 

ଏ କଥା କିପାଇଁ

ବିଚାର ନାହିଁ?

 

ରାତିକ ସକାଶେ

ଥିଲ ଏ ସ୍ଥାନେ,

 

ବୁଝୁ ନାହିଁ ବେଳେ

ଆପଣା ଜ୍ଞାନେ ।

 

ଚାଲିବାକୁ ହେବ

ଦୁର୍ଗମ ମାର୍ଗ,

 

ଆହେ ଭାଇ ପାନ୍ଥ,

ବେଳହୁଁ ଜାଗ।

 

ଛନ୍ତି ଯେତେ ଲୋକ

ତୁମ୍ଭ ସଙ୍ଗରେ,

 

ଯିବେ ତ ସମସ୍ତେ

ଆଗ ପଛରେ ।

 

ରହିବାକୁ ନାହିଁ

କାହା ଆୟତ୍ତ,

 

ଆଗ ପଛ ହୋଇ

ଯିବେ ସମସ୍ତ ।

 

ତୁମ୍ଭ ସଙ୍ଗୀ ବୋଲି

ମଣ ଯାହାକୁ,

 

ମାର୍ଗରେ ଭେଟିବ

ନାହିଁ କାହାକୁ ।

 

ଏ ପାନ୍ଥଶାଳାଟି

ସୁନ୍ଦର ବୋଲି

 

ଆପଣାର ଜ୍ଞାନେ

ନ ଯାଅ ଭୁଲି ।

 

ଏ ପାନ୍ଥଶାଳାର

ଯେତେକ ଲୋକ,

 

କାହା ସଙ୍ଗେ ତୁମ୍ଭ

ନାହିଁ ସମ୍ପର୍କ ।

 

ଯାହାକୁ ରସିଛ

ଆପଣା ଜ୍ଞାନେ,

 

କାହିଁ ଛାଡ଼ି ଚାଲି

ଯିବେ ସେମାନେ ।

 

ସମ୍ବନ୍ଧ ରହିଛି

ରାତିକପାଇଁ,

 

ଏତେ ମାୟା ଏତେ

ମୋହ କିପାଇଁ?

 

ଯେତେ କ୍ଷଣ ଅଛ

ତାଙ୍କ ସଙ୍ଗରେ,

 

ପ୍ରେମେ କାଟ କାଳ

ମନସୁଖରେ ।

 

ଗଲା

ଛିଡ଼ିଗଲା ବୀଣା ତାର,

କେତେ ମନୋହରେ,            କେଡ଼େ ଆବେଗରେ,

ଦେଉଥିଲା ସେ ଝଙ୍କାର,

ଛିଡ଼ିଗଲା ବୀଣା ତାର ।

 

କୁସୁମ ପଡ଼ିଛି ଝଡ଼ି,

କେଡ଼େ ସୌରଭରେ,            କେଡ଼େ ସୌନ୍ଦର୍ଯ୍ୟରେ,

ଝୁଲୁଥିଲା ତାହା କଢ଼ି,

କୁସୁମ ପଡ଼ିଛି ଝଡ଼ି ।

 

ପାହିଯାଇଛି ତ ରାତି,

ନୀଳ ଆକାଶରେ,                  କେଡ଼େ ବିମଳରେ,

ଲିଭାଇ ଚାନ୍ଦିମା ଭାତି,

ପାହିଯାଇଛି ତ ରାତି ।

 

ନୀରବ ମୋହନ ବଂଶୀ,

କେମନ୍ତ ସୁସ୍ୱନ,                  ମନ ଉଚ୍ଚାଟନ,

ଶୁଣୁଥିଲି ମୁହିଁ ବସି,

ନୀରବ ମୋହନ ବଂଶୀ ।

 

ଲିଭିଗଲା ଦୀପାବଳୀ,

ପଳାଇ ଅନ୍ଧାରେ                  ଶୟନ ଆଶାରେ

ଥିଲା ଜୀବନସଙ୍ଖାଳି,

ଲିଭିଗଲା ଦୀପାବଳୀ ।

 

 

 

 

ଯାଇଛି ବସନ୍ତ ବାୟୁ,

ଶୀତଳ ହିଲ୍ଲୋଳ                  ଜୀବନ ଶୀତଳ

କରିବ କି ଆସି ଆଉ?

ଯାଇଛି ବସନ୍ତ ବାୟୁ ।

 

ପ୍ରାଣେଶ

ରାଗ-ଚିନ୍ତାକେଦାର ।

ଭାସି ଯାଉଅଛି ମୁଁ ନିତାନ୍ତ,

ଆସ ଆସ ଆହେ ପ୍ରାଣନାଥ!

ନ ଅଇଲେ ପ୍ରଭୁ,            ସରିଲା ତ ସବୁ,

ନିଶ୍ଚେଁ ହେଲି ନିରେଖ ନିତାନ୍ତ ହେ

ପ୍ରାଣେଶ!

ଦିଅ ଦିଅ ପ୍ରଭୋ! ପ୍ରେମସୁଧା,

ମେଣ୍ଟୁ ମୋ ହୃଦୟ ଦଗ୍ଧ କ୍ଷୁଧା ।

ଅରୂପ ମାଧୁରୀ            ଦେଖାଅ ହେ ହରି!

ଆଶା ପୂର୍ଣ୍ଣ ହେଉ ପ୍ରାଣ ଲୁବ୍ଧା ହେ

ପ୍ରାଣେଶ!

ମଣି ହରି ଗଲା ଫଣୀ ପରି

ପ୍ରାଣ ଆକୁଳରେ ଭ୍ରମେ ହରି!

ଜୀବ ମୃତବତ            ମରୁଛି ସନ୍ତତ,

ତୁମ୍ଭ ବିନା ବଞ୍ଚିବି କିପରି ହେ

ପ୍ରାଣେଶ!

ପ୍ରାଣନାଥ ଦିଅ ଦରଶନ,

ତୁମ୍ଭପାଇଁ ଝୁରୁଛି ନୟନ,

ହେ ଜୀବଜୀବନ            ତାରଣକାରଣ

ଦିଅ ଦିଅ ତୁମ୍ଭ ଶ୍ରୀଚରଣ ହେ

ପ୍ରାଣେଶ!

 

 

 

 

 

ସର୍ବବାଦୀ ସମ୍ମତ ନାମ l

ମଙ୍ଗଳ l

ଆହେ ମହାପ୍ରଭୋ! ବୋଲ ତୁମ୍ଭର କି ନାମ?

ସେହି ନାମେ ଡାକି ପୂର୍ଣ୍ଣ କରେଁ ମନସ୍କାମ।

 

କେହି ବା ଜିହୋବା ବୋଲେ, କେହି ବୋଲେ ଯୋବ,

ଶୈବ ବୋଲେ ଶିବ- ବିଷ୍ଣୁ ବୋଲନ୍ତି ବୈଷ୍ଣବ।

 

ଆଲ୍ଲାତାଲ୍ଲା କେହି ବୋଲେ-ଶାକ୍ତ ବୋଲେ ଶକ୍ତି,

ବ୍ରାହ୍ମ ବୋଲେ ବ୍ରହ୍ମ- ଗାଣପତ୍ୟ- ଗଣପତି ।

 

କେହି ବା ବୋଲନ୍ତି ତୁମ୍ଭ ନାମ ଲର୍ଡ଼ ଗଡ଼,

ଅସଭ୍ୟ ଭାଷାରେ ତୁମ୍ଭ ନାମ ବୋଙ୍ଗା ବଡ଼।

 

ପ୍ରକୃତ ବୋଲିବା ହେଉ ମୋତେ ଆହେ ହରି!

ତୁମ୍ଭଙ୍କୁ ଡାକିବି ମୁହିଁ କେଉଁ ନାମ ଧରି?

 

ମାତ୍ରକ ବୋଲନ୍ତି ଏହିପରି ସର୍ବବାଦୀ,

ଆଦ୍ୟନ୍ତରହିତ ତୁମ୍ଭେ ଅନନ୍ତ ଅନାଦି ।

 

ଅନ୍ତର୍ଯ୍ୟାମୀ ସର୍ବମୟ ତୁମ୍ଭେ ସର୍ବେଶ୍ୱର,

ରହିଛ ତ ନିରନ୍ତର ବ୍ୟାପ୍ତ ଚରାଚର ।

 

ଗୁଣାତୀତ, କାଳାତୀତ, ତୁମ୍ଭେ ସର୍ବାତୀତ,

ସତ୍ୟ, ନିତ୍ୟ, ଶିବ, ସର୍ବଭୂତ ଆଚ୍ଛାଦିତ ।

 

ପୂଜନୀୟ, ଅଦ୍ୱିତୀୟ, ସକଳ ଜନକ,

ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି-ସ୍ଥିତି-ସଂହାରକ ।

 

ସଂଖ୍ୟାତୀତ ସଂଖ୍ୟାତୀତ ଅଟେ ତୁମ୍ଭ ନାମ,

କେ କରି ପାରିବ ସ୍ଥିର କରି ପରିଣାମ?

 

କି ନାମେ ଭଜିବ ପାରୁ ନାହିଁ ସ୍ଥିର କରି,

ଏତିକି ଜାଣୁଛି ମୋର ସର୍ବମୟ ହରି।

ସକଳ ନାମର ମହାପ୍ରଭୋ ସୃଷ୍ଟିକାରୀ,

ଆପଣେ ସେ ହେବେ ବୋଲ କେଉଁ ନାମଧାରୀ?

 

ସାବଧାନ

ବଙ୍ଗଳାଶ୍ରୀ

ବିଗତ ଅତୀତ ହାସ୍ୟ ପରିହାସ,

ନୀରବ ପ୍ରେମ ସଙ୍ଗୀତ,

 

ଅନ୍ତ ତ ଯାବନ୍ତ ସୁଖର ବସନ୍ତ,

ତାପେ ପରାଣ ତାପିତ ।

 

ଚିତ୍ତେ ନିମଗନ ସୁଖର ସ୍ୱପନ-

ଏବେ ଜାଗ୍ରତ ଯନ୍ତ୍ରଣା,

 

ଛାଡ଼ି ଅବଶେଷେ ବନ୍ଧୁ ଦୂରଦେଶେ

ଯାଇଛି ହୋଇ ବିମନା।

 

ସୁଖର ଦିବସ ଯାଇଛି କ୍ରମଶ,

ଏବେ ଦିବା ଅବସାନ,

 

କିଛି ନ ରହିବ ତୁମ୍ଭେ ଚାଲିଯିବ,

ବେଳୁଁ ହୁଅ ସାବଧାନ ।

ପରୋପକାର

ମଙ୍ଗଳ

ପ୍ରତିଦିନ ସୂର୍ଯ୍ୟ ଦେବ ବିକାଶି କିରଣ

ପୃଥିବୀର ଅନ୍ଧକାର କରନ୍ତି ହରଣ।

 

ପ୍ରକାଶି କିରଣ ଚନ୍ଦ୍ର ତାରକା ସକଳ

ସନ୍ତାପିତ ପୃଥିବୀକୁ କରନ୍ତି ଶୀତଳ।

 

ଅନୁକ୍ଷଣ ପ୍ରବାହିତ ହୋଇ ସମୀରଣ

ପ୍ରଦାନ କରନ୍ତି ପ୍ରାଣିଗଣଙ୍କୁ ଜୀବନ।

 

 

କରିବା ନିମନ୍ତେ ପ୍ରାଣିଗଣ ତୃଷ୍ଣା ଦୂର

ଧାରଣ କରନ୍ତି ନଦୀ ସଲିଳ ପ୍ରଚୁର।

 

ନ କଲେ ବାରିଦମାଳା ଜଳ ବରଷଣ,

ପାରିବ କି କରି କେହି ଜୀବନ ଧାରଣ?

 

ବ୍ରହ୍ମାଣ୍ଡ ମଧ୍ୟରେ ଜଡ଼ ଜଗତ ସମସ୍ତ

ନିୟମେ ପାଳନ୍ତି ପରଉପକାର ବ୍ରତ ।

 

କେତେ ସାଧୁ ଲୋକ ରକ୍ଷାପାଇଁ ପରପ୍ରାଣ

ଦେଉଛନ୍ତି ଆପଣାର ପ୍ରାଣ ବଳିଦାନ ।

 

ପୃଥିବୀମଧ୍ୟରେ ଛନ୍ତି ପ୍ରାଣୀ କୋଟିଲକ୍ଷ,

ସମସ୍ତେ ତ ବଞ୍ଚିଛନ୍ତି ଦେଖୁଛ ପ୍ରତ୍ୟକ୍ଷ!

 

କୀଟ ପତଙ୍ଗାଦି ପ୍ରାଣ ରଖିଛନ୍ତି ସଞ୍ଚି,

ପଶୁ ପକ୍ଷୀ ବୃକ୍ଷ ଲତା ରହିଛନ୍ତି ବଞ୍ଚି।

 

ପର ଉପକାର ପଥେ ନ ହେଲେ ପଥିକ,

କୀଟ ପତଙ୍ଗାଦିଠାରୁ କି ହେଲ ଅଧିକ?

 

ପର ଉପକାର ବ୍ରତେ ଧରିବା ଜୀବନ

ମାନବ ଜାତିର ଅଟେ ବିଶେଷ ଲକ୍ଷଣ ।

 

ଯିଶୁ ଦେଲେ ପ୍ରାଣ ଲୋକମାନଙ୍କ ସକାଶେ,

ଗୌତମ ପାରିଲେ ନାହିଁ ରହି ଗୃହବାସେ ।

 

ପର ଉପକାରପାଇଁ ଯାହାର ଜୀବନ,

ଜଗତ ମଧ୍ୟରେ ସେହି ଲୋକ ଧନ୍ୟ ଧନ୍ୟ ।

 

ଅସ୍ଥିର ଜଗତ ମଧ୍ୟେ ସକଳ ଅସାର,

ସାର ମାତ୍ର କରିବାର ପର ଉପକାର ।

 

କ୍ରନ୍ଦନ

ଚକ୍ରକେଳି

ପ୍ରଥମରେ କରି

ଜନ୍ମ ଗ୍ରହଣ

 

କେ ଜାଣେ କିପାଁ ମୁଁ

କଲି କ୍ରନ୍ଦନ ।

 

କ୍ଷୁଧା ତୃଷ୍ଣା ଯେବେ

ଲାଗଇ ମୋତେ,

 

କଥା ଆସେ ନାହିଁ

କାନ୍ଦିଲି କେତେ ।

 

ପାଠ ପଢ଼ା ବେଳେ

ଚାଟଶାଳୀରେ

 

କାନ୍ଦିଛି ମୁଁ କେତେ

ମାଡ଼ ଗାଳିରେ ।

 

ବିଭା ବେଳେ ମୋର

ପ୍ରାଣପ୍ରେୟସୀ

 

ବାପଘରେ କେତେ

କାନ୍ଦିଲା ବସି ।

 

ଚଳାଇ ନ ପାରି

ଗୃହ ସଂସାର

 

କରିଥିଲି ପ୍ରାଣେ

କାନ୍ଦଣା ସାର ।

 

ପୋଷିଥିଲି ପକ୍ଷୀ

ଯତନେ କେତେ,

 

କନ୍ଦାଇ କନ୍ଦାଇ

ଗଲା ସେ ମୋତେ ।

 

ଯାହାଙ୍କୁ ମଣିଛି

ପ୍ରେମେ ଆପଣା,

 

ଶେଷେ ହୋଇଅଛି

ସାର କାନ୍ଦଣା ।

 

ପାପ କରି କେତେ

ଅନୁତାପରେ

 

କାନ୍ଦିଛି ତ ବସି

ମନୋଦୁଃଖରେ ।

 

କିଞ୍ଚିତରେ ଲାଭ

କରି ଚେତନ

 

ଭକ୍ତିଭରେ କେତେ

କଲି କ୍ରନ୍ଦନ ।

 

ପ୍ରିୟ ଜନେ ଗଲେ

ମୋ ପାଶୁଁ ଛାଡ଼ି,

 

କାନ୍ଦିଛି ବହୁତ

ମୁଁ ଡକାପାଡ଼ି ।

 

ଜୀବନଟାଯାକ

କଲି କ୍ରନ୍ଦନ,

 

କାନ୍ଦି କାନ୍ଦି ପୁଣି

ଯିବ ଜୀବନ ।

ଜଗତେ ଆସିଛି

କାନ୍ଦିବାପାଇଁ,

 

ନ ସାରି ମୋ କାର୍ଯ୍ୟ

ଯିବି କିପାଇଁ?

 

ଆଦିମ ନରଦମ୍ପତିର ଧର୍ମଜ୍ଞାନ

ନଳିନୀଗୌଡ଼ା

ଅନନ୍ତ ନକ୍ଷତ୍ର ଗ୍ରହ ଅନନ୍ତ ଆକାଶେ

ଜାଣନ୍ତି ସେ ପ୍ରଭୁ ସୃଷ୍ଟି କଲେ କି ସକାଶେ।

 

ପୃଥିବୀ ଗୋଟିଏ ସେହି ଗ୍ରହମଣ୍ଡଳରେ,

ଭଗବାନ ଏହା ସୃଷ୍ଟି କଲେ ପ୍ରଥମରେ।

 

ସାଗର ସରିତ ଦ୍ୱୀପ ବନ ଉପବନ

ବୃକ୍ଷ ଲତା ଆଦି ଯାହା ଯାହା ପ୍ରୟୋଜନ ।

 

ଏ ସମସ୍ତ ପଦାର୍ଥରେ ପୃଥିବୀ ମଣ୍ଡାଇ

ସୃଷ୍ଟି କଲେ ପଶୁପକ୍ଷୀ କୀଟ କୃମି ଯାଇ ।

 

ପୃଥିବୀରେ ପ୍ରୟୋଜନ ଦ୍ରବ୍ୟ ଯେ ସମସ୍ତ,

ସର୍ବ ସୃଷ୍ଟି କାର୍ଯ୍ୟ ପ୍ରଭୁ କଲେ ସମାପତ ।

 

ଭାଳିଲେ ସେ ମହାପ୍ରଭୁ ଆପଣା ମନରେ,

ସୃଜିବେ ବିଶେଷ ପ୍ରାଣୀ ପୃଥିବୀ ମଧ୍ୟରେ ।

 

କରିବ ସେ ପ୍ରାଣୀ ଏହି ପୃଥିବୀ ଶାସନ,

କରିବ ସେ ପୁଣି ତାଙ୍କ ମହିମା କୀର୍ତ୍ତନ ।

 

ଏତେକ ବିଚାରି ମହାପ୍ରଭୁ ବିଶ୍ୱପତି

ସୃଜନ କଲେଜ ଏକ ମାନବଦମ୍ପତୀ ।

 

ପୃଥିବୀ ମଧ୍ୟରେ ଯେତେ ଛନ୍ତି ସୃଷ୍ଟ ପ୍ରାଣୀ,

ସମସ୍ତଙ୍କ ଦେହୁଁ ଶ୍ରେଷ୍ଠ ସାର ଅଂଶ ଆଣି,

କରିଥିଲେ ପ୍ରଭୁ ନରଦମ୍ପତୀ ସୃଜନ,

ପୁଣି ତାଙ୍କୁ ଜ୍ଞାନ ଦେବା ହେଲା ପ୍ରୟୋଜନ।

 

ସେ କାଳରେ ମହାପ୍ରଭୁ ଭାଳିଲେ ମନରେ,

ଯେତେ ରୂପ ପ୍ରାଣୀ ଥିଲେ ପୃଥିବୀ ମଧ୍ୟରେ ।

 

ସିଂହ, ବ୍ୟାଘ୍ର, ସର୍ପ, ମୃଗ, ଭଲ୍ଲୁକ, ମର୍କଟ,

ଶୃଗାଳ, ଛାଗଳ, ମେଷ, ଉଲୂକ, କର୍କଟ,

 

ଗର୍ଦଭ, ଗଣ୍ଡାର, ଶ୍ୟେନ, ଶାରୀ, ଚକ୍ରବାକ,

କୁକ୍କୁର, ବିରାଡ଼ି, ମୂଷା, ଛୁଚା, ଚିଲ୍ଲ, କାକ,

ଇତ୍ୟାଦି ଯେତେକ ଥିଲେ ପଶୁ ପକ୍ଷୀକୁଳ,

ସମସ୍ତଙ୍କ ପ୍ରକୃତିକୁ ଆଣି କଲେ ଠୁଳ ।

 

ମିଶ୍ରିତ ପ୍ରକୃତି ଆଣି ନର ହୃଦୟରେ

ନିହିତ କଲେକ ଧର୍ମଜ୍ଞାନ ସହିତରେ ।

 

ପର ପ୍ରତି ଦୟା ମାୟା ସ୍ନେହ ପ୍ରୀତି ଭକ୍ତି

ଏ ସମସ୍ତ ସ୍ୱର୍ଗ ଆଣି ଦେଲେ ବିଶ୍ୱପତି ।

 

ପାଇଲେ ମାନବ ସର୍ବ ପ୍ରାଣୀଙ୍କ ସ୍ୱଭାବ,

ବିଶେଷେ ବିବେକ ଅଧିକରେ ଧର୍ମ ଭାବ ।

ଏହିରୂପ ସୃଷ୍ଟି କରି ମାନବଦମ୍ପତୀ,

 

ଥାପିଲେ ପୃଥିବୀ ମଧ୍ୟେ ପ୍ରଭୁ ବିଶ୍ୱପତି ।

ଫଳପୁଷ୍ପପୂର୍ଣ୍ଣ ଏକ ଉଦ୍ୟାନ ମଧ୍ୟରେ

 

ସେ ନରଦମ୍ପତୀ ଉପସ୍ଥିତ ପ୍ରଥମରେ ।

ଦେଖିଲେ ସେ ବେନି ଜନ ଜଗତକୁ ଚାହିଁ,

 

ସେମାନଙ୍କ ବିନା ଅନ୍ୟ ଲୋକ କେହି ନାହିଁ ।

ଦେଖିଲେ ଚକିତ ନେତ୍ରେ ଚାହିଁ ଇତସ୍ତତ

ମନୋହର ଜଗତର ପଦାର୍ଥ ସମସ୍ତ ।

 

ସ୍ୱଭାବତଃ ହେଲା ଜାତ କ୍ଷୁଧା ତୃଷ୍ଣା କ୍ଳାନ୍ତି,

ଫଳ ଖାଇ ଜଳ ପିଇ କଲେ ଲାଭ ଶାନ୍ତି ।

କିପାଁ କାହୁ ଆସିଛନ୍ତି ନାହିଁ କିଛି ଜ୍ଞାନ,

ନ ଜାଣନ୍ତି ଆତ୍ମକାର୍ଯ୍ୟକାର୍ଯ୍ୟର ବିଧାନ ।

 

ଭବିଷ୍ୟତ ତାଙ୍କ ପକ୍ଷେ ଘୋର ଅନ୍ଧକାର,

ବିଧାତା ବିଧାନ କରିଛନ୍ତି ଏପ୍ରକାର ।

 

ନ ଥିଲା ପ୍ରଥମେ ମନେ ଲଜ୍ଜା ଭୟ କ୍ଳେଶ,

ନ ଥିଲା ସେ କାଳେ ମଧ୍ୟ ଜ୍ଞାନ ହିଂସା ଦ୍ୱେଷ ।

 

ମାତ୍ରକ ନିହିତ ଥିଲା ମନେ ସର୍ବ ଭାବ,

କ୍ରମେ ବିକାଶିତ ହେଲା ସେଥିର ପ୍ରଭାବ ।

 

ଅଙ୍କୁର ଯେମନ୍ତ ହୁଏ ବୀଜରୁ ଉତ୍ପତ୍ତି,

ଲଭିଲେ ସମସ୍ତ ଭାବ ସେ ନବଦମ୍ପତୀ ।

 

ଦୁହିଙ୍କର ମୁଖ ଦୁହେଁ ଚାହିଁ ପରସ୍ପରେ

ଭ୍ରମୁଥାନ୍ତି ଶୂନ୍ୟ ମନେ ପୃଥିବୀ ମଧ୍ୟରେ ।

 

ଭ୍ରମଣ କରନ୍ତି ଦୁହେଁ ଉଲଙ୍ଗ ଦେହରେ,

ଲଜ୍ଜା ବା ବିକାର ମନେ ନାହିଁ କିଞ୍ଚିତରେ ।

 

ଦିବା ଅବସାନ ଦିବାଙ୍କର ଗଲେ ଅସ୍ତ,

ଏହା ଦେଖି ବେନିଜନ ହେଲେ ମହାବ୍ୟସ୍ତ ।

 

କ୍ରମଶ ଆସନ୍ତେ ଘୋଟି ଘୋର ଅନ୍ଧକାର,

ସେମାନଙ୍କ ମନେ ହେଲା ଭୟର ସଞ୍ଚାର ।

 

କ୍ଳାନ୍ତି ଜନ୍ମିଥିଲା କରି ଦିବସେ ଭ୍ରମଣ,

ଭୂମିତଳେ ପଡ଼ିଯାଇ ହେଲେ ଅଚେତନ।

 

ରାତି ଗଲା ପାହି ରାବ କଲେ ପକ୍ଷିଗଣ,

ବସିଲେ ଯେ ଉଠି ଚେତା ପାଇ ବେନିଜନ।

 

ହୋଇଛନ୍ତି ପୂର୍ବଦିଗେ ତପନ ଉଦିତ,

ସେ ଆଲୋକ ଦେଖି ହେଲେ ଉଭୟେ ଚକିତ।

ଏହି ରୂପେ ଦେଖି ନିତ୍ୟ ତପନ ଉଦୟ

ଉତ୍ତେଜିତ ହେଲା ତାଙ୍କ ଜ୍ଞାନ ଭକ୍ତି ଭୟ।

 

ସୂର୍ଯ୍ୟ ଉଦୟାସ୍ତ ଦେଖି ଜନମିଲା ଜ୍ଞାନ,

ଏହି ଦେବ ଜଗତର ପ୍ରଭୁ ଭଗବାନ ।

 

ଜ୍ଞାନ କଲେ ଏହି ମହାପ୍ରଭୁ ଦିବାକର

ଅଟନ୍ତି ଜଗତକର୍ତ୍ତା ପରମଈଶ୍ୱର ।

 

ଚକିତ ନେତ୍ରରେ ଥାନ୍ତି ତାହାଙ୍କୁ ଅନାଇ,

କିରଣ ପ୍ରଭାବେ କିନ୍ତୁ ନ ପାରିଲେ ଚାହିଁ ।

 

ସେ ନରଦମ୍ପତୀ ଭକ୍ତି ଭାବେ ବାରମ୍ବାର

କର ଯୋଡ଼ି କଲେ ନତଶିରେ ନମସ୍କାର ।

 

ଏ ଅନ୍ତେ ଉଦୟ ହେଲା ବାରିଦ ଆକାଶେ,

ବିଦ୍ୟୁ ବଜ୍ର ଦେଖି ହତଜ୍ଞାନ ହେଲେ ତ୍ରାସେ ।

 

ମାତ୍ରକ ଜାଣିଲେ ହେବା ଯୋଗୁଁ ଜଳ ବୃଷ୍ଟି,

ଏହା ଯୋଗେ ପାଇଅଛି ରକ୍ଷା ସର୍ବ ସୃଷ୍ଟି ।

 

ସେ କାଳରେ ହେଲା ନରଦମ୍ପତୀଙ୍କ ଜ୍ଞାନ,

ସୃଷ୍ଟି ରକ୍ଷାକାରୀ ଇନ୍ଦ୍ର ଦେବତା ପ୍ରଧାନ ।

 

ସେ ନରଦମ୍ପତୀ ପୁଣି ଭୟ ଭକ୍ତିଭରେ

ଓଳଗି ହେଲେକ ଇନ୍ଦ୍ର ଦେବତା ପୟରେ ।

 

ଦେଖିଲେ ଅରଣ୍ୟେ ଅଗ୍ନି ଜଳି ଅକସ୍ମାତ

ମୁହୂର୍ତ୍ତ ମଧ୍ୟରେ କଲା ବନ ଭସ୍ମସାତ ।

 

ଚମକି ପଡ଼ିଲେ ଦେଖି ଅଗ୍ନିର ଉଷ୍ଣତା,

ବିଚାରିଲେ ଏହି ଦେବ ଜଗତ ଦେବତା।

 

ଚିତ୍ତ ମଧ୍ୟେ ଚିନ୍ତା କରି ଏହି ସର୍ବ କଥା

ଭକ୍ତିଭରେ ବେନିଜନେ ନୁଆଁଇଲେ ମଥା।

 

ସେ ନରଦମ୍ପତୀ ପୁଣି କଲେ ନିରୀକ୍ଷଣ,

ପ୍ରବାହିତ ପବମାନ ଜଗତଜୀବନ

 

ବିନୀତ ବଚନେ ପୁଣି ସେ ନରଦମ୍ପତୀ

ସ୍ତୁତି ପଢ଼ି ବାୟୁଦେବେ କଲେକ ପ୍ରଣତି।

 

ଜନମିଲା ଜ୍ଞାନ ତାଙ୍କ ଯାନ୍ତେ କିଛି ଦିନ,

ଯାବନ୍ତ ଜଗତ ଜଗଦୀଶଙ୍କ ଅଧୀନ।

 

ଦୂର ହେଲା ସେକାଳରେ ମନୁ ସର୍ବଭ୍ରାନ୍ତି,

ଭାଳିଲେ ସ୍ୱତନ୍ତ୍ର ଛନ୍ତି ଦେବ ଅଧିଷ୍ଠାତ୍ରୀ।

 

ଭକ୍ତିରେ ସେ ନର ନାରୀ କଲେ ଉଚ୍ଚାରଣ,

ଏକ ମାତ୍ର ଜଗଦୀଶ ଜଗତଜୀବନ।

 

ଏକ ଏବ ଅଦ୍ୱିତୀୟ ଦେବ ବିଶ୍ୱପତେ!

ସର୍ବଶକ୍ତିମାନ ଦେବ! ନମସ୍ତେ ନମସ୍ତେ ।

 

ସନ୍ୱ୍ୟାସିନୀ

ପଞ୍ଚମ ବରାଡ଼ୀ

କିଏ ମା ତୁ ସନ୍ନ୍ୟାସିନୀ କଷାୟବସନା?

ଜଗତରେ ତୋର କିଛି ନାହିଁ କି ବାସନା?

ଜଳାଞ୍ଜଳି ଦେଇଅଛୁ ତୁ କି ଆତ୍ମସୁଖେ?

ନିୟତ ତ ବସିଥାଉ ଦେଖେଁ ମ୍ଳାନମୁଖେ ।

 

କେବେ ଶୁଣି ନାହିଁ ତୋର ହାସ୍ୟ ବା କ୍ରନ୍ଦନ,

ନିର୍ଜନରେ ଥାଉ କରି ଗମ୍ଭୀର ବଦନ ।

 

ଯତ୍ନ ଦେଖେ ନାହିଁ କେଭେ ଆହାରେ ବିହାରେ,

ଆତ୍ମବଳି ଦେଉ ସଦା ପର ଉପକାରେ ।

 

କେଡ଼େ ଧୀରେ କହୁ କଥା କେଡ଼େ ସୁମଧୁର,

ଯେ ଖାଦ୍ୟ ମିଳଇ ତୋତେ ମଣୁ ତା ପ୍ରଚୁର ।

 

ପ୍ରସ୍ତୁତ ତୁ ସହିବାକୁ ଜଗତ ଯନ୍ତ୍ରଣା,

ସମଜ୍ଞାନ ତୋ ପାଶରେ ପ୍ରଶଂସା ଗଞ୍ଜଣା।

 

ଆତ୍ମପର କିଛି ଜ୍ଞାନ ନାହିଁ ତୋହ ପାଶେ,

ନ କରୁ ତୁ କାର୍ଯ୍ୟ କିଛି ସୁଖ ଅଭିଳାଷେ ।

 

ଆକାଙ୍କ୍ଷା, ଭରସା, ଆଶା ନାହିଁ ତୋର କିଛି,

ଜଗତ ବନ୍ଧନ ସର୍ବ ଛିଡ଼ି ତ ଯାଇଛି ।

 

ଚାଲି ଯାଉଥାଉ ଦେଖେଁ ପଦନଖ ଚାହିଁ,

ଏତେ ଯେ ପଦାର୍ଥ ଅଛି କିଛି ନ ଅନାଇ ।

 

ଅଭିଳାଷ ନାହିଁ ତୋର ଜଗତ ଐଶ୍ୱର୍ଯ୍ୟ,

ବିଶେଷ କିଛିହିଁ ନାହିଁ କରିବାକୁ କାର୍ଯ୍ୟ

 

ବିଞ୍ଚି ପଡ଼ିଅଛି ପୃଷ୍ଠେ ଜଟାଯୁକ୍ତ କେଶ,

ଦେଖେ ତୋତେ ଧ୍ୟାନମଗ୍ନ ଉଦାସୀନବେଶ ।

 

ଆନନ୍ଦ ଉତ୍ସବୁ ରହିଥାଉ ଦୂରେ ଦୂରେ,

ତପୋମଗ୍ନା ତପସ୍ୱିନୀ ଅପର୍ଣ୍ଣା କି ତୁ ରେ ।

 

ନୟନ ମୁଦ୍ରିତ କରି ବସିଥାଉ ଧ୍ୟାନେ,

ଜଡ଼ପିଣ୍ଡ ବୋଲି ଜ୍ଞାନ ହୁଏ ଅନୁମାନେ ।

 

ସେକାଳରେ ଦେଖେଁ ନେତ୍ରୁ ବହି ଅଶ୍ରୁଜଳ

ସିକ୍ତ କରୁଥାଏ ଅବିରଳ ବକ୍ଷସ୍ଥଳ।

 

ଦେଖେଁ ତୋତେ କେହି ଯେବେ କରେ ଅପମାନ,

ଚାଲି ଯାଉ ନ ଶୁଣି ତା କରି ତୁଚ୍ଛ ଜ୍ଞାନ ।

 

କାହାକୁ ତୁ ବସି ଧ୍ୟାନ କରୁ ନିର୍ଜନରେ?

ମନ ପ୍ରାଣ ସମ୍ପିଛୁ କି ତାହାଙ୍କ ପୟରେ?

 

କୃତଘ୍ନ

ପଞ୍ଚମ ବରାଡ଼ୀ

ଦେଖୁଛି ତ ଧରିଅଛୁ ମାନବ ଆକାର,

ମାତ୍ର ତୋର କାର୍ଯ୍ୟ ଦେଖେଁ ଆଶ୍ଚର୍ଯ୍ୟ ପ୍ରକାର ।

 

ପଶୁଏ ପାରନ୍ତି ମଧ୍ୟ ଚିହ୍ନି ଶତ୍ରୁ ମିତ୍ର,

ମାତ୍ର ତୋର ବ୍ୟବହାର ଦେଖେଁ ମୁଁ ବିଚିତ୍ର ।

 

ଯେଉଁ ଲୋକ କରେ ତୋର ମଙ୍ଗଳକାମନା,

କେଉଁ ଜ୍ଞାନ ବଳେ ଦେଉ ତାହାକୁ ଯନ୍ତ୍ରଣା?

 

ନିୟତ ପାଇଛୁ ଯାହାଠାରୁ ଉପକାର,

ଧିକ ଧିକ! ତାହା ପ୍ରତି କରୁ ଅତ୍ୟାଚାର!

 

ପିଶାଚପ୍ରକୃତି ହୀନବୁଦ୍ଧି ତୁହି ବୋଲି,

ଉପକାରୀ ଉପକାରମାନ ଯାଉ ଭୁଲି ।

 

କରିବାର ଥାଉ ତୋର ପ୍ରତିଉପକାର,

ବୃଥା କେଉଁ ଜ୍ଞାନେ ବୋଲ କରୁ ଅତ୍ୟାଚାର?

ତୋ ଉପରେ ଦିଏ ଯେବା ସ୍ନେହ ପ୍ରୀତି ଢାଳି,

କଟୁ କଥା କହି ତୁହି ଦେଉ ତାକୁ ଗାଳି ।

 

ଏହି କି ରେ ଦୁରାଚାର ତୋର ମନୁଷ୍ୟତ୍ୱ?

ପଶୁ ମଧ୍ୟ କରିବାକୁ ନ ପାରେ ଏମନ୍ତ ।

 

ଦେଖିଛି ମୁଁ ହିଂସ୍ର ପଶୁ ମଧ୍ୟ ପୋଷମାନେ,

ସ୍ନେହ ପ୍ରୀତି ଯେବେ ତାକୁ କର ସାବଧାନେ ।

 

ପଶୁରୁ ଅଧମ ତୁହି ନିତ୍ୟନ୍ତ ନିର୍ବୋଧ,

କରିବାକୁ ଯାଉ ଉପକାରୀ ପ୍ରାଣବଧ ।

 

ପାଇଲା ପ୍ରାଣରେ କଷ୍ଟ ତୋର ଉପକାରୀ,

ନିର୍ଲଜ୍ଜ ନିଷ୍ଠୁର ପଶୁ ନ ଦେଖୁ ବିଚାରି ।

 

ଉପକାରୀ ବନ୍ଧୁ ପଡ଼ିଥିଲେ ବିପଦରେ,

ବେଳ ପାଇ ଅନିଷ୍ଟ ତୁ କରୁ ସହଜରେ ।

 

ଲୋକ ପ୍ରାଣେ କଷ୍ଟ ଦିଏ ଯେଉଁ ଅତ୍ୟାଚାରୀ,

ପକ୍ଷାନ୍ତରେ ନୁହେ କି ସେ ନରହତ୍ୟାକାରୀ?

 

ତୋର ଯେ ମଙ୍ଗଳ ପାଞ୍ଚେ କରି ପ୍ରିୟ ଜ୍ଞାନ,

କେଉଁ ଯୁକ୍ତି ବଳେ ତାର କରୁ ଅପମାନ ।

 

ବୃଥା ନ ଦିଅନ୍ତି ପଶୁ ଅନ୍ୟ ଲୋକେ କଷ୍ଟ,

ପଶୁରୁ ଅଧମ ତୁହି ଦୁରାଚାର ନଷ୍ଟ ।

 

ଯେ ଲୋକ ଜୀବନ ଦେଇ ପାଇ ତୋହପାଇଁ,

ତାହା ମନେ ଦେଉ ଦୁଃଖ, ଲାଜ ମାଡ଼େ ନାହିଁ?

 

ଉପକାରୀ ବୋଲି ବେଳେ ନ କରୁ ସମ୍ମାନ,

ପଶୁ! ପଶୁ! ଧିକ ଧିକ! ଧିକ ତୋହ ଜ୍ଞାନ!

 

ଧିକ ତୋତେ! ଧିକ ତୋତେ! ଧିକ ତୋହ ଜ୍ଞାନେ!

ନ ଦେଖେଁ ମୁଁ ପଶୁ ମଧ୍ୟ ତୋହର ସମାନେ ।

 

କବି ଏବଂ ଚିତ୍ରକର

ଚକ୍ରକେଳି

କବି ଚିତ୍ରକର            ଦୁଇଟି ଭାଇ,

ନାନା ଚିତ୍ର ଆଣି            ଦେବେ ଦେଖାଇଁ ।

 

କେ ବଡ଼ କେ ସାନ            ନାହିଁଟି ଜଣା,

ମାତ୍ରଦୁହିଙ୍କର            ଅସ୍ତ୍ର କଳ୍ପନା ।

 

କେତେକ ଦୃଷ୍ଟାନ୍ତ            ଦେଖି ଜଗତେ,

କବି ବଡ଼ ବୋଲି            ହୁଏ ପରତେ ।

 

ଜଣକ ହାତରେ            ରହିଛି ତୁଳି,

ଆନ ଜନ ହାତେ            ଲେଖନୀ କାଳି ।

 

ଦେଖାଏ ଯେ ଜଣେ      ବାହାର ଛବି,

ଅନ୍ୟ ରାଜ୍ୟ ଚିତ୍ର            ଦେଖାଏ କବି ।

 

ଜଗତରେ ଯେବେ            ନ ଥାନ୍ତେ କବି,

ପାଆନ୍ତେ କି ଲୋକ            ଉଚ୍ଚ ପଦବୀ?

 

ଅତି ନୀଚଜାତି            ପଶୁର ବଂଶ,

ବର୍ତ୍ତମାନ ଯାର            ଅଟେ ସର୍ବସ୍ୱ,

ମାନବେ ଜାଣନ୍ତି            ଭୂତ ଘଟନା,

 

ଏହା ତ କେବଳ            କବି କଳ୍ପନା ।

କେତେ ମହାବୀର            କେତେ ଧାର୍ମିକ,

 

କେତେ ମହାରାଜ            ଖ୍ୟାତ ବଣିକ,

ଭାସି ଯାଇଛନ୍ତି            କାଳସ୍ରୋତରେ,

ମାତ୍ର ଦେଖୁଅଛୁଁ            କବି ଚିତ୍ରରେ

 

ସାବିତ୍ରୀ ଆଦର୍ଶ            ସତୀ ଚରିତ,

ଏହା ତ କେବଳ            କବି ସଙ୍ଗୀତ ।

 

ଅପୂର୍ବ ଶ୍ରୀରାମ            ସୀତା କାହାଣୀ,

ବାଲ୍ମୀକି ପ୍ରସାଦେ            ପାରୁଛୁଁ ଜାଣି ।

 

କୁରୁ ପାଣ୍ଡବଙ୍କ            ଯୁଦ୍ଧ ଘଟଣା,

ଜଗତେ ଯା ସଙ୍ଗେ            ନାହିଁ ତୁଳନା,

ବହୁ କାଳ ଗତ            ହୋଇଛି ଯାଇ,

 

ଭୂତ ଅନ୍ଧକାର            ଦେଲା ଘୋଡ଼ାଇ,

କୃଷ୍ଣ ଦ୍ୱୈପାୟନ            ଲେଖନୀ ଧରି

ଦେଖାଉ ଅଛନ୍ତି            ପ୍ରତ୍ୟେକ୍ଷ ପରି ।

 

ପ୍ରକୃତିର କେତେ            ସୁନ୍ଦର ଦ୍ରବ୍ୟ,

ବିଗତ ଆତ୍ମୀୟ             କେତେ ମାନବ,

ଯାଇଛନ୍ତି ମିଶି            ପଞ୍ଚ ଭୂତରେ,

ଦେଖୁଅଛୁଁ ଚିତ୍ର            କରଙ୍କ ବରେ ।

 

କବି ଚିତ୍ରକର            ଏ ବେନି ଜନ

ଦିଅନ୍ତି ଜଗତ            ହିତେ ଜୀବନ ।

କବି ଚିତ୍ରକର            ମାନବେ ତୋଷି

ପଦବୀ ଲଭନ୍ତି            ଜଗତେ ଋଷି ।

 

କଣ କଲି?

ଆସିଥିଲି ଭବେ            ସ୍ୱରୂପ ମାନବେ

କି କାର୍ଯ୍ୟ ସାଧନ ପାଇଁ?

 

ସିଦ୍ଧ କି ସାଧନା,             ଆତ୍ମ ପ୍ରତାରଣା,

ବିଷୟ ବୁଝିଲି କାହିଁ?

 

ଅପାର ବାସନା,            ବିଫଳ କାମନା,

ତଥାପି ଧାବିତ ମନ

 

ଜୀବନ ପ୍ରବାହେ            ମହାଭୟାବହେ

ଅବିଶ୍ରାନ୍ତ ଅନୁକ୍ଷଣ।

 

କି ଉନ୍ମାଦ ବେଶେ,            କି ମୋହ ଅବେଶେ

ଭ୍ରମି ନିତ୍ୟ ଦିଶି ଦିଶି,

 

ସପନ ସମାନେ            ନିଶା ଅବସାନେ

କାଳଗର୍ଭେ ଯିବି ମିଶି।

 

କ୍ଳିଓପେଟ୍ରା

ଆଫେରିକା ପୂର୍ବ ପ୍ରାନ୍ତେ ବିଖ୍ୟାତ ନଗର,

ଲୋହିତସାଗର କୂଳେ ବିରାଜେ ମିଶିର।

 

ଐଶ୍ୱର୍ଯ୍ୟେ, ସୌନ୍ଦର୍ଯ୍ୟେ, ବୀର୍ଯ୍ୟେ, ଜ୍ଞାନଗୌରବରେ,

ସମସ୍ତ ଜଗତେ ଖ୍ୟାତ ଯୁଗ ଯୁଗାନ୍ତରେ।

 

ନୀଳାର ସଲିଳ ନୀଳ ବକ୍ଷେ ପ୍ରବାହିତ,

ଦିଏ ଢାଳ ଦେଶେ ଶସ୍ୟ ସମ୍ପତ୍ତି ଅମିତ।

 

ପ୍ରଚଣ୍ଡ ଅନଳକ୍ଷେତ୍ର ବିଖ୍ୟାତ ସାହାରା,

ତହିଁ ପୂର୍ବ ପ୍ରାନ୍ତେ ପ୍ରବାହିତ ନୀଳଧାରା।

 

ଚନ୍ଦ୍ରଗିରି ଚନ୍ଦ୍ରମାର୍ଗେ ଅଛି କିବା ଉଭା?

ନୀଳକାନ୍ତ ମୁକୁଟ କି ଶିରେ ପାଏ ଶୋଭା?

 

ବିଚିତ୍ର ପ୍ରକୃତି ଲୀଳା ଆଫେରିକା ଖଣ୍ଡେ,

ଅଗ୍ନିକ୍ଷେତ୍ର ଶୋଭେ ବେନି ଗଣ୍ଡେ ।

 

ଏକ ପାଶେ ଲତା ବୃକ୍ଷ ସମ୍ପତ୍ତି ମହାନ,

ଅନ୍ୟ ପାଶେ ଶୁଷ୍କ-ତପ୍ତ- ପ୍ରକୃତି-ଶ୍ମଶାନ।

 

ଅନନ୍ତ ପ୍ରକୃତି ଲୀଳା ଦେଖ ନିଦର୍ଶନ,

ସାହାରା ମିଶର ଏକ ଶିଳ୍ପୀର ସୃଜନ।

 

ପୁଣ୍ୟକ୍ଷେତ୍ର ଇଉରୋପ ବିରାଜେ ଉତ୍ତରେ,

ଅବତାର ଲୀଳାଭୂମି ପ୍ରାଚୀ ବିଭାଗରେ ।

 

ଇଉରୋପ ପଦତଳେ ଦୁଃଖିନୀ ଆଫ୍ରିକା,

ହୃଦୟେ ବହିଛି ମରୁଭୂମି ବିଭୀଷିକା।

* ନୀଳ ନାମକ ନଦୀ। (The Nile)

 

ଜ୍ଞାନଗୌରବରେ ନ୍ୟୂନ ପଡ଼ିଛି ପଦରେ,

ଈର୍ଷାନଳେ ଦଗ୍ଧୀଭୂତା ମରୁହୃଦୟରେ।

 

ଦୁଃଖିନୀ କଷ୍ଟରେ ଦୟାମୟ ଭଗବାନ

ସାନ୍ତ୍ୱନା ସକାଶେ କଲେ ମିଶରକୁ ଦାନ

 

ଅପୂର୍ବ ମିଶର ସୃଷ୍ଟି ନୟନରଞ୍ଜନ,

ଐଶ୍ୱର୍ଯ୍ୟ, ମହିମା ଖ୍ୟାତ ସମସ୍ତ ଭୁବନ ।

 

ଟଲେମି ଅକ୍ଷୟ କୀର୍ତ୍ତି ପିରାମିଡ଼ ସ୍ତମ୍ଭ,

ଆକାଶ ପ୍ରଦୀପ, ଦୁଇ ଆଫ୍ରିକା ଗୌରବ ।

 

ଆଭିଜାତ୍ୟେ, ଆଧିପତ୍ୟେ, ଶୌର୍ଯ୍ୟେ, ବୀର୍ଯ୍ୟେ, ବଳେ,

ମିଶର ଅଧିପ ଖ୍ୟାତ ଜଗତ-ମଣ୍ଡଳେ ।

ଅତ୍ୟାଶ୍ଚର୍ଯ୍ୟ ପରିବର୍ତ୍ତ କାଳଚକ୍ରନେମି,

ମିଶରର ଅଧିପତି ଅଯୋଗ୍ୟ ଟଲେମି ।

କାହିଁ ରାଜଦଣ୍ଡ, ଛତ୍ର, କାହିଁ ଖଡ଼୍ଗ କରେ,

ଖଡ଼୍ଗଧାରୀ ବଂଶୀଧାରୀ ପ୍ରମୋଦ ବନରେ ।(୧)

 

ନିଷ୍ଠୁରସ୍ୱଭାବା ଜ୍ୟେଷ୍ଠା ରାଜାର ନନ୍ଦିନୀ,

ବିଳାସିନୀ, ରାଜ୍ୟପ୍ରିୟା, ପତିବିଘାତିନୀ ।(୨)

 

ଟଲେମିଙ୍କୁ ରାଜ୍ୟଚ୍ୟୁତ କରି ପ୍ରଜାଗଣ

ଜ୍ୟେଷ୍ଠା କନ୍ୟା ହସ୍ତେ କଲେ ରାଜ୍ୟ ସମର୍ପଣ ।

ଟଲେମି ରୋମର ସୈନ୍ୟବଳେ ଘୋର ରଣେ (୩)

ରାଜ୍ୟଲୋଭେ ବଧ କଲେ କନ୍ୟାକୁ ଜୀବନେ ।

(୧) ମିଶିର (Egypt) ଶେଷ ଅଧିପତି ଟଲେମି ରାଜକାର୍ଯ୍ୟରେ ମନୋଯୋଗ ନ କରି ବଂଶୀବାଦନ ପୂର୍ବକ ଆମୋଦପ୍ରମୋଦ କରିବାରେ ନିଯୁକ୍ତ ହେବାରୁ ପ୍ରଜାମାନେ ତାହାଙ୍କୁ ତଡ଼ି ଦେଇଥିଲେ।

(୨) ଟଲେମିଙ୍କର ଜ୍ୟେଷ୍ଠା କନ୍ୟା ନିତାନ୍ତ ଦୁଷ୍ଟା ଓ ପତିଘାତିନୀ ଥିଲେ।

(୩) ରୋମୀୟ ସୈନ୍ୟ ସାହାଯ୍ୟରେ କନ୍ୟାକୁ ବଧ କରି ସିଂହାସନ ଆରୋହଣ କରିଥିଲେ।

 

ବସିଥିଲା ସିଂହାସନେ ପତିହନ୍ତ୍ରୀ ନାରୀ,

ଏବେ ରାଜ୍ୟେ ଅଧୀଶ୍ୱର କନ୍ୟାହତ୍ୟାକାରୀ।

 

ଘଟିଲା ଟଲେମି ଭାଗ୍ୟେ, - ଘଟେ ଅନିବାର୍ଯ୍ୟ,

ଗଲେ ଲୋକାନ୍ତରେ କନ୍ୟାହସ୍ତେ ଦେଇ ରାଜ୍ୟ।

 

ଯେ ଅଭିଭାବକ ଥିଲା ମନ୍ତ୍ରୀ ନପୁଂସକ,

ଆମିଷ ଭଣ୍ଡାରେ ଯଥା ମାର୍ଜାର ରକ୍ଷକ।

 

ମନ୍ତ୍ରୀ ରାଜ୍ୟେଶ୍ୱର କରି ଆୟତ୍ତ ସଇନୀ,

ରାଜକନ୍ୟା କ୍ଳିଓପେଟ୍ରା ଅରଣ୍ୟବାସିନୀ। (୪)

 

ରୋମର ସହାୟେ ପିତୃଦେବ ନିଦର୍ଶନେ

ବସିଲେ ରାଜାର ପୁତ୍ରୀ ରାଜସିଂହାସନେ।

 

ପଳାଇଲା ଦୁରାଚାରୀ ମନ୍ତ୍ରୀ ନପୁଂସକ,

ପାପାର୍ଜିତ ଧନ ସୁଖେ ଭୁଞ୍ଜେ କେଉଁ ଲୋକ?

 

ରାଜ୍ୟେଶ୍ୱରୀ କ୍ଳିଓପେଟ୍ରା ଟଲେମି-ନନ୍ଦିନୀ,

ଲଳନା-ଲଲାମଭୂତା ବିଶ୍ୱବିମୋହିନୀ,

 

ଯୁବତୀ, ଲାବଣ୍ୟମୟୀ, ରାଜରାଜେଶ୍ୱରୀ,

ସର୍ବାନର୍ଥମୂଳୀଭୂତା ମହାଭୟଙ୍କରୀ।

 

ସର୍ବାନର୍ଥମୂଳୀଭୂତା ମହାଭୟଙ୍କରୀ।

ଶୌର୍ଯ୍ୟେ, ବୀର୍ଯ୍ୟେ ଖ୍ୟାତ ରୋମ ଅବନୀମଣ୍ଡଳେ,

ଛାରଖାର ଭସ୍ମସାର ନାରୀରୂପାନଳେ।

 

ଇତିହାସ ଗାଏ ଯେଉଁ ବୀରଙ୍କ ମହିମା,

ରମଣୀ ସୌନ୍ଦର୍ଯ୍ୟେ ନଷ୍ଟ ସମସ୍ତ ଗାରିମା।

 

ରୂପାନଳେ ଭସ୍ମସାର ଟାର୍କୁଇନ ବଂଶ,

ସବଂଶରେ ଧ୍ୱଂସ ପ୍ରାପ୍ତ ରାବଣ ରାକ୍ଷସ।

(୪) ଟଲେମିଙ୍କ ମୃତ୍ୟୁ ସମୟରେ ତାହାଙ୍କ କନ୍ୟା କ୍ଳିଓପେଟ୍ରା ଯୁବତୀ ମାତ୍ର ଜଣେ ନପୁଂସକ ମନ୍ତ୍ରିକୁ ଅଭିଭାବକ ନିଯୁକ୍ତ କରିଥିଲେ।

 

ସୁନ୍ଦ ଉପସୁନ୍ଦ କଥା ପୁରାଣେ କଥିତ,

ହେଉଛି ଜଗତେ ପ୍ରତିଦିନ ଅଭିନୀତ ।

 

ରାଜକନ୍ୟା କ୍ଳିଓପେଟ୍ରା କିରୂପ ସୁନ୍ଦରୀ?

ଉତ୍ତର, - ‘‘ବିଶାଳ ରୋମ ଦେଲା ଧ୍ୱଂସ କରି ।’’

 

ଇତିହାସ ଗାଏ ଯେଉଁ ବୀରଙ୍କ ପ୍ରସଙ୍ଗ,

ହେଲେ ଶେଷେ ନାରୀ-ରୂପାନଳରେ ପତଙ୍ଗ।

 

ବିଖ୍ୟାତ ଯୁଗଳ ବୀର ଏଣ୍ଟାନି ସିଜାର,

ବୀରତ୍ୱ ମହିମା ବ୍ୟାପ୍ତ ସମସ୍ତ ସଂସାର ।

 

ରଣକ୍ଷେତ୍ରେ ପ୍ରକାଶିତ ମହିମା ଅଭୁତ,

ସାମାନ୍ୟ ପତଙ୍ଗ ସମ ହେଲେ ଭସ୍ମୀଭୂତ ।

 

ରଣକ୍ଷେତ୍ରେ କମାଣର ଆଗ୍ନେୟ ଗୋଲକ

ତୁଚ୍ଛ ମଣି ସ୍ଥିର ଭାବେ ଉଭା ସେ ଯୁବକ ।

 

ରମଣୀ-ଅପାଙ୍ଗଲୀଳା ବିଲୋକ ଦୃଷ୍ଟିରେ

ତୁଚ୍ଛ ତୁଳା ପରି ଉଡ଼ିଗଲେ ମହାବୀରେ ।

 

ବିନାଶର ହେତୁଭୁତ ରମଣୀ ଲାବଣ୍ୟ,

ଦୟାମୟ ବିଧି, କଲ କିପାଇଁ ସୃଜନ?

 

ଯେଉଁ ଦୀପଶିଖା ପୃଥ୍ୱୀ ଅନ୍ଧକାର ହରେ,

ଲୋଲୁପ ନିର୍ବୋଧ କୀଟବଂଶ ଦଗ୍ଧ କରେ।

 

ଶ୍ରୀଯୁକ୍ତ ରାଜା ବୈକୁଣ୍ଠନାଥ ଦେ ବାହାଦୁର

ଜନ୍ମ ମୃତ୍ୟୁ ଧର୍ମାଧୀନ ମାନବ ସକଳେ,

ଜନମି କେ ଚିର ଦିନ ଥିବ ଧରାତଳେ?

 

ପଶୁ, ପକ୍ଷୀ, ବୃକ୍ଷ, ଲତା, ମାନବ ସମସ୍ତେ

ଅବିରତେ ଭାସି ଯାଉଛନ୍ତି କାଳସ୍ରୋତେ।

 

ଧନ୍ୟ ସେ ମାନବକୁଳେ ଯାହା ଯଶରାଜି

ଲୋକହିତ ବ୍ରତେ ଥାଏ ଜଗତେ ବିରାଜି।

 

ମଲେ ଯାହା ନାମ ଜଗତ ମଧ୍ୟରେ,

ଅମର ଦେବତା ସେହି ମାନବକୁଳରେ।

 

ଲୋଡ଼ନ୍ତି ନିୟତ ଲୋକେ ଉଦର ପୋଷଣ,

ପରହିତେ ସାଧୁ କରେ ଆତ୍ମସମର୍ପଣ।

 

ହେ ରାଜା ବୈକୁଣ୍ଠନାଥ, ତୁମ୍ଭେ ହିଁ କେବଳ

ଜନ୍ମିଛ ଉତ୍କଳେ ସାଧୁ ଦୃଷ୍ଟାନ୍ତର ସ୍ଥଳ।

 

ଦେଶବାସୀ ନର ନାରୀ ମଙ୍ଗଳ କାରଣ

ଧନ ମାନ ପ୍ରାଣ ସର୍ବ କରିଛ ଅର୍ପଣ।

 

ଉତ୍କଳ ଦେଶର ହେବ ଯେପରି ଉନ୍ନତି,

ଆଜୀବନ ସେଥିପାଇଁ ହୋଇଅଛ ବ୍ରତୀ।

 

ବିଚ୍ଛିନ୍ନ ଉତ୍କଳ ଖଣ୍ଡ ହେବା ସମ୍ମିଳନ,

ନିଶ୍ଚୟ ଏଥିର ତୁମ୍ଭେ ଆଦିମ କାରଣ।

 

କରିବାକୁ ଉତ୍କଳର ଭାଷାର ଉନ୍ନତି

ଅକାତରେ ଦେଇଅଛ ବହୁତ ସମ୍ପତ୍ତି।

 

ଯେ ନାମ ଅଙ୍କିତ କଲ ପୁରାଣ ଗ୍ରନ୍ଥରେ,

ଗାଇବେ ଉତ୍କଳବାସୀ ଯୁଗ ଯୁଗାନ୍ତରେ।

 

ଆତ୍ମ ପର କିଛି ମାତ୍ର ନ କରି ବିଚାର

ଅବିଶ୍ରାନ୍ତ କରୁଅଛ ପର ଉପକାର।

 

କାଳସ୍ରୋତେ ଭାସିଗଲେ କେତେ ନରପତି,

ଥିଲା ତ ତାହାଙ୍କ ଦିନେ ବିପୁଳ ସମ୍ପତ୍ତି!

 

କାହାନ୍ତି ସେମାନେ ଅବା ସେ ସମ୍ପତ୍ତି କାହିଁ?

ଉତ୍କଳରେ ଥିବ ତୁମ୍ଭେ ଚିରଦିନପାଇଁ।

 

ନୈରାଶ୍ୟ

ମଙ୍ଗଳ

ଜୀବନର ସୁଖସୂର୍ଯ୍ୟ ହୋଇଛି ତ ଅସ୍ତ-

ନିର୍ବାଣ ଆନନ୍ଦ, ତୃପ୍ତି, ଉତ୍ସବ ସମସ୍ତ।

 

ମାଡ଼ି ଆସେ ଚତୁଦିଗୁଁ ଘୋର ଅନ୍ଧକାର,

ହାହାକାର! ହାହାକାର! ହାହାକାର ସାର!

 

ସମସ୍ତ ତାରକାଜ୍ୟୋତି, ଚନ୍ଦ୍ରମାକିରଣ

ତିରୋହିତ! ଶୂନ୍ୟମୟ ହୃଦୟଗଗନ।

 

ନୈରାଶ୍ୟପବନ ବହେ ମହାଭୟଙ୍କରେ,

ବିପଦବାରିଦ ଆଚ୍ଛାଦିତ ଗଗନରେ।

 

ପୂର୍ବେ ବା ପଶ୍ଚିମେ ଚାହେଁ, ଦକ୍ଷିଣେ, ଉତ୍ତରେ,

କାହାକୁ ତ ଦେଖୁ ନାହିଁ- ନିମ୍ନ ବା ଉର୍ଦ୍ଧ୍ୱରେ।

 

ମସ୍ତକ ଗୁଞ୍ଜିବାପାଇଁ ନାହିଁ ମାତ୍ର ସ୍ଥାନ,

ଜଣା ଯାଏ ଭୟଙ୍କର ପୃଥ୍ୱୀ ବର୍ତ୍ତମାନ।

 

ଉଚ୍ଚାଟନ, ଉଦାସୀନ, ଜୀବନ ଚଞ୍ଚଳ,

ବ୍ରହ୍ମାଣ୍ଡଟା ହେଉଅଛି ଯେହ୍ନେ ଟଳମଳ।

 

ମୁହୁର୍ମୁହୁ ଶୁଭେ ଭୟଙ୍କର ବଜ୍ରାଘାତ,

ଆସେ କରି ଦେବାପାଇଁ ମୋତେ ଧୂଳିସାତ।

 

ଆଶାବିଦ୍ୟୁତ୍ କ୍ଷଣେ କ୍ଷଣେ ପ୍ରକାଶି କେବଳ

ଝଲସାଇ ଦେଉଅଛ ନୟନ ଯୁଗଳ।

ବିଦ୍ୟୁତର ପ୍ରଭା ଯେତେବେଳେ ଯାଏ ଛାଡ଼ି,

ଶତଗୁଣେ ଅନ୍ଧକାର ଆସେ ପୁଣି ମାଡ଼ି।

 

ପ୍ରାଣ ପିଣ୍ଡ ଏବେ ହୋଇ ଯିବ ଖଣ୍ଡ ଖଣ୍ଡ,

ସମସ୍ତ ଶରୀର ହୋଇଯିବ ଲଣ୍ଡଭଣ୍ଡ।

 

ପ୍ରଳୟର ରୁଦ୍ରମାନେ ଆସୁଛନ୍ତି ଧାଇଁ,

ମୋର ମନ ପ୍ରାଣ ଗ୍ରାସ କରିବାର ପାଇଁ।

 

କ୍ରମଶଃ ବିଲୁପ୍ତ ହୋଇ ଆସେ ବାହ୍ୟ ଜ୍ଞାନ,

ପୃଥ୍ୱୀ ଯିବ ରସାତଳେ ହୁଅ ଅନୁମାନ।

 

ସହସ୍ରେକ ବଜ୍ର ଆସି ପଡ଼ିବ କି ଶିରେ,

ଧୂଳିସାର ହୋଇଯିବି ଏବେ ପୃଥିବୀରେ।

 

ବର୍ତ୍ତମାନ ଚତୁର୍ଦିଗ ଦେଖୁଛ ଅନାଇ,

ସହାୟ, ଭରସା, ଆଶା, କିଛିମାତ୍ର ନାହିଁ।

 

ଛିନ୍ନ ଭିନ୍ନ ଗ୍ରହ ତାହା ଆକାଶ ମାର୍ଗରେ,

ପଡ଼ିବେ କି ଭାଙ୍ଗି ଆସି ମୋ ମସ୍ତକରେ?

 

ଜଗତ କି ହୋଇ ଯାଇଅଛି ଛିନ୍ନ ଭିନ୍ନ?

ଆଶା ମାତ୍ର ଦେଖୁନାହିଁ ଆଶ୍ରୟର ଚିହ୍ନ।

 

ଆହା ମୋର ଭାଗ୍ୟର କି ଏଡ଼େ ବିଡ଼ମ୍ବନା!

ଘୁଣାକ୍ଷରେ ପୂର୍ବେ ମୋତେ ଥିଲା ନାହିଁ ଜଣା।

 

ସହସ୍ର ପିଶାଚ ଭୟଙ୍କର ରୂପ ଧରି

ଦଳି ଦେଉଛନ୍ତି ମୋତେ କ୍ଷୁଦ୍ର କୀଟ ପରି!

 

ଯାଉ ସବୁ, ରହିଲି ମୁଁ ଏବେ ନିଶ୍ଚିନ୍ତରେ,

ମନ ପ୍ରାଣ ସମର୍ପଣ କରି ପ୍ରଭୁ କରେ।

 

ଅଶାର ମେଲାଣି

ଭାଗବତ ବୃତ୍ତ

ଯାଇଛି କେତେକାଳ ବହି,            କି ହେବ ପୂର୍ବକଥା ବହି ।

ହୃଦୟ ମୋର ଚିନ୍ତାନଳେ            ପୋଡ଼ି ତ ଯାଉଛି ବିକଳେ।

 

ରହିଛି ଭସ୍ମ ଅବଶେଷ,            ନାହିଁ ତ ସୁଖାଲୋକଲେଶ।

ବିଳାପ କଷ୍ଟ ହାହାକାର            ଜୀବନେ କରିଛି ମୁଁ ସାର।

 

ଯାଇଛି ସୁଖ ଶାନ୍ତି, ଯାଉ,            ବାହୁଡ଼ି ନ ଲୋଡ଼ଇ ଆଉ।

ଯାଇଛି ସୁଖଭୋଜି ସଡ଼ି,            ଉଚ୍ଛିଷ୍ଟ ମାତ୍ର ଅଛି ପଡ଼ି।

 

ଆଉ ସେ ମହାକାଳ ଫଳ            ଜୀବନ ନ କରୁ ଚଞ୍ଚଳ।

କିପାଇଁ ଆଶା ଭୟେ ଭୟେ            ପ୍ରବେଶ କରୁ ମୋ ହୃଦୟେ?

ଆଣିଛୁ କି ଦ୍ରବ୍ୟ ନୂତନ            ମୋହିତ କରିବୁ ଜୀବନ?

 

ଦେଇଛି ତୋତେ ତ ମେଲାଣି,            କିପାଁ ଆସିଛୁ ଠାକୁରାଣୀ?

ନାହିଁ ତୋ ପ୍ରତି ଅନୁରାଗ,            ସ୍ୱଚ୍ଛନ୍ଦେ କଲି ପରିତ୍ୟାଗ।

 

ନୂତନ କିଛି ଉପକାର,            ଅବା ନୂତନ ସମାଚାର,

ଆସିଛୁ ଘେନି ବର୍ତ୍ତମାନ,            ଯାହା ମୁଁ କରିବି ସମ୍ମାନ।

 

ତୋତେ ମୁଁ ଭଲରୂପେ ଜାଣେ            ମେଲାଣି ଦେଲି ପୂର୍ଣ୍ଣପ୍ରାଣେ ।

ତୁମ୍ଭଙ୍କୁ ମଣି ମୁହିଁ ଦେବୀ            ଚିରଜୀବନ ଥିଲି ସେବି।

ଜାଣିଲି ଭଲରୂପେ ପରା,            ପିଶାଚୀ ଦେବୀ ରୂପାନ୍ତରା।

 

ତୁମ୍ଭଙ୍କୁ ଭଜୁ ବା ନ ଭଜୁ,            କୌଶଳେ ବାନ୍ଧ ମାୟାରଜ୍ଜୁ,

କରିବ ମାନବେ ବନ୍ଧନ,            ଜଗତେ କରୁଛ ଭ୍ରମଣ।

 

ପଡ଼ିଣ ତୁମ୍ଭର ବନ୍ଧନେ            ଭ୍ରମନ୍ତି ଲୋକେ ଅଚେତନେ।

ରଖିଛ ମାନବଙ୍କୁ ଟାଣି            ଜଗତେ ତୁମ୍ଭେ ଠାକୁରାଣୀ!

 

ଦେଉଛ ସୁଖର ଆଶ୍ୱାସ,            ମାତ୍ର ମୁଁ ନ କରେଁ ବିଶ୍ୱାସ।

ତୁମ୍ଭେ ତ ବିଶ୍ୱାସଘାତିନୀ,            ଜଗତେ ଯନ୍ତ୍ରଣାଦାୟିନୀ।

ମରେଁ ମୁଁ ପଛେ କଷ୍ଟ ପାଇ,            କିପାଇଁ ରଖିଛ ଭୁଲାଇ?

 

କପଟ ବନ୍ଧୁ ପ୍ରତାରଣା            ଯମକୁ ବଳି ଯେ ଯନ୍ତ୍ରଣା।

ଜୀବନଯାକ କଷ୍ଟ ବିତି            ବୁଝିଛି ଦେବୀ ତୁମ୍ଭ ରୀତି।

 

ତୁମ୍ଭ କୌଶଳ ଅଛି ଜଣା,            ନ କର ଆଉ ପ୍ରତାରଣା।

ଦେଇ ସକଳ ଜଳାଞ୍ଜଳି            ରହିଛି ପରକାଳ କଳି।

ମୋଠାରେ ତୁମ୍ଭର କୌଶଳ            ଜାଣିବ ଅନର୍ଥ କେବଳ।

 

ଦେଖାଉଛ ତ ସୁଖ ଛାୟା,            ନାହିଁ ମୋ ତହିଁ ପ୍ରତି ମାୟା।

ତୁମ୍ଭଠୁଁ ହେଲେ ମୁଁ ବିମୁଖ,            ଲଭିବି ପ୍ରୀତି ଶାନ୍ତି ସୁଖ।

ଇଚ୍ଛାରେ ଦେଉଛି ମେଲାଣି,            ଅନ୍ୟତ୍ର ଯାଅ ଠାକୁରାଣୀ!

ନ ଆସ ପାଶେ ପୁନର୍ବାର,            ଯାଉନ୍ତୁ ଦେବୀ! ନମସ୍କାର!

 

ମୃତ ଶିଶୁ ପୁତ୍ର ମନୋମୋହନ

ମଙ୍ଗଳ

ଆସିଥିଲା ଦେବଦୂତ ସ୍ୱର୍ଗରୁ ଓହ୍ଲାଇ,

ପଳାଇଲା ଛାଡ଼ି ପୃଥିବୀର ଗନ୍ଧ ପାଇ।

 

ଅନ୍ଧାର ମାଣିକ ଆରେ ନୟନର ଜ୍ୟୋତି!

ଜନନୀର ସାର ଧନ ହୃଦୟ ସମ୍ପତ୍ତି!

 

କେତେ ଆଶା କରିଥିଲି ଆରେ ବାପଧନ,

ହୁଅନ୍ତୁ ସ୍ଥବିର କାଳେ ଶେଷାବଲମ୍ବନ।

 

ଫୁଟିଥିଲୁ ହୃଦୟରେ ସ୍ୱର୍ଗୀୟ ସୁମନ,

ଅକାଳରେ କାଳକୀଟ କରିଛି ଦଂଶନ।

 

ଅନ୍ଧର ଲଉଡ଼ି ମୋର ଜୀବନ ସଙ୍ଖାଳି,

ଜୀବନଟା ସାରା ଯିବ ତୋହ ନାମ ଭାଳି।

 

ଚବିଶ ବରଷ କାଳ ଅଛି ବହି ଯାଇ,

ନିରନ୍ତରେ କାନ୍ଦୁଥିବି ତୋହ ନାମ ଗାଇ।

 

ଆଶା ସ୍ନେହ ପ୍ରୀତି ଯାହା ସଂସାର ବନ୍ଧନ,

ଘେନି ଯାଇଛୁ ତ ସର୍ବ ରେ ମନୋମୋହନ!

ଯାଇଥିଲେ ବାପ ଆରେ ତେଜି ମୁଁ ଜୀବନ,

କରନ୍ତୁ ପବିତ୍ରଭାବେ ମୋ ନାମେ ତର୍ପଣ।

 

ଚାଲିଗଲୁ ବାପଧନ ମୋ ହୃଦୟ-ଇନ୍ଦୁ,

ଶୁଖି ତ ଯାଇଛି ମୋ ଦେହର ରକ୍ତ ବିନ୍ଦୁ।

 

ଜ୍ୟେଷ୍ଠ ପୁତ୍ର ଥିଲୁ ମୋର ପିଣ୍ଡ ଅଧିକାରୀ,

ଆଶା ଥିଲା ତୋ ହସ୍ତରୁ ତର୍ପଣର ବାରି।

 

ନାହାନ୍ତି ତୋ ସତୀ ସାଧ୍ୱୀ ମାତା ଧରାତଳେ,

ବର୍ତ୍ତମାନ ଅଛୁ କି ରେ ସ୍ୱର୍ଗେ ତାଙ୍କ କୋଳେ?

 

ବିକଳରେ ତୋହପାଇଁ ରେ ମନୋମୋହନ,

ଛାରଖାର ହୋଇ ଯାଇଥିଲା ତାଙ୍କ ମନ।

କଷ୍ଟ ପାଇ ଦେବେ ଧ୍ୟାୟି ପାଇଥିଲେ କୋଳେ,

ଭସାଇ ତାହଙ୍କୁ ଚାଲିଗଲୁ ନେତ୍ରଜଳେ।

 

ତପସ୍ୟା ତ କରି ନାହିଁ ପାଇବାକୁ ତୋତେ,

ପୁନର୍ବାର ଭେଟିବ କି ନିତ୍ୟଧାମେ ସତେ?

 

କେତେ ପ୍ରେମେ ଡାକୁଥିଲି ରେ ମନୋମୋହନ!

ଥିଲୁ ରେ ଲାବଣ୍ୟନିଧି ହୃଦୟରଞ୍ଜନ!

ବାପ ଧନ ତୁହି ଯେବେ ଥାନ୍ତୁ ମୋର ପାଶେ,

ସ୍ଥବିର ବୟସେ ମୁଁ କି ମରନ୍ତି ହତାଶେ!

 

ବ୍ୟାଧିଗ୍ରସ୍ତ କ୍ଷୀଣହସ୍ତ ଶରୀର ଦୁର୍ବଳ,

କାହାକୁ କରିବି ବାପ ଜୀବନସମ୍ବଳ?

 

ଅନାୟତ୍ତେ ପଡ଼ିଥିଲେ ମୁଁ ରୋଗଯ୍ୟାରେ,

ସାନ୍ତ୍ୱନା ଦିଅନ୍ତୁ ବାପ ବସି ମୋହଠାରେ!

 

ବୁଲାଇଲେ ମୋହ ଦେହେ ହସ୍ତ ବାରବାର,

ଶରୀରରେ ହୋଇଥାନ୍ତା ଅମିୟ ସଞ୍ଚାର।

 

ଆତ୍ମାରୂପେ ଜାତ ହୋଇଥିଲୁ ରେ ନନ୍ଦନ

ଚାଲି ଯାଇଛୁ ତ କରି ଆତ୍ମାକୁ ଛେଦନ!

ଏକମାତ୍ର ପୁତ୍ର ସିନା ସହାୟ ସମ୍ପତ୍ତି,

ନ ବୁଝେ ଏ ସର୍ବ କଥା ଯେ ପୁତ୍ର ଦୁର୍ମତି!

 

ମୋ ପାଶରେ ବସିଥିଲେ ରେ ମନୋମୋହନ!

କେହି କି ପାରନ୍ତା କରି ମୋତେ ଆକ୍ରମଣ?

 

ରୋଗେ କଷ୍ଟେ ମୁହିଁ କରୁଥିଲେ ହାହାକାର,

ପାରନ୍ତା କି କେହି କରି ମୋତେ ତିରସ୍କାର?

 

ସ୍ଥବିର ଶରୀର ଭୁଞ୍ଜେ ବିଷମ ଯନ୍ତ୍ରଣା,

ପର କି ପାରିବ ବୁଝି ପରର ବେଦନା?

 

ନିଦାନେ ନିର୍ଦୟ ଲୋକେ ସମୟକୁ କଳି

ଦିଅନ୍ତି ନିଷ୍ଠୁର ଭାବେ ପଦେ ହୃଦ ଦଳି।

 

କି ତପସ୍ୟା କରିଅଛି, କେଉଁ ପୁଣ୍ୟଫଳେ

ଚିରଦିନ ବାପ ତୁହି ରହିଥିବୁ କୋଳେ?

 

ଛିଡ଼ି ଯାଇଛି ତ ମୋର ହୃଦୟର ଗ୍ରନ୍ଥି,

ଆସନ୍ତୁ ଦେଉନ୍ତୁ କଷ୍ଟ ମୋତେ ପରିପନ୍ଥୀ।

 

ବ୍ୟାଧିଗ୍ରସ୍ତ ହୋଇ ପଡ଼ିଥିଲେ ନିର୍ଜନରେ,

ସେବା କରୁଥାନ୍ତୁ ବି ମୋ ଶଯ୍ୟାପାଶରେ।

 

ଯାଇଛୁ ସର୍ବସ୍ୱ ମୋର ଜୀବନସମ୍ବଳ,

ଝୁରୁଥିବି ଝରୁଥିବ ନୟନରୁ ଜଳ!

 

ଆସିଥିଲୁ ପୁତ୍ର ମୋର ଅତିଥି ବେଶରେ,

ଯାଇଛୁତ ଚାଲି ଜଗନ୍ନାତା ଆହ୍ୱାନରେ।

 

ବିଧାତାଙ୍କ ଗନ୍ତାଘରେ କିବା ରତ୍ନ ନାହିଁ,

ମୋ କ୍ଷୁଦ୍ର ରତ୍ନଟି ନେଲେ ଛଡ଼ାଇ କିପାଇଁ?

 

ଗୋଟିଏ ନକ୍ଷତ୍ର ଊଣା ଥିଲା କି ଆକାଶେ,

ମୋ ଜୀବନତାରା ଘେନି ଗଲେ ସେ ସକାଶେ?

 

ଅବା କେଉଁ ଦେଶେ ଥିଲା ଅଭାବ ସୁମନ,

ଘେନିଗଲେ ସେ ସ୍ଥାନକୁ ମୋ ମନୋମୋହନ!

ଯାଆ ବାପା, ରହ ଯାଇ ସୁଖେ ମାତା ପାଶେ,

ପଡ଼ିଥାଏଁ ପଛେ ମୁହିଁ ପୃଥ୍ୱୀରେ ନିରାଶେ!

 

ଏବେ ମୁଁ ଦେଖୁଛି ବତ୍ସ ସର୍ବ ଅନ୍ଧକାର,

ଯିବ ମୋ ଜୀବନ ଚାଲି କରି ହାହାକାର!

ଶୂନ୍ୟମୟ ବର୍ତ୍ତମାନ ମୋହର ହୃଦୟ!

ଶୂନ୍ୟମୟ! ଶୂନ୍ୟମୟ! ସର୍ବ ଶୂନ୍ୟମୟ!

 

ନିଦାଘ ସନ୍ଧ୍ୟା କାଠଯୋଡ଼ିକୂଳ- ପଥରବନ୍ଧ

ମଙ୍ଗଳ

ନିଭିଛି ଆଲୋକରାଶି ଦିବାକର ଅସ୍ତ,

କର୍ତ୍ତବ୍ୟ ସାଧନ କରି ଦିବସ ସମସ୍ତ,

ନିର୍ଜନରେ ବସି ବସି ମନର ଆକୁଳେ,

ଯନ୍ତ୍ରରେ ଚାଳିତ ପରି ଗଲି ନଦୀକୂଳେ !

 

ପଶ୍ଚିମ ଆକାଶ ଦିଶେ ଲୋହିତ ବରଣ,

ବିଶ୍ରାମ ନିମନ୍ତେ ଧାଇଁଛନ୍ତି ପକ୍ଷିଗଣ,

 

ଯେ ଭାବ ଉଦୟ ଦେଖଇ ପଶ୍ଚିମ ଆକାଶ,

ମନର ସେ କଥା କରି ନ ପାରେ ପ୍ରକାଶ।

 

ଏତିକି ଜାଣିଲ ଏହା ଥିବ ଚିରଦିନ,

ନ ରହିବ କିଛି ଦିନ ଅନ୍ତେ ମୋର ଚିହ୍ନ,

 

ସଙ୍ଗେ ସାଥି ଥିଲେ ମୋର ଯେଉଁ ବନ୍ଧୁଗଣେ,

ସେମାନଙ୍କ ମଧ୍ୟୁ କେହି ନାହାନ୍ତି ତ ଜଣେ!

 

କେଶରୀ ଅକ୍ଷୟ କୀର୍ତ୍ତି ଏ ପ୍ରସ୍ତରବନ୍ଧ,

କଟକ ସହିତ ଅଛି କେମନ୍ତ ସମ୍ବନ୍ଧ।

 

ଉତ୍କଳର ରାଜଧାନୀ କଟକ ନଗରୀ,

ଯୁଗ ଯୁଗାନ୍ତର ବନ୍ଧ ଅଛି ରକ୍ଷା କରି।

 

ଅସଂଖ୍ୟ କଟକବାସୀ ମନର ଉଲ୍ଲାସେ

ଆସୁଛନ୍ତି ବନ୍ଧେ ବାୟୁସେବନ ସକାଶେ।

 

ଶିକ୍ଷିତ ସମ୍ଭ୍ରାନ୍ତ ଧନୀ ତହିଁ ଅଧିକାଂଶ,

ଦରିଦ୍ରେ ଆସିବେ କାହିଁ ମନରେ ଉଲ୍ଲାସ?

ସଂଗ୍ରହ କରଇ ଯେବା ବହୁ କଷ୍ଟେ ଅନ୍ନ,

ଆସିବ କି କରିବାକୁ ପବନ ଭକ୍ଷଣ।

 

କେତେ ଲୋକ ଭ୍ରମୁଛନ୍ତି ହୋଇ ଦଳ ଦଳ,

ଭ୍ରମୁଛି ମଉନେ କେହି ଏକାକୀ କେବଳ।

 

ନଦୀକୂଳେ ପ୍ରବାହିତ ସଜଳ ପବନ,

ସେ ପବନ ଲୋଭେ ଧାଇଁଛନ୍ତି ଲୋକଗଣ।

 

ବନ୍ଧର ଉପରେ ବସି ବିଦ୍ୟାଳୟଛାତ୍ରେ

ଗାଆନ୍ତି ଉଲ୍ଲାସେ ବ୍ରହ୍ମସଂଗୀତ ଯେ ରାତ୍ରେ।

 

ଧୀରେ ଧୀରେ ଯାଇ ଚାଲି ମୁହିଁ ଶୂନ୍ୟମନେ

ସେ ବନ୍ଧର ଏକ ସ୍ଥାନେ ବସିଲି ନିର୍ଜନେ।

 

ପାଶ ଦେଇ ଗଲେ ଚାଲି ଲୋକ ଅଗଣିତ,

ବହୁତ ଅଜଣା, କେତେ ଅବା ପରିଚିତ।

 

କେତେ ହସି ହସ ମୋହ ସଙ୍ଗେ କହି କଥା,

କେତେ ଗଲେ ଚାଲି ତୁନି ହୋଇ ପୋତି ମଥା।

 

ବହୁତ କାଳରୁ ଦେଖୁଛି ତ ଏ ରୂପରେ,

କେତେ ତ ଗଲେଣି ଚାଲି ଅନନ୍ତମାର୍ଗରେ।

 

ଦେଖ ଆକାଶରେ ଦିଶେ ତାରକା ଆଲୋକ,

ନୀଳଜଳେ ପ୍ରତିବିମ୍ବ ଦିଶେ ଝକ ଝକ ।

 

ଅନନ୍ତମିଳନ

ଆଷାଢଶୁକ୍ଳ ବାଣୀ

ଈଶ୍ୱର ଅନନ୍ତ,      ଅନନ୍ତ ରାଜ୍ୟ,

ଗଗନ ଅନନ୍ତ,      ଅନନ୍ତ କାର୍ଯ୍ୟ,

ମାର୍ଗଣ ଅନନ୍ତ,      ଅନନ୍ତ ପ୍ରାଣୀ,

ସଂସାର ଶାନ୍ତ,      ଏ କଥା ନ ଜାଣି,

ତୁମ୍ଭେ ଅନୁକ୍ଷଣ

ମୋହ ନିଦ୍ରାରେ ଅଛ ଅଚେତନ।

 

ଆସିଛ ଅନନ୍ତୁ,      ଯିବ ଅନନ୍ତେ,

ଚାଲିବାକୁ ହେବ      ଅନନ୍ତ ପଥେ,

ମୁହୂର୍ତ୍ତ ମିଳନ      ଯାହା ସଙ୍ଗରେ,

ବନ୍ଧୁ ବୋଲି ତାକୁ      ଧର କୋଳରେ,

ନ ଥାଏ ଚେତନା,

ବିଚ୍ଛେଦେ ଦିନେ ଭୁଞ୍ଜିବ ଯାତନା।

 

ମାର୍ଗେ ଯା ସଙ୍ଗେ      କ୍ଷଣିକ ମିଳନ,

ବିଡ଼ିଛ କି ହେ      ତୁମ୍ଭେ ତାହା ମନ?

ଜାଣିବ ସେ ତ      ସର୍ବଦା ସକାଶେ

ନ ରହିବି କେଭେ      ତୁମ୍ଭରି ପାଶେ,

ଯିବ ଚାଲି କାହିଁ

ବାହୁଡ଼ି ପଛକୁ ବେଳେ ନ ଚାହିଁ।

 

ଅନନ୍ତ ରାଜ୍ୟେ      ଅନନ୍ତ ଆବାସେ,

ଅନନ୍ତ ପ୍ରାଣୀ      ଯାନ୍ତି ଯାହା ପାଶେ,

ଅନନ୍ତ ଦ୍ରବ୍ୟେ      ଅନନ୍ତ ଆଧାର,

ଯାଇ ସକଳେ      ହେବେ ଏକାକାର,

ତହିଁ ସନ୍ଦର୍ଶନ,

ଜାଣିବ ତାହା ଅନନ୍ତ ମିଳନ।

 

ଅନନ୍ତ ସାଗର

ରାଗ- ଭୂପାଳ

ଦିବା ନିଶି ପଡ଼ି            ଉଠିଛି ତ ଧାଇଁ,

ଦଣ୍ଡେ ବସି ଭାଳି-            ବାକୁ ବେଳ କାହିଁ?

କଳ୍ପନାର ଘର            ବନାଏ ମାର୍ଗରେ,

 

ନୈରାଶ୍ୟରେ ଆଶା            ବାନ୍ଧେ ଥରେ ଥରେ।

ଜୀବନସଂଗ୍ରାମ            କରୁଛି ମାର୍ଗରେ,

ଅନୁତାପ ଅଶ୍ରୁ            ଝରେ ନୟନରେ।

ବିଷାକ୍ତ ବାଣରେ            ଜଳୁଛି ହୃଦୟ,

କେବେ ଅନୁଭବେଁ            ସୁଖ ଶାନ୍ତିମୟ।

 

ଆଗ ଅନ୍ଧକାରେ            ଢ଼ାଉଛି ହାତ,

ମାତ୍ରକ ନ ପାଏଁ            କିଛିହିଁ ସାକ୍ଷାତ।

ପଛେ ଯା ରହିଲା            ପଡ଼ିଲା ପଛରେ,

ବିସ୍ତୃତ ଅନ୍ଧାର            ଘୋଡ଼ାଏ କ୍ରମରେ।

 

ଆଗ ପଛ କରି            ବହୁତ ମାନବ

ଧାଉଁଛନ୍ତି ସଙ୍ଗେ            କରେଁ ଅନୁଭବ।

ଏହିପରି ଧାଇଁ            ଧାଇଁ କ୍ରମଶଃରେ

ମିଶିଯିବି ପଡ଼ି            ଅନନ୍ତ ସାଗରେ।

 

ପଶା ଖେଳ

କେଦାର ଚକ୍ରକେଳିବାଣୀ

ଆଶା ଉଲ୍ଲାସରେ            ଖେଳିଲି ପଶା,

ଜିଣି ଯିବି ବାଜି            କରି ଭରସା।

 

ସାର ବାଛି ନେଲି            ହଳଦି କାଳି,

ପାଟି କରି ଦେଲି            କାଠିକୁ ଢାଳି।

ଇଚ୍ଛା ଥିଲା ପଡ଼ୁ            ଷୋଳ ସତର,

ମାତ୍ର ପଡ଼ିଗଲା,            ଦାନ ଅଠର।

କି କରିବି, ସେହି            ଦାନକୁ ଚାହିଁ

ଯୁଗ ଥିଲା ନେଲି            ସାରକୁ ବାହି।

ବନ୍ଧାଥିଲା ସାର            ଯୋଡ଼ାଏ ଯୋଡ଼ି,

ଦାନ ଗଲା ପୁଅ            ବାଆର ପଡ଼ି।

 

ବାହିନେଲି ସାର            ମନ ଆନନ୍ଦେ,

ନ ମାରିବ କେହି            ଥିଲି ସ୍ୱଚ୍ଛନ୍ଦେ।

 

ଯୋଡ଼ି ସାରେ ଥାଏ            ବହୁତ ବଳ;

ବିପକ୍ଷ ନ ମାରେ            କରି କୌଶଳ।

 

ତିନି ଘର ସାର            ଅଇଲା ବୁଲି,

ଯାଉଛି ଘରକୁ            ପାଚିବ ବୋଲି।

ଡାକିଥିଲି ଦାନ            ବାଆର ପୁଅ,

ମାତ୍ରକ ପଡ଼ିଲା            ଛ ତିନି ନଅ।

 

ଗୋଟିକୁ ଯେ ଗଲି            ଘରକୁ ନେଇ,

ବିପକ୍ଷ ଆରଟା            ନେଲା ବାଡ଼େଇ।

 

ଆଉ ଥରେ କରି            ଉଚ୍ଚରେ ପାଟି

କଚେବାର ବୋଲି            ଡାକିଲି କାଠି।

ମାତ୍ର କାଠି ମୋର            କଥା ନ ମାନି

ପଡ଼ିଗଲା ଦାନ            କେବଳ ତିନି।

ତେତିକି ଦାନରେ            ବାହିଲି ସାର,

ପୁଣି ଡାକିଦେଲି            କରେ ବାଆର।

କାଠି ତ କାହାରି            କଥା ନ ଶୁଣେ,

 

ପଡ଼େ ବଡ଼ ଦାନ            କପାଳ ଗୁଣେ।

ସମସ୍ତେ ତ ଉଚ୍ଚେ            କରନ୍ତି ପାଟି,

ସବୁରି ବୋଲି କି             ମାନଇ କାଠି?

 

ଆର ଜଣ ଦେଖେଁ            ନ ଜାଣେ ଖେଳି,

ସତର ଅଠର            ଦେଉଛି ଢାଳି।

ଖେଳ ଖେଳି ମୁଁ ତ             ଖେଳୁଆ ଟାଣ,

ଆଜ ରେ କିପାଇଁ            ନ ପଡ଼େ ଦାନ?

କାଠିଟା ଯାଉଛି            ଦୂରକୁ ଗଡ଼ି,

ପାଞ୍ଚ ତିନି ଆଠ            ଯାଉଛି ପଢ଼ି।

ଛକଛାକ କରି            ଧରୁଛି କାଠି,

ମାତ୍ରକ ନ ଗଡ଼ି            ପଡ଼େ ଓଲଟି।

 

ଏଥିରେ କିପରି            ଯୁଗ ବାନ୍ଧିବି?

ଜାଣିଲି ଏଥର            ନିଶ୍ଚେ ହାରିବି।

ଆଜି ଆଡ଼ିଟାଏ             ନ ପାରେ କାଟି,

 

ଏଣିକି ବୋଲ ଯେ            ନ ମାନେ କାଠି।

ସମସ୍ତେ ସଂସାରେ            ଖେଳନ୍ତି ପଶା,

ଜିଣିବାକୁ କରି             ମନେ ଭରସା;

କେହି ବା ଜିଣଇ            କେହି ବା ହାରେ,

ଲାଗିଛି ଏ ଭଳି            ଖେଳ ସଂସାରେ।

ଖେଳି ଖେଳି କେହି      ପାଇଛି ଜ୍ଞାନ,

ସତର ଅଠର            ପଡ଼ଇ ଦାନ।

 

ସାର ବାହିବାର            ଜାଣେ କୌଶଳ,

ଜିଣାପଟ ତାର            ଜାଣ କେବଳ।

କେତେ ଜଣ ଛନ୍ତି            ଏପରି ଲୋକ,

ଜିଣୁଥିବେ ବସି            ଜୀବନଯାକ!

ଅଛନ୍ତି ତ ଥୋକେ            ଖେଳରେ ଟାଣ,

କପାଳ ଦୋଷରେ            ନ ପଡ଼େ ଦାନ।

 

ଜଗିଜାଗି ସାର            ନିଅନ୍ତି ଟାଣି,

ଦୁଇ ଏକ ବାଜି            ପାରନ୍ତି ଜିଣି।

ଡ଼ାକିଲେ ପଡ଼ୁଛି            କାହାରି ଦାନ,

ମାତ୍ର ନାହିଁ ତାର            ଖେଳରେ ଜ୍ଞାନ।

 

କିପରି ବାହିଲେ             ପାଚିବ ସାର,

ଏପ୍ରକାର ଜ୍ଞାନ            ନାହିଁ ତାହାର।

ବିପକ୍ଷ ଖେଳୁଆ            ସୁଯୋଗ ପାଇ

ବାଟରେ ତା ସାର            ଦିଏ ବାଡ଼େଇ।

ଥୋକେ ତ ନ ଧରି      ଜାଣନ୍ତି କାଠି,

 

ସତର ଅଠର            କରନ୍ତି ପାଟି।

ସାର ବାହିବାରେ            ମୂର୍ଖ ନିପଟ,

 

ସର୍ବଦା ତାହାଙ୍କ            ହାରିବା ପଟ।

ବାହି ଜାଣେ ସାର,            ପଡ଼ଇ ଦାନ,

 

ଜିଣା ପଟ ତାର            ସେ ଭାଗ୍ୟବାନ।

କେବେ କେବେ ମଧ୍ୟ      କପାଳଦୋଷେ

 

ବିପକ୍ଷ ହାତରେ            ସେ ହାରି ବସେ।

ପାଚିଲା ସାରକୁ            ଆଣେ ଉଠାଇ

ବିପକ୍ଷ ସାରକୁ            ମାରିବା ପାଇଁ।

 

ସଞ୍ଚିଥିବା ଧନ            ଉକିଲେ ଦେଇ

ବିପକ୍ଷ ମାମଲା            ହେବାକୁ ଜୟୀ।

ଏପରି ଅଛନ୍ତି            ଥୋକାଏ ଲୋକେ,

 

ହାର ଜିଣା ଦୁଇ            ତାହାଙ୍କ ପକ୍ଷେ।

ଦେଖୁଛି ସଂସାର            ଲୋକ ସମସ୍ତ

ପଶାଖେଳପାଇଁ            ନିୟତ ବ୍ୟସ୍ତ।

 

ନ ଖେଳି କେ ହୋଇ      ପାରିବ ଥୟ?

ଜିଣୁ ହାରୁ ପଛେ            ଖେଳେ ନିଶ୍ଚୟ।

 

ଜୀବନଟାଯାକ            ଖେଳିଲି ପଶା,

ଜିଣିବି ସର୍ବଦା            ଥିଲା ଭରସା,

ହାରି ଜିଣି ଗଲା            ସମସ୍ତ ଦିନ,

 

ହାରିବା ଜିଣିବା            ଦୈବ ଅଧୀନ।

ଖେଳିବାକୁ ଆଉ            ସାମର୍ଥ୍ୟ ନାହିଁ,

ଯାଉଛି ଘରକୁ            ଶୋଇବାପାଇଁ।

 

Unknown

ବୁଢ଼ା ପଳାଶ

ରାଗ - ଚକ୍ରକେଳି

ପଳାଶ ଗଛଟା            ଅଛି ତୋଟାରେ,

ବୁଢ଼ା ବୋଲି ତାକୁ            କେବା ପଚାରେ?

କେତେ କାଳୁ ଅଛି            ଗଛଟା ଛିଡ଼ା,

ଉଇ ଲାଗି ତାର            ମୂଳଟା ସଡ଼ା,

ଶୁଖିଯାଇଛି ତ             ଡାଳ ପତର,

ଶୁଖିଲା କାଠଟା            ଛିଡ଼ା ମାତର।

 

ପ୍ରତିଦିନ ଆସେ            ତୋଟାକୁ ମାଳି,

ଢାଳେ ହେଲେ            ଜଳ ନ ଦିଏ ଢ଼ାଳି;

ଗଛଟାକୁ ଦେଖି            ନୀରସ ଫମ୍ପା,

ତୁଛାଟାରେ ହୁଏ            ବହୁତ ଖପା;

ବୋଲେ ବୁଢ଼ା ବୃକ୍ଷ            ନ ମଲା କିଆଁ

ଶୁଖିଲା କାଠରେ            ରହନ୍ତା ନିଆଁ।

 

କେତେ ବଜ୍ରାଘାତ            ତୋଫାନ ସହି,

ନ ମରି ଅଛି ତ             ତୋଟାରେ ରହି।

ଏହିପରି ଗଲା            ବହୁତ କାଳ,

ଏଣିକି ଫିଟିଲା            ଗଛ କପାଳ।

କାହୁଁ ଆସି ଏକ            ମାଲୁଣୀ ଝିଅ

ଦେଖିଲା ଗଛର            ଶୁଖିଛି ଶିଅ।

 

ବଡ଼ ଦୟାବତୀ            ମାଳି ଝିଅଟା,

ଝାଡ଼ିଝୁଡ଼ି ଦେଲା            ଗଛର ଘଟା;

କେତେ ଥର ଆସି            ନିଜ ହାତରେ

ବୁଲାଇ ଦିଅଇ            ଗଛ ଦେହରେ;

ଆପଣା ହାତରେ            କୁମ୍ଭରେ ପାଣି

ବୁଢ଼ା ଗଛମୂଳେ            ଢାଳିଲା ଆଣି।

 

ସେବା ପାଇ ସେହି             ମାଳି ଝିଅର

ଗଜାଇଲା ପୁଣି            ଡାଳ ପତର।

ଢାଳି ଦେଲା ଫୁଲ            ବୁଢା ପଳାଶ,

ମାତ୍ରକ ତାହାର            ନାହିଁ ସୁବାସ।

କେହି ଯେବେ ଫୁଲ            ନିଏ ଛିଣ୍ଡାଇ-

ଫୋପାଡ଼ି ଦିଏ ସେ            ଗନ୍ଧ ନ ପାଇ ।

 

ଅବସାଦ

ରାଗ-ବଙ୍ଗଳାଶ୍ରୀ

ନ ଲୋଡ଼େଁ ତାହାକୁ            ପୁଣି ଦେଖିବାକୁ

ସେ କି ଥିବ ଚିରଦିନ?

ଦେଖୁଛି ନିତାନ୍ତ            ସକଳ ପଦାର୍ଥ

ହେଉଛନ୍ତି ଛିନ୍ନ ଭିନ୍ନ।

 

ଜନ୍ମିଲେ ମରଣ            ବିଧିର ବିଧାନ

କାହାକୁ ନ ଅଛି ଜଣା?

 

ଯାଇଛି ଯା ଛାଡ଼ି            ନ ଆସେ ବାହୁଡ଼ି,

ବୃଥା କିପାଇଁ ଶୋଚନା?

 

କେଉଁ ଆକର୍ଷଣ            ନ ମାନି ବାରଣ

ମନେ ପଡ଼େ ନିରନ୍ତରେ?

 

ଚୁମ୍ବକ ଶଳାକା            ଉତ୍ତର ଦିଗକୁ

ଧାଏଁ ପ୍ରକୃତି ବଶରେ।

 

ଦେଲେ ମୁଁ ଜୀବନ            ଆଉ ସେହି ଧନ

କେବେ ବାହୁଡ଼ିବ ନାହିଁ,

 

ଏହା ଜାଣି ଶୁଣି            ଅଜ୍ଞାନରେ ପୁଣି

ଶୋକ କରିବି କିପାଇଁ?

 

ମୋହଠାରୁ ସେ ତ            ଅନନ୍ତ ଅନନ୍ତ

ଦୂରେ ଅଛି ବ୍ୟବଧାନ?

 

ସେ କି ଜାଣୁଅଛି            ନ ପାରି ମୁରଛି

ବସି କରୁଅଛି ଧ୍ୟାନ।

 

କି ହେବ ଚିନ୍ତାରେ            ଶ୍ମଶାନ ଚିତାରେ

ଆକାଶେ ଯାଇଛି ଉଡ଼ି,

ପ୍ରକୃତିର ଲୀଳା            କରି ଅବହେଳା

ଆସିବ କି ସେ ବାହୁଡ଼ି?

କ୍ଷଣକ ଭଙ୍ଗୁର            ପ୍ରଣୟ-ଅଙ୍କୁର

ଭାଙ୍ଗିଗଲେ ତଳେ ପଡ଼ି,

 

କାହାରି ବଳରେ            ଆଉ ସେ ମୂଳରେ

ହୋଇ କି ପାରିବ ଯୋଡ଼ି?

 

ସୌନ୍ଦର୍ଯ୍ୟର ତୃଷା            ପ୍ରଣୟ-ପିପାସା।

ତୃପ୍ତ ହୋଇଅଛି କାହିଁ?

 

ସଫଳ କାମନା            ସଂତୃପ୍ତ ବାସନା

ଜଗତେ ମିଳଇ ନାହିଁ।

 

ଜାଣିଲି ଜଗତ            ମାନବ ସମସ୍ତ

ମୋହ-ମଦିରାରେ ମତ୍ତ,

 

ଯେ ନ ଚାହେଁ ଥରେ      ତାକୁ ତ ପ୍ରେମରେ

ଭାଳୁଥାଆନ୍ତି ସନ୍ତତ।

 

ପବିତ୍ର ଭାବରେ            ଆପଣା ମନରେ

ବସି ତୁମ୍ଭେ ପ୍ରାଣାୟାମେ

 

ଚିନ୍ତା କଲେ ଥରେ            ପ୍ରଭୁଙ୍କ ପାଶରେ

ଭେଟିବ ଅନନ୍ତ ଧାମେ।

 

ମୃତ୍ୟୁଶଯ୍ୟାରେ

ସମାପତ ଶ୍ରମକ୍ଳାନ୍ତି            ଆଜି ମୁଁ ଲଭିଲି ଶାନ୍ତି

ଜୀବନରେ ଭୁଲ ଭ୍ରାନ୍ତି ହେଲା ଅବଶେଷ-

ବ୍ୟାକୁଳତା ଦିବାନିଶି      ଶ୍ମଶାନ ଚିତାରେ ମିଶି

ଯିବ ସୁଖଦୁଃଖରାଶି ନ ରହିବ ଲେଶ।

 

ପ୍ରେମ ଆଳାପନ କଥା      ଜୀବନର ସର୍ବବ୍ୟଥା

ସ୍ନେହ ପ୍ରୀତି ମଧୁରତା ସର୍ବ ହେବ ଦୂର,

ବିଶ୍ୱ ବ୍ରହ୍ମାଣ୍ଡ ଆଲୋକ      ସୁଖ ବା ଦୁଃଖଦାୟକ

ଗଲା ଯାଉ ଏବେ ସୁଖ ଲଭିବି ପ୍ରଚୁର।

 

ଏ କି ବନ୍ଧୁଙ୍କ ବେଭାର      ଦେଇ ପୁଷ୍ପ ଉପହାର

ସଜାଇ ପ୍ରତିମାକାର ଆଣିଛନ୍ତି ମୋତେ,

ମୋହ ପକ୍ଷେ ବର୍ତ୍ତମାନ      ପଙ୍କ ଚନ୍ଦନ ସମାନ

ସମ୍ମାନ ଅପମାନ ନ କଲେ ପରତେ।

 

ବୋଲ ହରି ହରି ବାଣୀ      ଘେନୁଛି ଏବେ ମେଲାଣି

ଜନ୍ମଭୂମି ଠାକୁରାଣୀ ! କରେଁ ନମସ୍କାର,

କାଟିଛି ଜୀବନକାଳ            କରି ବହୁତ ଜଞ୍ଜାଳ

ନିଅ ଦେହ ଚିତାନଳ ଭସ୍ମ ଉପହାର।

 

ମୁଁ ବୈରାଗୀ

ଭାଗବତ ବୃତ୍ତ

ହୋଇଛି ଜୀବନ ଅତୀତ,            ବାର୍ଦ୍ଧକ୍ୟ ଏବେ ଉପସ୍ଥିତ।

ସଂସାର ସୁଖ ଦୁଃଖ ସର୍ବ            କଲି ଜୀବନେ ଅନୁଭବ।

କୁଟୁମ୍ବ ଜ୍ଞାତିଗଣ ସଙ୍ଗେ            କାଟିଲି କାଳନାନାରଙ୍ଗେ।

 

ଯେ ମୋର ଥିଲା ଦେହ ଛାୟା,      ଯାଇଛ କାଟି ଦେଇ ମାୟା।

ଜଗତ ସମ୍ମାନ ପ୍ରତିଷ୍ଠା,            ଏବେ ସେ ସର୍ବ ମଣେ ବିଷ୍ଠା।

ମୋହିତ ନ ହେବି ମୁଁ ଧନେ,            ଇଚ୍ଛା ମୋ ନାହିଁ ଉପାର୍ଜନେ।

ଯେ ଦ୍ରବ୍ୟ ମୋର ପ୍ରୟୋଜନ,      ଦେଇ ତ ଛନ୍ତି ନାରାୟଣ।

ମସ୍ତକ କେଶ ହେଉ ଅଠା,            ହେବ ତ ହେଉ ପଛେ ଜଟା।

କୃତ୍ରିମ ସନ୍ନ୍ୟାସୀ ପ୍ରକାର            ବହିବି ନାହିଁ ଜଟାଭାର।

 

ଆଉ ପାଉଁଶ ଅବା ଧୂଳି            ଦେହରେ ହେବି ନାହିଁ ବୋଳି

ହେବାର ବିଭୂତି ଭୂଷଣ,            କିଛି ତ ନ ଦେଖେଁ କାରଣ।

ତେବେ ମୋ ଦେହରକ୍ଷାପାଇଁ,      ବିଶେଷ ଯତ୍ନ କିଛି ନାହିଁ।

 

ମିଳିବ ଖାଦ୍ୟ ଯେ ପ୍ରକାର,            ଆନନ୍ଦେ କରିବି ଆହାର।

ଏ ଦେହ ପ୍ରଭୁଙ୍କ ମନ୍ଦିର,            ଏ କଥା କରିଅଛି ସ୍ଥିର।

ଇଚ୍ଛାରେ ନ କରିବି ନଷ୍ଟ,            ଘଟୁ ପଛକେ ଯେତେ କଷ୍ଟ।

 

ଲୋଡ଼ିବି ନାହିଁ ମୋ ଜୀବନ,            ଅଥବା ଅକାଳ ମରଣ।

ବହିବି ଚିତ୍ତ ମଧ୍ୟେ ଶାନ୍ତି,            ନ ହେବି କେଭେ ଆତ୍ମଘାତୀ।

କେ ମୋର ପୁତ୍ର କେ ବା ମିତ୍ର,      ସଂସାର ଅତୀବ ବିଚିତ୍ର।

 

ବନ୍ଧୁ କୁଟୁମ୍ବ ପ୍ରଭୁ ମୋର,            କେବଳ ମୁହିଁ ପ୍ରଭୁଙ୍କର।

କିପାଇଁ ଯିବି ବନବାସେ?            ପ୍ରଭୁ ତ ଛନ୍ତି ମୋହ ପାଶେ।

ସନ୍ତତ ବସି ମୁଁ ନିର୍ଜନେ            ଗୁଣିବି ପ୍ରଭୁ ନାମ ମନେ।

 

କଲେକ କେହି ଅତ୍ୟାଚାର,            କରିବି ମୁଁ ସାଧୁ ବେଭାର।

ମୋ ପକ୍ଷେ ସମସ୍ତ ପବିତ୍ର,            ନାହାନ୍ତି ମୋର ଶତ୍ରୁମିତ୍ର।

ଉତ୍କଳ ମୋର ଜନ୍ମସ୍ଥାନ,            ସେବା କରିବି ଦେଇ ପ୍ରାଣ।

 

ବୋଲନ୍ତୁ ଯେଉଁ କଥା ଯେବା,            କରିବି ଜନ୍ମଭୂମି ସେବା।

କରିବି ଦେଶ ପାଇଁ ଯତ୍ନ,            କଦାଚ ନ ହେବି କୃତଘ୍ନ।

ହରି ମୋ ଧନ ହରି ଧ୍ୟାନ,            ଜ୍ଞାତି କୁଟୁମ୍ବ ହରି ଧନ।

ବୋଲ ଦେ ଭାଇ ସର୍ବ ଜନ-            ବୈରାଗୀ ଫକୀରମୋହନ।

 

କବିର ସମ୍ପତ୍ତି

ରାଗ - ପାହାଡ଼ିଆ କେଦାର

ଦେଖ ହେ କବି! ସ୍ୱଭାବ ଛବି, ନୀଳ ଗଗନେ, କମଳବନ,

ପୂର୍ଣ୍ଣ ଚନ୍ଦ୍ରମା, ପୁଷ୍ପସୁଷମା, ମଧୁପପଂକ୍ତି ହେ।

କୁମୁଦସର, ଯୁଗ୍ମ ଚକୋର, ରାଜତ୍ୱ ସହ, ଯୁଦ୍ଧ ବିଗ୍ରହ,

ବିଚ୍ଛେଦ ସନ୍ଧି, ମନ୍ତ୍ରଣା ଫନ୍ଦି, ତାରକା ଦ୍ୟୂତି ହେ।

ଜଗତର ମଣ୍ଡନ ରୂପଲାବଣ୍ୟ ହେ,

ଘୋର ଅରଣ୍ୟ, ତପସ୍ୟାଶ୍ରମ, ବନ ହେ,

 

ଯୁବା ଯୁବତୀ, ପକ୍ଷିଦମ୍ପତୀ, ପ୍ରଭାତ ସନ୍ଧ୍ୟା, ରଜନୀଗନ୍ଧା,

ନବ ଯୌବନ, ପ୍ରେମମିଳନ, କ୍ଷତ୍ରିୟରଣ ହେ।

 

ନାନାଭିମାନ, ପ୍ରଣୟ ଗାନ, ସଖୀ ବିରହ, କଷ୍ଟ ଦୁଃସହ,

ନୟନଜଳ, ହୃଦ ବିକଳ, ମଳୟ ପ୍ରେମାଭିସାର ହେ,

 

କୋକିଳଧ୍ୱନି, ଚନ୍ଦ୍ରବଦନୀ, ମଳୟ ବାୟୁ, ସଙ୍ଗୀତ ଆଉ,

ହୃଦ ଯାତନା, ପ୍ରେମ ବେଦନା, ସୁଖ ସଂସାର ହେ।

ନିଶି ନିଦ୍ରା ସ୍ୱପନ ସଖୀ ସଂବାଦ ହେ,

ଯୁବଯୁବତୀ ଉକ୍ତି, ଶ୍ରୀହରି ଭକ୍ତି ହେ,

 

କୁଞ୍ଜ କୁଟୀର, ଧ୍ୱନି ବଂଶୀର, ଋତୁ ବସନ୍ତ, ଗ୍ରୀଷମ ଅନ୍ତ,

ଦିବସ ରାତ୍ର, ଏତିକି ମାତ୍ର ସମ୍ପତ୍ତି ହେ।

 

ସ୍ମୃତିର ଛାୟା

ରାଗ - ଆଶାବରୀ

ଦିବା ନିଶି ପ୍ରାତଃ ସନ୍ଧ୍ୟା ସକଳ ସମୟେ-

ସେହି ସ୍ମୃତି ଛାୟା ଅଛି ଚିତ୍ରିତ ହୃଦୟେ ଯେ।

 

ନିରେଖି ନିରେଖି ମୂର୍ତ୍ତି ମାନସନୟନେ,

ପ୍ରବୋଧ ସାନ୍ତ୍ୱନା କେତେ ଲାଭ କରେ ମନେ ଯେ

 

କେତେ ଥର ଭାଳେ ମନେ ମରୀଚିକା ଆଶା,

ବଢ଼ାଇବ ସିନା ବଳବତ୍ତର ପିପାସା ସେ।

 

ବିସ୍ମୃତିର ଆବରଣ ଢାଙ୍କିଲେ ଯତନେ,

ଛିନ୍ନ ଭିନ୍ନ ହୋଇ ପ୍ରତିବିମ୍ବ ପଡ଼େ ମନେ ସେ।

 

ସ୍ଥିର ଜଳେ ଚନ୍ଦ୍ରବିମ୍ବ ଥାଏ ସମୁଜ୍ଜ୍ୱଳ,

ଲହରୀ ଆଘାତେ ହୁଏ ଯଥା ସେ ଚଞ୍ଚଳ ଯେ।

 

ଭୁଲିବା ସକାଶେ ଯତ୍ନ ସାଧନ କେବଳ,

ସର୍ବ ଚେଷ୍ଟା ସର୍ବ ଯତ୍ନ ହୋଇଛି ବିଫଳ ସେ।

 

ଛିନ୍ନ ଭିନ୍ନ ହୋଇ ଯାଇଅଛି ମୋ ହୃଦୟ,

ତଥାପି ଦେଖୁଛି ସେହି ମୂର୍ତ୍ତି ଛାୟାମୟ ଯେ।

 

ଭସ୍ମମୁଷ୍ଟି

ରାଗ - ଚୋଖି

ହେ ପ୍ରଭୋ! ନ ବୁଝି ତତ୍ତ୍ୱ            ହେଲିଣି ମୁଁ ବୁଦ୍ଧିହତ

କାହୁଁ ଆସି କାହିଁ ଯାନ୍ତି ଲୋକ ସମସ୍ତ,

ଅଟେ ସେହି କେମନ୍ତ ସ୍ଥଳ,

ଯାଇ ଯହିଁ ସମବେତ ପ୍ରାଣୀ ସକଳ।

 

ଯେ କାର୍ଯ୍ୟ ସାଧନ୍ତି ଜନ,            କାହାର ବା ପ୍ରୟୋଜନ,

ତଥାପି ନିରତ କାର୍ଯ୍ୟ ତତ୍ତ୍ୱ ନ ଜାଣି,

ନ ଦେଖେଁ ଏପରି ଜଗତେ,

କାର୍ଯ୍ୟ ବିନା ରହି ପାରେ ଲୋକ ନିଶ୍ଚିନ୍ତେ।

ଅଚେତନ ଗ୍ରହଗଣେ            ନକ୍ଷତ୍ରପୁଞ୍ଜ ଗଗନେ

ଉଦୟାସ୍ତ ହେଉଛନ୍ତି କାହା ଆଦେଶେ?

ମାସ ବର୍ଷ ଦିବସ ନିଶି

କାହୁଁ ଆସି କାହିଁ ଅବା ଯାଆନ୍ତି ମିଶି?

ପ୍ରାଣିପ୍ରାଣ ସମୀରଣ      ପ୍ରବାହିତ ଅନୁକ୍ଷଣ,

ନ ଜାଣିଲି କାହା ଆଜ୍ଞା କରେ ପାଳନ,

ନିୟମରେ ଆକାଶୁଁ ବୁଷ୍ଟି

ହୋଇ ପାଳନ କରଇ କାହାର ସୃଷ୍ଟି।

ଏହି ଯେ ମୋର ଶରୀର      ଦିଶେ କେମନ୍ତ ରୁଚିର,

କି କୌଶଳେ କେ କୌଶଳୀ କଲେକ ସ୍ଥିର,

ଏହି ପଞ୍ଚଭୂତ ସମଷ୍ଟି

ପରିଣତ ହେବ ଭସ୍ମମାତ୍ରକ ମୁଷ୍ଟି।

 

ହିନ୍ଦୁ ବିଧବା

ରାଗ - ଆଶାବରୀ

କେ ଗୋ ମା! ତୁ ବସିଅଛୁ ମଳିନବଦନା!

ଶୟନେ ସ୍ୱପନେ ସାର ଜାଗ୍ରତେ ଭାବନା!

 

ଜଗତ ସଂସାର ଦେଖୁଛୁ ତୁ ଶୂନ୍ୟମୟ,

ଛିନ୍ନ ଭିନ୍ନ ହୋଇ ଯାଉଅଛି ତୋ ହୃଦୟ!

 

ଅନାୟତ୍ତେ କେବେ ପଡ଼ି ଯାଉଛୁ ଭୂତଳେ,

କେବେ ଉଚ୍ଚେ କାନ୍ଦୁଛୁ ଜୀବନ ବିକଳେ !

କିଛି ମାତ୍ର ଆସ୍ଥା ରଖି ନାହୁଁ ତୁ ଜୀବନେ,

ଅବିରଳ ଅଶ୍ରୁଧାରା ଝରୁଛି ନୟନେ !

 

ଭୁଲ ନା ଭୁଲ ନା, ମା, ତୁ ହିନ୍ଦୁର ଲଳନା,

ଉଠ ମା ଯତ୍ନରେ କର କର୍ତ୍ତବ୍ୟ ସାଧନା।

 

ଦେବ ତୁଲ୍ୟ ସେବୁଥିଲୁ ପତି ଶ୍ରୀଚରଣ,

ଏବେ ସେହି ବ୍ରତ ହୋଇଅଛି ଉଦ୍ୟାପନ।

 

ସଂକଳ୍ପ କର ତୁ ଏବେ ପରସେବା ବ୍ରତ,

ଢାଳି ଦେ ମା! ଜ୍ଞାନ, ଧ୍ୟାନ, ଦେହର ସାମର୍ଥ୍ୟ।

 

 

ଥିଲୁ ନାରୀ ହେବୁ ଦେବୀ, କି ଅଛି ଭାବନା,

ତେଜ ତୁ ଇନ୍ଦ୍ରୟସୁଖଲାଳସା, ବାସନା!

 

କାଢ଼ିପକା ଜନନ! ତୋ ଦେହ ଅଳଙ୍କାର,

ମଣ ଏବେ ସେହି ସର୍ବ ଅଟେ ଦେହଭାର!

 

ଲଲାଟ ସିନ୍ଦୂରବିନ୍ଦୁ ପକା ମା ତୁ ପୋଛି,

ଆନନ୍ଦ ଉତ୍ସବ ଆଜିଠାରୁ ଯାଉ ଲୁଚି!

 

ଜନନୀ! ତୋ ହେବ ଯହିଁ ଲଜ୍ଜା ନିବାରଣ,

ପରିଧାନ କର ସେହି ମାତ୍ରକ ବସନ

 

ସୁଖଭୋଜ୍ୟ ଦ୍ରବ୍ୟେ ତୋର ନାହିଁ ପ୍ରୟୋଜନ,

ଆଜିଠାରୁ ହବିଷ୍ୟାନ୍ନ କର ତୁ ଗ୍ରହଣ।

 

ପାର୍ଥିବ ଅନିତ୍ୟ ସୁଖ ଯାଇଅଛି ସରି,

କାଟ ମା ତୁ କାଳ ନିୟମିତ ବ୍ରତ ଧରି।

 

ଆଜି ଦିନଠାରୁ ମା ତୁ ହେଲୁ ସନ୍ନ୍ୟାସିନୀ,

ଜପ ହରି ନାମ ମନ୍ତ୍ର ଦିବସ ଯାମିନୀ।

 

ଫେଇ ଦେ ମା ଯତ୍ନବଦ୍ଧ ମସ୍ତକର ବେଣୀ,

ଲୁଠି ବୁଣିପଡ଼ୁ ପୃଷ୍ଠଦେଶେ ଜଟାଶ୍ରେଣୀ।

 

ପାର୍ଥିବ କଳଙ୍କ ତୋତେ ନ କରୁ ପରଶ,

ପବିତ୍ର ସତୀତ୍ୱ ଧର୍ମ ମଣ ତୁ ସର୍ବସ୍ୱ।

 

ସତୀହ ପରମ ଧନ ଯତ୍ନେ ରକ୍ଷା କର,

ବର୍ତ୍ତମାନ ଏକମାତ୍ର ସମ୍ବଳ ତୋହର।

 

ପିତୃକୁଳ ଶ୍ୱଶ୍ରୁକୁଳ ଉଦ୍ଧାର କାରଣେ

ମନ ଦେ ଗୋ ନିୟମିତ ବ୍ରତ ଆଚରଣେ।

 

 

ଆପଣେ ଉଦ୍ଧରି କର କୁଳକୁ ଉଦ୍ଧାର,

ଜୀବନରେ ବ୍ରହ୍ମଚର୍ଯ୍ୟ ବ୍ରତ କର ସାର।

 

ଅସାବଧାନ ତୁ ହେଲେ ଇନ୍ଦ୍ରିୟ ପ୍ରବଳେ,

ପିତୃ ଶ୍ୱଶ୍ରୁ ବେନି କୁଳ ଯିବେ ରସାତଳେ!

ବର୍ତ୍ତମାନ ତୋହ ପାଶେ ଆସି ଲୋକମାନେ

ଭକ୍ତିରେ ପୂଜିବେ ଦେବୀ ଜନନୀ ସମାନେ।

 

ସାର କର ଜନନୀ ଗୋ! ପର ସେବା ବ୍ରତ,

ମଣ ଲୋକଗଣେ ତୋର ପିତା, ପୁତ୍ରବତ।

 

ପ୍ରବଳ ହେଲେକ ଦେହସ୍ଥିତ ରିପୁଗଣ,

ବିକଳରେ ପ୍ରଭୁ ପଦେ ପଶିବୁ ଶରଣ।

 

ଆଜିଠାରୁ ହେଲୁ ମା ତୁ ଦେବୀ ସନ୍ୟାସିନୀ,

ଜନସମାଜରେ ହେବୁ ଆନନ୍ଦଦାୟିନୀ।

 

ତୋର ସ୍ୱାମୀ ଏବେ ରହିଛନ୍ତି ସ୍ୱର୍ଗବାସେ,

ଅବଶ୍ୟ ମିଳିବୁ ତୁହି ଯାଇ ତାଙ୍କ ପାଶେ।

 

ତୋହର ସମ୍ପ୍ରତି କେହି ନାହିଁ ଆତ୍ମପର,

ସଂସାର ସମସ୍ତ ଲୋକ ଆତ୍ମୀୟ ତୋହର।

 

ସାର କର ଜୀବନରେ ପରସେବା ବ୍ରତ,

ବିସର୍ଜନ ଦେ ଗୋ ସୁଖ ଲାଳସା ସମସ୍ତ।

 

ସ୍ୱାମୀ ଛିନ୍ନ କରିଛନ୍ତି ପାର୍ଥିବ ବନ୍ଧନ,

ମାତ୍ର ଛିନ୍ନ ହୋଇ ନାହିଁ ଆତ୍ମାର ମିଳନ।

 

ମୋ କ୍ଷୁଦ୍ର ଶକ୍ତି

ଭାଗବତ ବୃତ୍ତ

ହେ ବ୍ରହ୍ମ ମଙ୍ଗଳ ଆକାର!            ଏତିକି ପ୍ରାର୍ଥନା ମୋହର।

ତୁମ୍ଭ ଚରଣେ ଥାଉ ଭକ୍ତି,            ଏହି ମୋହର କ୍ଷୁଦ୍ର ଶକ୍ତି

ତୋ ବରେ ହେଉ ବଳଶାଳୀ,            ଭାଷା ସେବାରେ ଦେବି ଢାଳି।

ମୃତ୍‌କଣା ଘେନି ଉଇମାନେ            ନିଯୁକ୍ତ ବାଲ୍ମୀକ ନିର୍ମାଣେ।

ଦେଖି ମୁଁ ଏହି ନିଦର୍ଶନ            ମାତୃଭାଷାରେ ଦେଲି ମନ।

କାହିଁ ମୋ ସମ୍ପ୍ରତି ସମ୍ବଳ,            ତୁମ୍ଭରି କୃପାରେ କେବଳ

ପୋଷିଛି ହୃଦୟରେ ଆଶା,            ସେବା କରିବି ମାତୃଭାଷା।

କାହିଁ ମୋ ଶକ୍ତି କ୍ଷୁଦ୍ରକାର,            କାହିଁ ବା ଦେଶ ଉପକାର!

ହେ ପ୍ରଭୋ! ତୁମ୍ଭ କରୁଣାରୁ            ହେବାକୁ ପାରେ ଦୁବ ଦାରୁ।

ତୁମ୍ଭ କରୁଣା ପୋଷି ମନେ            ଧାଇଁଛି ଅସାଧ୍ୟ ସାଧନେ।

ତୁମ୍ଭର ନାମକୁ ସମ୍ବଳ            ହେ ପ୍ରଭୋ କରିଛି କେବଳ।

ସମ୍ପିଛି ତୁମ୍ଭ ପଦେ ପ୍ରାଣ,            କରନ୍ତୁ ମୋତେ ପରିତ୍ରାଣ।

ଦେଇ ମୁଁ ସମସ୍ତ ଜୀବନ            କରିବି ଆଦେଶ ପାଳନ।

ପଡ଼ିଲେ ଦୁଃଖ ଅନ୍ଧକାରେ            ଆଶା ଭରସା ତୁମ୍ଭଠାରେ।

ରଖି ମୁଁ ଲଭଇଁ ସାନ୍ତ୍ୱନା,            ଯାତନା ଯାଏ ନାହିଁ ଜଣା।

ତୁମ୍ଭକୁ ଛାଡ଼ି ମୋର ପ୍ରାଣ            ହୋଇ ପଡ଼ଇ ମୁହ୍ୟମାନ।

ହେ ମହାପ୍ରଭୁ ଭଗବାନ!            ତୁମ୍ଭ ଚରଣେ ଦିଅ ସ୍ଥାନ।

 

ଘରବାହୁଡ଼ା ବାଟୋଇ

ରାଗ - କଳହଂସ କେଦାର

ପକ୍ଷୀଏ ଆକାଶରୁ ଗଲେଣି ଉଡ଼ି,

ଅସ୍ତାଚଳରେ ସୂର୍ଯ୍ୟ ଗଲେଣି ବୁଡ଼ି,

ଚତୁର୍ଦିଗରୁ ଘୋଟି ଆସେ ତିମିର,

ବାହୁଡ଼ିଛି କୃଷକ କ୍ଳାନ୍ତଶରୀର।

 

ଗୋଗୋଷ୍ଠ ଦୃଶ୍ୟ ହୁଏ ନାହିଁ ପ୍ରାନ୍ତରେ

ଗଲେଣି ବିଶ୍ରାମକୁ ବାହୁଡ଼ି ଘରେ,

ଗୋଷ୍ଠରୁ ବଣା କାହିଁ ଗୋଟାଏ ଗାଭୀ

ଟେକିଣ ପୁଚ୍ଛ ଗୃହେ ଧାଇଁଛି ରାବି।

 

ମାର୍ଗ ବୃକ୍ଷରେ କାହିଁ ରାବେ ଉଲ୍ଲୂକ,

ମଣ୍ଡିତ ଡାଳ ପତ୍ରେ ଖଦ୍ୟୋତ ପୋକ,

ବିଲୁଆ ବିଲ ମଧ୍ୟେ ଧାଏଁ ଚଞ୍ଚଳେ

ଆହାର ଲୋଡ଼ିବାକୁ ଭୋକବିକଳେ।

 

ଆକାଶେ ଦୁଇ ଚାରି ଫୁଟିଛି ତରା,

ଅଳସେ ଆଖି ମେଲି ଚାହୁଁଛି ପରା,

ମାଡ଼ି ଆସେ ଅନ୍ଧାର ପ୍ରବଳ ହୋଇ,

ନିର୍ଜନ ମାର୍ଗେ ଚଳେ ଏକ ବାଟୋଇ।

 

ଥକି ଗଲାଣି ଚାଲି ଦିବସଯାକ,

କ୍ଷୁଧା ତୃଷ୍ଣାରେ ମୁଖୁଁ ନ ସ୍ଫୁରେ ବାକ୍ୟ,

ସର୍ବାଙ୍ଗ ହୋଇଛି ତା ଧୂଳିଧୂସର,

ପୋଷି ଚାଲିଛି ମନେ ଆଶା ମାତର।

 

ଗ୍ରାମକୁ ଲକ୍ଷ୍ୟ କରି ଅଛି ସେ ଧାଇଁ,

ଆନ ଦ୍ରବ୍ୟରେ ଦୃଷ୍ଟି କିଞ୍ଚିତେ ନାହିଁ,

ଦୃଷ୍ଟି ରଖିଛି ମାତ୍ର ଗ୍ରାମ ପ୍ରତି ସେ,

ଚାହେଁ ଅନ୍ଧାର ମଧ୍ୟେ ଗ୍ରାମ କି ଦିଶେ।

 

ଅପାର ଦିନୁ ରହିଥିଲା ବିଦେଶେ,

କାଟିଛି କାଳ ତହିଁ କାୟର କ୍ଳେଶେ,

ପୋଷିଛି ଆଶା ମନେ ମିଳିବ ଘରେ,

ଯୁତ୍ର କଳତ୍ରେ ଦେଖିବ ସେ ନେତ୍ରରେ

 

 

ଗ୍ରାମର ଛାୟା ଦୂରୁ ଦିଶିଲା ନେତ୍ରେ,

ନିବିଡ଼ ନୀରଦ କି ଉଦୟ କ୍ଷେତ୍ରେ,

ଦିଶିଲା ତହୁଁ ଏକ କ୍ଷୀଣ ଆଲୋକ,

ଶୁଭିଲା ଅଳ୍ପ ଗ୍ରାମ ମନ୍ଦିର ଶଙ୍ଖ।

 

ଗ୍ରାମ ପ୍ରାନ୍ତ ପ୍ରାନ୍ତରେ ବିଲୁଆ ଥୋକେ

ମିଳି ରଡ଼ି ଛାଡ଼ନ୍ତି ହୋକେ ହୋ ହୋକେ,

ଚିହ୍ନା ବିଲୁଆ ପରି ହେଲା ପରତେ,

ଚଳିଲା ପୁଣି ବେଗେ ମନ ଉଷତେ।

 

୧୦

ଗ୍ରାମରେ ମିଳି ନିଜ ଦ୍ୱାର ପାଶରେ

କପାଟେ ହାତ ମାରି ଡାକେ ଉଚ୍ଚରେ,

ମାତ୍ର ତ ଦେଉ ନାହିଁ ଉତ୍ତର କେହି,

ଅଥବା ଦେଉ ନାହିଁ କପାଟ ଫେଇ।

 

୧୧

କିଛିକ୍ଷଣ ଉତ୍ତାରେ ତୁଣ୍ଡକୁ ବାରି

ଅଇଲା ଦ୍ୱାର ଫେଇ ଘରୁ ବାହାରି

ମଳିନବେଶା ଏକ ଛିନ୍ନବସନା

ଶିଶୁ ଯୁଗଳ କୋଳେ ଏକ ଲଳନା।

 

୧୨

ସେ ତିନିଗୋଟି ପ୍ରାଣୀ ପ୍ରେମଗଦ୍ଗଦେ

ପଡ଼ିଲେ ଯାଇ ସେହି ବାଟୋଇ ପଦେ,

ଯେଉଁ ଆନନ୍ଦ ଜାତ ମୁଖକୁ ଚାହିଁ,

କବି ଅକ୍ଷମ ତାହା ବର୍ଣ୍ଣିବାପାଇଁ।

୧୩

ଜଗତ ସର୍ବ ସୁଖ ପ୍ରେମ ମାଧୁରୀ

ସେହି ମିଳନେ ଅଛି ସମ୍ପୂର୍ଣ୍ଣ ପୂରି,

ଏତିକି ସିନା ଜଗତର ବନ୍ଧନ,

ଆବଦ୍ଧ ଛନ୍ତି ତହିଁ ସକଳ ଜନ।

 

ହତାଶ ପାନ୍ଥ ଓ ଋଷିପୁତ୍ରୀ

ଗରା - ମଙ୍ଗଳ

କିଏ ତୁ ମା! ତୋହ ଘର ବୋଲ କେଉଁ ଦେଶେ?

ମୋ ପାଶେ କିପାଇଁ ଆସିଅଛୁ ଦେବୀ ବେଶେ?

 

ହାତ ଧୋଇ ବସିଥିଲି ସର୍ବ କାର୍ଯ୍ୟ ସାରି,

ଶୁଭ ଯାତ୍ରା ଅନୁକୂଳେ ପାନ୍ଥ ବେଶଧାରୀ।

 

ଏଡ଼େ ପୃଥ୍ୱୀଟାରେ ସ୍ଥାନ ହେଲା ନାହିଁ ବୋଲି,

ଏପରି ତ ଲୋକ ଛନ୍ତି ଦେଉଥିଲେ ପେଲି।

 

ବ୍ୟାଧିର ଜଞ୍ଜାଳେ ପ୍ରାଣେ ଆଶା ଥିଲା ନାହିଁ,

ସଜ ହେଉଥିଲି ନିଜ ଧାମେ ଯିବାପାଇଁ।

 

କି ମୁହୂର୍ତ୍ତେ ଅଇଲୁ ମା ଋଷିର ନନ୍ଦିନୀ !

ତୁ କିରେ ପଢ଼ିଛୁ ମନ୍ତ୍ର ମୃତ-ସଞ୍ଜୀବନୀ?

 

ତୋହ କର ପରଶରେ ଦେହୁଁ ବ୍ୟାଧିଗଣେ

ଛାଡ଼ି ପଳାଇଲେ ରହି ନ ପାରିଲେ କ୍ଷଣେ।

 

କିବା ସ୍ୱାର୍ଥ ଅଛି ତୋର ବୋଲ ମା ମା ରାଣୀ !

କିପାଇଁ ପଛକୁ ମୋତେ ଧରିଛୁ ତୁ ଟାଣି?

 

ଦୟାବତୀ

ରାଗ - ମଙ୍ଗଳ

ନ ବୋଲ ନ ବୋଲ, ଥିଲା ନାହିଁ ତା କରୁଣା,

ଦିନେ ମୁଁ ତ ଦେଖି ନାହିଁ ସ୍ନେହ, ପ୍ରୀତି ଊଣା!

 

କଣ୍ଟକରୁ ରକ୍ଷାପାଇଁ ମୋର ପଦତଳ

ସହଜେ ବିସ୍ତାର କରି ଦିଏ ବକ୍ଷସ୍ଥଳ।

 

କୁଶଳେ ରଖିବାପାଇଁ ମୋ ଶରୀର ମନ

ଏକାବେଳେ ଥିଲା କରି ଆତ୍ମବିସର୍ଜନ।

 

ଥିଲା ନାହିଁ ତାର ଲୋକଦେଖାଣି ପ୍ରକୃତି,

ଆତ୍ମସୁଖେ ଥିଲା ନାହିଁ ତାହାର ପ୍ରବୃତ୍ତି।

 

ଜଣାଥିଲା ନାହିଁ ତାକୁ ନୀତି ସାର ମର୍ମ,

ମୋ କୁଶଳେ ପ୍ରାଣ ଦେବା ମଣିଥିଲା ଧର୍ମ।

 

କରିଥିଲା ସେବା ବ୍ରତ ଶାସ୍ତ୍ର ଅଧ୍ୟୟନ,

ସରଳତା ପବିତ୍ରତା ହୃଦୟଭୂଷଣ।

 

ତେବେ କିପାଁ ଗଲା ଦେଇ ଦୁଃଖରେ ଭସାଇ?

ବିଧିର ବିଧାନ ଯାହା କେ ପାରେ ଖଣ୍ଡାଇ?

 

ମୃତ୍ୟୁର ନିମନ୍ତ୍ରଣ

ରାଗ - ମଙ୍ଗଳ

ବୋଲିବା ହେଉନ୍ତୁ ଆହେ ସୁହୃଦୟ ମରଣ।

କେବେ ମୋର ନିମନ୍ତ୍ରଣ କରିବେ ଗ୍ରହଣ?

 

ଆହେ ବନ୍ଧୋ! ଆପଣଙ୍କୁ କରୁଛି ଜୁହାର,

ଆସ ଆସ ବୋଲ ମୋତେ ସ୍ୱର୍ଗ ସମାଚାର।

 

ହେ ମୃତ୍ୟୁ! ତୁମ୍ଭଙ୍କୁ କରେ ଯେଉଁ ଲୋକ ଭୟ,

ନିର୍ବୋଧ! ନିର୍ବୋଧ! ସେହି ନିର୍ବୋଧ ନିଶ୍ଚୟ!

 

ଯେଉଁ ଲୋକ ଘେନିଯିବ ସୁଧାମୟ ସ୍ଥାନେ,

ତାହାକୁ ବୋଲିବି ଶତ୍ରୁ ବୋଲ କେଉଁ ପ୍ରାଣେ?

 

ଉଦ୍ଧାର ପାଇବି ଯାହା ଯୋଗେ ଯାତନାରୁ,

ଅଧିକ କେ ହିତକାରୀ ଅଛି ତାହାଠାରୁ?

 

ଅନନ୍ତ ଅମୃତ ଧାମୁ ମୁହିଁ ଅଛି ଆସି,

ପୃଥିବୀ ମଧ୍ୟରେ ରହିଛି ତ ପରବାସୀ;

ଅନେକ କାଳରୁ ରହିଅଛି ଜଗତରେ,

ଶ୍ରାନ୍ତ କ୍ଳାନ୍ତ ହେଲି, ନାହିଁ ସାମର୍ଥ୍ୟ ଦେହରେ।

 

ପରବାସେ ରହିବାକୁ ନାହିଁ ଆଉ ମନ,

ସ୍ୱସ୍ଥାନକୁ ଯିବାପାଇଁ ଚିତ୍ତ ଉଚ୍ଚାଟନ।

 

ତୁମ୍ଭ ବିନା କାହାକୁ ତ ଆଉ ଦେଖୁ ନାହିଁ,

ଆହେ ମିତ୍ର! ସ୍ୱସ୍ଥାନକୁ ଘେନିଯିବା ପାଇଁ।

 

ଏକମାତ୍ର ସାହା ତୁମ୍ଭେ ନେବାକୁ ସ୍ୱସ୍ଥାନେ,

ଆସ ଆସ ବନ୍ଧୋ! ଆସ ବେଗେ ସନ୍ନିଧାନେ।

 

ଆନନ୍ଦ, ଉଲ୍ଲାସ, ସୁଖ, ଦୁଃଖ, ସ୍ୱାସ୍ଥ୍ୟ, ରୋଗ,

ସଂସାରର ସର୍ବଦ୍ରବ୍ୟ କରିଛି ସମ୍ଭୋଗ।

 

ବାରମ୍ବାର ଏକ ଦ୍ରବ୍ୟ ଭୁଞ୍ଜିବାର ପାଇଁ,

ଆହେ ବନ୍ଧୋ! ଆଉ ମୋର ଇଚ୍ଛା ବଳୁ ନାହିଁ।

 

ଯା ଦେଖ ଏ ସ୍ଥାନେ ଆନନ୍ଦର କୋଳାହଳ,

ମନରେ ବିତୁଛି ଏହା ମହାକାଳ ଫଳ।

 

ଏହି ଫଳ ଭୁଞ୍ଜି ଭୁଞ୍ଜି ହେଲାଣି ଅରୁଚି,

ତୁମ୍ଭର ପରଶେ ହେଉ ଆତ୍ମା ମୋର ଶୁଚି l

ହେଲାଣି ଆବାସ ଗୃହ, ବନ୍ଧୋ! ଜରାଜୀର୍ଣ୍ଣ,

ପୁଣି ମୁଁ ଦେଖୁଛି ଏହା ନିତାନ୍ତ ସଂକୀର୍ଣ୍ଣ,

 

ଉଡ଼ିବ ଯେ ବିହଙ୍ଗମ ଅନନ୍ତ ଆକାଶେ,

କରେ କି ସନ୍ତୋଷ ଲାଭ ରହି କ୍ଷୁଦ୍ରାବାସେ?

 

ଆସ ବନ୍ଧୋ! ଆସ ମିଳି ବେନି ଜଣ

ଅନନ୍ତ ଆକାଶ ମାର୍ଗେ କରିବୁଁ ଭ୍ରମଣ।

 

ଅନନ୍ତ ଅଗମ୍ୟ ମାର୍ଗ ମଣିବି କିପରି,

ଆହେ ମିତ୍ର! ଘେନିଯାଅ ମୋହ ହାତ ଧରି।

 

ରଖିଛି ଯେତେକ କରି ମାର୍ଗର ସମ୍ବଳ,

ତେତିକି ମାତ୍ରକ ଘେନିଯିବି ମୁଁ କେବଳ।

ଯାହା କିଛି ଅରଜିଛି ପାର୍ଥିବ ସମ୍ପତ୍ତି,

ନ ଛାଡ଼ିବ ପୃଥ୍ୱୀ ମାଧ୍ୟ-ଆକର୍ଷଣ ଶକ୍ତି।

 

ଆହେ ମିତ୍ର! ତୁମ୍ଭେ ମୋର ପାପ ପୁଣ୍ୟ ସାକ୍ଷୀ,

ତୁମ୍ଭଠାରେ ବୁଝିବାକୁ ନାହିଁ କିଛି ବାକୀ।

 

କେତେ ଦେବ, କେତେ ଦେବୀ, ରାକ୍ଷସ, ରାକ୍ଷସୀ,

ହୃଦୟ କୁଟୀର ମଧ୍ୟେ ରହିଛନ୍ତି ବସି।

 

ସ୍ନେହ, ମାୟା, ଦୟା, ହିଂସା, କ୍ରୋଧ, ଅଭିମାନ

କ୍ଷୁଧା, ତୃଷ୍ଣା, ଭୟ, ଗର୍ବ, ମାତ୍ସର୍ଯ୍ୟ, ସମ୍ମାନ,

ବାସନା, ସାଧନା, ଅଶ୍ରୁ, ହାସ୍ୟ, ପରିହାସ,

 

ଏ ସକଳ ହୃଦ ମଧ୍ୟେ କରିଛନ୍ତି ବାସ।

କେତେ ବା ଆଲୋକ, ଛାୟା, ଗୀତିମୟୀ ଭାଷା,

ଲାଳସା, ପ୍ରବୃତ୍ତି କେତେ ସୀମାହୀନ ଆଶା,

ଜାଗରିତ ହୋଇ ପ୍ରତିଦିନ ପ୍ରଭାତରେ

ଲଗାନ୍ତି ବିବିଧ ଲୀଳା ହୃଦୟ ମଧ୍ୟରେ।

 

ସାଗରେ ଲହରୀ ସୀମା ପରି ସୀମା ନାହିଁ,

ଏକ ପଛେ ଆନ ଅବିଶ୍ରାନ୍ତ ଛନ୍ତି ଧାଇଁ।

 

ଏକ୍ଷୁଦ୍ର କୁଟୀରେ ସର୍ବେ ମେଲିଛନ୍ତି ରାଜ୍ୟ,

ସାଧୁଛନ୍ତି ମିଳି ସର୍ବେ ନିଜ ନିଜ କାର୍ଯ୍ୟ।

 

ଯେ ମୁହୂର୍ତ୍ତେ ଆଗମନ କରିବେ ଆପଣ,

ନିମିଷେ ପାରିବେ ନାହିଁ ରହି ଏକ ଜଣ।

 

ସେମାନଙ୍କ ମଧ୍ୟେ ଅଛ ଧରି ମୌନବ୍ରତ,

ବୋଲ ବୋଲ କେତେ କାଳ ରହିବ ଏମନ୍ତ?

ଉଠିବ ଯେ କାଳେ ଆହେ ବନ୍ଧୋ! ଦେହ ଝାଡ଼ି,

ଆତଙ୍ଗରେ ସେ ସମସ୍ତେ ପଳାଇବେ ଛାଡ଼ି।

 

ଏହି ଦେବ ଦେବୀ ନିଶାଚରୀ ନିଶାଚରେ,

ବସା ବାନ୍ଧି ରହିଛନ୍ତି ହୃଦୟ ମଧ୍ୟରେ।

 

ବସା ଭାଙ୍ଗିଦିଅ ବନ୍ଧୋ! ସର୍ବେ ଭୟ ପାଇ

ବର୍ତ୍ତମାନ ଛାଡ଼ି ମୋତେ ଯାଉନ୍ତୁ ପଳାଇ।

 

ଜାଣ ବନ୍ଧୋ। କିପାଁ ମୋର ଚିତ୍ତ ଉଚ୍ଚାଟନ?

ଜାଣ କିପାଁ ଧରୁ ନାହିଁ ପୃଥିବୀରେ ମନ?

 

ଶାନ୍ତି ଦେଖୁ ନାହିଁ କ୍ଷୁଦ୍ର ପଞ୍ଜରୀ ମଧ୍ୟରେ,

ଇଚ୍ଛା, ଉଡ଼େଁ ମୁକ୍ତ ବାୟୁ ନୀଳ ଆକାଶରେ।

 

ମୋର ସୁଖ ଦୁଃଖ ସଙ୍ଗୀ ଛନ୍ତି ଯେଉଁ ଦେଶେ,

ସେ ସ୍ଥାନକୁ ଯିବି ଚାଲି ଛାୟାମୟ ବେଶେ।

 

ସୁଆଙ୍ଗ ବେଶରେ ରହି ପୃଥ୍ୱୀ ରଙ୍ଗାଳୟେ

ଜୀବନଟାଯାକ କାଟିଦେଲି ଅଭିନୟେ।

 

ସମାପ୍ତ ହୋଇଛି ସ୍ୱର ମୋ ସଂଗୀତଗ୍ରାମ,

ଯବନିକା ଅନ୍ତରାଳେ କରିବି ବିଶ୍ରାମ।

 

ଜୀବନର ସୁଖ ଦୁଖ ମର୍ମର ବେଦନା,

ଆହେ ମିତ୍ର! ତୁମ୍ଭକୁ ତ ସର୍ବ ଅଛି ଜଣା।

 

ସେ ଅନନ୍ତ ରାଜ୍ୟ ପ୍ରାନ୍ତ ଦେଖୁଅଛ ଆସି,

ଶୁଣିବି ସେ ଦେଶ କଥା ମନେ ଅଭିଳାଷୀ।

 

ବୋଲିବ କି ମିତ୍ର! ମୋତେ ସେ ଦେଶ ସମ୍ବାଦ,

ବୋଲ ବୋଲ ବନ୍ଧୋ! ମେଣ୍ଟୁ ଚିତ୍ତର ବିଷାଦ।

 

ଜାଣିଥିଲେ ଯେବା ଏକା ମୋର ମନ କଥା,

ଆଣିଛ କି ତାହାଙ୍କର କୁଶଳ ବାରତା?

 

ଯାଇଛନ୍ତି ମୋ ହୃଦୟ କରି ଅନ୍ଧକାର,

ବୋଲ ବୋଲ ତାହାଙ୍କର ଶୁଭ ସମାଚାର।

 

ସେ ଦେଶରେ ବର୍ତ୍ତମାନ ଅଛନ୍ତି କିପରି?

ଶୁଣିବ ବୋଲିବା ହେଉ ମୋତେ ଦୟା କରି।

 

ଆହେ ହୃଦୟର ବନ୍ଧୋ! ମୋତେ ଘେନି ଯାଇ

କେଉଁଦିନ ଦେବ ତାଙ୍କ ସଙ୍ଗରେ ଭେଟାଇ?

 

ଜଗତ ଜଞ୍ଜାଳେ ହେଲେ ବ୍ୟାକୁଳ ମୋ ମନ,

ବନ୍ଧୋ ହେ! ମୁଁ କରିଥାଏଁ ତୁମ୍ଭଙ୍କୁ ସ୍ମରଣ।

 

ବିଶାଳ ଜଗତ ମଧ୍ୟେ ତୃଣ ସମାନରେ

ପଡ଼ି ରହିଛି ତ ମୁହିଁ ନିଭୃତ ସ୍ଥାନରେ।

 

ଚାଲିଗଲେ କାହାରି ତ ନାହିଁ କିଛି କ୍ଷତି,

କାହାପାଇଁ କିସପାଇଁ ଭୁଞ୍ଜିବି ଦୁର୍ଗତି?

 

ଆସ ହାତ ଧରାଧରି ହୋଇ ବେନିଜଣ

ଅନନ୍ତର ଅନ୍ତଃପୁରେ କରିବୁଁ ଭ୍ରମଣ।

 

କେବେ ମୋ ଜୀବନ ବ୍ରତ ହେବ ଉଦ୍ୟାପନ?

କେତେ ଦିନଯାଏ ଜଗି ବସିବେ ଆପଣ?

 

ଉପଯୁକ୍ତ କାଳ ଜାଣି ଆସିବେ ଆପଣ,

ତେବେ କିପାଁ ମୋର ଅକିଞ୍ଚନ ନିମନ୍ତ୍ରଣ?

 

ଅନନ୍ତର ଅନ୍ତରାଳେ ଅଛ ତୁମ୍ଭେ ବୋଲି,

ଆସିବ ମୋ ପାଶେ ଏହା ଯିବି ନାହିଁ ଭୁଲି।

 

ଆସିବ ନିଶ୍ଚୟ ବନ୍ଧୋ! ତୁମ୍ଭେ ବେଳ ଜାଣି,

ନ ପାରିବି ରହି ଜଗତକୁ ଧରି ଟାଣି।

 

କରୁ ଘୃଣା, ଦେଉ କଷ୍ଟ, ରଖୁ ଅପମାନେ,

ତୁମ୍ଭ ଆସିବାର ଯାଏ ରହିବି ଏ ସ୍ଥାନେ।

 

ତୁମ୍ଭ ବଂଶୀରବ ଶୁଣି ଆହେ ମୃତ୍ୟୁମଣି!

ଯିବି ଚାଲି ଛିନ୍ନ କରି ଜଗତବନ୍ଧନୀ।

 

ନିର୍ଜନେ

ରାଗ - ମଙ୍ଗଳ

ପୃଥିବୀ ବିବିଧ ସୁଖ କରିଛି ସମ୍ଭୋଗ,

ଭୁଞ୍ଜିଛି ତ ସୁଖ, ଶାନ୍ତି, କଷ୍ଟକର ଭୋଗ।

 

ବିଡ଼ିଛି ଜୀବନେ ସୁଖ ଧନ ଉପାର୍ଜନେ,

ସମ୍ବାଦପତ୍ରିକା ପାଠ ଗ୍ରନ୍ଥ ଅଧ୍ୟୟନେ।

 

ବହୁରୂପ ସାଜି- ଅଛି ଲୋକଙ୍କୁ ଭୁଲାଇ,

ବକ୍ତୃତା କରିଛି କେତେ ସଭାସ୍ଥଳେ ଯାଇ।

 

ସ୍ୱଦେଶେହିତୈଷୀ ବୋଲି ଜଣାଇଛି ଲୋକେ,

ମୋ ବକ୍ତୃତା ଶୁଣି ଠକି ଯାଇଛନ୍ତି ଥୋକେ।

 

ହେଉ ବା ନ ହେଉ କାର୍ଯ୍ୟ କିଞ୍ଚିତ ମାତର,

ଊଣା ଥିଲା କାହିଁ ବକ୍ତୃତାର ଆଡ଼ମ୍ବର?

ପର ଉପକାର କିମ୍ବା ପରର ଅନିଷ୍ଟ।

ଜୀବନ କାଳରେ କରି ଯାଇଛି ଯଥେଷ୍ଟ।

 

କରିଛି ମୁଁ କେତେ ଲୋକେ କେତେ ଅପମାନ,

ତ୍ରୁଟି କରି ନାହିଁ ପୁଣି ଦେବାକୁ ସମ୍ମାନ।

 

ନାଚି କୁଦି ହସି ଖେଳି ବିଷାଦେ କ୍ରନ୍ଦନେ

ନାନାରୂପ ସୁଖ ଦୁଃଖ ବିତିଛି ଜୀବନେ।

 

ଥାଉ ଏବେ ସଭା ଗୃହ ସାନ୍ଧ୍ୟ ସମ୍ମିଳନ,

ଥାଉ ନାଟ୍ୟଶାଳା ଗୀତ ରେଲ ଇଷ୍ଟେସନ,

ଥାଉ ସେ ବଜାର ହାଟ ଲୋକ କୋଳାହଳ,

ଏବେ ତହୁଁ ଦେଖୁଛି ତ ଅଶାନ୍ତି କେବଳ।

 

ଲୀଳାମୟ ରଙ୍ଗାଳୟେ ଧରୁ ନାହିଁ ମନ,

କରିଛି ନିବୃତ୍ତି- ସ୍ରୋତେ ଆତ୍ମବିସର୍ଜନ।

 

କାଳସିନ୍ଧୁ ଛୁଏଁ ଛୁଏଁ ଜୀବନର ସ୍ରୋତ,

କଦାଚ ଅବଶ୍ୟ ମନ-ବାରଣ ଉନ୍ମତ୍ତ।

 

ଦୀପ ଶିଖା ତେଜିଅଛି ଜୀବନ-ପତଙ୍ଗ,

ନିର୍ବିଷ ନିସ୍ତେଜ କାଳସ୍ୱରୂପ ଭୁଜଙ୍ଗ।

 

ନିଃଶବ୍ଦେ ବାହିତ ଜୀବସ୍ରୋତ ଧୀରେ ଧୀରେ,

ନିଃଶବ୍ଦେ ମିଳିବ ଯାଇ କାଳସିନ୍ଧୁ ନୀରେ।

 

ନିତାନ୍ତ ବିଚିତ୍ର ମୋର ଜୀବନସମସ୍ୟା,

ହରି ହରି ବୋଲ ମୋର ହେଲାଟି ‘‘ଭୀମସ୍ୟା-’’

 

ଥାଉ ଏବେ ସବୁ କଥା ଅନ୍ଧାର ନିର୍ଜନେ,

କରିବି ବିଭୁଙ୍କୁ ଚିନ୍ତା ଏହି ବାଞ୍ଛା ମନେ।

 

ଭବିଷ୍ୟତ

ରାଗ - ମଙ୍ଗଳ

ଆହେ ଭବିଷ୍ୟତ ଦେବ! ବସି ସମ୍ମୁଖରେ

ଗଠନ କରୁଛି କେତେ ଦ୍ରବ୍ୟ ସ୍ୱହସ୍ତରେ,

ପ୍ରତିଦିନ ଉଦୟାସ୍ତ ଚନ୍ଦ୍ରମା ତପନ,

 

ପ୍ରବାହିତ ହେବେ ସମୀରଣ ପ୍ରତିକ୍ଷଣ,

ପ୍ରତିଦିନ ରଜନୀରେ ସୁନୀଳ ଆକାଶେ

ଅସଂଖ୍ୟ ତାରକାମାଳା କିରଣ ପ୍ରକାଶେ,

 

ପ୍ରାତଃ ସନ୍ଧ୍ୟା ନିୟମରେ କରିବ ସୃଜନ,

ଧାଇଁବେ ସ୍ୱକକ୍ଷେ ଗ୍ରହ ଉପଗ୍ରହଗଣ,

ଯଥାକାଳେ ନିୟମରେ ହେବ ଜଳବୃଷ୍ଟି,

 

ଅବନୀମଣ୍ଡଳେ ରକ୍ଷାପାଇଁ ଜୀବସୃଷ୍ଟି,

ଦିବା, ନିଶି, ମାସ, ଋତୁ, ବର୍ଷ, ନିୟମରେ

କରିବି ସୃଜନ ଏହି ସର୍ବ ସ୍ୱହସ୍ତରେ।

 

ପ୍ରତ୍ୟେକ ପ୍ରାଣୀର ଯାହା ଯାହା ପ୍ରୟୋଜନ,

ହେ ଦେବ! କରିବ ସର୍ବ ଆପଣେ ସୃଜନ,

ଉତ୍ସବ ଉଲ୍ଲାସ କେତେ ବିଷାଦ କ୍ରନ୍ଦନ,

ହାହାକାର ଦୀର୍ଘ ଶ୍ୱାସ ବିଚ୍ଛେଦ ମିଳନ,

ସୃଜନ କରିବେ ଏହି ସର୍ବ ସ୍ୱହସ୍ତରେ,

 

ଗତାୟାତ ହେଉଥିବେ ସ୍ୱପ୍ନ ସମାନରେ,

କେତେ କାଳଯାଏ ବସି କରିବ ଏ କାର୍ଯ୍ୟ,

ହେ ଦେବ! ଏଥିରେ କିହେ ନାହିଁ ସୀମା ଧାର୍ଯ୍ୟ

 

ଅବା ଅବିଳମ୍ବେ କରିଦେବ କାର୍ଯ୍ୟ ଶେଷ,

ବ୍ରହ୍ମାଣ୍ଡର ଚିହ୍ନ ମାତ୍ର ନ ରହିବ ଲେଶ,

ତୁମ୍ଭ ବିନା ଏ ରହସ୍ୟ କେ ପାରିବ ଜାଣି,

କି ଜାଣିବି ମୁହିଁ କ୍ଷୁଦ୍ରାଦପି କ୍ଷୁଦ୍ର ପ୍ରାଣୀ!

 

ଥାଉ ସେ ସୃଷ୍ଟିର କଥା କରୁଛି ଜଣାଣ,

ମୋହପାଇଁ କରିବଟି କି ଦ୍ରବ୍ୟ ନିର୍ମାଣ,

 

କେତେ ଦୁଃଖ କେତେ ସୁଖ ସୃଜିବ ଗୋସାଇଁ?

ହେ ଦେବ! ତା ବର୍ତ୍ତମାନ ବୋଲିବ କି ନାହିଁ ?

ନ ବୋଲନ୍ତୁ ଜାଣିବାର କିବା ପ୍ରୟୋଜନ,

 

ମୋ ଭାରତ ସ୍ୱହସ୍ତରେ ଘେନିଛ ଆପଣ,

ସାଧବା ହେଉନ୍ତୁ ଦେବ! ଆପଣା କର୍ତ୍ତବ୍ୟ,

ମୋ ପକ୍ଷରେ ଜାଣିବାର ନିଶ୍ଚେ ଅସମ୍ଭବ।

 

ଗତ ଜୀବନର କଥା ଅଛି ଭୁଲି ଯାଇ,

ଚିତ୍ରଗୁପ୍ତ ପଞ୍ଜିକାରେ ରଖିଛ ଲେଖାଇ,

ଲୁଚାଇ ପାରିବ ନାହିଁ ମାତ୍ର ମୋ ପାଶରେ,

କିଛି କିଛି ପାରେ ଜାଣି ପ୍ରଭୁଦତ୍ତ ବରେ।

 

ନ ବୋଲ ପଛକେ ପ୍ରଭୋ! ଫେଡ଼ି ସେହି ସର୍ବ,

ଜାଣି ପାରେଁ ମୋହପାଇଁ ସୃଜିଛ ଯେ ଦ୍ରବ୍ୟ,

ଜୀବନରେ ଯାହା କରିଅଛ ଆଚରଣ,

ରଖିଛ ତ ସେଥି ଫଳ କରି ଆୟୋଜିନ।

 

ଗୋଲାପ ସୁନ୍ଦରୀ

ରାଗ- ରାମକେରୀ

ଫୁଟିଛି ଗୋଲାପ ସୁନ୍ଦରୀ

ଶୋଭା ମେଲି ଉଦ୍ୟାନେ,

ପ୍ରଫୁଲ୍ଲ କୁସୁମମଣ୍ଡଳେ

ପାଟରାଣୀ ସମାନେ।

 

ଛୁଅଁ ନା ଛୁଅଁ ନା ତାହାକୁ

ବଡ଼ କୋମଳଦେହୀ,

ତା ଅଙ୍ଗେ କଳଙ୍କ ଲାଗିବ

ଯେବେ ଛୁଇଁବ କେହି।

 

ହରିତ ପଲ୍ଲବ ବିଛାଇ

ଶୋଇଛି ତ ସୁନ୍ଦରୀ,

ସୁତୀକ୍ଷ୍ଣ କଣ୍ଟକମଣ୍ଡଳୀ

ରହିଛନ୍ତି ପ୍ରହରୀ।

 

ସେ ତ ବଡ଼ ଅଭିମାନିନୀ

ଥାଏ ଲାଜ ସରମେ,

ପରଶ କଲେକ ତାହାକୁ

ମରିଯାଏ ମରମେ।

 

ଗୁଣବତୀ ତାହା ସମାନେ

କେ ବା ଅଛି ସୁମନା,

ନ ଦେଖେଁ ତା ସଙ୍ଗେ କାହାକୁ

ଦେବାପାଇଁ ତୁଳନା।

 

ତାହାର ସୁଯଶ ପ୍ରଚାର

କରିବାରୁ ପବନ,

ଧାଇଁଛନ୍ତି ତାହା ପାଶକୁ

ଲୋଭେ ମଧୁପଗଣ।

 

 

 

ବଡ଼ ଦୟାବତୀ ଗୋଲାପ

ମନେ ନାହିଁ ତା ଲୋଭ,

ଭିକ୍ଷୁକ ମଧୁପଗଣକୁ

ବାଣ୍ଟିଦିଏ ସୌରଭ।

 

ଢଳି ଢଳି ନାଚୁଥାଏ ସେ

ଧୀର ମନ୍ଦପବନେ,

କିଞ୍ଚିତ କଳୁଷ କାମନା

ଜାତ ନାହିଁ ତା ମନେ।

 

ବିଧିରେ ବିଧାତା ବିଧାନ

କଲେ ପଦାର୍ଥଦ୍ୱୟ,

ସୁନ୍ଦର ଗୋଲାପ ସୁମନ

ସାଧୁଜନ ହୃଦୟ।

 

ପର ଉପକାର କାମନା

ଦୁହିଙ୍କର ହୃଦୟେ,

ଉଦାସ ପ୍ରୟାସ ସାଧନା

ସଦା ସ୍ୱାର୍ଥ ବିଷୟେ।

 

ଛି ଛି!! ସ୍ୱାର୍ଥପର ମାନବେ

ବୋଲ କେଉଁ ପ୍ରାଣରେ

ସ୍ୱର୍ଗର ସୁଷମା ପ୍ରାଣଟି

ଦଳିଦେଲ ହସ୍ତରେ?

 

ତୋହର କଳୁଷ ହସ୍ତଟା

ଦେଲୁ ତାହା ଅଙ୍ଗରେ,

ସଙ୍କୋଚ ଜାତ କି ନ ହେଲା

କେଭେ ତୋହ ମନରେ?

 

ମାନବ କଳୁଷ ନିଶ୍ୱାସ

ସହେ ବୋଲ କିପରି,

ବିଚିତ୍ର ପବିତ୍ର ତା ଅଙ୍ଗ

ଅଟେ ସୁରସୁନ୍ଦରୀ।

 

ମାଜଣା ବଢ଼ାଏ ନିୟମେ

ସ୍ୱର୍ଗୁ ପଡ଼ି ଶିଶିର,

ତାଳେ ତାଳେ ତାକୁ ନଚାଏ

ବହି ଧୀର ସମୀର।

 

ଧିକ ରେ ନିର୍ଦୟ ମାନବ

ତୋର ଅନ୍ୟାୟ କାର୍ଯ୍ୟ!

ନଷ୍ଟ କଲୁ ବୋଲ କିପାଇଁ

ଉଦ୍ୟାନର ସୌନ୍ଦର୍ଯ୍ୟ!

 

ବୋଲୁଛୁ ଦେବତା ସେବାରେ

ଦେବୁ ଏହି କୁସୁମ?

ନିର୍ବୋଧ ବୁଝିଲୁ ନାହିଁରେ

ତୁହି ଆପଣା ଭ୍ରମ!

 

ଯେ ମହାଦେବତା ପୁଷ୍ପଟି

ରଖିଥିଲେ ଏ ସ୍ଥାନେ,

ତାଙ୍କ ମହିମା କି ବୁଝନ୍ତି

ତୋହ ପରି ଅଜ୍ଞାନେ?

 

ଯାହାଙ୍କ ଆଜ୍ଞାରେ ବିସ୍ତାରେ

ସର୍ବ ପୁଷ୍ପ ସୌରଭ,

ତାହାଙ୍କୁ ପୂଜିବୁ କୁସୁମେ

ଆରେ ଅନ୍ଧ ମାନବ।

 

ପବିତ୍ରତା-ଜଳେ ଧଉତ

କରି ଭକ୍ତି- ସୁମନ,

ନିର୍ମଳ ହୃଦୟେ ପୂଜରେ

ମହାପ୍ରଭୁ ଚରଣ।

 

ଚାଲିଗଲା

ସତେ ସତେ ଯାଇଛି କି ଚାଲି

ହୃଦୟ ଭଣ୍ଡାର କରି ଖାଲି?

 

ତାହାର ମୁଁ କଲି କେଉଁ ଦୋଷ?

ବୋଲ ବୋଲ କିପାଁ ଏତେ ରୋଷ?

 

ତା ପାଶେ ତ ଥାଇ ନିତି ନିତି

ମୁଁ ଗାଇ ନାହିଁ ପ୍ରେମଗୀତି?

 

ବୋଲ ବୋଲ ବେନି ଯେ ହୃଦୟ

କରି କି ନ ଥିଲୁଁ ବିନିମୟ?

 

କଥା କି ନ ବୋଲେ ପାଶେ ବସି?

ନ ଯାଏଁ କି ପାଶେ ହସି ହସି?

କିପାଁ ତାର ଏଡ଼େ ଊଣା?

କିପାଁ ତାର ଏଡ଼େ ଅକରୁଣା?

ମୁଁ କି ତାକୁ କହି କଟୁ କଥା

ହୃଦୟେ କି ଦେଇଅଛି ବ୍ୟଥା?

ମଣି କି ନ ଥିଲି ତାକୁ ଧନ

 

 

କରି ସଦା ଆତ୍ମବିସର୍ଜନ?

ମୁଁ କି ଯାଇଥିଲି ତାକୁ ଆଣି?

ବଳେ ବଳେ ଆସି ଠାକୁରାଣୀ

 

ତାହାର ସମସ୍ତ ରୂପରାଶି

ସଙ୍ଗେ ସର୍ବ ଘେନି ଗଲା ଭାସି।

ନ କହି କି ଦୂରେ ଚାଲି ଯାଇ

ତାକୁ କିରେ ଥିଲି ମୁଁ କନ୍ଦାଇ?

ନାହିଁ ନାହିଁ ଥିଲା ଦୟାବତୀ,

ଛାୟା ପରି ଛାଡ଼େ ନାହିଁ ସତୀ।

 

ମୋ ପାଶରେ ଥାଏ ମୁଖ ଚାହିଁ,

ଡାକିବା ମାତ୍ରକେ ଆସେ ଧାଇଁ

ନ ପାରେ ସେ ମୋର କଷ୍ଟ ଦେଖି,

ଆଜି କିପାଁ ଗଲା ସେ ଉପେକ୍ଷି?

ଭକ୍ତିରେ ସେ ନେଇଁ ପଦଧୂଳି

ଦେହେ ହେଉଥିଲା ସୁଖେ ବୋଳି।

 

ମୋ ନେତ୍ରରେ ଦେଖେ ଯେବେ ଜଳ,

ନୟନ ତ କରେ ଛଳ ଛଳ।

 

ନିରତେ ଯେ କରୁଥିଲା ଧ୍ୟାନ,

ଏବେ ହେଲା ପାଷାଣୀ ସମାନ।

 

କେବେ କରି ନାହିଁ ଅବହେଳା,

ବୁଡ଼ାଇଣ ଗଲା ମୋର ଭେଳା

କହି ବୋଇ ଅଛି ଚାଲି ଯାଇ।

 

କିପରି ଆଣିବ ବାହୁଡ଼ାଇ?

ଯାଇ ସେ ରହିଛି ଯେଉଁ ଦେଶେ,

ଅବଶ୍ୟ ମୁଁ ଯିବି ତା ଉଦେଶେ।

 

କପୋତ ସଙ୍ଗୀତ

ରାଗ - କଳହଂସ କେଦାର

ଶାବକ ଦୁଇଗୋଟି ଜନନୀ ସଙ୍ଗେ

କରନ୍ତି କ୍ରୀଡ଼ା ନୀଡ଼ ମଧ୍ୟରେ ରଙ୍ଗେ l

 

ନୀଳ ଆକାଶେ ଦୂରଦେଶରୁ ଉଡ଼ି

ଖାଦଯ଼ ଘେନି କପୋତ ଆସେ ବାହୁଡ଼ି,

କପୋତ ପରିବାର ହୋଇ ଉଲ୍ଲାସ

ସଙ୍ଗେ କରନ୍ତି ସୁଖେ ସେ ଖାଦ୍ୟ ଗ୍ରାସ l

 

ଦୁଃଖ ସୁଖରେ ପୂର୍ଣ୍ଣ ବିଶ୍ୱସଂସାର,

ଚିରକାଳ ସମାନ ଗଲା କାହାର ?

କାଳ ଭୁଜଙ୍ଗ କାହୁଁ ଆସି ସେ ସ୍ଥାନ,

ସଂହାର କଲା ସେହି କପୋତୀ ପ୍ରାଣ l

ବୃଦ୍ଧ କପୋତ ତହୁଁ ବିକଳ ମନେ

ପାଳେ ଶାବକ ବେନି ପ୍ରାଣେ ଯତନେ,

ଥୋକେ ଦିନାନ୍ତେ ବେନି ଶାବକ ବଢ଼ି

ରଖି ମାୟା ଗଲେ ଦୂରକୁ ଉଡ଼ି l

 

ଥାଏ କପୋତ ଏକା ପଡ଼ି ନୀଡ଼ରେ,

ବିକଳେ କାଟେ ଦିନ ଶୂନ୍ୟ-ନୀଡ଼ରେ,

କାହାକୁ ଭାଳୁଥାଏ ଜାଣେ ତା ମନ,

ନିରତେ ଡାଳେ ବସି କରେ କ୍ରନ୍ଦନ l

 

ରଡ଼ି ଛାଡ଼ଇ ସେହି ହୋଇ ଦୁଃଖିତ,

ଏହାକୁ ଯେବେ ତୁମ୍ଭେ ବୋଲ ସଙ୍ଗୀତ,

ନିରାଶଭାବେ ପାଇ ମନରେ ବ୍ୟଥା

ଜଣାଏ ପ୍ରଭୁଠାରେ ମନର କଥା।

 

ନାହିଁ ସଂଗୀତ ଆଦି ନାହିଁ ତା ଅନ୍ତ,

ଗାଇବ ବସି ସେ ଜୀବନ ଯାବନ୍ତ,

କି ସୁଖ ପାଏ ସେହି ସଂଗୀତ ଗାନେ,

ତା ବିନା ମନକଥା ଆଉ କେ ଜାଣେ?

 

ଏତ ସଂଙ୍ଗୀତ ନୁହେଁ, ତା ମର୍ମବ୍ୟଥା,

ପ୍ରକାଶ କରୁଥାଏ ମନର କଥା,

ଅଥବା ମରୀଚିକା ପ୍ରତି ସେ ଧାଏଁ,

ଜୀବନ ପିପାସା ମେଣ୍ଟିବା ପାଏଁ!

 

୧୦

କ୍ରନ୍ଦନ କରିଅଛି ପ୍ରାଣେ ସମ୍ବଳ,

ଢାଳିବ ନିତ୍ୟ ବସି ନୟନ ଜଳ,

ବଳିପଡ଼ଇ ଯେବେ ମର୍ମ ବେଦନା,

ସଙ୍ଗୀତ କରି କି ସେ ପାଏ ସାନ୍ତ୍ୱନା।

 

୧୧

ଗାଇବ ଗୀତ ଯେବେ ବସି ସେ ଗାଉ,

ନିବାରଣ କେ କିପାଁ କରିବ ଆଉ,

ପବନେ ମିଶିଯାଉ ତା ଗୀତସ୍ୱର,

ନାହିଁ ତ କ୍ଷତି ବୃଦ୍ଧି କିଛି ମାତର।

 

୧୨

ଦେଖୁଛୁଁ ଯେପ୍ରକାର କପୋତ ରୀତି,

ଗାଇବ ବସି ତେଜି ମନରୁ ଭୀତି,

ଗୀତ ଗାଇ ସେ ଯେବେ ପାଏ ସାନ୍ତ୍ୱନା,

କେ ଲୋକ କିପାଁ ତାକୁ କରିବ ମନା?

 

୧୩

ନାହିଁ ରାଗ ରାଗିଣୀ ନାହିଁ ତା ତାନ,

କିପାଁ ବୋଲିବେ ଲୋକେ ଏହାକୁ ଗାନ?

ଚିତ୍‌କାର କରେ ନିତ୍ୟ ଏକସ୍ୱରରେ,

ଜଣାଏ ମନୋଭାବ ପ୍ରଭୁ ପାଶରେ ।

 

 

୧୪

ବସନ୍ତ ସମୀରଣ ଗ୍ରୀଷ୍ମ ନିଶିରେ,

ପ୍ରାବୃଟ ଘନାଗମେ ଶୀତ ଶିଶିରେ,

ନାହିଁ ତା କାଳାକାଳ କିଛିହିଁ ଜ୍ଞାନ,

ଦିବା ରଜନୀ ବସି କରୁଛି ଗାନ ।

 

୧୫

କିଅବା ଆଶା ସେହି ପୋଷିଛି ମନେ,

କେବେ ବା ଆସି କେହି ଦୟାଳୁ ଜନେ

ଦେଖାଇବେ ତା ପ୍ରତି ସହାନୁଭୂତି

ଏଥିପାଇଁ କି କରେ ସର୍ବଦା ସ୍ତୁତି ।

 

ପ୍ରଣତା ବଧୂ

ମଙ୍ଗଳ

ଉଠ ରେ ଉଠ ରେ ମୋର ଆନନ୍ଦପୁତ୍ତଳୀ!

ତୁ କି ରେ ନନ୍ଦନବନ ପାରିଜାତ କଳି?

 

କାହାର ନନ୍ଦିନୀ ତୁ ରେ କୁଞ୍ଚିତକୁନ୍ତଳା?

ଶୂନ୍ୟମୟ ଗୃହେ ମୋର ଶୋଭନା କମଳା?

 

ଅନ୍ଧକାର ଗୃହେ ମୋର ମାଣିକ ଦୀପ ରେ,

ଆମୋଦିତ କରୁ ପାରିଜାତ ସୌରଭରେ।

ଆସ ରେ ଆନନ୍ଦମୟୀ! ଆସ ରେ ରେ କଲ୍ୟାଣୀ!

ମୂର୍ତ୍ତିମୟୀ ଦୟା, ମାୟା, ଆଶୀର୍ବାଦ ବାଣୀ,

ଭକ୍ତିରେ ନେଉଛୁ ପୋଛି ମୋର ପଦଧୂଳି,

କଲ୍ୟାଣର କଣା ପରି ହେଉଛୁ ତୁ ବୋଳି।

 

କାହୁଁ ତୁ ଶିଖିଲୁ ଗୁରୁଭକ୍ତି ରେ କଲ୍ୟାଣୀ!

ଅହ୍ୟ ସୁଲକ୍ଷଣୀ ହୋଇ ରହ ରେ ମା ରାଣୀ!

 

ଆଶୀର୍ବାଦ କରେଁ ବତ୍ସେ ହେବୁ ସାଧ୍ୱୀ ସତୀ,

ଗାର୍ଗୀ ଅନୁସୂୟା ପରି ହେବୁ ପୁଣ୍ୟବତୀ,

ସାବିତ୍ରୀ ସମାନେ ହେବୁ ପତିପରାୟଣା

ମୈଥିଳୀ ସମାନେ ହେବୁ ରମଣୀଭୂଷଣା।

 

ଭକ୍ତି ଦୟା ପ୍ରୀତି ହେଉ ତୋ ଅଙ୍ଗଭୂଷଣ,

ଅକାତରେ ପରିଜନ କରିବୁ ପାଳନ।

 

ମଣିବୁ ତୁ ପିତା ପୁତ୍ର ପରି ସର୍ବ ଲୋକେ,

ବିଭୁର କରୁଣାଧାରା ପଡ଼ୁ ତୋ ମସ୍ତକେ।

 

ସଦ୍ୟ ମୃଗମଦ ପରି ବିକାଶୁ ତୋ ଯଶ,

କଳଙ୍କ କାଳିମା ତୋତେ ନ କରୁ ପରଶ।

 

ତୋହ ଯୋଗେ ହେଉ ବତ୍ସେ ମୋ କୁଳ ଉଜ୍ଜ୍ୱଳ,

ବୃଦ୍ଧକାଳେ ପୁତ୍ରୀ! ତୋତେ କରିବି ସମ୍ବଳ।

 

ମଣ୍ଡିତା ହେବୁ ରେ ମାତା ଧର୍ମ-ଅଳଙ୍କାରେ,

ମନ ଦେବୁ ଜ୍ଞାତି ବନ୍ଧୁ ଅତିଥି ସେବାରେ।

 

ଧନେ ପୁତ୍ରେ ଦୁଧେ ଭାତେ ଦେହର କୁଶଳେ

କର ବାସ ରଖି ଚିତ୍ତ ପ୍ରଭୁ ପଦତଳେ ।

 

ମୋ ଗ୍ରାମ ମଲ୍ଲିକାଶପୁର

ରାଗ-ମଙ୍ଗଳ

ଅଟ୍ଟାଳିକାମାଳାପୂର୍ଣ୍ଣ ସୁନ୍ଦର ନଗର,

ଉଜ୍ଜ୍ୱଳ ତରଙ୍ଗମାଳା ନୀଳିମା ସାଗର,

କେତେ ନଦ କେତେ ନଦୀ ଗିରି ଅରଣ୍ୟାନୀ,

ହାଟ ଗ୍ରାମ ଲୋକପରିପୂର୍ଣ୍ଣ ରାଜଧାନୀ,

ସ୍ଥାନେ ସ୍ଥାନେ ଭ୍ରମି ଭ୍ରମି ଦେଖିଲି ଜୀବନେ,

ସେ ଗ୍ରାମ ଚିତ୍ରଟି ମାତ୍ର ଭାସୁଛି ନୟନେ।

 

ଯାଏଁ ଯହିଁ ଥାଏଁ ଯହିଁ ପଡ଼େ ସେ ମନରେ,

ବଳେ ମନ, ଧାଇଁ ଯାଇ ଦେଖିଆସେଁ ଥରେ।

 

ସତକଥା ନାହିଁ ତହିଁ ବିଶେଷ ସମ୍ପତ୍ତି,

ମାତ୍ର ଅଛି ତହିଁ ଚିତ୍ତବିମୋହିନୀ ଶକ୍ତି।

 

ଧନହୀନ ଶୋଭାହୀନ ସୌନ୍ଦର୍ଯ୍ୟବିହୀନ,

ତଥାପି ସେ ଗ୍ରାମ ମନେ ପଡ଼େ ପ୍ରତିଦିନ।

 

ସନ୍ଧ୍ୟାରେ ବଜାନ୍ତି ଶଙ୍ଖ ଗ୍ରାମନାରୀମାନେ,

ଦେବାଳୟେ ଘଣ୍ଟ ବାଜୁଥାଏ ତାନେ ତାନେ,

 

କାହିଁ ତ ଦେଖିଲି ନାହିଁ ସେ ମାଧୁରୀ ସନ୍ଧ୍ୟା,

ନ ଫୁଟେ ସେପରି ଚମ୍ପା ମଲ୍ଲୀ ରାତ୍ରିଗନ୍ଧା।

 

ଗ୍ରାମ ପୋଖରୀରେ ଫୁଟେ ଯେଉଁ କଇଁଫୁଲ,

ନ ଦେଖିଲି କାହିଁ ସେହି ଫୁଲ ସମତୁଲ।

 

ନିଶିମୁଖେ ପଲପଲ ଉଡ଼ନ୍ତି ବାଦୁଡ଼ି,

ମାଳମାଳ ଗେଣ୍ଡାଳିଆ ଯାଉଥାନ୍ତି ଉଡ଼ି,

ଧୀରେ ଧୀରେ ବହୁଥାଏ ଶୀତଳ ପବନ,

 

ବାହାର ମେଲାରେ କରିଥାଏଁ ମୁଁ ଶୟନ,

ସେ ଚାନ୍ଦନୀ ନିଶି ପୁଣି ସେ ଶୀତଳ ବାୟୁ,

ଦେଶେ ନେଶେ ବୁଲି କାହିଁ ନ ଦେଖିଲି ଆଉ।

 

ସେ ଗ୍ରାମର ଦାଣ୍ଡେ ଅଛି ଯେଉଁ ବାଲିଧୂଳି,

ପିଲା ଖେଳବେଳେ ହେଉଥିଲି ଦେହେ ବୋଳି,

ସେହି ଧୂଳି ସେହି ବାଲି ପଡ଼ୁ ମୋ ଦେହରେ,

ଏହିପରି କେତେ ଥର ଭାଳେଁ ମୁଁ ମନରେ।

 

ସେହି ଯେ ବାସଙ୍ଗ, ଗେଣ୍ଡୁ ଫୁଟେ ଶୀତକାଳେ,

ପେନ୍ଥା ପେନ୍ଥା କସି ଆମ୍ବ ଝୁଲୁଥାଏ ଡାଳେ,

 

ସେ ଫୁଲ ସୌରଭ କଷି ଆମ୍ବର ମାଧୁରୀ,

ନ ପାଇଲି କାହିଁ ସାରା ଭାରତଟା ଘୁରି।

 

ସେ ଗ୍ରାମର ପଶୁ ପକ୍ଷୀ ଛନ୍ତି ଯେ ସମସ୍ତେ,

ବିଚାରେଁ ମନରେ ଅବା ଖୋଜୁଛନ୍ତି ମୋତେ।

 

ସେ ଗ୍ରାମ ବରଷା ଗ୍ରୀଷ୍ମ, ସେ ଗ୍ରାମର ଶୀତ,

ନ ପାଇଲି କାହିଁ ତାହା ମାଧୁରୀ କିଞ୍ଚିତ।

 

କରନ୍ତୁ ପଛକେ ସେହି ଗ୍ରାମଲୋକେ କଳି,

ନ ପାଇଲି ସଙ୍ଗ ସୁଖ ତାହାଠାରୁ ବଳି।

 

ଯାଇଛି ସେ ଗ୍ରାମେ ଭାସି ମୋ ହୃଦୟଧନ,

ତଥାପି ସେ ସ୍ଥାନେ ଯିବାପାଇଁ ଧାଏଁ ମନ।

 

ମୋ କାନକୁ ଶୁଭେ ତାହା ନାମ ସୁମଧୁର,

ସେ କ୍ଷୁଦ୍ର ଗ୍ରାମର ନାମ ମଲ୍ଲିକାଶପୁର।

 

ବିଧିବଶେ ମୁଁ ବିଦେଶ କରୁଛି ଭ୍ରମଣ,

ନିଭିବ କି ସେ ଗ୍ରାମରେ ଅନ୍ତିମ ଜୀବନ?

 

ଅଭିଳାଷ ଯହିଁ ତହିଁ ଯାଏଁ ନିତ୍ୟାଧାମେ,

ଶେଷ ଅସ୍ଥି ଖଣ୍ଡ ହେବ ସମାଧି ସେ ଗ୍ରାମେ ।

 

ରାଜା ତ ଫକୀର

ରାଗ-ମଙ୍ଗଳ

ଥିଲା ଗୋଟେ ବଡ଼ ରାଜ୍ୟ ତା ନାମ ଶରୀର,

ସେ ଦେଶର ରାଜା ନାମ ଆତ୍ମାରାମ ବୀର।

 

ରାଜାଙ୍କର ଥିଲା ମନ୍ତ୍ରୀ ତାହା ନାମ ଜ୍ଞାନ,

ବିବେକ ନାମରେ ଜଣେ ଥିଲା ଦରୁଆନ।

 

ଧର୍ମ ଧନ ରାଜା ରଖିଥିଲେ ଗନ୍ତାଘରେ,

ବିବେକ ପ୍ରହରୀ ଜଗିଥାଏ ନିରନ୍ତରେ।

 

ଧୈର୍ଯ୍ୟ ନାମ ଥିଲା ରାଜାଙ୍କର ପାଖଲୋକ,

ତାହାର ଖଟଣି ଥିଲା ଶରୀର ରକ୍ଷକ।

 

ରାଜାଙ୍କ ଦୁଇଟା ରାଣୀ ସୁମତି କୁମତି,

କରନ୍ତି ସୌତୁଣୀ ଦୁହେଁ କଳି ନିତି ନିତି।

 

ରାଜା ବିଚାରା ତ ନିତି ନିତି ଶୁଣି କଳି

ସମ୍ଭାଳି ନ ପାରି ଦିନେ ଦିନେ ହୁଏ ଚଳ।

 

ସୁମତି ରାଣୀକୁ ଦିନେ ଦିନେ ଭଲ ପାଏ,

କୁମତି ନଅରେ ଦିନେ ଦିନେ ଶୋଇଥାଏ l

 

ସୁମତି ମନ୍ତ୍ରଣା ଧନ ରଖ ଗନ୍ତାଘରେ,

କୁମତିର ମତ ସୁଖେ ରହ ଆମୋଦରେ।

 

ସୁମତି ବୋଲଇ କର ରାଜ୍ୟେ ସୁବିଚାର,

କୁମତି ବାସନା ସୁଖେ ଆହାର ବିହାର।

 

କୁମତି ରାଣୀଟା ଦିନେ ନିର୍ଜନରେ ପାଇ

ରାଜାକୁ ମଣାଇ ନେଲା ଘରେ ଫୁସଲାଇ।

 

ଛାଡ଼ିଦେଲା ନାହିଁ ସେହି ସୁମତି ପାଶକୁ ,

ଆପଣା ଆୟତ୍ତେ ରଖିଥାଏ ରାଜନକୁ।

 

ରାଜା ଶୁଣୁଥାଏ ସେହି କୁମତି ମନ୍ତ୍ରଣା,

ରାଜ୍ୟ କଥା କିଛି କରେ ନାହିଁ ବୁଝାମଣା l

 

କୁମତି ରାଣୀଟା ଥିଲା ଭାରୀ କଳିହୁଡ଼ି,

କଳି କରି ଦେଲା ମନ୍ତ୍ରୀ କଟୁଆଳେ ତଡ଼ି।

କେତେ ଦିନୁ ଲୁଚି ରହିଥିଲେ ଥୋକେ ଚୋର

ଲୁଠି କରି ନେବାପାଇଁ ରାଜା ଗନ୍ତାଘର।

ମନ୍ତ୍ରୀ କଟୁଆଳ ଦୁହେଁ ନାହାନ୍ତି ରାଜ୍ୟରେ,

ବେଳ ଉଣ୍ଡି ବାହାରିଲେ ସେହି ସର୍ବ ଚୋରେ।

କାମ କ୍ରୋଧ ଲୋଭ ଆଦି ଛଅଟା ତସ୍କର

ବଳେ ପଡ଼ି ଲୁଠି ନେଲେ ରାଜା ଗନ୍ତାଘର।

ଆହା ଆହା ଚାଲିଗଲା ରାଜତ୍ୱ ଶରୀର,

ଗନ୍ତାଘରେ ଧନ ନାହିଁ ରାଜା ତ ଫକୀର ।

 

ଗୋଟିଏ ପ୍ରାର୍ଥନା

ଦର୍ଶନ କରିବି ବେଳେ ହେ ଜଗତସାଇଁ!

ଦ୍ୱିତୀୟ ପ୍ରାର୍ଥନା ମୋର ଆଉ କିଛି ନାହିଁ।

 

ଲଭେଁ ସ୍ୱର୍ଗବାସ ଅବା ଭୀଷଣ ଦୁର୍ଗତି,

ଯାହା ଇଚ୍ଛା ପ୍ରଭୋ ନାହିଁ ମୋ ଆପତ୍ତି।

 

ଏତିକି ପ୍ରାର୍ଥନା ମୋର ଆହେ ଭଗବାନ।

ଆପଣା ସାକ୍ଷାତେ ତାହା କରିବେ ବିଧାନ।

 

ମାନବ ଅବସ୍ଥା

ରାଗ-ମଙ୍ଗଳ

ଆହେ ସୂତ୍ରଧର କାହିଁ ଅଛ ଅନ୍ତରାଳେ?

ଲଗାଇଛ କେତେ ଲୀଳା ପୃଥ୍ୱୀନାଟ୍ୟଶାଳେ!

 

ଯେଉଁ ବେଶେ ଦେଉଅଛ ଯାହାକୁ ସଜାଇ,

ସେ ତ ସେହି ବେଶେ ଅଭିନୟ କରେ ଯାଇଁ।

 

ଯାହା ବେଶ ଥିଲା କାଲି ଶ୍ରୀରାମ ସମାନ,

ଆଜି ସେ ନାଚୁଛି ବେଶ ଧରି ହନୁମାନ।

 

ଆହେ ସୂତ୍ରଧର! ମୋତେ ଦେବ ଯେଉଁ ବେଶ,

ସେହି ବେଶେ ନାଚିବି ମୁଁ ନାହିଁ କିଛି କ୍ଳେଶ।

 

ସମସ୍ତଙ୍କ ଇଚ୍ଛା ସେନାପତି ହେବେ ରଣେ,

କିଏ ହେବ ସେନା ଏହା ନ ଭାଳନ୍ତି ମନେ।

 

କରିଥିଲ ବଡ଼ଲୋକ ଦେଇଥିଲ ମାନ,

ସକଳ ଛଡ଼ାଇ ଯେବେ ନେବ ବର୍ତ୍ତମାନ!

 

କର ପ୍ରଭୋ! ଯାହା ଇଚ୍ଛା କିଛି ଚିନ୍ତା ନାହିଁ!

ପାଳିବି ତୁମ୍ଭର ଆଜ୍ଞା ମସ୍ତକ ନୁଆଇଁ।

 

ଗିରିନଦୀ

ରାଗ - ମଙ୍ଗଳ

ପ୍ରବାହିତ ସ୍ରୋତ ଗିରି ବକ୍ଷୁଁ ନିର୍ଝରିଣୀ,

କଳ କଳ କଳ ନାଦେ ଦିବସ ଯାମିନୀ।

 

ଦର୍ଶକ ନୟନେ ଯେବେ ଦିଅ ଆସି ଦେଖା,

କଠିନ ହୃଦୟେ କିବା କରୁଣାର ରେଖା।

 

ବାଟ ଓଗାଳିଲେ ତୋତେ ଜ୍ଞାତି ବନ୍ଧୁଗଣେ,

ଏଡ଼ି ଉପରୋଧ ଚାଲ ଥକି କ୍ଷଣେ କ୍ଷଣେ।

 

ଗିରିରାଜ କୋଳେ ଧରିଥିଲେ ସାବଧାନେ,

ଛାଡ଼ି ଆସିଅଛ ବୋଲ କିବା ଅଭିମାନେ।

 

କଳ କଳ ନାଦ କର ଦିବସ ରଜନୀ,

ଆନନ୍ଦ ସଙ୍ଗୀତ ଏକି କ୍ରନ୍ଦନର ଧ୍ୱନି?

 

ଚାଲିଛ ଉଲ୍ଲାସ କିମ୍ବା ଆକୁଳ ପରାଣେ,

କଚାଡ଼ି ପଡ଼ୁଛ ଦେଖୁଛି ତ ସ୍ଥାନେ ସ୍ଥାନେ।

 

କାହିଁ କଳୁଷିତା, କାହିଁ ଶରୀର ପବିତ୍ର,

ତୁମ୍ଭେ କି ଗୋ ଦେବୀ ! କବିକଳ୍ପନାର ଚିତ୍ର?

 

ବିରହୀ ହଳଦିବସନ୍ତ

କଳହଂସକେଦାର

(ସତ୍ୟ ଘଟନା)

ମହାନଦୀ ସୈକତେ ନିର୍ଜନ ସ୍ଥଳ,

ଅତି ପ୍ରାଚୀନ ବଟବୃକ୍ଷ ଯୁଗଳ,

ଉଭା ଅଛନ୍ତି ସହୋଦର ସମରେ,

ଲଗାଲଗି ନ ହୋଇ କିଛି ଅନ୍ତରେ।

 

ହଳଦୀବସନ୍ତଟି ବସିଛି ଡାଳେ,

ନୀରବେ ବସି କିବା ମନକୁ ଭାଳେ।

ବେଳେ ବେଳେ ଆସଇ ଡାଳରୁ ଖସି,

ବୃକ୍ଷ ମଧ୍ୟ ଭୂମିରେ ରାବେ ସେ ବସି।

 

ମୁହୂର୍ତ୍ତେ ତହିଁ ଭାବି ବିକଳ ସ୍ୱନେ

ଆନ ବୃକ୍ଷକୁ ଉଡ଼ିଯାଏ ବହନେ,

ପୁଣି ବାହୁଡ଼ି ଆସି ମୁହୂର୍ତ୍ତ ପରେ

ଭୂମି ପରଶି ବସେ ପୂର୍ବ ବୃକ୍ଷରେ।

 

ଅଦୂରେ ନଦୀସ୍ରୋତେ ନାନା ବିହଙ୍ଗ

ମନ ଉଲ୍ଲାସେ କେତେ କରନ୍ତି ରଙ୍ଗ,

ପହଁରେ କେବା ବୁଡ଼େ କେ ଲୋଡ଼େ ଭକ୍ଷ୍ୟ,

ହଳଦୀବସନ୍ତ ଟି ନ କରେ ଲକ୍ଷ୍ୟ।

 

ବୃକ୍ଷର ତଳେ, ତହୁଁ ଅନ୍ୟ ବୃକ୍ଷରେ,

ତହୁଁ ବାହୁଡ଼େ ପୂର୍ବ ବୃକ୍ଷକୁ ଥରେ,

କି କହେ ତଳେ ବସି ସେହି ତା ଜାଣେ,

ମାତ୍ର ତା ଗୀତି ପ୍ରାଣେ ବିଷାଦ ଆଣେ।

 

ଲୋଡ଼ିବାକୁ ନ ଯାଇ ନିଜ ଆହାର,

ଦିନଯାକ କରେ ସେ ଏହି ବେଭାର,

ତିନି ଦିନ ବିହଗ ଝୁରି ଏପରି,

ଉପବାସେ ସେଠାରେ ଗଲା ସେ ମରି।

 

ଦେଖିଲେ ବନ୍ଧୁ ମୋର ଯାଇ ପ୍ରତ୍ୟେକ୍ଷ,

ହଳଦୀବସନ୍ତୀର କେତୋଟି ପକ୍ଷ

ଅଛି ସେ ବେନି ବୃକ୍ଷ ମଧ୍ୟରେ ପଡ଼ି,

ଗୋଟିଏ ପକ୍ଷୀ ମରି ଯାଇଛି ସଡ଼ି।

* ଲେଖକର ବାଲ୍ୟବନ୍ଧୁ କବିବର ରାୟ ରାଧାନାଥ ରାୟ ବାହାଦୁର ଏହି ଘଟନାଟି ପ୍ରତ୍ୟକ୍ଷ କରିଅଛନ୍ତି।

 

ସେ ସଡ଼ା ପକ୍ଷୀ ପଡ଼ିଥିଲାକ ଯହିଁ,

ଝୁରି ଝୁରି ହଳଦୀବସନ୍ତ ତହିଁ

ଦୁଃସହ କାନ୍ତା ଶୋକେ ତେଜିଲା ପ୍ରାଣ,

ମାନବେ ଦେଇଗଲା କି ଦିବ୍ୟଜ୍ଞାନ।

 

କ୍ଷୁଦ୍ର ସେ ବିହଙ୍ଗମ ତୀର୍ଯ୍ୟଗ ଜାତି,

କାହୁଁ ଶିକ୍ଷିଲା ଜାୟା ପ୍ରେମ ଏ ନୀତି?

ପତ୍ନୀ ସକାଶେ ଦେଲା ନିଜ ଜୀବନ,

ଦାମ୍ପତ୍ୟ ପ୍ରଣୟକୁ ବୋଲଇ ଧନ୍ୟ।

 

ରଜନୀଗନ୍ଧା

ଚକ୍ରକେଳି

ଗୋ ରଜନୀଗନ୍ଧେ! ବୋଲ କିପାଇଁ

ଦିବସେ ତୋ ଗୁଣ ବିକାଶେ ନାହିଁ?

ନ ବୋଲ ପଛକେ ବୁଝିଛି କଥା,

କୁଳ ଭୁଆସୁଣୀ ଏହି ବ୍ୟବସ୍ଥା।

 

ଢାଙ୍କିଢ଼ୁଙ୍କି ହୋଇଥାନ୍ତି କେବଳ

ଗୁଣରେ କରନ୍ତି କୁଳ ଉଜ୍ଜ୍ୱଳ।

 

ଯା-ଏ, ଯାଏ, ଘରେ ଥାଆନ୍ତି ଗୁଞ୍ଜି,

ତୁମ୍ଭେ ଫୁଟି ଥାଅ ପୁଞ୍ଜିକି ପୁଞ୍ଜି।

 

ଭଅଁରା ତୋ ପାଶେ ନ ଆସେ ତୋଷେ,

ସତୀକୁ କି ଛୁଏଁ ପରପୁରୁଷେ?

 

ରାତ୍ରିରେ ବିସ୍ତାର କରି ସୌରଭ

ଆମୋଦିତ କର ଉଦ୍ୟାନ ସର୍ବ।

 

ନ କରନ୍ତି କବି ତୋତେ ଆଦର,

ଆଶ୍ଚର୍ଯ୍ୟ ନ ମଣେ ତୋତେ ମାତର।

 

ଏପରି ଅଛନ୍ତି ବହୁତ ଲୋକ,

ଭୁଲିଯାନ୍ତି ଦେଖି ବାହ୍ୟ ଛଟକ।

 

ତୋହର ତ ବାହ୍ୟ ସୌନ୍ଦର୍ଯ୍ୟ ନାହିଁ,

ଭୁଲିବେ କବିଏ ବୋଲ କିପାଇଁ?

ନ ଥାଉ ତୋହର ରୂପ ଲାବଣ୍ୟ,

ମାତ୍ରକ ତୁ ମୋର ହୃଦୟଧନ।

 

ମନରେ ରଖିବୁ ରଜନୀଗନ୍ଧା,

ତୋହ ପୀରତିରେ ମୋ ମନ ବନ୍ଧା।

 

କୁସୁମକଳାପେ ଆଗୋ ସଜନୀ!

ତୁହି ସିନା ଏକା ମୋ ପ୍ରଣୟିନୀ।

 

ସନ୍ଧ୍ୟାକାଳେ ବସି ମୁହିଁ ନିର୍ଜନେ

ଚିନ୍ତା କରୁଥାଏଁ ପ୍ରଭୁଙ୍କୁ ମନେ।

 

ସୌରଭ ବିସ୍ତାରୁ ହୋଇ ଫୁଟିତ,

ଦେଉ କରି ମୋର ମନ ମୋହିତ।

ପ୍ରଭୁଙ୍କର ତୁହି ଗୋଟିଏ କୀର୍ତ୍ତି,

ବିଚାରି ମନରେ ଲଭଇଁ ପ୍ରୀତି।

 

ଆଜୁଁ କହି ବୋଲି ଯାଉଛି ତୋତେ,

ଶ୍ମଶାନକୁ ଯିବୁ ମୋହ ସହିତେ।

 

ହରି ସର୍ବସ୍ୱ

ରାଗ - ମଙ୍ଗଳ

ଆହେ ମହାପ୍ରଭୋ! ତୁମ୍ଭେ ମୋର ପିତା, ମାତା,

ତୁମ୍ଭେ ଜ୍ଞାତି, ପରିଜନ, ସର୍ବସୁଖଦାତା।

 

ଜୀବନ, ମରଣ ତୁମ୍ଭେ ଶାନ୍ତିର ସଦନ,

ସାଧନର ଧନ ପ୍ରଭୋ! ତୁମ୍ଭେ ମୋ ଶରଣ

ତ୍ରିଭୁବନ ସର୍ବ ସ୍ଥାନେ ଅଛ ତୁମ୍ଭେ ହରି!

ପାଳନ କରୁଛ ପ୍ରାଣୀ ସର୍ବ ସୃଷ୍ଟି କରି।

 

ଆଜ୍ଞା କର ମହାପ୍ରଭୋ! ମୋହର ରସନା

ନିରନ୍ତର କରୁ ତବ ମହିମା ଘୋଷଣା।

 

ମୋହର ପ୍ରାର୍ଥନା ନାହିଁ- ବିନାଶ, ମଙ୍ଗଳ,

ପ୍ରାର୍ଥନା କରୁଛି ତୁମ୍ଭ କରୁଣା କେବଳ।

 

ଆହେ ମହାପ୍ରଭୋ! ଧ୍ୟାୟି ତବ ଶ୍ରୀଚରଣ

ତନ, ମନ, ପ୍ରାଣ ସର୍ବ କଲି ସମର୍ପଣ।

 

ରକ୍ଷା କର ପ୍ରଭୋ! ତବ ବିନା ଗତି ନାହିଁ,

ଅନୁକ୍ଷଣେ ରହିଛି ତ ତବ ମୁଖ ଚାହିଁ

 

କର୍ତ୍ତବ୍ୟପାଳନ

ରାଗ - ମଙ୍ଗଳ

ଏକ ଦୁଇ କରି ଦିନ ଯାଉଛି ତ ବହି,

କାହାକୁ ଅନାଇ ବୋଲ ଅଛ ବସିରହି।

କର୍ତ୍ତବ୍ୟ ସାଧନ ସେ ତ ପ୍ରକୃତ ଜୀବନ,

ଆଳସ୍ୟେ ସମୟକ୍ଷେପ ଆତ୍ମାର ହନନ।

 

ପୃଥିବୀ ଦେଇଛି ଯେତେ ଦ୍ରବ୍ୟ ତୁମ୍ଭପାଇଁ,

ବିଚାର ତ ପରିଶୋଧ କରିଛ କି ନାହିଁ?

 

ଶୈଶବ କାଳରେ ଥିଲ ତୁମ୍ଭେ ଅସମର୍ଥ,

ତୁମ୍ଭର ଯା ଲୋଡ଼ା ପୃଥ୍ୱୀ ଦେଇଛି ସମସ୍ତ।

 

ଯୌବନ ଅର୍ଦ୍ଧେକ ପ୍ରାୟ ଯିବ ତ ନିଦ୍ରାରେ,

ପୁଣି ଅସମର୍ଥ ହେବ ବୃଦ୍ଧ ଅବସ୍ଥାରେ।

 

ଯେତେକାଳ ପାଇଥିଲ ସମର୍ଥ ଜୀବନ,

ବିଚାର ତ କରିଛ କି କର୍ତ୍ତବ୍ୟ ପାଳନ?

 

ଦିନଯାଏ ଧୀରେ ଧୀରେ ଭାଳିଛି ମନରେ,

ଅନାଅ ପଛକୁ ଯାଏ କେଡ଼େ ଚଞ୍ଚଳରେ!

 

ଅଭାବ

ରାଗ-ବଙ୍ଗଳାଶ୍ରୀ

କେତେ ଯତନରେ            କେତେ ପ୍ରେମଭରେ

ଗୁନ୍ଥି ରଖେ ଫୁଲମାଳି,

କେବେ ଚିତ୍ତଭୋଳେ      ଲମ୍ବାଏ ତା ଗଳେ

କେବେ ଦିଏ ପ୍ରୀତି-ଗାଳି।

 

ଗଲେ ମୁଁ ବାହାରେ            ଉଭା ଥାଏ ଦ୍ୱାରେ

ଆସିବାକୁ ବାଟ ଚାହିଁ,

ବାହୁଡ଼ି ମୁଁ ଆସି            କଥା କହେଁ ହସି,

କେବେ ଯାଏଁ ନ ଅନାଇ।

 

କେବେ ହସି ହସି            ମୋ ପାଖରେ ବସି

କହେ କେତେ ମିଷ୍ଟକଥା,

 

ଉତ୍ତର କଥାରେ            ଦିଏଁ ପ୍ରେମଭରେ,

କେବେ ବସେଁ ପୋତି ମଥା।

 

କେତେ ଚାନ୍ଦରାତି            ବିଛାଇ ସୁପାତି

ବସିଥାଏ ଅଗଣାରେ,

କେବେ ପ୍ରେମଭରେ      ବସେଁ ତା ପାଶରେ,

କେବେ ବସେଁ ଅନ୍ୟଠାରେ।

 

ଥିଲେ ମୁଁ ବିଦେଶେ            ମୋହର ଉଦ୍ଦେଶେ

କେତେ ପ୍ରେମଲିପି ଲେଖେ,

ଦିଏଁ ବା ଯତ୍ନରେ            ଉତ୍ତର ପତ୍ରରେ,

କେତେ ଲିପି ବା ନ ଦେଖେଁ।

 

ଏବେ ଦେଖେଁ ଭିନେ      ଏହିପରି ଦିନେ

ଥିଲାପରି ଯାଏ ଜଣା,-

ସ୍ମୃତି ଅନୁକ୍ରମ            ଅବା ମତିଭ୍ରମ

ଅବା ଅଳସ କଳ୍ପନା?

ଗୃହ ଶୂନ୍ୟମୟ            ଭଗନ ହୃଦୟ,

ଏବେ ନିରାଶ ମନରେ

ଜୀବନ ଯାପନ            କରିବା କାରଣ

ଯିବି ଦେଶ ଦେଶାନ୍ତରେ।

 

ନବଜୀବନ

ରାଗ- ମଙ୍ଗଳ

ଦୁଃଖ ତାପ, ହାହାକାର କରି ଚିରଦିନ,

ପବିତ୍ର ଆତ୍ମାକୁ ପ୍ରଭୋ! କରିଛି ମଳିନ;

ଦିବାନିଶି ଆପଣାକୁ କରି ଅବିଶ୍ୱାସ

 

ପୋଛିଛି ନୟନଅଶ୍ରୁ, ହତାଶ ନିଶ୍ୱାସ!

କ୍ଷତିକର ପ୍ରଲୋଭନେ ଆହେ ବିଶ୍ୱପତି!

ଦେଇଛି ଯଥୋଚିତ ଅଧୋଗତି!

 

ଚିତ୍ତବିନୋଦନ, ବ୍ୟର୍ଥ ଐଶ୍ୱର୍ଯ୍ୟ ଲୋଭରେ

ତୁମ୍ଭଠାରୁ କେତେ ଥର ରହିଛି ଦୂରରେ।

ବିଗତ ଘଟଣା କଥା ଭାଳି ବାରମ୍ବାର,

ହେ ପ୍ରଭୋ! ହୃଦୟ ହେଉଛି ତ ଛାରଖାର!

ସେ ଘଟଣାମାନ ଚିନ୍ତା କରି ଭବିଷ୍ୟତ

ଜଣାଯାଉଛି ତ ଘୋର ଅନ୍ଧକାରବତ।

 

ଆତ୍ମକୃତ କାର୍ଯ୍ୟ ଚିନ୍ତି ବ୍ୟର୍ଥରେ ଜୀବନ,

ହୋଇପଡ଼ିଛି ତ ଅନ୍ଧତମସେ ଆଚ୍ଛନ୍ନ!

 

କେତେ ଅଭିଳାଷ ଦ୍ରବ୍ୟ ଅଛି ପୃଥିବୀରେ,

ପାଇବାକୁ ଲୋଡ଼ିଛି ତ କୁଟିଳ ବୁଦ୍ଧିରେ,

ଅସତ ଚିନ୍ତାରେ କଲି ଆତ୍ମା କଳୁଷିତ,

ବାସନା ତ ପୂର୍ଣ୍ଣ କାହିଁ ନୋହିଲା କିଞ୍ଚିତ!

 

ବରଞ୍ଚ କ୍ରମଶ ହୋଇ ବାସନା ପ୍ରବଳ,

ଆତ୍ମାରେ କଳଙ୍କ ଦାଗ ଲାଗିଛି କେବଳ!

 

ହରାଇ ପରଶମଣି, କଦାଚ ଅଜ୍ଞାନେ

କିଛି ଧନ ପାଇ ରଖିଥିଲି ସାବଧାନେ;

ଯାଇଛି ସେ ଦ୍ରବ୍ୟ, ହୃଦେ ରହିଛି କେବଳ

ଅସତ ବେଭାର ପାପ କାଳିମାର ମଳ।

 

ଗତ ପାପପାଇଁ ପ୍ରଭୋ! କିଛି ଚିନ୍ତା ନାହିଁ,

ସାବଧାନ ହେବି ଯେବେ ଭବିଷ୍ୟତପାଇଁ।

 

ଯେ କୁକାର୍ଯ୍ୟ ଅଛି କରି ହୋଇ ମାୟାମୁଗ୍ଧ,

ଅନୁତାପାନଳେ ଆତ୍ମା ହୋଇଯିବ ଦଗ୍ଧ।

 

ମହାପ୍ରଭୋ! ତୁମ୍ଭର ତ ଅନନ୍ତ କରୁଣା,

ମୋ ଦୁଷ୍କୃତି ତହୁଁ କୋଟି କୋଟି ଗୁଣେ ଊଣା।

 

କଳୁଷିତ କ୍ଷୁଦ୍ର-ସ୍ରୋତ ଅନନ୍ତ ସାଗରେ

ପଶି ମିଶିଯିବ, ଚିହ୍ନ ନ ରହିବ ଥରେ।

 

ଅମୃତରୁ ଅଛି ଆସି, ଯିବି ଅମୃତକୁ,

ଏହା ଭାଳି ଦେଉଛି ତ ସାନ୍ତ୍ୱନା ମନକୁ।

ଜଗତର କାର୍ଯ୍ୟ ମୋର କରି ସମାପତ

ସେ ଅମୃତଧାମେ ପୁଣି ହେବି ଉପଗତ।

ତେବେ କିପାଁ ପୃଥିବୀକୁ ମଣିବ ଜଞ୍ଜାଳ?

ହସି ଖେଳି ଆନନ୍ଦରେ କାଟି ଦେବି କାଳ।

 

କରିବି ଆନନ୍ଦ ମନେ କର୍ତ୍ତବ୍ୟ ସାଧନ,

ତୁମ୍ଭର ଆଦେଶ ପ୍ରଭୋ! କରିବି ପାଳନ।

 

ଆଶା ପୂର୍ଣ୍ଣ ହେଲା ନାହିଁ ବୋଲି ପୃଥିବୀରେ,

କିପାଇଁ କରିବି ହାହାକାର ଦୁର୍ବୁଦ୍ଧିରେ?

ଜାଣୁଛି ବ୍ୟାକୁଳ ମୋର ଆତ୍ମା ଯାହାପାଇଁ,

ସେ ଦ୍ରବ୍ୟ ଦେବାକୁ ଜଗତର ଶକ୍ତି କାହିଁ!

 

ମୁହିଁ ନ ପାଇଲି ବୋଲି କିପାଇଁ ଭାବନା?

ସମସ୍ତଙ୍କ ଏହି ଭାବ ଯାଉଅଛି ଜଣା।

 

ଦେଖୁଛ ନିତାନ୍ତ ମୂର୍ଖ ଜଗତର ଲୋକେ,

ସୁଖ ଲୋଡ଼ିବାକୁ ଯାଇ ପଡ଼ନ୍ତି ନରକେ।

 

ପବିତ୍ର ସୁଖ ତ ଅଛି ପବିତ୍ରଧାମରେ,

କିପାଁ ଲୋକ ଧାଇଁଥାନ୍ତି କଳୁଷମାର୍ଗରେ?

 

ହେ ପ୍ରଭୋ! ଜାଣିଲି ଯହିଁ ଅଛି ଶାନ୍ତିସୁଖ,

ସେ ମାର୍ଗେ ଯିବାକୁ କେବେ ନ ହେବି ବିମୁଖ।

 

ଦେଖୁଛି ତ ମୋ ଜୀବନେ ଯେତେକ କଲ୍ୟାଣ,

ପ୍ରାଣେଶ୍ୱର ବସି କରୁଛନ୍ତି ତ ବିଧାନ।

 

ପାଇ ସେ କଲ୍ୟାଣ କିପାଁ ହେବି ମୁଁ ହତାଶ?

ଅବଶ୍ୟ ସମ୍ପୂର୍ଣ୍ଣ ହେବ ପ୍ରାଣ ଅଭିଳାଷ।

 

ପାପୀ ବୋଲି ପ୍ରଭୁ! ମୋତେ କରିଥିଲେ ଘୃଣା,

ତାହାଙ୍କ କରୁଣା ନିଶ୍ଚେ ହୋଇଥାନ୍ତା ଊଣା।

 

ଘଟୁଛି ମୋ ପ୍ରାଣେ ଯେଉଁ ଘଟଣା ସମସ୍ତ,

ଅଲକ୍ଷ୍ୟ ଭାବରେ ଦେଖେଁ ପ୍ରଭୁଙ୍କର ହସ୍ତ।

ତାହାଙ୍କ କୃପାରୁ ପାଏ ବିପଦୁଁ ଉଦ୍ଧାର,

ତେବେ କିପାଁ ଏତେ ଗ୍ଳାନି? ଏତେ ହାହାକାର?

 

ଦୃଢ଼ରୂପେ ଧରେଁ ଯେବେ ପ୍ରଭୁଙ୍କ ଚରଣ,

ନିଶ୍ଚୟ ପାଇବ ରକ୍ଷା ମୋହର ଜୀବନ।

 

ବିପଦେ, କଷ୍ଟରେ ପଡ଼ି କଲେ ମୁଁ ପ୍ରାର୍ଥନା,

ବିତିଛି ତ ପ୍ରାଣେ ଶାନ୍ତି ସୁଖ ଯାଏ ଜଣା।

 

ବିକଳରେ ଡାକି ଡାକି ଯିବି ପ୍ରଭୁ ପାଶେ,

ନିଶ୍ଚୟ ମୋ ପିତା ସ୍ଥାନ ଦେବେ ମୋ ସକାଶେ।

 

ଦୃଢ଼ରୂପେ ପ୍ରଭୁ ପଦେ ରଖିଥିଲେ ମତି,

ବିଚଳିତ ନ କରିବ ସଂସାରସମ୍ପତ୍ତି।

 

ତ୍ରିଭୁବନଚିନ୍ତାମଣି ପରଶରତନ,

ଅତି ତୁଚ୍ଛ ଅଟେ ଜଗତର ସର୍ବ ଧନ।

 

ତୁଚ୍ଛ ଧନପାଇଁ ସେହି ପରଶରତନ

ହରାଇବି ନାହିଁ ଏହା ସ୍ଥିର ମୋର ପଣ।

 

ମନ, ପ୍ରାଣ ସମ୍ପି ମହାପ୍ରଭୁଙ୍କ ପଦରେ,

ସାଧିବି କର୍ତ୍ତବ୍ୟ ଏବେ ନବସାହସରେ।

 

ହେ ପ୍ରଭୋ! ଦେଉନ୍ତୁ ଶାନ୍ତି, ପ୍ରୀତି, ଶ୍ରୀଚରଣ,

କେବଳ କରିବି ମୁହିଁ କର୍ତ୍ତବ୍ୟ ପାଳନ।

 

ଅହଂଭାବ ମନୁ ମୋର ଦିଅ ଦୂର କରି,

ଏହି ଜ୍ଞାନ ଜାତ ହେଉ ଦୟାମୟ ହରି!

 

ମୋ ହୃଦୟ, ମୋର ପ୍ରାଣ, ମୋର ଏ ଶରୀର,

ବିଶ୍ୱଦେବ! ଅଟେ ତୁମ୍ଭ ପବିତ୍ରମନ୍ଦିର।

 

ଯେ ଆଜ୍ଞା କରିବ ବସି ମୋହର ହୃଦୟେ,

ଅକାତରେ ପାଳିବି ତା ସକଳ ସମୟେ।

ଆଜିଠାରୁ ଲଭିଲି ମୁଁ ନୂତନ ଜୀବନ,

କରିବି ତୁମ୍ଭକୁ ଧ୍ୟାୟି କର୍ତ୍ତବ୍ୟପାଳନ।

 

ପିତାମହୀ

ଦୟାବତୀ! ସତୀ! ସାଧ୍ୱୀ! ଆଗୋ ପିତାମହୀ।

ନରାଧମ, ପାରିବି କି ତୁମ୍ଭ କଥା କହି!

 

ମୋ ଜୀବନରକ୍ଷାପାଇଁ ଠାକୁମା କୁଚିଲା!

ସ୍ୱର୍ଗୁଁ କି ଗୋ ଆସିଥିଲ, ଦେବି! ପୁଣ୍ୟଶୀଳା!

 

ହରାଇଛି ପିତା, ମାତା ନିତାନ୍ତ ଶୈଶବେ,

ଦେଖନ୍ତି ବିଦ୍ୱେଷନେତ୍ରେ ପରିଜନ ସର୍ବେ।

 

କେତେ କଷ୍ଟେ, କେତେ ଯତ୍ନେ, କରିଛି ପାଳନ,

ତୁମ୍ଭ କରୁଣାରୁ ରକ୍ଷା ପାଇଛି ଜୀବନ।

 

ହୃଦୟର ରକ୍ତ ଦେଇ ପାଳିଛ ଶୈଶବେ,

ଏ ନିଃସ୍ୱାର୍ଥ ଉପକାର କାହିଁ ଛି ବା ଭବେ?

 

ଅନୁପମ ସ୍ନେହ ତବ ଅନନ୍ତ ଅପାର,

ଶୁଝି ପାରି ନାହିଁ ଦେବି! କିଞ୍ଚିତମାତର।

 

କାଟିଛି ମୁଁ ବାଲ୍ୟକାଳ ରୋଗ ଭୋଗି ଭୋଗି,

ଅନାହାରେ ଅନିଦ୍ରାରେ ବସିଥାଅ ଜଗି।

 

ରୋଗଯନ୍ତ୍ରଣାରେ ଯେବେ ହୁଏ ମୁଁ ଅସ୍ଥିର,

ବହି ଯାଉଥାଏ ତୁମ୍ଭ ନେତ୍ରୁଁ ଅଶ୍ରୁନୀର।

 

ହିଂସା, କ୍ରୋଧ, ପାପଚିନ୍ତା, ବାଦ, ବିସମ୍ବାଦ,

ତୁମ୍ଭଙ୍କୁ ନ ଥିଲା ଜଣା ଏଥିର ସମ୍ବାଦ।

 

ଶିଶୁଚିକିତ୍ସାରେ ପୁଣି ଉଦ୍ୟାନପାଳନେ

ଦେଖି ନାହିଁ କାହିଁ ତୁମ୍ଭ ପରି ନାରୀ ଜଣେ।

 

ଦିବା ନିଶି ଥାଅ ତୁମ୍ଭେ ଗୃହକାର୍ଯ୍ୟେ ବ୍ୟସ୍ତ,

ନିୟମରେ ସାଧୁଥିଲ କର୍ତ୍ତବ୍ୟ ସମସ୍ତ।

 

କରୁଥିଲ ଦଶଦଣ୍ଡ ମାତ୍ରକ ଶୟନ,

ସେହିକାଳେ ମଧ୍ୟ ରହିଥାଅ ସଚେତନ।

 

ଡାକିବାମାତ୍ରକେ ଦିଅ କଥାର ଉତ୍ତର,

ଏପରି ନିଦ୍ରା ତ ହୁଏ ନାହିଁ ଲୋକଙ୍କର।

 

ତୁମ୍ଭର ରୋପିତ ଫଳବନ୍ତ ବୃକ୍ଷରାଜି

କାର୍ଯ୍ୟକୁଶଳତା ସାକ୍ଷ ଦେଉଅଛି ଆଜି।

 

କାର୍ଯ୍ୟବଶେ, ଧନଆଶେ ଗଲେ ପରବାସେ,

ଠାକୁରମା, ଚାହିଁ ବସିଥାଅ ମୋହ ଆଶେ।

 

ତ୍ରିସପ୍ତତି ବର୍ଷ ଥିଲା ତୁମ୍ଭର ଜୀବନ,

ଦିନେ ମଧ୍ୟ ନାହିଁ କରି ଔଷଧ ସେବନ

 

ପାଳନ କରିଛ ନିୟମିତ ବାରବ୍ରତ,

କେବେ ହୋଇ ନାହଁ ଧର୍ମମାର୍ଗୁଁ ବିଚଳିତ।

 

ଜୀବନଟାଯାକ ଭୁଞ୍ଜିଥିଲ ନାନା ଦୁଃଖ,

ବିଶେଷରେ ଭୋଗିଥିଲ କଷ୍ଟ ପୁତ୍ରଶୋକ!

 

ଦିନେ ହେଲେ ମୁଁ ତୁମ୍ଭର ସେବା କରି ନାହିଁ,

କରିବି ବିଳାପ ଆଜୀବନ ସେଥିପାଇଁ।

 

ମୋତେ ବଞ୍ଚାଇବାପାଇଁ ଆହେ ବିଶ୍ୱପତି।

ଆପଣ କି ଠାକୁମାକୁ ପଠାଇ ଅଛନ୍ତି?

 

କ୍ଷୁଦ୍ର ମୁହିଁ, ତୁଚ୍ଛ ମୁହିଁ, କି କାର୍ଯ୍ୟ ଜଗତେ

ସାଧିବି? ହେ ବିଶ୍ୱପତି! ଆଜ୍ଞା କର ମୋତେ

 

ଠାକୁମାର ଦୟା ଦେଖି ଭାଳିଛି ତ ମନେ,

ତୁମ୍ଭେ ଏହିପରି ଦୟା କର ପ୍ରାଣିଗଣେ।

 

ଆତ୍ମରକ୍ଷାପାଇଁ ଯେବେ ହେଲି ମୁଁ ସମର୍ଥ,

ନ ରହି ପୃଥ୍ୱୀରେ ଦେବୀ! ହେଲ ସ୍ୱର୍ଗଗତ

 

ତୁମ୍ଭ ଶେଷ ଦିନ କଥା ପଡ଼ୁଛି ମନରେ,

ଶ୍ମଶାନଚିତାର ଚିତ୍ର ଲାଗିଛି ନେତ୍ରରେ।

 

କାର୍ଯ୍ୟ ସାରି ସେ ସ୍ଥାନକୁ ଯେଉଁ ଦିନ ଯିବି,

ଏହି ଚିତ୍ର ଏହି ନେତ୍ର ଯିବ ତହିଁ ନିଭି।

ଆହେ ମହାପ୍ରଭୋ! ତୁମ୍ଭେ ଏପରି କୌଶଳେ

ପ୍ରତି ଜଣେ ପାଳୁଛ ତ ଜଗତମଣ୍ଡଳେ।

 

କାହିଁ ଅଛ ଆଗୋ ଦେବୀ! ପୁଣ୍ୟମୟ ଦେଶେ?

ଜୁହାର କରୁଛି ତୁମ୍ଭ ଆତ୍ମାର ଉଦ୍ଦେଶେ।

 

ଭୁବନେଶ୍ୱର

ରାଗ - ମଙ୍ଗଳ

ହେ ଭୁବନେଶ୍ୱର! ତୁମ୍ଭ କୀର୍ତ୍ତି ଭୁବନେଶ୍ୱରେ

ପ୍ରକାଶିତ ଅଛି, ଥିବ ଯୁଗଯୁଗାନ୍ତରେ।

 

ଶିଳ୍ପକାର୍ଯ୍ୟ ପରାକାଷ୍ଠା ତୁମ୍ଭର ଦେଉଳ,

ନ ଦେଖେଁ ମନ୍ଦିର କାହିଁ ତାହା ସମତୁଲ।

 

କେତେ କାଳ କେତେ କୋଟି ପ୍ରାଣୀ ଗଲେ ଭାସି,

ଯିବେ କେତେ, ଥିବ ତୁମ୍ଭ ଦେଉଳ ବିକାଶି।

 

ଅଶୋକୀ ମହତୀ କୀର୍ତ୍ତି ବିନାଶ କାରଣେ

ତୁମ୍ଭେ କି ବିରାଜିଅଛ ଏକାମ୍ରକାନନେ?

 

ଅଂସଖ୍ୟ ଦେଉଳ ବିସ୍ତାରିଛ ଇତସ୍ତତ,

ରହିଛି ତ ଖଣ୍ଡଗିରି ଗୌରବ ସମସ୍ତ।

 

 

ହେଉ ପଛେ ବୌଦ୍ଧଧର୍ମ ଅଧିକାର ଲୋପ,

ମାତ୍ର ଗୁହା କାରୁକାର୍ଯ୍ୟ ଥିବ ସମରୂପ।

 

ପ୍ରତିଯୋଗୀ ଦୁଇ ଶିଳ୍ପ ସମାନ ସମାନ,

କାହାକୁ ବୋଲିବୁଁ ବଡ଼, କାହାକୁ ବା ସାନ।

 

ଶୈବ ବୌଦ୍ଧ ଉଭକୀର୍ତ୍ତି ପାଷାଣ ଅଙ୍କିତ;

କରି ପାରି ନାହିଁ କାଳ ବ୍ୟତ୍ୟୟ କିଞ୍ଚିତ।

 

ସହସ୍ର ସହସ୍ର ବର୍ଷ କାଳ ଯିବ ବହି,

ଦୁଇ ମହାପୁଣ୍ୟ ଧାମ ଥିବ ଚିର ରହି।

 

ଲକ୍ଷ ଲକ୍ଷ ଧର୍ମପ୍ରାଣ ଲୋକ ତୁମ୍ଭ ପାଶେ,

ଧାଇଁଛନ୍ତି ଦୁଇ କାଳ ସୁଖଲାଭ ଆଶେ।

 

ମୋହ ପିତା ଶ୍ରୀଲକ୍ଷ୍ମଣନାଥ ତୁମ୍ଭଠାକୁ

ଭକ୍ତିଭରେ ଆସିଥିଲେ ପୁଣ୍ୟ ଲଭିବାକୁ।

 

ମହାପ୍ରଭୋ! ଦେଖି ତାଙ୍କ କିବା ଅପରାଧ,

ଅସମୟେ କଲ କିପାଁ ତାଙ୍କ ପ୍ରାଣ ବଧ?

 

ପୁଣ୍ୟମୟ ତୀର୍ଥ ବିନ୍ଦୁସାଗର କୂଳରେ

ପ୍ରାଣତ୍ୟାଗ କଲେ ପିତା ବିସୂଚି ରୋଗରେ।

 

ଥିଲେ ସେ କାଳରେ ତାଙ୍କ ଜନନୀ ସଙ୍ଗିନୀ,

ବିକଳେ ବାହୁଡ଼ି ଗୃହେ ଗଲେ ଅଭାଗିନୀ।

 

ମୋ ମାତା ତୁଳସୀଦେବୀ ବିକଳେ ହତାଶେ

କାନ୍ଦି କାନ୍ଦି ପ୍ରାଣତ୍ୟାଗ କଲେ ତିନି ମାସେ।

 

ମୋହ ପିତା ପ୍ରତି କରିଅଛ ଅତ୍ୟାଚାର,

ତୁମ୍ଭ କୃପା ପାଇବାକୁ ମୋର ଅଧିକାର।

 

ବିଦାୟ ପ୍ରାର୍ଥନା

ନଳିନୀଗୌଡ଼

ଧୈର୍ଯ୍ୟ ଧର, କ୍ଷମା କର, ଦେଉନ୍ତୁ ମେଲାଣି,

ବିଦାୟ ଘେନୁଛି ଉପଯୁକ୍ତ କାଳ ଜାଣି।

 

ଏ ନୁହେ ବିନାଶ ବନ୍ଧୋ! ଏ ନୁହେ ବିଚ୍ଛେଦ,

ଏ କାଳ, ସେ କାଳ, ମାତ୍ର ଏତିକି ପ୍ରଭେଦ।

 

ଆଗ ପଛ ହୋଇ ବନ୍ଧୋ! ଯିବା ଏକସ୍ଥାନେ,

ଯାଉଛି ଆଗରେ, ପଛେ ଆସ ତୁମ୍ଭେମାନେ।

 

ଯାଉଛି ମୁଁ ବନ୍ଧୋ! ରଖି ଯାଉଛି ତ ସ୍ମୃତି,

କେବଳ ଏ ଚିହ୍ନ ମାତ୍ର ସହ ଅନୁଭୂତି।

 

ଜୀବନସଙ୍ଗୀତ ମୋର ହେଉ ଅବସାନ,

ଅଭିଳାଷ ଦୀର୍ଘ କାଳ ଧରିଥାଅ ତାନ।

 

ମୋହ ସୁପ୍ତ ନାମ ତୁମ୍ଭ ହୃଦୟମନ୍ଦିରେ

ଥିବ, କିନ୍ତୁ ନିଭିଯିବ ଚିରେ ବା ଅଚିରେ।

 

ଆଶୀର୍ବାଦ କର, ଜପି ଜପି ହରିନାମ

ହେଉ ମୋ ବୈରାଗ୍ୟମୟ ଅନନ୍ତବିଶ୍ରାମ।

 

ଶେଷ ପ୍ରାର୍ଥନା

ରାଗ- ବଙ୍ଗଳାଶ୍ରୀ

କ୍ରମଶ ଦୁର୍ବଳ            ଇନ୍ଦ୍ରିୟ ସକଳ

ପ୍ରାଣ ମନ ଅବସନ୍ନ,

 

ହରାଇ ସାମର୍ଥ୍ୟ            ବଞ୍ଚିଥିବା ବ୍ୟର୍ଥ,

ଅଟେ ଯନ୍ତ୍ରଣା କାରଣ।

 

ଐଶ୍ୱର୍ଯ୍ୟର ଆଶା,            ସୁଖର ପିପାସା,

କ୍ରମେ ହେଉଛି ତ କ୍ଷୀଣ,

 

ଜ୍ଞାତି ପରିବାର            କ୍ରମେ ହତାଦାର

କରୁଛନ୍ତି ଦିନୁ ଦିନ।

 

ଜୀବନ ମରଣେ            ସନ୍ଧିରେ ଏ କ୍ଷଣେ

ହୋଇଛି ତ ଉପସ୍ଥିତ,

ଶ୍ମଶାନର ଛାୟା,            ପୃଥିବୀର ମାୟା,

ଉଭୟ ହୃଦେ ବିଚିତ୍ର।

ପଛକୁ ନ ଚାହିଁ,            ଆଗେ ଯିବା ପାଇଁ

ହୁଏ ଚିତ୍ତ ଉଚ୍ଚାଟନ,

କିପାଁ କ୍ଷଣେ କ୍ଷଣେ            କେଉଁ ଆକର୍ଷଣେ

ବିଚଳିତ ହୁଏ ମନ!

 

ଗଲା ସବୁ ଯାଉ,            ସେ କଥା ତ ଆଉ

କେବେ ନ ଧରିବି ମୁଖେ,

ସଂସାର ବନ୍ଧନ            କରି ମୁଁ ଛେଦନ

ରହିଥିବି ମନସୁଖେ।

 

ଆହେ ବନ୍ଧୁଗଣ!            କରେଁ ନିବେଦନ,

ଦୟା ରଖି ମୋହଠାରେ,

 

ହରି ବୋଲି ଭାଇ,            ମୋତେ ଯେ ଶୁଆଇ

ଦେବେ ସମାଧିଶଯ୍ୟାରେ।

 

ଜନ୍ମଭୂମିକୋଳେ            ଏକାନ୍ତେ ବିରଳେ

ରହିବି ମହାଧ୍ୟାନରେ,

ରବି, ଶଶୀ, ତାରା,            ଜ୍ୟୋତିପରମ୍ପରା,

ପଡ଼ୁଥିବ ମୋ ଉପରେ।

 

ଦୁଃଖ ସମୟ

ଭଙ୍ଗ ଆଷାଢ଼ଶୁକ୍ଳବାଣୀ

ବସିଛି ନିର୍ଜନେ            ବ୍ୟାକୁଳ ମନେ,

ଲୋତକଧାରା             ବହୁଛି ନୟନେ,

କାହିଁ ଗଲେ ମୋର            ସୁହୃଦ ଜନେ,

ପାଶରେ କାହାକୁ

ନ ଦେଖେଁ ଚିତ୍ତେ ସାନ୍ତ୍ୱନା ଦେବାକୁ।

ସୁଖ ସମୟରେ ସକଳ ସାଥି,

ଦିବା ଆଲୋକରେ ଜାଳନ୍ତି ବତି,

 

ସରିଯାଏ ଯେବେ ସୁଖ ସମ୍ପତ୍ତି,

ସକଳେ ଅନ୍ତର,

ଡାକିଲେ କେ ଅଛି ଦେବ ଉତ୍ତର!

ବସନ୍ତରେ ବହେ ଶୀତଳ ବାୟୁ,

କୁସୁମସୌରଭ ମେଲିଛି ଆଉ,

ଡାଳେ କୋକିଳ କରେ କୁହୁ କୁହୁ,

ମଧୁ ଗଲେ ଚଳି,

 

କାହିଁ ବା କୋକିଳ କାହିଁ କାକଳି।

ସୁଖରେ ସବୁ ସୁଖ ଯାଏ ଜଣା,

ବ୍ୟାଧିରେ ଦେହେ ସର୍ବତ୍ର ବେଦନା,

ଏକୁ ଆରେକ ପାଶେ ଯିବା ମନା,

ସୁଖ ଦୁଃଖ ବେନି

ଥାନ୍ତି ସ୍ୱତନ୍ତ୍ର ସ୍ୱ ସ୍ୱଭାବ ଘେନି।

 

ଯୁବକ ଶରଚ୍ଚନ୍ଦ୍ର

ନ ଭୁଲ ନ ଭୁଲ, ସର୍ବଦର୍ଶୀ ବିଶ୍ୱପତି

ତୁମ୍ଭର ଅନ୍ୟାୟ କାର୍ଯ୍ୟମାନ ଦେଖୁଛନ୍ତି-ହେ।

 

ମୁଖେ ବୋଲ ଧର୍ମ, ନାହିଁ କାର୍ଯ୍ୟ ଅନୁରୂପ,

କରୁ ନାହଁ କି ହେ ତୁମ୍ଭେ ଧର୍ମକୁ ବିଦ୍ରୂପ-ହେ।

ଦେଇଛନ୍ତି ଶକ୍ତି କି ରେ ପ୍ରଭୁ ଭଗବାନ

 

ନାଶିବାକୁ ତାଙ୍କ ଅଜ୍ଞପୁତ୍ର ଧନ ପ୍ରାଣ-ହେ?

ମାନବ ଶୋଣିତ ବିନା ଆରେ ଦୁରାଶୟ!

 

ପେଟ ପୋଷିବାକୁ ଆଉ ନାହିଁ କି ଉପାୟ-ରେ?

କେତେଦିନପାଇଁ ତୁମ୍ଭେ ଅଛ ପୃଥିବୀରେ,

 

ବୁଝିଲ ତ ନାହିଁ କଥା ମୋହାନ୍ଧ ବୁଦ୍ଧିରେ-ହେ।

ଲୋଭର ପ୍ରକୃତି-ପୃଥ୍ୱୀଯାକ କଲେ ଗ୍ରାସ

 

ତଥାପି ସମ୍ପୂର୍ଣ୍ଣ ହେବ ନାହିଁ ଅଭିଳାଷ – ହେ।

କାହିଁ ନେପୋଲ୍ୟନ? କାହିଁ ଆଲେକଜେଣ୍ଡର?

 

କାହିଁ ବା ସେ ମିରାମିସ? ମାମଦ? ବାବର? ହେ।

ମାନବ ଶୋଣିତେ ଥିଲେ ପୃଥିବୀ ଭସାଇ,

 

କାହାନ୍ତି ସେମାନେ କାହିଁ ତାଙ୍କ ରାଜ୍ୟ ଭାଇ- ହେ!

ଧାର୍ମିକ, ପାପିଷ୍ଠ ସର୍ବେ ଯିବେ ଏକସ୍ଥାନେ,

ଏଥିର ବିଚାର ହେବ ପ୍ରଭୁ ସନ୍ନିଧାନେ-ହେ।

 

କଳାପାହାଡ଼

କାଳୀ

ଦୁର୍ଜନ ରାଢ଼            କଳାପାହାଡ଼

ଅଇଲା ସୈନ୍ୟ ସାଜି,

ପଶି ଉତ୍କଳେ            ଭୀଷଣ ବଳେ

ଦେଲା ଦେଶଟା ଭାଞ୍ଜି।

 

ଯବନ ବୀର            ଦେବମନ୍ଦିର

କଲାକ ଲଣ୍ଡଭଣ୍ଡ,

ଦେବତାଗଣେ            ମିଳି ଯବନେ

କଲେକ ଖଣ୍ଡ ଖଣ୍ଡ।

 

ଥିଲା ବ୍ରାହ୍ମଣ,            ହେଲା ଯବନ

କଳାପାହାଡ଼ ଦୁଷ୍ଟ,

ଦେବତା ମୂର୍ତ୍ତି            କଲା ଦୁର୍ଗତି

ହୋଇ ସେ ମହାରୁଷ୍ଟ।

 

କେ ମୂର୍ତ୍ତି ନାକ,            କାହା ମସ୍ତକ,

ଭାଞ୍ଜିଲା କାହା ପାଦ,

 

କାହାର କର୍ଣ୍ଣ            ଚୂର୍ଣ୍ଣ ବିଚୂର୍ଣ୍ଣ

କଲାକ ସାଧି ବାଦ।

 

ଦେବତାଗଣେ            ନାଶ କାରଣେ

ଭ୍ରମି ସେ ଗ୍ରାମେ ଗ୍ରାମେ,

କ୍ରୋଧେ ନିତାନ୍ତ            କଲା ଉତ୍‌ପାତ

ମିଳି ଶ୍ରୀକ୍ଷେତ୍ରଧାମେ।

 

 

ସେବକବୃନ୍ଦ            ପୂର୍ବୁଁ ସମ୍ବାଦ

ପାଇଣ ସାବଧାନେ,

କରିଣ ଯୁକ୍ତି            ଘେନି ଶ୍ରୀମୂର୍ତ୍ତି

ଚିଲିକା ସନ୍ନିଧାନେ

 

ଜୀବନ ପଣେ            ରଖି ଗୋପନେ

ହୋଇ ସେ ସାବଧାନୀ,

ପାପିଷ୍ଠ ମୂଢ଼            କଳାପାହାଡ଼

ପାରିଲା ନାହିଁ ଜାଣି।

 

ବିପନ୍ନ ନାବିକ

ରାଗ - ମଙ୍ଗଳ ଗୁଜ୍ଜରୀ

ସାମାନ୍ୟ କୁଟୀର ମଧ୍ୟେ ନଦୀ କୂଳରେ

ନାଉଡ଼ି କୁଟୁମ୍ବ ଘେନି ଥାଏ ସୁଖର।

 

ଡଙ୍ଗାଟିଏ ଥାଏ ବାନ୍ଧି ନଦୀତୋଠରେ,

ସବୁବେଳେ ଜଗି ବସିଥାଏ ପାଶରେ।

 

ହାଟୁଆ ବାଟୁଆ ଗ୍ରାମ ଲୋକ ପଝାରି,

ପେଶା କରିଥିଲା ତାଙ୍କୁ କରିବା ପାରି।

 

ପାଏ ବରତନ ଯାହା, କୁଟୁମ୍ବ ପୋଷେ,

ନ ଜାଣେ ଅଭାବ, ଥାଏ ମନ ସନ୍ତୋଷେ।

 

ନଦୀଜଳ, ନଦୀମାଛ ତାର ଭରସା,

କାଟୁଥାଏ କାଳ କରି ଏହି ବେବସା।

 

ଶୀତ, ଗ୍ରୀଷ୍ମ, ବର୍ଷା, ଏହି ବାରଟା ମାସ।

ସୁଖେ କରୁଥାଏ ନଦୀକୂଳରେ ବାସ।

 

ପିଲାଟି କାଳରୁ ଥିଲା ପସରା କରି,

ବୁଢ଼ାକାଳଯାଏଁ ନଦୀତୋଠ ଆବୋରି।

 

ନଦୀ ଆଶ୍ରୟରେ ଦକା ନ ଥିଲା ମନେ,

ନିର୍ଭୟରେ ଥିଲେ ମଧ୍ୟ କୁଟୁମ୍ବଗଣେ।

 

ଅଇଲା ବରଷାକାଳ, ଆସେ ଯେପରି,

ବରଷିଲା ପାଣି ଆଠ ଦିବସ ଧରି।

 

ଏଗାର ଅଙ୍କର ବଢ଼ି ସବିଙ୍କୁ ଜଣା,

ବୁଡ଼ିଥିଲା ବହୁଲୋକ ଘରକରଣା।

 

ମୂଷଳ ଧାରାରେ ପାଣି ଥିଲା ବରଷି,

ବାହାରି ନାହାନ୍ତି ଘରୁ ଲୋକେ ଭରସି।

 

ପଡ଼ିଲା ଉପରେ ମଡ଼ା ପାଣି ପ୍ରବଳେ,

ଘାଟ ବାଟ ବିଲ ପାଟ ପୂରିଲା ଜଳେ।

 

ବହୁଥାଏ ସ୍ରୋତ ଦୁଇ କୂଳକୁ ଗ୍ରାସି,

କେତେ ଲତା, ବୃକ୍ଷ, ପଶୁ ଯାଇଛି ଭାସି।

 

ତହିଁ କିଛି ନାହିଁ ଭୟ ନାବିକ ମନେ,

ଦେଖି ଆସିଅଛି କେତେ ବଢ଼ି ଜୀବନେ।

 

କୁଟୁମ୍ବଙ୍କୁ ଧରି ଶୋଇଥିଲା କୁଟୀରେ,

ପଲାରେ ପଶିଲା ପାଣି ଅଧ ରାତିରେ।

 

ତରତର ହୋଇ ବୁଢ଼ା ବାହାରି ଆସି

ଖୋଜିଲା ଡଙ୍ଗାଟି-ମାତ୍ର ଯାଇଛି ଭାସି।

 

ପଡ଼ିଲା ଅତଡ଼ା ଭାଙ୍ଗି ନଦୀ ଗର୍ଭରେ,

ନାଉଡ଼ି କୁଟୁମ୍ବ ଭାସି ଗଲେ ସ୍ରୋତରେ।

 

ଯେଉଁ ନଦୀ ହୋଇଥିଲା ଆଶ୍ରୟ ତାର,

କାଳେ ପୁଣି କଲା ତାର ପ୍ରାଣ ସଂହାର।

 

ଜଗତେ ଘଟଣା ଏହା ନୁହେ ନୂତନ,

ହେବାର ଆଶ୍ରୟଦାତା ନାଶ କାରଣ।

 

ତୁମ୍ଭେ- ଆମ୍ଭେ

ରାଗ - ଚକ୍ରକେଳି

ତୁମ୍ଭଙ୍କୁ ନିୟତ କରେଁ ମୁଁ ଧ୍ୟାନ,

ତୁମ୍ଭପାଇଁ ସଦା ଝୁରଇ ପ୍ରାଣ।

 

ମୋହର ତ ନେତ୍ରୁ ବହେ ଲୋତକ,

ହୃଦୟ ବିଦାରି ଉଠେ ତ ଶୋକ।

 

ଆଶାମାର୍ଗେ ଥାଏଁ ତୁମ୍ଭଙ୍କୁ ଚାହିଁ,

କରେଁ କେତେ ଚିନ୍ତା ତୁମ୍ଭରିପାଇଁ।

 

ତୁମ୍ଭପାଇଁ ଥାଏ ସଦା ସଜ୍ଜିତ,

ତୁମ୍ଭ ନାମେ ଗାଏ ପ୍ରେମସଙ୍ଗୀତ

ତୁମ୍ଭେ କି ଗୋ ଥରେ ଭାଳ ମନରେ?

ଆସି କି ଗୋ ଦେବ ବୁଝାଇ ଥରେ?

 

ଉଭୟ ମଧ୍ୟରେ କିବା ସମ୍ବନ୍ଧ?

ଅଥବା ଏହା କି ବିଧିନିର୍ବନ୍ଧ?

ଅବଶ୍ୟ ରହିଛି କିଛି ସମ୍ପର୍କ,

ନାହିଁଟି ଏଥିରେ ତର୍କ ବିତର୍କ।

 

ଯିଶୁ-କ୍ରୁଶ

ରାଗ- ଚକ୍ରକେଳି

ରାଜ ଅନୁଚରେ ଯିଶୁଙ୍କୁ ଧରି

ଘେନି ଯାଉଛନ୍ତି ତସ୍କର ପରି।

 

କେ ପକାଏ ଛେପ ତାଙ୍କ ମୁଖରେ,

କଣ୍ଟାଛାଟ କେହି ମାରେ ପୃଷ୍ଠରେ।

ଗାଳି ଦେଉଥାନ୍ତି ଫାରୁଶି ଥୋକେ,

କଣ୍ଟାର ମୁକୁଟ ବାନ୍ଧ ମସ୍ତକେ।

ରାଜପୁତ୍ର ବୋଲି କେ ଉପହାସ,

କେ ପକାଏ ଧୂଳି ଆସିଣ ପାଶ।

 

ଚଢ଼ାଇଲେ କ୍ରୁଶେ ନିଷ୍ଠୁର ରୂପେ,

ହାତ ଗୋଡ଼ ବାନ୍ଧି ଲୋହାର ସ୍କୃପେ।

 

ଅନ୍ତର୍ଗଳ ଦେହୁଁ ବହେ ଶୋଣିତ,

ବୋଲୁଛନ୍ତି ଯିଶୁ ହେ ପ୍ରଭୁ ପିତଃ!

 

ଜୟ! ଜୟ! ତୁମ୍ଭ ମହିମା ଜୟ!

ହେ ପିତଃ! ହେ ପିତଃ ହୁଅ ସଦୟ!

 

ହେଉ ପଛେ ମୋର କଷ୍ଟ ପ୍ରବଳ,

ତୁମ୍ଭର ଆଦେଶ ହେଉ ସଫଳ।

ଯେମାନେ ବଧନ୍ତି ମୋହର ପ୍ରାଣ,

ସେମାନେ ତ ମଧ୍ୟ ତୁମ୍ଭ ସନ୍ତାନ।

 

ପାପେ ଡୁବିଛନ୍ତି ଏସର୍ବ ପ୍ରାଣୀ,

ନିଜ କାର୍ଯ୍ୟ ପାରୁ ନାହାନ୍ତି ଜାଣି।

 

କିପରି ପାଇବେ ଏମାନେ ତ୍ରାଣ,

ଏହା ଭାଳି ମୋର କାନ୍ଦୁଛି ପ୍ରାଣ।

 

ହେ ପ୍ରଭୋ! ହେ ପ୍ରଭୋ! ଦୋଷ ତାଙ୍କର

କ୍ଷମା କର, ଏହି ପ୍ରାର୍ଥନା ମୋର।

 

ନିଜ ରକ୍ତ ଦେଇ ଏ ପାପିଗଣେ

ଉଦ୍ଧାର କରିବି ବାସନା ମନେ।

 

କରିବାକୁ ତୁମ୍ଭ ପ୍ରେମ ପ୍ରଚାର

କରିଛି ଯତ୍ନ କେତେ ପ୍ରକାର।

 

ବଧିଲେ ଯେମାନେ ମୋହର ପ୍ରାଣ,

ହେ ପ୍ରଭୋ! କରନ୍ତୁ ତାହାଙ୍କୁ ତ୍ରାଣ।

 

ହେ ପିତଃ! ହେ ପିତଃ! ଦୋଷ ତାଙ୍କର

କର କ୍ଷମା, ଏହି ପ୍ରାର୍ଥନା ମୋର।

 

କରନ୍ତେ ପ୍ରଚାର ତୁମ୍ଭ ମହିମା,

ହେ ପ୍ରଭୋ! ନାହିଁ ମୋ କଷ୍ଟର ସୀମା।

ହେଉ କଷ୍ଟ ପଛେ ନାହିଁ ଆପତ୍ତି,

ଘୁଞ୍ଚାଉନ୍ତୁ ଲୋକଗଣ ଦୁର୍ଗତି।

ରାଜରାଜେଶ୍ୱର ହେ ବିଶ୍ୱପତି।

ନର ନାରୀ ସର୍ବ ତୁମ୍ଭ ସନ୍ତତି।

 

ହୁଅ ପିତଃ! ମୋର ଶିଷ୍ୟଙ୍କ ସଖା,

ଉଡ଼ୁ ଜଗତରେ ପ୍ରେମ ପତକା।

 

ପୁଣ୍ୟ ତୀର୍ଥ ହେଉ ଏ ଧରାତଳ,

ହେଉନ୍ତୁ ପବିତ୍ର ଲୋକ ସକଳ।

 

ମୋହ ରକ୍ତସ୍ରୋତେ ହେ ବିଶ୍ୱପତି!

ଧୋଇ ଧାଇ ଯାଉ ଲୋକ ଦୁର୍ଗତି।

 

ହେଉନ୍ତୁ ଧାର୍ମିକ ଲୋକ ସମସ୍ତେ,

ହେଉ ତୁମ୍ଭ ଇଚ୍ଛା ପୂର୍ଣ୍ଣ ଜଗତେ।

 

ତୁମ୍ଭ ପ୍ରେମଯଜ୍ଞେ ପ୍ରାଣ ଆହୁତି

ଦେଲି, ଲୋକଗଣେ ପାଉନ୍ତୁ ମୁକ୍ତି।

 

ଦାରୁଣ ଯନ୍ତ୍ରଣା ବାଧୁଛି ପ୍ରାଣେ,

କର ରକ୍ଷା ପିତଃ! ତୁମ୍ଭ ସନ୍ତାନେ।

 

ତୁମ୍ଭ ଇଚ୍ଛା ଯେବେ ପାଇବି କଷ୍ଟ,

ହେଉ ଯନ୍ତ୍ରଣାରେ ମୋ ପ୍ରାଣ ନଷ୍ଟ।

 

ନିବେଦନ କରି ଏକଥା ସର୍ବ,

ଅନାଇ ସ୍ୱର୍ଗକୁ ହେଲେ ନୀରବ।

 

ଜଗାଇ ମାଧାଇ

ରାଗ - କଳସା

ଜଗାଇ ମାଧାଇ ଦୁଇ ବ୍ରାହ୍ମଣ ସନ୍ତାନ,

ନଦୀୟାନିବାସୀ ଦୁଷ୍ଟ ପାଷଣ୍ଡ ଅଜ୍ଞାନ।

 

ମଦ୍ୟପ, ଦୁର୍ବୃତ୍ତ, ନଷ୍ଟ, ଭ୍ରଷ୍ଟ, ଦୁରାଚାର,

କରନ୍ତି ଲୋକଙ୍କ ପ୍ରତି ନାନା ଅତ୍ୟାଚାର।

 

ନଦୀୟାନିବାସିଗଣେ ସେମାନଙ୍କ ଭୟେ

ଗୃହେ ବାସ କରିଥାନ୍ତି ସକଳ ସମୟେ।

 

ସାଧୁ ପ୍ରଭୁ ନିତ୍ୟାନନ୍ଦ ପ୍ରେମିକ ବୈରାଗୀ,

ଉଦ୍ଧାରିବାପାଇଁ ପାପୀ ସଦା ଅନୁରାଗୀ।

 

ଦିନକରେ ପ୍ରାତଃକାଳେ ସାରି ଗଙ୍ଗାସ୍ନାନ

ଆସିଛନ୍ତି କରି ମହାପ୍ରଭୁ ନାମ ଗାନ।

 

ଦେଖିଲେ ସେ ଚାହିଁ- ଦୂରେ ଲୋକ ଦୁଇଜଣ

କରୁଛନ୍ତି କ୍ରୋଧଭରେ ତର୍ଜନ ଗର୍ଜନ।

 

ସୁରାପାନ ହେତୁ ହୋଇ ନିଶାରେ ଉନ୍ମତ୍ତ,

କରିଣ ଚିତ୍କାର ଧାଉଁଛନ୍ତି ଇତସ୍ତତ।

 

ମରାମରି ଧରାଧରି ହେଉଛନ୍ତି ବଳେ,

ମତୁଆଲା ହୋଇ ପଡ଼ି ଯାଉଛନ୍ତି ତଳେ।

 

ଅକାରଣେ ଲୋକଗଣେ କରନ୍ତି ପ୍ରହାର,

କରୁଛନ୍ତି କଦାଚିତ ବିକଟ ଚିତ୍କାର।

 

ଗଙ୍ଗାକୂଳେ ଥିଲେ ଯେତେ ଲୋକ-ଭୟ ପାଇ

ସେମାନଙ୍କୁ ଦେଖି ଗଲେ ଦୂରରୁ ପଳାଇ।

 

 

ଶାର୍ଦୂଳେ ଦେଖିଣ ଯେହ୍ନେ ପଳାନ୍ତି କୁରଙ୍ଗ,

ପଳାଇଲେ ତେହ୍ନେ ମଣି ମନରେ ଆତଙ୍ଗ।

 

ପୁଚ୍ଛା କଲେ ସାଧୁ ନିତ୍ୟାନନ୍ଦ ଲୋକଗଣେ,

ବୋଲ ବୋଲ କେ ଅଟନ୍ତି ଏହି ବେନି ଜନେ

 

ପଶୁର ଅଧମ ବେନି- ମାନବ ସନ୍ତାନ,

ଏମାନଙ୍କୁ ଦେଖି ମୋର ବାଧୁଅଛି ପ୍ରାଣ।

 

ବୋଇଲେ ସକଳେ ଏହି ଜଗାଇ ମାଧାଇ,

ଅଟନ୍ତି ବ୍ରାହ୍ମଣ ପୁତ୍ର ଦୁଷ୍ଟ ଦୁଇ ଭାଇ ।

 

ପାଷଣ୍ଡ, ଦୁର୍ଜନ ଏହି ଦୁଷ୍ଟ ଦୁରାଚାରେ,

ତାଙ୍କ ତୁଲ୍ୟ ପାପୀ ନାହିଁ ଜଗତ ସଂସାରେ।

 

ଅସାଧ୍ୟ ତାହାଙ୍କ ପାପ ଜଗତରେ ନାହିଁ,

ସଶଙ୍କିତ ନବଦ୍ୱୀପବାସୀ ତାଙ୍କପାଇଁ।

 

ଦୁହିଙ୍କ ବେବସା ଅଟେ ଚୋରି ଡକାଇତି,

ଏହିପରି କାର୍ଯ୍ୟ କରିଥାନ୍ତି ନିତି ତିତି।

 

ବାଟୋଇ ବାଡ଼େଇ- କରି ସର୍ବସ୍ୱ ହରଣ,

ମଦ୍ୟ ମାଂସ ଖାଇ ନିତ୍ୟ କାଟନ୍ତି ଜୀବନ।

 

ଏମାନଙ୍କ ଅତ୍ୟାଚାରେ କୁଳନାରୀମାନେ

ନିର୍ଭୟରେ ନ ପାରନ୍ତି ଆସି ଗଙ୍ଗାସ୍ନାନେ।

 

ଏହିପରି ଶୁଣି ପାପିମାନଙ୍କ ବୃତ୍ତାନ୍ତ,

ନିତ୍ୟାନନ୍ଦ ମନେ କଷ୍ଟ ପାଇଲେ ନିତାନ୍ତ।

 

ବିଚାରିଲେ କୃପାପାତ୍ର ଏହି ବେନିଜଣ,

ଦୟାମୟ ହରି ନାମ କରନ୍ତୁ ଶ୍ରବଣ।

 

 

ଚଳିଲେ ଏତେକ ଭାଳି ସେମାନଙ୍କ ପାଶେ,

ହରିନାମ ମହାମନ୍ତ୍ର ବୋଲିବା ସକାଶେ।

 

ବୋଇଲେ ସମସ୍ତେ ଡାକି, ବାହୁଡ଼ ଗୋସାଇଁ,

ଯମଦୂତ ଦୁହିଙ୍କର ପାଶେ ଯାଅ ନାହିଁ।

 

ପାପୀ ଉଦ୍ଧାରିବା ଅଟେ ଯାହାଙ୍କର ବ୍ରତ,

ଲକ୍ଷ୍ୟ ଦେଖି ସେ କି ହୋଇ ପାରିବେ ନିଶ୍ଚିନ୍ତ?

 

‘‘ବୋଲ ହରି ବୋଲ’’ ବୋଲି ମନର ଆନନ୍ଦେ

ଗଲେ ପାପି ଗଣ ପାଶେ ସାଧୁ ନିତ୍ୟାନନ୍ଦେ।

ଦୁଇ ବାହୁ ଟେକି ହରିଗୁଣ ଗାଇ ଗାଇ,

ବୋଲଲେ ରେ ମୋର ପାଶେ ଆସ ଦୁଇ ଭାଇ।

 

କି କଥା ମନରେ ଭାଳି ମନେ ଦୁଇ ଭାଇ,

ସାଧୁ ନିତ୍ୟାନନ୍ଦ ପାଶୁଁ ଗଲେକ ପଳାଇ।

ମହିଷ ସମାନେ କରି ଆରକ୍ତ ଭୋଜନ,

ମହାବେଗେ ଧାଇଁଛନ୍ତି ଦୁଇଟା ଦୁର୍ଜନ l

ମାତ୍ର ନିତ୍ୟାନନ୍ଦ ପଣ କରିଥାନ୍ତି ମନେ,

ଉଦ୍ଧାର କରିବେ ସେହି ପାପୀ ବେନି ଜନେ l

ଯାଇଛନ୍ତି ଯହିଁ ସେହି ଜଗାଇ ମାଧାଇ,

ପଛେ ପଛେ ନିତ୍ୟାନନ୍ଦ ଅଛନ୍ତି ଗୋଡ଼ାଇ l

ନିତାନ୍ତ ବିରକ୍ତ ହୋଇ ପାପୀ ଦୁଇ ଜଣ,

ଅଇଲେ ବାହୁଡ଼ି କରି ତର୍ଜନ ଗର୍ଜନ l

ମାଠିଆ ଖପରା ଖଣ୍ତେ ଧରି ଦୁହେଁ କରେ,

ପ୍ରହାର କଲେକ ନିତ୍ୟନନ୍ଦ ମସ୍ତକରେ l

ନିତାଇ ମୁଣ୍ଡରେ ପଶି କଳସୀ ଖପରା,

ସର୍ବାଙ୍ଗରେ ବହି ଯାଉଅଛି ରକ୍ତଧାରା l

ନ ରଖି ସେ ରକ୍ତ ପ୍ରତି ଦୃଷ୍ଟି ନିତ୍ୟାନନ୍ଦ,

ଧଇଲେ ଦୁହିଁଙ୍କୁ କୋଳେ ହୋଇ ପ୍ରେମାନନ୍ଦ l

ବୋଇଲେ ଆସ ରେ ମୋର ଜଗାଇ ମାଧାଇ

 

ନିତ୍ୟାନନ୍ଦ ପାଦପଦୁଁ ଘେନି ଦୁହେଁ ଧୂଳି,

ଭକ୍ତି ପ୍ରେମଭରେ ହେଲେ ସର୍ବାଙ୍ଗରେ ବୋଳି l

ତ୍ୟାଗ କଲେ ଆପଣାର ମନ୍ଦ କାର୍ଯ୍ୟ ସର୍ବ,

ସେହିଦିନୁ ହେଲେ ଦୁହେଁ ମହାତ୍ମା ବୈଷ୍ଣବ l

 

ଯହିଁ ଯେତେ ଥିଲେ, ଛନ୍ତି, ବୈଷ୍ଣବ ଗୋସାଇଁ,

କରେଁ ନମସ୍କାର ପ୍ରଭୋ! ମସ୍ତକ ନୁଆଇଁ।

 

ଅଭଙ୍ଗ ଗାୟକ ତୁକାରାମ ମହାମତି,

ଯାହାଙ୍କ ସେବକ ମହାରାଷ୍ଟ୍ର ଛତ୍ରପତି।

 

ଶ୍ରୀମତୀ ମାଧବୀ, ଅତିବଡ଼ି ଜଗନ୍ନାଥ!

ହେଉଛି ଓଳଗି ଭକ୍ତିଭରେ ଯୋଡ଼ି ହାତ।

 

ମହତ୍ମା ହୋସେନ, ରାଜା ଶ୍ରୀରାମମୋହନ,

ଭକ୍ତିରେ ବନ୍ଦଇଁ ତୁମ୍ଭମାନଙ୍କ ଚରଣ।

 

ସାମ୍ୟଧର୍ମବାଦୀ ପ୍ରିୟ ବ୍ରାହ୍ମ ଭ୍ରାତୃଗଣେ,

ନମସ୍କାର କରେଁ ତୁମ୍ଭମାନଙ୍କ ଚରଣେ।

 

ଆହେ ଭକ୍ତବୃନ୍ଦେ ଛନ୍ତି ପ୍ରଭୁ ସନ୍ନିଧାନେ,

ଆଶୀର୍ବାଦ କର ସୁଖେ ଥାନ୍ତୁ ଲୋକମାନେ।

 

ଅଶାନ୍ତି ଯନ୍ତ୍ରଣା କଷ୍ଟ ହେଉ ସର୍ବ କ୍ଷୟ,

ପ୍ରଭୁଙ୍କ ପବିତ୍ର ରାଜ୍ୟ ହେଉ ସୁଧାମୟ।

 

କାହିଁ ଯିବି?

ରାଗ - ଚକ୍ରକେଳି

ଦିବସ ରଜନୀ ପ୍ରାତଃ ସନ୍ଧ୍ୟାରେ,

ସଜନେ ବିଜନେ, ଘରେ ବାହାରେ,

 

ଜାଗ୍ରତେ ସ୍ୱପନେ, କ୍ରିଡ଼ା କୌତୁକେ,

ଆମୋଦ ପ୍ରମୋଦେ, ଦୁର୍ଯୋଗ ଶୋକେ,

 

ଜୀବନେ ମରଣେ, ସର୍ବ କାଳରେ,

ରହିଛି ତ ପ୍ରଭୋ! ତୁମ୍ଭ ପାଶରେ।

 

ଦିଗ ଦିଗନ୍ତରେ ଅନନ୍ତାକାଶେ,

ମହାପ୍ରଭୋ! ତୁମ୍ଭ ଜ୍ୟୋତି ବିକାଶେ।

 

ଲୋକ ଲୋକାନ୍ତରେ ଅଛ ନିୟତ,

ତୁମ୍ଭ ଅଧିକାର ବିଶ୍ୱ ଅନନ୍ତ ।

 

ଜରାୟୁ ଶଯ୍ୟାରେ, ଅବା ଶ୍ମଶାନେ,

ରହିଥିବି ପ୍ରଭୋ! ତବ ନିଧାନେ।

 

ଭୂତ, ଭବିଷ୍ୟତ ବା ବର୍ତ୍ତମାନ,

ତୁମ୍ଭ ନିକଟରେ ସର୍ବ ସମାନ।

 

ଥାଅ ସାଧୁଗଣ ହୃଦୟପୁରେ,

ଅସାଧୁ ଦେଖନ୍ତି ତୁମ୍ଭଙ୍କୁ ଦୂରେ।

 

ରହିଛି ତ ବିଶ୍ୱ ବ୍ରହ୍ମାଣ୍ଡ ମାଡ଼ି,

ଯିବି କାହିଁ ଆଉ ତୁମ୍ଭଙ୍କୁ ଛାଡ଼ି?

 

ସୁଖ କାହିଁ?

ରାଗ- ମଙ୍ଗଳ

 

ଆହା! ଆହା! ଦେଖୁଛି ତ ସୁଖଲାଳସାରେ

ଜୀବନଟାଯାକ ହେଲି ଅଣ୍ଡାଳି ଅନ୍ଧାରେ।

 

ସୁଖ ମଣି ଧରେଁ ଯାହା ସେ ତ ଚିତ୍ତଭ୍ରାନ୍ତି,

ଲଭି ତ ପାରିଲି ନାହିଁ ତହୁଁ ମନେ ଶାନ୍ତି।

 

ସୁଖଲୋଭେ ମତ୍ତ ସଦା ଜୀବନ ସଂଗ୍ରାମେ,

ଅରଜୁଛନ୍ତି ତ ମାତ୍ର କଷ୍ଟ ପରିଣାମେ।

 

ଜୀବନେ ଲଭିବି ଶାନ୍ତି କାହିଁ ସେହି ସୁଖ?

ସୁଖ ଲୋଡ଼ି ହେଉଛି ତ କେବଳ ବିମୁଖ

 

ଲଭୁଛୁଁ କ୍ଷୁଧାରେ ଅନ୍ନ, ପିପାସାରେ ଜଳ,

ଯେଉଁ ଯେଉଁ ଦ୍ରବ୍ୟ ଲୋଡ଼ା ପାଉଛୁଁ ସକଳ।

 

 

ଜୀବନଟାଯାକ ଘାଣ୍ଟି ହେଲୁଁ ଯାହା ପାଇଁ,

ସେହି ସାର ସୁଖ ରତ୍ନ; ପାଇବୁଁ କି ନାହିଁ?

 

ମାତ୍ର ସେ ପଦାର୍ଥ ନାହିଁ ଜଗତ ସଂସାରେ,

ସଞ୍ଚିତ ରହିଛି ପୃଥିବୀର ପର ପାରେ।

 

ପବିତ୍ରଚରିତଚିତ୍ତ ସାଧୁ ଭକ୍ତମାନେ

ଲଭିବେ ସେ ସୁଧାଫଳ ପ୍ରଭୁ ସନ୍ନିଧାନେ।

 

ଦୂରେ

ରାଗ - ଚକ୍ରକେଳି

ଦୂରକୁ ପର୍ବତ କେଡ଼େ ସୁନ୍ଦର,

ଗଲେ ତ ପାଶକୁ ବନ ପଥର।

 

ବସନ୍ତର ଯେତେ ମଧୁ ମାଧୁରୀ,

ଛାଡ଼ିଗଲେ ହେଉଁ ତାପାଇଁ ଝୁରି।

 

ଦୂରର ରାଗିଣୀ ମନୋହାରିଣୀ,

ଦିଗନ୍ତ ବିଦ୍ୟୁତ ମନୋମୋହିନୀ।

 

ଦୂରୁଁ ମନୋହର ଦିଶେ ସାଗର,

ପାଶେ ଲବଣାକ୍ତ ଜଳ ମାତର।

 

ସମ୍ମୁଖେ ଘଟୁଛି କେତେ ଘଟନା,

ଦୂର କଥାପାଇଁ କରୁ ଭାବନା,

 

ଯେତେବେଳେ ବନ୍ଧୁ ଥିଲା ମୋ ପାଶେ,

କଥା କହି ନାହିଁ ମନ ଉଲ୍ଲାସେ।

 

ବର୍ତ୍ତମାନ ବନ୍ଧୁ ଯାଇଛି ଛାଡ଼ି,

ତାପାଇଁ କାନ୍ଦୁଛି ମୁଁ ଡକା ପାଡ଼ି

 

କୃଷ୍ଣ ଏବଂ ଖ୍ରୀଷ୍ଟ

ରାଗ - କଳଶା

ଯଦୁବଂଶ-ଅବତଂସ ଯାଦବ ଶ୍ରୀକୃଷ୍ଣ,

ୟୁଦାବଂଶଧର ନରପୁତ୍ର ଯିଶୁଖ୍ରୀଷ୍ଟ।

 

ଉଭୟ ଦେବତା କଥା କଲେ ଆଲୋଚନା,

ଏକ ବୃନ୍ତେ ଦୁଇ ପୁଷ୍ପ ପ୍ରାୟେ ଯାଏ ଜଣା।

 

ଉଭୟ ପବିତ୍ର ସ୍ରୋତ ସମାନ ଭାବରେ

ପ୍ରବାହିତ ହୋଇଥିଲେ ଜଗତକ୍ଷେତ୍ରରେ।

 

ଭାଗବତ, ବାଇବେଲ, ସମାନ ଚରିତ,

କବି ତୂଳିକାରେ ମାତ୍ର ଚିତ୍ରିତ।

 

ଉଭୟେ ଲଭିଲେ ଜନ୍ମ ପଶୁପାଳଗୃହେ,

ଉଭୟେ ଶୈଶବେ ଭୀତ ନୃପତି ବିଦ୍ରୋହେ।

 

ମେରୀ ଗର୍ଭବତୀ ହେଲେ ସ୍ୱର୍ଗୀୟ ତେଜରେ,

ବ୍ରହ୍ମ ତେଜ ପ୍ରବେଶିଲା ଦେବକୀ ଗର୍ଭରେ।

 

ଗୋପପୁରେ ଗଲେ କୃଷ୍ଣ କଂସରାଜା ଡରେ,

ହେରୋଦ ଭୟରେ ଖ୍ରୀଷ୍ଟ ଲୁଚିଲେ ମିଶରେ।

 

ଦୁଇ ପ୍ରଭୁଙ୍କର ବାହୁ ଆଜାନୁ ଲମ୍ବିତ,

ଦୁହିଙ୍କର ପରିଚ୍ଛଦ ବରଣ ଲୋହିତ।

 

ଶିଶୁ ହତ୍ୟା କରିଥିଲା କଂସ ମୂଢ଼ମତି,

ବଧିଥିଲା ଶିଶୁ ମଧ୍ୟ ହେରୋଦ ନୃପତି।

 

ଗୁରୁ ପୁତ୍ରେ ଜୀବଦାନ ଦେଇଥିଲେ କୃଷ୍ଣ,

ବଞ୍ଚାଇଲେ କେତେ ମୃତ ଲୋକ ଯିଶୁଖ୍ରୀଷ୍ଟ।

 

କାମ୍ୟକ ବନରେ କୃଷ୍ଣ ଶାକ କଣିକାରେ

ତୃପ୍ତ କରାଇଲେ ବିପ୍ର ଦ୍ୱାଦଶ ହଜାରେ।

ଖଣ୍ଡେ ରୋଟୀ, ଗୋଟେ ମତ୍ସ୍ୟେ ମେରିଙ୍କ ନନ୍ଦନ

ସହସ୍ର ସହସ୍ର ଲୋକେ ଦେଲେକ ଭୋଜନ।

 

ଖ୍ରୀଷ୍ଟ ଚାଲି ଯାଇଥିଲେ ସାଗର ଉପରେ,

କୃଷ୍ଣଚନ୍ଦ୍ର ପ୍ରବେଶିଲେ ସାଗର ଗର୍ଭରେ।

 

ପ୍ରସ୍ତରକୁ ନବନୀତ କରିଥିଲେ କୃଷ୍ଣ,

ଜଳକୁ ମଦିରା ରୂପ କଲେ ଯିଶୁଖ୍ରୀଷ୍ଟ ।

 

କୃଷ୍ଣଚନ୍ଦ୍ର ଆଜ୍ଞା କରିଥିଲେ ବାରମ୍ବାର,

‘‘ମହାପାପିଗଣେ ଆମ୍ଭେ କରିବୁଁ ଉଦ୍ଧାର।’’

 

ଖ୍ରୀଷ୍ଟ ମଧ୍ୟ ଶତ ଶତ ବାର ସେହି କଥା

ବୋଲିଥିଲେ ଅଛି ବାଇବେଲରେ ବାରତା।

 

କୃଷ୍ଣ ପିତା ନାମ ବସୁ; ଖ୍ରୀଷ୍ଟ ପିତା ଯାଶୁ,

ଉଭୟେ ତାରିଲେ ଲୋକଗଣେ ପାପତ୍ରାସୁଁ।

 

କୃଷ୍ଣ ମାତା ପିତା ଶୁଣିଥିଲେ ଦ୍ରୈବବାଣୀ,

ମେରୀ ସମ୍ବନ୍ଧରେ ଅଛି ସେପରି କାହାଣୀ।

 

ବୋଲି ଯାଇଥିଲେ ପୂର୍ବେ ଭବିଷ୍ୟତବକ୍ତା,

ଯେରୁଶାଲମରେ ଖ୍ରୀଷ୍ଟ ଜନ୍ମ ହେବା କଥା।

 

ଉଲ୍ଲେଖ ରହିଛି ମଧ୍ୟ ବୈଦିକ ଶାସ୍ତ୍ରରେ

ଲଭିବା ଶ୍ରୀକୃଷ୍ଣ ଜନ୍ମ ଯାଦବ ବଂଶରେ।

 

ଈଶ ଅର୍ଥେ ପ୍ରଭୁ ଅବିଧାନରେ ଲିଖିତ,

ଖୀଷ୍ଟ କୃଷ୍ଣ ଦୁହେଁ ଈଶ ନାମରେ କଥିତ।

 

ଖ୍ରୀଷ୍ଟ ଜନମିବା କାଳେ ହେରୋଦ ରାଜନ

ଜୋତିର୍ବିଦ ସଙ୍ଗେ କଲେ କଥୋପକଥନ।

 

କଂସ ମଧ୍ୟ ଶ୍ରୀକୃଷ୍ଣଙ୍କ ଜନମ ବାରତା

ଜ୍ୟୋତିର୍ବିଦ ଗଣେ ପୁଚ୍ଛିଥିଲେ କେତେ କଥା।

 

କୃଷ୍ଣଙ୍କର ସଖା ଥିଲେ ଗୋପାଳ ଦ୍ୱାଦଶ,

ବାର ଜଣ ଥିଲେ ମଧ୍ୟ ଯିଶୁଙ୍କର ଶିଷ୍ୟ।

 

ବନ୍ୟମଧୁ ଖାଇଥିଲେ ଖ୍ରୀଷ୍ଟ ବନ୍ଧୁଜନ,

ମଧୁପାନ କରିଥିଲେ ରୋହିଣୀନନ୍ଦନ।

 

କୃଷ୍ଣଙ୍କ ଯମୁନା, ଯିଶୁଖ୍ରୀଷ୍ଟଙ୍କ ଜଡ଼ନ,

ଦୁଇ ଜଣ ଶିଷ୍ୟ ସଙ୍ଗେ କରନ୍ତି ଭ୍ରମଣ।

 

କୁରୁକ୍ଷେତ୍ର ଯୁଦ୍ଧକାଳେ ଯାଦବନନ୍ଦନେ

ବିଶ୍ୱରୂପ ଦେଖାଇଣ ଥିଲେ ଅରଜୁନେ।

 

ଯୋନ ଓ ପିତରେ ଯିଶୁଖ୍ରୀଷ୍ଟ ମେରୀସୁତ

ଦେଖାଇଣ ଥିଲେ ଐଶୀରୂପ ଅଦଭୂତ।

 

ବୋଲିଥିଲେ ଅରଜୁନେ ଶ୍ରୀକୃଷ୍ଣ ଅନନ୍ତ,

ଆମ୍ଭେ ଅଟୁଁ ଜଗତର ଆଦି, ମଧ୍ୟ, ଅନ୍ତ।

 

ଯିଶୁଖ୍ରୀଷ୍ଟ ମଧ୍ୟ ବୋଲିଥିଲେ ସେହି କଥା,

ଅଟନ୍ତି ପ୍ରଥମ, ଶେଷ ଜଗତନିୟନ୍ତା।

 

ବିପ୍ରଙ୍କର ପାଦ ଧୌତ କଲେ ଜନାର୍ଦନ,

ଯିଶୁ ଖ୍ରୀଷ୍ଟ ଧୋଇଥିଲେ ଶିଷ୍ୟଙ୍କ ଚରଣ।

 

ଯିଶୁଖ୍ରୀଷ୍ଟ ବୋଲିଥିଲେ ସତ୍ୟ ଆମ୍ଭ ବାଣୀ,

ସେହିପରି କଥା ବୋଲିଥିଲେ ଚକ୍ରପାଣି।

 

ତ୍ରିଶୂଳ ଶରରେ ଦେହ ତେଜିଲେ ଶ୍ରୀକୃଷ୍ଣ,

ତ୍ରିଶୂଳ ଆକୃତି କ୍ରୁଶେ ମଲେ ଯିଶୁ ଖ୍ରୀଷ୍ଟ।

 

ଖ୍ରୀଷ୍ଟ କୃଷ୍ଣ ଦୁଇ ଜଣ ଅଟନ୍ତି ସମାନ,

ଭାଗବତ ବାଇବେଲ ସେଥିର ପ୍ରମାଣ।

 

ଅଟନ୍ତି ଏ ଦୁଇ ପ୍ରଭୁ ଧର୍ମ ଅବତାର,

ବେନି ଜନେ କର ଯୋଡ଼ି କରେଁ ନମସ୍କାର।

 

ତାହାଙ୍କ ଆଦେଶ

ରାଗ-ଭୂପାଳ

କେତେକାଳ ଆଉ ବହି ଦେହ ଭାର

କରିବି ବିଳାପେ ସନ୍ତାପେ ଚିତ୍କାର?

 

ଭାଳୁଛି ତ ଏବେ ସମସ୍ତ ଜୀବନ,

କଲି କିବା ଜନସମାଜ କାରଣ?

 

ଭାଙ୍ଗିଛ ଗଢ଼ିଛ କେତେ ଧୂଳିଘର,

ସେ ତ ଶିଶୁକ୍ରୀଡ଼ା କୌତୁକ ମାତର।

 

ଆମୋଦ ପ୍ରମୋଦ ଭୋଜନ ଶୟନ,

ଉଦ୍ଦେଶ୍ୟ ତ ନୁହେ ମାନବଜୀବନ।

 

ଋଣୀ ଅଛି ଜନସମାଜ ପାଶରେ,

ବୁଝିବାକୁ ହେବ ସାମର୍ଥ ବଳରେ।

 

ଯେବେ ସେଥିପାଇଁ ନ କରେ ଯତନ,

ବୃଥା ଗଲା ଜାଣ ସମସ୍ତ ଜୀବନ।

 

ନ ବୁଝିଲି ହରି! ଜୀବନ ଉଦ୍ଦେଶ୍ୟ,

ମାୟାମୃଗ ଜୀବ କଲି ଅବଶେଷ।

 

ଦେବଦତ୍ତ ପ୍ରାଣ ଦେବତା କାର୍ଯ୍ୟରେ

ନ ଦେଇ ଯାପିଲି ବୃଥା ବିଷୟରେ।

 

ଜ୍ଞାନ ଥାଉଁ ଥାଉଁ ହେଲି କିପାଁ ଭ୍ରାନ୍ତ,

ଭାଳି ହେଉଛି ତ ବ୍ୟାକୁଳ ନିତାନ୍ତ!

 

କି ଉଦ୍ଦେଶ୍ୟ କାହିଁ କରୁଛି ଗମନ,

ଆଜିଯାଏ ମଧ୍ୟ ନ ହେଲା ଚେତନ!

 

 

ଆସିଛି ବା କାହୁଁ ଯାଉଛି ବା କାହିଁ,

ସାର ତତ୍ତ୍ୱଜ୍ଞାନ ଜନମିଲା ନାହିଁ।

 

ଅବା ବୃଥା ଭାଳି ହେଉଛି ଅସ୍ଥିର,

ଯାହା ଦତ୍ତ ପ୍ରାଣ ତାହାଙ୍କ ଶରୀର।

 

ସେହି ତ କରନ୍ତି କର୍ମରେ ନିୟୋଗ,

ବୃଥା ସିନା ମୋର ଏହି ଅନୁଯୋଗ।

 

ଯେ ଦେବତା ଛନ୍ତି ହୃଦୟମନ୍ଦିରେ,

ଲଗାଇବେ ଯହିଁ ଲାଗିବି ସେଥିରେ।

 

କରିବାକୁ ହେବ ଯାହାକୁ ଯେ କାର୍ଯ୍ୟ,

ମହାପ୍ରଭୁ କରି ଦେଇଛନ୍ତି ଧାର୍ଯ୍ୟ।

 

ମୋପାଇଁ କରିବି ମୁଁ କିପାଁ ଭାବନା,

ମୋ କର୍ତ୍ତବ୍ୟ ଯାହା ପ୍ରଭୁଙ୍କୁ ତା ଜଣା।

 

ସ୍ଥାପିଲି ଜୀବନ ପ୍ରଭୁଙ୍କ ଉଦ୍ଦେଶେ,

ସାଧିବି କର୍ତ୍ତବ୍ୟ ତାହାଙ୍କ ଆଦେଶେ।

 

 

 

Unknown

ସାଧୁ ସୁନ୍ଦର ଦାସଙ୍କ ଅଦ୍ୱୈତବାଦ ଚୌପଦୀ ଛନ୍ଦ

(ହିନ୍ଦୀ ଭାଷାରୁ ଅନୁବାଦ; ପାଠକ ଯତି ଚିହ୍ନ ପ୍ରତି ଦୃଷ୍ଟି ରଖି ପାଠ କରିବେ।)

 

ଶୁଣ ହୋ ଅଦ୍ୱୈତ            ବିଷୟ ପ୍ରକାଶ

ନାହଂ ନହଂ            ନା ଜନ୍ତୁ ବାସ।

ନାହିଁ ତ ପ୍ରପଞ୍ଚ            ନାହିଁ ତ ପ୍ରସାର।

 

ନାହିଁ ତହିଁ ସୃଷ୍ଟି            ସୁଜନ ସଂହାର।

ନାହିଁ ତ ପ୍ରକୃତି            ପୁରୁଷ ନ ଇଚ୍ଛା।

ନାହିଁ ତହିଁ କାଳ            କର୍ମ ନାହିଁ ବାଞ୍ଛା।

 

ନାହିଁ ତହିଁ ଶ୍ରୁତ            ଶ୍ରବଣ ନା ମୂଳ।

ନାହିଁ ତହିଁ ସୂକ୍ଷ୍ମ            ନାହିଁ ତହିଁ ସ୍ଥୂଳ।

ନାହିଁ ତହିଁ ତତ୍ତ୍ୱ            ଅତତ୍ତ୍ୱ ବିଭେଦ।

ନାହିଁ ତହିଁ ବସ୍ତୁ            ପୁରାଣ ବା ବେଦ।

 

ନାହିଁ ତହିଁ ବର୍ଣ୍ଣ            ବିବର୍ଣ୍ଣ ବିଧାନ।

ନାହିଁ ତହିଁ ରୂପ            ଅରୂପର ସ୍ଥାନ।

ନାହିଁ ତହିଁ ଯାପକ            ବ୍ୟାପକ ଦେଖା।

ନାହିଁ ତହିଁ ରୂପ            ଅରୂପ ବା ରେଖା।

 

ନାହିଁ ତହିଁ ଜ୍ୟୋତି            ଅଜ୍ୟୋତି ବିଷୟୀ।

ନାହିଁ ତହିଁ ଏକ            ନାହିଁ ତହିଁ ଦୁଇ ।

ନାହିଁ ତହିଁ ଆଦି            ନ ମଧ୍ୟ ନ ଅନ୍ତ ।

ନାହିଁ ତହିଁ ପାଳକ            ନାହିଁ ହନ୍ତା ହନ୍ତ।

 

ନାହିଁ ତହିଁ ଶକ୍ତି            ନାହିଁ ତହିଁ ଶିବ।

ନାହିଁ ତହିଁ ଜନ୍ମ            ନାହିଁ ତହିଁ ଜୀବ।

ନାହିଁ ତହିଁ ଲେଖ            ନାହିଁ ତ ଲେଖକ।

ନାହିଁ ତହିଁ କର୍ତ୍ତା            ନାହିଁ ତ କାରକ।

 

ନାହିଁ ତହିଁ ସ୍ୱର୍ଗ            ନରକ ନିବାସ।

ନାହିଁ ତ ଆସକ୍ତି            ନାହିଁ ତହିଁ ଆଶ।

ନାହିଁ ତହିଁ ପାପ            ନ ପୁଣ୍ୟ ଧରତା।

ନାହିଁ ତହିଁ ଧର୍ମ            ଅଧର୍ମ କରତା।

ନାହିଁ ତହିଁ ଜ୍ଞାନୀ            ଅଜ୍ଞାନୀ ବା ମୂର୍ଖ।

ନାହିଁ ତହିଁ ବାଦ            ବିବାଦ ବା ତର୍କ।

 

ନାହିଁ ତହିଁ ହୋମ            ନ ଯଜ୍ଞ ବିଧାନ।

ନାହିଁ ତହିଁ ଭେଦ            ନାହିଁ ତ ସମାନ।

ନାହିଁ ତହିଁ ଶାଖା            ଚ୍ଛେଦ ସର୍ଗ ସର୍ବ।

 

ନାହିଁ ତହିଁ ଦେବ            ମାନବ ଗନ୍ଧର୍ବ।

ନାହିଁ ତହିଁ ଇଷ୍ଟ            ଅନିଷ୍ଟ ବା ଶ୍ରାନ୍ତ।

ନାହିଁ ତ ସଗୁଣ            ନିର୍ଗୁଣ ବୃତ୍ତାନ୍ତ।

ନାହିଁ ତ ସେବକ            ସେବ୍ୟ ନ ସେବା।

 

ନାହିଁ ତହିଁ ପ୍ରେମ            ନାହିଁ ତିନିଲେବା ।

ନାହିଁ ତହିଁ ଭାବ            ନାହିଁ ତହିଁ ଭକ୍ତି।

ନାହିଁ ତହିଁ ମୋକ୍ଷ            ନାହିଁ ତହିଁ ମୁକ୍ତି।

 

ନାହିଁ ତହିଁ ଯାପ୍ୟ            ନାହିଁ ତହିଁ ଯାପୀ।

ନାହିଁ ତହିଁ ମନ୍ତ୍ର            ନାହିଁ ଲୟ ଥାପି।

ନାହିଁ ତ ସାଧକ            ସିଦ୍ଧି ନ ସମାଧି।

ନାହିଁ ତହିଁ ଯୋଗ            ନାହିଁ ରୋଗବ୍ୟାଧି।

*ଅନୁବାଦକ ଲେବା ଅର୍ଥ ନ ବୁଝି ମୂଳ ଯେପରି ଥିଲା ଅବିକଳ ତାହି ରଖିଅଛି

 

ନାହିଁ ତହିଁ ମୁଦ୍ରା            ବନ୍ଦନ ବିଧି।

ନାହିଁ ତହିଁ କୁଣ୍ଡ            ଳିନା ନାହିଁ ସିଦ୍ଧି।

ନାହିଁ ତହିଁ ଚକ୍ର            ନା ନାଡ଼ି ପ୍ରସାର।

 

ନାହିଁ ତହିଁ ବେଧ            ବେଧ ନ ହାର।

ନାହି ତହିଁ ଲିଙ୍ଗ            ଅଲିଙ୍ଗ ପ୍ରଧାନ।

ନାହିଁ ତହିଁ ମନ            ବୁଦ୍ଧି ଚିତ୍ତଧ୍ୟାନ।

ନାହିଁ ତହିଁ ସତ            ରଜ ତମ ଗୁଣ।

 

ନାହିଁ ତ ଇନ୍ଦ୍ରିୟ            ଦ୍ୱାରମାନ ପୁଣ।

ନାହିଁ ତହିଁ ସ୍ୱପ୍ନ            ଜାଗ୍ରତ ସୁଷୁପ୍ତି।

ନାହିଁ ତହିଁ ତୁରୀୟ            ମନ୍ତ୍ରଣା ନ ଗୁପ୍ତି

 

ପ୍ରେମ

ରାଗ - କେଦାର ଚକ୍ରକେଳି

ତୁମ୍ଭ ପ୍ରମ ପ୍ରକାଶେ ତ୍ରିଭୁବନ।

ପ୍ରେମେ ଧାବିତ ଚନ୍ଦ୍ରମା, ତପନ।

 

ତୁମ୍ଭ ପ୍ରେମଭରେ ହୋଇ ଉନ୍ନତ୍ତ,

ବାୟୁ ପ୍ରବାହିତ ହୁଏ ସନ୍ତତ।

 

ପ୍ରେମେ ବୃକ୍ଷଲତା ପୁଷ୍ପ ପ୍ରକାଶେ,

ପ୍ରେମେ ଧାବିତ ଭ୍ରମର ତା ପାଶେ।

 

ପ୍ରେମେ ପାଳନ୍ତି ଶିଶୁକୁ ଜନନୀ,

ପ୍ରେମଡୋରେ ବନ୍ଧା ଭାଇ ଭଗିନୀ।

 

ସତୀ ପତିପ୍ରେମେ ଥାଏ ବିହଳା,

ପ୍ରେମେ ଖେଳେ ମେଘକୋଳେ ଚପଳା।

ସିନ୍ଧୁ ପୂର୍ଣ୍ଣେନ୍ଦୁ ପ୍ରେମର ଆଧାର,

ପ୍ରେମେ ବ୍ୟାପିଛି ଏ ବିଶ୍ୱସଂସାର।

 

ବିଶ୍ୱ ପ୍ରେମରେ ଜନମିଛି ଆଶା,

ପ୍ରାଣେ ବଢ଼ୁଛି ପ୍ରେମର ପିପାସା।

 

ମୋର ଜୀବନ ସମସ୍ତ ଘଟଣା,

ତୁମ୍ଭ ପ୍ରେମ ତ କରୁଛି ଘୋଷଣା।

 

ତୁଚ୍ଛ କୀଟ ସଙ୍ଗେ ମୁହିଁ ସମାନ,

କର ମୋହ ପ୍ରତି ପ୍ରେମବିଧାନ।

 

କେତେପ୍ରେମ ଦେଇଛ ମୋ ଅନ୍ତରେ,

ଜ୍ଞାନ, ଭଜିବି ତୁମ୍ଭକୁ ମନରେ।

 

ଜୀବନରେ ଯେଉଁ କାର୍ଯ୍ୟ ସମସ୍ତ,

ରହିଛି ତ ତହିଁ ପ୍ରେମ ଅନନ୍ତ।

ଧାଏଁ ସାଗରକୁ ନଦୀ ଯେସନେ,

ଧାଏଁ ପ୍ରାଣ ମୋର ତୁମ୍ଭ ସଦନେ

 

ବଡ଼ ଆଶା ପୋଷିଛ ତ ମନରେ,

ଡୁବିବି ମୁଁ ଦିନେ ପ୍ରେମସାଗରେ।

 

ପ୍ରେମ ସାଗର ହେ ବିଶ୍ୱପାଳକ,

ଦେଖିବି କି ମୁଁ ସେ ପ୍ରେମ ଆଲୋକ।

 

ପ୍ରାଣନାଥ ପ୍ରାଣାରାମ ହେ ପ୍ରାଣ,

କରନ୍ତୁ କୃପା ହେ ପ୍ରାଣନିଧାନ!

ହେଉ ପ୍ରେମନାମ କଣ୍ଠଭୂଷଣ,

ପ୍ରେମେ ହେଉ ପୂର୍ଣ୍ଣ ପାପଜୀବନ!

 

କରେ ବସି ପ୍ରେମନାମ ମୁଁ ଗାନ,

ପ୍ରେମଭରେ କରୁ ପ୍ରାଣ ପ୍ରୟାଣ।

 

ସଙ୍ଗଦୋଷ

ରାଗ - ବଙ୍ଗଳାଶ୍ରୀ

କେତେ ସାବଧାନେ            ଆତ୍ମତତ୍ତ୍ୱଜ୍ଞାନେ

ହେଉଥିଲି ଅଗ୍ରସର,

ମନ ଅନୁରାଗେ            ପୂତ ଧର୍ମ ମାର୍ଗେ

ଲକ୍ଷ୍ୟ ମୁଁ ରଖି ମାତର।

 

ଧର୍ମ ବଳେ ବଳୀ            ହୋଇ ପଦେ ଦଳ

ଦେଇ ପାପ ପ୍ରଲୋଭନ,

ଏକ ମାତ୍ର ଲକ୍ଷ୍ୟ             ଥିଲା ମୋ ପ୍ରତ୍ୟକ୍ଷ

ସେହି ପବିତ୍ର ଭୁବନ।

 

ଚିତ୍ତ ଅହଙ୍କାରେ            ନ ଭାଳେ ମୁଁ ବାରେ

ପାପ ପ୍ରଲୋଭନ ରୀତି,

 

 

ନିର୍ଭୟ ଅନ୍ତରେ            ଭ୍ରମେ ନିରନ୍ତରେ,

ନ ଥାଏ ମନରେ ଭୀତି।

 

ନ ଥିଲା ମୋ ମନେ            କେବେ ରିପୁଗଣେ

ପ୍ରବଳରୂପରେ ଆସି,

କିଞ୍ଚିତ ମାତରେ            ଅସାବଧାନରେ

ପକାଇବେ ମୋତେ ଗ୍ରାସି।

 

ଦୈବର ଘଟନ            ବନ୍ଧୁ ଏକ ଜଣ

ଆସି ମିଳିଲେ ସଙ୍ଗରେ;

ସମାନ ବୟସ            ଉତ୍ସାହ ସାହସ

ବିଦ୍ୟା ମର୍ଯ୍ୟାଦା ପଦରେ।

 

ସମାନ ସମାନ            ଥିଲେ ଧନମାନ,

ସହଜରେ ବନ୍ଧୁପଣ

ହୁଏ ସଂଘଟନ,            କରେ ଦୁଇ ମନ

ପରସ୍ପରେ ଆକର୍ଷଣ।

 

ଅଭେଦ ପୀରତି            କ୍ଷୀର ନୀର ରୀତି

ଘଟିଲା ବେନି ମଧ୍ୟରେ,

ତିଳେକ ବିଚ୍ଛେଦ            ବିଷମ ବିଷାଦେ

କାଟୁଁକାଳ ପରସ୍ପରେ।

 

ସକଳ ବିଷୟେ            ହେଲେହେଁ ଉଭୟେ

ସମାନ, ମାତ୍ରକ ଭିନ୍ନ

ଚରିତ୍ର ବିଷୟେ,            ଅଳପ ସମୟେ

ପ୍ରକାଶ ପାଇଲା ଚିହ୍ନ।

 

ବନ୍ଧୁ ଆଚରଣ            ଦେଖି ମୋର ମନ

ହେଉଥାଏ ବିଚଳିତ,

ନେତ୍ରଲଜ୍ଜାବଶେ            ଭରସି ସାହସେ

ବୋଲି ନ ପାରେଁ କିଞ୍ଚିତ।

 

ଦେଖି ବନ୍ଧୁ କାର୍ଯ୍ୟ            କଲି ଚିତ୍ତେ ଧାର୍ଯ୍ୟ,

ଯେ ଯାହା କରୁଛି କରୁ,

 

ମୁହିଁ ସାବଧାନେ            ଥିବି ଆତ୍ମଜ୍ଞାନେ

ଦୂରେ ଥିବି ଅଧର୍ମରୁ।

 

ଲୋକେ ନାହିଁ ଜଣା            ଆତ୍ମପ୍ରତାରଣା

କଲେକ ଘଟେ ଜଞ୍ଜାଳ,

ନ ଜାଣନ୍ତି ପୁଣି            ଦେଖି ଜାଣି ଶୁଣି

ଧର୍ମମାର୍ଗ ଯେ ପିଚ୍ଛିଳ।

 

ଅତି ସତର୍କରେ            ଜ୍ଞାନଯଷ୍ଟିଭରେ

ଲକ୍ଷ୍ୟ ରଖି ଅନୁମାନେ,

ସୂକ୍ଷ୍ମ ଧର୍ମ ମାର୍ଗେ            ସରାଗେ ସଜାଗେ

ଚଳୁଥିବେ ସାବଧାନେ।

 

ଲୋକେ ପ୍ରାଣପଣେ      ଯତନେ ସାଧନେ

ଉଠନ୍ତି ପର୍ବତ ଚୂଳେ,

ଟଳି ଗଲେ ପାଦ            ଘଟଇ ପ୍ରମାଦ,

ପଡ଼ିଯାଏ ଗିରିମୂଳେ।

 

କେତେ ଅର୍ଥ ବ୍ୟୟେ      ବହୁତ ସମୟେ

ନିର୍ମାଣ କର ଅଗାର,

କଣିକା ଅନଳେ            ପବନ ପ୍ରବଳେ

ମୁହୂର୍ତ୍ତକେ ଭସ୍ମସାର।

 

ଦେଖୁଁ ନିରନ୍ତରେ            ସଂସର୍ଗ ଦୋଷରେ

ଘଟେ ଗୁଣ ଦୋଷମାନ,

ଲୋକେ ଜାଣି ଶୁଣି            ଅଜ୍ଞାନରେ ପୁଣି

ନ ହୁଅନ୍ତି ସାବଧାନ।

 

କଜ୍ଜ୍ୱଳ ଗୃହରେ            ଭ୍ରମଣ କାଳରେ

ଥିଲେ ମଧ୍ୟ ଜାଗରିତ,

ଅଲକ୍ଷ୍ୟ ସୂତ୍ରରେ            ଆପଣା ବସ୍ତ୍ରରେ

ଲାଗଇ କଳା କିଞ୍ଚିତ।

 

କଣ୍ଟକବନରେ            ଭ୍ରମିଲେ ପଦରେ

ଅବଶ୍ୟ ଭୁଙ୍କେ କଣ୍ଟକ,

ଜାଣୁ ନିରନ୍ତରେ            ପ୍ରବାଦ ଚ୍ଛଳରେ

ବୋଲନ୍ତି ଏ କଥା ଲୋକ।

 

ପ୍ରଥମ ଦିନରେ            ମୁହିଁ ପ୍ରତ୍ୟକ୍ଷରେ

ଦେଖି ବନ୍ଧୁଙ୍କର ରୀତି,

ପଡ଼ିଲି ଚମକି            ଭାଳିଲି ହେଲା କି

ହେଲା ଜାତ ମନେ ଭୀତି।

 

ସ୍ୱଭାବରେ ମୋର            ଥିଲା ନିରନ୍ତର

ପାପକାର୍ଯ୍ୟ ପ୍ରତି ଘୃଣା,

ବନ୍ଧୁ ଆଚରଣ            ଦେଖି ଅନୁକ୍ଷଣ

କ୍ରମରେ ହେଲା ତା ଊଣା।

 

ବିର୍ମଳ ଚରିତ୍ର            ଋଷି ବିଶ୍ୱାମିତ୍ର

କଠୋର ତପଃ ସାଧନ,

 

ମେନକା ଦୃଷ୍ଟିରେ            ଈଷତ ମାତ୍ରରେ

ସର୍ବ ଗଲା ଅକାରଣ।

 

ସୁମତି କୁମତି            ବିବାଦେ ଦୁର୍ଗତି

ସୁମତି ଲଭଇ ସିନା,

ଅମୃତ ଗରଳ            ହେଲେ ଏକମେଳ

ଗରଳର ହୁଏ ଜିଣା।

 

ବନ୍ଧୁ ଅନୁରୋଧେ            ନିଜ ଅପରାଧେ

ପଡ଼ିଲି ବିଷମ ପାପେ,

ବଞ୍ଚିବି କିପରି,            ସଦା ଝୁରି ଝୁରି

ମରିବି ମୁଁ ଅନୁତାପେ!

 

ଶେଷ ମିଳନ

ଯୁଗ ଯୁଗାନ୍ତର କାଳ ଯାଇଛି ତ ଭାସି,

କି ମାୟା-ବନ୍ଧନେ ଛାୟା ଦେଖା ଦିଏ ଆସି?

 

ଏକମନ ଏକଆତ୍ମା ଦେହ ରୂପାନ୍ତର,

ଭିନ୍ନ କି ଉଭୟ ହୋଇ ପାରେ ପରସ୍ପର?

 

ଅଲକ୍ଷର ଅନ୍ତରାଳେ ଚାହେଁ ବାରେ ବାରେ,

ତୁମ୍ଭେ କି ଆସୁଛ ଛାୟାରୂପେ ସେ ପ୍ରକାରେ?

ଥାପିଥିଲ ଯେ ସଂସାର ଶାନ୍ତିନିକେତନ,

ଦେଖି ଯାଅ ଘଟିଅଛି କି ପରିବର୍ତ୍ତନ!

 

ସ୍ନେହ ପ୍ରୀତି ଆଳାପନ ରୂପ ରସ ଗନ୍ଧ-

ଛିନ୍ନ ଭିନ୍ନ ରୂପାନ୍ତର ସକଳ ସମ୍ବନ୍ଧ।

 

ଅଛି ମାତ୍ର ଧୈର୍ଯ୍ୟ ଧରି ବିଧିବିଧାନରେ,

ହେବୁଁ ଏକୀଭୂତ ଅବଶେଷେ ପରସ୍ପରେ।

 

ଦୂର ଦୂରାନ୍ତରେ ଅଛୁଁ ବିଧିର ବିଧାନେ,

ଯିବି ତୁମ୍ଭ ପାଖେ କର୍ମଫଳ ଅବସାନେ।

 

ଜୀବନତରୀ l

ସମୟ-ସାଗରେ ଭାସେ ଜୀବନ-ତରଣୀ,

ନେଉଛ କଢ଼ାଇ ମାର୍ଗ ସ୍ୱକାର୍ଯ୍ୟ-କ୍ଷେପଣୀ।

 

ସ୍ୱଭାବରେ ସମାକୁଳ ସଲିଳ ଲହରୀ,

ତେଣୁ ନିତ୍ୟ ନୃତ୍ୟଶୀଳା ମୋ ଜୀବନତରୀ।

 

ରୋଗ ଶୋକ ପାପ ତାପ କେତେ ଝଞ୍ଜାବାୟୁ,

କଳୁଷସଂସର୍ଗ ମଗ୍ନ ଶିଳାମାଳା ଆଉ,

ଜୀବନ-ତରଣୀ ଯାହା ଯୋଗେ ବିଚଳିତ,

ମଗ୍ନ ଲଣ୍ଡଭଣ୍ଡ ପରି ହୁଏ ଅନୁମିତ।

 

ଯିବ ଭାସି ଭାସି ମୁକ୍ତିସ୍ୱରୂପ ବନ୍ଧରେ,

ଜାଗରିତ ଥାଏ ଯେବେ ବାସନା ମନରେ।

ସୁବିବେକ କର୍ଣ୍ଣଧାର ଆଶ୍ରୟେ ପ୍ରତ୍ୟକ୍ଷ

ବ୍ରହ୍ମପଦ ଧ୍ରୁବ ତାରା ପ୍ରତି ରଖ ଲକ୍ଷ।

ଅନ୍ୟଥା ପ୍ରଚ୍ଛନ୍ନ ଶୈଳ ପବନ ପ୍ରଚଣ୍ଡ

କରିବ ନିଶ୍ଚୟ ତରୀ ମଗ୍ନ ଲଣ୍ଡଭଣ୍ଡ।

 

ଜୀବନର ଗତି

ଦ୍ରବ୍ୟ-ଗୁଣ-କର୍ମ ସମବାୟରେ ଶରୀର,

ନିତ୍ୟ ପରିବର୍ତ୍ତନଶୀଳ ନୁହେ ମଧ୍ୟ ଚିର।

 

କାହା ଉତ୍‌ପ୍ରେକ୍ଷଣା କିମ୍ବା କେଉଁ ଆକର୍ଷଣେ

ଚିରନ୍ତନ ଗତି ଅନୁଭବେଁ ମୁଁ ଜୀବନେ?

 

ପ୍ରକୃତି ସହିତ କିବା କର୍ମର ସମ୍ବନ୍ଧ,

ଉଭୟ ସୂତ୍ରରେ ଜୀବ ଯଥା ନିତ୍ୟ ବଦ୍ଧ,

 

ଅବିରାମ ଆକର୍ଷଣେ ଊର୍ଦ୍ଧ୍ୱତନ ଗତି,

ନିମ୍ନରୁ ଉତ୍ଥିତ ମଧ୍ୟ ନିୟମ ନିୟତି।

 

ଆରମ୍ଭ ଏହାର କାହିଁ? କାହିଁ ଅବା ଶେଷ?

ଯନ୍ତ୍ର ତ ନ ଜାଣେ ଯନ୍ତ୍ରୀ କୌଶଳବିଶେଷ।

 

ପ୍ରତ୍ୟକ୍ଷ ରହିଛି ମାତ୍ର ସାକ୍ଷ ଚିରଦିନ,

ମାନବ ଜୀବନ ନିତ୍ୟ ନିୟନ୍ତା ଅଧୀନ।

 

ତୁମ୍ଭ ଜ୍ଞାନେ ଯେବେ ଏହା ଅଳୀକ ସିଦ୍ଧାନ୍ତ,

ଏ ଭ୍ରାନ୍ତ ଧାରଣା ମୋର ପ୍ରାର୍ଥନା ନିତାନ୍ତ।

 

ନିୟତି

ପୌରୁଷ ଗୌରବଭରେ ମାନବ ଉନ୍ମତ୍ତ,

ପ୍ରତ୍ୟକ୍ଷ ପ୍ରମାଣ କିନ୍ତୁ ନିୟତି ଆୟତ୍ତ।

ମାନବର ଭାଗ୍ୟଚକ୍ର ଅଲକ୍ଷ୍ୟ ହସ୍ତରେ

ନିୟତ ଚାଳିତ ନିତ୍ୟ ଦେଖୁଁ ପ୍ରତ୍ୟକ୍ଷରେ।

ଆଜି ଯେବା ଭୁଞ୍ଜେ ସୁଖ ଆନନ୍ଦ ଗୌରବ,

କାଲି ତା ଭାଗ୍ୟରେ ଦୁଃଖ ଦୁର୍ଦଶା ରୌରବ

 

କେତେ ଯତ୍ନ ଆକିଞ୍ଚନ ସୁଖ ଭୋଗପାଇଁ,

ଅନାବିଳ ସୁଖ ଭୋଗ କେ କଲାକ କାହିଁ?

 

ଦୁର୍ଦଶା ଯାତନା ଭୋଗ ନ ଲୋଡ଼େ ମାନବ,

ଅଲକ୍ଷ୍ୟସୂତ୍ରରେ ମାତ୍ର ଘଟେ ଏହି ସର୍ବ।

 

ଧନ ଜନ ପଦ ଖ୍ୟାତି ସହାୟ ସମ୍ପଦ,

ନିଶାର ସ୍ୱପନ ସମ ବିନାଶ- ଆସ୍ପଦ।

 

ମାନବ ମାନସାକାଶେ ଭାସେ ସ୍ତରେ ସ୍ତରେ,

ବାରିଦପଟଳ ଗତି ସମ ଗଗନରେ।

 

କେ ନ ଜାଣେ କେ ନ ବୁଝେ ଜଗତ ଅନିତ୍ୟ,

ବାକ୍ୟରେ ଯା ବୋଲ ମାତ୍ର କାର୍ଯ୍ୟ ବିପରୀତ।

 

କି ବିଶ୍ୱମୋହିନୀ ମାୟା ଆବୃତ ଜଗତେ,

ଅଳୀକ ଅସାର ସୁଖେ ଉନ୍ମତ୍ତ ସମସ୍ତେ।

 

ଚରମ ଚିନ୍ତା

ଅଶକ୍ତ ସ୍ଥବିର ଦେହ ଜାଗ୍ରତ ଚେତନା

ସମ୍ବଳ ସମ୍ପ୍ରତି ମାତ୍ର ଗତାନୁଶୋଚନା।

 

ଜୀବନ ପ୍ରାନ୍ତରେ ଭ୍ରମି କ୍ଳାନ୍ତ ମନ ପ୍ରାଣ,

ଅବଶ ଇନ୍ଦ୍ରିୟ ସୁଖ ଶାନ୍ତି ଅବସାନ।

 

ଆଶାର ସପନ ମାୟା ମୋହର ଛଳନା

ଭାଞ୍ଜିଲା, ଭାବିଲି ବୃଥା ଚିନ୍ତା ବିଡ଼ମ୍ବନା।

 

ଯୌବନ ଉତ୍ସବ ଦିନ ଉନ୍ମତ୍ତଭାବରେ

ଭ୍ରମିଛି ଅଲୀଳ ସୁଖେ ଉଦ୍‌ଭ୍ରାନ୍ତ ମାର୍ଗରେ।

 

ଭାବି ଚିନ୍ତାଶୂନ୍ୟ ମନ ପରିଣାମ ଗତି

ଉପସ୍ଥିତ ବିଷୟରେ ମଗ୍ନ ମତ୍ତ ମତି।

 

ଜାଜ୍ୱଲ୍ୟ ଦୃଷ୍ଟାନ୍ତ ସର୍ବ ଦିଗେ ବିସ୍ତାରିତ,

ତଥାପି କ୍ଷଣିକ ସୁଖେ ଚିତ୍ତ ବିମୋହିତ।

 

ଅସାର ସଂସାର ସୁଖ ସମ୍ଭୋଗେ ତନ୍ମୟେ

ମହାସ୍ରୋତେ ଭାସମାନ ଗତି ସେ ସମୟେ।

 

ମହାନିମନ୍ତ୍ରଣ

ହୃଦୟକପାଟେ ହାତ ମାରି ଡାକ କେ ତୁମ୍ଭେ ହେ କାହା ଦୂତ?

ମହାନିମନ୍ତ୍ରଣ ବେଗେ ବେଗେ ହୁଅ ମହାଯାତ୍ରାକୁ ପ୍ରସ୍ତୁତ।

 

ମୁହୂର୍ତ୍ତେକ ତୁମ୍ଭେ ନ ଦେବ କି ବେଳ ସଜବାଜ ହେବାପାଇଁ?

ଜୀବନଯାକ ତ ପାଇଥିଲ ବେଳ ଚେତନା କି ଥିଲା ନାହିଁ?

 

ସଖାଳେ କିପାଇଁ ସମ୍ବାଦ ନ ଦେଲ ଯିବାକୁ ଯେ ହେବ ଖରେ?

ଚାରି ଆଡ଼ୁ ଡାକି କହି ଦେଇଥିଲୁଁ ଜାଣ ପ୍ରତି ମୁହୂର୍ତ୍ତରେ।

 

ଆତ୍ମୀୟ ସ୍ୱଜନେ ପ୍ରତିବାସିଗଣେ ସମସ୍ତ ଯିବି କି ଛାଡ଼ି?

ନ ଜାଣ କି ଭାଇ, ତୁମ୍ଭ ପଛେ ପଛେ ସମସ୍ତେ ଦେବେ ଯେ ଧାଡ଼ି?

 

କେତେ କଷ୍ଟ ପଡ଼ି ଅରଜିଲି ବିତ୍ତ ଛାଡ଼ିଯିବି କିରୂପରେ?

ନ ଜାଣ କି ଭାଇ, ରହିଥିବ ସର୍ବ ତୁମ୍ଭ ଦେହ ସହିତରେ?

 

ତୁମ୍ଭେ ତ ବୋଲୁଛ ଯାତ୍ରା କରିବାକୁ ଏକାକୀ ମୋହର ପ୍ରାଣ?

ଜଡ଼ୀୟ ପଦାର୍ଥ ଜଡ଼ଦେହ ସଙ୍ଗେ ଥିବ, ଏହା କି ନ ଜାଣ?

 

ବଡ଼ ଇଚ୍ଛା ପ୍ରାଣେ ଜଡ଼ଦେହ ସଙ୍ଗେ ରହିବାକୁ ଚିରଦିନ,

ସ୍ୱର୍ଗୀୟ ପଦାର୍ଥ ଯିବ ଦିବ୍ୟଧାମେ ନ ହେବ ଧୂଳିରେ ଲୀନ।

 

ଜୀବନଟାଯାକ କେତେ କାର୍ଯ୍ୟ କଲି ସଙ୍ଗେ କି ନ ଯିବ କିଛି?

ସୁକୃତି ଦୁଷ୍କୃତି ପରିମାଣ ଫଳ ଜାଣ ଆତ୍ମାରେ ଲାଗିଛି।

 

ଧ୍ରୁବ ବିଶ୍ୱାସ

 

କି ନିର୍ବୋଧ ଅର୍ବାଚୀନ!            ଭାଳ ବସି ପ୍ରତିଦିନ-

ଯାହାକୁ ଦେଇଛୁ ଜାଳି ଶ୍ମଶାନ ଚିତାରେ,

ଝୁରି ଝୁରି କାଟୁ କାଳ କିପାଁ ତା ଚିନ୍ତାରେ!

 

ଦେଖୁଛୁଁ ତ ପ୍ରତ୍ୟକ୍ଷରେ,            ଲୋକ ପ୍ରତିଦିନ ମରେ,

କାହିଁ କେବେ ଗତ ଲୋକ ଆସେ କି ବାହୁଡ଼ି?

ତୁହି କିପାଁ କରୁ ଚିନ୍ତା ଦୃଷ୍ଟମାର୍ଗ ହୁଡ଼ି।

 

ପ୍ରଥମରେ ବନ୍ଧୁ ଗଣେ            ଆସି ପାଶେ ଜଣେ ଜଣେ

ବୋଲୁଥିଲେ ଏ ତୁମ୍ଭର ବେଭାର କିପରି,

ନ ପାସୋରି କଷ୍ଟ ଭୋଗୁ ତାହା ନାମ ସ୍ମରି।

 

ପାଇଛି ମୁଁ ନିଦର୍ଶନ,                  ଭୁଲିବାକୁ କଲେ ମନ,

ଘାଣ୍ଟି ହୁଏ ମନପ୍ରାଣ ଆତଙ୍କେ ଆକୁଳେ,

ମନଟା ଯେମନ୍ତ ବୋଲ ମାନେ ନାହିଁ ଠୁଳେ।

 

ଥିଲା ଯେ ନୟନ ତାରା            ବ୍ୟାପ୍ତ ମନପ୍ରାଣ ସାରା,

ଚିତ୍ରିତ ରହିଛି ଛାୟା ହୃଦୟପଟରେ,

ପାରିବି କି ରହି ଚିନ୍ତା ବିନା ନିଶ୍ଚିନ୍ତରେ।

 

ବ୍ୟର୍ଥ କି ଭାବନା ମୋର?            ହୋଇ କି ଯାଇଛି ପର?

ନାହିଁ-ପ୍ରାଣେ ପ୍ରାଣେ ଯାହା ଅଚ୍ଛେଦ୍ୟ ବନ୍ଧନ,

କେ କରିବ ନିବାରଣ ପୁନଶ୍ଚ ମିଳନ।

 

ଚିତାଗ୍ନିରେ କାୟା ପରି            ସବୁ ତ ଯାଇଛି ସରି,

କେ ବୋଲେ ନିର୍ବୋଧ ପରକାଳେ ସେ ତ ନାହିଁ?

ମିଳନର ପାଇଁ ବୃଥା ଅଛି ବାଟ ଚାହିଁ।

 

ବିଶ୍ୱ ଅଣ ପରମାଣୁ                  ଅବିନାଶ୍ୟ ଧ୍ରୁବ ଜାଣୁ,

କାଳଚକ୍ରେ ହୋଇଥାନ୍ତି ରୂପାନ୍ତରଧାରୀ,

ପରିବର୍ତ୍ତ ମାତ୍ର, ନାହିଁ ବିନାଶ କାହାରି।

 

ଜଡ଼ ଭିନ୍ନ ପ୍ରାଣ ଭିନ୍ନ,            ଦେଖୁଛ ପ୍ରତ୍ୟକ୍ଷ ଚିହ୍ନ,

ପର୍ଯ୍ୟାୟରେ ଜଗତରେ ଘଟେ ରୂପାନ୍ତର,

ପରିଣାମେ ସ୍ୱ ସ୍ୱ ଧର୍ମେ ମେଳ ପରସ୍ପର।

 

ସ୍ନେହ ପ୍ରୀତି ଭକ୍ତି ଜ୍ଞାନ            ଜୀବନର ଧର୍ମ ଜାଣ,

ନ ବୁଝି ପାରୁଛି କିଛି ଏଥିର ପ୍ରମାଣ,

ଜଡ଼ ଚେତନର ଭାବ ଭିନ୍ନ ଭିନ୍ନ ଜାଣ।

 

ଅମୃତ ସନ୍ତାନ ସେ ତ,            ସର୍ବଗୁଣେ ସମବେତ,

ହେବାକୁ କି ପାରେ କେବେ ତାହାର ଅଭାବ,

ବିଶ୍ୱଜନନୀର କ୍ରୋଡ଼େ ଯେ ଦ୍ରବ୍ୟର ଠାବ?

 

ବର୍ବର ବଣୁଆ ଜାତି                  ମହାଜ୍ଞାନିଗଣ ଜ୍ଞାତି

ଦେଖନ୍ତି ସମସ୍ତେ ପରକାଳେ ପରିଜନେ,

ସ୍ୱଭାବେ ହୃଦୟେ ଭାବ ଉଦେ କି କାରଣେ?

 

ନାହିଁ ପର ବିଦ୍ୟମାନ,            ଇହ ମାତ୍ର ସର୍ବ ଜାଣ,

ଜଗତର ସର୍ବ ଧର୍ମଶାସ୍ତ୍ର ଦିଅ ପୋଡ଼ି,

କିବା ପ୍ରୟୋଜନ ସେହି ଗ୍ରନ୍ଥମାନ ପଢ଼ି।

 

କ୍ଷୁଧା ତୃଷ୍ଣା ମନ ଭାବ            ସ୍ୱଭାବରେ ଆବିର୍ଭାବ,

ସେହିପରି ପରକାଳ ଚିନ୍ତା ହୃଦେ ଜାଣ,

ଏହାହିଁ ଯେ ପରକାଳ ଅକାଟ୍ୟ ପ୍ରମାଣ।

 

ଧାବିତ ଜଗତ ନିତ୍ୟ            ଗୁଣଧାରୀ ବିପରୀତ,

ବିଶ୍ୱ ପରିବର୍ତ୍ତନଶୀଳ ବିଧିର ନିୟମ,

ତଥା ଜାଣ ମାନବର ମରଣ ଜନମ।

 

ଯାଇଛି ସେ ଚଳି ଆଗେ            ନବଧର୍ମ ଅନୁରାଗେ,

ନିଶ୍ଚୟ ମିଳିବ ଯାଇ ମୁହିଁ ତାହା ପାଶେ,

ରହିଛି ଧଇର୍ଯ୍ୟ ଧରି ଏ ଦୃଢ଼ବିଶ୍ୱାସେ ।

 

କାହାନ୍ତି?

ରାଗ - ସଙ୍ଗମତୀଆରୀ

କାହିଁ ସେ ମଥୁରାପୁରୀ? ଶ୍ରୀ ବୃନ୍ଦାବନ?

ଯମୁନାପୁଳିନ ଲୀଳା? କୁଞ୍ଜ କାନନ

 

ସେ ନନ୍ଦ, ଯଶୋଦା, ବସୁଦେବ, ଦେବକୀ

କାହିଁ ଗଲେ ଚାଲି, ଏହା ବୋଲି ଦେବ କି?

 

କାହାନ୍ତି କୁଞ୍ଜବିହାରୀ? ସେ ବଂଶୀଧ୍ୱନି?

କାହାନ୍ତି ଯାଦବ ବୀରେ- ଖ୍ୟାତ ଅବନୀ?

କାହାନ୍ତି ବାଳଗୋପାଳ? କାହିଁ ଗୋଗୋଷ୍ଠ?

ମଥୁରା ନଗରୀ କଂସ ରସପ୍ରକୋଷ୍ଠ?

 

କାହିଁ ସେ କାଳିନ୍ଦୀ ହ୍ରଦ? କାହିଁ କାଳୀୟ?

ଗୋପୀ ଗୋପାଳଙ୍କ ଲୀଳା- ଯେ ରମଣୀୟ?

ବୃଷଭାନୁ ରାଜଜେମା ଶ୍ରୀ ଗୋପେଶ୍ୱର?

ବୃନ୍ଦାବନବିଳାସିନୀ ଗୋପୀ କିଶୋର?

ଗୋଲକବିହାରୀ କୃଷ୍ଣ କାଳ-ସ୍ରୋତରେ

ଗଲେ ଭାସି! ତୁମ୍ଭେ ଆମ୍ଭେ କେତେ ମାତରେ।

 

ସେ ସଙ୍ଗୀତ

ରାଗିଣୀ- ଭଙ୍ଗ କାନଡ଼ା

ଦିବସ ଯାମିନୀ କି ଗୀତ ପ୍ରବେଶେ ଆବେଶେ ହୃଦୟେ

ସୁଖ ଦୁଃଖରେ ସକଳ ସମୟେ,

କିବା ସେହି ସ୍ୱର ବ୍ୟାକୁଳ ଅନ୍ତର

କରେ ଜୀବନ ତନ୍ମୟେ ସେ

ସଙ୍ଗୀତ।

 

ବିରଳେ ବିଜନେ ଗହନେ କାନନେ ପ୍ରାନ୍ତରେ କାନ୍ତାରେ ଆଶାରେ

ସର୍ବସ୍ଥାନେ ସମାନ ସୁସ୍ୱରେ

ଗ୍ରୀଷମ ବସନ୍ତେ ଅବା ଶୀତ ଅନ୍ତେ

ଲାଗେ ପ୍ରାଣେ ନିରନ୍ତରେ ସେ

ସଙ୍ଗୀତ।

 

ସେହି ଏକଗାନ ସେହି ଏକତାନ ସ୍ୱରଗ୍ରାମ ତାର ସମାନ

ଲାଗି ଉନମତ୍ତ କଲେ ସେ ପ୍ରାଣ,

ପବନେ ନିସ୍ୱନେ ଆସି ଅନୁକ୍ଷଣେ

ଭାଙ୍ଗିଦିଏ କି ଧଇର୍ଯ୍ୟ ଧ୍ୟାନ ସେ

ସଙ୍ଗୀତ।

 

ସଙ୍ଗୀତ ନିଃସ୍ୱନ ହୃଦୟ ସ୍ପନ୍ଦନ କରିଦିଏ ସେ ନିରନ୍ତରେ

କିବା ଆସି ନିଶ୍ୱାସ ପବନରେ,

ହେଲେ ମୁଁ ନିଦ୍ରିତ ହୋଇ ଜାଗରିତ

ଥାଏ କି ଶଯ୍ୟା ପାଶରେ ସେ

ସଙ୍ଗୀତ।

 

ଏ ପ୍ରକୃତି ରାଣୀ ସହସ୍ର ରାଗିଣୀ ଧରିଛି ବିଭିନ୍ନ ତାନେ,

କିବା ଉନମତ୍ତ ମୁଁ ସେହି ଗାନେ,

ଅବୁଝା ହୃଦୟ ନ ବୁଝେ ବିଷୟ

କିପାଁ ମିଶାଇଛି ଆତ୍ମପ୍ରାଣେ ସେ।

ସଙ୍ଗୀତ।

 

ମହାରାଜ କୃଷ୍ଣସିଂହ

ମାହାରାଜ ହୃଷ୍ଣସିଂହ ଧରାକୋଟପତି,

ବୀଣାପାଣି ବରପୁତ୍ର ଯଶସ୍ୱୀ ସୁମତି।

 

ଅବହେଳେ ତ୍ୟାଗ କରି ରାଜସିଂହାସନ

ସାହିତ୍ୟ ଚର୍ଚ୍ଚାରେ ମତ୍ତ ଥିଲ ଆଜୀବନ।

 

ବୀଣାପାଣି ସେବା ଅଟେ ଯାହାଙ୍କର କାର୍ଯ୍ୟ,

ତାଙ୍କ ଚିତ୍ତ ଆୟତ୍ତ କି କରି ପାରେ ରାଜ୍ୟ?

 

ମନୋରାଜ୍ୟ ଅଧିପତି ନିଖିଳ ଉତ୍କଳେ,

ଧରିବ କି ଧରାକୋଟ ତାଙ୍କ ମନ ବଳେ?

ଶୁଣାଇଲ ଉତ୍‌କଳକୁ ଭାରତ ସଙ୍ଗୀତ,

ଯୁଗ ଯୁଗାନ୍ତରେ ନାମ ଥିବ ବିରାଜିତ।

 

ଉତ୍‌କଳ ମାତାକୁ ପିନ୍ଧାଇଛ ରତ୍ନହାର,

ଯାଇଛ ତ ପୂର୍ଣ୍ଣ କରି ସାହିତ୍ୟଭଣ୍ଡାର।

 

ଭକ୍ତିଭରେ ଗ୍ରାମେ ଗ୍ରାମେ ଦେଶବାସିଗଣ

ଚିରକାଳ ତୁମ୍ଭ ନାମ କରିବେ ଗାୟନ।

 

ଯୁବକ ଶରଚ୍ଚନ୍ଦ୍ର

ଆହେ ବିଶ୍ୱପତି, କିପାଁ ସେହି ଜ୍ୟୋତି ସ୍ଥିର ନୁହେ ମୋର ମନ,

ହୁଅନ୍ତି ପବିତ୍ର, ସାର୍ଥକ ମୋ ନେତ୍ର ସେ ଜ୍ୟୋତି କରି ଦର୍ଶନ।

 

ଦୁର୍ବଳ ଚଞ୍ଚଳ ହୃଦୟ କେବଳ, କଳୁଷଭରେ ମଳିନ,

ବୋଲିବି କିପରି ଦୟାମୟ ହରି, ଏହା ତୁମ୍ଭ ସିଂହାସନ।

 

ନାହିଁ ମୋ ଭରସା, ତୁମ୍ଭେ ମାତ୍ର ଆଶା, ଭାସି ଯାଉଛି ସାଗରେ,

କରନ୍ତୁ ଉଦ୍ଧାର, ଆହେ କର୍ଣ୍ଣଧାର, ଦେଇ ତରଣୀ ଚରଣ।

 

ନିତ୍ୟଧାମ ଆଗେ

ରାଗ-କେଦାର

କରେଁ ଏକ ଅଭିଳାଷ            ନିୟତ ହୃଦୟେ ବାସ

ନ ଦେଖେଁ କାହାକୁ କଷ୍ଟ ଫେଇବାକୁ

ସକଳେ ସ୍ୱାର୍ଥର ଦାସ।

 

କେ ଶୁଣିବ ମନ କଥା,            କେ ହରିବ ହୃଦ ବ୍ୟଥା,

ସରମେ ମରମେ ହେଉଛି କୁହୁଳି

କୁମ୍ଭାର-ପୁହାଣ ଯଥା।

 

ଜଗତ ଜଞ୍ଜାଳ ଜାଣି            ତଥାପି ଧରିଛି ଟାଣି,

କେଉଁ ମାୟା ମୋହେ ଆକୁଳ ହୃଦୟେ

ବିମୋହିତ ସର୍ବ ପ୍ରାଣୀ।

 

ଗଲାଣି ଜଗତ ଜଣା,            କେବଳ ତ ପ୍ରତାରଣା,

ଅଛି ଏକ ଧାମ ପୂର୍ଣ୍ଣ ମନସ୍କାମ

କରେଁ କିପାଇଁ ଶୋଚନା।

 

ମନ ଆକୁଳ ଉଦାସ,            ମୁଖରେ କପଟ ହାସ,

ଏ ଲୋକ ଛଳନା ଆତ୍ମପ୍ରତାରଣା

କରୁଛି ତ ବାର ମାସ।

 

 

 

 

ଅବଶ୍ୟ ଜୀବନ ମୋର            ଅନ୍ଧକାରେ ନିରନ୍ତର

କେଉଁ ସୁଖ ଆଶେ କେଉଁ ଅଭିଳାଷେ

ଭ୍ରମଣରେ ତତପର।

 

ଗାଇ ଗାଇ ଦୁଃଖ ଗୀତ            ଜୀବନ ଗତ ଅତୀତ,

ତହିଁ ସୁଖ ନାହିଁ, ତଥାପି କିପାଇଁ

ଗାଇବାକୁ ବଳେ ଚିତ୍ତ?

 

ଭାସୁଛି ଜୀବନତରୀ,            କେତେ ବାସନା ଲହରୀ

ଆଗତ ଅନେକ ଗତ ଏକ ଏକ

ଦେଇ ଟଳମଳ କରି।

 

ଜାଣୁଛି ତ ମରୁସ୍ଥଳ,                  ମୃଗତୃଷ୍ଣାହିଁ ସକଳ,

ତଥାପି କିପାଇଁ ଅଛି ପଛେ ଧାଇଁ,

ଭ୍ରାନ୍ତି କି ନୁହେ କେବଳ?

 

କ୍ଷୁଦ୍ର କଣିକା ଅନଳ                  ହୁଏ କି ଏଡ଼େ ପ୍ରବଳ?

କ୍ଷୁଦ୍ର ପରମାଣୁ ଏହା ଜାଣୁ ଜାଣୁ

ଜଗତ କରୁ ସମ୍ବଳ।

 

କେତେ ବା ପ୍ରାଣେ ଭରସା,            ଅସୀମ ଜଗତ ଆଶା,

ନ ବୁଝିଲା ଦିନେ ରହିବ ସେ ଭିନ୍ନେ

ଛିନ୍ନ କରି ଏ ଲାଳସା।

 

ବିଗତ ଜୀବନ ସର୍ଗେ            ଯାହାକୁ ଧର ସରାଗେ,

ନ ଯିବେ ସଙ୍ଗରେ, ବଦ୍ଧ ଜଗତରେ,

ତୁମ୍ଭ ଶାନ୍ତିଧାମ ଆଗେ।

 

ମଧୁସୂଦନ ରାଓ

ରାଗିଣୀ - କଳସା

ହେ ମଧୁସୂଦନ ତୁମ୍ଭ ଜୀବନ ସାର୍ଥକ!

ତୁମ୍ଭ ପରି କେତେ ଜଣ ଛନ୍ତି ସାଧୁ ଲୋକ?

 

ସ୍ନେହ, ପ୍ରୀତି, ପିତୃଭକ୍ତି, ସନ୍ତାନବାତ୍ସଲ୍ୟ,

ଏକାଧାରେ ତୁମ୍ଭ ଗୃହେ ପୂରିଛି ସକଳ।

 

ପବିତ୍ରତା ସରଳତା ପର ଉପକାର,

ଦୟାମୟା ଧର୍ମ ନୀତି ତୁମ୍ଭେହିଁ ଆଧାର।

 

ଅନାଥ ବାଳକ ବିଦ୍ୟା ଶିକ୍ଷାପାଇଁ ଋଣୀ

ଲୋକ ହୋଇ ପାରେ କିଏ ଅଛି କାହିଁ ଶୁଣି?

 

ତୁମ୍ଭର ଯେ କେତେ ଶ୍ରଦ୍ଧା ଅତିଥିସେବାରେ,

ସେ ଜାଣେ ଯେ ତୁମ୍ଭଠାକୁ ଯାଇଅଛି ବାରେ।

 

ପର ଉପକାରେ ଦିବା ନିଶି ଥାଅ ବ୍ୟସ୍ତ,

ତେଜି ପାର ସେଥିପାଇଁ ସମ୍ପତ୍ତି ସମସ୍ତ।

 

ଆଦର୍ଶ ପୁରୁଷ ଜଣେ ବ୍ରାହ୍ମମଣ୍ଡଳୀରେ,

ଉତ୍କଳମଣ୍ଡଳେ ଖ୍ୟାତ କବିହେ ବୁଦ୍ଧିରେ।

ଉତ୍କଳ ଭୂମି

ରାଗ - ବଙ୍ଗଳାଶ୍ରୀ

ଜନନୀ ଉତ୍କଳ!            ନମେ ପଦତଳ,

ମୋ ପ୍ରତି କର କରୁଣା,

ମୋର ଏ ଜୀବନେ            ନ ହେବ ଯେସନେ,

ତୋର ପ୍ରତି ଭକ୍ତି ଊଣା।

 

ହୁଅ ପଛେ ମାତ!            ଅଭାଗୀ ନିତାନ୍ତ,

ତୁମ୍ଭେ ତ ମୋର ଜନନୀ!

ତୋହ ଅପମାନେ            ଭୀଷଣ ପରାଣେ

ପଡ଼ିପାଏ କି ଅଶନ!

 

କୃପା-ଅକୂପାର            ଶୋଭାର ଆଧାର

କରି ନିରମିଲେ ତୋତେ,

ଅଯୋଗ୍ୟ ସନ୍ତାନେ            କଲେ ହୀନମାନେ,

ଶ୍ମଶାନ ତୁଲ୍ୟ ପରତେ।

 

ତୋଠାରେ କି ନାହିଁ,      କେଉଁ ଦ୍ରବ୍ୟ ପାଇଁ

ହୀନମାନ ତୋ ନନ୍ଦନେ?

ଦେଉଛୁ ବଢ଼ାଇ,            ଜାଣିବାକୁ ଖାଲି

ନାହାନ୍ତି ମନୁଷ୍ୟ ଜଣେ।

 

ପର ପାଠ ପଢ଼ି,            କି ଲୋଭରେ ପଡ଼ି,

ଲେଖିଦେଇ ଦାସଖତ,

ଅନ୍ନ ବସ୍ତ୍ରେ ପୁଣି            ହୋଇ ଟାଣିଟୁଣି,

ବୋଲାନ୍ତି ଯେ ଭାଗ୍ୟବନ୍ତ।

 

ପୋଷି କେତେ ଆଶା      ପଢ଼ି ରାଜଭାଷା

କାଟିଲେ ଜୀବନ ଅଧେ,

ଶେଷରେ ସମ୍ବଳ            ଗୋଲାମି କେବଳ

ଚାଳିଶ ଟଙ୍କାର ମଧ୍ୟେ।

 

କେତେ ଡରି ମରି            କରନ୍ତି ଚାକରି,

ପେଟ ପୂରିବାକୁ ନାହିଁ,

ବୋଲ କି ପ୍ରକାର            ଲୋକ ଉପକାର

କରିବାକୁ ବେଳ କାହିଁ?

 

ସ୍ୱଭାବେ ତୁ ହୀନା            ନ ଥିଲୁ, ପ୍ରବୀଣା

ସକଳ ବିଦ୍ୟା କଳାରେ,

ଧିକ ଧିକ ଧିକ!            ବୋଲିବି ଅଧିକ

କିବା କଥା କାହାଠାରେ!

ତୋହ ଦେହ ଧୂଳି            ହୋଇ ଅଙ୍ଗେ ବୋଳି

ଧନ୍ୟ ଭାରତର ଲୋକେ,

ଦୀନ ହୀନ ବେଶେ            ଭ୍ରମନ୍ତି ବିଦେଶେ

ତୋହରି ସନ୍ତାନ ଥୋକେ।

 

ଉତ୍‌କଳ ବସନେ            ଯତନେ ମଣ୍ଡନେ

ଥିଲେ ୟୁରୋପା ଲଳନା,

ଏବେ ତୋ ସନ୍ତାନେ      ରହିଛନ୍ତି ଧ୍ୟାନେ,

ମାଞ୍ଚ୍ଛେଷ୍ଟରୁ ଖଣ୍ଡେ କନା।

 

ଯେ ତୋର କୁମରେ      ନର୍ମଦା କୂଳରେ

କରୁଥିଲେ ଯାଇ ରଣ,

ଏବେ ତୋ ନନ୍ଦନ            ସମର ପ୍ରାଙ୍ଗଣ

ଦେଖିଛନ୍ତି କେତେ ଜଣ?

 

ପ୍ରଭୁ ଜଗନ୍ନାଥ            ଧରି ଲକ୍ଷ୍ମୀ ହାତ

ବସିଛନ୍ତି ତୋ ପୃଷ୍ଠରେ,

ତୁ ଶସ୍ୟଶ୍ୟାମଳା,            ଅଛନ୍ତି କମଳା,

ଅନ୍ନ ନାହିଁ ଅଦୃଷ୍ଟରେ।

 

ଯଜ୍ଞ ରାଜସୂୟେ            ଧର୍ମଙ୍କ ତନୟେ

ମହାରାଜ ଯୁଧିଷ୍ଠିର

ବସି ରାଜମଞ୍ଚେ            ବୋଲିଥିଲେ ଉଚ୍ଚେ-

ଉତ୍‌କଳୀୟ ମହାବୀର।

 

ସେହି ଜାତିମାନେ            ଦେଖ ବର୍ତ୍ତମାନେ

କେଡ଼େ ହୀନ ହତଭାଗ୍ୟ,

କେଡ଼େ ଭୟ ପାଇ            ଯାଆନ୍ତି ପଳାଇ

ଦେଖି ଖଣ୍ଡେ ରଙ୍ଗ ପାଗ।

 

ବାଣିଜ୍ୟ ବ୍ୟବସା,            ଚାକରି ଭରସା

କିଛି ତ ଉପାୟ ନାହିଁ,

ବିଦେଶୀୟ ଭାଇ            ନେଲେଣି ଛଡ଼ାଇ,

ଆସ ଲାଗୁଁ ସେଥିପାଇଁ।

 

ସାଧନାରେ ସିଦ୍ଧି,            ଅଛି ତ ପ୍ରସିଦ୍ଧ,

କଥା ଜାଣ ପରମ୍ପରା,

ଅଳସ ପଣରେ            ବସି ରହି ଘରେ

ପେଟଟି ପୋଷିବ ପରା?

 

ଆହେ ଜମିଦାରେ,            ପୂର ଗନ୍ତାଘରେ

ରୁଣ୍ଡାଇ ପୁଣ୍ଡାଇ ଟଙ୍କା;

ଦେଶ ଭାସି ଯାଉ,            ସେଥିପାଇଁ ଆଉ

ତୁମ୍ଭର କି ଅଛି ଶଙ୍କା ।

 

ଆସ ଭାଇମାନେ!            ବସି ଏକ ସ୍ଥାନେ

କରିବା ମିଳି ବିଚାର,

ଅନ୍ନ ବସ୍ତ୍ରପାଇଁ            କଷ୍ଟ ହେବ ନାହିଁ,

ପାଇବୁଁ ଦୁଃଖୁଁ ଉଦ୍ଧାର।

 

ଅଳପ କଥାରେ,            ଅଳପ ଟଙ୍କାରେ

ଚଳି ଯାଉଥିଲା ଆଗ,

ଅଛି ସବୁ ତହିଁ,            ଖାଇଲାଣି ଭାଇ,

ପୁରୁଣା କଥାକୁ ବାଘ।

 

ଓଳିତଳେ ଲୁଣ            କୋଟିଏ ମହଣ

ଥାଉଁ ମୋହ କଥା ଶୁଣ,

ବୋଇଲେ କି ହେବ,      ଖାଇବାକୁ ହେବ

ଲିଭରପୁଲରୁ ଲୁଣ।

 

ମାଞ୍ଚଷ୍ଟର ତନ୍ତି            ଲୁଗା ବୁଣୁଛନ୍ତି

ତୁମ୍ଭମାନଙ୍କ ସକାଶେ,

ବୁଡ଼ୁ ତନ୍ତି ବଂଶ,            ହେଉ ସର୍ବ ନାଶ,

ଯାଉନ୍ତୁ ସେ ବନବାସେ।

 

 

ସ୍ୱଦେଶର ଶିଳ୍ପ            ସବୁ ଅଳ୍ପ ଅଳ୍ପ

ଦେଖୁଛ ଯାଉଛି ବୁଡ଼ି,

ଦେଖୁ ନାହିଁ ଭାଳି,            ସରୁଛି ସଙ୍ଖାଳି,

ଶୋଇଛ ମାଠଟି ଘୋଡ଼ି।

 

ଉଠ ଉଠ ଭାଇ,            ବେଳ ବହିଯାଇ

ନାହିଁଟି ଭାଳ ମନରେ,

କରିବୁଁ ଉପାୟ,            ଯହିଁ କଷ୍ଟ କ୍ଷୟ

ହୋଇ ପାରେ ସହଜରେ।

 

ଜାଣ ଏ ଉତ୍ତାରେ            ହେବ ପୁନର୍ବାରେ

ଜମିଜମା ବନ୍ଦୋବସ୍ତ,

ବଢ଼ିବ ଖଜଣା,            କେତେ ନାହିଁ ଜଣା,

କରି ରଖ ବନ୍ଦୋବସ୍ତ।

 

ଖାଇ ପିଇ ଭାଇ,            ଦ୍ୱି ଟଙ୍କା ବଳାଇ

ରଖିଥିଲେ ସିନା ହାତେ,

ଖଜଣା ଗଣ୍ଡାକ            ବୁଝାଇ ଦେବାକ,

ନୋହିଲେ ମରିବ ନାତେ।

 

କରନ୍ତୁ କଲ୍ୟାଣ

ରାଗ-ପରଜ-ଝୁଲା

କରନ୍ତୁ ମୋତେ କଲ୍ୟାଣ,

ହେ ମହାପ୍ରଭୋ!

ବସି ଦିବାନିଶି ତୁମ୍ଭ ନାମ ଘୋଷି

ଶେଷ ହେଉ ମୋର ପ୍ରାଣ ।ଘୋଷା।

 

ଆହେ ବିଶ୍ୱସାଇଁ!            ଭାଳିବି କିପାଇଁ

ଜୀବନ ରକ୍ଷା କାରଣ,

ତୁମ୍ଭକୁ ଉପେଖି            ପାରିବି କି ରଖି

ଥାଇ ମଧ୍ୟ ସାବଧାନ।

 

ଜନନୀ ଜଠରେ            ତିମିର ଆକରେ

କରିଛ ମୋତେ ପାଳନ,

 

ମୋର ଅନ୍ନ ଜଳ            ସୃଜିଛ ସକଳ,

ଯାହା ଯାହା ପ୍ରୟୋଜନ।

 

ସବୁ ଜାଣି ଶୁଣି            ଭ୍ରମେ ପଡ଼େ ପୁଣି

ହୋଇ ମୋହେ ଅଚେତନ,

କର ଆକର୍ଷଣ            ଜଗତ ବନ୍ଧନ,

ମଣୁଛ ତ ଅନୁକ୍ଷଣ।

 

ଭାଳେ ଯାହା ଲାଗି,            ଦିଅ ସବୁ ଭାଙ୍ଗି,

ହେଉ ମୋ ହୃଦୟ ଶୂନ୍ୟ,

ଯାଉ ଛାଡ଼ି ଆଶା,            ଜଗତ ଭରସା,

କରେଁ ମୁଁ ତୁମ୍ଭଙ୍କୁ ଧ୍ୟାନ।

 

କୃପାନିଧାନ

ଆଶାବରୀ- ତାଳ ଯତ୍

କୃପାନିଧାନ ହେ! କର କରୁଣା ମୋ ପ୍ରତି।

ଦେଇ ମନ ପ୍ରାଣ            କରେଁ ତୁମ୍ଭ ଧ୍ୟାନ,

ସ୍ଥିର ହେଉ ମୋର ମତି।

 

ତୁମ୍ଭେ କି ଜନନୀ,            ଭ୍ରାତା କି ଭଗିନୀ,

ବନ୍ଧୁ, ସୋଦର, ପିୟର,

ସକଳ ଭାବରେ            ଅଛ ମୋ ପାଶରେ,

ବିଶ୍ୱ ବ୍ରହ୍ମାଣ୍ଡର ପତି।

 

ଭୁଲିବି ଜଗତ,            ଭୁଲିବି ସମସ୍ତ,

ପାରେଁ କି ତୁମ୍ଭଙ୍କୁ ଭୁଲି,

 

ଆତ୍ମାର ଅସ୍ତିତ୍ୱ            ଅଛି ଆଲୋକିତ

ବିକାଶ ତୁମ୍ଭର ଜ୍ୟୋତି।

 

ହୃଦୟର କଥା,            ମରମର ବ୍ୟଥା

ଜାଣ ତ ମୁଁ ହୋଇ ଭ୍ରାନ୍ତ

ପାପଭାରାକ୍ରାନ୍ତ            ହୋଇଛି ନିତାନ୍ତ,

ଫେଡ଼ନ୍ତୁ ମୋର ଦୁର୍ଗତି।

 

ଗ୍ରହ, ଶଶୀ, ଭାନୁ,            ଅଣୁ, ପରମାଣୁ,

ତୁମ୍ଭ ନୟନ ଗୋଚରେ,

ଆହେ ଦୟାମୟ!            ନାହିଁ ତ ଉପାୟ

ଲଭିବାକୁ ଆନ ଗତି।

 

ମୃତ୍ୟୁର କରାଳ ମୂର୍ତ୍ତି

ପିଲୁ-ଯତ୍ l

ମୃତ୍ୟୁର କରାଳ ମୂର୍ତ୍ତି ମାନସ ନୟନେ

ବାରମ୍ବାର ଦେଖି ମଧ୍ୟ ଅଛି ଅଚେତନେ।

 

ଗଗନେ ଅନନ୍ତ ତାରା ଦେଖୁଛି ତ ଚାହିଁ,

ଲୋଡ଼ୁଛି ଯାହାକୁ ନିତ୍ୟ ସେ ନକ୍ଷତ୍ର କାହିଁ?

 

କେତେ ପକ୍ଷୀ ଭ୍ରମୁଛନ୍ତି ଗଗନବିହାରୀ,

କାହିଁ ଛାଡ଼ି ଉଡ଼ଇଗଲା ମୋର ପୋଷା ଶାରୀ।

 

ଫୁଟିଛି ବହୁତ ପୁଷ୍ପ ଏ କି ଅସମ୍ଭବ,

କାହିଁ ତ ପାଇଲି ନାହିଁ ସେ ପୁଷ୍ପ ସୌରଭ।

ମାଣିକ୍ୟ ବୈଦୁର୍ଯ୍ୟ କେତେ କରେ ଝକମକ,

କାହିଁ ମୁଁ ତ ଦେଖୁ ନାହିଁ ସେ ରତ୍ନ ଝଟକ।

ବାଜୁଛି ବହୁତ ବୀଣା ନାନା ତାନମାନେ,

ସେ ସ୍ୱର ଝଙ୍କାର ମାତ୍ର ନ ଶୁଣିଲି କାନେ।

 

ଜାଣିଲି ଚପଳା ଲୁଚିଗଲା ବାରିଦରେ,

ତା ଝଟକ ଜ୍ୟୋତି ଲାଗିଅଛି ମୋ ନେତ୍ରରେ।

 

ମାତଃ ବୋଲନ୍ତୁ

ଆଶାବରୀ- ଯତ୍

ମାତଃ ବୋଲନ୍ତୁ ଗୋ! କିପାଁ ଅବସାଦ ମନେ!

ଅନନ୍ତ ବିଶ୍ରାମ ମୋ ଇନ୍ଦ୍ରିୟଗ୍ରାମ ଲୋଡ଼େ ଦେଖେଁ ଅନୁକ୍ଷଣେ l

କାର୍ଯ୍ୟ ସମାପତ କରି ପଦ ହସ୍ତ ଧୋଇ ବସିଲେ ନିର୍ଜନେ,

ଭାଳେ ମୁଁ ମନରେ କାହା ଆଦେଶରେ କଲି ଏହା କି କାରଣେ।

 

ଧନ ଉପାର୍ଜନେ ନ ଭାଳେ ମୁଁ ମନେ ତୁମ୍ଭେ ମୋ ପରମ ଧନ,

ପରମ ରତନେ ହରାଇ ଯତନେ ଥିଲି ବ୍ୟର୍ଥ ଉପାର୍ଜନେ।

 

ଦେଖୁଛି ତ ଚାହିଁ, ଜୀବନ ଯା ପାଇଁ କାଟିଛି ବହୁ କଷ୍ଟରେ,

ଥିବ ସବୁ ପଡ଼ି, ଯାଉଛି ତ ଛାଡ଼ି ଏକା ଅନନ୍ତ ଗଗନେ।

 

ସଂକଟ ସମୟେ ଆସ ମୋ ହୃଦୟେ, ଦେଖା ତୋର ଦିବ୍ୟ ଜ୍ୟୋତି,

ଜନ୍ମ, ଦିବ୍ୟ ଜ୍ଞାନ, ପାଏଁ ମୁଁ ସନ୍ଧାନ ତବ ଶାନ୍ତିନିକେତନେ।

 

ସଞ୍ଜୀବନୀ-ସୁଧା

ଆଲୋୟା ଜୟଜୟନ୍ତୀ ଝମ୍ପତାଳ।

ସଞ୍ଜୀବନୀ ସୁଧା ଧାରା      ଦିଅ ଢାଳି ଦୟାମୟ!

ପାନ କରି ମତ୍ତ ହେଉ      ମୋର ନୀରସ ହୃଦୟ! (ଘୋ)

ଲାଗି ସେ ପରଶମଣି      ହେଉ ପାଷାଣ କାଞ୍ଚନ,

ପରଶ ହୃଦୟ ମୋର,      ଲଭେଁ ନୂତନ ଜୀବନ।

ନ ଲୋଡ଼େଁ ମୁଁ ଧନ, ମାନ,      ଦିଅ ପ୍ରଭୋ ଏହି ବର,

ତୁମ୍ଭର ନିର୍ଦ୍ଦିଷ୍ଟ ମାର୍ଗେ,      ଗମିବି ମୁଁ ନିରନ୍ତର।

ଦେବ ଯାହା ସୁଖ, ଦୁଃଖ,      ନେବି ମସ୍ତକେ ମୁଣ୍ଡାଇ,

ସହିବି ସକଳ କଷ୍ଟ,            ପ୍ରଭୋ ତୁମ୍ଭ ମୁଖ ଚାହିଁ।

ତୁମ୍ଭେ ତ ବିଧାତା ମୋର,      କରି ଏ କଥା ପରତେ,

ତେବେ ଆପଣାର ପାଇଁ      କିପାଁ ବ୍ୟାକୁଳ ସନ୍ତତେ।

ଜ୍ୟୋତିଃ ସ୍ୱରୂପ

ଆଶାବରୀ- ଯତ୍ l

ଜ୍ୟୋତିଃସ୍ୱରୂପ ହେ! ବିଭୁ ବିଶ୍ୱବନ୍ଦନୀୟ!

ଧ୍ରୁବ, ଶିବ, ସତ୍ୟ, ନିତ୍ୟ, ନିରଞ୍ଜନ, ଏକମେବ,

ଅଦ୍ୱିତୀୟ । ଘୋଷା।

କୋଟି କୋଟି ବିଶ୍ୱ            ବ୍ରହ୍ମାଣ୍ଡ ବିରାଜେ

ତବ ପ୍ରତିଲୋମକୂପେ,

ବ୍ୟାପ୍ତ ଚରାଚର            ଅଛ ନିରନ୍ତର

ପଞ୍ଚଭୂତେ ଆତ୍ମାରୂପେ।

 

ଦେଲ ନେତ୍ରେ ଜ୍ୟୋତି       ଦରଶନ ଶକ୍ତି,

ନ ଦେଖେ ତୋତେ ନୟନ,

ଶୋଣିତ ଆଧାରେ            ତୋ ଶକ୍ତି ସଞ୍ଚାରେ,

ଅଚେତନେ ସଚେତନ।

 

ଜୀବନବଲ୍ଲଭ            ସାଧନଦୁର୍ଲଭ

ପାତା, ଧାତା, ପ୍ରାଣାରାମ,

ଅରୂପ ନିବାସେ            ସ୍ୱରୂପ ବିକାଶେ

ପ୍ରତିରୂପ ଅବିରାମ।

 

ଜଗତ ଜୀବନ            ମଣ୍ଡଳ ଶୋଭନ

ଚରାଚର ମୂଳାଧାର,

ପ୍ରଭୋ ଜଗତ୍ତାତ            କରେ ଯୋଡ଼ି ହାତ

ତବ ପଦେ ନମସ୍କାର।

 

କାହାକୁ ଭରସା

ରାଗିଣୀ - ପିଲୁ, ତାଳ - ଖେମଟା।

କାହାକୁ କରିଛୁ ଭରସୀ?

ଦିନ ତ ଯାଉଛି ବହି ଆସି ଏବେ ଶେଷ ଦଶା।

ଜ୍ଞାତି ବନ୍ଧୁ ପରିଜନେ      ଚାଲି ଗଲେ ଜଣେ ଜଣେ,

ଯାଇଛନ୍ତି ଯାଉଛନ୍ତି ଦେଖି ନୟନେ,

ତଥାପି ରହିଛୁ ମୋହ ମାୟା ବନ୍ଧନେ,

ବିଷୟ ଆବୋରି ଅଛୁ ନ ତେଜିଲୁ ଜୀବନାଶା।

 

ଯେତେ କଲୁ ଉପାର୍ଜନ      ଗଲା ଜୀବ ଅକାରଣ,

ଧନ କି ଜୀବନ ସଙ୍ଗୀ କରୁ ପରତେ?

କି ବିଚାର କି ଆଶାରେ ଅଛୁ ନିଶ୍ଚିନ୍ତେ?

ଏବେ ହେଲେ ମନ ପ୍ରଭୁପ୍ରେମ ସରିତରେ ଭସା।

 

ଅଳସ ପରାଣ ତବ            କଲା ନାହିଁ ଅନୁଭବ

ବିଚିତ୍ର ଅନନ୍ତ ଲୀଳା ଶୋଭା ମାଧୁରୀ,

ଜଳେ ସ୍ଥଳେ ଖମଣ୍ଡଳେ ରହିଛି ପୂରି,

ନ ଦେଖିଲୁ ନ ତେଜିଲୁ ବିଷୟ ବିଷ ଲାଳସା!

 

କରୁ ଅନନ୍ତ କାମନା,      ପୂର୍ଣ୍ଣ କି ହେଲା ବାସନା,

ଦିବା ନିଶି ବ୍ୟସ୍ତ ଅର୍ଥ ସମସ୍ତପାଇଁ,

ସେ ଅର୍ଥରେ ଜୀବନରେ ସାନ୍ତ୍ୱନା କାହିଁ!

ନ ଲୋଡ଼ୁ ସେ ଧନ ଯହିଁ ଘୁଞ୍ଚିବ ସର୍ବ ଦୁର୍ଦଶା।

 

ସାଧୁ ସଂସର୍ଗ l

ଭାଗବତ-ବୃତ୍ତ ।

ଗ୍ରାମ ପ୍ରାନ୍ତରେ ନଦୀକୂଳେ,      ପ୍ରାଚୀନ ବଟ ବୃକ୍ଷମୂଳେ।

ସୁନ୍ଦର ନବୀନ ସନ୍ନ୍ୟାସୀ,      ସଂସାର ଚିନ୍ତାରେ ଉଦାସୀ।

କୁଟୀରେ କରାଇ ନିର୍ମାଣ,      ବସି ସେ କରୁଥାନ୍ତି ଧ୍ୟାନ।

କିଛିହିଁ ନାହିଁ ଅଙ୍ଗେ ବାସ,      ଶୀତ ବରଷା ବାରମାସ।

 

କଷ୍ଟ ନ ମଣି କିଛିମାତ୍ର,      ଆନନ୍ଦେ ଥାନ୍ତି ଦିବା ରାତ୍ର।

କୁଟୀର ପାଶେ ଥାପି ଧୂନି,      ଜପରେ ବସିଥାନ୍ତି ମୁନି।

ଦର୍ଶନପାଇଁ ଯାନ୍ତି ଲୋକେ,      ଯେ ଯାହା ଦିଏ ଖାନ୍ତି ସୁଖେ।

କିଛିହିଁ ନ କରନ୍ତି ଭିକ୍ଷା,      ଦିଅନ୍ତି ଲୋକେ ଧର୍ମଶିକ୍ଷା।

ସେ ଗ୍ରାମ ମଠର ମହନ୍ତ      ଥିଲା ସେ ନିତାନ୍ତ ଦୂରନ୍ତ।

ଚେଲା ପୁଝାରି ସହିତରେ      ବିଚାର କଲା ନିର୍ଜନରେ।

ଏ ଭଣ୍ଡ ସନ୍ନ୍ୟାସୀ ନିଶ୍ଚୟ,      ନେବା ଏହାର ପରିଚୟ।

 

କେମନ୍ତ ଦିଏ ଧର୍ମ ଦୀକ୍ଷା,      କରିବୁଁ ସେଥିର ପରୀକ୍ଷା।

ସାଧୁଙ୍କୁ ଭଣ୍ଡିବା ସକାଶେ,      ଡାକିଲା ଏକ ବେଶ୍ୟା ପାଶେ।

ସେ ବେଶ୍ୟା ଯୁବତୀ ସୁନ୍ଦରୀ,      ତାହାର ନାମଟି ଅପସରୀ।

ନୃତ୍ୟ ଗୀତରେ ସେ ନିପୁଣା,      ଠକପଣରେ ନୁହେ ଉଣା।

ସେହି ମହନ୍ତ ଶିକ୍ଷା ପାଇ,      ଧନ ଲୋଭରେ ହୋଇ ବାଇ।

 

ଚଳି ସେ ଗଲା ଧୀରେ ଧୀରେ, ମିଳିଲା ସାଧୁଙ୍କ କୁଟୀରେ।

ସେ ବେଶ୍ୟା ସାଧୁ ପାଶେ ବସି, କଥା କହିଲା ହସି ହସି।

କରିଣ ବହୁତ କୌଶଳ,      ଦେଖାଉଥାଏ ବକ୍ଷସ୍ଥଳ।

ଫେଇଣ ବୋଇଲା ସାଧୁଙ୍କୁ,      ଆସନ୍ତୁ ମୋହର ଗୃହକୁ।

 

ପ୍ରେମ ଆନନ୍ଦେ ମିଳି ମିଶି,      ବାସ କରିବୁଁ ଦିବାନିଶି।

ବହୁତ ଧନ ମୋହ ଘରେ,      ଅଛି, ଆସନ୍ତୁ ପ୍ରେମଭରେ।

ସୁଖେ ଭୁଞ୍ଜିବୁଁ ବେନି ଜନ,      କରିବି ନର୍ତ୍ତନ ଗାୟନ।

ସନ୍ନ୍ୟାସୀ ସର୍ବକଥା ଶୁଣି,      ବୋଇଲେ କ୍ଷଣେ ହୋଇ ତୁନି।

 

ଆଗୋ ମା! କରୁଛ କଲ୍ୟାଣ,      ବାହୁଡ଼ି ଯାଅ ବର୍ତ୍ତମାନ।

ପ୍ରଭୁଙ୍କ ମହିମା ଅପାର,      କେ ଜାଣେ ଅବା ପୁନର୍ବାର

ମିଳନ ହେବ ତୋ ସଙ୍ଗରେ,      ବୋଲିବୁଁ କଥା ସେ କାଳରେ।

ବେଳ ମୋ କଥା କହିବାକୁ      ନାହିଁଟି, ଯାଉଛି ପୂଜାକୁ।

 

ସେ ବେଶ୍ୟା ନିତାନ୍ତ ନିରାଶେ, ବାହୁଡ଼ି ଗଲା ନିଜ ବାସେ।

ବିଚିତ୍ର ବିଧାତାଙ୍କ ଲୀଳା,      ସେ ବେଶ୍ୟା ବାଧିକା ପଡ଼ିଲା।

କୁତ୍ସିତ ଘାଆ ସର୍ବାଙ୍ଗରେ      ଫୁଟି ପଡ଼ିଲା, ଦୁର୍ଗନ୍ଧରେ,

 

କେହି ନ ଯାଏ ତାହା ପାଶେ,      ଏକା ସେ ପଡ଼ିଥାଏ ବାସେ।

ଯେ ଧନ ଥିଲା ତାହା ଘରେ,      ନେଲେ ତା ବୈଦ୍ୟ ଡାକତରେ।

କେ ଅଛି ମଉଳା, ମଉସା,      କରିବ ତା ସେବା ଶୁଶ୍ରୂଷା?

ଭିକ୍ଷା ମାଗିଣ ଅବଶେଷେ      ନିତାନ୍ତ କଷ୍ଟେ ପେଟ ପୋଷେ।

ପଡ଼ିଲା ଯହୁଁ ଘାଆ ବଳି,      ସେ ବେଶ୍ୟା ନ ପାରିଲା ଚଳି।

ଘାଏ ଅସାଇଁ ପଣ ପଣ,      ମାଛି ଉଡ଼ନ୍ତି ଭଣ ଭଣ।

ଚାଲି ନ ପାରି ମହାକଷ୍ଟେ,      ପଡ଼ିଣ ଥାଏ ନଦୀତଟେ।

 

ଦୈବଯୋଗରେ ସେ ସନ୍ନ୍ୟାସୀ, ମିଳିଲେ ତାହା ପାଶେ ଆସି।

ଦେଖିଣ ବେଶ୍ୟାର ବିକଳ,      ସେ ସାଧୁ ନେତ୍ରୁ ବହେ ଜଳ।

ଆହା ମା! ବୋଲି ଧୀରେ ଧୀରେ, ଦେଲେ ଯେ ହସ୍ତ ତା ଶରୀରେ।

 

ଯତ୍ନରେ ବୁଲାଇ ତାହାକୁ      ଘେନିଣ ଗଲେ କୁଡ଼ିଆକୁ।

ଘାଆକୁ ଦେଇ ଧୋଇ ଧାଇ,      ଔଷଧି ଦେଲେକ ଲେପାଇ।

ସନ୍ନ୍ୟାସୀ ଯତ୍ନେ ଦୈବବଳେ,      ସେ ବେଶ୍ୟା ରହିଲା କୁଶଳେ।

 

କ୍ରମେ ସେ ଲଭନ୍ତେ ଆରୋଗ୍ୟ, ତା ମନେ ଜନ୍ମିଲା ବୈରାଗ୍ୟ।

ଏ ଅନ୍ତେ ବାରବିଳାସିନୀ      ହୋଇ ପଡ଼ିଲା ତପସ୍ୱିନୀ।

ସାଧୁ ସଂସର୍ଗେ ପାପୀୟସୀ      ଲଭିଲା ଗତି ମହୀୟସୀ।

 

ପଦ୍ମନାଭ ନାରାୟଣ

ରାଗ - ମଙ୍ଗଳ

ପଦ୍ମନାଭ ନାରାୟଣ ଦେବ ମହାମତି!

ତୁମ୍ଭ ଆତ୍ମା ଉଦ୍ଦେଶ୍ୟରେ କରୁଛି ପ୍ରଣତି।

 

ଗଜପତି ଉଚ୍ଚବଂଶେ ଜନମ ତୁମ୍ଭର,

ସୁଶୀଳ, ବିଦ୍ୱାନ ସାଧୁ ସର୍ବଗୁଣଧର।

 

କରି ଯାଇଅଛ ଯେଉଁ ନାଟକ ରଚନା,

କବିତ୍ୱ, ପାଣ୍ଡିତ୍ୟ, ଯଶ କରିବ ଘୋଷଣା।

 

ଯୌବନ, ପ୍ରଭୁତ୍ୱ, ଧନ ଅନର୍ଥ-ଆଧାର,

ଜନ୍ମାଇ ନ ଥିଲା ତୁମ୍ଭ ଚିତ୍ତରେ ବିକାର।

 

 

ଆପ୍ୟାୟିତ ହୋଇଥାନ୍ତି ଅଭ୍ୟାଗତଗଣ

ଶୁଣି ତୁମ୍ଭ ସବିନୟ ମିଷ୍ଟ ସମ୍ଭାଷଣ।

 

ଥିଲ କବି, କରୁଥିଲ କବିଙ୍କୁ ସମ୍ମାନ,

ଅପୂର୍ବ ସୁଦୃଶ୍ୟ ତୁମ୍ଭ ନାଟକ ଆଖ୍ୟାନ।

 

କାହାକୁ ମୁଁ ଦେବି ତୁମ୍ଭ ସହିତ ଉପମା,

ଉତ୍କଳ ଆକାଶ ଖସି ପଡ଼ିଛ ଚନ୍ଦ୍ରମା।

 

ମଧୁସୂଦନ ଦାସ ସି. ଆଇ. ଇ.

ରାଗ- ଚକ୍ରକେଳି

ଧନ୍ୟ! ଧନ୍ୟ! ଧନ୍ୟ      ମଧୁସୂଦନ!

ଉତ୍କଳ ମାତାର            ଯୋଗ୍ୟ ନନ୍ଦନ!

ଦେଲ ଉତ୍କଳକୁ            ନବ ଜୀବନ,

ଶିଖାଇଲ ଲୋକେ            ଜାତି ବନ୍ଦନ।

 

ଜାତୀୟ ଜୀବନ            ବୋଲେ କାହାକୁ,

ଶିଖାଇଲ ଦେଶ-            ବାସୀ ଭ୍ରାତାଙ୍କୁ

କଥା ନୁହେ ଏହା            ଦେଖେଁ ପ୍ରମାଣ,

ଦେଶହିତ ବ୍ରତେ            ସଁପିଛ ପ୍ରାଣ।

କୋଟି ପରିମାଣ            ଉତ୍କଳ ଲୋକ,

ସମସ୍ତଙ୍କ କାହିଁ            ଘୁଞ୍ଚିବ ଦୁଃଖ।

 

ଗୋଟା ଦେଶପାଇଁ            ଭାଳୁଛି ଜଣେ,

ଏକଥା ଯେ କାଳେ            ପଡ଼େ ମୋ ମନେ।

ହୃଦୟରେ ମୋର            ହୁଏ ପ୍ରତ୍ୟୟ,

ଦୈବ ଶକ୍ତି ଏହା            ଅଟେ ନିଶ୍ଚୟ।

କେତେ କଷ୍ଟେ ପଡ଼ି            ଅର୍ଜିଲ ଧନ,

 

 

 

ଫୋପାଡ଼ି ଦେଇଛ            ଦେଶ କାରଣ।

ଶିଳ୍ପକାର୍ଯ୍ୟେ ବିଂଶ            ସହସ୍ର ଟଙ୍କା

ଦେଲ ଢାଳି ଦେଖି            ଲାଗେ ତାଟକା।

ଆହାର ନିଦ୍ରାରେ            ନ ଥାଏ ଜ୍ଞାନ,

କରୁଥାଅ ବସି            ନିର୍ଜନେ ଧ୍ୟାନ

 

କି ଉପାୟେ ହେବ            ଦେଶ ମଙ୍ଗଳ,

ଜପୁଅଛ ବୀଜ-            ମନ୍ତ୍ର କେବଳ।

ଜାତିର ଗୌରବ            ଜାତିର ଧନ

ବୃଦ୍ଧିରେ ଦେଇଛ            ଧନ ଜୀବନ।

ମତ୍ତ-ପାନ କରି            କି ସୋମରସ,

ଅକାତରେ ଫିଙ୍ଗି            ଦେଲ ସର୍ବସ୍ୱ।

 

ଧନ୍ୟ! ଧନ୍ୟ! ତୁମ୍ଭ            ଜୀବନ ବ୍ରତ!

ଦେଖା ଥାଉ, ଶୁଣା ନାହିଁ ଏମନ୍ତ !

ତୁମ୍ଭ କାର୍ଯ୍ୟାବଳୀ            ତୁମ୍ଭ କଳ୍ପନା,

ପୃଥ୍ୱୀ ଇତିହାସେ            ନାହିଁ ତୁଳନା।

ଦେଖାଯାଏ ଦେଶ-            ହିତ କାରଣ

 

କେ କରେ ବକ୍ତୃତା,            କେ ଦିଏ ଧନ।

ମାତ୍ର ତୁମ୍ଭେ ସର୍ବ            ଧନ ଜୀବନ,

ଶକ୍ତି, ସାମରଥ,            କଳ୍ପନା ମନ,

ସବୁ ଢାଳି ଦେଇ            ନ ହୋଇ ତୁନି,

ଦିବା ନିଶି ବସି            ଭାଳୁଛ ପୁଣି।

 

ମୋ ଜାତିର ହେଉ            ସମ୍ମାନ ବୃଦ୍ଧି,

କେ ଲୋକର ହେବ            ଏପରି ବୁଦ୍ଧି।

ତୁମ୍ଭର ଚରିତ୍ର            ଓ ଇତିହାସ,

ପାଉ ନାହିଁ ଭାଷା            କରେଁ ପ୍ରକାଶ।

 

ଯେତେକାଳ ଥିବେ            ଉତ୍କଳୀ ଜାତି,

ଯାବତ ଚନ୍ଦ୍ରାର୍କେ            ରଟିବ ଖ୍ୟାତି।

ଉପମା ଦେବାକୁ            ତୁମ୍ଭ ସଙ୍ଗରେ

ଖୋଜିଲି ତ ସର୍ବ            ଇତିହାସରେ।

 

ଜଗତରେ ଲୋକ            ନ ଯାଏ ଦେଖା,

ତୁମ୍ଭର ଉପମା            ତୁମ୍ଭେହିଁ ଏକା।

କେତେ କୋଟିପତି,            କେତେ ଭୂପତି,

 

ଗଲେ-ଧନି ରଖି            ଯାଇ ଅଛନ୍ତି,

ତୁମ୍ଭେ ଚାଲିଗଲେ            ତୁମ୍ଭର ଧନ

ବାଣ୍ଟି ବୁଣ୍ଟି ନେବେ            କୋଟିଏ ଜନ।

ତୁମ୍ଭ ଧନବାଣ୍ଟେ            ରୀତି ଦେଖିଛି,

ପ୍ରତିଜଣ ଭାଗେ            ପଡ଼ିବ କିଛି।

 

ଯାଉଥିଲା ଗୋଟା            ଜାତିଟା ଭାସି,

ରକ୍ଷା କରିଅଛ            ସ୍ୱର୍ଗରୁ ଆସି।

ଉତ୍କଳୀ ଜାତିର            ଆଗୁଆ ହୋଇ,

ପଞ୍ଚାଶ ବରଷ            ଦେଲ ଆଗୋଇ।

 

ଆତ୍ମ-ସମର୍ପଣ

ରାଗ – ମଙ୍ଗଳ

ବିଶାଳ ବ୍ରହ୍ମାଣ୍ଡ ମଧ୍ୟେ ଭ୍ରମୁଛି ଏକାକୀ;

କେ ମୋହର ପାପ ପୁଣ୍ୟ କାର୍ଯ୍ୟାକାର୍ଯ୍ୟ ସାକ୍ଷୀ?

 

ନ ପାରିଲି ନ ପାରିବି ମୋତେ ମୁହିଁ ଜାଣି,

ନ ବୁଝିଲି ନ ବୁଝିବି କିଏ ପ୍ରାଣ ପ୍ରାଣୀ?

 

କାହୁଁ ଆସି କାହିଁ ଯିବି, ଥିବି କେତେ ଦିନ,

ବୁଝି ନ ପାରିଲି ମୋର ରୂପ, ବର୍ଣ୍ଣ, ଚିହ୍ନ।

 

ମିଥ୍ୟା ସର୍ବ, ବାଷ୍ପମୟ ଜଗତ ସଂସାର?

ପ୍ରତ୍ୟକ୍ଷ-କରିବି କିପ୍ରକାର ଅସ୍ୱୀକାର!

 

ସୁଖ, ଦୁଃଖ, ଦିବା ନିଶି, ଆଲୋକ, ଅନ୍ଧାର,

ପ୍ରତ୍ୟକ୍ଷରେ ଦେଖୁଛି ତ ସ୍ୱରୂପ ଏହାର।

 

ସୁଖ, ଦୁଃଖ, ଭେଦାଭେଦ ଯାଏ ସବୁ ଜଣା,

କିପରି କରିବି ବୋଲ ଆତ୍ମପ୍ରତାରଣା?

 

ଜାଣୁଛି ମୋହର ନାହିଁ କିଛିହିଁ ଆୟତ୍ତ,

ଯନ୍ତ୍ର ପୁତ୍ତଳିକା ପରି ଭ୍ରମୁଛି ନିୟତ।

 

ଏହା ମଧ୍ୟ ଦେଖୁଛି ତ ପ୍ରତ୍ୟକ୍ଷ ପ୍ରବଳ,

ଭୁଞ୍ଜୁଅଛି ଆତ୍ମକୃତ ଧର୍ମାଧର୍ମ ଫଳ।

 

କେହି ନୁହେ ରହିଛି ତ ଅନ୍ୟର ଆୟତ୍ତେ,

ସ୍ୱକୃତ କାର୍ଯ୍ୟର ଫଳ ଭୁଞ୍ଜୁଛ କେମନ୍ତେ?

 

ଛନ୍ତି ଜଣେ ଜାଣେ ଶୁଭାଶୁଭପ୍ରେରୟିତା,

ଅଟନ୍ତି ସେ ପୁଣି ଦଣ୍ଡପୁରସ୍କାରଦାତା।

 

ଦୟାମୟ ପ୍ରଭୁ ବିଶ୍ୱସଂସାରପାଳକ,

ହେବେ କି ସେ ପାପ ପୁଣି ଦୁର୍ବୁଦ୍ଧି ପ୍ରେରକ?

 

ଦଣ୍ଡ ଦେବାପାଇଁ ସେହି ଦେବେ କି ଦୁର୍ବୁଦ୍ଧି?

ଏଥିରେ ତାହାଙ୍କ କିବା ହେବ କ୍ଷତି ବୃଦ୍ଧି?

 

ଆପଣା ରାଜ୍ୟରେ ନିଜକୃତ କ୍ଷୁଦ୍ର ପ୍ରାଣୀ,

ଯନ୍ତ୍ରଣା ତାହାକୁ ଦେବେ ବିଶେଷରେ ଜାଣି?

 

ତେବେ କି ନୁହନ୍ତି ମହାପ୍ରଭୁ ଦୟାମୟ?

ଅଥବା ଘଟଇ ସୃଷ୍ଟି ଶୃଙ୍ଖଳା ବ୍ୟତୀୟ?

 

ଦୟାଧାର ଜ୍ଞାନାଧାର ସର୍ବଶକ୍ତିମାନ,

କରିବ ସଂଶୟ ତାକୁ କେ ଅଛି ଅଜ୍ଞାନ?

 

ବୁଝି ପାରୁ ନାହିଁ କାର୍ଯ୍ୟ କାରଣର ରୀତି,

ଭାଳି ଭାଳି ମନେ ଜାତ ହୁଏ ମହାଭୀତି।

 

 

ଭବିଷ୍ୟତ ମୋ ପକ୍ଷରେ ଘୋର ଅନ୍ଧକାର,

ନ ବୁଝିଲି ଏ ଜଗତ ଚଳେ କିପ୍ରକାର।

 

ବ୍ରହ୍ମାଣ୍ଡରେ କାହିଁ ମୁହିଁ ଅଣୁ ପରମାଣୁ,

ତଥାପି ମୁଁ ଭ୍ରାନ୍ତ ଏହି କଥା ଜାଣୁ ଜାଣୁ।

 

ଅନନ୍ତ ବ୍ରହ୍ମାଣ୍ଡ ଚଳୁଅଛି ନିୟମରେ,

ହେବାକୁ କି ପାରେ ବ୍ୟତିକ୍ରମେ ମୋ ପକ୍ଷରେ?

 

ଜାଣିବାକୁ ଲୋଡ଼ୁଅଛି ଅନନ୍ତ ନିୟମ,

ନିଶ୍ଚୟ ନିଶ୍ଚୟ ମୋର ବୁଦ୍ଧି ବ୍ୟତିକ୍ରମ!

 

ଆପଣାକୁ ଜାଣିବାର ଶକ୍ତି ମଧ୍ୟ ନାହିଁ,

ଧାଇଁ ଅଛି ବିଶ୍ୱ, ବିଧି ଜାଣିବାର ପାଇଁ!

 

ଅନନ୍ତ ଭାବନା ମନେ ହେଉଛି ଉଦୟ,

ସ୍ଥିର ନୋହି କାହିଁ ପ୍ରାପ୍ତ ହେଉଛି ବିଲୟ।

 

ସାଗର ମଧ୍ୟରେ ଉଠେ ଅନନ୍ତ ଲହରୀ,

ସିନ୍ଧୁବକ୍ଷ ସେ ସର୍ବ ତ ନ ପାରଇ ଧରି!

 

କାହୁଁ ଉଠି କାହିଁ ହୋଇ ଯାଉଅଛି ଅନ୍ତ,

ଗତାୟାତ କାର୍ଯ୍ୟ ବିଧି ଲାଗିଛି ସନ୍ତତ।

 

ବିଶାଳ ସାଗରେ ଯାହା ଘଟିବାକୁ ପାରେ,

ଅତି କ୍ଷୁଦ୍ର ପ୍ରାଣେ ତାହା ଘଟେ କି ପ୍ରକାରେ?

ଦେଖୁଛି ନିତାନ୍ତ କ୍ଷୁଦ୍ର ମୋର ପ୍ରାଣ ମନ,

ଅନନ୍ତ ଆକାଶ ମାର୍ଗେ କରେ ବିତରଣ।

 

ସହସ୍ର ଯୋଜନ ଭ୍ରମେ ନିମେଷ ମଧ୍ୟରେ,

ସ୍ଥିର ନୋହି ଇତସ୍ତତଃ ଗତି ନିରନ୍ତରେ।

 

କିପ୍ରକାର କେଉଁଠାରୁ ଏହି ମହାଶକ୍ତି

ପାଇଛି? ଚରମେ ଲାଭ କରିବ କି ଗତି?

 

ଅନନ୍ତ ସାଗରୁ ଉଡ଼ି ଆସି ବାଷ୍ପକଣା,

ଯିବ ତହିଁ ପୁଣି ଏହା କରେ କି କଳ୍ପନା?

 

ବାଷ୍ପକଣା ହେଲେ ମଧ୍ୟ ସାଗର ବିକାର,

ମୋ କ୍ଷୁଦ୍ର ଜୀବନ କି ହେ ଅଟେ ସେ ପ୍ରକାର?

 

ହେବ ମୋ ଜୀବନ ସେହି ମହାଶକ୍ତିକଣା,

ଆଭାସ ମାତ୍ରକ ଚିହ୍ନ ଗତି ଯାଏ ଜଣା।

 

କେତେ ଦ୍ରବ୍ୟ ସମ୍ଭାଳିଛି ଆପଣାର ବୋଲି,

କାହା ସଙ୍ଗେ କି ସମ୍ବନ୍ଧ ଯାଇଛି ତ ଭୁଲି।

 

ନିତାନ୍ତ ମୋହର ବୋଲି ଧରିଛି କାମୋଡ଼ି,

ନ ଜାଣିଲି ଶରୀରଟା ଯିବ ଦିନେ ପୋଡ଼ି।

 

କାହିଁ ବା ରହିବ ଧନ, ଯିବି କାହିଁ ଚାଲି,

ଭ୍ରମେ ମଧ୍ୟ ଦିନେମାତ୍ର ନ ଦେଖିଲି ଭାଳି।

 

ଜଗତର କାର୍ଯ୍ୟ ଦେଖି ପାରୁଅଛି ଜାଣି,

ଅନନ୍ତ ବ୍ରହ୍ମାଣ୍ଡେ ମୁହିଁ ଏକ ତୁଚ୍ଛ ପ୍ରାଣୀ।

 

ଦ୍ୱେଷ, ହିଂସା, କ୍ରୋଧ, ସ୍ୱାର୍ଥପରତା, କଳହ,

ନୀଚ ତୁଚ୍ଛ ଭାବ ହୃଦେ ବହି ଅହରହ,

 

ଅଳୀକ, ଅନନ୍ତ ଆଶା, ଅନନ୍ତ ଲାଳସା,

କରିଛି କ୍ଷଣିକ କାର୍ଯ୍ୟେ ଜୀବନ ବ୍ୟବସା।

 

ପକ୍ଷାନ୍ତରେ ଭାଳି ପୁଣି ହୁଏଁ ବିମୋହିତ,

କେତେ ମହାଭାବ ହୃଦେ ରହିଛି ନିହିତ।

 

ଦୟା, ମାୟା, ଭକ୍ତି, ସ୍ନେହ ପୂର୍ଣ୍ଣ ହୃଦୟରେ,

ବିଭୂଷିତ ରହିଅଛି ସ୍ୱର୍ଗୀୟ ଭାବରେ।

 

କ୍ଷୁଦ୍ର ପ୍ରାଣେ ମହାଭାବ କରେ ଅନୁଭବ,

ବିଶ୍ୱ ବ୍ରହ୍ମାଣ୍ଡର ଗତି କାର୍ଯ୍ୟାବଳୀ ସର୍ବ।

 

ନରକର କୀଟ ମୁହିଁ ସ୍ୱର୍ଗର ଦେବତା,

ଭାଳି ଭାଳି ମନେ କିଛି ନ ହେଲା ସ୍ଥିରତା।

 

ପ୍ରତି ମୁହୂର୍ତ୍ତରେ ପ୍ରାଣ ଚଳେ ମୃତ୍ୟୁ ପାଶେ,

ସେ କଥା ପାସୋରି ମୁଁ ତ ରହିଛି ଉଲ୍ଲାସେ।

 

ଭାଳେ ପୁଣି ଯେ କାଳରେ ଜୀବନର ଗତି,

ଅନ୍ଧକାର ଦେଖି ହୁଏ ବିଚଳିତ ମତି।

 

ନିଗୂଢ଼ ରହସ୍ୟ ଜାଣିବାର ଶକ୍ତି ନାହିଁ,

ଜାଣି ଶୁଣି ବୃଥା ଆଉ ଭାଳିବି କିପାଇଁ?

 

ଆତ୍ମ ସମର୍ପଣ କଲେ ପ୍ରଭୁଙ୍କ ହସ୍ତରେ,

ଦେଖୁଛି ତ ମନ ପ୍ରାଣ ଥାଏ ନିଶ୍ଚିନ୍ତରେ।

 

ଯାହା ଇଚ୍ଛା କର ମହାପ୍ରଭୁ ଭଗବାନ,

ତବ ପଦେ ସମର୍ପଣ କଲି ମନ ପ୍ରାଣ।

 

ତୁଚ୍ଛ କଣ?

ଭାଗବତ ବୃତ୍ତ

କି ଦ୍ରବ୍ୟ ତୁଚ୍ଛ ଜଗତରେ,      ବୁଝି ତ ନ ପାରେଁ ମନରେ।

ନିତାନ୍ତ କ୍ଷୁଦ୍ର ପରିମାଣୁ,      ସୌର ଜଗତେ ଶ୍ରେଷ୍ଠ ଭାନୁ।

 

କେହି ତ ନୁହନ୍ତି ସାମାନ୍ୟ,      ସମସ୍ତେ ସ୍ୱତନ୍ତ୍ର ପ୍ରଧାନ।

କେ ହେବ କା ସଙ୍ଗେ ତୁଳନା,      କରି ତ ନ ପାରେଁ କଳ୍ପନା।

 

ସମସ୍ତ ବିବିଧ ଆକାର,       ମାତ୍ରକ ଅଣୁର ବିକାର।

ଏହି ଯେ ଦେଖ ତୁଚ୍ଛ ଧୂଳି,      ପଦରେ ହୋଇଅଛି ବୋଳି।

 

ତୁମ୍ଭର ଏ ସୁନ୍ଦର ଗାତ୍ର,      ଅଟେ ସମଷ୍ଟି ଧୂଳି ମାତ୍ର।

ଜଗତ ମଧ୍ୟେ ଦେଖ ଚାହିଁ,      ସାମାନ୍ୟ ତୁଚ୍ଛ କିଛି ନାହିଁ।

 

କହାନ ସୃଷ୍ଟିର କାରଣ,      କରନ୍ତି ଉଦ୍ଦେଶ୍ୟ ସାଧନ।

ତୁମ୍ଭେ ଯାହାକୁ ମଣ ତୁଚ୍ଛ,      କାର୍ଯ୍ୟବିଶେଷେ ସେହି ଉଚ୍ଚ।

 

ଗୋଟିଏ ତେଜିଲେ ନ ମାନି,      ହେବ ସୃଷ୍ଟିର ଅଙ୍ଗହାନି।

ବୃଥାରେ ସୃଷ୍ଟ କିଛି ନାହିଁ,      ଉଦ୍ଦେଶ୍ୟ ସାଧନର ପାଇଁ

ପ୍ରତ୍ୟେକ ବସ୍ତୁଛନ୍ତି ଜାଣ,      ପାଳନ୍ତି ସୃଷ୍ଟିର ବିଧାନ।

 

ସ୍ନେହମୟୀ ମାତା

ରାଗ - ମୁଖାରୀ ତାଳ ଆଦି

ସ୍ନେହମୟୀ ମାତା ମୋର କରୁଣାରୂପିଣୀ!

କି ମଧୁର ତବ ନାମ ଆରାମଦାୟିନୀ!

ଥାଏ ଯେବେ ପରବାସେ, ରୋଗେ କଷ୍ଟେ ହା ହୁତାଶେ

ପାଏଁ ମୁଁ ସାନ୍ତ୍ୱନା, ଡାକି ତୋ ନାମ ଜନନୀ!

ଦେଇ ତୋ ଦେହ ରୁଧିର ବଢ଼ାଇଛ ମୋ ଶରୀର,

ତୁଳନା ନ ପାଏ ଖୋଜି ସମସ୍ତ ମେଦିନୀ।

 

ଅନିଦ୍ରାରେ ଅନାହାରେ ଥାଅ ଗୋ ମୋ ସେବାରେ,

ଥାଅ ବସି ମୋ ପାଶରେ ଦିବସ ରଜନୀ।

 

ମୋ ପାଇଁ ଦେବ ଜୀବନ, କେ ଅଛି ମାଗୋ ଏସନ

ମୋର ଆୟୁ ବିତ୍ତ ଯଶ କଲ୍ୟାଣ-କାମିନୀ।

 

ଯୋଗୀ ନାଥ

ରାଗ - ମଙ୍ଗଳ

ଷାଠିଏ ବରଷ ବୁଢ଼ା ଜାତି ଯୋଗୀ ନାଥ,

ଭିକ ମାଗି ପୋଷେ ପେଟ ଦରିଦ୍ର ନିତାନ୍ତ।

 

ଦୁଇଗୋଟି ପୁଅ ଝିଅ ଭାର୍ଯ୍ୟା ସହିତରେ

କେହିରୂପେ ଚଳେ ଘର ନିତାନ୍ତ କଷ୍ଟରେ।

 

ନାନା ଛାନ୍ଦେ ଗାଏ ଗୀତ ହରି ହରି ବୋଲି,

ଦିନଯାକ ମାଗେ ଭିକ ଗ୍ରାମେ ଗ୍ରାମେ ବୁଲି।

 

ଦୁଃଖ ଭିକ୍ଷା ଖାନ୍ତି ସୁଖେ ମିଳ ଚାରିଜଣ,

ଘରେ ବସି କରେ ନାଥ ହରି ସଂକୀର୍ତ୍ତନ।

 

ଦିନକରେ ଯୋଗୀ ନାଥ ବିଚାରିଲା ମନେ,

ପଡ଼ିଥିବି କେତେକାଳ ମାୟାର ବନ୍ଧନେ।

 

ପୁତ୍ର କନ୍ୟା ଭାର୍ଯ୍ୟା କେହି ସଙ୍ଗେ ଯିବେ ନାହିଁ,

ପଡ଼ିଥିବେ ସର୍ବେ ମୁହିଁ ଚାଲି ଯିବି କାହିଁ।

 

ଘର ଛାଡ଼ି କରିବି ମୁଁ ତୀର୍ଥ ପର୍ଯ୍ୟଟନ,

କରିବି ଆତ୍ମାର ମୁକ୍ତିମାର୍ଗ ଅନ୍ୱେଷଣ।

 

ଏହିରୂପେ ନାଥେ କେତେ କଥା ଭାଳି ମନେ,

ପରିବାର ତେଜି ଗଲେ ତୀର୍ଥ ପର୍ଯ୍ୟଟନେ।

 

ମାତ୍ର ନାଥ ଭ୍ରମିଲେହେଁ ବିବିଧ ତୀର୍ଥରେ,

ଅନୁକ୍ଷଣେ ଘରକଥା ପଡ଼ଇ ମନରେ।

 

ଦିନେ ତାକୁ ନ ମିଳିଲା ମାର୍ଗରେ ଆହାର,

କଷ୍ଟ ପାଇ ଉପୁଜିଲା ଚେତନା ତାହାର।

 

ପଡ଼ିଛନ୍ତି ମୋହ ପୁତ୍ର କନ୍ୟା ଭାର୍ଯ୍ୟା ଘରେ,

ଏହିପରି କଷ୍ଟେ ସିନା ଥିବେ ଉପାସରେ?

ପୁଣି ସେ ଦେଖିଲା ଯାଇ ଏକ ତୀର୍ଥ ସ୍ଥାନେ,

ଦେବତାକୁ ଭୋଗ ଦେଉଛନ୍ତି ଭକ୍ତମାନେ।

 

ବିଚାରିଲା ନାଥ ଦେବତାକୁ ଦେଇ ଭୋଗ

ପରକାଳେ ଲୋକମାନେ ଲଭନ୍ତି କି ସ୍ୱର୍ଗ?

 

ଦେବତା ତ ଭୋଗଗୁଡ଼ି ଖାଇଯାନ୍ତି ନାହିଁ,

ଦେଉଛନ୍ତି ସିନା ମନ ବୁଝିବାର ପାଇଁ?

 

ଦେବତାକୁ ଦେଇ ଲୋକେ କାଳ୍ପନିକ ଭୋଗ,

ପ୍ରତ୍ୟାଶା କରନ୍ତି ଲାଭ କରିବାକୁ ସ୍ୱର୍ଗ।

 

ତିନି ଗୋଟି ମହାପ୍ରାଣୀ ପଡ଼ିଛନ୍ତି ଘରେ,

ଅନାହାରେ ଦିନ କାଟୁଥିବେ ବିକଳରେ।

 

ପ୍ରଭୁଦତ୍ତ ଆତ୍ମା ତିନି ଗୋଟି ଉପବାସେ

ପଡ଼ିଛନ୍ତି, ଧର୍ମପାଇଁ ଭ୍ରମୁଛି ପ୍ରବାସେ।

 

ପ୍ରଭୁ କରିଥିଲେ ମୋହ ହସ୍ତେ ସମର୍ପଣ,

ଅବଶ୍ୟ କରନ୍ତି ତାଙ୍କ ଆଦେଶ ପାଳନ।

 

ତାଙ୍କୁ ରଖି ଉପବାସେ ଦେବତାଙ୍କୁ ଭୋଗ

ଦେଲେ ମୁଁ କି କେତେବେଳେ ଲଭିପାରେଁ ସ୍ୱର୍ଗ।

 

ଛିଣ୍ଡାଇ ଆସିଛି ମୁଁ କି ମାୟାର ବନ୍ଧନ?

ମାୟାବଦ୍ଧ ହୋଇ ମୁଁ ତ କରୁଛି ଭ୍ରମଣ।

 

ବିଧାତା ଯାହାଙ୍କୁ ସମ୍ପିଛନ୍ତି ମୋ ହସ୍ତରେ,

ତାଙ୍କୁ ଦେଇ କଷ୍ଟ ମୁଁ ତ ଭ୍ରମୁଛି ସ୍ୱାର୍ଥରେ।

 

ସେହି ତିନି ପ୍ରାଣୀ କରୁଛନ୍ତି ହାହାକାର,

ଲୋଡ଼ୁଛି ମୁଁ ଲଭିବାକୁ ଆପଣା ଉଦ୍ଧାର।

 

 

ତୀର୍ଥ ଭ୍ରମି ଦେବ ସେବି ମୁକ୍ତି ଲଭି ପାରେ,

ଏ ତ ମାୟା ବିନା ଆଉ କି ବା ହୋଇପାରେ।

 

ଆଶ୍ରିତ ପ୍ରାଣୀକୁ କଷ୍ଟ ଦେଇ ମୁହିଁ ମୁକ୍ତି

ଲଭିବି, ଏହା କି କେଭେ ହୋଇପାରେ ଯୁକ୍ତି?

 

ପରିବାର ବନ୍ଧନକୁ ଯେବେ ବୋଲ ମାୟା,

ତେବେ ତ ସଂସାରେ ଢାଙ୍କିଅଛି ମାୟା ଛାୟା।

 

ସତ୍ୟମୟ ବିଧାତାଙ୍କ ଜଗତ ସଂସାର,

ମାୟାରୂପେ ଦେଖ ତାକୁ ଚିତ୍ତର ବିକାର।

 

ଜଗତର କାର୍ଯ୍ୟ ଦେଖି ସ୍ଥିର କଲି ଯୁକ୍ତି,

କର୍ତ୍ତବ୍ୟ ପାଳିଲେ ଲୋକ ଲଭିପାରେ ମୁକ୍ତି।

 

ଏତେ କଥା ଭାଳି ନାଥ ଆପଣା ମନରେ,

ବାହୁଡ଼ି ମିଳିଲା ପରିବାର ସହିତରେ।

 

ସେ ଜାଣେ ଯେରୂପ ହେଲା ଭେଟ ପରସ୍ପରେ,

ବିଚ୍ଛେଦ ଉତ୍ତାରେ ଯାହା ଘଟେ ମିଳନରେ।

 

ଭିକ୍ଷାଲବ୍ଧ ଅନ୍ନ ସେହି ଦୁଃଖୀ ପରିବାର

ଆନନ୍ଦମନରେ ବାଣ୍ଟି କରନ୍ତି ଆହାର।

 

ଦୁଃଖେ ସୁଖେ ଦିନ କାଟୁଥାନ୍ତି ଚାରିଜଣ,

ଭକ୍ତିଭରେ କରୁଥାନ୍ତି ହରି ସଂକୀର୍ତ୍ତନ।

 

କାଳ

ଅଖଣ୍ଡ ଦଣ୍ଡାୟମାନ କାଳ ଚିତ୍ରପଟେ,

ଚିତ୍ରିତ ରହିଛି ବିଶ୍ୱ ବ୍ରହ୍ମାଣ୍ଡ ସମସ୍ତ।

 

ଭବିଷ୍ୟତ, ବର୍ତ୍ତମାନ, ଭୂତ, ଭେଦ ଯାହା

ମାନବ ନେତ୍ରରେ; ମାତ୍ର କାଳ ସମରୂପୀ।

 

ଅନନ୍ତ ନକ୍ଷତ୍ର, ଗ୍ରହ, ଫେନବିନ୍ଦୁରାଜି

ଭାସୁଛନ୍ତି ସେ ପଟରେ; ମିଶିଯିବେ କାହିଁ।

ଏହି ଚିତ୍ରପଟର ସୀମା କଳ୍ପନା ଅତୀତ।

 

ଏ ସୌର ଜଗତ, ସୃଷ୍ଟି, ସ୍ଥିତି, ବିନାଶନ,

କୋଟି କୋଟି ଯୁଗବ୍ୟାପୀ ନର ଗଣନାରେ।

 

ମାତ୍ର ଉଦୟାସ୍ତ ଯଥା ବାରିଦପଟଳ

ଅନନ୍ତ ଆକାଶ ମାର୍ଗେ କ୍ଷଣିକ ସମାନେ।

 

ସେହିପରି ଗତାୟାତ ଅଲଙ୍ଘ୍ୟ ନିୟମେ,

ଅନନ୍ତ, ଅନନ୍ତ, ସୌର ଜଗତ ମଣ୍ଡଳ।

 

ଜୀବନ ଜ୍ୟୋତିରେ; (ଜ୍ୟୋତିରିଙ୍ଗଣ ଗଗନ

ଦେଖେ ଯଥା) ଅନୁଭବେ କାଳ କ୍ଷୁଦ୍ରତମ

 

ଅଂଶ, କ୍ଷୁଦ୍ର ପ୍ରାଣେ, କରେ ତାକୁ ପୁଣି ଚିତ୍ର

ନାନାବର୍ଣ୍ଣେ ପ୍ରାତଃ, ସନ୍ଧ୍ୟା, ମଧ୍ୟାହ୍ନ, ରଜନୀ,

ବାର, ପକ୍ଷ, ମାସ, ବର୍ଷ ବିବିଧ ରୂପରେ।

 

ଯେ କାଳରେ ମହା ଘୋର ପ୍ରଳୟ ପ୍ଳାବନ

ହେବ ଉପସ୍ଥିତ; ଥିବ ଅଜେୟ, ଅଟଳ,

ଅତୁଳ, ଏକାକୀ, ତୁମ୍ଭେ ବ୍ରହ୍ମାଣ୍ଡ ମଧ୍ୟରେ।

 

ସୃଷ୍ଟି, ସ୍ଥିତି, ଲୟ ହେବ ତୁମ୍ଭର କବଳେ।

ଥିବ ତୁମ୍ଭେ, ଥିବ ମାତ୍ର ଗଗନମଣ୍ଡଳ।

 

ନ ଥିବ ତପନ, ଶଶୀ, ଜଗତର ଜ୍ୟୋତି।

ମହାବଳୀ ଅବିନାଶୀ, ପେଶୁଛି ନଶ୍ୱରେ।

 

ଯୁଗ ଯୁଗାନ୍ତର, ଲୋକ କରନ୍ତି ଗଣନା,

କେତେ କୋଟି ଯୁଗ ଯୁଗାନ୍ତର କଣାରୂପେ

 

ଭାସେ ତବ ଦେହେ, ସିନ୍ଧୁଜଳେ ଫେନ ସମ।

ଆହେ ଦେବ! କେତେ ରୂପ ରୂପାନ୍ତର ଦେଖେଁ

ତୁମ୍ଭକୁ ନେତ୍ରରେ, ପଡ଼ି ଘଟନା ସ୍ରୋତରେ।

 

ସରଳ, କୋମଳମତି ଶୈଶବ କାଳରେ,

ବିଷୟ ବାସନା କିବା ପାପ ପ୍ରଲୋଭନ,

ନ ଥିଲା କଳୁଷ ମନେ, ଆନନ୍ଦ ସ୍ୱରୂପେ

 

ବ୍ୟାପ୍ତ ଥିଲା ମୋ ନେତ୍ରରେ- ସହାସ୍ୟ ବଦନେ

ଦେଖିଛି ତୁମ୍ଭଙ୍କୁ। ଶୂନ୍ୟ ଭାବନାର ଭାବ।

 

ଚଞ୍ଚଳ ଯୌବନ ଯେବେ ଉନମତ୍ତ ବେଶେ

ଉଦୟ ମାନସେ ମମ, ଦୁରାଶାର ପ୍ରଭା

 

ବିସ୍ତାରିଲା; ଭ୍ରମି ଭ୍ରମି ଲଭିଲି ନୈରାଶ୍ୟ,

ଦେଖିଲି ତୁମ୍ଭଙ୍କୁ ତେବେ ମାୟା ବିଶ୍ୱରୂପେ,

ଭ୍ରମିଛି କୁମାର୍ଗେ ସୁଖଲାଭ ବାସନାରେ,

କଳୁଷ କାଳିମା ଶେଷେ କରିଛି ଅର୍ଜନ।

 

ସ୍ମରଣ ପଟରେ ଅଛି କଳଙ୍କ ଚିତ୍ରିତ।

ଅଶକ୍ତ ବାର୍ଦ୍ଧକ୍ୟ ଦେହ ଏବେ ଉପସ୍ଥିତ,

 

ଅତୀତ ଚିତ୍ତରୁ ଚପଳତା ସୁଖ ସ୍ପୃହା,

ଉତ୍ସାହ, ସାହସ, ସର୍ବ, ବିଳାସ, ବାସନା।

 

କ୍ରମେ ଦୀର୍ଘ ଦୀର୍ଘତର ଦୀର୍ଘତମ ପରି

ବିଳାପ ସନ୍ତାପ ଚିନ୍ତା କରିଛି ସମ୍ବଳ ।

 

ତୁମ୍ଭେ ନୁହ କଷ୍ଟଦାତା ସୁଖର କାରଣ,

ତୁଳନା ଦେବାକୁ ନାହିଁ ତୁମ୍ଭ ସହିତରେ,

ଆତ୍ମରୂପୀ, ଭାଷା, ବାକ୍ୟ, କଳ୍ପନା ଅତୀତ।

 

ତୁମ୍ଭେ ନିତ୍ୟ, ସତ୍ୟ, ବ୍ୟାପୀ, ଅନନ୍ତ, ଅପାର,

ଅସ୍ୱୀକାର କେ କରିବ ଏକଥା କେସନେ?

 

ସର୍ବକାଳବ୍ୟାପୀ ପରଂବ୍ରହ୍ମ ବିରାଜିତ,

ଆଧାର ଆଧେୟ ରୂପେ ନିତ୍ୟ ବର୍ତ୍ତମାନ।

 

ଆହେ ମହାକାଳ ଦେବ! ତୁମ୍ଭଙ୍କୁ ହସ୍ତରେ

ପାଇ ହରାଇଛି, ପ୍ରଭୋ ଅଜ୍ଞାନପଣରେ,

ତୁମ୍ଭେ ମୋ ଜୀବନ, ଧନ, ମାନ, ସୁଖ, ଯଶ,

ସର୍ବସ୍ୱ କରିଛି ତ୍ୟାଗ ତୁମ୍ଭଙ୍କୁ ହରାଇ।

 

ସର୍ବ ଧନ ବିନିମୟେ ଅଥବା ଜୀବନେ

ନ ପାଇବି ନିମିଷେକ, ଯାଇଛି ଯା ବହି,

ଥିଲା ଯେବେ ମୋ ହସ୍ତରେ କରିଥାନ୍ତି କେଭେ

ସାଧୁକାର୍ଯ୍ୟ ପୁଣ୍ୟକାର୍ଯ୍ୟ ଜଗତ କାରଣେ।

 

ପଶ୍ଚାତେ ଅନନ୍ତ ତୁମ୍ଭେ, ସମ୍ମୁଖେ ଅନନ୍ତ

ସ୍ୱରୂପରେ ପ୍ରତିଭାତ ହେଉଛ ମୋ ନେତ୍ରେ।

 

ତୁମ୍ଭ କଣା ମାତ୍ର ଥିଲା ମୋର ଲୀଳାଭୂମି,

ମିଶିଯିବି ଦିନେ କାହିଁ ତୁମ୍ଭରି ଦେହରେ।

 

 

 

ତୁକାରାମ

ମହାରାଷ୍ଟ୍ର ଦେଶର ସୁପ୍ରସିଦ୍ଧ କବି ଏବଂ ସାଧୁ ତୁକାରାମଙ୍କୁ ଦର୍ଶନ କରିବା ସକାଶେ ଛତ୍ରପତି ଶିବାଜି ନିମନ୍ତ୍ରଣ କରିବାରୁ ଭକ୍ତ ପ୍ରଧାନ ତୁକାରାମ ଗୋଟିଏ ଅଭଙ୍ଗ ଅର୍ଥାତ୍ କବିତାଦ୍ୱାରା ଯେଉଁ ଉତ୍ତର ଦେଇଥିଲେ, ସେଥିର ସାର ମର୍ମ ଏହି-

 

ଶୁଣିବାକୁ ଆଜ୍ଞା ହେଉ ଆହେ ଛତ୍ରପତି!

ତୁମ୍ଭ ମତି ଭକ୍ତି ଥାଉ ବିଠୋବାଙ୍କ ପ୍ରତି। (୧)

ଲେଖିଅଛି ମୋତେ ତୁମ୍ଭ ପାଶେ ଯିବାପାଇଁ,

ମାତ୍ରକ ଯିବାର କିଛି ହେତୁ ଦେଖୁ ନାହିଁ।

(୧) ତୁକାରାମଙ୍କର ଉପାସକ ଏବଂ ମହାରାଷ୍ଟ୍ର ଦେଶର ସର୍ବଜନପୂଜନୀୟ ବିଠୋବା ଦେବଙ୍କ ମନ୍ଦିର ପଥିରପୂରରେ ବିଦ୍ୟମାନ।

 

କାନନନିବାସୀ ମୁହିଁ ଉଦାସୀନ ବେଶେ

ବାସନାବିହୀନ ଚିତ୍ତେ ଭ୍ରମେ ଦେଶେ ଦେଶେ।

 

କଦାକାର ଧୂଳିମୟ ବସନବିହୀନ,

ଫଳମୂଳାହାରୀ ତନୁ ଅଟେ ଜୀର୍ଣ୍ଣ ଶୀର୍ଣ୍ଣ।

 

ଆହାର ବିହାର ମୋର ଯେପ୍ରକାର ରୀତି,

ଦେଖି ମୋତେ କେଭେ ଜାତ ହେବ ନାହିଁ ପ୍ରୀତି।

 

ବନ୍ଧୁଭାବେ ଏହି କଥା କରେଁ ନିବେଦନ,

ମୋତେ ଦେଖିବାର କଥା ଭୁଲନ୍ତୁ ରାଜନ!

 

ଆଉ ଏକ କଥା ଜାଣ, ବିଠୋବାସେବକେ

ଉପାସନା ନ କରନ୍ତି ଯାଇ ଆନ ଲୋକେ।

 

ରକ୍ଷକ ପୋଷକ ମୋର ପ୍ରଭୁ ଭଗବାନ,

ଏକମାତ୍ର ତାଙ୍କୁ ସଦା କରିଥାଏଁ ଧ୍ୟାନ।

 

ଜଗତରେ ନାହିଁ ମୋର କିଛି ଅଭିଳାଷ,

କାହିଁ ପାଇଁ ଯିବି ବୋଲ ଆଉ ତୁମ୍ଭ ପାଶ?

 

ତେଜିଛି ବିଷୟ ତୃଷ୍ଣା ଜଗତର କାର୍ଯ୍ୟ,

ବିଠୋବାଙ୍କ ଆଜ୍ଞା ମାତ୍ର ମୋର ଶିରୋଧାର୍ଯ୍ୟ।

ପାଷାଣଶଯ୍ୟାରେ କରିଥାଏଁ ମୁଁ ଶୟନ,

ଗଗନମଣ୍ଡଳ ମୋର ଅଙ୍ଗ ଆବରଣ।

ଆହାର ସକାଶେ ଅଛି ଅରଣ୍ୟରେ ଫଳ,

ପାନପାଇଁ ନଦୀ ତଡ଼ାଗରେ ପୂର୍ଣ୍ଣ ଜଳ।

 

ମାଗିବି ଅନ୍ୟର ଅନୁଗ୍ରହ କି ସକାଶେ?

ଆୟୁ ମାତ୍ର ହୁଏ କ୍ଷୟ ବାସନାଭିଳାଷେ।

 

ଯେଉଁ ମାନଙ୍କର ଥାଏ ଅର୍ଥ ଅଭିଳାଷ,

ସେହୁ ଲୋକମାନେ ସିନା ଯାନ୍ତି ରାଜା ପାଶ।

 

ସେଥିରେ କି ହୁଏ ତାଙ୍କ ବାସନା ସଫଳ?

ହୀନତା ଲାଞ୍ଛନା ଲାଭ ହୁଏଟି କେବଳ।

 

ମର୍ଯ୍ୟାଦା ଲଭନ୍ତି ରାଜା ପାଶେ ଧନବାନ,

ଅର୍ଥହୀନ ଲୋକ ତହିଁ ପାଏ ଅପମାନ।

 

ଆପଣଙ୍କ ଦରଶନେ ନାହିଁ ଫଳୋଦୟ,

କିପାଇଁ କରିବି ବୋଲ ବୃଥା କାଳକ୍ଷୟ?

 

ଗତାୟାତ ପଥଶ୍ରମ ହେବ ମାତ୍ର ସାର,

ଏଥିରେ ମୋହର ନାହିଁ କିଛି ଉପକାର।

 

ପ୍ରଭୁଙ୍କ କାର୍ଯ୍ୟରେ ଦେଇଛି ତ ପ୍ରାଣ ମନ,

ଭ୍ରମ ହେଉ ପଛେ ତାହା କରିବି ପାଳନ।

 

ମହାପ୍ରଭୁ ତୁମ୍ଭ ହାତେ ଦେଇଛନ୍ତି ରାଜ୍ୟ,

ପ୍ରଜାଙ୍କୁ ପାଳିବା ଅଟେ ତୁମ୍ଭ ନିତ୍ୟକାର୍ଯ୍ୟ।

 

କରିବ କର୍ତ୍ତବ୍ୟ କାର୍ଯ୍ୟ ରଖି ଧର୍ମେ ମତି,

ନିରନ୍ତରେ ପାଞ୍ଚୁଥିବ ପ୍ରଜାଙ୍କ ଉନ୍ନତି।

 

ଆଶା

ରାଗ-ମଙ୍ଗଳ l

ଅମର ବିହଗୀ ସେ କି? ବିଚିତ୍ର ବରଣ,

କେଉଁ ମହାଗଗନରେ କରେ ବିଚରଣ?

 

ଆକର୍ଷଣ କରେ ମନ ଆଶ୍ୱାସେ, ବିଶ୍ୱାସେ,

ତାହା ପଛେ ଗଗନରେ ଭ୍ରମିବା ସକାଶେ।

 

କି ଆଲୋକ ସୁଖମୟ ଦେଶେ ଯିବାପାଇଁ

ଦିବା ନିଶି ପ୍ରାଣ ତାହା ପଛେ ଥାଏ ଧାଇଁ।

 

ଉଦାର ଆହ୍ୱାନେ ସବୁ ଭୁଲି ଯାଏ ପ୍ରାଣ,

ଲଙ୍ଘିଯାଏ କେତେ ବାଧାବିଘ୍ନ ବ୍ୟବଧାନ।

 

ସ୍ୱର୍ଣ୍ଣରଥେ ଘେନିଯାଏ ଅନ୍ଧକାର ଦେଶେ,

ସଂକୀର୍ଣ୍ଣତା ଭୁଲି ମନ ଧାଏଁ ମହାବେଶେ।

 

ନ ବୁଝେ ସେ ରୂପାନ୍ତରା-ମରୁ ମରୀଚିକା,

ଭ୍ରମ ଚକ୍ରେ ଭୁଲିଯାଏ ରୂପ ବିଭୀଷିକା।

 

ମାତ୍ରକ ନ ଥିଲେ ଆଶା-ରଜ୍ଜୁର ବନ୍ଧନ,

ଭାସୁଥାନ୍ତା ତମୋମୟ ଗଗନେ ଜୀବନ।

 

କକ୍ଷଭ୍ରଷ୍ଟ ତାରକା

ରାଗ – ଚକ୍ରକେଳି l

ଲେଖିବାକୁ ହୃଦେ ଉପୁଜେ ଭୀତି,

ଶୁକ୍ଳା ଭାଦ୍ରପଦ ଦଶମୀ ତିଥି,

 

ଢାଙ୍କିଛି ଚନ୍ଦ୍ରମା ଜଳଦ ଛାୟା,

ବିଷାଦ ଯେସନେ ସୁନ୍ଦର କାୟା।

 

ଗଗନ ପ୍ରାଙ୍ଗଣେ ଦୀପ ସଦୃଶ

ଥିଲା ତାରାଟିଏ ହେଲା ଅଦୃଶ୍ୟ।

 

ଆତଙ୍କେ ଆଶାରେ ରହିଛି ଚାହିଁ,

କକ୍ଷଭ୍ରଷ୍ଟ ହୋଇ ଗଲା ସେ କାହିଁ।

 

ଅନନ୍ତ ବ୍ରହ୍ମାଣ୍ଡ ବିଶାଳ ବକ୍ଷେ

ଡୁବି ଲୁଚିଗଲା କାହିଁ ଅଲକ୍ଷେ।

 

ମାନବ ହୃଦୟେ ଆଶା ସମାନ,

ଚାହୁଁ ଚାହୁଁ ହେଲା ସେ ଅନ୍ତର୍ଦ୍ଧାନ।

 

ସୁଖ ଶାନ୍ତି ଆଶା ଭରସା ସର୍ବ

ଏପରି ହରାଇଥାନ୍ତି ମାନବ।

 

ଲୋକଚିହ୍ନା

ରାଗ-ଚକ୍ରକେଳି l

ସାଗର ଗର୍ଭକୁ କେ ପାରେ କଳି,

ମାନବର ମନ ତହିଁରୁ ବଳି।

 

ବାକ୍ୟରେ ଆକାରେ ଯା ଯାଏ ଜଣା,

ନ କର ସେଥିରେ ଧ୍ରୁବ ଧାରଣା।

 

ନାସା ନେତ୍ର କର୍ଣ୍ଣ ବଦନାକୃତି,

କେବଳ ଅଟେ ତା ମାଂସ ବିକୃତି।

 

ମାନବର ମନ ସ୍ୱତନ୍ତ୍ର ବସ୍ତୁ,

ତାହାକୁ କଳିବା କଠିନ କିନ୍ତୁ।

 

ନ କର ବିଶ୍ୱାସ ଚିହ୍ନିଛ ଲୋକ,

ପାଇଛ ତ ଭେଟ ଏହି ମାତ୍ରକ।

 

ମଣିଛ ଯାହାକୁ ଦେବ-ଉପମ,

ଦେଖି ପାର ତାକୁ ରାକ୍ଷସାଧମ।

 

ମାନବ ତ ନୁହେ ନିଜ ଆୟତ୍ତ,

ଚାଳିତ ପ୍ରକୃତିବଶେ ସନ୍ତତ।

ବିଶେଷ ବିଶେଷ ଘଟନା ସ୍ଥଳ,

ଲୋକ ଚିହ୍ନିବାର ହେତୁ କେବଳ

ଲୋକ କଳିବାକୁ ଯେବେ ବାସନା,

 

ଦେଖିବ ତା ଜୀବନର ଘଟନା।

ଘର୍ଷଣ, ସୋହାଗା, ଜଳନ୍ତାନଳ

ସୁନା ପିତ୍ତଳର ପରୀକ୍ଷା ସ୍ଥଳ।

 

ବିଶେଷ ବିଶେଷ କାର୍ଯ୍ୟ ବେଭାରେ

ଭିତର ମାନବ ପଡ଼େ ବାହାରେ।

 

ଆପଣା ବୁଦ୍ଧିରେ ଚିହ୍ନିଛ ଜନେ,

ସହସା ଧାରଣା ନ ରଖ ମନେ।

 

ଘଟନା ଚକ୍ରରେ ମାନବ ମନ

ବିବିଧ ସ୍ୱରୂପ କରେ ଧାରଣ।

 

ଜାଣିବ ଅଛି ଯା ଧର୍ମର ବଳ,

ସବୁ ଅବସ୍ଥାରେ ସେହି ଅଟଳ।

 

ଲୋକ ଚିହ୍ନିବାକୁ ଯେବେ ବାସନା,

ଧର୍ମଭାବେ କଥା ପଡ଼ିବ ଜଣା।

 

ଜୀବ ବ୍ରହ୍ମ

ରାଗ - ମଙ୍ଗଳ

ଜୀବ ବ୍ରହ୍ମ ବିରାଜିତ ଶରୀର ମଧ୍ୟରେ,

ବିହଗ ଯୁଗଳ ଯଥା ନିବାସ ବୃକ୍ଷରେ।

 

ଜୀବନ ବିହଗ ନିତ୍ୟ ଭୁଞ୍ଜେ ନାନାଫଳ,

ବ୍ରହ୍ମ ପକ୍ଷୀଥାନ୍ତି ସାକ୍ଷିସ୍ୱରୂପ କେବଳ।

 

ଅକାଟ୍ୟ ସମ୍ବନ୍ଧ କିନ୍ତୁ ଉଭୟ ମଧ୍ୟରେ,

ତିଷ୍ଠି ନ ପାରଇ ଜୀବ ବ୍ରହ୍ମ ଅଭାବରେ।

 

ଏକ ଦାତା ଅନ୍ୟ ଭୋକ୍ତା ସମ୍ବନ୍ଧ ଏପରି,

ତଥାପି ସେ ଜୀବ ଥାଏ ବ୍ରହ୍ମଙ୍କୁ ବିସ୍ମରି।

 

ମାତ୍ର ଜୀବ ବ୍ରହ୍ମ ବିନା ବ୍ୟାକୁଳହୃଦୟ,

ଯେଣୁ ସେହି ଏକମାତ୍ର ପରମ ଆଶ୍ରୟ।

 

ଜାଗ୍ରତ କାଳରେ ଅବା ଶୟନେ ସ୍ୱପନେ,

ଜୀବ ପ୍ରତି ବ୍ରହ୍ମ ଦୃଷ୍ଟି ଥାଏ ଅନୁକ୍ଷଣେ।

 

ଜଗତ ଜଞ୍ଜାଳେ ହେଲେ ଜୀବନ ବିକଳ,

ବ୍ରହ୍ମ ଆଶ୍ରୟରେ ଶାନ୍ତି ଲଭଇ କେବଳ।

 

ଜୀବ ପକ୍ଷୀ ସୁଖ ଲୋଡ଼ି ଭ୍ରମେ ନିରନ୍ତରେ,

ମାତ୍ର ଶାନ୍ତି ଲଭେ ନାହିଁ ଜଗତସୁଖରେ।

 

ନିର୍ମଳ ହୃଦୟେ ଯେବେ ପାଏ ମିତ୍ର ସଙ୍ଗ,

ଲଭଇ ପରମ ଶାନ୍ତି ଜୀବନ ବିହଙ୍ଗ।

 

ପୁନର୍ମିଳନ

ସେ କି ଅନ୍ଧକାରମୟ ଦେଶେ କରେ ବାସ?

ଅବା ଯହିଁ କୋଟି ସୂର୍ଯ୍ୟ କିରଣ ପ୍ରକାଶ?

 

ଅଥବା ପାର୍ଥିବ ଏହି ଅନ୍ଧାର, ଆଲୋକ,

ସେ ଅଜ୍ଞାତ ଦେଶେ ନାହିଁ କିଛିହିଁ ସମ୍ପର୍କ!

 

ନିଶ୍ଚୟ ସେ ଦେଶେ ଥିବ ଭିନ୍ନ ରୀତି ନୀତି,

ସ୍ୱତନ୍ତ୍ର ପ୍ରକାର ତହିଁ ଉଲ୍ଲାସ ବା ଭୀତି

 

ପଞ୍ଚଭୂତାତୀତ ଆତ୍ମା ବାସ ଯେଉଁ ଦେଶେ,

ତସ୍ୟ ଅନରୂପ ବସ୍ତୁ ଥିବ ତ ବିଶେଷେ।

 

ସମ୍ପର୍କ ଶରୀର ଆତ୍ମା ଅଧେୟ ଆଧାର,

ଶରୀର ବିନାଶେ ସେ କି ଛନ୍ତି ନିରାକାର?

 

ଦେହ ବିନା ବର୍ତ୍ତମାନ ଛନ୍ତି ସେ ଯେମନ୍ତ,

ସେହିରୂପ ଦିନେ ମୁଁ ତ ହେବି ପରିଣତ!

 

ଛାଡ଼ି ରହିଛନ୍ତି ସେହି ଅଜ୍ଞାତ ବାସରେ,

ଆତ୍ମା ସିନା ତାକୁ ଲୋଡ଼ୁଅଛି ନିରନ୍ତରେ!

 

ଯେ ରୂପରେ ଯେ ସ୍ଥାନରେ ଥାନ୍ତି ସେ ଯେସନେ,

ଭେଟାଭେଟି ହେବ ଆତ୍ମା ଆତ୍ମା ଆକର୍ଷଣେ।

 

ଜୀବନେ ବିଡ଼ମ୍ବନା l

ବାରମ୍ବାର ସେହି ଏକ କଥା କହି କହି

ଯୁଗ ଯୁଗାନ୍ତର କେତେ କାଳ ଗଲା ବହି।

 

ଅବସାଦ, ବିଷଣ୍ଣତା, ଦୁଃଖ ଆଣେ ମନେ,

ତଥାପି ସେ କଥା ବାରମ୍ବାର ପଡ଼େ ମନେ।

 

ଜଳେ ସ୍ଥଳେ, ଶୂନ୍ୟମାର୍ଗେ, ଜାଗ୍ରତେ, ସ୍ୱପନେ,

ସେହି ଏକମାତ୍ର ଚିତ୍ର ଭାସୁଛି ନୟନେ।

 

ମନ ପ୍ରାଣେ ପରିପୂର୍ଣ୍ଣ, ପୁଷ୍ପେ ଗନ୍ଧ ଯଥା,

ହେବାକୁ କି ପାରେ ସେହି ପାସୋରିବା କଥା!

 

ପଟରେ ଆଲେଖ୍ୟ ଚିତ୍ର ଯାଏ ଦେଲେ ପୋଛି,

ଶଶଙ୍କ ଲାଞ୍ଛିତ ଚିହ୍ନ ପାରିବ କି ଲୁଚି?

 

ଯେଉଁ ଦୁଃଖ ଭାବନାରେ ହୁଏ ସୁଖୋଦୟ,

ବରଞ୍ଚ ସେ ଶାନ୍ତିମୟ ଚିନ୍ତାର ବିଷୟ।

 

ଯେ ଦିନ ମନରୁ ଦୂର ହେବ ସେ ଭାବନା,

ଜାଣିବି ଘଟିଲା ଜୀବନରେ ବିଡ଼ମ୍ବନା।

 

ବିହଗ ଯୁଗଳ

ଏକ ତରୁବରେ ବାସ ଯୁଗଳ ବିହଙ୍ଗ,

ଏକକୁ ଆରେକ ସାହା ସଖା ଅନ୍ତରଙ୍ଗ।

 

ଏକ ପକ୍ଷୀ ବୃକ୍ଷେ ଥାଇ ଫଳ ଭୋଗ କରେ,

ଦ୍ୱିତୀୟ ବିହଙ୍ଗ ଥାନ୍ତି ସାକ୍ଷୀସ୍ୱରୂପରେ।

 

କରନ୍ତି ଛଅଟା ବ୍ୟାଧ ବୃକ୍ଷ ମଧ୍ୟେ ବାସ,

କରିବାକୁ ଫଳଭୋଜୀ ପକ୍ଷୀକୁ ବିନାଶ।

 

ଜୀବାତ୍ମା ପରମ ଆତ୍ମା ମାନବ ଦେହରେ

କରନ୍ତି ନିୟତ ବାସ ପ୍ରଣୟଭାବରେ।

 

ଭୁଞ୍ଜଇ ଜୀବାତ୍ମା ସର୍ବ ଶୁଭାଶୁଭ ଫଳ,

ପରମାତ୍ମା ଥାନ୍ତି ସାକ୍ଷୀସ୍ୱରୂପ କେବଳ।

 

କାମ, କ୍ରୋଧ, ଲୋଭ ଆଦି ରିପୁ ଛଅ ଜଣ,

ଜଗିଥାନ୍ତି ଜୀବାତ୍ମାର ବିନାଶ କାରଣ।

 

ଥିଲେକ ଜୀବାତ୍ମା ପରମାତ୍ମାଙ୍କ ଶରଣେ,

ନାଶ କରି ନ ପାରନ୍ତି ତାକୁ ରିପୁଗଣେ।

 

ମାନବର ମନ

ଉଚ୍ଚଠାରୁ ଉଚ୍ଚତମ କିବା? ନୀଳନଭ,

ଗଭୀରୁ ଗଭୀରତମ? ମହାସିନ୍ଧୁ ଗର୍ଭ।

 

ଅତି ଦ୍ରୁତତମ ଗତି କାହାର? ପବନ,

ପାରେ କେ ସମସ୍ତ ଜିଣି? ମାନବର ମନ।

 

ଜଗତ ମଙ୍ଗଳମୟ

ମଙ୍ଗଳନିଧାନ ହରି ମଙ୍ଗଳ ବିଧାନେ

ସଜନ, ପାଳନ, ଲୟ କରନ୍ତି ସମାନେ।

 

ଅନନ୍ତ କୌଶଳେ ବିଶ୍ୱ ବ୍ରହ୍ମାଣ୍ଡ ସଚଳ,

ଅନନ୍ତ ମହିମା ସତ୍ତା ପ୍ରକାଶେ କେବଳ।

 

ନିଖିଳ ମଙ୍ଗଳମୟ ବିଶ୍ୱ ଚରାଚର,

ସୁପ୍ରତିଷ୍ଠ ସର୍ବ ଦ୍ରବ୍ୟ ମଙ୍ଗଳ ଆକର।

 

କିପାଁ ହାହାକାର ରବ? ଅଶାନ୍ତି? ଯନ୍ତ୍ରଣା?

ବିପରୀତ ସମାବେଶ ଯାଏ ନାହିଁ ଜଣା।

 

ଏହି ମାତ୍ର ତତ୍ତ୍ୱବୋଧ ଅଭାବେ ତିମିର,

ଅସମ୍ଭବ ପ୍ରକାଶିବା ମହିମା ମିହିର।

 

କରୁଁ ଯାହା ଦୁଃଖ ବୋଧ-ସୁଖର ନିଦାନ,

ଆଶୁ କଷ୍ଟକର ମାତ୍ର କଲ୍ୟାଣନିଧାନ।

 

ଅଶେଷ କଲ୍ୟାଣ ହେତୁ ଭୂତ ବୈଶ୍ୱାନର,

ଆପାତ ଦାହିକା ଶକ୍ତି ମହା କଷ୍ଟକର।

 

କାଞ୍ଚନ ଅନଳ ଦଗ୍ଧ-କମନୀୟ କାନ୍ତି-

ପ୍ରକାଶର ହେତୁଭୂତ, କଷ୍ଟ ମନେ ଭ୍ରାନ୍ତି।

 

ପଚ୍ୟମାନ ବୀଜ ଶୀତାତପ ମୃତ୍ତିକାରେ,

ପରିଣତ ଫଳବନ୍ତ ପାଦପ ଆକାରେ।

 

ବିପଦ ଯନ୍ତ୍ରଣା ସହି ସହି ନିତ୍ୟପ୍ରାଣ,

ଉପଯୁକ୍ତ ଲଭିବାକୁ ସମୁନ୍ନତ ସ୍ଥାନ।

 

ମୃତ୍ୟୁ ବଳି କଷ୍ଟକର ନାହିଁ ଜୀବଲୋକେ,

କିପାଁ ନାମମାତ୍ର ଶୁଣି ମୁହ୍ୟମାନ ଲୋକେ?

 

 

ଉନ୍ନତ ନୂତନ ଭାବ ଦିଏ ଯେବା ଆଣି,

ସେ ପବିତ୍ର ନାମେ କିପାଁ ମୁହ୍ୟମାନ ପ୍ରାଣୀ?

 

ସଞ୍ଚାର ଅଭାବେ ବିଶ୍ୱେ ସଂହାରିଣୀ ଶକ୍ତି-

ଅସମ୍ଭବ ନବ ପ୍ରାଣୀ ଜଗତେ ଉତ୍ପତ୍ତି।

 

ଉତ୍‌ପାଦିନୀ, ସଂରକ୍ଷିଣୀ, ପୁଣି ସଂହାରିଣୀ,

ବିଶ୍ୱକାର୍ଯ୍ୟ ମୂଳୀଭୂତା ଏହି ଶକ୍ତି ତିନି।

 

ଆତ୍ମକୃତ କର୍ମଫଳ ଅଲଙ୍ଘ୍ୟ ବିଧାନେ

ଭୁଞ୍ଜିବେ ଅବଶ୍ୟ ଜଗତର ପ୍ରାଣିମାନେ।

 

ଅନନ୍ତ ବିଧାନେ ଚକ୍ରେ ମାନବ ଜୀବନ

ଘୂର୍ଣ୍ଣିତ, ସନ୍ତତ ଘଟେ ଉତ୍ଥାନ ପତନ।

 

ବିଧି ପ୍ରେରଣାରେ ଯାହା ଘଟିବ ମହୀରେ,

ଗ୍ରହଣ ଉଚିତ ଭକ୍ତି ଅବନତ ଶିରେ।

 

ପ୍ରତ୍ୟେକ ଘଟଣା ମୂଳେ ମାନବ ଜୀବନ,

ବିଧାତା ମଙ୍ଗଳମୟ ବିଧାନ ପ୍ରଚ୍ଛନ୍ନ।

 

ଆତ୍ମା ଅବିନାଶୀ

ବ୍ରହ୍ମାଣ୍ଡ ବିରାଟ ଗ୍ରନ୍ଥ କରି ଅଧ୍ୟୟନ

ଏତିକି ମାତ୍ରକ ଶିକ୍ଷା ଲଭିଛି ଜୀବନ।

 

ନିକ୍ଷିପ୍ତ ଗଗନ ମାର୍ଗେ ଅସଂଖ୍ୟ ଗୋଲକ,

ପ୍ରତ୍ୟେକ ସହିତ ଅଛି ମୋହର ସମ୍ପର୍କ।

 

ଜଡ଼ୀୟ ଶରୀର ତେଜି ଯିବ ଯଦା ପ୍ରାଣ,

ମହାନନ୍ତେ ମହାମାର୍ଗେ କରିବ ପ୍ରୟାଣ।

 

ଭ୍ରାମ୍ୟମାଣ ଏ ଜଗତ ଦେଖୁଛି ପ୍ରତ୍ୟକ୍ଷ,

ଅବଶ୍ୟ ମୋ ଜୀବନର ଅଛି ଏକ କକ୍ଷ।

 

ଅଣୁ ପରମାଣୁ ଥିବେ ଜଗତେ ପ୍ରକାଶି,

ଜଡ଼ାତୀତ ସୁମହାନ ଆତ୍ମା ଅବିନାଶୀ।

 

ରୂପାନ୍ତର ଅବିନାଶୀ ବିଶ୍ୱରେ କେବଳ,

ଆତ୍ମାର ଅବସ୍ଥାନ୍ତର ସ୍ୱକାର୍ଯ୍ୟ ସମ୍ବଳ।

 

ଥିବ ମୋର ଅବସ୍ଥାନ ବିଶ୍ୱ ସମକାଳେ,

ଗତି ମଧ୍ୟ ହେବ ବିଶ୍ୱ ସମଅନ୍ତରାଳେ।

 

ଯେଉଁକାଳେ ପରିତେଜି ଯିବି ଇହଲୋକ,

ଓଁକାର ମାତ୍ରକ ହେବେ ମାର୍ଗ ପ୍ରଦର୍ଶକ!

 

ସ୍ନେହ ନିମନ୍ତ୍ରଣ

ମରଣ! ମରଣ! ବଡ଼ ଭୟଙ୍କର କଥା,

କାଟିଦେବ ଜଗତର ସମ୍ପର୍କ ମମତା।

 

ଆଜନ୍ମ ସଞ୍ଚିତ କଷ୍ଟ ଉପାର୍ଜିତ ଧନ,

ହେବ ସର୍ବ ବ୍ୟର୍ଥ କଲେ ମୁଦ୍ରିତ ନୟନ।

 

ପୁତ୍ରେ ମିତ୍ରେ ଜଗଚ୍ଚିତ୍ରେ ନ ଦେଖିବି ଆଉ,

ଏ ସୁନ୍ଦର ଦେହ ଛାଡ଼ି ଯିବ ପ୍ରାଣବାୟୁ।

 

ଯତ୍ନରେ ପାଳିତ ଦେହ ସୁନ୍ଦର ଆକାର,

ନିମିଷକେ ସେ କି ହୋଇଯିବ ଭସ୍ମସାର?

 

ବୃଥାରେ ମାନବ ବୋଲ ଅଶୁଭ ମରଣ,

ଦୟାମୟୀ ଜନନୀଙ୍କ ସ୍ନେହ ନିମନ୍ତ୍ରଣ।

 

ଜରାବ୍ୟାଧି ଶୀତାତପ ପୀଡ଼ିତ ଶରୀର,

ବିପଦବେଷ୍ଟିତ କ୍ଷଣଭଙ୍ଗୁର ଅଚିର।

 

ଯାଉ ଏ ପାର୍ଥିବ ଦେହ, ଜ୍ୟୋତିର୍ମୟ କାନ୍ତି

ଲଭି ଯିବ ନିତ୍ୟଧାମେ, ନାହିଁ ଏଥି ଭ୍ରାନ୍ତି।

 

ଜଗତରେ ଥୋକେ ଦିନ ଥିଲ ପାନ୍ଥବେଶେ,

ଯିବ ଚାଲି ନିତ୍ୟଧାମେ ଜନନୀ ଆଦେଶେ।

 

କ୍ରୀଡ଼ାରତ କ୍ଷୁଦ୍ର, ଶିଶୁ ଦେହେ ଧୂଳି ବୋଳେ,

ଦିବା ଅବସାନେ ଚଳିଯାଏ ମାତା କୋଳେ।

 

ଧୂଳିର ସମଷ୍ଟି ମାତ୍ର ଜଗତ ସମ୍ପତ୍ତି,

ଯିବ ଚାଲି ଝାଡ଼ି ଧୂଳି ଧରି ଦିବ୍ୟ ଜ୍ୟୋତି।

 

ନ ହୁଅ ବ୍ୟାକୁଳ ଦାରା ପୁତ୍ର ପ୍ରିୟ ଜନେ,

ସମସ୍ତେ ଏକତ୍ର ହେବେ ସ୍ନେହ ନିମନ୍ତ୍ରଣେ।

 

କି ଭୟ ମରଣେ ତେବେ, ଯିବି ମାତା ପାଶେ,

ପ୍ରସ୍ତୁତ ରହିବି ସ୍ନେହ ନିମନ୍ତ୍ରଣ ଆଶେ।

 

ଜୀବନର ପରିଣାମ

ପଶ୍ଚାତେ ଅନନ୍ତାତୀତ, ଭବିଷ୍ୟତ ସୀମାତୀତ,

କ୍ଷଣସ୍ଥାୟୀ ବର୍ତ୍ତମାନ, ପରିମାଣ ଅନିଶ୍ଚିତ।

 

ଛିନ୍ନ ହେବ ସନ୍ଧିଗ୍ରନ୍ଥି, ଅନନ୍ତେ ଅନନ୍ତ ଯୋଗ,

ଭାସି ଭାସି ମହାନନ୍ତେ କର୍ମଫଳ ମାତ୍ର ଭୋଗ।

 

ଉତ୍କଳ କୃଷକ

ଦେଖିଛ କି ଭାଇ! କେଭେ ଉତ୍କଳ କୃଷକ?

କଙ୍ଗାଳ କଙ୍କାଳସାର ଦେଖ ଏହି ଲୋକ!

 

ମଳିନ ବସନ ଖଣ୍ଡେ ଆଣ୍ଠୁ ଲୁଚୁ ନାହିଁ,

ଧନ କାହିଁ ଲୁଗା ଖଣ୍ଡେ କିଣେ ପିଲାପାଇଁ?

 

ଧୂଳିରେ ଧୂଷର ପିଲାଗୁଡ଼ିକ ଉଲଙ୍ଗ,

କି କଥା ବୋଲିବି ଅବା ଘରଣୀ ପ୍ରସଙ୍ଗ!

 

 

ଅଣ୍ଟାରେ ଦେଇଛି ପିନ୍ଧା ଲୁଗା ଖଣ୍ଡ ଆଣ୍ଟି,

କାଦୁଅ ପାଣିରେ ଦିନଯାକ ହୁଏ ଘାଣ୍ଟି ।

 

ଆଣ୍ଠୋଇ ପଡ଼ିଛି କାଦୁଅରେ ବିଲ ବାଛି,

ପିଠିରୁ ରକତ ଶୋଷି ଖାନ୍ତି ମଶା ମାଛି।

 

ଜ୍ୟେଷ୍ଠମାସ ମୁଣ୍ଡଫଟା ଖରା ତାହାପାଇଁ,

ମାଡ଼ି ବସିଥାଏ ଈଷ ତଳକୁ ଅନାଇ।

 

ବଳଦ ହଳକ ସାହା, ଜ୍ଞାତି, ବନ୍ଧୁ, ଆଶା,

ସବୁବେଳେ ସେମାନଙ୍କ ସଙ୍ଗେ କଥା ଭାଷା।

 

ବାରମ୍ବାର ଆକାଶକୁ ଚାହୁଁଥାଏ ଚଷା,

କେବଳ ତାହାର ଇନ୍ଦ୍ରଦେବତା ଭରସା।

 

ଦେବତା କୃପାରେ ଯେବେ କାଟେ ଚାରିଛେଲା,

କି ହେବ ସେଥିରେ ପରପାଇଁ ଘର ମେଲା।

 

ଖଳାମୁଣ୍ଡେ ଆସି ଜଗି ବସିଥାଏ ସାହୁ,

ଘେନିଯାଏ ଅଧେ, ମୂଳ କଳନ୍ତର ଆଉ।

 

ପାଞ୍ଚପଣୁ ଅଧିକରେ ଯାଏ ରାଜକରେ,

ବଳକା ମୁଠାକ ମାତ୍ର ପଶେ ଆସି ଘରେ।

 

ଲୁଗାପଟା ତେଲ ଲୁଣ ଗଲା ଦୁଇପଣି,

ଫଗୁଣ ପାହାନ୍ତି ପଡ଼ିଗଲା ଟଣାଟଣି।

 

ଆହା ରେ! କି ପାପ କରିଥିଲୁ ଜଣା ନାହିଁ,

ଚଷାକୁଳେ ଜନ୍ମ ଦେଲା ବିଧାତା କିପାଇଁ?

 

ଆନନ୍ଦ ଉତ୍ସବ ତୋତେ କିଛି ନାହିଁ ଜଣା,

ସମାଜର ନିମ୍ନଶ୍ରେଣୀ ମଧ୍ୟେ ତୋ ଗଣନା।

 

ଜଗତକୁ ଦେଉ ଅନ୍ନ ଆପେ ଉପବାସୀ,

ସୁଖ ଦୁଖ ବେଳେ କେହି ନ ପଚାରେ ଆସି।

 

 

ରାଜା ବୋଲ ମନ୍ତ୍ରୀ ବୋଲ ଅମଲା କରଣ,

ଯାହା କୃପାବଳେ ସମସ୍ତଙ୍କ ବଡ଼ପଣ!

 

ହାକିମ, ଓକୀଲ, ମହାଜନ, ଗ୍ରନ୍ଥକାର,

ସମସ୍ତଙ୍କୁ ଦିଏ ଏହି କୃଷକ ଆହାର!

 

ଯାହା କୃପାବଳେ କର ଜୀବନ ଧାରଣ,

ଯାହା କୃପା ବଳେ ସମସ୍ତଙ୍କ ବଡ଼ପଣ,

 

ଏକମାତ୍ର ପ୍ରାଣରକ୍ଷାକାରୀ ଯେ ଲୋକର,

ଧିକ! ଧିକ! କର ତାକୁ ଏଡ଼େ ହତାଦାର!

 

ସମସ୍ତଙ୍କୁ ବାଣ୍ଟେ ଅନ୍ନ, ସମସ୍ତଙ୍କୁ ଭୟ!

ଆହା ରେ ସମାଜ! କେଡ଼େ କଠିନ ନିର୍ଦୟ!

 

ଆଜିକାଲି ବାବୁମାନେ ଲାଗି ପଡ଼ିଛନ୍ତି,

ଦଶ ଦିନେ କରିଦେବେ ଦେଶର ଉନ୍ନତି!

 

କେହି ଭାଳେ ଶିଳ୍ପକଥା, କେହି ବା ସ୍ୱଦେଶୀ,

ମାତୃଭାଷା ଉନ୍ନତିଟା କେହି ଭାଳେ ବେଶି,

 

କୃଷକ ଆଡ଼କୁ କେହି ନ ଅନାଏ ବାରେ,

ଭାତ କଣ ମିଳୁ ନାହିଁ? ଚିନ୍ତା ସେ କଥାରେ?

 

କୃଷକ ତ କରେ ନାହିଁ ବକ୍ତୃତା, ରଚନା?

କେ କରିବ ତାହା କଥା କିପାଇଁ ଭାବନା?

 

ବାହାରେ ମିଳନ ବେଶ ଅନ୍ତରେ ସରଳ,

ମୁଣ୍ଡଝାଳ ପୋଛା ଶସ୍ୟ ମୁଠାକ ସମ୍ବଳ।

 

ଦୁଃଖେ ରାମ! ସୁଖେ ରାମ! ଯାଉଥିଲା ଚଳି,

ଏଣିକି ଚଷାର ଦଶା ପଡ଼ିଲାଣି ବଳି।

 

ଜମି ପାଞ୍ଚମାଣ ଖାଉଥିଲା ଚଷି ମସି,

ପିଲାପିଲୀ ମୁହଁ ଦେଖୁଥିଲା ଘରେ ବସି।

 

 

ଖଜଣା ଗଣ୍ଡାକ ଜମିଦାରକୁ ବୁଝାଇ,

ଖାଉଥିଲା କିଏ ଜମି ନିଅନ୍ତା ଛଡ଼ାଇ?

 

ପାଞ୍ଚ ପୁରୁଷର ଜମି ଖଣ୍ଡ ଥିଲା ପୁଞ୍ଜି,

ତେତିକି ବଳରେ ପଡ଼ିଥିଲା ମୁଣ୍ଡ ଗୁଞ୍ଜି!

 

ସରକାର ବାହାଦୂର କଲେ ଦୟା ଭାରି,

ପ୍ରଜାସ୍ୱତ୍ୱ ଆଇନଟା କରିଦେଲେ ଜାରି।

 

କୃଷକର ବଢ଼ିଗଲା ଗୋଟାଏ ଜୀବିକା,

ରେଜେଷ୍ଟରୀ ଅଫିସରରେ ଜମି କିଣା ବିକା।

 

ସବୁଦିନେ ଟାଣ ଟୁଣ ଘରେ ନାହିଁ ଭାତ,

ଜମିଖଣ୍ଡ ବିକିବାକୁ ବଢ଼ାଇଲା ହାତ।

 

ଗଲା ଅଙ୍କ ପୁଅବାହା ବିକିଥିଲା ମାଣେ,

ବାପଶୁଦ୍ଧି ବେଳେ କେତେ ବିକିଲା କେ ଜାଣେ?

 

ବାକୀ ଖଣ୍ଡକରେ ହେଲା ଭାରି ଟାଣ ଟୁଣ,

ମାଘ ଫଗୁଣରେ ଘରେ ନାହିଁ ଲେମ୍ବୁ ଲୁଣ!

 

ଭାଗରେ ଲଗାଇଦେଲା ଜମା ଦେଢ଼ମାଣ,

ହଡ଼ା ହଳକର ହାଲ ଏଥୁଁ ସବୁ ଜାଣ!

 

ବାହାରିଲା ଘର ଛାଡ଼ି ଲାଗିବାକୁ ମୂଲ,

ଜୟ! ଜୟ! ପ୍ରଜାସ୍ୱତ୍ୱ ହରି ହରି ବୋଲ!

 

ଶ୍ରୀ ଦାମୋଦର ପଟ୍ଟନାୟକ

ସାହିତ୍ୟସଂସାରେ ତବ ବିକାଶେ ଗୌରବ,

କାଞ୍ଚନ ଆକରେ କାଚ ଜାତ ଅସମ୍ଭବ।

 

ଲଭିଲେ କବିତ୍ୱ କୀର୍ତ୍ତି ଉତ୍‌କଳ ରମଣୀ,

ବନ୍ଦନୀୟା ସୁଲୋଚନା ତୁମ୍ଭରି ଜନନୀ।

 

ଲୁପ୍ତପ୍ରାୟ ହେଉଥିଲା ଉତ୍‌କଳ ସଙ୍ଗୀତ,

ବାଛି ବାଛି ସାଧାରଣେ କଲ ପ୍ରକାଶିତ।

 

କବି କରେ କବିତ୍ୱର ଗୁଣ ଅନୁଭବ,

ଗୁଣୀ ବୁଝିପାରେ ଗୁଣ ମର୍ଯ୍ୟାଦା ଗୌରବ।

 

ଜନନୀର ଯୋଗ୍ୟପୁତ୍ର ଆହେ ଦାମୋଦର,

ପ୍ରାଣପଣେ କର ମାତୃଭାଷାର ଆଦର।

 

ତୁମ୍ଭର କବିତା ମାତ୍ର ପ୍ରକୃତି ବର୍ଣ୍ଣିତ,

ପାଠକାଳେ ହୁଏ କିବା ପ୍ରତ୍ୟକ୍ଷ ଚିତ୍ରିତ।

 

କାଳସ୍ରୋତେ ଦିନେ ତୁମ୍ଭେ ଯାଇପାର ଭାସି,

ଥିବ ସେ କବିତାମାଳା ଜଗତେ ବିକାଶି।

 

ତୁମ୍ଭଙ୍କୁ ଅନାଇଁ

ଦେଖିନାହିଁ ଶୁଣି ନାହିଁ ତୁମ୍ଭେ ଅଛ କାହିଁ,

ନିୟତ ମୋ ଚିତ୍ତ ତୁମ୍ଭ ପାଶେ ଅଛି ଧାଇଁ ।

 

ଭାଳେଁ ଯେବେ ଏକାନ୍ତରେ-ତୁମ୍ଭେ କି ପ୍ରକାର?

ଅନନ୍ତ ଅନ୍ଧାରେ ଦେଖେଁ ଅନନ୍ତ ଆକାର।

 

ଥାଉ ତ ଦେଖିବା କଥା, ନ ଶୁଣେ ଶ୍ରବଣେ,

କେବେ ତ ପାରିଲି ନାହିଁ ଧରି ବାକ୍ୟେ ମନେ।

 

କି ସମ୍ବନ୍ଧ ତୁମ୍ଭ ସଙ୍ଗେ ନ ପାରିଲି ଜାଣି,

ଜନକ, ଜନନୀ, ବନ୍ଧୁ, ଜଡ଼ କିମ୍ବା ପ୍ରାଣୀ?

 

ପଡ଼ି ଯନ୍ତ୍ରଣାରେ ଯେବେ ପ୍ରାଣେ ଆସେ କ୍ଳାନ୍ତି,

ତୁମ୍ଭଙ୍କୁ ସ୍ମରଣ କରି ଲଭେ ସୁଖ ଶାନ୍ତି।

 

ତୁମ୍ଭଙ୍କୁ ପାସୋରି ଯେବେ ଥାଏଁ ଦୂରେ ଦୂରେ,

ଅସ୍ଥିର ଜୀବନ ହୁଏ ଆକୁଳେ ଆତୁରେ।

 

ଯେ ହୁଅ, ଯେ ସ୍ଥାନେ ଥାଅ, କିଛି ଚିନ୍ତା ନାହିଁ,

କାଟିବି ଜୀବନକାଳ ତୁମ୍ଭଙ୍କୁ ଅନାଇ।

 

ମିଷ୍ଟ କଥା

ଯେତେ ସୁଖକର ଦ୍ରବ୍ୟ ଅଛି ଜଗତରେ,

କେହି ନୁହେ ଶ୍ରେଷ୍ଠ ମିଷ୍ଠ କଥା ସମାନରେ।

 

ମୋ ହୃଦୟ ନିରନ୍ତର ସୁଖ ଶାନ୍ତି ଶୂନ୍ୟ,

ଜ୍ଞାନଗାରିମା ବା ଅର୍ଥେ ହେବ ନାହିଁ ପୂର୍ଣ୍ଣ।

 

ଚନ୍ଦ୍ରମା-କିରଣ ଅବା କୁସୁମ-ସୌରଭ,

ଲୋକରେ ସୁଖ୍ୟାତି, ପଦମର୍ଯ୍ୟାଦା ଗୌରବ।

 

ଏଥିରେ ତ ସୁଖ ଶାନ୍ତି ନ ଲଭେ ଜୀବନ,

କେବଳ ମୁଁ ଲୋଡ଼େ ମିଷ୍ଟ ସରଳ ବଚନ।

 

ମିଷ୍ଟ କଥା ନୁହେଁ ପରା ପାର୍ଥିବ ପଦାର୍ଥ,

ଦେବତାର ଉପଭୋଗ୍ୟ ଅମିୟ ଯଥାର୍ଥ।

 

ଶୁଣୁଛି ଲୋକଙ୍କ ମୁଖୁଁ କେତେ ମିଷ୍ଟ କଥା,

ନୁହେ ତ ସରଳ-ପ୍ରବଞ୍ଚନା କପଟତା।

 

ସେଥିରେ ତ ହୁଏ ନାହିଁ ଜୀବନ ଶୀତଳ,

ପ୍ରାଣହନ୍ତାରକ ବ୍ୟାଧସଙ୍ଗୀତ କେବଳ।

 

ଥିଲା ଯେବେ ମୋର ପଦମର୍ଯ୍ୟାଦା ସମ୍ପତ୍ତି,

ଆସି ପାଶେ ଲୋକେ ମିଷ୍ଟ କଥା କହିଛନ୍ତି

 

ସେହି ମିଷ୍ଟ କଥା ଶୁଣି ଯାଉଥିଲି ଭୁଲି,

ନ ବୁଝିଲି ଏହା ସ୍ୱାର୍ଥସାଧନାର ବୋଲି!

 

ମୁଁ ତ ଏବେ ସେହି ମିଷ୍ଟ କଥାର କଙ୍ଗାଳୀ,

ଥାଉ ମିଷ୍ଟ-ଲୋକେ ବୃଥା ଦେଉଛନ୍ତି ଗାଳି।

 

ସନ୍ତପ୍ତ, ଉନ୍ମତ୍ତ, ଦଗ୍ଧ ହୃଦୟ ଉନ୍ମନା,

କପଟ କଥାରେ ଲଭି ପାରେ କି ସାନ୍ତ୍ୱନା?

 

ହତାଶ ଉଦାସ ଦୁଃଖ ଯନ୍ତ୍ରଣା କାଳରେ,

ମିଷ୍ଟ ବାକ୍ୟେ ତୁଷ୍ଟ କେହି ନ କଲା ତ ଥରେ।

 

ବନ୍ଧୁରୂପେ, ଜ୍ଞାନିରୂପେ ଆସି କେତେ ଜଣ,

ସଜାଇ ରଞ୍ଜାଇ କେତେ ବୋଲନ୍ତି ବଚନ!

 

ସେଥିରେ କି ମାନେ ମନ? ବରଞ୍ଚ ଯନ୍ତ୍ରଣା

ଢ଼େ, ମଣେ ଏ ତ କପଟତା ପ୍ରତାରଣା।

 

କୋକିଳ କାକଳୀ କିମ୍ବା ସୁକଣ୍ଠ ସଙ୍ଗୀତ

ଶୁଣି ତ ଶୀତଳ ହେଲା ନାହିଁ ଦଗ୍ଧଚିତ୍ତ?

 

ପ୍ରତ୍ୟୁତ ନିଦ୍ରିତ ହୃଦ ମଧ୍ୟେ ଦୁଃଖରାଶି

ଶୁଣି ସେ ସଙ୍ଗୀତ ତାନ ଉଠେ ଭାସି ଭାସି।

 

ଯିବି କାହା ପାଶେ ଶୁଣିବାକୁ ମିଷ୍ଟ କଥା?

ଜଗତ ଯେ ପୂର୍ଣ୍ଣ ସ୍ୱାର୍ଥପରତା ଶଠତା।!

 

ଯାହାପାଇଁ ଥିଲି ପ୍ରାଣ ଦବାକୁ ପ୍ରସ୍ତୁତ,

ତାହାଙ୍କ ବେଭାର ଦେଖେଁ ଆଶ୍ଚର୍ଯ୍ୟ ଅଦ୍ଭୁତ!

 

ହୃଦୟ ନିଭୃତ ସ୍ଥଳେ ଯାକୁ ଗଣ୍ଠିଧନ

ସଞ୍ଚି ରଖିଥିଲି କରି ଜୀବର ଜୀବନ;

 

ସର୍ବସ୍ୱ ଦେଇଛି ଢାଳି ଯାହା ମଙ୍ଗଳରେ,

ଡାକିଛି ପ୍ରଭୁଙ୍କୁ କେତେ ବସି ନିର୍ଜନରେ;

 

ମୁଖ ଅର୍ଦ୍ଧ ଗ୍ରାସ କାଢ଼ି ଦେଇଛି ଖୁଆଇ,

ଆପଣା ପିନ୍ଧିଲା ବାସ ଦେଇଛି ପିନ୍ଧାଇ;

 

ନିମେଷ ବିଚ୍ଛେଦ ହେଲେ ଲଭେଁ ମୁଁ ମରଣ,

ସ୍ୱର୍ଗ ଅନୁଭବେଁ ହେଲେ ପୁନଶ୍ଚ ମିଳନ;

 

ଯାହାପାଇଁ କରିଛି ମୁଁ ଅସାଧ୍ୟସାଧନା,

ଦିବା ନିଶି କରେଁ ଯାହା ଉନ୍ନତିକାମନା,

 

ଧିକ! ଧିକ! ସେହି ମୋତେ କହେ କଟୁ କଥା,

ମୋ ଜୀବନେ ନାହିଁ ତାର ମାୟା ବା ମମତା!

 

ବିଧାତା ଗଢ଼ିଲେ ରକ୍ତ ମାଂସରେ ହୃଦୟ,

ପାଷାଣରୁ ବଳି ଦେଖେଁ କଠିନ ନିଶ୍ଚୟ!

 

ଛନ୍ତି ଲୋକ କେତେ ପଶୁ ପିଶାଚ ସମାନ,

ସ୍ୱାର୍ଥରେ ଦିଅନ୍ତି ପରସୁଖ ବଳିଦାନ।

 

ତେବେ କି ଜଗତ ସ୍ୱାର୍ଥପରତାରେ ପୂର୍ଣ୍ଣ?

ନାହିଁ କି ସହାନୁଭୂତି? ଦେବଭାବଶୂନ୍ୟ?

 

ପିଶାଚରାକ୍ଷସଧର୍ମୀ ହେଲେ ସର୍ବ ନର,

ହୁଅନ୍ତା ଯେ ଜଗତଟା ନରକ ଆକାର !

 

ନାହିଁ ନାହିଁ, ଭ୍ରାନ୍ତମନ! ଈଶ୍ୱରରାଜ୍ୟରେ

ଅଛନ୍ତି ଦେବତା ନରନାରୀସ୍ୱରୂପରେ।

 

ନ ଥିଲେ ସ୍ୱର୍ଗୀୟ ଭାବ-ମାନବସମାଜ

ଲଣ୍ଡଭଣ୍ଡ ନଷ୍ଟ ହୋଇ ଯାଇଥାନ୍ତା ଆଜ

 

ଛିନ୍ନ ହୋଇଯାନ୍ତା ଲୋକସମାଜ ବନ୍ଧନୀ,

ଅଶାନ୍ତି ଦୁର୍ଦଶା ପୂର୍ଣ୍ଣ ହୁଅନ୍ତା ଅବନୀ।

 

ପ୍ରତ୍ୟକ୍ଷ ଦେବତାରୂପା ଅଟନ୍ତି ଜନନୀ,

କେବଳ ତାହାଙ୍କ ମିଷ୍ଟ ବାକ୍ୟ ସୁଧା ମଣି।

 

ତାଙ୍କ ମିଷ୍ଟବାକ୍ୟ ସଙ୍ଗେ ଦେବାକୁ ତୁଳନା

ଜଗତେ ପଦାର୍ଥ ନାହିଁ କରେଁ ବିବେଚନା।

 

କେ ଅଛି ଜଗତେ ଆଉ ଜନନୀ ସମାନେ

ନିସ୍ୱାର୍ଥେ ପ୍ରସ୍ତୁତ ପୁତ୍ରପାଇଁ ପ୍ରାଣଦାନେ?

 

ଆହୁରି ଅଛନ୍ତି ମଧ୍ୟ ଦେବୀ ଜଗତରେ,

କଦାଚିତ ବିରାଜିତା ଭାଗ୍ୟବନ୍ତ ଘରେ।

 

ନ ଥିଲେ ତପସ୍ୟା ଘୋର, ସେ ଦେବୀ ଦର୍ଶନ

ପାଇବାର ଅସମ୍ଭବ ମାନବ ଜୀବନ।

 

ବିପଦ ଯନ୍ତ୍ରଣା ବ୍ୟାଧି ସନ୍ତାପ କାଳରେ

ଚକିତେ ଆତଙ୍ଗେ ଉଭା ଥାଏ ଯେ ପାଶରେ,

 

ସେ ପରଶମଣି ଗୁଣ ଜାଣେ ଯେ ମାନବ,

ସ୍ୱର୍ଗୀୟ ପୀୟୂଷ କରିଅଛି ଅନୁଭବ।

 

Unknown

ସୋଽହଂ

ସର୍ବଭୂତ ବୀଜୀଭୂତ ବ୍ରହ୍ମ ସନାତନ,

ସେହି ପରବ୍ରହ୍ମ ଅଂଶ ମାନବ ଜୀବନ।

 

ସିନ୍ଧୁଜାତ ବିନ୍ଦୁମାତ୍ର ଥାଏ ପୃଥକରେ,

ସିନ୍ଧୁ ଧର୍ମାକ୍ରାନ୍ତ କିନ୍ତୁ ସମ୍ପୂର୍ଣ୍ଣରୂପରେ।

 

ତ୍ରିଦଶା ବିନ୍ଦୁର- ‘ଜଳ’ ‘ବାଷ୍ପ’ ‘ହିମ’ ଭିନ୍ନ,

ମିଳିଲେ ସିନ୍ଧୁରେ ଲୁପ୍ତ ଆତ୍ମଚିହ୍ନ।

 

‘ଜାଗ୍ରତ’ ‘ସୁଷୁପ୍ତି’ ‘ସ୍ୱପ୍ନ’ ତ୍ରିଦଶା ଜୀବନେ,

‘ବାଷ୍ପ’ ‘ଜଳ’ ‘ହିମ’ ଦଶା ସୈନ୍ଧବେ ଯେସନେ;

 

ଜାଗ୍ରତ ଜଳୀୟ ଭାବ, ସୁଷୁପ୍ତି ହିମାନୀ,

ବାଷ୍ପାକାର ସ୍ୱପ୍ନଦଶା, ହେଜ ମନେ ଜ୍ଞାନୀ।

 

ତୁରୀୟ ଚତୁର୍ଥ ଦଶା ମାନବ ଜୀବନେ,

ସାଗର-ମୁହାଣଗତ ସରିତ ଯେସନେ।

 

ପତିତ ସାଗର ଗର୍ଭେ, ମିଶିନାହିଁ ଜଳେ,

ନାହିଁ ମଧ୍ୟ ଆତ୍ମରୂପ ଥିଲା ଯଥା ସ୍ଥଳେ।

 

ଜୀବନ-ତ୍ରିଦଶାତୀତ ପ୍ରକୃତି ଅତୀତ,

ତୁରୀୟ ଚତୁର୍ଥ ଦଶା ନାମେ ଅଭିହିତ।

 

ମିଳିଲେ ସିନ୍ଧୁରେ ବିନ୍ଦୁ ସାଗର କେବଳଂ

ଜୀବ ଶେଷଦଶା ‘ଶାନ୍ତଂ’ ‘ଶିବଂ’ ଓ ‘ମଙ୍ଗଳଂ’।

 

ହଜିଲା ଧନ

କି ଧନ ସେ ଥିଲା            ଯାଇଛି ହଜି,

ଦିବାନିଶି ହୁଏ             ଯା ନାମ ଭଜି।

ଶୟନେ ସ୍ୱପନେ             ପଡ଼େ ମନରେ,

ଭୁଲି ନ ପାରିଲି             ତାହାକୁ ଥରେ।

 

କେତେ ପଢ଼ା ପାଠ            ଗଲି ପାସୋରି,

ଗାଉଥିବି ଗୀତ            ତା ନାମ ଧରି।

ବାସନ୍ତ ପବନ            ଶାରଦ ରାତି,

ଫୁଲ୍ଲ କମଳିନୀ            କୌମୁଦୀ ଭାତି।

 

ଆନନ୍ଦ ଉତ୍ସବେ            ସଙ୍ଗୀତ ତାନେ,

ନ ଦେଖେଁ ମାଧୁରି            ତାହା ସମାନେ।

ସରି ତ ଯାଇଛି            ଆଶା ଭରସା,

ନ ବୁଝିଲା ମନ            କି ହେବ ଦଶା?

ହୃଦୟେ ବିତୁଛି            ବେଦନା ଯେତେ,

ଲୋକଦେଖା ହସ            ହସିବି କେତେ!

 

କାହାକୁ କହିବି            ହୃଦୟ କଥା!

କେ ବୁଝିବ ମୋର            ମରମ ବ୍ୟଥା!

ଦଗ୍ଧ ପ୍ରାଣୁ ସୁଖ            ଶାନ୍ତି ସକଳ

 

ଯାଇଛି ତ ସରି,            କଷ୍ଟ କେବଳ!

କି ଧନ-ପାଇଲେ            ଭୁଲିବି ତାକୁ,

ଖୋଜି ନ ପାଇଲି            ପୃଥ୍ୱୀ ଗୋଟାକୁ।

 

ଯେତେଦିନ ଥିବ            ପିଣ୍ଡରେ ପ୍ରାଣ,

ଧରିଥିବି ଦୁଃଖ            ସଙ୍ଗୀତ ତାନ!

 

ଅନନ୍ତ

ଅନନ୍ତ ଆକାଶେ            ଅନନ୍ତ ବିକାଶେ

ଅନନ୍ତ ତାରକା ରାଜେ,

ଅନନ୍ତ ଭୁବନ            ଅନନ୍ତ ଜୀବନ

ଅନନ୍ତ କୌଶଳେ ସାଜେ।

 

ଅନନ୍ତରୁ ଆସି            ଅନନ୍ତରେ ଭାସି

ଯାଏ ଅନନ୍ତ ମାର୍ଗରେ,

ଅନନ୍ତ ବାସନା             ଅନନ୍ତ କଳ୍ପନା

ଲିପ୍ତ ଅନନ୍ତ କାର୍ଯ୍ୟରେ,

 

ଅନନ୍ତ ଦିଗରେ            ଅନନ୍ତ ରୂପରେ

ଅନନ୍ତେ ଅନନ୍ତ ମେଳା,

 

 

ଅନନ୍ତୁ ଉତ୍‌ପତ୍ତି            ଅନନ୍ତରେ ସ୍ଥିତି

ମହା ଅନନ୍ତର ବେଳା।

ଅନନ୍ତ ଐଶ୍ୱର୍ଯ୍ୟ            ଅନନ୍ତ ସୌନ୍ଦର୍ଯ୍ୟ

ରୂପ ରସ ତଥା ଗନ୍ଧ।

 

ଅନନ୍ତ ମହାନେ            ସର୍ବ ଉପାଦାନେ

ପ୍ରାଣୀ ଜୀବନ ସମ୍ବନ୍ଧ।

ଅନନ୍ତ ଭାବରେ             ସାନ୍ତ ବିଷୟରେ

ତୃପ୍ତିଲାଭ ଅସମ୍ଭବ।

 

ସେ ଅନନ୍ତ ଆସେ            ଅନନ୍ତ ପ୍ରୟାସେ

ସଦା ଉଦ୍‌ବିଗ୍ନ ମାନବ।

 

ପାତୁଆ-ପାତୁଈ

ନିବିଡ଼ ବିଜନ ବନେ ଆନନ୍ଦ ମନରେ

ପାତୁଆ ପାତୁଈ ଦୁହେଁ ଭ୍ରମନ୍ତି ସୁଖରେ।

 

ଶ୍ୱାପଦ ଆପଦ ପୂର୍ଣ୍ଣ ନାହିଁ ଚିତ୍ତେ ଭୟ,

ଆତ୍ମଶକ୍ତି ଅସ୍ତ୍ର ପ୍ରତି ଅଭ୍ରାନ୍ତ ପ୍ରତ୍ୟୟ।

 

ପତିପତ୍ନୀ ଭିନ୍ନଦେହୀ ଏକମନପ୍ରାଣ,

ଉଦର ପୋଷଣ ବିନା ନାହିଁ ଆନ ଜ୍ଞାନ।

 

କପୋତ ମିଥୁନ ସମ ପାତୁଆ ଦମ୍ପତି,

ଖନିତ୍ର, ଟୋକାଇ, ଧନୁ ଟାଙ୍ଗିଆ ସମ୍ପତ୍ତି।

 

କେତେଗୋଟା ଶୁଷ୍କ ଶାଖା ତୃଣ କେତେ ବିଡ଼ା-

ନିର୍ମିତ କୁଟୀର ବୃକ୍ଷମୂଳେ ଅଛି ଛିଡ଼ା।

 

ଦିନଯାକ ଥାଏ ନାହିଁ କୁଟୀର ସମ୍ପର୍କ,

ରାତ୍ରିରେ କେବଳ ଶୋଇଥାନ୍ତି ଦୁଇଲୋକ।

 

ପ୍ରଭାତେ ପାତୁଆ ଯୁବା ଚାଲେ ଧୀରେ ଧୀରେ,

ହାତେ ଧନୁର୍ବାଣ ଖଣ୍ଡେ ଟାଙ୍ଗିଆ ଅଣ୍ଟିରେ।

 

ଦିଗମ୍ବରୀ ଶ୍ୟାମାଙ୍ଗିନୀ ପାତୁଈ ଯୁବତୀ,

କାଖରେ ଟୋକାଇ ଗୋଟେ ହାତରେ ଖଣତୀ।

 

କଟୀ ନିମ୍ନେ ଆଗେ ପଛେ ଗୁଚ୍ଛ ପଲ୍ଲବରେ

ପାତୁଈ ସୁନ୍ଦରୀ ଲଜ୍ଜା ନିବାରଣ କରେ।*

 

ଚାଳିଶ ବର୍ଷ ପୂର୍ବେ ପାତୁଆ ଜାତି ସମ୍ପୂର୍ଣ୍ଣ ଉଲଙ୍ଗାବସ୍ଥାରେ ପାର୍ବତ୍ୟ ନିବିଡ଼ ଅରଣ୍ୟରେ ଭ୍ରମଣ କରୁଥିଲେ। ଢେଙ୍କାନାଳର ପ୍ରାତଃସ୍ମରଣୀୟ ମହାରାଜା ଭାଗୀରଥି ମହେନ୍ଦ୍ର ବାହାଦୂର ବହୁ ଯତ୍ନରେ ସେମାନଙ୍କୁ ବସ୍ତ୍ର ପରିଧାନ କରାଇଥିଲେ। ତଦବଧି ସେମାନଙ୍କ ଅବସ୍ଥା କ୍ରମଶଃ ଉନ୍ନତ ହୋଇ ଆସୁଅଛି। ବର୍ତ୍ତମାନ ସେମାନେ କୃଷି କାର୍ଯ୍ୟରେ ନିଯୁକ୍ତ ଅଛନ୍ତି।

 

କୌପୀନ ମାତ୍ରକ ପାତୁଆର ପରିଧାନ,

ନାହିଁ ଭାବୀ ଚିନ୍ତା, ମାନ, ଅପମାନ ଜ୍ଞାନ।

 

ମସିଆ, କଡ଼ବା, ଟୁଙ୍ଗା, ବନଆଳୁ ପିତା,

ପାତୁଈ ଆଣଇ ଖୋଳି, ଆହାରେ କି ଚିନ୍ତା?

 

ପ୍ରକୃତିର ଗନ୍ତାଘର ଯାଠାରେ ଉନ୍ମୁକ୍ତ,

ରହିବ କି କଦାଚିତ ସେ ଲୋକ ଅଭୁକ୍ତ?

 

ନେଉଳ, ଠେକୁଆ, ଶାରୀ, ଶୁଆ, ବଣି, ଗୋଧି,

ଘେନି ଆସେ ବନୁ କରି ପାତୁଆ ପାରିଧି।

 

ମୂର୍ତ୍ତିମତୀ ସରଳତା ପାତୁଆକାମିନୀ,

ଖଟିଥାଏ ସ୍ୱାମୀପଦେ ଦିବସ ଯାମିନୀ।

 

ଶୟନେ, ଭୋଜନେ, ଉପବେଶନେ, ଗମନେ,

ନିରନ୍ତର ସ୍ୱାମୀ ସଙ୍ଗେ ସଜନେ ବିଜନେ।

 

ନାହିଁ ଚିନ୍ତା ନାହିଁ ଜ୍ଞାନ ଭୂତ ଭବିଷ୍ୟତ,

ନିୟତ ପ୍ରଫୁଲ୍ଲ ମନ ଆନନ୍ଦେ ଉନ୍ମତ୍ତ।

 

କାନନ କୁସୁମ ଗୁନ୍ଥି ପାତୁଆ ହସ୍ତରେ

ମଣ୍ଡାଏ ପାତୁଈ ଦେହ ପରମ ଯତ୍ନରେ।

 

ପାତୁଆ ଭୂମିରେ ଗଛମୂଳେ ଥାଏ ଶୋଇ,

ଜଗି ବସିଥାଏ ତାହା ପାଶରେ ପାତୁଈ।

 

ନାହିଁ ଧର୍ମାଧର୍ମ ଜ୍ଞାନ ଭୂତ ଭବିଷ୍ୟତ,

ପ୍ରକୃତିଚାଳିତ କାର୍ଯ୍ୟ କରନ୍ତି ସମସ୍ତ।

 

ସଭ୍ୟତା, ସୌଭାଗ୍ୟ, ବିଦ୍ୟା, ବିଳାସ, ବାସନା,

ସ୍ୱଭାବର ଶିଶୁଗଣେ ନାହିଁ କିଛି ଜଣା।

 

ବନ୍ୟ ମଧୁ, ଫଳ, ମୂଳ, ବନ୍ୟ ପଶୁ, ପକ୍ଷୀ,

ପ୍ରକୃତି ସନ୍ତାନଗଣପାଇଁ ଛନ୍ତି ରଖି।

 

ବିଳାସ ବାସନା ଅନ୍ନପାଇଁ ହାହାକାର,

ପ୍ରବଞ୍ଚନା ପ୍ରତାରଣା ଅଳୀକ ବେଭାର,

ସ୍ୱାର୍ଥ ଆଶେ ପରାର୍ଥକୁ ଦେବା ବଳ ଦାନ,

ନିତ୍ୟ ବ୍ୟସ୍ତ ସମାଜରେ ଲଭିବା ସମ୍ମାନ।

 

ନାହିଁ ଲୋଡ଼ା ସେ ସଭ୍ୟତା, କି ହେବ ସେ ଜ୍ଞାନେ?

ଦେବାକୁ ଯଦ୍ୟପି ହେବ କଷ୍ଟ ପରପ୍ରାଣେ!

 

ଯେ ବିଦ୍ୟା ସଭ୍ୟତା- କ୍ଷଣଭଙ୍ଗୁର ଜୀବନ

କଳୁଷିତ କରେ- କିବା ତହିଁ ପ୍ରୟୋଜନ?

 

ସାଧିବାକୁ ପାର ଯେବେ ସ୍ୱଦେଶ କଲ୍ୟାଣ,

କର ଯେବେ ପ୍ରଭୁପଦ ଭକ୍ତି ଭାବେ ଧ୍ୟାନ,

 

ହୁଅ ସଭ୍ୟ ଭବ୍ୟ କର ବିଦ୍ୟା ଆଲୋଚନା,

ଅନ୍ୟଥା ଜୀବନେ ଜାଣ ସର୍ବ ବିଡ଼ମ୍ବନା।

 

ବରଞ୍ଚ ପାତୁଆ ବେଶେ ଭ୍ରମିବା ବନରେ

ଉଚିତ, କଳୁଷ ପ୍ରାଣେ ସଭ୍ୟ ସମାଜରେ

ଅନୁଚିତ ବାସ- ଯାହା ନରକ ଆକର।

ପାତୁଆ ଜୀବନ ବହୁଗୁଣେ ଶ୍ରେଷ୍ଠତର।

 

ଜନ୍ମଭୂମି

ଗିରିକିରୀଟୀନି!            କାନନଶୋଭିନୀ!

ଜନନୀ! ଉତ୍କଳଭୂମି!

ପୂଜନୀୟେ ଅମ୍ବ!            ମହାସିନ୍ଧୁ ତବ

ଚରଣ ଯାଉଛି ଚୁମି।

 

ଶସ୍ୟଶ୍ୟାମାଙ୍ଗିନୀ            ସଉଧମାଳିନୀ

ସ୍ରୋରସ୍ୱତୀତ୍ୱାରା ଦେବୀ!

କେତେ ମହାକବି            ଅମର ପଦବୀ

ଲିଭିଲେ ଚରଣ ସେବି।

 

ବିଶାଳ ଅବନୀ            ମଧ୍ୟେ ଜୟଧ୍ୱନି

କରି କେତେ ଜାତି ସୁଖେ

ଧାଇଁଛନ୍ତି, ମାତଃ!            କେବଳ ନିତାନ୍ତ

ତୁମ୍ଭ ପୁତ୍ରେ ଛନ୍ତି ଦୁଃଖେ।

 

ତୁମ୍ଭେ ତ ପବିତ୍ରା,            ସୌଷ୍ଠବେ ବିଚିତ୍ରା,

କୃପଣା ନୁହ ତ ଦାନେ!

ଶସ୍ୟ ଶଷ୍ଟ ଜଳ            ବିପୁଳ ନିର୍ମଳ

ଭୁଞ୍ଜଛନ୍ତି ପୁତ୍ରମାନେ।

 

ତେବେ କିପାଁ ମାତଃ!      ତୋ ପୁତ୍ରେ ନିତାନ୍ତ

ହେଉଛନ୍ତି ହୀନମାନ,

ଜାଣିଲି ନିକର            କେବଳ ତାଙ୍କର

ନାହିଁ ଜାତି ଅଭିମାନ।

 

 

ମାତାକୁ ସମ୍ମାନ            ନ କରେ ଯେ ଜାଣ,

ସେହି ତ ଅଧମ ସୁତ,

ସେହି ସର୍ବସ୍ଥାନେ            ଥାଏ ଅପମାନେ

ସମାଜରେ ଅନାଦୃତ।

 

ଯେ କରେ ଜନନୀ            ସେବା, ସେହି ଧନୀ

ହୁଏ ସକଳ ଧନରେ,

ତାହାର ଗୌରବ            ଦେଶବାସୀ ସର୍ବ

ରଟନ୍ତି ସଦା ମୁଖରେ।

 

ପଶୁପକ୍ଷୀ ଯେତେ            ଅଛନ୍ତି ଜଗତେ

ପୋଷନ୍ତି ସର୍ବେ ଉଦର,

ତୁମ୍ଭେ ସେ ପ୍ରକାର            ହେଲେ ସ୍ୱାର୍ଥପର

କି ଭେଦ ହେଲା ତୁମ୍ଭର?

 

ଚାହଁ ଦେଶ ପ୍ରତି,            ଭାଷାର ଉନ୍ନତି

ଲୋଡ଼ ଜାତୀୟ ଗୌରବ,

ଦେଶବାସିଗଣ            ଜାଣନ୍ତୁ ଆପଣ

ଯଥାର୍ଥ ଜଣେ ମାନବ।

 

ଗର୍ଦଭର ସୂକ୍ଷ୍ମ ବୁଦ୍ଧି

ଗୋଟାଏ ଗର୍ଦଭ       ଗୋଟାଏ କୁକୁର       ଥିଲେ ଏକ ଧୋବାଘରେ,

ପ୍ରତିଦିନ ଗଧ       ଗାଆଁ ଲୁଗାଯାକ       ଛେଲା ବହି ବହି ମରେ।

ତୁଠରୁ ବାହୁଡ଼ି       ଧୋବା ଗଧଟାକୁ       ଖୁଣ୍ଟରେ ପକାଏ ବାନ୍ଧି,

ଏଣେ ଥକା ମକା       ତେଣେ ପେଟେ ଭୋକେ ଶୋଇପଡ଼େ କାନ୍ଦିକାନ୍ଦି।

ତାଠାକୁ ଫୋପାଡ଼ି       ଦିଏ ଦିନେ ଦିନେ       ଧୋବଣୀ ମୁଠାଏ ଘାସ,

ହେଲେ ତାହା କିଛି       ସବୁଦିନେ ନୁହେ       ଅଧଦିନ ଉପବାସ।

ପଡ଼ିଆରେ ଚରି       ବୁଲିଲେ ଅଥବା       ତହିଁରେ ପୂରନ୍ତା ପେଟ,

ସବୁବେଳେ ଧନ୍ଦା       ଲାଗି ରହିଅଛି       ଘାସ ସଙ୍ଗେ କାହୁଁ ଭେଟ!

କୁକୁରର କିଛି       କାମ ଦାମ ନାହିଁ       ସବୁବେଳେ ବୁଲୁଥାଏ,

ମଜା କରି ବସି       ଦୁଇ ଓଳି ମାଂସ       ଭାତ ପେଟେ ପେଟେ ଖାଏ।

ବିଚାରିଲା ଗଧ       ତୁଛା ବସି ବସି କୁକର ଚୋବାଏ ହାଡ଼,

କାମରେ ଅଳପ       ଢିଲା ହୋଇ ଗଲେ ମୋ ପିଠିରେ ପଡ଼େ ମାଡ଼।

କିପାଇଁ ସାଆନ୍ତ       କୁକୁରକୁ ଏଡ଼େ       ସ୍ନେହରେ ଖୁଆନ୍ତି ଭାତ,

ଦିନ ଯାକ କାମ କରି କରି ମରେଁ       ମୋ ବେଳକୁ ଠେଙ୍ଗା ବେତ।

ବିଚାରି ବିଚାରି       ସ୍ଥିର କଲା ଗଧ       ଆପଣା ସୂକ୍ଷ୍ମ ବୁଦ୍ଧିରେ,

ଜଣାଗଲା କଥା,       ସାଆନ୍ତେ ଶୋଇଲେ କୁକୁର ଭୁକେ ରାତିରେ।

ଲାଙ୍ଗୁଡ଼ ହଲାଇ       ଆଗ ଦୁଇ ଗୋଡ଼       ସାଆନ୍ତ ଉପରେ ମାରେ,

ସାଆନ୍ତଙ୍କ ତେଣୁ       ଏତେ ଦୂର ସ୍ନେହ       ଅଛି ସେ କୁକୁର ଠାରେ।

ସେହିପରି କଲେ       ମୋ ଉପରେ ହେବେ ସାଆନ୍ତ ନିଶ୍ଚୟ ଖୁସି,

ଲୁଗାଛେଲା ବହିବାକୁ ହେବ ନାହିଁ ମଜାରେ ଖାଇବି ବସି।

ଦିନକରେ ଧୋବା       ଲୁଗା କାଚି କାଚି       ଥକିଥିଲା ଶୋଇପଡ଼ି,

ଅଧରାତି ବେଳେ       ଗଧ ଉଠିପଡ଼ି       ଉଚ୍ଚରେ ଛାଡ଼ିଲା ରଡ଼ି।

ରଡ଼ି ପରେ ରଡ଼ି!      ପ୍ରହରେକଯାଏଁ      କଲା ଚିତ୍କାର ଉତ୍‌କଟ,

କି କରିବ ଧୋବା,      ନିଦ ଭାଙ୍ଗିଗଲା      ଦଣ୍ଡେ ହେଲା ଛଟପଟ।

ଭାଳିଲା ମନରେ      ନିଶ୍ଚୟ ଗଧକୁ      ହେଲାଣି ଉତ୍‌କଟ ପୀଡ଼ା,

ଆଖି ମଳି ମଳି      ଧୀରେ ଧୀରେ ଆସି ଗଧ ପାଖେ ହେଲା ଛିଡ଼ା।

କୁକୁର ସମାନ      ଆଗ ଦୁଇ ଗୋଡ଼      ଟେକି ଗଧ ଆନନ୍ଦରେ

ଲାଞ୍ଜକୁ ହଲାଇ      ହଲାଇ ପିଟିଲା ଧୋବା ଛାତିରେ ମୁଣ୍ଡରେ।

ବୋପାଲୋ! ମଲି ଲୋ! ରଡ଼ି ଛାଡ଼ି ଧୋବା ବାଉଁଶ ଠେଙ୍ଗାଟା ଆଣି,

ଦୁମ୍‌ ଦୁମାଦୁମ୍      ଗର୍ଦଭ ପିଠିରେ      ମୁଣ୍ଡରେ ପିଟିଲା ଟାଣି।

ପଡ଼ିଗଲା ଗଧ      ଜୀଭଟାକୁ କାଢ଼ି      ଭାଙ୍ଗିଲା ପଞ୍ଜରା ହାଡ଼,

ଅକର୍ତ୍ତବ୍ୟ କାମ      କଲେ ପିଲାମାନେ      ଖାଇବ ଏପରି ମାଡ଼।

ଯାହାର ଯେ କାମ      ନିରୂପିତ ଅଛି,      ତାହାକୁ ସେ କାମ ସାଜେ,

ନ ଜାଣିଲା ଲୋକ      ତହିଁ ହାତ ଦେଲେ ପିଠିରେ ପାଞ୍ଚଣ ବାଜେ।

 

ଚାନ୍ଦମଣିର ଅଙ୍ଗା

ଚାନ୍ଦମଣି ଦିନେ ଅଙ୍ଗାଟିଏ ପାଇଁ ମାତା ପାଶ; କଲେ ଅଳି,

ଶୁଣି ଶୁଣି ମାତା ବୋଇଲେ ପୁତ୍ରକୁ ବହୁତ ହୋଇ ସେ ଚଳି।

ଆରେ ଦୁଷ୍ଟ ପିଲା! ତୋ ଦେହ ମାପରେ ଅଙ୍ଗା ଆଣିବି କିପରି?

ନିତି ନିତି ତୁହି ପଦାକୁ ବାହାରୁ ନାନାବିଧ ରୂପ ଧରି!

ଦ୍ୱିତୀୟା ଦିନର ତୋହର ଆକାର ନ ଥାଏ ତୃତୀୟା ଦିନେ,

ଚତୁର୍ଥୀ ପଞ୍ଚମୀ ପଷ୍ଠୀରେ ତୋ ରୂପ ହୋଇ ଯାଏ ଭିନେ ଭିନେ।

ଉଆଁସ ଦିନରେ ଏକାବେଳକେ ତୁ ପଦାକୁ ବାହାରୁ ନାହିଁ,

ତୁଛାରେ ପଇସା ଖରଚ କରି ମୁଁ ଅଙ୍ଗା କିଣିବି କିପାଇଁ?

ଶରୀର ସମାନେ ଆହେ ପିଲାମାନେ! ନ ଥିଲେ ମନ-ସ୍ଥିରତା-

ତୁମ୍ଭପାଇଁ ଦ୍ରବ୍ୟ କିଣିବା ବେଳକୁ ହେବ ଚାନ୍ଦମଣି କଥା।

 

କର୍ମଫଳ

କି ଥିଲି, କାହିଁ ଥିବା ଥିଲି, କିପାଁ ପୃଥିବୀରେ

ଜନ୍ମିଲି, ନ ଯାଏ ଜଣା ସହଜ ବୁଦ୍ଧିରେ।

ସମସ୍ତ ମାନବ କିପାଁ ନୁହନ୍ତି ସମାନ?

ସୁଖେ ଦୁଃଖେ ପାପ ପୁଣ୍ୟେ ପନ୍ଥା ଆନ ଆନ?

 

ଅଦୃଷ୍ଟ ବା କର୍ମଫଳ ଜୀବନନିୟନ୍ତା,

ସର୍ବଶାସ୍ତ୍ର ଅଭିମତ-ମାତ୍ର ତତ୍ତ୍ୱକଥା

ନ ପାରିଲି ଜାଣି- ଜାତ ମନରେ ସଂଶୟ-

କର୍ମ ଅଗ୍ରେ, ଅବା ଫଳ ଅଗ୍ରେ, ଏ ବିଷୟ।

 

ପାପେ ରତି, ଧର୍ମେ ଭକ୍ତି, ଜାତ ସ୍ୱଭାବରେ-

କର୍ମ ଫଳ କର ଯେବେ ସିନ୍ଧାନ୍ତ ମନରେ-

ସୃଷ୍ଟି ଅଦ୍ୟେ ସର୍ବଭୂତ ଥିଲେ ବିଦ୍ୟମାନ,

ଅବଶ୍ୟ ମୋହର ଥିଲା ଆତ୍ମା ଅବସ୍ଥାନ,

କର୍ମକ୍ଷେତ୍ରେ ପ୍ରବେଶିକା ପୂର୍ବେ ମୋର ପ୍ରାଣ

ଥିଲା ତ ଅପାପବିଦ୍ଧ ହୁଏ ଅନୁମାନ।

 

ସର୍ବ ପ୍ରଥମରେ କିପାଁ ଜାତ ପାପେ ରତି?

ଯାହା ଯୋଗେ ଭୁଞ୍ଜେ ପ୍ରାଣ ଅଶେଷ ଦୁର୍ଗତି!

ସ୍ୱଭାବେ ଜଡ଼ୀୟ ଦେହ ଯଥା ରୂପାନ୍ତର,

ଅଧ୍ୟାତ୍ମ ବିଧି କି ତଥା? ନୁହେ ସ୍ୱତନ୍ତ୍ରର?

 

 

ନିହିତ ସୃଷ୍ଟିର ତତ୍ତ୍ୱ ନିବିଡ଼ ତିମିରେ,

କରି ପାର ଅନୁମାନ ସହଜ ବୁଦ୍ଧିରେ-

ଭୁଞ୍ଜେ କର୍ମଫଳ ଲୋକ ବିଧିର ବିଧାନ,

ବିଧିଠାରୁ ବଳି କର୍ମଫଳ କି ପ୍ରଧାନ?

କର୍ମଫଳ ମେଣ୍ଟିବାକୁ ବିଧିର ଆୟତ୍ତ

ନାହିଁ ଯେବେ, ସ୍ଥିର କର ଏହାର ଶ୍ରେଷ୍ଠତ୍ୱ।

ଜୀବନର ସୁଖଦୁଃଖଦାତା କର୍ମଫଳ,

ବିନାଶକ, ରକ୍ଷାକାରୀ, ସହାୟ ସମ୍ବଳ।

 

କର୍ମଫଳ ପ୍ରଭାବରେ ଜୀବନର ଗତି,

ନମସ୍ତତ୍ କର୍ମଭ୍ୟୋ ବିଧିରପି ନ ଯେଭ୍ୟଃ ପ୍ରଭବତି।

 

ନଭୋ l

ହେ ଅନନ୍ତ ମହାଦେବ! କରେଁ ନମସ୍କାର;

ନ ଜାଣେ କେ ତୁମ୍ଭେ! ତୁମ୍ଭ କିରୂପ ଆକାର।

ଅନନ୍ତ ନକ୍ଷତ୍ର ଗ୍ରହ ତୁମ୍ଭ ଅଭ୍ୟନ୍ତରେ

ବିରାଜିତ କ୍ଷୁଦ୍ରତମ ବିନ୍ଦୁ ସ୍ୱରୂପରେ।

 

ମମ ଅଧିଷ୍ଠାନଭୂତା ବିଶାଳ ମେଦିନୀ-

ଅନନ୍ତ ଜୀବନ ବନପର୍ବତଧାରିଣୀ।

କଳ୍ପନାରେ କରି ଏହା ସୀମା ନିରୁପଣ,

ସ୍ତମ୍ଭିତ ବିସ୍ମିତ ହୁଏ ଚିତ୍ତ ଅବସନ୍ନ।

 

ଅନନ୍ତ ବିଶାଳ ଗ୍ରହେ ବ୍ୟାପ୍ତ ତୁମ୍ଭ ଗାତ୍ର,

ତୁଳନାରେ ଏ ମେଦିନୀ ଅଟେ କଣା ମାତ୍ର।

 

ଆଜନ୍ମ ଦେଖୁଛି ତବ ରୂପ ନୟନରେ,

ବିଭିନ୍ନ ବିଚିତ୍ର ବର୍ଣ୍ଣ ପ୍ରତି ନିମିଷରେ।

ଅନନ୍ତ ବିଶାଳ ଗ୍ରହ ନକ୍ଷତ୍ର ଆଧାର-

ହେ ନଭୋ! ବୋଲନ୍ତୁ-ତୁମ୍ଭେ ଆଧେୟ କାହାର?

 

ଧର୍ମ ଚତୁଷ୍ପଦ

ଜଗତ ମଧ୍ୟରେ ଯେତେ ମାନବ ସନ୍ତାନ,

ଗତ, ଆଗନ୍ତୁକ, ଯେତେ ଛନ୍ତି ବର୍ତ୍ତମାନ,

ଧର୍ମ ମାତ୍ର ସମସ୍ତଙ୍କ ଜୀବନ ଆଧାର,

କରିଛି ଧାରଣ ଧର୍ମ ଜଗତ ସଂସାର।

 

ମାନବୀୟ ଧର୍ମଶାସ୍ତ୍ର କଲେ ଆଲୋଚନା-

ଚତୁଷ୍ପଦେ ଅବସ୍ଥିତ ଧର୍ମ- ଯାଏ ଜଣା।

ବିଶ୍ୱାସ, ବୈରାଗ୍ୟ, ପ୍ରେମ, ଭକ୍ତି ଚତୁଷ୍ପଦେ

ଅବସ୍ଥିତ ଧର୍ମ ଲୋକରକ୍ଷାର ଆସ୍ପଦେ।

 

ଇସଲାମ ଧର୍ମୁ ଶିଖ ବିଶ୍ୱାସର ମର୍ମ,

ବୈରାଗ୍ୟ ଗୌରବରକ୍ଷାକାରୀ ବୌଦ୍ଧଧର୍ମ।

ଚୈତନ୍ୟଦେବଙ୍କ ଭକ୍ତି, ଯିଶୁଖୀଷ୍ଟ ପ୍ରୀତି,

ଏହି ଚାରି ଧର୍ମ ଶିକ୍ଷା ଦିଏ ଚାରି ନୀତି।

 

ନ ବୁଝନ୍ତି ଆତ୍ମ ପର ବ୍ରହ୍ମଜ୍ଞାନିଗଣ,

ସର୍ବଶାସ୍ତ୍ର ସାରତତ୍ତ୍ୱ କରନ୍ତି ଗ୍ରହଣ।

 

ଶ୍ରୀ ଚୈତନ୍ୟଦେବଙ୍କ ସଂକୀର୍ତ୍ତନ

ଶ୍ରୀ ଚୈତନ୍ୟଦେବ ନାଚି ନାଚି ଗୀତ ଗାଇ,

ନଦୀୟା ଦାଣ୍ଡରେ ଡାକୁଛନ୍ତି-ଆସ ଭାଇ!

ମିଳି ମିଶି କରୁଁ ପ୍ରଭୁନାମ ସଂକୀର୍ତ୍ତନ,

 

ଆସ ଆସ ଅଛ ଯହିଁ ସାଧୁ ଭକ୍ତଗଣ!

ତେଜ ମନୁ ଅହଙ୍କାର- ଭେଦାଭେଦ ଜ୍ଞାନ,

ସମସ୍ତଙ୍କ ଏକମାତ୍ର ପିତା ଭଗବାନ।

 

ଚଣ୍ଡାଳ, ଯବନ, ବିପ୍ର ସର୍ବେ ମୋର ଭାଇ,

ଆସ ମିଳି ମିଶି ନାଚୁ ହରିଗୁଣ ଗାଇ।

ଜାତିଭେଦ, ଧର୍ମଭେଦ, କିପାଁ ଗଣ୍ଡଗୋଳ?

ଭାଇ ଭାଇ ମିଳି ନାଚୁଁ, ହରି ହରି ବୋଲ।

ଦେଖନ୍ତୁ କୋରାନ ଫେଇ, ବାଇବେଲ, ବେଦ,

ସମସ୍ତଙ୍କ ଲକ୍ଷ୍ୟ ବ୍ରହ୍ମ-ନାହିଁ ଭେଦାଭେଦ।

 

ରଚିତ ସକଳ ଶାସ୍ତ୍ର ଏକ ଉପାଦାନେ,

ପତିତ ସାଗର ଗର୍ଭେ ଯଥା ନଦୀମାନେ।

ଭେଦବୁଦ୍ଧି, ଦ୍ୱେଷ, ହିଂସା, ନରକନିଦାନ,

ଭ୍ରାତୃପ୍ରେମ, ସମଜ୍ଞାନ ସ୍ୱର୍ଗର ସୋପାନ।

 

ସର୍ବଘଟେ ସ୍ଥିତ ଚିଦାନନ୍ଦ ଭଗବାନ,

ଗୀତା ଭାଗବତ ଶାସ୍ତ୍ର ସେଥିର ପ୍ରମାଣ।

ଧର୍ମ ମାର୍ଗ ମାତ୍ର ଜୀବେ ଦୟା, ନାମେ ଭକ୍ତି,

ଦେହ ମନ ଶୁଦ୍ଧି, ଯୋଗସିଦ୍ଧି, ଅନାସକ୍ତି।

 

ବାହ୍ୟ ଆଡ଼ମ୍ବର ଜାଣ ସର୍ବ ମିଥ୍ୟାଚାର,

ଅଭ୍ୟନ୍ତରଗତ ସର୍ପ ବଲ୍ମୀକେ ପ୍ରହାର

 

ବିକଶେ ମାନବ ମଧ୍ୟେ ଶ୍ରୀହରି ମହିମା,

ପ୍ରଭୁଙ୍କ ମଧ୍ୟରେ ଦେଖ ମାନବର ସୀମା।

 

ଅଣୁ ପରମାଣୁ କିମ୍ବା ଅନନ୍ତ ଆକାଶେ,

ଏକମାତ୍ର ମହାପ୍ରଭୁ ମହିମା ବିକାଶେ।

 

ବିଶ୍ୱାସେ ପାଇବ ହରି- ତର୍କେ ବିଡ଼ମ୍ବନା,

ପ୍ରହ୍ଲାଦ ଲଭିଲେ ହରି ସ୍ତମ୍ଭେ ଅଛି ଜଣା

 

ବୃଥା କୋଳାହଳେ ଭାଇ ବଢ଼ିବ ଅଶାନ୍ତି,

ଆମ୍ଭ ଧର୍ମ ସତ୍ୟ, ତୁମ୍ଭ ମିଥ୍ୟା-ମନେ ଭ୍ରାନ୍ତି।

ହରି ହରି ବୋଲ ଭାଇ ନାମ ମାତ୍ର ସାର,

ଭବସିନ୍ଧୁ ଲଙ୍ଘିବାକୁ ନାମ କର୍ଣ୍ଣଧାର

 

ଶଙ୍ଖୀ ବିରାଡ଼ୀ-ବଣି ପକ୍ଷିଣୀ

ଗଛ ଡାଳ ଛାଡ଼ି ବଣି ପକ୍ଷିଣୀଟି ଚିଲ ଛଞ୍ଚାଳ ଜାଳାରେ ପକ୍ଷୀ ଘର ବାନ୍ଧି ଡ଼ିମ୍ବ ପାଡ଼ିଥିଲା କୋଠା କାନିଶ ନଳାରେ l ଶଙ୍ଖୀ ବିରାଡ଼ୀଟା ଦିନେ କାହୁଁ ଆସି ତରାଟି ଚାହାନ୍ତେ ବସା, ବିରାଡ଼ୀକୁ ଦେଖି ଚମକି ପଡ଼ିଲା, ବଣିର ଉଡ଼ିଲା ହଂସା। ଦଶ ଦିଗ ତାକୁ ଅନ୍ଧାର ଦିଶିଲା- ଭାଳିଲା ଭାଗ୍ୟେ ଯା ଥିବ, ଭରସି ବୋଇଲା- ସଲାମ ସଲାମ ଆସନ୍ତୁ ମେମ ସାହିବ। ଶୁଣିଛି ବିରାଡ଼ି ରାଜ୍ୟରେ ଆପଣ ଲାଟ ସାହେବଙ୍କ ବିବୀ, ନ ହେବ କିପାଇଁ ଏପରି ସୁନ୍ଦରୀ ଆଉ କାହିଁ ନ ଦେଖିବି l ଚନ୍ଦ୍ରମା ସମାନେ ଆପଣଙ୍କ ମୁଖ ସୁନ୍ଦର କୋମଳ ନିଶେ, ନାକଟି ସୁନ୍ଦର, କାନଟି ସୁନ୍ଦର, ଲାଞ୍ଜଟି ସୁନ୍ଦର ଦିଶେ l ନେତ୍ରରେ କିଞ୍ଚିତ ସାଦୃଶ୍ୟ ଥିବାରୁ ବିବୀଏ ଏଡ଼େ ସୁନ୍ଦରୀ, ହେଲେ- ଆପଣଙ୍କ ଚିଲାଆଖି ସଙ୍ଗେ ହେବେ କେଉଁଗୁଣେ ସରି! ଧଳା ମଖମଲ ପରାଏ ଚିକ୍କଣ ଦେହଟି କେଡ଼େ ସୁନ୍ଦର, ଦାନ୍ତଗୁଡ଼ିକ କେଡ଼େ ନିର୍ମଳ ଦିଶୁଛି ଗଜମୋତି ପଟାନ୍ତର। ଆପଣଙ୍କ ପରି ଅପୂର୍ବ ସୁନ୍ଦରୀ ଦେଖି ନାହିଁ ବ୍ରହ୍ମାଣ୍ଡରେ, କି ଯୋଗରେ ଆଜି ରାତି ପାହିଥିଲା, ଦେଖିଲି ଯାହା ନେତ୍ରରେ। କେତେଦିନୁ ମନେ ମନେ ଭାଳୁଥାଏଁ ଚରଣ ଦର୍ଶନପାଇଁ, ହୀନ କପାଳୀକୁ ଠାକୁରାଣୀ ଭେଟ ସହଜେ ମିଳିବ କାହିଁ? କାଙ୍ଗାଳୁଣୀ ବୁଢ଼ୀ ଭାଗ୍ୟରେ ମିଳିଲେ ଦାଣ୍ଡଦୁଆରରେ କାଶି, ଅଳସୀ କପାଳେ ଗଙ୍ଗା ବିଜେ କଲେ ବାଡ଼ିଦୁଆରକୁ ଆସି। ପକ୍ଷୀଙ୍କ ମୁଖରୁ ନିତି ଆପଣଙ୍କ ଶୁଣୁଛି କେତେ ପ୍ରଶଂସା, କେବଳ ଦେବୀଙ୍କ ଚରଣ ପ୍ରସାଦୁଁ ବାନ୍ଧିଛି ଏଠାରେ ବସ। । ଆପଣଙ୍କ ପାଦ କଲ୍ୟାଣରୁ ମୁହିଁ ପାଇଛି ପିଲା ଦୁଇଟି, ଦେବୀଙ୍କ ଦର୍ଶନ କରିବା ସକାଶେ ଚାହୁଁଛନ୍ତି ମିଟିମିଟି। କଲ୍ୟାଣ କରନ୍ତୁ ଅଛମର ହୋଇ ପଡ଼ିଥାନ୍ତୁ ପିଲାମାନେ, ବଡ଼ ହେଲେ ପଦେ ଖଟି ରହିଥିବେ କିଣା କିଙ୍କର ସମାନେ। ଏହିପରି ବଣି ପ୍ରଶଂସାଗୁଡ଼ାକ ଦିଅନ୍ତେ ମୁଣ୍ଡରେ ଢାଳି, ବଡ଼ ଖୁସି ହୋଇ ବିରାଡ଼ୀ ଆପଣେ ବିଚାରିଲା ମନେ ଭାଳି- ହେଉ ହେଉ, ବଣି ଏଠାରେ ଅଛି ତ, କାହିଁ ଯିବେ ପିଲା ଦ୍ୱିଟା, ଚାରି ଛଅ ଦିନ ଗଲେ ବଡ଼ ହେବେ ଲାଗିବ ମାଉଁସ ମିଠା। ମନକଥା ମନ ମଧ୍ୟରେ ରଖିଲା, ବୋଇଲା ବଣିକୁ ହସି, ଆଲୋ ବଣି ତୋର କିଛି ଚିନ୍ତା ନାହିଁ, ମଜା କରି ଥାଅ ବସି। ରାତି ନ ପାହୁଣୁ ନିତି ନିତି ଆସି ବଣିକୁ ବୋଲେ ବିରାଡ଼ୀ, ଆଲୋ ଆଲୋ ବଣି! ଦେଖିବି ବେଳେ ମୁଁ ପିଲାଙ୍କୁ ଆଣ ତ କାଢ଼ି।

 

ବଣି ବୋଲେ- ଆଜ୍ଞା ଆଜ୍ଞା ସେହି କଥା ମୁହିଁ ତ ଥିଲି ବିଚାରି, ପିଲା ଦୁଇଟିକୁ ଘେନି ଆପଣଙ୍କ ପଦରେ ଦେବି ଜୁହାରି। ମାତ୍ର ହାଡ଼ ଗିଜିଗିଜି ପିଲା ଦ୍ୱିଟା ବଳ ନାହିଁ ଉଠିବାକୁ, ଆଉ ଚାରିଦିନେ ମୋଟାମୋଟି ହେବେ, ଧାଇଁବେ ଛାମୁଠାକୁ। ପିଲା ମୋଟା କଥା ଶୁଣି ବିରାଡ଼ିର ମୁହଁ ସଡ଼ସଡ଼ ଲାଳେ; ଭାଳିଲା ମନରେ, ଯେରୂପରେ ହେଉ ଖାଇବି କାଲି ସକାଳେ। ଏତେ ଭାଳି ଧୀରେ ଧୀରେ ଚାଲିଗଲା ହଲାଇ ହଲାଇ ମଥା, ତରକିଲା ବଣି ଭାବ ଭଙ୍ଗି ଦେଖି ବିରାଡ଼ି ମନର କଥା। ଭାଳିଲା ବସାରେ ପିଲା ଦୁଇଟିକୁ ଆଉ ରଖିହବ ନାହିଁ, ବିରାଡ଼ୀଟା ଦଣ୍ଡେଯାଏଁ ମୋ ପିଲାକୁ କଟମଟ ଥିଲା ଚାହିଁ। ଖଣ୍ଡିଉଡ଼ା ଦେଉଥିଲେ ବଣିପିଲା ଉଠିଥିଲା ଗଜାପରୁ, ବଣି ତାଙ୍କୁ ଧରି ଉଡ଼ି ବସିଥିଲା ଡାଳେ ବଡ଼ ସଖାଳରୁ। ବଡ଼ ଉଷତରେ ଅଇଲା ବିରାଡ଼ୀ ଦୁଇ କଳ ଚାଟି ଚାଟି, ବେଳେ ବେଳେ ହାଇ ମାରି ହେଉଥାଏ, ମେଲି ଯାଉଥାଏ ପାଟି। ବସା ପାଶେ ଆସି ବୋଇଲା ଉଚ୍ଚରେ, ଆଲୋ ବଣି ଗଲୁ କାହିଁ? ଘେନି ଆସ ତୋର ପିଲା ଦୁଇଟାକୁ ଆସିଛି ଦେଖିବାପାଇଁ। ବଣିପିଲା ଦୁଇ ଡେଣାରେ ଘୋଡ଼ାଇ ବୋଇଲା ଉଚ୍ଚରେ ରାଗେ, ଡ଼ାଆଣି! ପିଶାଚି! ରାକ୍ଷସି! ପୋଇଲି! ପାଶକୁ ଆସ ତ ଆଗେ! ପୋଡାମୁହିଁ! ଲକ୍ଷ୍ମୀଛାଡ଼ି! ହାଣ୍ଡିଖାଇ! ଦୂର ଦୂର! ମର ରାଣ୍ଡି! ବାପା ଲୋ! ମୋ ମନ ଛାଞ୍ଚୁଣୀ ମଣ୍ଡିରେ ମୁଣ୍ଡଟା ଦିଅନ୍ତି କାଣ୍ଡି। ଚୁଲିପଶି! ବାରବୁଲି! ଖାଇ ବୁଲୁ ସାତ ଦୁଆରୁ ଅଇଣ୍ଠା, ପଳା ପଳା ନନେ ଧାଇଁଯାଇଁ କଷି ଦେବିଟି ଦୁଇ ଗୋଇଣ୍ଠା! ପୋଡ଼ାଖୁଣ୍ଟା ପରି ମୁହଁଟା ଦିଶୁଛି ଗିଜିଡ଼ି ହେଉଛି ଦାନ୍ତ, ଦୁର୍ଗନ୍ଧ! ଦୁର୍ଗନ୍ଧ! ଛି ଛି ଛି! ପେଟରୁ ବାହାରି ପଡ଼ୁଛି ଭାତ। ଡାଆଣି! ତରାଟି ମରାଟି ଚାହୁଁ ଛୁ ମୋ ପିଲା ଦୁହିଙ୍କୁ ତୁ ତ! ଯାଆ ଯାଆ, ଖାଆ, ବସାରେ ପଡ଼ିଛି ମୋ ପିଲାଙ୍କ ଗୁହ ମୃତ। ଦେଖିଲା ବିରାଡ଼ୀ ଏଡ଼େ ଶିକାରଟା ହାତରୁ ଗଲାଣି ଖସି, ଅପମାନ କରି ଗାଳି ଦେଉଅଛି ବଣିଟା ଡାଳରେ ବସି! ଏକେତ ନିରାଶ ପୁଣି କଟୁ କଥା, କି କରିବ ରାଗି ରାଗି, ଲାଙ୍ଗୁଡ଼ ଫୁଲାଇ ଆମ୍ପୁଡ଼ି କାମ୍ପୁଡ଼ି ବସା ପକାଇଲା ଭାଙ୍ଗି। ବଣି ବିରାଡ଼ୀର ଯାବନ୍ତ ପ୍ରସଙ୍ଗ ଶୁଣିଲ ପିଲା ସକଳେ, ବଳବନ୍ତ ଶତ୍ରୁ ହାତରୁ ଉଦ୍ଧାର ପାଆନ୍ତି ଲୋକ କୌଶଳେ।

 

ଦୁଃଖୀ ମାନବ

ଧନ ଅଭାବେ ଦୁଃଖୀ କେହି,

କେହି ବା ଦୁଃଖୀ ପୀଡ଼ାଦେହୀ,

କେ ଦୁଃଖୀ ଜ୍ଞାତି ପରିଜନେ,

ସମ୍ପୂର୍ଣ୍ଣ ସୁଖୀ ନାହିଁ ଜଣେ।

 

ଅଜ୍ଞେୟ ଜୀବନ ଗତି

ଅଜ୍ଞେୟ ଜୀବନ ଗତି- ଅସୀମ ଅନନ୍ତ,

ସଙ୍କୀର୍ଣ୍ଣ ମାନବ ଜ୍ଞାନ ପାଇବ କି ତତ୍ତ୍ୱ?

ଜୀବନର ଭାବ ଘୋର ତିମିର ଆଚ୍ଛନ୍ନ,

ସାଧ୍ୟ କି- ପ୍ରବେଶେ ତୁଚ୍ଛ ସାମାନ୍ୟ ବିଜ୍ଞାନ।

ନିହିତ କି ଦ୍ରବ୍ୟ ଅଛି ସାଗର ଗର୍ଭରେ-

କଳିବାକୁ ଲୋଡ଼ିବାର ହସ୍ତନିକ୍ଷେପରେ।

 

ମାନବ ସ୍ୱାଧୀନ? କିମ୍ବା ଅଲକ୍ଷ୍ୟ ସୂତ୍ରରେ

ଚାଳିତ? ନ ଯାଏ ଜଣା ସାମାନ୍ୟ ବୁଦ୍ଧିରେ।

ପାପ ପୁଣ୍ୟ ବେନି ମାର୍ଗେ ଜୀବନର ଗତି,

କେ ଚଳେ ଅଧର୍ମ ମାର୍ଗେ-ଧର୍ମା କାହା ମତି।

 

ପ୍ରତ୍ୟକ୍ଷରେ ଦେଖୁଁ ଏହି ରୀତି ବିଦ୍ୟମାନ,

କେ ବୁଝାଇ ଦେବ ବୋଲ ପାର୍ଥକ୍ୟ ବିଧାନ?

ଚାଳିତ ହେଲେହେଁ ଦୈବୀ ମାୟା ପ୍ରଭାବରେ,

ଆତ୍ମକୃତ ଫଳ ଭୁଞ୍ଜେ ଦେଖୁଁ ପ୍ରତ୍ୟକ୍ଷରେ।

 

ଜାଣି ମଧ୍ୟ ଲୋକ ଧର୍ମାଧର୍ମ ପରିଣାମ,

ଅଧର୍ମେ ଧାବିତ ଚିତ୍ତ, ଏ କି ବୁଦ୍ଧି ବାମ!

କେ ବୋଲେ ସହଜସାଧ୍ୟ ପାପ ଅନୁଷ୍ଠାନେ?

କରେ ଲୋକ କେତେ ଯତ୍ନେ କେତେ ସାବଧାନେ ।

ଆଶୁ ସୁଖ, ପରିଶେଷେ ବିଷମ ଯନ୍ତ୍ରଣା,

ସହଜ ଜ୍ଞାନରେ ପାପ ପରିଣାମ ଜଣା।

ଅନଳ ଦାହିକା ଶକ୍ତି ନ ଜାଣେ ପତଙ୍ଗ,

ମାନବ ସନ୍ତାନ ଜାଣେ ଅଧର୍ମ ପ୍ରସଙ୍ଗ।

 

ଯେ ବଂଶେ ଚୈତନ୍ୟ, ଯୀଶୁ, ବୁଦ୍ଧ ବ୍ରହ୍ମଚାରୀ,

ସେ ବଂଶେ ସିଜାରୋ, ନୀରୋ ନରହତ୍ୟାକାରୀ।

ଦେବତା ପିଶାଚ ନରକୁଳେ ସମ୍ମିଳନ,

ନୁହେଁ କି ଏହାର ହେତୁ ପ୍ରଚ୍ଛନ୍ନ କାରଣ।

 

ଶିକ୍ଷା ସହବାସେ ଘଟିଥାଏ ଏ ପ୍ରକାର,

ମାତ୍ର ପ୍ରତ୍ୟକ୍ଷରେ ଦେଖୁଁ ନିତ୍ୟ ବ୍ୟଭିଚାର।

ସ୍ୱଭାବ ଅଭ୍ୟାସ ଉଭ ହେଲେହେଁ ସମାନ,

ମାତ୍ର କାର୍ଯ୍ୟକ୍ଷେତ୍ରେ ଦେଖୁଁ ସ୍ୱଭାବ ପ୍ରଧାନ।

କାହା ପ୍ରେରଣାରେ ଲୋକ କାର୍ଯ୍ୟରେ ପ୍ରବୃତ୍ତ?

 

ସ୍ୱଭାବର ଶକ୍ତି ରୀତି ଅସୀମ ଅଦ୍ଭୁତ।

ମାନବ ସ୍ୱାଧୀନ ଇଚ୍ଛା କେ କରେ ସ୍ୱୀକାର?

ଅଲଙ୍ଘ୍ୟ ନିୟମେ ଚଳେ ଜଗତ ସଂସାର।

ବିଶ୍ୱବ୍ରହ୍ମାଣ୍ଡର ନେତା ପ୍ରକୃତି ନିୟମ,

ସାଧ୍ୟ କି ସ୍ୱାଧୀନ ଇଚ୍ଛା କରେ ଅତିକ୍ରମ?

 

ଦେଶ କାଳ ପାତ୍ର ଭେଦେ ବିବେକ ପରାସ୍ତ,

କାର୍ଯ୍ୟ କାରଣର ରୀତି ପ୍ରଚ୍ଛନ୍ନ ନିତାନ୍ତ।

ମାନବ ଜୀବନ ଭାବୀ ଯାବନ୍ତ ଘଟଣା

ଭୂତଭବିଷ୍ୟତଦର୍ଶୀ ଈଶ୍ୱରଙ୍କୁ ଜଣା;

ଜାଣନ୍ତି ଈଶ୍ୱର ଯାହା-ଅଭ୍ରାନ୍ତ ସମସ୍ତ,

କାହା ସାଧ୍ୟ ଅଣୁମାତ୍ର କରେ ଇତସ୍ତତ?

ଜନମି ଜଗତେ ଲୋକ କରିବ ଯେ କାର୍ଯ୍ୟ,

 

ଅଜ୍ଞେୟ ଆଦେଶ ପୂର୍ବୁଁ କରିଛନ୍ତି ଧାର୍ଯ୍ୟ,

ରଙ୍ଗାଳୟେ ଯେ କରିବ ଯେଉଁ ଅଭିନୟ,

ପୂର୍ବୁଁ ସୂତ୍ରଧର କରି ଅଛନ୍ତି ନିଶ୍ଚୟ।

 

ସୀମା ଲଙ୍ଘିବାର ଅଭିନେତା ଶକ୍ତି କାହିଁ?

ସ୍ୱାଧୀନ ମାନବ- କର ଚିତ୍କାର କିପାଇଁ?

ଜୀବନର ଗତିତତ୍ତ୍ୱ କଲେ ଅନ୍ୱେଷଣ,

ଅନନ୍ତ ତିମିରେ ମନ ମଗ୍ନ ଅବସନ୍ନ।

ବିଜ୍ଞାନର ଜଡ଼ବାଦ, ଦାର୍ଶନିକ ତତ୍ତ୍ୱ,

ଦେଶଭେଦେ ପାତ୍ରଭେଦେ ଭିନ୍ନ ଭିନ୍ନ ମତ

ଥିଲେ ଏକା ଜଣେ ମହାଜ୍ଞାନୀ ନିଉଟନ,

ଯାହାଙ୍କ ପ୍ରତିଭା ଖ୍ୟାତ ସମସ୍ତ ଭୁବନ;

 

ତାଙ୍କ ନିଜ ବାକ୍ୟ- ‘‘ପୂର୍ଣ୍ଣ ଜ୍ଞାନସିନ୍ଧୁ ଜଳ,

କରିଛୁଁ ବେଳାରେ ମାତ୍ର ସଂଗ୍ରହ ଉପଳ।’’

ବିନ୍ଦୁ କି ସିନ୍ଧୁର ତତ୍ତ୍ୱ କଥା ପାରେ ଜାଣି?

ନ ଭୁଲ ବିଶ୍ୱର କଥା- ମାତ୍ର ତୁଚ୍ଛ ପ୍ରାଣୀ।

 

ଲୋଡ଼ ବ୍ରହ୍ମାଣ୍ଡର କାର୍ଯ୍ୟ କାରଣ ପ୍ରସଙ୍ଗ,

ଅନନ୍ତ ଗଗନ ସୀମା ଲଙ୍ଘିବା ପତଙ୍ଗ।

ଯେତିକି ଜାଣିବା ମାତ୍ର ଅଛି ପ୍ରୟୋଜନ,

ସେହି ମାତ୍ର ତତ୍ତ୍ୱମାର୍ଗ କର ଅନ୍ୱେଷଣ।

 

ନ ଜାଣେ ମାନବ ଜାତି ଭୂତ, ଭବିଷ୍ୟତ,

ବର୍ତ୍ତମାନ ମଧ୍ୟ ପ୍ରତ୍ୟକ୍ଷରେ ଅନାୟତ୍ତ।

ଭୀଷଣ ପ୍ରବାହ ନିଏ ଭସାଇ ଜୀବନେ,

ସାଧ୍ୟ କି ତୁମ୍ଭର-ସ୍ଥିର ରହି ପାର କ୍ଷଣେ?

ଏତିକି ମାତ୍ରକୁ ଜଣା ଅନନ୍ତ ଜୀବନ,

ନିୟତ ଉନ୍ନତି ମାର୍ଗ କରେ ଅନ୍ୱେଷଣ ।

ରଖି ଉଚ୍ଚତମ ସ୍ଥାନେ ଲକ୍ଷ୍ୟ ଆହେ ଭାଇ

ଅନନ୍ତ ପ୍ରବାହେ ଦିଅ ଜୀବନ ଭସାଇ

ଥିଲ, ଥିବ, ଅଛ, ଏହି କଥା ରଖି ମନେ

ଅନୁଗତ ରହ ବିଶ୍ୱବିଧାତା ଚରଣେ।

 

ସ୍ୱାଧୀନ ମାନବ-ଭ୍ରାନ୍ତ ଧାରଣା କେବଳ,

ହେବ ବିଧାତାର ବିଧି ଜୀବନେ ସଫଳ।

 

ଭୁଆ ବିରାଡ଼ି ଓ କାଳିଆ କୁକ୍କୁର

ବାଡ଼ିଦୁଆରରେ କାଳିଆ କୁକୁର ପାଉଁଶ ଗଦା ପାଶରେ, ଚମ ଧୁଡ଼ୁ ଧୁଡ଼ୁ ଲାଞ୍ଜ ଲୁଡ଼ୁ ଲୁଡ଼ୁ ପଡ଼ିଛି ଏକ ଧ୍ୟାନରେ। ଦୁଆରକୁ ଚାହିଁ ଅନାଇ ବସିଛି ଓଦା ଜିଭଟାକୁ କାଢ଼ି, କେତେବେଳେ କେହି ଅଇଣ୍ଠା ପତର ଦେବ ତା ପାଶେ ଫୋପାଡ଼ି । ଏହି ସମୟରେ ଭୂଆ ବିରାଡ଼ିଟା ଅଇଲା ଘରୁ ବାହାରି, ମନ ଫୁଲଣାରେ ମିଆଁଉ ମିଆଉଁ ଡାକି ଥର ଦୁଇ ଚାରି। ଖାଇ ପିଇ ଆଚ୍ଛା ଥାକୁଲୁ ଥୁକୁଲୁ ଦେହଟି ନିର୍ମଳ ଦିଶେ, ଚିକଣ ଚାକଣ ମୁହଁଟି ସୁନ୍ଦର ଦିଶୁଛି ଜାଉଁଳି ନିଶେ। କୁକୁର ଉପରେ ନଜର ପଡ଼ନ୍ତେ ବୋଇଲା ତାକୁ ଅନାଇ, କାଳିଆ କୁକ୍କୁର ପଡ଼ିଛୁ ପରା ତୁ ଅଇଁଠା ମୁଠାକ ପାଇଁ। ରାତିଯାକ ଭୁକି ଭୁକି ମରୁଥାଉ ଶୋଇବାକୁ କାହିଁ ତର, ସାଆନ୍ତଙ୍କ ଘରେ କାଳେ ପଶିଯିବ ଆସି ଡକାଇତ ଚୋର! କେମନ୍ତ ସୁନ୍ଦର ଦିଣୁଛି ମୋ ଦେହ ଅନାଇ ଦେଖ ତୁ ଥରେ, କାମ ଧନ୍ଦା ନାହିଁ ବାବୁ ପରି ମୁହିଁ ବୁଲୁଥାଏଁ ଆନନ୍ଦରେ। ଦୁଧ ଭାତ ମାଛ ପେଟେ ପେଟେ ଖାଇ ଚୁଲିମୁଣ୍ଡେ ଥାଏଁ ଶୋଇ। ଅଇଁଠାଖିଆଟା ଜାତିରେ କୁକ୍କୁର ମୋ ସଙ୍ଗେ ହେବୁ କି ତୁହି । ଶୁଣି ନ ଶୁଣିଲା ପରି ସେ କୁକ୍କୁର ରହିଲା ହୋଇଣ ତୁନି,ଅବଶ୍ୟ ମନକୁ ବାଧିଥିବ ପରା କଠିଣ ବଚନ ଶୁଣି।

 

ଦିନେ ସାଆନ୍ତାଣୀ ଚାକରକୁ ଡାକି ବୋଇଲେ ଆରେ ଗୋପଳ! ନିତିପ୍ରତି ଆସି ଭୁଆବିରାଡ଼ିଟା କଲା ତ ଭାରି ଜଞ୍ଜାଳ! ତାହା ଡରେ ଘରେ ମାଛ ଶୁକୁଆ ତ ଆଉ ରଖି ହେଲା ନାହିଁ, ହାଣ୍ଡି କୁଣ୍ଢାଇ ତ ଗଡ଼ାଇ ଖାଇଲା ଥାଏ ଗୋଡ଼କୁ ଅନାଇଁ। ଆଟିକାରେ ପୂରି ଶିକାରେ ଥୋଇଲେ ଦୁଧ ଦହି ଖଜା ମିଠା, ଚିଲା ମାରି ହାଣ୍ଡି ଗଡ଼ାଇ ଖାଇଲା ନିଆଁ ଲଗା ବିରାଡ଼ିଟା। ସେ ଦିନ ତାହାକୁ ଅଖାରେ ପୂରାଇ ଛାଡ଼ି ଆସିଥିଲୁଁ ହାଟେ, ତହିଁ ଆରଦିନ ପଳାଇ ଆସିଲା ଉଣ୍ଡି ଉଣ୍ଡି ବାଟେ ବାଟେ। ଆଜି ରେ ତୁ ନେଇ ଯେରୂପରେ ହେଉ ଦେଏ ତାହାକୁ ଘଉଡ଼ି; ଗୋପାଳିଆ ଶୁଣି ଭାରି ଖପା ହେଲା, ଆଣି ପନାଶି ଦଉଡ଼ି ବାନ୍ଧିଲା ଭୁଆକୁ ଅଣ୍ଟାରେ ବେକରେ, ଘୋଷାଡ଼ି ନେଲା ଦାଣ୍ଡରେ, ଗାଆଁ ପିଲାଯାକ ଧାଇଁ ଆସି ପୁଣି ପିଟୁଥାନ୍ତି ପାଞ୍ଚଣରେ। ଦାଣ୍ଡେ ଦାଣ୍ଡେ ତାକୁ ଘୋଷାଡ଼ି ଘୋଷାଡ଼ି କରୁଥାନ୍ତି କୁଆବୁଆ, ଦାନ୍ତକୁ ନିଫିଡ଼ି ଦରମଲା ହୋଇ ପଡ଼ି ରହିଥାଏ ଭୁଆ। କୁକୁରଟି ଆସି ବୋଲେ ହସି ହସି, କିଏ ରେ

ବିରାଡ଼ି ଭାଇ! ସାଆନ୍ତଙ୍କ ଘରେ ମଜା ଲୁଟୁଥିଲୁ ଦୁଧ ଭାତ ମାଛ ଖାଇ ! ଚୋରୀ ଚପାଟିରେ ଆଚ୍ଛା ସୁଖ ଅଛି ରାତିକେ ହୁଅନ୍ତି ରଜା, ଚୋର ଘରେ ନିତି ଆଲୁଅ ନ ଥାଏ, ଶେଷକୁ ବାହାରେ ମଜା । ଚୋରା ମାଲ ଭାଇ ଦୁଇ ଦିନ ପାଇଁ, ପଛକୁ ହୁଏ ସେ ସଲ, ଗତର ଖଟାଇ ଅଇଣ୍ଠା ପତର ସହସ୍ର ଗୁଣରେ ଭଲ।

 

ଅଚିନ୍ତ୍ୟ ଶକ୍ତି

ବିଚିତ୍ର ଚିତ୍ରିତ ଏହି ଅନନ୍ତ ବ୍ରହ୍ମାଣ୍ଡ,

ଆଦ୍ୟନ୍ତ ଅପରିଜ୍ଞେୟ ଅବଭୂତ କାଣ୍ଡ!

କେ ତୁମ୍ଭେ? କିଏ ବା ମୁହିଁ? ଆସିଅଛୁଁ କାହୁଁ?

ଯିବୁଁ କାହିଁ? ଅଛୁଁ କିପାଁ? ତତ୍ତ୍ୱ ଜାଣୁ ନାହୁଁ।

 

କରିଛନ୍ତି ଆର୍ଯ୍ୟ ଋଷି ସନ୍ଧାନ ବିସ୍ତର,

ପ୍ରକୃତ ପ୍ରଶ୍ନରେ କେବା ଦେଇଛି ଉତ୍ତର?

ଊନବିଂଶ ଶତାବ୍ଦୀର ୟୁରୂପା ବିଜ୍ଞାନ-

ମୂଳତତ୍ତ୍ୱ ପ୍ରକାଶରେ ଦେଖୁଛୁଁ ଅଜ୍ଞାନ।

ଦର୍ଶନ ନୟନହୀନ, ବିଜ୍ଞାନ ନିର୍ବାକ,

ଆଉ ବା ପାଇବ କାହିଁ ଘାଣ୍ଟି ଗ୍ରନ୍ଥଯାକ।

 

ଅସୀମ ବ୍ରହ୍ମାଣ୍ଡ କେ ବା କରିଛି ନିର୍ମାଣ,

କିପରି ଜାଣିଲ ତୁଚ୍ଛ ମାନବ ଅଜ୍ଞାନ?

ଭ୍ରାମ୍ୟମାନ ସୌର ସୃଷ୍ଟି ଅନନ୍ତ ଆକାଶେ

ସୁନିୟମେ କି ଉଦ୍ଦେଶ୍ୟ ସାଧନ ସକାଶେ?

ପ୍ରଭାତେ କାଞ୍ଚନ କାନ୍ତି ବିକାଶି ତପନ

 

ଜଗତକୁ ଦେଲା କିବା ନୂତନ ଜୀବନ!

ଗାଇଲେ ମଙ୍ଗଳ ଗୀତ ବିହଙ୍ଗମଦଳ,

ନବୋଦ୍ୟମେ କାର୍ଯ୍ୟେ ବ୍ୟସ୍ତ ମାନବ ସକଳ।

 

ଆମୋଦିତ ବନସ୍ଥଳୀ କୁସୁମପରାଗେ,

ଧାବିତ ମଧୁପବୃନ୍ଦ ନବ ଅନୁରାଗେ।

 

ହେ ମାନବ, ଯେଉଁ ଦିଗ ଦେଖ ଲକ୍ଷ୍ୟ କରି-

ସର୍ବତ୍ର ପ୍ଳାବିତ ଯେହ୍ନେ ଆନନ୍ଦଲହରୀ।

ଆନନ୍ଦେ ଆନନ୍ଦେ ପରିପୂର୍ଣ୍ଣ ସର୍ବସ୍ଥାନ,

କାହାର ପ୍ରକାଶେ କୀର୍ତ୍ତି ଅନନ୍ତ ମହାନ?

କିପାଇଁ, କାହାର ପାଇଁ ଏ ଅନନ୍ତ ରାଜ୍ୟ?

କେ ମହାମହିମ ଶିଳ୍ପୀ ନିର୍ମିତ ଏ କାର୍ଯ୍ୟ?

 

ମଧ୍ୟାହ୍ନେ ପ୍ରଖର ତପ୍ତ ତପନ କିରଣ

ନିବାରଣ କରେ ସୁଶୀତଳ ସମୀରଣ!

ନିୟମେ ତପନ କରି କାର୍ଯ୍ୟ ସମାଧାନ

ପଶ୍ଚିମ ଆକାଶ ପ୍ରାନ୍ତେ ହେଲେ ଅନ୍ତର୍ଦ୍ଧାନ-

 

ଦିବା କାର୍ଯ୍ୟେ କ୍ଳାନ୍ତ ଜୀବ ବିଶ୍ରାମ କାରଣେ

ଆଚ୍ଛାଦିତ ପୃଥ୍ୱୀ ଅନ୍ଧକାର ଆବରଣେ।

ପୁଣି ଦେଖ ଏ ଜଗତ କିବା ଭୟଙ୍କର!

ଯାଏ ଜଣା ଯଥା ଦୁଃଖ ଯନ୍ତ୍ରଣା ଆକର!

ଯେତେ ସୁଖକର ଦ୍ରବ୍ୟ ଦେଖୁଁ ଜଗତରେ

ପ୍ରଚ୍ଛନ୍ନ ରହିଛି ଦୁଃଖ ସର୍ବ ଅଭ୍ୟନ୍ତରେ।

 

କୁସୁମରେ କୀଟ- ବିଷ ଅମୃତ ମଧ୍ୟରେ-

ଜୀବନରେ ପାପ- ତାପ ପୂର୍ଣ୍ଣ ମରଣରେ-

ପବିତ୍ର ପ୍ରଣୟପାଶେ ଦ୍ୱେଷ ଅତ୍ୟାଚାର-

ଆନନ୍ଦ ଉତ୍ସବ ଆଳୟରେ ହାହାକାର!

ରୋଗର ଯାତନା- ସାଧୁ ଭକ୍ତର ଲାଞ୍ଛନା-

ସ୍ଥବିରର ଅପମାନ- ଦୁର୍ବଳ ଗଞ୍ଜନା-

ନିସର୍ଗ ଘଟଣା କେତେ ବିବିଧପ୍ରକାର

ପୃଥିବୀ ସୌନ୍ଦର୍ଯ୍ୟ କରି ଦିଏ ଛାରଖାର!

ଦିବସ ଆଲୋକ ପଶ୍ଚାତରେ ଅନ୍ଧକାର-

ଆନନ୍ଦ ପଶ୍ଚାତେ କେତେ ଭୀଷଣ ଆକାର

 

ବସ୍ତୁ ବିଦ୍ୟମାନ-ନିତ୍ୟ ଦେଖୁଁ ପ୍ରତ୍ୟକ୍ଷରେ

ବିଜଡ଼ିତ ସୁଖ ଦୁଃଖ ଛନ୍ତି ପରସ୍ପରେ।

ସୁନ୍ଦର ସୁମନେ ପ୍ରସ୍ଫୁଟିତ ଯେ ବନରେ,

ଭୀଷଣ ଭୁଜଙ୍ଗ ଛନ୍ତି ଶାୟିତ ବିବରେ।

ଯେଉଁ ମଧୁକର କରେ ପୀୟୂଷ ପ୍ରଦାନ,

ବହେ ପୁଣି ବିଷମୟ ଭୀଷଣ ବିଷାଣ!

 

ଜଗତ ଜୀବନ ଜଳ ଯେଉଁ ବାରିଦରେ,

ପ୍ରଚ୍ଛନ୍ନ ଭୀଷଣ ବଜ୍ର ତାହା ଅଭ୍ୟନ୍ତରେ।

ରତ୍ନାକର ଗର୍ଭ ମଧ୍ୟେ ଭୁଜଙ୍ଗ ସଞ୍ଚାର,

କମନୀୟ ଦେହେ ବ୍ୟାଧି ବିବିଧପ୍ରକାର।

 

ଦିବା ନିଶି ସୁଖ ଦୁଃଖ ବିଷାଦ ଉଲ୍ଲାସେ

ବିଜଡ଼ିତ ସୃଷ୍ଟି ସ୍ଥିତି ସାଧନ ସକାଶେ।

ହେ ମାନବ! ଏଥି ତତ୍ତ୍ୱ ପାରିବ କି ଜାଣି?

ତୁମ୍ଭେ ଯେ ଜଗତେ କ୍ଷୁଦ୍ରାଦପି କ୍ଷୁଦ୍ର ପ୍ରାଣୀ!

 

ଅନନ୍ତ ବ୍ରହ୍ମାଣ୍ଡ ସଙ୍ଗେ କଲେକ ତୁଳନା,

କେତେ କ୍ଷୁଦ୍ର, ତୁମ୍ଭେ ସହଜରେ ଯିବ ଜଣା

ମାନବର କ୍ଷୁଦ୍ର, ଦୃଷ୍ଟି ସୀମା ଅଭ୍ୟନ୍ତରେ

ଘଟେ କି ଅଭୁତ କାଣ୍ଡ, ଦେଖ ପ୍ରତ୍ୟକ୍ଷରେ

ଦେଖ ଏହି ପୃଥିବୀର ବିସ୍ତାର ପ୍ରାଚୁର୍ଯ୍ୟ,

ଏହାଠାରୁ କେତେ ଲକ୍ଷ ଲକ୍ଷ ଗୁଣ ସୂର୍ଯ୍ୟ!

ଗ୍ରହ ଉପଗ୍ରହ ଘେନି ସୌରପରିବାର

ଅଚିନ୍ତ୍ୟ ନିୟମେ କରେ ଗଗନେ ସଞ୍ଚାର।

 

କୋଟି କୋଟି ସୂର୍ଯ୍ୟ କରି ରଶ୍ମି ବିକୀରଣ

ଧାବିତ ପ୍ରବଳ ବେଗେ ଦେଖୁଁ ଅନୁକ୍ଷଣ।

ସୂର୍ଯ୍ୟର ଉପରେ ସୂର୍ଯ୍ୟ ନିୟମିତ କକ୍ଷେ

ଘୂର୍ଣ୍ଣିତ ପ୍ରଚଣ୍ଡ ବେଗେ ଦେଖୁଛୁଁ ପ୍ରତ୍ୟକ୍ଷେ।

ଅକୂଳ ସାଗର ଗର୍ଭେ କେତେ ଜଳକଣା,

ମରୁ କ୍ଷେତ୍ରେ ରେଣୁ କରି ପାର କି ଗଣନା?

ଗଗନେ ଅଚିନ୍ତ୍ୟ କାର୍ଯ୍ୟ ସେହିପରି ଜାଣ,

ଅନନ୍ତ ଅନନ୍ତ ଇତସ୍ତତଃ ବିଦ୍ୟମାନ।

 

ନାହିଁ ଭେଦ ସ୍ଥୂଳ-ସୂକ୍ଷ୍ମ- ଆଲୋକ-ଅନ୍ଧାର,

ଶ୍ୱେତ-କୃଷ୍ଣ-ପାପ-ପୁଣ୍ୟ ସର୍ବ ଏକାକାର।

ଦୃଷ୍ଟି ସୀମା ରେଖା ପ୍ରାନ୍ତେ କଳ୍ପନାର ରାଜ୍ୟ,

ତଦନ୍ତେ ଅସୀମ ମଧ୍ୟ ବିଶ୍ୱପତି କାର୍ଯ୍ୟ।

 

ମ୍ଳାନ ତହିଁ କୋଟି କୋଟି ଚନ୍ଦ୍ର ସୂର୍ଯ୍ୟ ଜ୍ୟୋତି,

ସ୍ଥିର ବିକାଶିତ ମାତ୍ର ପରଂବ୍ରହ୍ମଦ୍ୟୁତି।

 

ଲଘୁ ଗୁରୁ ନାହିଁ ଭେଦ, ଜ୍ଞାନ ବା ଅଜ୍ଞାନ,

ଦକ୍ଷିଣ ଉତ୍ତର ପୂର୍ବ ପଶ୍ଚିମ ସମାନ।

ଅଛି ସର୍ବ ବିଦ୍ୟମାନ ନାହିଁ ଭେଦାଭେଦ,

ଅଶକ୍ତ ମାନବ ଜ୍ଞାନ ରହସ୍ୟ ପ୍ରଭେଦ।

 

ଏ ସମସ୍ତ ଭାବି ସ୍ତବ୍ଧ ଭୀତ ମନ ପ୍ରାଣ,

ଦେଖୁଁ ମାତ୍ର ବିରାଜିତ ପ୍ରଭୁ ଭଗବାନ।

ଭୟ ଭକ୍ତିଚିତ୍ତେ ନାମେ ପ୍ରଭୁ ଶ୍ରୀଚରଣେ,

ଅଚିନ୍ତ୍ୟାବ୍ୟକ୍ତରୂପାୟ, ଦେବ ବିଶ୍ୱାତ୍ମନେ।

 

କାହିଁ ସେ?

କାହିଁ ଅଛି – କାହିଁ ଗଲେ ଦେଖିବି ସେ ମୁଖ?

ଶାରଦ ଶର୍ବରୀ- ସେ କି ଶଶିଙ୍କ ମୟୂଖ?

ପ୍ରତପ୍ତ ସାହାରା ମରୁ ସିକତା ପ୍ରାନ୍ତରେ-

ଅଛି କି ଗଭୀର କୂପେ ସୁଧା ସ୍ୱରୂପରେ?

ସାଧନାର ସିଦ୍ଧି-କିବା ତପପସ୍ୟାର ଫଳେ-

ଅଛି କି ଲହରୀ ଲୀଳା ନୀଳାମ୍ବୁ ହିଲ୍ଲୋଳେ?

 

ତୁଷାରଧବଳ ଶୀତପ୍ରଧାନ ଦେଶରେ-

ମନ୍ଦାରଲୋହିତ ଦୀପ୍ତ ରବି କିରଣରେ-

ନିଦାଘ ନିଶୀଥ ସିକ୍ତ କୁସୁମ ସୌରଭେ-

କିମ୍ବା ସାନ୍ଧ୍ୟ ଧ୍ରୁବ ତାରାରୂପେ ନୀଳନଭେ-

କ୍ଳାନ୍ତ ଶାନ୍ତ ଦେହେ ଘୋର ନିଦ୍ରା ସମୟରେ-

ସଞ୍ଚରେ କି ପ୍ରେମମୟ ସୁଖଦ ସ୍ୱପ୍ନରେ?

 

ନାହିଁ ନାହିଁ, ନୁହେ ସେ ତ ଉପଯୁକ୍ତ ସ୍ଥାନଳ

ଅକଳଙ୍କ ପୁଣ୍ୟମୟ ପବିତ୍ର ମହାନ।

ପବିତ୍ରତା ପୁଣ୍ୟପ୍ରଭା ଯହିଁ ସମବେତ,

ବୁଝେଁ ଅନୁମାନେ ତହିଁ ରହିଥିବ ସେ ତ।

 

ପାଷାଣ ପ୍ରତିମା l

ପାଷାଣ ମନ୍ଦିରେ ପାଷାଣ ଦେବତା ବିରାଜିତ ସିଂହାସନେ,

ଆକୁଳ ଅନ୍ତରେ ଭକ୍ତି ବିନୟରେ ପୂଜି କୁସୁମ ଚନ୍ଦନେ,

ହୃଦୟ ଦେବତା ମାନସ ବାସନା ଜଣାଇଲି କେତେଥର;

ପୋଷି କେତେ ଆଶା ମନରେ ଭରସା ଲଭିବି ଦେବତା ବର।

 

ଆସେ ନିତି ନିତି ପ୍ରଭୁପଦେ ଭକ୍ତି ରଖି କାତର ନୟନ,

ଅନାଏଁ ଶ୍ରୀମୁଖ ଖଣ୍ଡି ଦେବେ ଦୁଃଖ ଆଶା ଆକୁଳ ଜୀବନେ

ଆହା ବିଡ଼ମ୍ବନା ପ୍ରଭୁଙ୍କ କରୁଣା ଚିହ୍ନ ତ ଦେଖିଲି ନାହିଁ,

ପ୍ରତ୍ୟହ ସମାନ ଦେବତା ବୟାନ ଦେଖୁଛି ନିରେଖି ଚାହିଁ।

 

ସେବା ବା ଆରତି ସମୟରେ ମୂର୍ତ୍ତି ଦେଖେଁ ଯେରୂପ ଭାବରେ,

ନ ପୂଜି ଚରଣ କରେ ଦରଶନ ସଦା ସମାନ ରୂପରେ।

ଆସି ପ୍ରଭୁ ପାଶ ନିୟତ ନିରାଶ ହୋଇ ତଥାପି କାମନା,

କେ ଜାଣେ ବା କେବେ ସୁପ୍ରସନ୍ନ ହେବେ ହରିବେ ହୃଦବେଦନା।

 

କେବେ ଭାଳେଁ ମନେ କିପାଁ କି କାରଣେ ସେବିବି ପ୍ରଭୁ ଚରଣ,

କି ଅଲକ୍ଷ ଆଶେ ନିତି ନିତି ଆସେ ପ୍ରାଣ କରେ ଆକର୍ଷଣ।

 

କେଉଁ ଜାତି ବର୍ବର?

ରାଗ - ଆଶାବରୀ

‘‘ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ପ୍ରକୃତି’’

ଲଲାଟେ, ସୂର୍ଯ୍ୟର ବିନ୍ଦୁ ସୁନ୍ଦର ଆକୃତି।

 

ସକଳ ବିଜ୍ଞାନ, ଜ୍ଞାନ, ସକଳ ସୌନ୍ଦର୍ଯ୍ୟ,

ବିଭବ, ସମ୍ପଦ, ବିତ୍ତ, ସକଳ ଐଶ୍ୱର୍ଯ୍ୟ,

ସାମର୍ଥ୍ୟ, ଗୌରବ, ସର୍ବ ଅପରୂପ ଶିରୀ

ସୂର୍ଯ୍ୟ କିରଣରୁ ପ୍ରାପ୍ତ ହୁଏ ବସୁନ୍ଧରୀ।

 

ପ୍ରକୃତିର ଶିରୀ ସୂର୍ଯ୍ୟକିରଣ ଯେମନ୍ତ,

ତେସନେ ରମଣୀ ଶିରୀ ଅଟଇ ସତୀତ୍ୱ।

ବାଳକମାନଙ୍କ ଶିରୀ ଅଟେ ସରଳତା,

ମାନବ ଜାତିର ବାକ୍ୟ ଶିରୀ ମଧୁରତା।

ପୁରୁଷ ଶ୍ରୀ ଅଟେ ବୀର୍ଯ୍ୟ, ଜାତି ଶିରୀ ଭାଷା,

ଯାହା ଘେନି ଜାତି କରେ ଉନ୍ନତି ପ୍ରତ୍ୟାଶା।

ଭାଷାହିଁ ଜୀବନୀ ଶକ୍ତି ଜାତିମାନଙ୍କର,

ଯେ ଜାତିର ଭାଷା ହୀନ ସେ ଜାତି ବର୍ବର।

 

ଜନନୀ ଉତ୍କଳ ଭାଷା

ରାଗ-ଭୈରବ ଝୁଲା

ମୋ ଜୀବନ ସାର ଧନ ଜନନୀ ଉତ୍କଳ ଭାଷା।

ଆସ ଗୋ ମା! କରେଁ ପୂଜା ପୂର୍ଣ୍ଣ ହେଉ ପ୍ରାଣ ଆଶା।

ଭକ୍ତି, ଶ୍ରଦ୍ଧା, ସ୍ନେହ, ମାୟା, ହୃଦୟ ସ୍ୱର୍ଗୀୟ ଧନ,

ଜନନୀ ଗୋ! କୃପା କରି କରୁ ତୁହି ବିତରଣ।

 

ଜ୍ଞାନ, ବିଦ୍ୟା, ସୁଖ, ଭାଗ୍ୟ ଯାହା କିଛି ମନୁଷ୍ୟତ୍ୱ,

ଜନନୀ! ପ୍ରସାଦେ ତବ, ଅନୁଭବେଁ ସାରତତ୍ତ୍ୱ।

ବିଦ୍ୟାହୀନ, ଶକ୍ତିହୀନ, ଦୀନହୀନ, ଅକିଞ୍ଚନ,

ଆହା ମା! କି ଦେଇ ମୁହିଁ ବନ୍ଦିବି ଗୋ ତୋ ଚରଣ।

 

ଆତ୍ମଶକ୍ତି ଅନୁସାରେ କରୁଛି ମା ତୋ ବନ୍ଦନା,

ନ ବୁଝିଲି ପାଷଣ୍ଡ ମୁଁ ଏହା ଲୋକ ବିଡ଼ମ୍ବନା।

ଦେଇ ମା ଗୋ! ଭକ୍ତିପୁଷ୍ପ ସେବିବି ଚରଣ ତୋର,

ହେଉ ପଛେ ସେ ସୁମନ ଗନ୍ଧହୀନ ଅସୁନ୍ଦର।

 

ଏତିକି ପ୍ରାର୍ଥନା ମାତଃ! କରୁଅଛ ବାରେ ବାରେ,

ଜୀବନ ଅନ୍ତିମ କାଳ ଗତ ହେଉ ତୋ ସେବାରେ।

 

ଭଗ୍ନ ଶିବମନ୍ଦିର

ରାଗିଣୀ-ରସକୁଲ୍ୟା

ବୋଲ ଶିବାଳୟ ବୋଲ ସ୍ୱରୂପ,

କେ କଲା ଏପରି କୁତ୍ସିତ ରୂପ?

ବିଜନେ ବିରଳେ ରହିଛି ଉଭା,

ନାହିଁ ତ ଗୌରବ ବିଭବ ଶୋଭା?

ପୂଜାପାଇଁ ଶଙ୍କରଙ୍କୁ ଯେ

କେବେ କେହି ଭକ୍ତ            ସେବା ଅନୁରକ୍ତ

ଆସୁଥିଲେ ଏ ସ୍ଥାନକୁ ହେ?

ତୋ ଦେହରୁ ଚୂନ ଗଲାଣି ଛାଡ଼ି,

ବଟବୃକ୍ଷ ଚେର ଯାଉଛି ମାଡ଼ି,

ବାଜୁଥିଲା ଯହିଁ ଘଣ୍ଟା କଂସାଳ,

ତହିଁ ରାବୁଛନ୍ତି ପେଚା ଶୃଗାଳ,

ଥିଲେ ଯହିଁ ଭକ୍ତମାନେ ହେ,

 

ଭୀଷଣ ଭୁଜଙ୍ଗେ            ଫେଣ ଟେକି ରଙ୍ଗେ

ଖେଳୁଛନ୍ତି ସେହି ସ୍ଥାନେ ହେ।

ଶିବଚତୁର୍ଦଶୀ ନିଶିରେ ବସି

ଦୀପାବଳୀ ଜାଳି ଗ୍ରାମରୂପସୀ

ହୁଳହୁଳି ଦେଇ ଶଙ୍ଖ ବଜାଇ

ବସିଥାନ୍ତି ଉଜାଗରରେ ଥାଇ,

କରୁଥିଲେ କିଣା ବିକା ହେ

 

ଚଣା ଭୁଜା ଚୂଡ଼ା            ମିଠାଇ ଉଖୁଡ଼ା

ଦୋକାନୀ କରି ଜୀବିକା ହେ।

ପ୍ରତିଦିନ ଆସୁଥିଲା ତ ମାଳୀ

ଶମ୍ଭୁଶିରେ ଜଳ ଦେବାକୁ ଢାଳି?

ଚମ୍ପାଫୁଲ ବିଲ୍ୱପତ୍ର ଚଢ଼ାଇ

ଭକ୍ତ ମନୋବାଞ୍ଛାପୂରଣ ପାଇଁ,

ଏବେ କି ସେ ଆସେ ଥରେ ହେ?

 

ସମ୍ପଦ ବେଳରେ            ଲୋକ ସମାଦରେ,

ପଚାରେ କେ ବିପଦରେ ହେ?

ଘାଟନାଉଡ଼ିଏ ତୋତେ ଅନାଇ

ଆସନ୍ତି ପଝାରି-ନାଆକୁ ବାହି,

ଏବେ ସେମାନଙ୍କୁ ମାଡ଼ୁଛି ଡର,

ନାଏ ବାଜିବ ବା ଭଙ୍ଗା ପଥର,

ଜଗତରେ ଏହି ରୀତି ହେ

ଭରସା ଆଲୋକ            ଥିଲା ଯେଉଁ ଲୋକ,

ମଲେ ହୁଏ ଭୂତ ଭୀତି ହେ।

ମୋ ଦେହ ସମଷ୍ଟି ମାଂସ ଶୋଣିତ,

ମାଙ୍କଡ଼ା ପଥରେ ତୁହି ନିର୍ମିତ,

ତୋହ ଦଶା ଦେଖି ମାଡ଼ୁଛି ଡର,

କାଳମୁଖେ ମୁହିଁ କେତେ ମାତର,

ଥିଲୁ ମୃତ୍ୟୁଞ୍ଜୟ ସ୍ଥାନ ହେ,

ସେହି ମୃତ୍ୟୁସାଇଁ            ଭାସିଗଲେ କାହିଁ,

କେ ରଖିବ ତୋର ମାନ ରେ।

ଆଗେ ଥିଲା ଶୋଭା ପବିତ୍ର ସ୍ଥାନ,

ଏବେ ଜନଶୂନ୍ୟ କୀର୍ତ୍ତିଶ୍ମଶାନ,

ଆହେ କୀର୍ତ୍ତିମନ୍ତ ଦେଖ ତ ଆସି,

କି କଲାଣି କାଳ କୀର୍ତ୍ତୀ ବିନାଶି,

ପବିତ୍ର ଶୋଭାଭଣ୍ଡାର ହେ

ସେ କାଳ କରାଳ            ଭାଙ୍ଗି ବେନି ଫାଳ

କଲାଣି ଯେ ଛାରଖାର ହେ!

ପଡ଼ିଛି ଦେଉଳ ପଥର ବୁଣି,

ପକାଇଛି କାଳ ଦାନ୍ତରେ ଝଣି,

‘‘ମହିମ୍ନଃ ପାରନ୍ତେ’’- ସ୍ତବ ବ୍ରାହ୍ମଣେ

ପଢ଼ି ତୋଷୁଥିଲେ ଭକତଗଣେ,

କାହାନ୍ତି ସେ ବିପ୍ରବର ହେ?

 

ଦେଉଳ ଫାଟରେ            ବାୟୁ ପଶି ଖରେ

ଶୁଣାଉଛି ମନ୍ତ୍ର ସ୍ୱରେ ରେ।

‘‘ଅଷ୍ଟକୁଳାଚଳ ସପ୍ତ ସମୁଦ୍ର,

ବ୍ରହ୍ମ ପୁରନ୍ଦର ମାର୍ତଣ୍ଡ ରୁଦ୍ର,’’

ତୁମ୍ଭେ ଆମ୍ଭେ କେହି ରହିବା ନାହିଁ,

ଏତେ ହିଂସା ଦ୍ୱେଷ ତେବେ କିପାଇଁ?

ଦେଖ ତହିଁ ତେବେ କିପାଇଁ?

ଦେଖ ତହିଁ ନିଦର୍ଶନ ହେ,

 

କାହିଁ ଶିବଳୟ            ପବିତ୍ର ଆଳୟ

କାହିଁ ଗଲେ ଲଛମନ ହେ।

 

*କଟକ ସମୀପସ୍ଥ କାଠଯୋଡ଼ୀ ନଦୀ ଫତେମୁଖା ଘାଟ ବିପରୀତ କୂଳରେ ଲଛମନ ହାଜିରା ମୁକାମେଣ୍ଟରଠାରେ ଯେଉଁ ଶିବମନ୍ଦିର ନିର୍ମାଣ କରିଥିଲେ, ନଦୀ ବଢ଼ିଲେ ତାହା ଭାଙ୍ଗି ବୁଡ଼ି ଯାଇଅଛି।

 

‘‘ମନ୍ଦ କବିଯଶଃପ୍ରାର୍ଥୀ’’

ରାଗ - ମଙ୍ଗଳ

‘ମନ୍ଦଃ କବିଯଶଃପ୍ରାର୍ଥୀ’ ଏହି ପରିଚୟ

ମୋ କବିତା ପାଠ କରି ପାଇବ ନିଶ୍ଚୟ।

ନାହିଁ ମୋ ପ୍ରତିଭା ନାହିଁ ଗ୍ରନ୍ଥ ଅଧ୍ୟୟନ,

କି ଗୁଣେ କରିବି କବିଯଶ ଉପାର୍ଜନ?

ତଥାପି ଚଞ୍ଚଳ ମନ ସଦା ଅଛି ଧାଇଁ,

ସାଧାରଣେ କବିଯଶ ଲଭିବାର ପାଇଁ।

 

ଜନ- ସମାଜରେ କବି ଜୀବନ ଦୁର୍ଲଭ,

ଲଭିବାକୁ ସେ ଐଶ୍ୱର୍ଯ୍ୟ ବ୍ୟାକୁଳ ମାନବ।

ଥାଉ ବା ନ ଥାଉ ଜ୍ଞାନ ପ୍ରତିଭାର ଶକ୍ତି,

ହେବି କବି ଅକିଞ୍ଚନ ତହିଁ ମତି ଗତି।

କେ କାହିଁ ହୋଇଛି କବି ଆପଣା ଯତ୍ନରେ?

ଏ କଥା ତ ମୁହିଁ ବେଳେ ନ ଭାବିଲି ଥରେ।

ମାତ୍ର ଦୃଢ଼ରୂପେ ମନ ମଧ୍ୟେ ଅଛି ଜାଣି,

କାଳିଦାସ ମହାକବି ସେବି ବୀଣାପାଣି।

ପାଏ କି ସେ ମହାବର ଲୋକ ସହଜରେ?

ହେବି ବା ଶାରଳାଦାସ ଶାରଳାଙ୍କ ବରେ।

ଲଭୁଛି ସାନ୍ତ୍ୱନା ମନେ ପୋଷି ଏହି ଅଶା,

କରୁଛି ସାର୍ଥକ ପ୍ରାଣ ସେବି ମାତୃଭାଷା।

 

କବି ଅନ୍ନପୂର୍ଣ୍ଣା

ରାଗ - ମଙ୍ଗଳ

ଅନ୍ନ ଶୂନ୍ୟା ଅନ୍ନପୂର୍ଣ୍ଣା ମହିଳାମଣ୍ଡନା,

କବି ନାମେ ମୁହିଁ ତୋତେ କରୁଛି ଗଣନା।

ସାମାନ୍ୟ ଗୃହିଣୀ ତୁହି ନୋହୁ ଧନବତୀ,

ମାତ୍ର ମୋ ବିଶ୍ୱାସ ତୁହି ମହାଭାଗ୍ୟବତୀ।

 

ଧର୍ମନିଷ୍ଠା ପତିଭକ୍ତି କରିଛୁ ସମ୍ବଳ,

କୁଳବତୀ ପକ୍ଷେ ଯାହା ସମ୍ପତ୍ତି କେବଳ।

ଦାରିଦ୍ର୍ୟର ବେତ୍ରାଘାତେ ନୋହି ବିଚଳିତ,

ସୁଖେ ଦୁଃଖେ ରଖିଅଛୁ ପ୍ରଭୁପଦେ ଚିତ୍ତ।

ରୋଗେ ଦୁଃଖେ ପଡ଼ି ମଧ୍ୟ ସ୍ଥିର କରି ମନ,

 

ସାହିତ୍ୟ ସେବାରେ କଲୁ ଚିତ୍ତ ସମର୍ପଣ।

ଜଗତର ସୁଖ ଦୁଃଖ ନୁହେ ଚିରସ୍ଥାୟୀ,

 

ଭୁଞ୍ଜନ୍ତି ମାନବଗଣ ଭାଗ୍ୟ ଅନୁଯାୟୀ।

ଆସୁ ବା ଐଶ୍ୱର୍ଯ୍ୟ କିମ୍ବା ବିପଦ ଭୀଷଣ,

ଧୈର୍ଯ୍ୟ ଧରି କରିବୁ ତା ମସ୍ତକେ ଧାରଣ।

 

ବିଚଳିତ ହେବୁ ନାହିଁ ସମ୍ପଦେ ବିପଦେ,

ଦୃଢ଼ରୂପେ ରଖିଥିବୁ ଚିତ୍ତ ପ୍ରଭୁପଦେ।

ଯେ କୀର୍ତ୍ତି ରଖିଲୁ ମା! ତୁ ଉତ୍କଳ-ମଣ୍ଡଳେ,

ଗାଇବେ ତା ଭବିଷ୍ୟତ ମାନବ ସକଳେ।

 

ଆଶୀର୍ବାଦ କରୁଅଛି ଆଗୋ ସାଧ୍ୱୀ ସତୀ,

ମହାପ୍ରଭୁ ପାଦପଦ୍ମେ ଥାଉ ତୋର ମତି।

ମୋର ଏହି ଅଭିଳାଷ ଶୁଣ ରେ ନନ୍ଦନୀ,

କାଟିବୁ ଜୀବନ ବ୍ରତ ଧରି ତପସ୍ୱିନୀ।

ମଣିବୁ ତୋ ଜଗତରେ ଶତ୍ରୁ ମିତ୍ର ନାହିଁ,

ନିରନ୍ତରେ ରହିଥିବୁ ପ୍ରଭୁପଦ ଚାହିଁ।

 

ଦେବୀପ୍ରତିମା ବିସର୍ଜନ

ରାଗ - ମଙ୍ଗଳ

‘‘ଗଚ୍ଛ ଗଚ୍ଛ ଗୃହଂ ଗଚ୍ଛ ସ୍ୱସ୍ଥାନେ ପରମେଶ୍ୱରୀ!’’

ସୁଖଦେ ବରଦେ ଦେବୀ ଆସି ଧରାତଳେ

ବର ଦେଇ ଯାଅ ମାତଃ ମାନବମଣ୍ଡଳେ।

ଭକ୍ତିପୁଷ୍ପ ଦେଇ ମାତଃ କରୁଛି ସମ୍ମାନ,

ଘେନି ଅନୁଚର କର ସ୍ୱସ୍ଥାନେ ପ୍ରସ୍ଥାନ।

ଦେଇ ହୁଳହୁଳି ଆସ କୁଳବଧୂଗଣେ,

ଭକ୍ତି-ପୁଷ୍ପାଞ୍ଜଳି ଦିଅ ଦେବୀଙ୍କ ଚରଣେ l

ଗଳ-ଲଗ୍ନ-ବାସେ କର ଦେବୀଙ୍କୁ ପ୍ରଣତି,

ମାଗ ବର ଧନୈଶ୍ୱର୍ଯ୍ୟ ସନ୍ତାନ ସନ୍ତତି।

ପଞ୍ଚଶସ୍ୟ ବିଲ୍ୱପତ୍ର ନବ ଦୁର୍ବାଦଳ

ଦେଇ ମୁଁ ପୂଜିବି ଦେବୀ ଚରଣ- କମଳ।

ପ୍ରଣତି ମା ଶୈଳସୁତେ ଦାନବନାଶିନୀ।

ମୋ ପ୍ରତି ହେଉନ୍ତୁ ଭକ୍ତିମୁକ୍ତିପ୍ରଦାୟିନୀ ।

ଆଦିତ୍ୟାଦି ନବଗ୍ରହ ଦିନପାଳଗଣେ!

ଭକ୍ତିଭରେ ହେଉଅଛି ପ୍ରଣତ ଚରଣେ।

ଗଣେଶାଦି ପାଞ୍ଚ ଦେବ ତାଙ୍କୁ ବାରମ୍ବାର

ବେନି କର ଯୋଡ଼ି କରୁଅଛି ନମସ୍କାର।

 

ଶିବପ୍ରିୟେ! ଘେନି ସର୍ବ ଦେବଦେବୀଗଣ

ଦେଉଛି ମେଲାଣି ଯାଅ କୈଳାସଭବନ

ବିସର୍ଜନ ଦେଲି ଏବେ ଯାଆନ୍ତୁ ପ୍ରତିମ

ଗାଉଥିବି ବସି ଜଗନ୍ନାତାଙ୍କ ମହିମା।

ଲାଗ ଲାଗ

ରାଗ - ବଙ୍ଗଳାଶ୍ରୀ

ଲାଗ ଲାଗ ଲାଗ            ଉଠ ଉଠ ଜାଗ

ହେ ଭାଇ ଉତ୍କଳବାସୀ!

ଦେଖ ହେ କିପରି            କି କରୁଅଛନ୍ତି

ତୁମ୍ଭ ସର୍ବ ପ୍ରତିବାସୀ।

 

ଅଙ୍ଗବଙ୍ଗବାସୀ            ପଞ୍ଜାବୀ ପାରଶୀ

ମରହଟ୍ଟା ନିରନ୍ତରେ

ଦୃଢ଼ କରି ବ୍ରତ            ଧାବିତ ସନ୍ତତ

ଆତ୍ମଉନ୍ନତି ମାର୍ଗରେ।

ଦେଖ ଗ୍ରାମ ଗ୍ରାମ            ଜୀବନସଂଗ୍ରାମ

ଲାଗିଅଛି ସର୍ବ ସ୍ଥଳେ,

 

ସେହି ମହାଭାବ            କେବଳ ଅଭାବ

ଦେଖୁଛି ମୁଁ ତ ଉତ୍କଳେ

ଆହେ ଭାଇମାନେ!            ଶୁଣ ସାବଧାନେ,

ଏହି ଉନ୍ନତି ଯୁଗରେ

ମୃତବତ ହୋଇ            ପଡ଼ିବ କି ଶୋଇ

ଅଧମ ଜଡ଼ ରୂପରେ?

ହେ ଉତ୍କଳଭେଣ୍ଡା!            ନୁହ ତ ହେ ମେଣ୍ଢା,

ହୋଇ ଶାର୍ଦ୍ଦୂଳସନ୍ତାନ

ଅଧମ ବେଭାରେ            ଅନ୍ୟ ଜାତିଠାରେ

ହେଉଅଛ ହୀନମାନ।

ହେବା ହୀନମାନ            ମରଣ ସମାନ

ଜ୍ଞାନ କି ନ କର ଭାଇ?

ଜ୍ଞାନ ସାହସରେ            କି ହୋଇ ନ ପାରେ

ଜାପାନକୁ ଦେଖ ଯାଇ।

 

ଦିନ ଦିନ ହୋଇ            ଯାଏ କାଳ ବହି,

ରହିଛ କାହାକୁ ଚାହିଁ?

ନିଜ କାର୍ଯ୍ୟମାନ            ନ କଲେ ସାଧନ

କେ କରିବ ତୁମ୍ଭ ପାଇଁ?

 

ବଙ୍ଗବାସିମାନେ            ବିଲାତ ଜାପାନେ

ଆପଣା ଉନ୍ନତି ପାଇଁ

ଆଣ୍ଟେ ଅଣ୍ଟା ଭିଡ଼ି            ଜାହାଜରେ ଚଢ଼ି

କେମନ୍ତ ଅଛନ୍ତି ଧାଇଁ!

 

ଭୀଷଣ ସାଗର            କିଞ୍ଚିତମାତର

ତିଳେ ନାହିଁ ଚିତ୍ତେ ଭୀତି,

କଥା କଥାକରେ            ଅତି ସହଜରେ

ଯାଏ ଓଡ଼ିଆଙ୍କ ଜାତି।

ଅଳସପଣରେ            ଅମନୋଯୋଗରେ

ଏ ସୁଯୋଗ ଦେଲେ ଛାଡ଼ି,

ଉନ୍ନତି ଆସନେ             ବିଦେଶୀୟମାନେ

ଆଗରେ ବସିବେ ମାଡ଼ି।

ଉନ୍ନତିର ପଥ            ବିଘ୍ନ ଶତ ଶତ

ବେଢ଼ିଅଛି ସ୍ଥଳେ ସ୍ଥଳେ,

 

 

 

ହୋଇ ମହାବଳୀ            ଚାଲ ପଦେ ଦଳି

ଉତ୍ସାହ ସାହସ ବଳେ।

ବଙ୍ଗାଳୀଙ୍କ କାର୍ଯ୍ୟ            ଦେଖି କିହେ ଲାଜ

ମାଡ଼ୁନାହିଁ ଆହେ ଭାଇ!

କେଡ଼େ ବଡ଼ଲୋକ            ହେଉଛନ୍ତି ଦେଖ

ବିଲାତେ ଜାପାନେ ଯାଇ।

 

ଉନ୍ନତି-ପିପାସା            ତେଜି କୋଣପଶା

ହୋଇ ବସିଥାଅ ଘରେ,

କିପରି ତୁମ୍ଭର            ପୂରିବ ଉଦର

ଏ କଥା ନ ଭାଳ ଥରେ।

 

କୁତ୍ସିତ ବେଭାର            କେତେ ଦେଶାଚାର

ଘେନି ବସିଅଛ ମୁଣ୍ଡେ,

କଷ୍ଟି-କଷ୍ଟଚୟ            ଫେଡ଼ିବା ବିଷୟ

ବେଳେ ନ ଧରିଲ ତୁଣ୍ଡେ।

 

କୂଅ-ବେଙ୍ଗ ପରି            ଅଛ ଜ୍ଞାନ କରି

ତୁମ୍ଭେ ସବୁ କଥା ଜାଣ,

ଅନ୍ନ ବସ୍ତ୍ରେ ପୁଣି            ହୋଇ ଟାଣିଟୁଣି

ଛାଡ଼ୁ ନାହିଁ ମୁହଁ ଟାଣ।

ଦୁଇ ଚାରି ଜଣ            କରିଛନ୍ତି ପଣ

ସମାଜ ସଂସ୍କାରପାଇଁ,

 

ଆଭୁଡ଼ା ପଡ଼ିଆ            ହୋଇଣ କଜିଆ

କିପାଇଁ ଲଗାଅ ଭାଇ?

ବିଧବା ସକାଶେ            କେହି ଯେବେ ଆସେ

ବୋଲିବାକୁ ଦୁଇ କଥା,

ତୁମ୍ଭେ ଠେଙ୍ଗା ଧରି      ଆସିବ ବାହାରି

ବାଡ଼େଇ ଦେବାକୁ ମଥା।

 

ତୁମ୍ଭର କି ଇଷ୍ଟ            ବିଧବାଏ କଷ୍ଟ

ପାଇ ମରନ୍ତୁ ଗୃହରେ?

 

ଅବା ଭ୍ରୁଣହତ୍ୟା            କରିଣ ଅଗତ୍ୟା

କାଳି ଦେଉନ୍ତୁ କୁଳରେ?

ବିଧବା କଷ୍ଟରେ            ଯେବେ ବିକଳରେ

କେହି ସାଧୁଲୋକ କାନ୍ଦେ,

କରି କଉଶଳ            ଦେଇ ବୁଦ୍ଧିବଳ

ତାକୁ ପକାଇବ ଫାନ୍ଦେ।

 

ଯେବେ କେହି ଭାଇ      ଘରୁ ଭାତ ଖାଇ

କରେ ପରା ଉପକାର,

ତୁମ୍ଭେ ଧାଇଁଯାଇ            କରିବ କିପାଇଁ

ତା ଉପରେ ଅତ୍ୟାଚାର?

ଅନାଥା ନିଶ୍ୱାସ            ତୁମ୍ଭ ସର୍ବନାଶ

କରିବ ନିଶ୍ଚୟ ଜାଣ,

 

ଜାଣିଥିବ ବାରେ            ଧର୍ମଙ୍କ ଦୁଆରେ

ଭାଙ୍ଗିଯିବ ତୁମ୍ଭ ଟାଣ!

ପତିହୀନା ବାଳା            ନ ସହିଣ ଜାଳା

କୁଳେ ଦେଉଛନ୍ତି କାଳି,

 

ଥାଅ ଆଖି ବୁଜି            କଥାଟା ନ ବୁଝି

ବେଳେ ନ ବିଚାର ଭାଳି।

ବରଷକୁ ଥରେ            ହେବ କଟକରେ

ଓଡ଼ିଆଙ୍କ ସମ୍ମିଳନୀ,

ଉତ୍କଳରେ ଯେତେ            ଅଛନ୍ତି ପଣ୍ଡିତେ

ଯେତେ ଛନ୍ତି ଜ୍ଞାନୀ ଧନୀ,

 

ରାଜା ମହାରାଜା            ବଣିକ ପରଜା

ସଭା କରିବେ ସେ ସ୍ଥାନେ,

କହି ସବୁ କଥା            ତହିଁରୁ ବ୍ୟବସ୍ଥା

ଆସି ନିଅ ତୁମ୍ଭେମାନେ।

ଆପଣାକୁ ଜ୍ଞାନୀ            ଅଛ ପରା ଜାଣି

ସେ ଦିନ ଯାଇଛି ଚାଲି,

ଘରେ ଭାତ ନାହିଁ            ତୁଛାଟାରେ ଭାଇ

ଗରଜି ନ ମର ଖାଲି।

 

ମୁଁ ହାଟବାହୁଡ଼ା

ରାଗ - ଚକ୍ରକେଳି

ଦେଖିଲି ସଂସାରେ ବସିଛି ହାଟ,

ଲୋକଗହଳରେ ନ ମିଳେ ବାଟ।

ଦୋକାନ ପସରା ଧାଡ଼ିକି ଧାଡ଼ି,

ବାଟ ଦୁଇ ପାଶ ବସିଛି ମାଡ଼ି।

 

ଭୁଲାଇବାପାଇଁ ଗହକି ମନ

ହାଟୁଆଙ୍କ ଦେଖ କେଡ଼େ ଯତନ।

ହାଟୁଆ ବାଟୁଆ ଅଛନ୍ତି ଧାଇଁ

ହାଟେ କିଣା ବିକା କରିବା ପାଇଁ ।

 

ହାଟ କରିବାକୁ ବଳିଲା ମନ,

ମାତ୍ରକ ନାହିଁ ତ ହାତରେ ଧନ।

ବାହାରିଲି ହାଟ ଦେଖିବା ପାଇଁ,

ଦୋକାନମାନଙ୍କୁ ଦେଖିଲି ଚାହିଁ।

 

ପାଟି କରୁଛନ୍ତି ଦୋକାନି ମାନେ,

ଆସ ଗହକିଏ ମୋହ ଦୋକାନେ;

ଅଳପ ଲାଭରେ ଛାଡ଼ୁଛ ମାଲ,

ଭଣ୍ଡାଭଣ୍ଡି ନାହିଁ ଚିଜ ଅସଲ।

 

ବୁଲି ବୁଲି ହାଟେ ମୁଁ କ୍ରମେ କ୍ରମେ

ଗୋଟାଏ ଦୋକାନେ ଗଲି ପ୍ରଥମେ।

ଏହି ଦୋକାନଟା ଭାରୀ ଗହଳ,

ଧାଇଁଛନ୍ତି ଲୋକ ଦଳକୁ ଦଳ।

 

ହାତେ ବିଶାକାଠି ଦୋକାନୀ ଧରି

ବସିଛନ୍ତି ଯମରାଜାଙ୍କ ପରି।

ଦୋକାନରେ ମାଲ ନ୍ୟାୟ ବିଚାର,

କିଣେ ସେ କପାଳ ଫାଟେ ଯାହାର।

 

ଦୋକାନୀ ବହୁତ ନ କହେ କଥା,

ବସିଛନ୍ତି ପୋତି ତଳକୁ ମଥା।

ଯୋଡ଼ାଏ ଗହକି ଅଛନ୍ତି ଧାଇଁ,

ଦୋକାନୀଙ୍କଠାକୁ ସଉଦା ପାଇଁ।

ଦୁଇ ଦଣ୍ଡିଦାର ଛିଡ଼ା ଆଗରେ,

ଡକାପାଡ଼ୁଛନ୍ତି ଭାରୀ ଉଚ୍ଚରେ।

 

ସଉଦା ଯେ ନେବ ରହିଣ ତୁନି

ଦଣ୍ଡିବାର କଥା ଯାଉଛି ଶୁଣି।

ଦୋକାନୀ ପ୍ରଭୁତ ନିଜ ବୁଦ୍ଧିରେ

ଚଉଲିଲେ ମାଲ ଲଅ ନଜୀରେ।

 

ଚଉକିରେ ବସି କଲେ ପ୍ରଚାର,

ଏହି ନିଅ ମାଲ ନ୍ୟାୟ ବିଚାର।

ଜଣେ ଦେଇ ଶଏ ଟଙ୍କା କୋଟ୍‌ଫିସ୍

କିଣିଲା ବିଚାର ତହୁଁ ଡ଼ିସ୍‌ମିସ।

 

ଜାଣେ କରି ଘରଦ୍ୱାର ବିକିରି

ମାଲ କିଣି ଘରେ ନେଲା ତିକିରି।

ଦଣ୍ଡିଦାର ଥାଏ ପଛରେ ଧାଇଁ

ବକସିସ ଫିସ ନେବାର ପାଇଁ।

 

ଦେଖିଲି ଗୋଟାଏ ଚାଳି ଦୋକାନ,

ଦୋକାନୀର ନାମ ଯେ ଅବଧାନ।

 

ଡୋର ଦେଇ ରଖିଅଛି ଗମ୍ଭୀରେ,

ପୋତି ପଡ଼ିଲାଣି ମୂଷାମାଟିରେ।

ଦେବାପାଇଁ ସେହି ଗୋଦାମଝାଡ଼ି

ତୁଛାଟାରେ ମାଲ ଦେଉଛି ଛାଡ଼ି।

 

ପୁରୁଣା ମାଲରେ ଶରଧା ନାହିଁ,

କିଏ ଘେନି ଯିବ ତାହା କିପାଇଁ?

ମାତ୍ରକ ଦେଖିଣ ଫଳ ପାଚିଲା,

ଘେନିଗଲେ ଥୋକେ ବ୍ରାହ୍ମଣ ପିଲା।

 

ପଇସା ପାଇବେ କରି ଭରସା

ଖବରକାଗଜ ଲେଖା ବେବସା

କରି ବସିଛନ୍ତି କେତେ ଦୋକାନୀ,

ଦେଖିଲି ସେ ଗୁଡ଼ା ଭାରି ଅଜ୍ଞାନୀ।

 

ଯାଚି ଯାଚି ମାଲ ଦିଅନ୍ତି କାଳି,

ଟଙ୍କା ମାଗି ଯାଇ ଖାଆନ୍ତି ଗାଳି।

ଏପରି ଗହକି ଥୋକେ ଅଛନ୍ତି,

ଆଗ ମୂଲ ଦେଇ ମାଲ ନିଅନ୍ତି।

ଆହୁରି ଦେଖିଲି, ସବୁ କଥାରେ

ଡରି ମରି ଥାନ୍ତି ଲୋକଙ୍କଠାରେ।

 

ମାତ୍ରକ ଯେ ବିକେ ବିଲାତୀ ମାଲ,

ଖାଇ ପିଇ ତାର ଫୁଲିଛି ଗାଲ।

ତାକୁ ଡରି ଥାନ୍ତି ବହୁତ ଲୋକ,

କାଳେ ବୋଲିଦେବ କଥାପଦକ।

 

ଦେଖି ଲାଗିଲାଣି ତାଟଙ୍ଗା ମୋତେ,

ଦେଶୀ ବିଲାତୀର ପ୍ରଭେଦ ଏତେ!

ଦୋକାନ ଦୁଆରେ କେହି ରୂପସୀ

ଆପଣା ସଉଦା ବିକୁଛି ବସି।

ହସି ହସି ପ୍ରେମସଙ୍ଗୀତ ଗାଇ

ଗହକିମାନଙ୍କୁ ନିଏ ଭୁଲାଇ।

 

କୁତସିତ ବ୍ୟାଧି ନିନ୍ଦା ଅଧର୍ମ

ମାଲ ବିକିବାର ତାହାର କର୍ମ।

ବାପ ଅରଜିଲା ବିତ୍ତକୁ ଦେଇ

କିଣୁଛି ସେ ମାଲ ଭେଣ୍ଡିଆ କେହି।

 

ଦେଖିଲି ହାଟରେ କେତେ ମୋଟିଆ,

କେହି ବସିଅଛି, କେହି ବା ଠିଆ।

କେହି ଲୋକ ଯେବେ ଡାକିବ ଜଣେ,

ଦରଖାସ୍ତ ଧରି ଧାଇଁବେ ପଣେ।

ମୋଟିଆଙ୍କ ନାମ ଅଟେ ଅମଲା,

ସତେ ସତେ ତାଙ୍କ ବଂଶ ଅମଲା!

 

ଆଉ ଏକଭଳି ଛନ୍ତି ଦୋକାନୀ,

ସେମାନଙ୍କ ନାମ ଅଟେ କିରାଣୀ।

ମୁଣ୍ଡ ଗୁଞ୍ଜି ଲେଖୁଥାଆନ୍ତି ବସି,

ବେଳ କାହିଁ କଥା କହିବେ ହସି।

 

ଯାହା ସେ ପାଆନ୍ତି ଅଳପ ମୂଲ,

ଘରଖରଚକୁ ନୁହଇ ତୁଲ।

ପନ୍ଦର ଦିନରେ ସରଇ ଭାତ,

କରଜ ସକାଶେ ବଢ଼ାନ୍ତି ହାତ।

ପାଆନ୍ତି ସେ କିଛି ଉପରି ବଟା-

ହେଟକିରାଣୀଙ୍କ ଦାନ୍ତନିକିଟା।

 

କେତେ ଜଣ କରିଛନ୍ତି ଜୀବିକା,

ତାହାଙ୍କ ବେବସା ଯେ କଥାବିକା।

ପଇସା ପାଇଲେ ବିକନ୍ତି କଥା,

ବଛାବଛି ନାହିଁ ସତ ବା ମିଥ୍ୟା।

କାଖେ ଯାକିଛନ୍ତି ଲଅ ନଜୀର,

ଡାକିବା ମାତ୍ରକେ ହେବେ ହାଜିର।

ବଡ଼ ହୁସିଆର ସେହି ଦୋକାନୀ,

ଆଚ୍ଛା ଦିପଇସା ନିଅଇ ଟାଣି।

 

ଦେକାନ ମେଲିଛି ଗୋଟାଏ ଲୋକ,

ପୁରୋହିତ ସେହି ଧର୍ମଯାଜକ।

ଦହିଚୁଡ଼ା ଭୋଜି କିଛି ଦକ୍ଷିଣା

ମୂଲ ଦେଲେ ହୁଏ ତା ମାଲ କିଣା।

ତା ଦୋକାନ ମାଲ ଯେବେ ନ ଆଣି,

ସବୁ ଅଟକିବ ବାହା ପୁହାଣି।

ଆହୁରି ତା ମାଲ ଯେ ପିଣ୍ଡବଢ଼ା,

ପିତୃଲୋକ ପାଇଁ ବହୁତ ଲୋଡ଼ା।

ଦେଖିଲି ତା ପାଶେ ହୋଇଣ ଠିଆ,

ଦିନୁ ଦିନୁ ହୁଏ ମାଲ ପଡ଼ିଆ।

 

ଦେଖିଲି ବସିଛି ଗୋଟେ ଦୋକାନୀ,

ଅନୁମାନ କଲି ହେବ ସେ ଜ୍ଞାନୀ।

ବୁଢ଼ାଟା ହେଉଛି ସେ ଥୁରୁ ଥୁରୁ,

ପଚାରି ଜାଣିଲି ତା ନାମ ଗୁରୁ।

ଶାସ୍ତ୍ର କଥା ବିକା ତାହାର କାମ,

ପୁଣି ସେ ବିକଇ ଶ୍ରୀହରି ନାମ।

ମାଲ ଛାଡ଼ି ଦିଏ ଅଳ୍ପ ମୂଲରେ,

ଗହକି ଅଳପ ତାହା ପାଶରେ।

 

ହାଟେ ବୁଲି ବୁଲି ଜନ୍ମିଲା ଜ୍ଞାନ,

ମୁଁ ମଧ୍ୟ ମେଲିଲି ଗୋଟେ ଦୋକାନ।

ଅରଜୁଅଛନ୍ତି ଲୋକେ ପଇସା,

ମୁଁ ମଧ୍ୟ ପାଇବି କଲି ଭରସା।

ଝାଡ଼ିଝୁଡ଼ି ଦେଇ ଦୋକାନ ଚାଳ,

ଗୋଦାମେ ଭରିଲି ସାହିତ୍ୟ ମାଲ।

ବିଲାତୀ ମାଲକୁ ନାହିଁ ତ ପୁଞ୍ଜି,

ଦେଶୀ ମାଲ ଦେଲି ଗୋଦାମେ ଗୁଞ୍ଜି।

ଛପାଖାନାଠାରୁ ଆଣିଲି କାଳି,

ଲାଭ ହେଲେ ଶୁଝି ଦେବି ମୁଁ ଭାଳି

କାଢ଼ିଆ ମାଲରେ ବହୁତ ଦୋଷ,

କଳନ୍ତର ବଢ଼ି ବୁଡ଼େ ସର୍ବସ୍ୱ।

 

ଭୁଲାଇବାପାଇଁ ଗହକି ମନ

ଟାଙ୍ଗି ଦେଲି କାନ୍ଥେ ସେ ବିଜ୍ଞାପନ।

ପାଟିକରି ଦ୍ୱାରେ ଡାକିଲି ବସି,

ଭଲ ମାଲ ଭାଇ ନିଅ ହେ ଆସି।

ଅଇଲେ ଗହକି ଶୁଣି ମୋ ଡାକ,

ପଚାରିଲେ ତୁମ୍ଭେ କି ଫଳ ବିକ?

 

ବୋଇଲି ମୁଁ ଅନୁବାଦ ପୁରାଣ,

ଅଚ୍ଛା ମିଠାଫଳ ଏହାକୁ ଜାଣ।

ବୋଇଲା ମୋ କଥା ଶୁଣି ଗରାଖ,

ବିରକ୍ତିରେ କରି ଅଳପ ରାଗ।

ଏଗୁଡ଼ା ସବୁ ତ ପଚା ପୁରୁଣା,

ଏ ସବୁର ମୂଲ ନିହାତି ଊଣା।

ଯେବେ ଦେବ ତୁମ୍ଭେ ବିନାମୂଲ୍ୟରେ,

କୃପା କରି ନେଇ ଚାଖିବୁଁ ଥରେ।

ଦେଖାଇଲି ତାକୁ ନେଇ ନଭେଲ,

ବୋଇଲା ସେ କଞ୍ଚା ପୁଚୁରା ବେଲ।

ପୁଣି ଦେଖାଇଲି ତାକୁ କବିତା,

ବୋଇଲା ଏଗୁଡ଼ା ନିହାତି ପିତା।

 

ଗରାଖ ମୁଖରୁ ଏ କଥା ଶୁଣି

ନିଶ୍ୱାସ ପକାଇ ହେଲି ମୁଁ ତୁନି।

ଭାଳିଲି ମୋହର ସରିଲା ପାଠ,

ଆଉ କରିବି ମୁଁ କଅଣ ହାଟ।

 

ବେଭାର ଦେଖୁଛି ଯେ ଲୋକଙ୍କର,

ଦେଶୀ ଜିନିଷରେ ନାହିଁ ଆଦର।

କେତେ ଲୋକ ଟଙ୍କା ପଇସା ଦେଇ

ଯାଆନ୍ତି ବିଲାତୀ ଜିନିଷ ନେଇ।

ଆହୁରି ଜାଣନ୍ତୁ ଗୋଟାଏ ମଜା,

ମାଲ କାଳି ନେଲେ ଯୋଡ଼ାଏ ରଜା।

ଯେଉଁମାନେ ନେଲେ ମାଲ କାଢ଼ିଆ,

ଅବଶ୍ୟ ସେମାନେ ଜାତି ଓଡ଼ିଆ।

 

ତୁନିତାନ ହୋଇ ରହିଲେ ଘରେ,

ଚିଠିରେ ଉତ୍ତର ନ ଦେଲେ ଥରେ।

ଏଡ଼େ ହାଟଟାରେ ଦେଖିଲି ଜଣେ,

ଗରାଖ ବୋଲି ମୁଁ ତାହାକୁ ଗଣେ।

ଜାଣିଲି ପରା ମୁଁ ସେହି ଚିହ୍ନରା,

ଚିହ୍ନନ୍ତି କେ କାଚ, କେଉଁଟା ହୀରା।

ବାଛି ବାଛି ନେଲେ ଗୋଟାଏ ଫଳ,

ବହନି କଲି ମୁଁ ଏହା କେବଳ।

ଲୋକେ ତ ଶୁଣନ୍ତୁ ଏହି ବାରତା,

ଲାଭ ଲୋକସାନ କପାଳ କଥା।

ଛାପାଖାନା ଡରେ ଲାଭ ନ ଲୋଡ଼ି

ମୂଳେ ମୂଳେ ଦେଲି ମାଲକୁ ଛାଡ଼ି।

ହେଲେ ହେଉ ପଛେ ବହୁତ ତୁଟି,

ଛାପାଖାନା ଏଣେ ଧରିଛି ତୋଟି।

ତୁଟି ସହ ମାଲ ବିକିଲେ ବଳେ,

ଏଥିରେ କି ଭାଇ ବଣିଜ ଚଳେ?

ଦେଶୀ ସାହିତ୍ୟ ଯେ ବଣିଜ କଲା,

ଜାଣିଥିବ ସେହି ଲୋକଟା ମଲା।

 

ଲାଭ କଥା ଭାଇ ଥାଉ ପଛକୁ

ବୁଡ଼ାଇ ବସିବ ନିଜ ମୂଢ଼କୁ।

 

ଭାଳିଲି ହାଟରେ ଥିବି କିପାଇଁ?

ବେଲି ବେଳେ ଚାରି ଆଡ଼କୁ ଚାହିଁ।

ଗୋଟାଇ ପସରା ବୋଝ ମୁଣ୍ଡାଇ

ଘରମୁହାଁ ହୋଇ ଗଲି ପଳାଇ।

ଝାଡ଼ିଝୁଡ଼ି ମାଲ ରଖିଲି ଘରେ,

ପଚାରିବ ଦିନେ କେହି ବା ଥରେ।

ଏଣେ ତ ବୁଡ଼ିଲା ସବୁ ଭରସା,

ଆହୁରି କପାଳେ ଅଛି ଦୁର୍ଦଶା।

 

କାଲି ଦୁଆରକୁ ଆସି ପ୍ରିଣ୍ଟର

କରିବ ବହୁତ ସେ ହରବର।

ତାହାଠାରୁ ମାଲ ଆଣିଛି କାଳି,

ନ ପାଇଲେ ଟଙ୍କା ଦେବ ସେ ଗାଳି।

ଛାପାଖାନା ଲୋକ ନିହାତି ମନ୍ଦ,

ପଇସା ସକାଶେ ଲଗାନ୍ତି ଦ୍ୱନ୍ଦ।

ଲେଖିବି କବିତା ଦେବୁ ଛପାଇ,

ପଇସା କିପାଇଁ ନେବୁ ରେ ଭାଇ?

ନିହାତି ତୁ ଯଦି ଛାଡ଼ିବୁ ନାହିଁ,

ରହି ବସି ଦେବି, କଳି କିପାଇଁ?

ଲାଗିଛି ସଂସାର ମଧ୍ୟରେ ହାଟ,

ମାତ୍ରକ ମୋହର ପଡ଼ିଲା ବାଟ।

ନାହିଁ ଦେହେ ବଳ, ହେଲିଣି ବୁଢ଼ା,

ମୋହ ନାମ ଭାଇ, ହାଟବାହୁଡ଼ା।

ପ୍ରେମ-ସଙ୍ଗୀତ

ରାଗ - କଳହଂସକେଦାର

ଶୁଣ ଶୁଣ ହେ ଭାଇ ପ୍ରେମ-ସଙ୍ଗୀତ,

ଚିରକାଳ କି ତୁମ୍ଭେ ଥିବ ନିଦ୍ରିତ?

ଜାପାନ ଇଉରୋପ ଆମେରିକାନ

କେମନ୍ତେ ଧରିଛନ୍ତି ସଙ୍ଗୀତତାନ?

 

(୨)

ଜୀବନ୍ତ ଧର୍ମବଳ ଉଦାର ପ୍ରାଣେ

ଧାବିତ ଦବାନିଶି ସେ ଲୋକମାନେ।

ରକ୍ଷା କରିବାପାଇଁ ଦେଶ-ଗୌରବ

ତୁମ୍ଭେ କି ଏକାଳରେ ଥିବ ନୀରବ?

 

(୩)

କୁତ୍ସିତ ଜାତିପ୍ରଥା ପକାଅ ଭାଙ୍ଗି,

ସମର୍ପ ମନ ପ୍ରାଣ ସ୍ୱଦେଶ ଲାଗି।

ନ ଭୁଲ ଭାଇ ତୁମ୍ଭେ ଆର୍ଯ୍ୟସନ୍ତାନ,

ନ ରହ ନିଶ୍ଚେଷ୍ଟରେ ପଶୁ ସମାନ।

 

(୪)

ପବିତ୍ର ଆର୍ଯ୍ୟାବର୍ତ୍ତେ ଆଶ୍ରମ ସ୍ଥାନେ

ଯେ ଶୀତ ଗାଇଥିଲେ ମହର୍ଷିମାନେ,

ଧର ସେ ଗୀତଗାନ ହେ ଭ୍ରାତା ସର୍ବ,

ସେ ମହାବୀଜ ମନ୍ତ୍ର ଆଦି ପ୍ରଣବ।

 

(୫)

ମହେଶ ଏକ ପିତା ଶ୍ରୀ ଭଗବାନ,

ସମସ୍ତେ ଆମ୍ଭେମାନେ ତାଙ୍କ ସନ୍ତାନ।

ଆସନ୍ତୁ ଭାଇ ଭାଇ ମିଳି ସକଳେ

ବିସର୍ଜି ଭେଦବୁଦ୍ଧଇ ମନ ନିର୍ମଳେ।

 

(୬)

ବସି ଜନନୀ ମାତୃଭୂମି କୋଳରେ

ମିଳି ସମସ୍ତ ଭାଇ ଏକ ସଙ୍ଗରେ

ପାଞ୍ଚିବା ହେଉ ମାତୃଭୂମି ଉନ୍ନତି,

ଖଣ୍ଡନ ହେଉ ଦେଶବାସୀଦୁର୍ଗତି।

 

(୭)

ରହିବ କେତେକାଳ ମଳିନ ବେଶେ?

କୁସଂସ୍କାର ପୂରିତ ଥିବ କି ବେଶେ?

ଆଦର୍ଶ ଦେଖି ଭାଇ ସଭ୍ୟ ଜଗତେ

ଆସନ୍ତୁ ଅଣ୍ଟା ଭିଡ଼ି ଲାଗୁଁ ସମସ୍ତେ।

 

(୮)

ହିମାଦ୍ରି ପାଦଦେଶେ ନୈମିଷାରଣ୍ୟେ

ଯେ ଗୀତ ଗାଇଥିଲେ ମହର୍ଷିଗଣେ,

ଧର ହେ ଭାତୃଗଣ ସେ ଗୀତତାନ,

ସଭ୍ୟମଣ୍ଡଳୀ ମଧ୍ୟେ ଲଭ ସମ୍ମାନ।

 

ମୋହର ଶତ୍ରୁ

ନିର୍ଭୟ ଚିତ୍ତେ ରହି ପାରିଲି ନାହିଁ-

ବଇରିଦଳ ବେଢ଼ି ଅଛନ୍ତି ଚାହିଁ ଯେ।

କିଞ୍ଚିତ ମାତ୍ର ହେଲେ ଅସାବଧାନ,

ସହଜେ ଆସି ମୋର ବଧିବେ ପ୍ରାଣ ଯେ।୧।

 

ଭୂଗର୍ଭ ବିଳ ମଧ୍ୟେ କୁଣ୍ଡଳୀ ଫଣୀ

ବାରିଦକୋଳେ ଲୁଚିଅଛି ଅଶନି ଯେ।

ବ୍ୟାଘ୍ର ଭଲ୍ଲୁକ ବନେ, କୁମ୍ଭୀର ଜଳେ,

ଧନଲୋଭେ ପ୍ରାନ୍ତରେ ତସ୍କରଦଳେ ଯେ।୨।

 

କେ ଲୋକ ପ୍ରତି କଲେ ମୁଁ ଅତ୍ୟାଚର,

କରିବ ନିଶ୍ଚେଁ ଆସି ମୋତେ ପ୍ରହାର ଯେ।

ଅସଂଖ୍ୟ ବ୍ୟାଧି ଦେହେ ଛନ୍ତି ପ୍ରଚ୍ଛନ୍ନ

କରିବେ ସହଜରେ ନାଶ ଜୀବନ ଯେ।୩।

 

ନ କରେଁ ଭୟ ଏହି ସର୍ବ ଶତ୍ରୁକୁ,

କରିବେ ସିନା ନାଶ ମୋର ଦେହକୁ ଯେ।

ଦେହ ସକାଶେ ଏତେ ଚିନ୍ତା କିପାଇଁ?

ଯାହା କି ଚିରକାଳ ରହିବ ନାହିଁ ଯେ।୪।

 

ତଥାପି ମୁହିଁ ଯେବେ କରେଁ ଯତନ,

ବଇରୀ କରୁଁ ରକ୍ଷା ହେବ ଜୀବନ ଯେ।

ମାତ୍ର ହୃଦୟ ମୋର ଶତ୍ରୁଙ୍କ ବାସ,

କରିବେ ଆତ୍ମା ଦେହ ଉଭୟ ନାଶ ଯେ।୫।

 

ମାତ୍ସର୍ଯ୍ୟ, କାମ, କ୍ରୋଧ, ଲୋଭ ଓ ମୋହ,

ମଦ ପ୍ରଭୃତି ରିପୁ ପ୍ରବଳ ଛଅ ଯେ।

କରନ୍ତି ନିତ୍ୟେ ମୋହ ହୃଦୟେ ବାସ,

କରିବେ ଆତ୍ମା ସଙ୍ଗେ ଦେହକୁ ନାଶ ଯେ। ।୬।

 

ସତୀତୀର୍ଥ

ରାଗ - ମଙ୍ଗଳ

ଗୋଲକ ବୈକୁଣ୍ଠ ଊର୍ଦ୍ଧ୍ୱ ଧ୍ରୁବଲୋକ ପାଶେ,

ଶତ ସୂର୍ଯ୍ୟ ବିରାଜିତ ସତୀର ଆବାସେ,

 

ମାର୍ତଣ୍ଡମୟୂଖମାଳା-ଜ୍ୱାଳା-ବିସ୍ତାରିଣୀ,

ନୁହେଟି ସେ ସ୍ଥାନ ପୁଣି ଆନନ୍ଦଦାୟିନୀ,

ତରୁଣ ଅରୁଣ ଜ୍ୟୋତି ଶୀତଳ କିରଣ,

ପ୍ରସ୍ଫୁଟିତ ପାରିଜାତ ନନ୍ଦନ କାନନ,

ନାହିଁ ଦିବା, ନାହିଁ ନିଶି, ସର୍ବଦା ଆଲୋକ,

ନାହିଁ ଦ୍ୱେଷ, ହିଂସା, କ୍ରୋଧ, ନାହିଁ ଦୁଃଖ, ଶୋକ

ସନ୍ତାପ, ବିଳାପ ନାହିଁ, କଷ୍ଟ, ହାହାକାର,

ବ୍ୟାଧି ବା ଯନ୍ତ୍ରଣା ନାହିଁ, ନାହିଁ ଅନ୍ଧକାର।

ଯେତେ ସୁଖ ଶାନ୍ତି ବିଦ୍ୟମାନ ବ୍ରହ୍ମାଣ୍ଡରେ,

ସର୍ବ ଦ୍ରବ୍ୟ କେନ୍ଦ୍ରୀଭୂତ ସେ ସତୀ-ତୀର୍ଥରେ,

ନାହିଁ କ୍ଳେଶଲେଶ ଦେଶ ଚିତ୍ତ ବିମୋଚନ

ତନ୍ଦ୍ରାପଟେ ସୁଖସ୍ୱପ୍ନ ଚିତ୍ରିତ ଯେସନ,

ଶାନ୍ତି, ପ୍ରେମ, ମୈତ୍ରୀ, ପ୍ରୀତି, ସ୍ନେହ ଉଲ୍ଲାସରେ

ଚିର, ସ୍ଥିର, ବିଦ୍ୟମାନ ଅଛି ସେ ସ୍ଥାନରେ।

ଦେବଭୋଗ୍ୟ ସୁଧାଫଳ ପୂର୍ଣ୍ଣ ସେ ଉଦ୍ୟାନ,

ସତୀ ନାରୀମାନଙ୍କର ଅଟେ ବାସସ୍ଥାନ।

ଅପୂରା ସଙ୍ଗୀତ ଶ୍ରୁତ ହୁଏ ତାନେ ତାନେ,

ଦେବକନ୍ୟାମାନେ ଭ୍ରମୁଥାନ୍ତି ସ୍ଥାନେ ସ୍ଥାନେ।

 

ବିରାଜିତ ଉଦ୍ୟାନରେ ରତ୍ନସିଂହାସନ,

ସତୀ ନାରୀମାନଙ୍କର ନିର୍ଦ୍ଦିଷ୍ଟ ଆସନ।

ପୃଥିବୀ ମଧ୍ୟକୁ ଆସି ଦେବଦୂତମାନେ

ଏକ ସତୀ ଆତ୍ମା ଘେନି ଗଲେ ସେହି ସ୍ଥାନେ।

ଉପସ୍ଥିତ ହେବା ମାତ୍ରେ ତହିଁ ସତୀ ନାରୀ,

ବାଟ ଓଗାଳିଲା ଆସି ଉଦ୍ୟାନର ଦ୍ୱାରୀ।

ପୁଚ୍ଛା କଲା ପଢ଼ିଆରୀ ବହୁତ ସମ୍ମାନେ,

କେଉଁ ଗୁଣେ ଆଗୋ ସତୀ! ଆସିଛ ଏ ସ୍ଥାନେ?

ଗେରୁଆ ବସନ ପିନ୍ଧି ଜଟାଭାର ଶିରେ,

ତପସ୍ୟା କି କରିଥିଲ ଅରଣ୍ୟ କୁଟୀରେ?

କରିଛ କି ନିୟମରେ ବ୍ରତ ଉପବାସ?

ଅବା ତୀର୍ଥସ୍ଥାନେ ଯାଇ କରିଥିଲ ବାସ?

କରି ହବିଷ୍ୟାନ୍ନ ଜପମାଳା ଧରି କରେ

ହରିନାମ ଜପିଛ କି ବସି ନିର୍ଜନରେ?

ପ୍ରଥମରେ ଦେଇ ମୋତେ ଆତ୍ମପରିଚୟ

ପ୍ରବେଶ ଉଦ୍ୟାନ ମଧ୍ୟେ, ନାହିଁ କିଛି ଭୟ।

 

ସତୀ ଶୁଣି ଏହିପରି ପଢ଼ିଆରୀ କଥା,

ବୋଇଲେ ବିନୟବାକ୍ୟେ ନୁଆଇଁଣ ମଥା।

ଶୁଣିବାକୁ ଆଜ୍ଞା ହେଉ ଆହେ ଦେବଦ୍ୱାରି!

ଥିଲି ମୁହିଁ ପୃଥିବୀରେ ଏକ ତୁଚ୍ଛ ନାରୀ।

ଯେତେ ରୂପ ଗୁଣ କଥା ବୋଇଲେ ଆପଣ,

କରି ନାହିଁ ସେହି ସର୍ବ କାର୍ଯ୍ୟ ଆଚରଣ।

ସ୍ୱାମୀ ପୁତ୍ର କନ୍ୟା ଘେନିଥିଲି ମୁଁ ସଂସାରେ

ନିତ୍ୟ ଚିତ୍ତ ସମର୍ପଣ କରି ପ୍ରଭୁଠାରେ

ଅମଙ୍ଗଳ ବାକ୍ୟ କରେଁ ନାହିଁ ଉଚ୍ଚାରଣ,

ଅପ୍ରମତ୍ତ ଭାବେ ସେବେଁ ସ୍ୱାମୀଙ୍କ ଚରଣ।

ଗୁରୁଜନେ ପୂଜୁଥିଲି ଦେବତା ସମାନେ,

ଅତିଥିମାନଙ୍କୁ ସେବା କରେଁ ସାବଧାନେ।

ଅକାରଣେ ଛିଡ଼ା ହୁଏଁ ନାହିଁ ଦାଣ୍ଡଦ୍ୱାରେ,

ଉପହାସ କରେ ନାହିଁ କାହାରି କଥାରେ।

 

ନ କରେଁ ଚିତ୍କାର କେବେ ଆଉ ଉଚ୍ଚ ହାସ୍ୟ,

ଅନ୍ୟ ଲୋକ ସଙ୍ଗେ କରେଁ ନାହିଁ ପରିହାସ।

ଲୋଭ କରେ ନାହିଁ କେଭେ ଅନ୍ୟର ସମ୍ପତ୍ତି,

ମନ୍ଦ କାର୍ଯ୍ୟ ବିଷୟରେ ବଳେ ନାହିଁ ମତି।

ସ୍ୱାମୀ ଯେ କାଳରେ ମୋର ଥାଆନ୍ତି ବିଦେଶେ,

ସଂସ୍କାର ନ କରେଁ କେଶ ଥାଏଁ ମ୍ଳାନବେଶେ।

କାହା ସହିତରେ କେବେ ନ କରେଁ କଳହ,

ଏପରି ନ କରେଁ କାର୍ଯ୍ୟ ଯାହା ଭୟାବହ।

ଭୂରୁଯାଏଁ ପଡ଼ିଥାଏ ମୋହର ଉଢ଼ୁଣା,

ମୋର ବାକ୍ୟ ଯାଏ ନାହିଁ ବାହାରକୁ ଶୁଣା,

 

କରାଇ ଭୋଜନ ମୁହିଁ ସ୍ୱାମୀଙ୍କୁ ଅଗ୍ରରେ,

ଭକ୍ତିରେ ଭୁଞ୍ଜଇ ତାଙ୍କ ଉଚ୍ଛିଷ୍ଟ ପାତ୍ରରେ।

ସ୍ୱାମୀକ୍ରୋଧ ବେଳେ ମୁହିଁ ହୋଇଥାଏ ତୁନି,

ପ୍ରତିବାଦ କରେ ନାହିଁ ତାଙ୍କ ବାକ୍ୟ ଶୁଣି।

 

ବିପଦରେ ବା ବ୍ୟାଧିରେ ବସି ତାଙ୍କ ପାଶେ

ସାନ୍ତ୍ୱନା କରଇଁ ମିଷ୍ଟବଚନେ ଆଶ୍ୱାସେ।

ନ ଶୋଇଲେ ସ୍ୱାମୀ ମୁହିଁ ଶୋଏ ନାହିଁ ଆଗ,

ତାହାଙ୍କ ଉଠିବା ପୂର୍ବେ କରେଁ ଶଯ୍ୟା ତ୍ୟାଗ।

ନ କରନ୍ତି ସ୍ୱାମୀ ମୋର ଯେ ଦ୍ରବ୍ୟ ଆହାର,

ଏକାବେଳେ ମୁହିଁ ତାହା କରେଁ ପରିହାର।

ସ୍ନେହରେ କରନ୍ତି ସ୍ୱାମୀ ଯେ ଦ୍ରବ୍ୟ ଭୋଜନ,

ଯତ୍ନପୂର୍ବ କରି ରଖେଁ ତାହା ଆୟୋଜନ।

 

ସାବଧାନେ କରେଁ ରକ୍ଷା ସ୍ୱାମୀ ଧର୍ମ, ଧନେ,

ନିତ୍ୟ ଦିଏଁ ଧର୍ମଶିକ୍ଷା ପୁତ୍ରକନ୍ୟାଗଣେ।

ସ୍ୱାମୀ ଗୁପ୍ତ କଥାମାନ ନ ବୋଲେଁ କାହାକୁ,

ସ୍ୱାମୀ ଅସାକ୍ଷାତେ ଯାଏ ନାହିଁ ଅନ୍ୟଠାକୁ।

 

ମନ୍ଦକାର୍ଯ୍ୟେ କେବେ ମୋର ବଳେ ନାହିଁ ମତି,

ଦ୍ୱାରିକୁ ଏ ସର୍ବ କଥା ବୋଲୁଛନ୍ତି ସତୀ,

ଶୁଭିଲା ଏକାଳେ ଆକାଶରୁ ଦେବବାଣୀ,

ଆସ ଆସ ଭିତରକୁ ସତୀଠାକୁରାଣୀ!

ଯେଉଁଠାରେ ଛନ୍ତି ଅନୁସୂୟା ଅରୁନ୍ଧତୀ,

ତାଙ୍କ ପାଶ ସିଂହାସନେ ବସ ତୁମ୍ଭେ ସତୀ।

 

ଜାପାନ

ହେ ଜାପାନ! ତୁମ୍ଭ ପୂର୍ବ ଅଞ୍ଚଳ ଇଂଲଣ୍ଡ,

ଦେଖାଇଲ ଜଗତକୁ ମହିମା ପ୍ରଚଣ୍ଡ।

ଇୟୁରୋପ ସଭ୍ୟତମ ରାଜନ୍ୟ ସକଳ

ଚକିତ ବିସ୍ମିତ ଦେଖି ତବ ବାହୁବଳ।

 

ଦେଖାଇଲ ଯେଉଁ ଚିତ୍ର ରୁଷିୟା ସମରେ,

ଇତିହାସ ସାକ୍ଷ ଦେବ ସୁବର୍ଣ୍ଣ ଅକ୍ଷରେ।

ଏକପୁତ୍ରା ବୃଦ୍ଧା ମାତା ଦେଶରକ୍ଷାପାଇଁ

ପ୍ରାଣତ୍ୟାଗ କରି ପାରେ, ନିଦର୍ଶନ କାହିଁ?

ସ୍ୱାମୀକୁ ଯୁବତୀ ଭାର୍ଯ୍ୟା ଅସ୍ତ୍ରରେ ମଣ୍ଡାଇ

ପଠାଇ ବୋଲୁଛି, ଯାଅ ଶତ୍ରୁ ମାର ଯାଇ।

 

 

ସ୍ପାଟାର ରମଣୀ କିବା କ୍ଷତ୍ରିୟ ଅଙ୍ଗନା

ଥିଲେ ଏହିପରି, ଇତିହାସେ ଅଛି ଜଣା।

ହଳଧରି କୁଳବତୀ କରୁଅଛି ଚାଷ,

ପଠାଏ ପୁରୁଷେ ଶତ୍ରୁ କରିବାକୁ ନାଶ।

ହେ ଜାପାନ! ଦେଶପ୍ରେମ ଦିଅ ଶିକ୍ଷାଦାନ,

ନ ଭୁଲ ଭାରତବର୍ଷ ବୁଦ୍ଧଜନ୍ମସ୍ଥାନ।

 

ଶ୍ରୀମତୀ ମାଧବୀ ଦେବୀ

ରାଗ - ମଙ୍ଗଳ

ପରମବୈଷ୍ଣବୀ ନୀଳାଚଳ-ନିବାସିନୀ,

ଶ୍ରୀମତୀ ମାଧବୀ ଦେବୀ ବୃଦ୍ଧା ତପସ୍ୱିନୀ।

ଶିଖୀ ମହାନ୍ତିର ଭଗ୍ନୀ କରଣ ଅଙ୍ଗନ,

ଉତ୍କଳର ଏକମାତ୍ର ରମଣୀମଣ୍ଡନା।

ତୁମ୍ଭର କବିତା ଶୁଣି ବୈଷ୍ଣବମଣ୍ଡଳୀ

ହରାଇ ଚେତନା ପଡ଼ିଯାନ୍ତି ପ୍ରେମେ ଢଳି।

ତୁମ୍ଭର ପ୍ରତିଭା ବହୁଦୂର ପ୍ରସାରିଣୀ,

ବୈଷ୍ଣବମଣ୍ଡଳେ ପୂଜନୀୟା ତବସ୍ୱିନୀ।

ଆଗୋ ମହାଦେବୀ! ଥିଲା ତୁମ୍ଭ ହସ୍ତାକ୍ଷର

ମୁକ୍ତାମାଳା ସମାନରେ ପରମ ସୁନ୍ଦର।

ଶ୍ରୀଚୈତନ୍ୟଦେବ ହୋଇ ପ୍ରେମେ ବିମୋହିତ

ଶୁଣନ୍ତି ଆନନ୍ଦମନେ ତୁମ୍ଭର ସଙ୍ଗୀତ।

 

ଶ୍ରୀପ୍ରତାପରୁଦ୍ର ଉତ୍କଳର ମହାରାଜ;

ଆଶ୍ଚର୍ଯ୍ୟ ମଣନ୍ତି ଦେବୀ! ଦେଖି ତୁମ୍ଭ କାର୍ଯ୍ୟ

ମହାତ୍ମା ପ୍ରତାପରୁଦ୍ର ରାଜରାଜେଶ୍ୱର

ତପସ୍ୱିନୀ! ତୁମ୍ଭଠାରେ ଯୋଡ଼ିଥିଲେ କର।

ପ୍ରଭୁ ଶ୍ରୀଚୈତନ୍ୟ କରି ପ୍ରତିଜ୍ଞା ଲାଘନ

କରିଥିଲେ ମାଧବୀଙ୍କ ଶ୍ରୀମୁଖ ଦର୍ଶନ।

ଶତାବ୍ଦୀ ଶତାବ୍ଦୀ ଗତ ହେଲା ଉତ୍କଳରେ,

ନ ଜନ୍ମିଲେ ନାରୀ ଦେବୀ! ତୁମ୍ଭ ସମାନରେ।

ଶ୍ରୀ ପ୍ରତାପରୁଦ୍ର କିମ୍ବା ମହାତ୍ମା ଚୈତନ୍ୟ

କରୁଥିଲେ ମାଧବୀକୁ ଦେବୀ ତୁଲ୍ୟ ମାନ୍ୟ।

ପାଣ୍ଡିତ୍ୟେ, କବିତ୍ୱେ, ବ୍ରତେ, ତପ ଆଚରଣେ,

ମାଧବୀ ସମାନେ ଜନ୍ମି ନାହିଁ ନାରୀ ଜଣେ।

ପୁରାଣେ ଶୁଣିଛି କେତେ ତପସ୍ୱିନୀ କଥା,

ତୁମ୍ଭେ ଥିଲ ତପସ୍ୱିନୀ! ପରମ ଦେବତା।

ଗୋସ୍ୱାମୀ ଗୋବିନ୍ଦ ଦାସ, ଜଗନ୍ନାଥ ଦାସ

ବୈଷ୍ଣବୀୟ ଗ୍ରନ୍ଥ କରିଅଛନ୍ତି ପ୍ରକାଶ।

କରଣମହିଳା ତୁମ୍ଭେ, ଓଡ଼ିଆଣୀ ଜାତି,

ଲଭି ଯାଇଅଛି ବଙ୍ଗେ କବିକୁଳ ଖ୍ୟାତି।

 

ଭାଷା, ଭାବ ଭଙ୍ଗୀ, ପୁଣି ରଚନାପ୍ରଣାଳୀ,

ସରଳତା ମଧୁରତା ଦେଇଅଛ ଢାଳି।

ପଦର ବିନ୍ୟାସ ଦେଖି ରଚନାର ଠାଣି

କେ ବୋଲିବ ଲେଖିଅଛି ଜଣେ ଓଡ଼ିଆଣୀ?

ଯେତେକ ଗୋସ୍ୱାମୀ ପଦାବଳୀ ରଚୟିତା,

ସେମାନଙ୍କ ମଧ୍ୟେ ଥିଲ ପରମ ପୂଜିତା।

ଯେପ୍ରକାର ଲେଖିଅଛ ଚୈତନ୍ୟଚରିତ,

ପାଠ କରି ହୋଇଯାଏଁ ମୋହିତ ଚକିତ।

ଜଗନ୍ନାଥ, ଚଣ୍ଡିଦାସ ଗୀତ ଅଛି ଶୁଣା,

ତୁମ୍ଭ ଗୀତ ତାଙ୍କଠାରୁ ନୁହେ କିଛି ଊଣା।

ତୁମ୍ଭ ଗୀତ ଯେତେବେଳେ ଗାଏଁ ଠାକୁରାଣୀ,

କାହା ଗୀତ ଗାଉଅଛି ନ ପାରଇଁ ଜାଣି।

ଏମନ୍ତ ଯେ ଦେବୀ ଜନ୍ମିଥିଲ ଉତ୍କଳରେ,

ଦେଶବାସୀ ଲୋକେ ମୁଖେ ନ ଧରନ୍ତି ଥରେ।

 

ଅଯତ୍ନ କରିବା ଯୋଗୁଁ ସ୍ୱଦେଶନିବାସୀ,

ତୁମ୍ଭର କବିତା କେତେ ଯାଇଅଛି ଭାସି।

ବିଲୁପ୍ତ ସଙ୍ଗୀତ କେତେ ରାଷ୍ଟ୍ର ବିପ୍ଳବରେ,

ବହୁତ ବିଲୁପ୍ତ ଦେଶବାସୀ ଅଯତ୍ନରେ।

ଚିହ୍ନନ୍ତି ଅମୂଲ୍ୟ ଧନ ଗୁଣଗ୍ରାହୀ ଜନେ,

କେତେକ ସଙ୍ଗୀତ ରଖିଅଛନ୍ତି ଯତନେ।

 

ତୁମ୍ଭର କବିତା ଭକ୍ତ ସାଧୁ ହୃଦୟରେ

ଚିତ୍ରିତ ରହିଛି, ଥିବ ଯୁଗ ଯୁଗାନ୍ତରେ।

ସାହସରେ ଦୃଢ଼ରୂପେ ବୋଲିପାରେଁ ମୁହିଁ,

ଯଶ ଧ୍ୱଂସକାରୀ କାଳ ନ ପାରିବି ଛୁଇଁ।

ନରାଧମ, ଅକିଞ୍ଚନ ଫକୀରମୋହନ

ମହାଦେବୀ! ଭକ୍ତିଭାବେ ବନ୍ଦେ ଶ୍ରୀଚରଣ।

 

ସେହି ନାମ

ରାଗ – ଚକ୍ରକେଳି

କେତେଥର ବସି            ବସି ନିର୍ଜନେ

ବିଚାର କରିଛି,             ଆପଣା ମନେ,

ସ୍ୱପନ ସମାନ            ସଂସାର ରାଜ୍ୟ,

ଆସିବା ଯିବା’ ତ            ଏହାର କାର୍ଯ୍ୟ।

ଭସାଇ ଯାଇଛି            ମୋତେ ଯେ ଦୁଃଖେ,

ନ ଧରିବି ଆଉ            ସେ ନାମ ମୁଖେ,

ପାସୋରି ପାରିଲି             କାହୁଁ ମୁଁ ତାକୁ,

ଧରିଛି ଆଣ୍ଟରେ            ପ୍ରାଣ ଆତ୍ମାକୁ,

ଛାୟା କାୟା ପରି            ଯାହା ସମ୍ବନ୍ଧ,

କୁସୁମରେ ଥିବ            କୁସୁମ ଗନ୍ଧ।

ମୁଁ ତାକୁ ଛାଡ଼ିଛି,            ସେ କାହୁଁ ଛାଡ଼େ?

ଜୀବନ ଥିଲେ କି            ନିଦ ନ ମାଡ଼େ?

ଆପଣେ ଆସିଲେ            ଆସୁ ମନକୁ,

ଭଜି ହେବି କିପାଁ            ସେହି ନାମକୁ?

 

ଅନୁଭୂତି

ରାଗ - ଭୂପାଳ

ଦେଖୁଛି କି ଆଜି            ଜାଗ୍ରତ ସ୍ୱପନ?

କି ଦେଖି କିପାଇଁ            ବିମୋହିତ ମନ?

ଗୁପତ ମରମେ            ସୁପତ ବାସନା

ସଫଳ ସାମନେ            କିପାଁ ଯାଏ ଜଣା?

ସହସା କିପାଇଁ             ଅଗୀତ ରାଗିଣୀ

ଅନୁଭବ କରେଁ            ଚିତ୍ତବିମୋହିନୀ?

 

ତିମିର ଆକରୁ            ଅମୂଲ୍ୟ ରତନ,

ନବ ଯଉବନ            ବିଳାସ ଜୀବନ,

ଅତୀତ ବସନ୍ତ             କୋକିଳକାକଳୀ,

ନିର୍ବାଣ ପ୍ରଦୀପ            ଉଡ଼ିଲା କି ଜଳି?

ସତ ସ୍ୱର୍ଗବାସ            ସ୍ୱରଗର ଜ୍ୟୋତି,

ହୃଦୟ ମନ୍ଦିର            ମଉନ ଆରତି,

କିପାଁ ଦେଖେ ଆଜି            ମାନସନେତ୍ରରେ?

ଆଶାର ଛଳନା            ଭେଟିବି ସ୍ୱର୍ଗରେ।

 

ଉତ୍କଳ ଯୁବକ

(ଚକ୍ରକେଳି ବାଣୀ)

ଶୁଣ ହେ      ଉତ୍କଳବାସୀ ଯୁବକେ!

କି ବୋଲୁଅଛନ୍ତି ତୁମ୍ଭକୁ ଲୋକେ!

ଓଡ଼ିଆ ଅଧମ ଜାତି ଭାରତେ,

ବହୁତ ସେ ଊଣା ମାନ ମହତ୍ତ୍ୱେ।

ଓଡ଼ିଆ ଜାତିର ନାହିଁ ସାହସ-

ରଟୁ ନାହିଁ କି ହେ ଏ ଅପଯଶ?

କିପାଇଁ ରଟିଲା ଏହି ଅଖ୍ୟାତି,

କିପାଇଁ ଲୋକଙ୍କ ଏ ଭୁଲ ଭ୍ରାନ୍ତି?

କିଛି ହେଲେ ମୂଳ ଥିବ କଥାରେ,

‘‘ନିଆଁ ନ ଥିଲେ କି ଧୂଆଁ ବାହାରେ?’’

କରି ପାରୁ ନାହିଁ ଜୀବନ ବ୍ରତ

ଅରଜିବା ପାଇଁ ମାନ ମହତ୍ତ୍ୱ!

କୋଣପଶା ହୋଇ ରହିଛ ଘରେ

ବିଦେଶ ନ ଯାଅ ଜୀବନ ଡରେ।

 

ଭାରତେ ବିଖ୍ୟାତ ଥିଲେ ଯେ ଜାତି,

ନୁହ କି ହେ ତୁମ୍ଭେ ତାହାଙ୍କ ନାତି?

କେଉଁ ମନ୍ତ୍ର ପଢ଼ି ସେ ବୀରମାନେ

ଥିଲେ ସୁବିଖ୍ୟାତ ଐଶ୍ୱର୍ଯ୍ୟେ ମାନେ?

ତୁମ୍ଭେମାନେ ସେହି ମନ୍ତ୍ର ପାସୋରି

ରହିଅଛ ଘରେ ଅଧମ ପରି!

ନାହିଁ ଚିତ୍ତ ହାତେ ନାହିଁ ସହାୟ,

ନ ଥାଉ, ନାହିଁ କି ବୁଦ୍ଧି ଉପାୟ?

ସହାୟ ସମ୍ପଦ ବୁଦ୍ଧି ସାହସ,

ବିଶେଷେ ଧର୍ମକୁ ମଣ ସର୍ବସ୍ୱ।

ବାହାରି ପଡ଼ ତ ତୁଛା ହାତରେ,

ସବୁ ମିଳିଯିବ ବୁଦ୍ଧି ବଳରେ!

 

ସଂସାର-ସମରେ ନ ହୁଅ ଭୀତ,

ସବୁ ବାଧା ବିଘ୍ନ ହେବ କିଞ୍ଚିତ।

ଲକ୍ଷ୍ୟ ରଖି ଏକ ଉଚ୍ଚ ବିଷୟେ

ସାହସ ବିକ୍ରମେ ଲାଗ ନିର୍ଭୟେ।

ହେଉନ୍ତୁ ଦେଶରେ ସମସ୍ତେ ଚଳି,

କୁସଂସ୍କାର ପଦେ ପକାଅ ଦଳି।

 

କର ମନ ମଧ୍ୟେ ଏପରି ପଣ,

ଦେହପାତ ଅବା କାର୍ଯ୍ୟସାଧନ।

ଦେଶ ଦେଶାନ୍ତରେ ହେଲେ ଯିବାକୁ,

ଯାଅ ଚାଲି ଡର ନାହିଁ କାହାକୁ।

ସଳଖ ବାଟରେ ଯାନ୍ତି ସମସ୍ତେ,

ବିଘ୍ନ ବାଧା ମାଡ଼ି ଯାନ୍ତି ମହତେ।

ସାଧି ବଡ଼ କାର୍ଯ୍ୟ ବୁଦ୍ଧି ବଳରେ

ଆଦର୍ଶ ପୁରୁଷ ହୁଅ ଦେଶରେ।

ପାଇଛ ଦୁର୍ଲଭ ମାନବ ଜନ୍ମ,

କାର୍ଯ୍ୟରେ ନ ହୁଅ ପଶୁ ଅଧମ।

 

ଉତ୍କଳ ଜନନୀ ଅଛନ୍ତି ଚାହିଁ,

କର କିଛି କାର୍ଯ୍ୟ ତାହାଙ୍କପାଇଁ

ଶୁଣ ଶୁଣ ବାପା ମୋ ନିବେଦନ,

ସାଧିବ କର୍ତ୍ତବ୍ୟ ଦେଇ ଜୀବନ।

ପଛଘୁଞ୍ଚା ଦେଲେ କାର୍ଯ୍ୟ ସାଧନେ,

କିବା ପ୍ରୟୋଜନ ସେହି ଜୀବନେ?

ଯାଇଛି ସେ ଦିନ ପଛକୁ ଯାଉ,

ଚିନ୍ତା କଲେ ତାହା କି ହେବ ଆଉ?

ବର୍ତ୍ତମାନ କାର୍ଯ୍ୟେ ହୁଅ ତତ୍ପର,

ନ କର ହେ ଭବିଷ୍ୟତ ନିର୍ଭର।

ସଂକଳ୍ପରେ ସିଦ୍ଧି ଲଭିବ ସର୍ବ,

ଜଗତେ ମହିମା ଅଟେ ଦୁର୍ଲଭ।

 

‘‘ମହାଜନୋ ଯେନ ଗତଃ ସ ପନ୍ଥା’’

ମନେ ଘୋଷ ଏହି ପ୍ରାଚୀନ କଥା।

ସେ ପଦାଙ୍କ ଚିହ୍ନି ଗମରେ ବୀରେ,

ଅବଶ୍ୟ ମିଳିବ ଯଶୋମନ୍ଦିରେ।

 

ବସନ୍ତମାଳତୀ,            ଫୁଲ୍ଲ କୁମୁଦିନୀ,

ତୁ କି ସାରଦା ମଲ୍ଲିକା?

କେଉଁ ତପୋବଳେ            ପାଇଛିରେ ତୋତେ?

କୁଳବଧୂ ପ୍ରାଣାଧିକା!

ଆଶୀର୍ବାଦ କରେଁ,            ଆରେ ମୋ କଲ୍ୟାଣୀ।

ସୁଖେ ରହ ମୋହ ଘରେ,

କରୁଛି କାମନା,            ତୋହ ପରି ବଧୂ

ପାଏଁ ଜନ୍ମଜନ୍ମାନ୍ତରେ।

 

କବିତା ବିହଗୀ

ରାଗ - ମଙ୍ଗଳ

ଭଗବତୀ ବୀଣାପାଣି ଶ୍ରୀହସ୍ତପାଳିତା,

ତ୍ରିଭୁବନସଞ୍ଚାରିଣୀ ବିହଗୀ କବିତା।

ଆଶ୍ରମରେ ଧ୍ୟାନମଗ୍ନ ବାଲ୍ମୀକି ମହର୍ଷି

ମାନସ-ମନ୍ଦିରେ ନୀଡ଼ ନିରମିଲେ ବସି।

ସେ ଅମରୀ ବିହଗୀର କଳ୍ପନା ଜନନୀ,

ପ୍ରତିଭା ମାନସଭୂଷା, ଧାତ୍ରୀସ୍ୱରୂପିଣୀ।

ସପ୍ତ ସ୍ୱର ସପ୍ତ ପକ୍ଷ, ଅକ୍ଷର ଦେହରେ,

କୁତୂହଳେ ବିହରିଲେ ମହର୍ଷି ହସ୍ତରେ।

ଛନ୍ଦ ଅଳଙ୍କାରେ ଅଙ୍ଗ କରି ବିମଣ୍ଡନ

ଏଥୁଅନ୍ତେ ଭୁମଣ୍ଡଳେ କଲେ ବିଚରଣ।

ମହର୍ଷି ବ୍ରହ୍ମର୍ଷିଗଣେ ସରସ୍ୱତୀକୂଳେ,

ସାମବେଦ ଗାଇଥିଲେ ଦେବୀ ଅନୁକୂଳେ।

 

ସୁଧାମୟ ଇତିବୃତ୍ତ ସ୍ୱର୍ଗ ସମାଚାର,

ମାନବମଣ୍ଡଳେ କଲେ ଜଗତେ ପ୍ରଚାର।

 

ନୀଳମଣି ବିଦ୍ୟାରତ୍ନ

ରାଗ- ମଙ୍ଗଳ

ସାମାନ୍ୟ ବ୍ରାହ୍ମଣପୁତ୍ର ଆହେ ନୀଳମଣି,

ଉତ୍କଳର ପ୍ରିୟ ଶ୍ରେଷ୍ଠ ପୁତ୍ରରୂପେ ମଣି।

ଭାଷାରାଜ୍ୟେ ଛିନ୍ନ ଭିନ୍ନ ଥିଲା ଏ ଉତ୍କଳ,

ବାନ୍ଧିଲ ଏକତା ସୂତ୍ରେ ତୁମ୍ଭେ ହିଁ କେବଳ।

ଉତ୍କଳ ବିଧବାପାଇଁ ଆକୁଳ ଜୀବନେ

କାନ୍ଦିଅଛି, କନ୍ଦାଇଣ ଦେଶବାସିଗଣେ।

 

କଳ୍ପଲତା ସମ୍ମିଳନୀ ଉତ୍କଳ ଦେଶରେ,

ପ୍ରଥମରେ ଉପ୍ତ ବୀଜ ତୁମ୍ଭ ହୃଦୟରେ।

ଦେଶହିତ ବ୍ରତେ ସମର୍ପଣ କରି ଚିତ୍ତ

ଶୁଣାଇଲ ଉତ୍କଳକୁ ଜାତୀୟ ସଙ୍ଗୀତ।

 

ତୁମ୍ଭର ପତ୍ରିକା ଲିଭିଅଛି ଉଚ୍ଚ ସ୍ଥାନ,

ତୁମ୍ଭେ ଏକା କରି ଜାଣ କବିଙ୍କୁ ସମ୍ମାନ।

ମାତୃଭାଷା ହୁଅ ନୀଳମଣି ବିଦ୍ୟାରତ୍ନ।

ରାମରଥ କଥା

ନାସଦାନି ହାତେ            ଘେନି ରାମ ରଥେ

ବୁଲି ଶାସନ ଦାଣ୍ଡରେ,

ଭାରି ପାଟି କରି            ବୋଇଲେ ଏପରି

ଶୁଣିଛଟିକି ହେ କରେ।

କାଲି ମୁହିଁ ଭାଇ            ଦହିଚୁଡ଼ା ଖାଇ

ଯାଇଥିଲି ତନ୍ତି ସାଇ,

ବୋଲା ବୋଲି ଥୋକେ      ହେଉଛନ୍ତି ଲୋକେ

ଶୁଣିଲି ସେଠାକୁ ଯାଇ।

କାଗଜରେ ଛାପା            ହୋଇଅଛି ବାପା

ରାଣ୍ଡମାନେ ହେବେ ବାହା।

 

ଆସି କଳିକାଳ            ଘୋଟିଲା ଜଞ୍ଜାଳ,

ଶୁଣିବାକୁ ହେଲା ଏହା!

କଳିକାଳେ ଧର୍ମ            ଛାଡ଼ିଯିବ ବୋଲି

ଲେଖା ଯା ଅଛି ଶାସ୍ତ୍ରରେ,

ଆହେ ବିଶୁ କରେ            ସଂସାର ମଧ୍ୟରେ

ଦେଖାଗଲା ପ୍ରତ୍ୟକ୍ଷରେ

 

ରାଣ୍ଡ ବାହା କଥା            ସାତ ପୁରୁଷରୁ

କେହି କେବେ ଶୁଣି ନାହିଁ,

କଳି ପରା ଶେଷ            ହେବାରୁ ଏକଥା

ଏବେ ଶୁଣା ଗଲା ଭାଇ!

ଅଶୀ ବରଷର            ପାଣୁ ପାଣିଗ୍ରାହୀ

ମୋତେ ବୋଲିଥିଲେ ଦିନେ,

ତାଙ୍କ ପିଲାକାଳେ            ଥିଲା ଯେତେ କଥା

ଏଣିକି ହେଲାଣି ଭିନେ।

ଆଜି କାଲି ଲୋକେ            ଦେବତା ବ୍ରାହ୍ମଣ

କେହି ମାନିବାର ନାହିଁ,

ଦେଖୁଛ ତ ଭାଇ,            ଏଣିକି ବ୍ରାହ୍ମଣେ

ଚାକରି କଲେଣି ଯାଇ।

 

ବୁଢ଼ୀ ଟୋକୀ କରି            ଦେଢ଼ପଣ ରାଣ୍ଡ

ଅଛନ୍ତି ତ ଶାସନରେ,

ସାତପୁରୁଷରୁ            କେହି କି ହେ ଜଣେ

ବାହା ହୋଇଅଛି ଥରେ?

ବିରାଡ଼ିକୁ ପଘା            ରାଣ୍ଡକୁ ତ ଲଗା

ନାହିଁ ଶାସ୍ତ୍ରେ ଅଛି ଲେଖା,

ରାଣ୍ଡ ଯିଏ ହେଲା            ତା କଥା ସରିଲା,

ତାହାପାଇଁ କିପାଁ ଦକା।

 

ଗଲା ପୁଷ ମାସ            ମିଛୁ ମିଶ୍ରଙ୍କର

ଦୁଇଟା ରାଣ୍ଡ ଝିଆରୀ

ତିଳ ରଥଙ୍କର            ସାନ ରାଣ୍ଡ ଝିଅ

ଘରୁ ତ ଗଲା ବାହାରି।

ଜଗନ୍ନାଥ ରଥ-            ଘର ହଟହଟା

କଥା ନିତି ଯାଏ ଶୁଣା,

ଯାହାଁ ଯାହାଁ ରାଣ୍ଡ            ତାହାଁ ତାହାଁ କାଣ୍ଡ

କଥାଟା ଅଛି ପୁରୁଣା।

ତାହା ବୋଲି କି ହେ      ରାଣ୍ଡ ବାହା ହେବେ

କୁଳ ଧରମକୁ ଛାଡ଼ି?

ହରି ହରି ହରି!!!            ଶୁଣିବାକୁ ହେଲା

କଳି ଆସୁଅଛି ମାଡ଼ି!

ରାଣ୍ଡ ବାହା ହେଲେ            ଆଉ କେହି କିପାଁ

ଦେବେ ବ୍ରାହ୍ମଣଭୋଜନ,

ତାହା ହେଲେ ନନା            ଏକାବେଳକରେ

ଉଠିଯିବ ଅରଜନ।

ଶୁଣିଲା ବେଳରୁ            ଏହି କଥାଟା ମୁଁ

ବୁଲାଇ ଦେଉଛି ମଥା,

ବହିଚୁଡ଼ା ଯେବେ            ବନ୍ଦ ହୋଇଯିବ,

ସରିଲା ବ୍ରାହ୍ମଣ କଥା!

ରମ୍ଭାକୁ ଗୋଟାଏ            ପଣ୍ଡିତ ଆସିଛି

ବାହାର କରିଛି ଶାସ୍ତ୍ର,

କାଶୀ କରେ ଯାଇ            ଶୁଣି ଆସିଛନ୍ତି

ଚାରିଦିନ ହେଲା ମାତ୍ର।

ସେ କହୁଛି ପରା            ପରାଶର ମୁନି

ଦେଇଛି ଶାସ୍ତ୍ର ବିଧାନେ,

ଏକାଦଶୀ ଛାଡ଼ି            ପିନ୍ଧି ଶଙ୍ଖା ଶାଢ଼ୀ

ବାହା ହେବେ ରାଣ୍ଡମାନେ।

କହୁଛି ପଣ୍ଡିତ            ଶାସ୍ତ୍ରରେ ଲିଖିତ-

ନଷ୍ଟେ ମୃତେ ପ୍ରବଜିତେ,

କ୍ଳୀବ ବା ପତିତ            ହେଲେ ସ୍ୱାମୀ, ନାରୀ

ବିଭା ହେବେ ଶାସ୍ତ୍ରମତେ।

କିରସ୍ତାନି ପାଠ            ଶୁଣିଲେ ଆଉ କି

ଚଳିବ ବୋଲ ସଂସାର?

କେ କରିବ ଏହି            କୁଳବୁଡ଼ା କାମ

ଛାଡ଼ି ପୁରୁଣା ବେଭାର!

ଜାଣନ୍ତି ସମସ୍ତେ            ଥିଲେ ପାଣୁ ରଥେ

ଭାରି ଥିଲା ତାଙ୍କ ଜ୍ଞାନ,

ପଢ଼ିଥିଲେ ସେହି            ବ୍ୟାକରଣ ସନ୍ଧି

ଚାରି ବର୍ଗ ଅଭିଧାନ।

ସେହି ରଥେ ଥିଲେ            ଆଜି ଚାଲିଯାଇ

ଚାରି ଶ୍ଳୋକ ଦେଲେ ଝାଡ଼ି,

ବାଟ ନ ଦିଶନ୍ତା            ପଳାଇ ଯାଆନ୍ତା

ସେ ପଣ୍ଡିତ ରମ୍ଭା ଛାଡ଼ି।

ଆହେ ରଘୁ ରଥେ            ବୋଲୁଅଛି ସତେ

ସେହି ବୋଲୁଥିଲେ ତେବେ,

ଯେତେ ମନ୍ଦ ହେଉ            କୁଳାଚାର ଧର୍ମ

ଛାଡ଼ିଦେବ ନାହିଁ କେଭେଁ।

ଏଡ଼େ ପଣ୍ଡିତଟା            ବୋଲିଥିଲେ ଯାହା

ତାହା କି ହେବ ଅମାନ୍ୟ?

ରାଣ୍ଡ ବାହା କଥା             ଯେମନ୍ତ ନ ଚଳେ

ତୁମ୍ଭେ ଥିବ ସାବଧାନ।

ଆଜିକାଲି ନନା            ଭେଣ୍ଡିଆଗୁଡ଼ାକ

ଇସ୍କୁଲରେ ପାଠ ପଢ଼ି

ବାପ ଦାଦା କାଳ            ଚାଲି ଚରଣକୁ

ସବୁ ଦେଉଛନ୍ତି ତଡ଼ି।

ରାଣ୍ଡ ବାହାଦେଲେ            ପୂଜା ପାଠ ସବୁ

ଏକାବେଳେ ଯିବ ଉଠି।

 

ଆସ ସବୁ ପଡ଼ି            ପଣ୍ଡିତକୁ ତଡ଼ି

ଦେବା ଧରି ତାହା ଚୁଟି।

ଗୋବିନ୍ଦନ୍ଦାନ୍ନା, ଗଦା      କକା, ଦୁହେଁ କାଲି

ଆସିଥିଲେ ମୋର ପାଶେ,

ବୋଲି ଯାଇଛନ୍ତି            ଶାସନ ମଧ୍ୟରେ

ସଭା କରିବା ସକାଶେ।

ଶାସନରେ ଯେତେ            ବ୍ରାହ୍ମଣ ଅଛନ୍ତି

କରିବା ଗୋଟାଏ ସଭା,

ରାଣ୍ଡ ଝିଅ ବହୂ             ବେଶ୍ୟା ହୋଇ ଯାଉ

ତାହାକୁ ନ ଦେବା ବିଭା।

 

ଚନ୍ଦ୍ରପ୍ରଭାର ନିର୍ଜଳା ଏକାଦଶୀ

ବିଚିତ୍ର ଘଟଣା ଏକ ଶୁଣନ୍ତୁ ସମସ୍ତେ,

ବୋଇରାଣି ଶାସନରେ ଥିଲେ ବିଶୁ ରଥେ।

ଗଲା ମାଘମାସେ ବୁଢ଼ୀ ମଲା ବାତଜ୍ୱରେ,

ଷାଠିଏ ବରଷ ରଥ ବୁଢ଼ା କାନ୍ଦି ମରେ।

ଦେଢ଼ମାସଯାଏଁ ରଥେ ନ ଖାଇଲେ ଭାତ,

ସବୁବେଳେ ବସିଥାନ୍ତି ଗାଲେ ଦେଇ ହାତ।

ତିନି ଗୋଟା ଭେଣ୍ଡା ପୁଅ ଦୁଇ ଝିଅ ଆଉ,

ଗୋଟାଏ ବାଡ଼ୁଅ ପୁଅ ଘରେ ଦୁଇ ବହୂ।

ରଥଙ୍କୁ ଅଳପ ଧଇଁକାଶ ଗଲା ଜଣା,

ଏଥିପାଇଁ ଖାନ୍ତି ନିତି ଆପୁ ଦୁଇ ଅଣା।

 

ବାଟିଏ ଅକରା ଭୂଇଁ ଅଛି ବୁଢ଼ା ହାତେ,

ଆଚ୍ଛା ନିତି ଘର ଚଳିଯାଏ ଶାଗ ଭାତେ।

ଯଜମାନ ଘର ପୁଣି ବହୁତ ଭରସା,

ବାହା ପୁଆଣିରେ ଆଚ୍ଛା ମିଳେ ଦିପଇସା।

ଆଟୁ ଘର ପାଶେ ଅଛି ଗୁରୁଡ଼ିଏ ଧାନ,

ଗ୍ରାମରେ କରନ୍ତି ମଧ୍ୟ ସମସ୍ତେ ସମ୍ମାନ।

ଏହିପରି ଚାଲିଗଲା ଦୁଇ ଚାରି ମାସ,

ବୁଢ଼ାକୁ ଆସିଲା ମାଡ଼ି ପେଲା ଧଇଁକାଶ।

ଦିନେ ଦିନେ ହେଲେ ଖିଆପିଆରେ ବଖଡ଼,

ଭାରି ଖପା ହୁଏ ବୁଢ଼ା ପାଟି କରେ ବଡ଼।

ଦିନେ ବୁଢ଼ା ବସି କଲା ମନରେ ବିଚାର,

ଏହି ପୁଅ ଝିଅ ସବୁ କିଏ ବା କାହାର?

କେ ହୋଇ ପାରିବ ସେହି ଘରଣୀ ସମାନ,

ମନ ଜାଣି କିଏ ଖଣ୍ଡେ ଭାଙ୍ଗିଦେବ ପାନ?

ବିଭା ହେବି ନିଶ୍ଚେଁ ଏକ କନ୍ୟା କାହୁଁ ଆଣି,

ଅଚଳବେଳରେ ହେଲେ ପୋଷେ ଦେବ ପାଣି।

ମନ ଜାଣି ଦିନେ ହେଲେ ବାଢ଼ିଦେବ ଭାତ,

ବାଧକା ବେଳରେ ଗୋଡ଼େ ବୁଲାଇବ ହାତ।

ଏତେ କଥା ବୁଢ଼ା ଭାଳି ଆପଣା ମନରେ,

କନ୍ୟାଟିଏ ଖୋଜିଲା ସେ ଅତି ଗୁପତରେ।

ବହୁତ ତଲାସ କଲେ ରଥେ ସେଥିପାଇଁ,

ବ୍ରାହ୍ମଣମାନଙ୍କ ଘରେ ବଡ଼ କନ୍ୟା କାହିଁ?

ଦୁଇ ଚାରି ଜଣ ଭଣ୍ଡ କହି ସଟା ବଟା,

ନେଲେ ରଥଠାରୁ ଟଙ୍କା ଆଠ ଦଶ ଗୋଟା।

 

ଅବଶେଷେ ବିଶ୍ୱ ରଥେ ପାଇଲେ ସନ୍ଧାନ,

ଖୁବ ଆଚ୍ଛା କନ୍ୟାଟାଏ ହେଲେ ମଧ୍ୟ ସାନ ।

ରାମଚନ୍ଦ୍ର ମିଶ୍ର ଘର ପାର୍ବତୀପୁରରେ,

ଆଠ ବରଷର ଝିଅ ଅଛି ତାଙ୍କ ଘରେ।

ସାଆନ୍ତ ବ୍ରାହ୍ମଣ ମିଶ୍ରେ କୁଳେ ବଡ଼ ଟାଣ,

ମର୍ଯ୍ୟାଦାରେ କେହି ନାହିଁ ତାହାଙ୍କ ସମାନ।

ମିଶ୍ରଙ୍କର ଝିଅ ନାମ ଅଟେ ଚନ୍ଦ୍ରପ୍ରଭା,

ସ୍ଥିର ହେଲା ବିଶୁ ରଥେ ହେବେ ତାଙ୍କୁ ବିଭା।

ଛିଣ୍ଡିଲା ଦୁଇଶ ଦଶ ଟଙ୍କା କନ୍ୟାସୁନା,

ଦେବେ ପୁଣି ବିଦ ମୁଦି ଖଡ଼ୁ ନାକଗୁଣା।

ରୋକଠୋକ ଦେବେ ଟଙ୍କା ନାହିଁ କାଳିବାସୀ,

ବିଭା ହେବେ ରଥେ କନ୍ୟା ବାପଘରେ ଆସି।

 

ମାତ୍ର ରଥଙ୍କର ହାତେ ନାହିଁ ଏତେ ଟଙ୍କା,

ଏଥିପାଇଁ ଜାତ ହେଲା ମନେ ଭାରି ଶଙ୍କା।

ମାଥୁରି ସାହୁଙ୍କୁ ରଥେ ଲେଖିଦେଲେ ଗୋଜା,

ଭୂମିଯାକ ବନ୍ଧା ଦେଇ ଆଣିଲେ କରଜା।

ପୁଅ ଝିଅମାନେ ଶୁଣି ଲଗାଇଲେ କଳି,

ମାତ୍ର ନ ଶୁଣିଲା ବୁଢ଼ା ଭାରି ହେଲା ଚଳି।

 

କନ୍ୟାବାପ କନ୍ୟାପଣ ଟଙ୍କା ନେଲେ ବାନ୍ଧି,

ସଁପି ଦେଲା କନ୍ୟାମାତା କେତେ କାନ୍ଦି କାନ୍ଦି।

ଆଠ ବରଷର ଝିଅ କିଛି ଜାଣେ ନାହିଁ,

ବିଚାରିଲା ମାଆ ଏତେ କାନ୍ଦୁଛି କିପାଇଁ?

ଡୋଲିରେ ବସାଇ ରଥେ ଆଣିବାର ବେଳେ,

ତେତେବେଳେ ଚନ୍ଦ୍ରପ୍ରଭା କାନ୍ଦିଲା ବିକଳେ।

 

କନ୍ୟା ଦେଖି ପୁଅ ଝିଅ ଝିଆରୀ ସମସ୍ତେ,

ରୁଣ୍ଡ ହୋଇ ବିକଳରେ କାନ୍ଦିଲେ ପରସ୍ତେ।

କି କରିବେ ଚାରା ନାହିଁ, ପୁଣି ବୁଢ଼ା ଡ଼ରେ,

ମହତ୍ତ୍ୱକୁ ଢାଙ୍କି କନ୍ୟା ପୂରାଇଲେ ଘରେ।

ଆହା ଆହା ଏ କି ହେଲା ଏ କି ସର୍ବାନାଶ!

ଦିନୁ ଦିନୁ ବଳିଗଲା ରଥ ଧଇଁକାଶ।

ରଥେ ତ ଧଇଲେ ବରଷେକେ ଯମଦାଣ୍ଡ,

ନଅ ବରଷରେ ଚନ୍ଦ୍ରପ୍ରଭା ହେଲା ରାଣ୍ଡ।

ଆଜିଠାରୁ ସେ ବିଧବା କରିବ ହବିଷ,

ନ ଖାଇବ ଭଲଭଲ ଦ୍ରବ୍ୟ ବା ଆମିଷ।

ନ ପିନ୍ଧିବ ଭଲ ଲୁଗା ନ ଖାଇବ ପାନ,

ଏହିପରି ଅଛି ପରା ଶାସ୍ତ୍ରରେ ବିଧାନ

ନିର୍ଜଳା ରହିବ ଏକାଦଶୀ ଦିବସରେ,

ମୁନିମାନେ ଲେଖିଯାଇଅଛନ୍ତି ଶାସ୍ତ୍ରରେ।

ଯେ ଦେଇଛି ବିଧି ବିଧବାର ବିଭାପାଇଁ,

ସେ ଋଷିଟା ଭାରି ମୂର୍ଖ, କିଛି ଜାଣେ ନାହିଁ।

ଷାଠିଏ ବରଷ ବୁଢ଼ା ବିଭା ହୋଇ ପାରେ,

ବାଳକା ସକାଶେ ଶାସ୍ତ୍ର ବିଧାନ ବାହାରେ।

ହେ ସମାଜ! କରୁଅଛ ଯେଉଁ ଅତ୍ୟାଚାର,

ନିଶ୍ଚୟ ହେବଟି ପରଲୋକରେ ବିଚାର।

ଆକାଶେ ଅଛନ୍ତି ଧର୍ମ, ନ ଯାଅ ପାସୋରି,

ଦିବା ନିଶି ଜଗିଛନ୍ତି ଧର୍ମ ଦଣ୍ଡ ଧରି।

ଯେ କଷ୍ଟଟା ଦେଉଅଛ ନିର୍ଦୋଷୀ କନ୍ୟାକୁ,

ନିଶ୍ଚୟ ନିଶ୍ଚୟ ହେବ ଫଳ ଭୁଞ୍ଜିବାକୁ।

 

ବୁଢ଼ା ବିଭା ବେଳେ ଥିଲ ମୁଖେ କନା ଢାଙ୍କି,

ରାଣ୍ଡ ବେଳେ ବାହାରିଲ କାଖେ ଶାସ୍ତ୍ର ଯାକି!

ଧନ୍ୟ ଧନ୍ୟ ହେ ସମାଜ! ଜୁହାର ତୁମ୍ଭଙ୍କୁ,

ଜୁହାରୁଛି ପୁଣି ତୁମ୍ଭ ବିଧି ବିଧାନକୁ!

ଜାଣିଥିବ ଚନ୍ଦ୍ର ପ୍ରଭା ପ୍ରତ୍ୟେକ ନିଶ୍ୱାସ

କରି ପକାଇବ କେତେ କୁଳକୁ ବିନାଶ।

 

କର୍ତ୍ତବ୍ୟ ପାଳନ

ରାଗ-ମଙ୍ଗଳ

ଏକ ଦୁଇ କରି ଦିନ ଯାଉଅଛି ବହି,

କିପାଇଁ ନୀରବ ହୋଇ ଅଛ ବସି ରହି?

କର୍ତ୍ତବ୍ୟସାଧନ ସେ ତ ପ୍ରକୃତ ଜୀବନ,

ଆଳସ୍ୟେ ସମୟ କ୍ଷେପ ଆତ୍ମାର ଦହନ।

ପୃଥିବୀ ଦେଇଛି ଯେତେ ଦ୍ରବ୍ୟ ତୁମ୍ଭ ପାଇଁ,

ବିଚାର ତ ପରିଶୋଧ କରିଛ କି ନାହିଁ?

ଶୈଶବକାଳରେ ଥିଲ ତୁମ୍ଭେ ଅସମର୍ଥ,

ତୁମ୍ଭର ଯା ଲୋଡ଼ୀ ପୃଥ୍ୱୀ ଦେଇଛି ସମସ୍ତ।

ଯୌବନ ଅର୍ଦ୍ଧେକ ପ୍ରାୟ ଯିବ ତ ନିଦ୍ରାରେ,

ପୁଣି ଅସମର୍ଥ ହେବ ବୃଦ୍ଧ ଅବସ୍ଥାରେ।

ଯେତେକାଳ ପାଇଥିଲ ସମର୍ଥ ଜୀବନ,

ବିଚାର ତ କରିଛ କି କର୍ତ୍ତବ୍ୟ ସାଧନ?

ଦିନ ଯାଏ ଧୀରେ ଧୀରେ ଭାଳିଛ ମନରେ,

ଅନାଥ ପଛକୁ ଯାଏ କେତେ ଚଞ୍ଚଳରେ!

 

ଶାନ୍ତିର ଗୌରବ

ରାଗ - ମଙ୍ଗଳ

କର ହିଂସା ଦିଅ ଗାଳି ମନକୁ ଯା ଆସେ,

ମୁଁ ତ ଆଉ ଯାଉ ନାହିଁ ପ୍ରତିହିଂସା ପାଶେ।

ଜୀବନଟାଯାକ ପ୍ରତିହିଂସା ଘେନି ପରା

କରି ବସିଥିବି ଭାଇ ବଣିଜ ପସରା?

ପ୍ରତିହିଂସାନଳ ଜାଳି ମନେ ପ୍ରଥମରେ

ହାଣିବ ବିଷାକ୍ତ ବାଣ ଆନ ହୃଦୟରେ!

ଏଥିରୁ ଯା ଜାତ ସୁଖ, ଗଲାଣି ତ ଜଣା,

ବିସର୍ଜନ ଦେଇଅଛି ମନୁ ସେ ମନ୍ତ୍ରଣା।

ଏକାବେଳେ ଭାଙ୍ଗିଛି ତ ମନରୁ ସେ ଭ୍ରାନ୍ତି,

ବିତିଲାଣି ଜୀବନରେ, କି ସୁଖ ଯେ ଶାନ୍ତି।

ମିତ୍ରତା, କରୁଣା, ସ୍ନେହ, ପ୍ରୀତି, ଶାନ୍ତିପଣ,

ଅବହେଳା କଲେ ଏହା ନାହିଁ ପରିତ୍ରାଣ।

ଜୀବନ-ସନ୍ଧ୍ୟାରେ କରିଅଛି ଅନୁଭବ,

ଅହିଂସା ପରମଧର୍ମ ଶାନ୍ତିର ଗୌରବ।

 

ସତୀ ଲୁକ୍ରେସିୟା

ସମ୍ଭ୍ରାନ୍ତକୁଳଜାତା ସତୀ ଲୁକ୍ରେସିୟା ଇଟାଲୀର ସୁପ୍ରସିଦ୍ଧ ରଣବୀର କୋଲେଟିନଙ୍କ ଧର୍ମପତ୍ନୀ। ପିତାଙ୍କ ନାମ ସ୍ଫୁରିୟସ। ସେ ମଧ୍ୟ ଜଣେ ସୁପ୍ରସିଦ୍ଧ ଯୋଦ୍ଧା ଥିଲେ।

ସତୀ ଲୁକ୍ରେସିୟା ସର୍ବଗୁଣବିଭୂଷିତା ପରମାସୁନ୍ଦରୀ ବୋଲି ଇଟାଲୀରେ ସୁବିଖ୍ୟାତା। ଲୁକ୍ରେସିୟାଙ୍କ ସ୍ୱାମୀ ଏବଂ ପିତା ଦୁଇ ଜଣ ଯୁଦ୍ଧବିଶେଷରେ ବ୍ୟାପୃତ ଥିବା ସମୟରେ ଶୂନ୍ୟ ଗୃହ ଦେଖି ଇଟାଲୀ ଦେଶର ନୃପତି ଟାର୍କୁଇନ୍‌ବଂଶଜ ଯୁବରାଜ ସେକ୍ସଟସ୍ ବଳପୂର୍ବକ ଲକ୍ରେସିୟାଙ୍କ ସତୀତ୍ୱ ହରଣ କରିବାରୁ, ସତୀ ପତ୍ରଦ୍ୱାରା ସ୍ୱାମୀଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇ ଆତ୍ମଘାତିନୀ ହୋଇଥିଲେ। ସେକ୍ସଟସ୍ ସହିତ କୋଲେଟିନଙ୍କର ବିଶେଷ ବନ୍ଧୁତ୍ୱ ଥିଲେ ମଧ୍ୟ ସେ ବିଶ୍ୱାସଘାତୀ ହୋଇ ଈଦୃଶ ମହାପାପରେ ଲିପ୍ତ ହେବାରୁ ରାଜବଂଶକୁ କିପରି ପ୍ରତିଫଳ ଭୋଗ କରିବାକୁ ହୋଇଥିଲା, ବର୍ଣ୍ଣନା କରିବା ବାହୁଲ୍ୟ ମାତ୍ର। କେବଳ ସେ ରାଜବଂଶ ଚିରକାଳପାଇଁ ଉତ୍ସନ୍ନ ହୋଇଥିଲେ ଏମନ୍ତ ନୁହେଁ, ଅସଂଖ୍ୟ ନରଶୋଣିତରେ ରୋମହୃଦୟବାହିନୀ ଟାଇବାର ନଦୀର ସ୍ରୋତ ରକ୍ତବର୍ଣ୍ଣ ଧାରଣ କରିଥିଲା। ଏହି ଘଟଣା ଉପଲକ୍ଷରେ ନିମ୍ନଲିଖିତ କ୍ଷୁଦ୍ର ପଦ୍ୟଟି ଲିଖିତ ହେଲା । ଏହାକୁ ଇଟାଲୀ ଦେଶର ସଂକ୍ଷିପ୍ତ ରାମାୟଣ ବୋଲିବାକୁ ହେବ।

ସମରବିଜୟୀ ସ୍ୱାମୀ, ଜନକ ଯଶସ୍ୱୀ,

ସତୀ ସାଧ୍ୱୀ ଲୁକ୍ରେସିୟା ଅତୁଳ ରୂପସୀ।

ଧନେ ମାନେ କୁଳେ ଶୀଳେ ପଦମର୍ଯ୍ୟାଦାରେ

ପରାସ୍ତ ଇଟାଲୀବାସୀ କେଲୋଟିନ ଠାରେ।

 

ଜଗତସୁନ୍ଦରୀ ନାରୀ ଇଟାଲିବାସିନୀ,

ଲୁକ୍ରେସିୟା ଗୁଣବତୀ ନାରୀସିମନ୍ତିନୀ।

ଛନ୍ତି ପିତା ସ୍ୱାମୀ ଦୁହେଁ ସମରକ୍ଷେତ୍ରରେ,

ଚିନ୍ତା କରୁଛନ୍ତି ସତୀ ବସି ଅଳିନ୍ଦରେ।

 

ସଂଶୟ ଉଦ୍ବେଗ ଭୟ ଆଶା ଯୁଗପତ

କରୁଅଛି ଲୁକ୍ରେସିୟା ହୃଦ ଇତସ୍ତତ।

ଭକ୍ତିଭାବେ ପ୍ରଭୁପଦେ ପବିତ୍ରା ଲଳନା,

ସ୍ୱାମୀଙ୍କ ମଙ୍ଗଳ କରୁଅଛନ୍ତି କାମନା।

 

ଦେବଦେବ ଜୁପିଟର ତବ କୃପାବଳେ

ଆସନ୍ତୁ ବାହୁଡ଼ି ସ୍ୱାମୀ ପିୟର କୁଶଳେ।

ଦିବା ନିଶି ଲୁକ୍ରେସିୟା ଛନ୍ତି ବାଟ ଚାହିଁ,

ସମର କୁଶଳ ବାର୍ତ୍ତା ପାଇବାର ପାଇଁ।

 

ଚମକି ପଡ଼ିଲେ ଅପରୂପ ଦେଖି ସତୀ,

ସମ୍ମୁଖରେ ଉଭା ଆସି ଇଟାଲୀ ନୃପତି।

ନ ଜାଣନ୍ତି ସତୀ ଦୁଷ୍ଟ ମନ୍ଦ ଅଭିଳାଷ,

ବହୁତ ସମ୍ମାନ କରି ବସାଇଲେ ପାଶ।

ପୁଚ୍ଛିଲେ ବିନୟେ ଆଜ୍ଞା କରନ୍ତୁ ରାଜନ!

କିପାଇଁ ଅଧୀନା ଗୃହେ ହେଲା ଆଗମନ?

କାମୁକ ପାଷଣ୍ଡ ଯାହା ଆତ୍ମା କଳୁଷିତ,

ଧର୍ମାଧର୍ମ ଲାଜ ଭୟ ନ ଥାଏ କିଞ୍ଚିତ।

ବହୁତ ବିନୟେ ଦୁଷ୍ଟ ବାକ୍ୟେ ଚାଟୁଆଇ

ଆପଣାର ଅଭିପ୍ରାୟ ବୋଇଲା ବୁଝାଇ।

 

*ଇଟାଲୀ ଦେଶର ବଜ୍ରଧାରୀ ଇନ୍ଦ୍ରଦେବତା।

 

ତୁମ୍ଭର ପ୍ରଣୟପ୍ରାର୍ଥୀ ଆଗୋ ସୁଲୋଚନା।

ମୋହ ପ୍ରତି ବେଳେ ମାତ୍ର କରନ୍ତୁ କରୁଣା।

ଦେବି ଅର୍ଦ୍ଧ ରାଜ୍ୟ ଛାଡ଼ି ଅତୁଳ ସମ୍ପତ୍ତି,

ବେଳେ ମାତ୍ର ପାଏଁ ଯେବେ ତୁମ୍ଭର ସମ୍ମତି।

 

ଜାଣ ତ ମୁଁ ଚକ୍ରବର୍ତ୍ତୀ ଇଟାଲୀ ରାଜ୍ୟରେ,

କିଣା ଦାସ ପରି ଥିବି ତୁମ୍ଭ ଶ୍ରୀପୟରେ।

ଲୁକ୍ରେସିୟା ଶୁଣି ସେକ୍ସଟସ କଥାମାନ

ରହିଲେ ସ୍ତମ୍ଭିତ ହୋଇ ପ୍ରତିମା ସମାନ।

ଘୃଣା ଲଜ୍ଜା ଭୟେ କିଛି ନ ଦେଲେ ଉତ୍ତର,

ନ ଦିଶିଲା ବୁଦ୍ଧି ତାଙ୍କୁ କିଞ୍ଚିତ ମାତର।

ଧୈର୍ଯ୍ୟ ଧରି କ୍ଷଣ ପରେ ବୋଇଲେ କ୍ରୋଧରେ,

କିପରି ଆଣିଲ ରାଜା ଏ କଥା ମୁଖରେ?

ଆସିଅଛ କେଉଁ କୁଳେ ଦେବାପାଇଁ କାଳି,

ବିଚାର ନ କଲ ମନେ ଥରେ ମାତ୍ର ଭାଳି!

ଟାର୍କୁଇନ ବଂଶେ ଜନ୍ମିଅଛୁ କୁଳାଙ୍ଗାର।

ଲମ୍ପଟ ବର୍ବର ଲଜ୍ଜାହୀନ ଦୁରାଚାର।

ଅଛି ପରା ସ୍ୱାମୀ ସଙ୍ଗେ ତୋର ମିତ୍ରପଣ?

ରେ ପାପିଷ୍ଠ। ଏହି କି ରେ ସେଥି ନିଦର୍ଶନ?

ରୋମର ପବିତ୍ର କୁଳେ ମୋହର ଜନମ,

ଭୁଲି ଗଲୁ ଏକାବେଳେ ଆରେ ନରାଧମ!

ରୋମଦେଶ କନ୍ୟା ମୁହିଁ ରୋମୀୟ ମୋ ସ୍ୱାମୀ,

କରିବେ ଅବଶ୍ୟ ରକ୍ଷା ମୋତେ ଅନ୍ତର୍ଯ୍ୟାମୀ।

ସ୍ୱାମୀ ଦୂରଦେଶେ କିବା ବୋଲିବି ଅଧିକ,

ଦେଖାଇ ଦିଅନ୍ତି ଥରେ କେଡ଼େ ତୁ ରସିକ।

କାପୁରୁଷ ଦୁରାଚାର ଆରେ ଅର୍ବାଚୀନ,

ହୋଇ କି ପାରନ୍ତି ଲୋକ ଏଡ଼େ ଲଜ୍ଜାହୀନ!

ତେଜସ୍ୱିନୀ ପତିବ୍ରତା କେଶରିପ୍ରେୟସୀ,

ଧିକ ଧିକ ହୋଇଅଛି ଶୃଗାଳ ପ୍ରୟାସୀ।

ବୋଲୁଅଛୁ, ଦେବୁ ରାଜ୍ୟ ଅର୍ଦ୍ଧେକ ସମ୍ପତ୍ତି,

ସତୀତ୍ୱର ମୂଲ୍ୟ କାହୁଁ ଜାଣିବୁ ଦୁର୍ମତି?

ସତୀତ୍ୱ ସ୍ୱର୍ଗୀୟ ବସ୍ତୁ, ହେବ କି ରେ ତୁଳ

କରୁ ଯେବେ ପୃଥିବୀର ସର୍ବ ଧନ ଠୁଳ?

କର୍କଶରେ ଏତେ କଥା ବୋଲି ସେକ୍ସଟସ୍ କୁ

କ୍ରୋଧଭରେ ଚାଲିଗଲେ ଗମ୍ଭୀରୀ ମଧ୍ୟକୁ।

ଦ୍ୱାର କିଳି ଦେଇ ସତୀ ବସି ନିର୍ଜନରେ

ସମସ୍ତ ବୃତ୍ତାନ୍ତ ଫେଡ଼ି ଲେଖିଲେ ପତ୍ରରେ।

ଜଣାଇବେ ସ୍ୱାମୀକୁ ସେ ସବୁ ସମାଚାର,

ଏହି କଥା ସତୀ କରି ମନରେ ବିଚାର;

ଧୀରେ ଧୀରେ ଯାଇ କଲେ ଶଯ୍ୟାରେ ଶୟନ,

ମାତ୍ରକ କଲେହେଁ ଯେତେ ପ୍ରକାରେ ଯତନ,

ଦୁଶ୍ଚିନ୍ତାରେ ରାତି ଗୋଟା ନିଦ ହେଲା ନାହିଁ,

ବିଛଣାରେ ପଡ଼ି ପଡ଼ି ରାତି ଗଲା ପାହି।

ଏଣେ ଦୁଷ୍ଟ ସେକ୍ସଟସ ପାଇ ଅପମାନ

ବାହୁଡ଼ି ଅଇଲା ଧୀରେ ଧୀରେ ନିଜ ସ୍ଥାନ।

ନିର୍ଜନରେ ବସି କଲା ମନରେ ବିଚାର,

ଦେଖିବି ସେ ରମଣୀର କେଡ଼େ ଅହଙ୍କାର।

ବାରେକ ନିରାଶ ହୋଇ ପାଇବାର ଲାଜ,

ନିଶ୍ଚୟ ନିଶ୍ଚୟ ଏହା କାପୁରୁଷ କାର୍ଯ୍ୟ।

 

କେତେଥର କେତେସ୍ଥାନେ ପାଇଛି ପ୍ରମାଣ,

ପ୍ରଥମେ କରନ୍ତି ନାରୀମାନେ ମୁହଁଟାଣ।

ଥରେ ଯେବେ ତାକୁ କରି ପାରିବି ଆୟତ୍ତ,

ଚିରକାଳ ପଦେ ଖଟିଥିବ ଦାସୀବତ।

ଯୁବରାଜ ବୋଲି ଆପେ ଏହି କଥାମାନ।

କ୍ଷଣେ ମାତ୍ର ତୁନି ହୋଇ ବସି କଲା ଧ୍ୟାନ।

ଆନନ୍ଦ ମନରେ ପୁଣି ବୋଇଲା ଉଚ୍ଚରେ,

ଭଲ କଥାଟାଏ ପଡ଼ି ଗଲା ତ ମନରେ।

ତାହାର ସତୀତ୍ୱ ନାଶ କରିବି ବଳରେ,

ଭାଙ୍ଗିଯିବ ତାହା ଗର୍ବ ତେବେ ସହଜରେ।

ନ ପାରିବ କାହାକୁ ସେ କହି ଲୋକଲାଜେ,

ମୋହର ଆୟତ୍ତ ହୋଇ ରହିବ ସହଜେ।

ଏତେ କଥା ଭାଳି ସେହି ଦୁରାତ୍ମା ମନରେ

ବିଚରଣ କଲା ପୁରୀ ମଧ୍ୟେ ଆନନ୍ଦରେ।

ଏଣେ ଲୁକ୍ରେସିୟା ବସିଅଛନ୍ତି ଆଗାରେ,

ଅସ୍ଥିର ସନ୍ତତ ମନ ନାନା ଦୁଶ୍ଚିନ୍ତାରେ।

ଏହି କାଳେ ଦୂତ ଏକ ଆସି ଗଲା କହି,

ବାହୁଡ଼ିବେ ସ୍ୱାମୀ ହୋଇ ସମରବିଜୟୀ।

ଏପ୍ରକାର ଦୂତ ମୁଖୁଁ ପାଇ ସମାଚାର

ହୃଦେ ତାଙ୍କ ଜାତ ହେଲା ଆନନ୍ଦ ଅପାର।

ବହୁତ ଆନନ୍ଦ ଆଶା ପଡ଼ୁଛି ଉଛୁଳି,

ବାଟ ଚାହିଁ ବସିଛନ୍ତି କାଞ୍ଚନପିତୁଳୀ।

ପିତା ସ୍ୱାମୀ ଦୁଇ ଜଣ କାଲି ପ୍ରଭାତରେ

ଉଡ଼ାଇ ବିଜୟବାନା ମିଳିବେ ରୋମରେ।

 

ଆହେ ଦେବ ଜୁପିଟର, ହେଉନ୍ତୁ ସଦୟ,

ଆସନ୍ତୁ ବାହୁଡ଼ି ସ୍ୱାମୀ କରି ରଣ ଜୟ।

ଘଣ୍ଟାଯନ୍ତ୍ର ବାରମ୍ବାର ଦେଖନ୍ତି ଲଳନା,

ଆଜି ରାତି ଅତି ଦୀର୍ଘ ପରି ଗଲା ଜଣା।

କିପରି କରିବେ ପିତା ଚରଣ ବନ୍ଦନ,

ସ୍ୱାମୀଙ୍କୁ କରିବେ କେତେ ପ୍ରେମେ ଆଲିଙ୍ଗନ।

କେଉଁ ବସ୍ତ୍ର ପିନ୍ଧିବେ ସେ କାଲି ପ୍ରଭାତରେ,

ସଜାଡ଼ି ରଖିଲେ ଆଜି ରାତ୍ରିରେ ଯତ୍ନରେ।

ନିତ୍ୟ କର୍ମ ସାରି ରାତ୍ରି ପ୍ରହରେକ ଅନ୍ତେ,

ଶୟନ କଲେକ ଯାଇ ଶେଯରେ ନିଶ୍ଚିନ୍ତେ।

ଶୟନ ପୂର୍ବରେ ସତୀ ହୋଇ ସାବଧାନ

କିଳି ଦେଇଛନ୍ତି ଶଯ୍ୟାଗୃହ ଦ୍ୱାରମାନ।

କେତେରୂପ ଆଶା କରି ମନରେ ପୋଷଣ

କରିଛନ୍ତି ଲୁକ୍ରେସିୟା ସୁଖରେ ଶୟନ।

କେତେ କଥା ହୃଦେ କରୁଛନ୍ତି ଆନ୍ଦୋଳନ,

କେତେ ରୂପ ଦେଖୁଛନ୍ତି ସୁଖର ସ୍ୱପନ।

ସବୁ ଦୁଃଖ ହେବ ଦୂର ପାହିଲେ ରଜନୀ,

ବାହୁଡ଼ି ଆସିବେ ରଣଜୟୀ ଗୁଣମଣି।

ଭବିଷ୍ୟତ ଅନ୍ଧ ଜୀବ ଜାଣି ସେ ନ ପାରେ,

କି ଦଶା ଘଟିବ ଆସି ମୁହୂର୍ତ୍ତ ଉତ୍ତାରେ।

ଯେ ଲୋକ ବସିଛି ହୋଇ ରାଜ୍ୟ-ଅଧିକାରୀ,

ମୁହୂର୍ତ୍ତକେ ହୋଇ ପାରେ ଦାଣ୍ଡର ଭିଖାରୀ।

କାଳାନ୍ତକ ଯମ ଆସି ରହିଛି ଆକ୍ରୋଶି,

ନ ଜାଣନ୍ତି ଘୁଣାକ୍ଷରେ ଏ କଥା ରୂପସୀ।

ଅର୍ଦ୍ଧରାତ୍ରି ଗତ ପ୍ରାୟ ନିସ୍ତବ୍ଧ ରଜନୀ,

କ୍ଷଣେ କ୍ଷଣେ ଶୁଭୁଅଛି ପେଚକର ଧ୍ୱନି।

ମଦ୍ୟପ, ତସ୍କର, ରାଜପ୍ରହରିନିକରେ

ଅନ୍ଧାରେ ଭ୍ରମନ୍ତି ରୋମନଗରୀ ମାର୍ଗରେ।

ନଗରବାସିଙ୍କ ଆଉ ଗତିବିଧି ନାହିଁ,

ଅନ୍ଧକାର ହିଂସ୍ର ପ୍ରାଣୀ ତସ୍କରଙ୍କ ପାଇଁ।

 

ବାହାରିଲା ଟେକ୍ସଟସ ଅର୍ଦ୍ଧ ରଜନୀରେ

ଲୁକ୍ରେସିୟା ଶଯ୍ୟା ତଳୁ ଧୀରେ ଅତି ଧୀରେ।

ସାବଧାନେ ଦେଖିଲା ସେ ଚାରିଆଡ଼େ ଚାହିଁ,

ତେଡ଼େବଡ଼ ଅଟ୍ଟାଳିରେ ଶବ୍ଦ ମାତ୍ର ନାହିଁ।

ଦେଖିଲା ସେ ଏକଧ୍ୟାନେ ଚାହିଁ ଦୁଷ୍ଟମତି,

ସ୍ଥିରଭାବେ ଶୋଇଛନ୍ତି ଲୁକ୍ରେସିୟା ସତୀ।

ଶୋଇଛନ୍ତି ସତୀ ସାଧ୍ୱୀ କୋମଳ ଶେଯରେ,

ଶ୍ୱେତପଦ୍ମାସନା ଲକ୍ଷ୍ମୀ କ୍ଷୀରୋଦ-ସାଗରେ।

ଧୀର ଧୀର ହୋଇ ଚାଲିଯାଏ ସତୀ ପାଶେ,

ପୁଣି କି ବିଚାରି ପଛଘୁଞ୍ଚା ଦେଇ ଆସେ।

ପୁଣି ଧୀରେ ଅତି ଧୀରେ ଅତି ସାବଧାନେ

ମିଳିଲା ପାମର ସତୀ ଶଯ୍ୟା ସନ୍ନିଧାନେ।

ଧୀରେ ଧୀରେ କଲା ସତୀ ହସ୍ତକୁ ଧାରଣ,

ଶାର୍ଦୂଳ କି କଲା ସୁପ୍ତ ମୃଗୀ ଆକ୍ରମଣ!

ସେହି ପାମରର କଳୁଷିତ ହାତ ବାଜି

ଚମକିପଡ଼ିଲେ ସତୀ, ନିଦ ଗଲା ଭାଞ୍ଜି।

ଭୟଙ୍କର କାଣ୍ଡ ଦେଖି ମଣିଲେ ବିସ୍ମୟ,

ସ୍ୱପନ କି ସତ କରି ନ ପାରିଲେ ଥୟ

ନିମୋଷମାତ୍ରକେ ସବୁ କଥା ଗଲା ଜଣା,

ସଂଶୟ କି ଥାଏ ଯାହା ପ୍ରତ୍ୟକ୍ଷ ଘଟଣା?

ଘୃଣା ଲଜ୍ଜା ଭୟ ଅପମାନ କ୍ରୋଧଭରେ

ରହିଗଲେ କିଛିକାଳ ମୃତ ସମାନରେ।

ହୃଦୟ ଯାଉଛି ଫାଟି, ନେତ୍ରୁଁ ବହେ ଜଳ,

ଛଡ଼ାଇ ନେବାକୁ ହାତ ଦେହେ ନାହିଁ ବଳ।

ବୋଇଲେ କ୍ରୋଧରେ କରି ଭୀଷଣ ଗର୍ଜନ,

ଛାଡ଼ ଛାଡ଼ ହାତ ଛାଡ଼ ପାପିଷ୍ଠ ଦୁର୍ଜନ!

କି ସାହସେ ଆସି ତୁହି ଧଇଲୁ ମୋ ହାତ,

ନ ଜାଣୁ ଏ ପାପେ ହେବୁ ସବଂଶେ ନିପାତ।

ହେ ରାଜନ! ତୁମ୍ଭେ ପରା ଧର୍ମରକ୍ଷାକାରୀ?

କେଡ଼େ କାର୍ଯ୍ୟ କରୁଅଛ କିଛି ନ ବିଚାରି?

ଛାଡ଼ିଦିଅ ଯୁବରାଜ ଧରୁଛି ଚରଣ,

ଆପଣାର ରାଜକାର୍ଯ୍ୟେ ପାଇଁ ଦିଅ ମନ।

ଧର୍ମଭ୍ରଷ୍ଟ ହୁଅ ନାହିଁ, ବୋଲେଁ ବାରମ୍ବାର,

ଏହି ପାପେ କେତେ ବଂଶ ହେବେ ଛାରଖାର।

ଭାଳିଛ ମନରେ ପରା କେହି ଦେଖୁ ନାହିଁ,

ଆକାଶରେ ରହିଛନ୍ତି ଜୁପିଟର ଚାହିଁ।

ପୁନର୍ବାର ହେ ରାଜନ ଧରୁଛି ଚରଣ,

ନାଶ କର ନାହିଁ ମୋର ପବିତ୍ରତା-ଧନ।

ସ୍ୱର୍ଗୀୟ ସତୀତ୍ୱ ଧନ ପୃଥିବୀଲୋକରେ,

ବାହୁଡ଼ି ନ ଆସେ ଯେବେ ହଜିଯାଏ ଥରେ।

ଆହେ ଦେବ ଜୁପିଟର ଜଗତର ନାହା!

ସଙ୍କଟ କାଳରେ ବେଳେ ହେଲ ନାହିଁ ସାହା।

 

ଏହି କଥା ବୋଲୁଁ ବୋଲୁଁ ଚେତା ଗଲା ହଜି,

ଶରୀର ଅବଶ, ଆଖି ପକାଇଲେ ବୁଜି।

ଯେ ପାଷାଣ୍ଡ ଦୁରାଚାର କାମରେ ମୋହିତ,

ତାର କାହିଁ ଜ୍ଞାନ ଧର୍ମାଧର୍ମ ହିତାହିତ।

ଲଳନାକୁ ଦୁରାଚାର ଦେଲା ଯେଉଁ ବ୍ୟଥା,

କହି ଅବା ଲେଖି ହେବ ନାହିଁ ସେହି କଥା।

କେତେକ୍ଷଣ ପରେ ସତୀ ପାଇଲେ ଚେତନା,

ଜଗତ ସଂସାର ଶୂନ୍ୟ ପରି ଗଲା ଜଣା।

କଳଙ୍କିତ ଦେହ ମନ, ଗୃହ କଳଙ୍କିତ,

ବ୍ରହ୍ମାଣ୍ଡ ହୋଇଛି କଳଙ୍କରେ ଆଚ୍ଛାଦିତ।

କିପରି ଛୁଇଁବେ ସ୍ୱାମୀ ପବିତ୍ର ଶରୀର,

ଆତ୍ମଘାତୀ ହେବାପାଇଁ ମନେ କଲେ ସ୍ଥିର।

ଲେଖିଲେ ସମସ୍ତ କଥା ପତ୍ରେ ସବିସ୍ତାର,

ଯାହା ଯାହା କରି ଯାଇଅଛି ଦୁରାଚାର।

ଅବଶେଷେ କରି ସ୍ୱାମୀ ଚରଣ ଦର୍ଶନ,

ସ୍ୱାମୀ ସାକ୍ଷାତରେ ତ୍ୟାଗ କରିବେ ଜୀବନ।

ପଶ୍ଚିମ ଆକାଶେ ଅସ୍ତ ଗଲେ ନିଶାକର,

ପାହିଲା ରଜନୀ ଉଦେ ହେଲେ ଦିବାକର।

ହେବାପାଇଁ ଲୋକଙ୍କର ଧର୍ମାଧର୍ମସାକ୍ଷୀ

ଦେଖୁଛନ୍ତି ଦିବାକର ଅବା ମେଲି ଆଖି।

ସ୍ଫୁରିୟସ କୋଲେଟିନ ପ୍ରଭାତ କାଳରେ

ବଜାଇ ବିଜୟ ବାଜା ମିଳିଲେ ରୋମରେ।

ଆଶ୍ଚର୍ଯ୍ୟ ମଣିଲେ ଦେଖି ସତୀ ଲୁକ୍ରେସିୟା

ନାହାନ୍ତି ସେ ଆନନ୍ଦରେ ଦ୍ୱାରଦେଶେ ଠିଆ।

 

ଦେଖିଲେ ପ୍ରବେଶି ଗୃହେ ଲୁକ୍ରେସିୟା କାର୍ଯ୍ୟ,

ବୀରମାନେ ହେଲେ ପୁଣି ଆହୁରି ଆଶ୍ଚର୍ଯ୍ୟ।

ବିକଳ ମନରେ ବସିଛନ୍ତି ମହାଦେଈ,

ସ୍ଥିରଭାବେ ଜଡ଼ପ୍ରାୟେ ଗାଲେ ହାତ ଦେଇ।

ନ ଚାହିଁ ସ୍ୱାମୀଙ୍କ ପ୍ରତି ବିମଳ ମନରେ,

ଦେଲେ ପୂର୍ବଲେଖା ଲିପି ସ୍ୱାମୀଙ୍କ ହସ୍ତରେ।

ଫେଡ଼ନ୍ତେ ସେ ଲିପିଖଣ୍ଡ ପଢ଼ିବା ସକାଶେ,

ସତୀ ସାଧ୍ୱୀ ଲୁକ୍ରେସିୟା ଏହି ଅବକାଶେ

ତୀକ୍ଷ୍ଣଧାର ଛୁରି ଖଣ୍ଡେ ହସ୍ତେ ଧରି ବଳେ

ବିଦ୍ଧ କରି ଦେଲେ ଆପଣାର ବକ୍ଷସ୍ଥଳେ।

ଆହା ଆହା! ଏ କି ଏ କି! ବୋଲି ବାରମ୍ବାର

କୋଲେଟିନ କଲେ ମହାଭୀଷଣ ଚିତ୍କାର।

ଆଉ କିବା ହେବ ଯାଇ ସତୀ ହାତ ଧରି,

ତେତେବେଳେ ଯାଇଥିଲା ସବୁ କଥା ସରି।

ସେହି ଭୟାନକ ଦୃଶ୍ୟ ନୁହେଁ ବର୍ଣ୍ଣିବାର,

କେବଳ ସମସ୍ତେ କରୁଛନ୍ତି ହାହାକାର!

ତାଙ୍କ ପାଇଁ ଯତ୍ନ କଲେ କିବା ହେବ ଆଉ,

ତେତେବେଳେ ଉଡ଼ି ଯାଇଥିଲା ପ୍ରାଣବାୟୁ।

ପଡ଼ି ଲୋଟୁଅଛି ତଳେ ସୁବର୍ଣ୍ଣ ଶରୀର,

ଦେହୁଁ ଅନର୍ଗଳ ବହି ଯାଇଛି ରୁଧିର।

ବିକଳମନରେ କାନ୍ଦୁଛନ୍ତି ସ୍ଫୁରିୟସେ,

ଆହା ବିଧି କଷ୍ଟ ଦେଲୁ ଏ ବୃଦ୍ଧ ବୟସେ!

 

ପିତା ରକ୍ତେ ପାଦ ଧୋଇ ଆନନ୍ଦିତ ମନେ

ବସିଅଛି ସ୍ୱାମୀ ସଙ୍ଗେ ରାଜସିଂହାସନେ।

ସ୍ୱହସ୍ତରେ ବଧ କଲା ପ୍ରଥମ ପତିକୁ,

ରାଜରାଣୀ ବୋଲୁଅଛ ସେହି ଅସତୀକୁ!

ଅସତୀ ରାକ୍ଷସୀ ଭ୍ରଷ୍ଟା ଯାହାର ଜନନୀ,

ତୁମ୍ଭମାନଙ୍କର ସେ କି ହେବ ଶିରୋମଣି?

କି ବୋଲିବ ଆଉ ଆହେ ରୋମବାସିଗଣ!

ଜାଣ ସେକ୍ସଟସ ପିତାମାତା ବିବରଣ!

ଦୁରାଚାର ଟାର୍କୁଇନ ତାହାର ଜନକ,

ପାପର ସେ ପ୍ରତିମୂର୍ତ୍ତି ସାକ୍ଷାତ ନରକ।

ତାହାର ଜନନୀ ଭ୍ରଷ୍ଟା ଟୁଲିଆ ପାପିନୀ,

ନରକୁଳେ ଜନ୍ମିଅଛି କାଳଭୁଜଙ୍ଗିନୀ।

ଜନ୍ମିଛି ପାପିଷ୍ଠା ଗର୍ଭୁ ପାପିଷ୍ଠ ସନ୍ତାନ,

ରାଜା ବୋଲି ତାକୁ କି ହେ କରିବ ସମ୍ମାନ?

ଧାର୍ମିକ ବିବେକୀ ଜ୍ଞାନୀ ରୋମବାସିଗଣେ,

ନୁଆଁଇବ ଶିର କି ହେ ପାପିଷ୍ଠ ଚରଣେ?

ଏ ବଂଶରେ ଜନ୍ମିଅଛି ଯେଉଁ କୁଳାଙ୍ଗାର,

କି ବିଚିତ୍ର କରିବ ସେ ମହା ଅତ୍ୟାଚର!

ରୋମବାସି-ଭାଗ୍ୟଚକ୍ର ହେବ ସେ ଚାଳକ?

ସେହି ହେବ ପରା ପ୍ରଜାମାନଙ୍କ ପାଳକ?

ବୁଝ ନାହିଁ ସରିଗଲା ସବୁ ଏତିକିରେ,

ଆଉ କି ଘଟିବ ତାହା ନ ଆସେ ବୁଦ୍ଧିରେ।

ଯାହା ଦେହେ ଅଛି କିଛି ମାତ୍ର ପୁରୁଷତ୍ୱ,

ଯେବେ କିଛି ଜଣା ଥାଏ ସତୀତ୍ୱ ମହତ୍ତ୍ୱ,

ଲେଶମାତ୍ର ଯାହାଠାରେ ଅଛି ଧର୍ମଜ୍ଞାନ,

ଯେବେ କିଛି ବୋଧ ଥାଏ ମାନ ଅପମାନ,

ଦେଉଅଛି ମାତା ଭଗ୍ନୀ କନ୍ୟାଙ୍କ ଦୋହାଇ,

ଆସ ଉଠ ଧର ଖଡ଼୍ଗ ମିଳି ସର୍ବ ଭାଇ।

ଶୁଣ ଶୁଣ ଶୁଣ ଭାଇ ରାଜସେନାଗଣ,

ଜାଣ କି ହେ ଖାଉଅଛ କାହାର ବର୍ତ୍ତନ?

ରାଜା ଯେ ବର୍ତ୍ତନ ଟଙ୍କା ଦେଉଛନ୍ତି ଆଣି,

ଅରଜିଅଛି କି ତାହା ହାତେ କୋଡ଼ି ହାଣି?

ପ୍ରଜାମାନେ ମୁଣ୍ଡଝାଳ ପକାଇ ଗୋଡ଼ରେ

ଅରଜିଲା ଟଙ୍କା ପୂରାଇଛି ଗନ୍ତାଘରେ।

ଦେଖ ଏତେଦିନ ଖାଇଅଛ ଯାହା ଲୁଣ,

ଘାଟିବେଳ ପଡ଼ିଅଛି ମାନ ତାଙ୍କ ଗୁଣ।

ଭାଇମାନେ! ମିଳି ଅସ୍ତ୍ରଶସ୍ତ୍ର ଧରି ଆସି

ପବିତ୍ର ରୋମରୁ ତୁଟି ଦିଅ ପାପରାଶି।

ବୋଲ ଜୟ ଜୟ ଜୟ ରୋମାନର ଜୟ।

ଜୟ ରୋମାନର ଯତୋଧର୍ମସ୍ତତୋ ଜୟ!

ଓଲାରି ଖାପରୁ ଖଣ୍ଡା ବକ୍ରମୁଷ୍ଟି ଧରି

ବୋଇଲେ ସେ ସଭାସଦେ ସମ୍ବୋଧନ କରି।

ଏହି ଖଡ଼୍ଗେ ବିନାଶିବି କୋଲେଟିନ ବଂଶ,

ଇଟାଲୀର ରାଜପୁରୀ କରି ଦେବି ଧ୍ୱଂସ।

ଶୁଣ ଭାଇମାନେ ବୋଲୁଅଛୁଁ ବାରମ୍ବାର,

ପ୍ରତିହିଂସା ପ୍ରତିହିଂସା ପ୍ରତିହିଂସା ସାର।

ମାରିବି ସେ ପାପିଷ୍ଠଙ୍କୁ ଶୁଣ ଭ୍ରାତାଗଣ,

ନ ରଖିବି ଟାର୍କୁଇନ ବଂଶେ ଏକଜଣ।

ମାରିବି ତାହାର ବନ୍ଧୁ ଭାଇ ପୁଅ ନାତି,

ନ ରହିବ କୁଳେ ଜଣେ ଦେବାପାଇଁ ବତି।

 

 

ସାଧାରଣ ପ୍ରଜାତନ୍ତ୍ର କରିବି ସ୍ଥାପନ,

ପ୍ରଭୁ ଜୁପିଟର ସାକ୍ଷୀ, ମୋର ଏହି ପଣ।

ବ୍ରୁଟସଙ୍କ ବାକ୍ୟ ଶୁଣି ରୋମବାସିଗଣ

ଉଠିଲେ ସକଳେ କରି ଭୀଷଣ ଗର୍ଜନ।

ବିଦ୍ୟୁତ ବେଗରେ ହେଲା ସମ୍ବାଦ ପ୍ରଚାର,

କେବଳ ଶୁଭୁଛି ଶବ୍ଦ ମାର ମାର ମାର!

ମାର ମାର ଶବ୍ଦ ଛାଡ଼ି ଆନ କଥା ନାହିଁ,

ରାଜପୁରୀ ଲକ୍ଷ କରି ସର୍ବେ ଛନ୍ତି ଧାଇଁ।

ମଧୁଚକ୍ର ଭାଙ୍ଗି ଦେଲେ ମଧୁମକ୍ଷିଗଣ

ଶତ୍ରୁକୁ କରନ୍ତି ଯେହ୍ନେ ଧାଇଁ ଆମନ୍ତ୍ରଣ,

ତେସନେ ସକଳେ ମିଳି ଖଡ଼୍ଗ ଧରି କରେ,

ପ୍ରବେଶିଲେ ସର୍ବେ ଯାଇଁ ରାଜାଙ୍କ ନଅରେ।

ଧାଇଁ ଯାଇ ଜଣେ ପୁରାତନ ବୃଦ୍ଧ ଦାସ

ଜଣାଇଲା ସବୁ କଥା ନୃପତିଙ୍କ ପାଶ।

ଜଳାବାଟ ଦେଇ ଟାର୍କୁଇନ ଦେଲେ ଚାହିଁ,

ପଙ୍ଗପାଳ ପରି ଲୋକମାନେ ଛନ୍ତି ଧାଇଁ।

ଧର ଧର ମାର ମାର ବୋଲି ବାରମ୍ବାର,

କରୁଛନ୍ତି ଲୋକମାନେ ଭୀଷଣ ହୁଙ୍କାର।

ଶାଣିତ ଭୀଷଣ ଖଡ଼୍ଗ ହସ୍ତେ ଭୟାନକ,

ସୂର୍ଯ୍ୟ ତେଜ ଲାଗି ଦିଶୁଅଛି ଜକଜକ।

ଜୟ ରୋମାନର ଜୟ ବିଜୟୀ ରୋମାନ,

ଏହି ଶବ୍ଦେ ହେଉଅଛି ପୃଥ୍ୱୀ କମ୍ପମାନ।

ସେକ୍ସଟସ ଦେଖି ଏହି ସର୍ବ କଥା,

ହଜି ଗଲା ଜ୍ଞାନ ଘୁରି ଗଲା ମଥା।

ଭାଳିଲା ନିର୍ବୋଧ ଆପଣା ମନରେ,

ମାରିବି ଶତ୍ରୁଙ୍କୁ ଅସି ଧରି କରେ

ସମ୍ମୁଖସଂଗ୍ରାମେ ବଧି ଶତ୍ରୁ ଗଣ

କଳଙ୍କିତ ପ୍ରାଣ ଦେବି ବିସର୍ଜନ।

ମାତ୍ରକ ଯାହାର କୁକର୍ମରେ ମତି,

ସେ ଲୋକର କାହିଁ ସାହସ ବା ଶକ୍ତି!

ଯେମାନଙ୍କ ଆତ୍ମା ପାପରେ ମଳିନ,

ସହଜେ ସେ ସର୍ବଲୋକ ଶକ୍ତିହୀନ।

ପୁଣି ସେ ବିଚାର କଲା ମନେ ମନେ,

ସହସ୍ର ମଧ୍ୟରେ ମୁହିଁ ସିନା ଜଣେ।

ଦେଖୁଛି ବିଶ୍ୱାସୀ ପ୍ରହରୀ ଯେତେକ,

ମଲେଣି ତ ଶତ୍ରୁ ହସ୍ତେ ଏକ ଏକ।

ଯୁଦ୍ଧ କରିବାରେ ନାହିଁ କିଛି କାର୍ଯ୍ୟ,

ପ୍ରାଣ ଥିଲେ ପୁଣି ମିଳି ପାରେ ରାଜ୍ୟ।

ଏତେ କ ବିଚାରି ଅସି ଧରି କରେ

ପଳାଇଲା ପ୍ରାଣଭୟେ ଗୁପତରେ।

ପବନହୁଁ ବେଗେ ଯାଉଅଛି ଧାଇଁ,

ନିଶ୍ୱାସ ପକାଇ ପଛକୁ ନ ଚାହିଁ।

ଇଟୁରିୟା ଅଞ୍ଚଳକୁ ଯାଉଛି ପଳାଇ,

ବିଚାରୁଛି ଶତ୍ରୁମାନେ ଅଛନ୍ତି ଗୋଡ଼ାଇ।

ମାର୍ଜାର ଭୟରେ ଯଥା ପଳାଏ ମୂଷିକ,

ପଳାଉଛି ସେହିପରି ଦୁଷ୍ଟ ଅଧାର୍ମିକ।

*ଇଟାଲୀର ଗୋଟିଏ ପ୍ରଦେଶ

ନଗରନିବାସୀ ଲୋକେ ହୋଇ ଉନମତ୍ତ

ଖୋଜିଲେ ଯେ ରାଜପୁରେ ଯାଇ ଇତସ୍ତତଃ।

ଗୃହ ପ୍ରତି ଗୁପ୍ତ ସ୍ଥାନେ ଦେଖିଲେ ଅନାଇ,

ଦୁରାଚାର ସେକ୍ସଟସ କେଉଁ ଠାରେ ନାହିଁ।

ଜୟ ରୋମାନର ଜୟ ବୋଲି ବାରମ୍ବାର

ବୀରମାନେ କଲେ ପୁଣି ଆନନ୍ଦେ ହୁଙ୍କାର।

କମ୍ପିଲା ଇଟାଲୀ ଦେଶ କମ୍ପିଲା ଗଗନ,

ପୂରିଲା ଭୀଷଣ ରବେ ନୃପତି ଭବନ।

ଇଟାଲୀର ବୀରମାନେ ଦେଇ କରତାଳି

ନୃପତିଭବନ ଆନନ୍ଦରେ ଦେଲେ ଜାଳି।

ତିନି ଦିନ ତିନି ରାତି ଜଳିଲା ପାବକ,

ଭସ୍ମ ହେଲା ଏକାବେଳେ ରୋମର କଳଙ୍କ।

ସନ୍ଧ୍ୟାବେଳେ ଆସି ଏକ ପୁରାତନ ଦାସ

ଦେଖିଲା ଯେ ରାଜଗୃହ ପକାଇ ନିଶ୍ୱାସ,

ଜଳୁଅଛି ରାଜାଙ୍କର ଶୟନଭବନ,

କୁସୁମିତଲତାବୃକ୍ଷଯୁକ୍ତ ଉପବନ।

ଗନ୍ତାଘର ପୋଡ଼ୁଅଛି ସମସ୍ତ ନଅର

ଖନ୍ଦାଶାଳ ଦେହପାଣିଘର ସରଘର।

ଉଡ଼ୁଛି ଭୀଷଣ କୃଷ୍ଣବର୍ଣ୍ଣ ଧୂମରାଶି,

ସର୍ବ ସ୍ଥାନ ବୈଶ୍ୱାନର ପକାଉଛି ଗ୍ରାସି।

ଫାଟୁଛି କେ ଘର ଭୟଙ୍କର ଶବ୍ଦ କରି,

ପ୍ରତିହିଂସା ଶବ୍ଦେ ଯେହ୍ନେ ପୂରିଛି ନଗରୀ।

ଜଳୁଅଛି ସ୍ଥାନେ ସ୍ଥାନେ ଭୀଷଣ ଅନଳ,

ସତୀତ୍ୱର ଅପମାନେ ଏହି ପ୍ରତିଫଳ।

ପୋଡ଼ୁଅଛି ରାଜମଞ୍ଚ ରାଜସିଂହାସନ,

ଉଡ଼ାଉଛି ଧୂମରାଶି ପ୍ରବଳ ପବନ।

ଏହିପରି ରାଜପୁରୀ ହୋଇଗଲା ଧ୍ୱଂସ,

ଚିରକାଳପାଇଁ ଗଲେ ଟାର୍କୁଇନ ବଂଶ।

ମେସିସ ଅଥବା ଦେବାପାଇଁ ପ୍ରତିଫଳ

ଜାଳି ଦେଇଛନ୍ତି ରାଜଗୃହରେ ଅନଳ।

ଭାଳିଲା ସେ ବୃଦ୍ଧ ଦାସ ହୋଇଣ ଦୁଃଖିତ,

ଏହିପରି ହୁଏ ମହାପାପେ ପ୍ରାୟଶ୍ଚିତ୍ତ।

ଭାଳନ୍ତି ଅଜ୍ଞାନ ମୂର୍ଖ ମାନବ ସକଳ,

ପୃଥିବୀରେ ନାହିଁ ଧର୍ମାଧର୍ମ ପ୍ରତିଫଳ।

ଟାର୍କୁଇନ ଅପକୀର୍ତ୍ତି ରଟିଲା ମହୀରେ,

ସାଧାରଣ ପ୍ରଜାତନ୍ତ୍ର ହେଲା ଇଟାଲୀରେ।

ସୀତାକୁ ଚୋରାଇ ମଲା ଲଙ୍କାର ରାବଣ,

ସତୀତ୍ୱ ବିନାଶି ମଲେ ଟାର୍କୁଇନଗଣ

ସତୀକୁ ଯେ ଅପମାନ କରେ ଦୁରାଶୟ,

ତାହାର ଏପରି ଦଶା ଘଟଇ ନିଶ୍ଚୟ।

 

ଚନ୍ଦ୍ର ବର୍ଣ୍ଣନା

କବି ବୋଲେ-      ମୋ ଚନ୍ଦ୍ରମା ଶୀତଳକିରଣ।

ଜ୍ୟୋତିର୍ବିଦ-      ରନ୍ଦ୍ରେ ଜ୍ୟୋତି ଦିଏ ତ ତପନ।

କବି ବୋଲେ-      ନାରୀମୁଖ ଉପମାର ସ୍ଥଳ।

ଜ୍ୟୋତିର୍ବିଦ-      ଶୁଷ୍କ ଭୂମି ନୀରସ କେବଳ।

କବି ବୋଲେ-      ଜହ୍ନ ମାମୁ, ମୋ ମାତା କମଳା

ଜ୍ୟୋତିର୍ବିଦ-      ମାମୁର କି ହ୍ରାସ ବୃଦ୍ଧି କଳା?

କବି ବୋଲେ-       ମୋ ଚନ୍ଦ୍ରମା ଶଶାଙ୍କଲାଞ୍ଛିତ।

ଜ୍ୟୋତିର୍ବିଦ-      ଚନ୍ଦ୍ରଟା ତ ପର୍ବତବେଷ୍ଟିତ।

କବି ବୋଲେ-      ମୋ ଚନ୍ଦ୍ରମା ସୁଧାସିନ୍ଧୁ ଜାତ।

ଜ୍ୟୋତିର୍ବିଦ-      ଚନ୍ଦ୍ରଟା ତ ଉପଗ୍ରହ ମାତ୍ର।

କବି ବୋଲେ-      ଚନ୍ଦ୍ରେ ପିତୃଲୋକର ବସତି।

ଜ୍ୟୋତିର୍ବିଦ-      ଜଳ ବାୟୁ ନାହିଁ ଏକ ରତି।

କବିବୋଲେ-      ଚନ୍ଦ୍ର ରୂପ କେଡ଼େ ମନୋହର

ଜ୍ୟୋତିର୍ବିଦ-      ଚନ୍ଦ୍ରଟା ତ ଭୀଷଣ ବନ୍ଧୁର।

କବି ବୋଲେ-      ଚନ୍ଦ୍ର ଗ୍ରାସ କରିଥାଏ ରାହୁ।

ଜ୍ୟୋତିର୍ବିଦ-      ଗ୍ରହଣଟା ପୃଥ୍ୱୀଛାୟା ଆଉ।

କବି ବୋଲେ-      ଚନ୍ଦ୍ର ଥାଏ ଶିବ ମସ୍ତକରେ।

ଜ୍ୟୋତିର୍ବିଦ-      ଚନ୍ଦ୍ର ଭ୍ରମୁଥାଏ ଆକାଶରେ।

କବି ବୋଲେ-      ତାରାଗଣେ ବିଭବିଲେ ଇନ୍ଦୁ।

ଜ୍ୟୋତିର୍ବିଦ-      ସେଟା ଜଡ଼, ଜ୍ଞାନ ନାହିଁ ବିନ୍ଦୁ।

କବି ଜ୍ୟୋତିର୍ବିଦ କଳି କରନ୍ତେ ଏମନ୍ତ,

ଭାଙ୍ଗିଦେଲି କଳି, ଦୁହିଁଙ୍କର କଥା ସତ୍ୟ।

 

ବାରବିଳାସିନୀ

ରାଗ – ମଙ୍ଗଳ

ଭାରତବାସିନୀ! ତୁ କି ହିନ୍ଦୁର ରମଣୀ?

ବିପଣିରେ ବସିଛୁ ତ ବାରବିଳାସିନୀ!

ରମଣୀସୁଲଭ ଲଜ୍ଜା ନାହିଁ ତ କିଞ୍ଚିତ?

କେଉଁ ପାପେ କରିଛନ୍ତି ବିଧାତା ବଞ୍ଚିତ?

ସ୍ନେହ, ପ୍ରୀତି, ଦୟା, ମାୟା, ଭକ୍ତି, ମାଧୁରିମା,

ପରଶ ତ କରି ନାହିଁ ତୋହର ତ୍ରିସୀମା।

 

ପୂର୍ଣ୍ଣମାତ୍ରା ଏହି ସର୍ବ କରୁ ଅଭିନୟ,

କପଟତା! କପଟତା! କପଟତାମୟ।

କରିବା ନିମନ୍ତେ ତୁହି ଲୋକ ସର୍ବନାଶ,

କେତେ କରୁ ଅଙ୍ଗଭଙ୍ଗି, କେତେ ମିଷ୍ଟ ହାସ୍ୟ।

ସେହି ହାସ୍ୟ ତଳେ ଦେଖେଁ ଭୀଷଣ ଚାତୁରୀ,

ଗରଳବିଲିପ୍ତ ତୀକ୍ଷ୍ମ ଗଳାକଟା ଛୁରୀ।

ଆଲୋ ଲୋ ଲାବଣ୍ୟମୟୀ! ଚିତ୍ତବିମୋହିନୀ!

ମୋ ପ୍ରତ୍ୟୟ ରୂପାନ୍ତରା କାଳଭୁଜଙ୍ଗିନୀ।

 

କେତେ ରୂପ ଛନ୍ତି ନରଘାତକ ତସ୍କର,

ତୋ ଚରିତ୍ର ସମସ୍ତଙ୍କଠାରୁ ଭୟଙ୍କର!

ପରିଣୟ ବନ୍ଧନ ତୁ କରିଛୁ ତ ଛିନ୍ନ,

କିଛିମାତ୍ର ନାହିଁ ଚିତ୍ତେ ପବିତ୍ରତା ଚିହ୍ନ।

ଦେଇଛୁ ଆତ୍ମାକୁ ଯଥାସାଧ୍ୟ ଅଧୋଗତି,

ମେଲାଣି ଘେନିଛି ତୋହ ଚିତ୍ତରୁ ସୁମତି।

ସରଳ ହୃଦୟେ ତୋର ପୂରିଛି ଗରଳ,

ବାସନା ବିଳାସ ଦାଗ ଲାଗିଛି କେବଳ।

ଛି ଛି ଛି ଛି! ହିନ୍ଦୁ କନ୍ୟା ହୋଇଛୁ ତସ୍କରୀ,

ସହଜରେ ଭୟଙ୍କରୀ ଅଟୁ ନିଶାଚରୀ।

ଲିଭିଛି ପବିତ୍ର ଜ୍ୟୋତି-କଳଙ୍କ ତିମିର,

ଘୃଣାମୟ! ଘୃଣାମୟ! ତୋହର ଶରୀର।

ରୂପାଜୀବା! ରୂପ ହାଟ ମେଲିଅଛୁ ପରା?

ଦୁଇ ଦିନେ ସରିଯିବ ବଣିଜ ପସରା।

ଯେ ଯୌବନ ଘେନି ତୋର ଏତେ କାଟିକୁଟି,

ଦେଖୁନାହୁଁ, ଦିନୁ ଦିନୁ ଯାଉଛି ତ ତୁଟି!

ମୋ ବିଶ୍ୱାସ ଏକା ତୋର ନାହିଁ କିଛି ଦୋଷ,

ସମାଜ ଏଥକୁ ଦାୟୀ ଅଛନ୍ତି ଅବଶ୍ୟ।

ସଂସର୍ଗ ଶିକ୍ଷାରେ ତୁହି ହେଲୁ ଏତେସରି,

ସମାଜ ଉପେକ୍ଷା ତତେ କଲେ ବା କିପରି?

ପଡ଼ିଲୁ ଶୈଶବେ ଯେତେବେଳେ ବେଶ୍ୟାହସ୍ତେ,

ଅବଶ୍ୟ ତ ଦେଖୁଥିଲେ ସମାଜ ସମସ୍ତେ।

ଛଡ଼ାଇ ତ ଆଣିଥିଲେ ତାହା ହସ୍ତୁଁ ତୋତେ,

ନିଶ୍ଚୟ ନିଶ୍ଚୟ ରହିଥାନ୍ତୁ ଧର୍ମପଥେ।

ଦେଖୁଁ ଦେଖୁଁ ଆତ୍ମାଟିଏ ପଡ଼ିଲା ନରକେ,

ଜଳଜଳ ଚାହିଁଥିଲେ ସମାଜର ଲୋକେ!

 

କବିର କଳିହୁଡ଼ୀ ସ୍ତ୍ରୀ

ଦିନେ କବିନାରୀ            କରି ମୁହଁ ଭାରି

ବୋଇଲା କବିକୁ ଆସି,

ବୋଲେ ବାରମ୍ବାର,            ନ ବୁଝ ସଂସାର,

ଘର ଯେ ଗଲାଣି ଭାସି!

 

ଏ କି ପିଲାଖେଳ            ତୁଚ୍ଛା ପଦମେଳ

ବସି କର ରାତି ଦିନ,

ଯମକରେ ଶ୍ରଦ୍ଧା            ମିଳାଅ ଉପଧା

ଖୋଜି ମର ଯତି ଚିହ୍ନ।

ରାଗ ଭଟିଆରୀ,            କଲ୍ୟାଣ ଆହାରୀ,

କେଦାର, କାଳୀ, କାନଡ଼ା,

ନଳିନୀ ଗଉଡ଼ା,            ବାୟା କଥାଗୁଡ଼ା,

ଶୁଣି ଶୁଣି କାନତଡ଼ା।

ବିହାଗ, ପ୍ରଭାତୀ,            ଶୁଣି ଦିନ ରାତି

ଛାନ୍ଦ କୌଶିକ କଲ୍ୟାଣ,

କେଦାର ଗଉରୀ            ଗାଇ ପାଟିକରି

ଘରେ କଲ ଅକଲ୍ୟାଣ।

 

ବସିଥାଏ ଚାହିଁ,            ଦିନେ ହେଲା ନାହିଁ

ଟଙ୍କା କଉଡ଼ିରେ ଦେଖା,

ରାଗିଣୀ କବିତା            ଲାଗେ କାନେ ସ୍ଥିତା

କିଏ ପଢ଼େ ତୁମ୍ଭ ଲେଖା।

 

ଥାଇ ଅନାହାରୀ            କଲ୍ୟାଣ ଆହାରୀ

କାନକୁ କି ଭଲ ଲାଗେ?

ଯାଉ ରାଗ ତୋଡ଼ି            ଦିଅ ସବୁ ପୋଡ଼ି,

ଭାତ ଲୁଗା ଆଣ ଆଗେ।

 

ଯେତେ ମନା କଲି,            ଲେଖ ନାହିଁ ବୋଲି

ମୋ କଥା ଶୁଣିବ କିଆଁ?

ଏ ସବୁ ନ ଶୁଣି            ଲେଖି ବସ ପୁଣି,

କବିତା ପାଉଁଶ ନିଆଁ।

କରି ସଟାବଟା            କେତେ ଲୁଗାପଟା

ଆଣୁଛନ୍ତି ଲୋକମାନେ,

ତୁମ୍ଭ ବୁଦ୍ଧି ନାହିଁ,            ତୁଚ୍ଛାରେ କିପାଇଁ

ମନ ଦେଲ ଅଭିଧାନେ?

ଦେଖ ଏ ଓକୀଲେ            ଭୁଲାଇ ମକେଲେ

ଆଣନ୍ତି ଟଙ୍କା ଅରଜି,

ସେ କଥା ମନରେ            ନ ପକାଅ ଥରେ

ପଢ଼ କବିତା ଗରଜି।

ଅରଜି କଉଡ଼ି            ଗାଡ଼ି ଘୋଡ଼ା ଚଢ଼ି

ଯାନ୍ତି ଲୋକେ ଦରବାରେ,

ପଦ ଘୋଷି ଘୋଷି            ଅଛ କୋଣେ ବସି,

ତୁମ୍ଭକୁ କେବା ପଚାରେ?

କଲି ପ୍ରାଣ ଶେଷ            ଦେଇ ଉପଦେଶ,

କବିତା ଲେଖିବ ନାହିଁ,

ବସ ହୋଇ ଜଡ଼ା            ଭଲ କଥାଗୁଡ଼ା

ଶୁଣିବ କାନେ କିପାଇଁ?

ସାଉକାର କାଲି            ଦେଇଗଲା ଗାଳି,

ସେ କଥା ଗଲଣି ଭୁଲି,

ବସିଛ ନିର୍ଜନେ,            କି ଭାଳୁଛ ମନେ,

କବିତା ଲେଖିବ ବୋଲି।

ଭାତ ଶୁଖିଗଲା,            ଆସ ବାବୁ ଭଲା,

ତୁଚ୍ଛା ରୁଚ୍ଛା ଯାଅ ଖାଇ,

ଶୋଇଲେ ସକଳେ            ବସିବ ନିରୋଳେ

କବିତା ଲେଖିବାପାଇଁ।

 

ଶ୍ମଶାନ

ରାଗ - ଚକ୍ରକେଳି

ନୁହେ ଭୟଙ୍କର ଏହି ଶ୍ମଶାନ,

ନିର୍ମଳ ଶାନ୍ତିର ପବିତ୍ର ସ୍ଥାନ।

ଏହି ଯେ ଜଳୁଛି ଶ୍ମଶାନେ ଚିତା,

ଏକା ଏ ଜଗତେ ଅପରାଜିତା।

ଘୋର ଧୂମାୟିତ ଶ୍ମଶାନାନଳ,

ସାମ୍ୟ ଧର୍ମ ଶିକ୍ଷା ପ୍ରକୃତ ସ୍ଥଳ।

ରାଜା, ମହାରାଜ, ଭିକ୍ଷୁକ, ଜ୍ଞାନୀ,

ସାହୁ, ବ୍ୟବସାୟୀ, କୃପଣ, ଦାନୀ।

ବାଳ ବୃଦ୍ଧ କିମ୍ବା ଯୁବା ଯୁବତୀ,

ସମସ୍ତଙ୍କ ଏଥି ସମାନ ଗତି।

ଶ୍ମଶାନ ନ କରେ ବାଛ ବିଚାର,

ସମସ୍ତଙ୍କୁ କରେ ଏକ ଆକାର!

ସମସ୍ତଙ୍କ ପାଇଁ ଏକା ଅନଳ,

ସମସ୍ତଙ୍କ ପାଇଁ ସମାନ ସ୍ଥଳ।

ଯେଉଁ ଭସ୍ମରାଶି ଦେଖ ପଡ଼ିଛି,

ପାରିବ କି କାହା ଭସ୍ମ ଏ ବାଛି?

ପୃଥକ ପୃଥକ ଛନ୍ତି ଯେତେକ,

ଏ ସ୍ଥାନରେ ହେବେ ସମସ୍ତେ ଏକ

ଜରା, ବ୍ୟାଧି, କଷ୍ଟ, ମାନାପମାନ,

ସବୁ କରେ ଦୂର ଏହି ଶ୍ମଶାନ।

ନବ ଯଉବନ ସୁନ୍ଦରପଣ

ବଢ଼ାଇବାପାଇଁ କେତେ ଯତନ।

ହେଉଥିଲା ଧୂଳି ଦେହରୁ ଝାଡ଼ି,

ଯାଉଛନ୍ତି ଏବେ ବିଲୁଆ ମାଡ଼ି।

ମୋ ହୃଦୟ ଧନ ନେତ୍ରପିତୁଳି,

ପଡ଼ିଥିଲା ତାର କିଞ୍ଚିତ ଧୂଳି;

ସେହି ଭସ୍ମ ମିଶି ଗଲାଣି କାହିଁ,

ଖୋଜିଲେ କି ହବ, ଚିହ୍ନ ତ ନାହିଁ।

ମିଶିବି ତ ଦିନେ ତାହା ସଙ୍ଗରେ,

ରହିଛି ଏ ଆଶା ପୋଷି ମନରେ।

ଯେଉଁ ମହାବୀର ବିକ୍ରମେ ବଳେ

ଶତ୍ରୁ ବଧୁଥିଲେ ସଂଗ୍ରାମସ୍ଥଳେ।

କରାଉଥିଲେ ଯେ ପୃଥ୍ୱୀ କମ୍ପିତ,

ଦେଖ ଏ ସ୍ଥାନରେ ଏବେ ନିଦ୍ରିତ

ଅଧିକାର ଯାର ପୃଥିବୀ ଗୋଟା,

ହୋଇ ପଡ଼ିଛନ୍ତି ପାଉଁଶ ମୁଠା।

ଅଇଲେ ଅସଂଖ୍ୟ ଜାତି ବିଭିନ୍ନ,

କାହାରି ତ ନାହିଁ କିଛି ହିଁ ଚିହ୍ନ।

ଯେଉଁ ବ୍ରାହ୍ମଣଙ୍କ ପବିତ୍ର କାୟା,

ମାଡ଼ୁଥିଲେ ନାହିଁ ଚାଣ୍ଡାଳ ଛାୟା,

ମିଶା ମିଶି ଭସ୍ମ ଏକ ଆକାର,

କିପରି ହେବ ବା ବାଛ ବିଚାର।

ଆନନ୍ଦ ଉତ୍ସବ, ଧନ ଗୌରବ,

ବିଳାପ, ସନ୍ତାପ, ପ୍ରଭୁତ୍ୱ, ସର୍ବ,

ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ, ଶୌର୍ଯ୍ୟ, ମାତ୍ସର୍ଯ୍ୟ,

କୁତ୍ସିତ, ପୀଡ଼ିତ, କାନ୍ତି କଦର୍ଯ୍ୟ,

ବୀରତ୍ୱ, ଭୀରୁତ୍ୱ, ବିଦ୍ୱେଷ ପୁଣି,

ଦେଖ ଏ ସ୍ଥାନରେ ସକଳେ ତୁନି।

ପ୍ରଣୟ, ପୀରତି, ବିବାଦ, କଳି,

ଏ ସ୍ଥାନରେ ସର୍ବ ସମାନ ଭଳି।

ମିଶା ମିଶି ପରମାଣୁର ରାଶି,

ମିଶିବେ ସ୍ୱଧର୍ମେ ଶ୍ମଶାନେ ଆସି।

ଯାହାକୁ ଯାହାକୁ ଅଛି ହରାଇ,

ପାଇବି ସେ ସର୍ବ ଶ୍ମଶାନେ ଯାଇ।

ଭଲରୂପେ ଅଛି ଏକଥା ଜଣା,

ତେବେ ତ କିପାଇଁ ମୋର ଭାବନା?

 

ଉପେନ୍ଦ୍ର ଭଞ୍ଜଙ୍କ ସ୍ୱପ୍ନ ଦର୍ଶନ

ରାଗ – ମଙ୍ଗଳ

ନିଶୀଥ ସମୟେ ସ୍ୱପ୍ନ ଯୋଗେ ବୀଣାପାଣି

ବୋଇଲେ ଉପେନ୍ଦ୍ରଭଞ୍ଜେ ‘‘ଶୁଣବତ୍ସ! ବାଣୀ।

ଘେନ ବାପା, କୃପା କରି ଦେଉଛୁଁ ଏ ବର,

ଉତ୍କଳ ମଣ୍ଡଳେ ହେବୁ ଯଶସ୍ୱୀ ଅମର।

ତ୍ୟାଗ କର ଆରେ ବତ୍ସ! ରାଜସିଂହାସନ,

ସେହି ତୁଚ୍ଛ ଧନେ ତୋର କିବା ପ୍ରୟୋଜନ?

ପରିତ୍ୟାଗ କର କ୍ଷଣ-ଭଙ୍ଗୁର ବିଷୟ,

ଦେଉଛି, ଗ୍ରହଣ କର ଫଳ ସୁଧାମୟ।

ଏ ରାଜତ୍ୱ, ଏ ବିଭବ ଯିବ କାହିଁ ଭାସି,

ଅକ୍ଷୟ ସୁଖ୍ୟାତି ଥିବ ଜଗତେ ବିକାଶି।

ଅସଂଖ୍ୟ ଅସଂଖ୍ୟ ଥିଲେ ଛନ୍ତି ନରମଣି,

କରୁଥିଲେ କରୁଛନ୍ତି ଶାସନ ଅବନୀ।

ନାହିଁ ତ ନ ଥିବ ଜଗତରେ କାହା ନାମ

ମାତ୍ରକ ବିକାଶୁ ଥିବ ତୋହ ଗୁଣଗ୍ରାମ।

ନ ବୁଝ ରାଜତ୍ୱ ସୁଖ ସୌଭାଗ୍ୟର ହେତୁ,

ନ ହେଲେ ସତର୍କ ହେବ ଯମଦ୍ୱାରସେତୁ।

ସନାତନ ରାଜଧର୍ମ ପ୍ରଜାଙ୍କୁ ପାଳନ,

ମାତ୍ର ଏବେ ଗନ୍ତାଘରେ ଅର୍ଥ ସଙ୍କଳନ।

କିପାଇଁ ହେବୁରେ ବାପା, ଅଧର୍ମର ଭାଗୀ?

କର ଯତ୍ନ ଧର୍ମ ଯଶ ଉପାର୍ଜନ ଲାଗି।

 

ଜଳାଞ୍ଜଳି ଦେଇ ସେହି ରାଜସିଂହାସନେ,

ଧ୍ୟାନମଗ୍ନ ହୋଇ ବସ ବିରଲେ ବିଜନେ,

କର ଦେଶେ ରାମଚନ୍ଦ୍ର ମହିମା ପ୍ରଚାର,

ଉଦ୍ଧାର ଆପଣେ, କର ଦେଶକୁ ଉଦ୍ଧାର

ଗ୍ରାମେ ଗ୍ରାମେ ଲୋକମାନେ ତୋ ପ୍ରେମସଙ୍ଗ

ଗାଉନ୍ତୁ ଆନନ୍ଦମନେ ହୋଇ ବିମୋହିତ।

ଚାହିଁ ଦେଖ କି ହୋଇଛି ତୋର ମାତୃଭାଷା,

କେବଳ କରିଛି ପୁତ୍ର ତୋତେ ମୁହିଁ ଆଶା

ନାନା ଛନ୍ଦୋବନ୍ଧେ ଗୀତ କରିବୁ ରଚନା,

ତୋହ ଯୋଗେ ହେଉ ମାତୃଭାଷା ବିଭୂଷଣା।

ଘୋଷିବ ଅକ୍ଷୟ କୀର୍ତ୍ତି ଯୁଗ- ଯୁଗାନ୍ତରେ,

ଗାଇବେ ଉତ୍କଳଦେଶବାସୀ ନାରୀ ନରେ।’’

ଏତେ ବୋଲି ଭଗବତୀ ହେଲେ ଅନ୍ତର୍ଦ୍ଧାନ,

ଚେତା ପାଇ ଭକ୍ତ କବି ଆରମ୍ଭିଲେ ଗାନ।

 

ଆଶା

ରାଗ – ମଙ୍ଗଳ

ଅମର ବିହଗୀ ସେ କି ବିଚିତ୍ର ବରଣ,

କେଉଁ ମହାଗଗନରେ କରେ ବିଚରଣ?

ଆକର୍ଷଣ କରେ ମନ ଆଶ୍ୱାସେ ବିଶ୍ୱାସେ,

ମହୋଲ୍ଲାସେ ମହାକାଶେ ଭ୍ରମିବା ସକାଶେ।

 

କି ଆଲୋକ ସୁଖମୟ ଦେଶେ ଯିବାପାଇଁ,

ଦିବାନିଶି ମନ ତାହା ପଛେ ଥାଏ ଧାଇଁ।

 

ଉଦାର ଆହ୍ୱାନେ ସବୁ ଭୁଲିଯାଏ ପ୍ରାଣ,

ଲଙ୍ଘିଯାଏ କେତେ ବାଧା ବିଘ୍ନ ବ୍ୟବଧାନ।

 

ସ୍ୱର୍ଣ୍ଣରଥେ ଯାଏ ଘେନି ଅନ୍ଧକାର ଦେଶେ,

ସଂକୀର୍ଣ୍ଣତା ଭୁଲି ମନ ଧାଏଁ ମହାବେଶେ।

 

ନ ବୁଝେ ସେ ରୂପାନ୍ତରା ମରୁ ମରୀଚିକା,

ଭ୍ରମଚକ୍ରେ ଯାଏ ଭ୍ରମି ରୂପ ବିଭୀଷିକା।

ମାତ୍ରକ ନ ଥିଲେ ଆଶା-ରଜ୍ଜୁ, ଆକର୍ଷଣ,

ଭାସୁଥାନ୍ତା ତମୋମୟ ଗଗନରେ ମନ।